Categories
ଆଜିର ଖବର ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡ଼ିଶାରେ ପୁଣି ଏକ ନମ୍ବର ସ୍ଥାନରେ ସୋଆ: ଦେଶର ୧୫ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର: ୨୦୨୩ ନିମନ୍ତେ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍ନାଲ ର‌୍ୟାଙ୍କିଙ୍ଗ ଫ୍ରେମ୍‌ୱାର୍କ (ଏନ୍‌ଆଇଆର୍‌ଏଫ୍‌) ର‌୍ୟାଙ୍କିଙ୍ଗ୍‌ରେ ଦେଶର ପ୍ରମୁଖ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ ୧୫ ତମ ସ୍ଥାନ ହାସଲ କରିଛି ଶିକ୍ଷା ଓ ଅନୁସନ୍ଧାନ (ସୋଆ)। ସୋମବାର ନୂଆଦିଲ୍ଲୀ ଠାରେ ଏହି ର‌୍ୟାଙ୍କିଙ୍ଗ୍‌ସ କେନ୍ଦ୍ର ଶିକ୍ଷା ଏବଂ ବର୍ହିବ୍ୟାପାର ରାଜ୍ୟମନ୍ତ୍ରୀ ରାଜକୁମାର ରଞ୍ଜନ ସିଂଙ୍କ ଦ୍ୱାରା ଉନ୍ମୋଚନ ହୋଇଛି।

ଏକ ବହୁବିଧ ବିଶ୍ୱବିଦ୍ୟାଳୟ ଭାବେ ସୋଆ ଗତ ୨୦୨୨ ଏନ୍‌ଆଇଆର୍‌ଏଫ୍ ର‌୍ୟାଙ୍କିଙ୍ଗସରେ ୧୬ ତମ ସ୍ଥାନରେ ରହିଥିବା ବେଳେ ୨୦୧୬ ଠାରୁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଆରମ୍ଭ ହୋଇଥିବା ଏହି ର‌୍ୟାଙ୍କିଙ୍ଗ ପ୍ରକ୍ରିୟାରେ କ୍ରମାଗତ ୮ ବର୍ଷ ଧରି ଦେଶର ଶ୍ରେଷ୍ଠ ୨୫ ଟି ଉଚ୍ଚ ଶିକ୍ଷାନୁଷ୍ଠାନ ମଧ୍ୟରେ ନିଜ ସ୍ଥାନ ବଜାୟ ରଖି ଆସିଛି। ଏଥି ମଧ୍ୟରୁ ୬ ବର୍ଷ ସୋଆ ଦେଶର ୨୦ଟି ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ମଧ୍ୟରେ ସ୍ଥାନ ପାଇପାରିଛି। ଚଳିତ ବର୍ଷ ଏହି ପ୍ରକ୍ରିୟାରେ ସୋଆ ଆଗକୁ ଯାଇ ୧୫ ତମ ସ୍ଥାନ ଅଧିକାର କରିଛି।
ପ୍ରଥମ ଥର ପାଇଁ ସୋଆ ଶ୍ରେଷ୍ଠ ୧୫ଟି ଉଚ୍ଚ ଶିକ୍ଷାନୁଷ୍ଠାନ ମଧ୍ୟରେ ନିଜର ସ୍ଥାନ ବଜାୟ ରଖିଥିବା ବେଳେ ସାମଗ୍ରିକ କ୍ୟାଟେଗୋରିରେ ୨୬ ତମ ସ୍ଥାନ ହାସଲ କରିଛି। ଗତ ବର୍ଷ ଏହି କ୍ୟାଟେଗୋରିରେ ସୋଆ ୩୦ତମ ସ୍ଥାନରେ ରହିଥିବା ବେଳେ ଚଳିତ ଥର ୪ ଟି ସ୍ଥାନ ଉପରକୁ ଉଠିପାରିଛି।

ସେହିପରି ମେଡିକାଲ୍ ସାଇନ୍‌ସେସ୍‌, ଡେଂଟାଲ୍ ସାଇନ୍‌ସେସ୍ ଏବଂ ଲ ରେ ମଧ୍ୟ ଆଗକୁ ଯାଇଛି ସୋଆ। ମେଡିକାଲ୍ ସାଇନ୍‌ସ୍ କ୍ୟାଟେଗୋରିରେ ୨୦୨୨ରେ ଦେଶରେ ୧୮ ତମ ସ୍ଥାନରେ ଥିବା ସୋଆ ଚଳିତ ଥର ୧୬ ତମ ସ୍ଥାନ ହାସଲ କରିଛି। ସେହିପରି ଲ କ୍ୟାଟେଗୋରିରେ ଏଥର ଅଷ୍ଟମ ସ୍ଥାନରେ ରହିଥିବା ସୋଆ ପୂର୍ବ ବର୍ଷ ୯ମ ସ୍ଥାନରେ ରହିଥିଲା ଏବଂ ଡେଂଟାଲ୍ ସାଇନ୍‌ସରେ ଏଥର ୯ମ ସ୍ଥାନରେ ଥିବା ବେଳେ ଗତ ବର୍ଷ ୧୦ମ ସ୍ଥାନରେ ରହିଥିଲା। ଚଳିତ ବର୍ଷ ସାମଗ୍ରିକ, ବିଶ୍ୱବିଦ୍ୟାଳୟ, ମେଡିକାଲ୍ ସାଇନ୍‌ସେସ୍‌, ଡେଂଟାଲ୍ ସାଇନ୍‌ସେସ ଏବଂ ଲ’ କ୍ୟାଟେଗୋରିରେ ଓଡ଼ିଶାରେ ସୋଆ ଏକ ନମ୍ବର ସ୍ଥାନରେ ରହିଛି।

ବିଶ୍ୱବିଦ୍ୟାଳୟର ଫ୍ୟାକଲ୍ଟି ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ୨୦୨୨ ଭଳି ଚଳିତ ବର୍ଷ ମଧ୍ୟ ୨୭ ତମ ସ୍ଥାନ ବଜାୟ ରଖିଥିବା ବେଳେ ରାଜ୍ୟରେ ଦ୍ୱିତୀୟ ସ୍ଥାନରେ ରହିଛି। ଇଞ୍ଜିନିୟରିଂ କ୍ୟାଟେଗୋରିରେ ଓଡ଼ିଶାରେ ଏକ ନମ୍ବର ସ୍ଥାନରେ ରହିଛି ଏନ୍‌ଆଇଟି, ରାଉରକେଲା। ସେହିପରି ପ୍ରଥମ ଥର ପାଇଁ ଏନ୍‌ଆଇଆର୍‌ଏଫ୍ ର‌୍ୟାଙ୍କିଙ୍ଗ୍‌ସରେ ବିଶ୍ୱବିଦ୍ୟାଳୟର ଫ୍ୟାକଲ୍ଟି ଅଫ୍ ମ୍ୟାନେଜମେଂଟ ସାଇନ୍‌ସେସ୍ ୫୭ ତମ ସ୍ଥାନ ହାସଲ କରି ରାଜ୍ୟରେ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଏକ୍ସଆଇଆଇଏମ୍ ବିଶ୍ୱବିଦ୍ୟାଳୟ ଏକ ନମ୍ବର ସ୍ଥାନରେ ରହିଛି।

ଏନ୍‌ଆଇଆର୍‌ଏଫ୍ ର‌୍ୟାଙ୍କିଙ୍ଗ୍‌ସ ଅନୁଯାୟୀ ପୂର୍ବାଂଚଳରେ ସୋଆ ମେଡିକାଲ୍ ସାଇନ୍‌ସେସ୍ ଏବଂ ଡେଂଟାଲ୍ ସାଇନ୍‌ସେସ୍‌ରେ ଏକ ନମ୍ବର ସ୍ଥାନରେ ରହିଥିବା ବେଳେ ଲ’ କ୍ୟାଟେଗୋରିରେ ୨ୟ ସ୍ଥାନ, ବିଶ୍ୱବିଦ୍ୟାଳୟ କ୍ୟାଟେଗୋରିରେ ତୃତୀୟ ସ୍ଥାନ ଏବଂ ସାମଗ୍ରିକ କ୍ୟାଟେଗୋରିରେ ୪ର୍ଥ ସ୍ଥାନ ହାସଲ କରିଛି। ପୂର୍ବଭାରତରେ ଇଞ୍ଜିନିୟରିଂ କ୍ୟାଟେଗୋରିରେ ୫ମ ସ୍ଥାନ ହାସଲ କରିଛି ସୋଆ।

ଗତ ବର୍ଷ ନ୍ୟାସ୍‌ନାଲ୍ ଆସେସ୍‌ମେଂଟ ଆଣ୍ଡ ଆକ୍ରେଡିଟେସନ୍ କାଉନ୍‌ସିଲ୍ (ନାକ୍‌) ସୋଆକୁ ସର୍ବାଧିକ ଗ୍ରେଡ୍ ଇ++ ରେ ପୁନଃସ୍ୱୀକୃତି ଦେଇଛି।

ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଏନଆଇଆର୍‌ଏଫ୍ ର‌୍ୟାଙ୍କିଙ୍ଗ୍‌ସରେ ବିଶ୍ୱବିଦ୍ୟାଳୟର ସଫଳତାକୁ ନେଇ ଖୁସିବ୍ୟକ୍ତ କରିବା ସହ ଫ୍ୟାକଲ୍ଟି ଏବଂ ଅନ୍ୟ କର୍ମଚାରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ନିରବଚ୍ଛିନ୍ନ ପରିଶ୍ରମ ଦ୍ୱାରା ସୋଆକୁ ସଫଳତାର ଉଚ୍ଚତମ ସୋପାନରେ ପହଂଚାଇବାକୁ ସେ ସେମାନଙ୍କୁ ଆହ୍ୱାନ ଜଣାଇଛନ୍ତି।

ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏହି ଅବସରରେ ବିଶ୍ୱବିଦ୍ୟାଳୟର ସଫଳତା ନିମନ୍ତେ ନିରବଚ୍ଛିନ୍ନ ଉଦ୍ୟମକୁ ଶ୍ରେୟ ଦେବା ସଂଗେ ସଂଗେ ଆଗାମୀ ୫ ବର୍ଷରେ ବିଶ୍ୱବିଦ୍ୟାଳୟ ଦେଶର ଶ୍ରେଷ୍ଠ ୧୦ଟି ଉଚ୍ଚ ଶିକ୍ଷାନୁଷ୍ଠାନ ତାଲିକାରେ ସ୍ଥାନୀତ ହେବା ନିମନ୍ତେ ଚେଷ୍ଟା ଜାରୀ ରଖିବ ବୋଲି କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶାରେ ଏକ ନମ୍ବର, ଦେଶର ୧୬ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ସୋଆ

ଭୁବନେଶ୍ୱର: ଶିକ୍ଷା ଏବଂ ଗବେଷଣା କ୍ଷେତ୍ରରେ ନିଜର ସ୍ଥିତିକୁ ବଜାୟ ରଖି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଦେଶର ୧୬ ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟର ମାନ୍ୟତା ହାସଲ କରିଛି। ଶୁକ୍ରବାର ନୂଆଦିଲ୍ଲୀ ଠାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଉନ୍ମୋଚିତ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସନାଲ୍ ର‌୍ୟାଙ୍କିଙ୍ଗ ଫ୍ରେମ୍‌ୱାର୍କ (ଏନ୍‌ଆଇଆର୍‌ଏଫ୍‌) ର‌୍ୟାଙ୍କିଙ୍ଗସ-୨୦୨୨ରେ ଓଡ଼ିଶାର ଏକ ନମ୍ବର ବିଶ୍ୱବିଦ୍ୟାଳୟ ଭାବେ ନିଜକୁ ପୁଣି ଥରେ ପ୍ରତିପାଦିତ କରିପାରିଛି ସୋଆ।

ଗତ ବର୍ଷ ଏନ୍‌ଆଇଆର୍‌ଏଫ୍ ର‌୍ୟାଙ୍କିଙ୍ଗ୍‌ସର ବିଶ୍ୱବିଦ୍ୟାଳୟ କ୍ୟାଟେଗୋରୀରେ ଜାତୀୟ ସ୍ତରରେ ୨୦ ତମ ସ୍ଥାନରେ ଥିବା ସୋଆ ଚଳିତ ବର୍ଷ ନିଜର ଉତ୍କର୍ଷ ପ୍ରଦର୍ଶନ କରି ଦେଶର ୧୬ ତମ ବିଶ୍ୱବିଦ୍ୟାଳୟ ଭାବେ ସ୍ଥାନୀତ ହୋଇଛି। ସେହିପରି ୪ଟି କ୍ୟାଟେଗୋରୀରେ ନିଜର ସ୍ଥାନକୁ ଉନ୍ନୀତ କରିଥିବା ବେଳେ ଦୁଇଟି କ୍ୟାଟେଗୋରୀରେ ଦେଶର ଶ୍ରେଷ୍ଠ ୧୦ଟି ଶିକ୍ଷାନୁଷ୍ଠାନ ମଧ୍ୟରେ ନିଜକୁ ସ୍ଥାନୀତ କରିପାରିଛି ସୋଆ। ସୋଆର ଦୁଇଟି ଅନୁଷ୍ଠାନ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍‌ସେସ (ଫ୍ୟାକଲ୍ଟି ଅଫ୍ ଡେଂଟାଲ୍ ସାଇନ୍‌ସେସ୍‌) ଏବଂ ସୋଆ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲ’ (ଫ୍ୟାକଲ୍ଟି ଅଫ୍ ଲିଗାଲ୍ ଷ୍ଟଡିଜ୍‌) ପ୍ରଥମ ଥର ପାଇଁ ଦେଶର ଶ୍ରେଷ୍ଠ ୧୦ଟି ଶିକ୍ଷାନୁଷ୍ଠାନ ମଧ୍ୟରେ ସ୍ଥାନୀତ ହୋଇଛି।

ମାତ୍ର ୧୫ ବର୍ଷ ତଳେ ଡିମ୍‌ଡ ବିଶ୍ୱବିଦ୍ୟାଳୟ ଷ୍ଟାଟସ୍ ପାଇଥିବା ସୋଆ ଚଳିତ ଏନ୍‌ଆଇଆର୍‌ଏଫ୍ -୨୦୨୨ ତାଲିକାରେ ଓଭରଅଲ୍ କ୍ୟାଟେଗୋରୀରେ ୩୦ ତମ ସ୍ଥାନରେ ରହିଥିବା ବେଳେ (୨୦୨୧ରେ ୩୭ତମ ସ୍ଥାନରେ ଥିଲା) ମେଡିକାଲ୍ ସାଇନ୍‌ସେସ୍‌ରେ ୧୮ ତମ, ଇଞ୍ଜିନିୟରିଂରେ ୨୭ତମ ଏବଂ ଡେଂଟାଲ୍ ସାଇନ୍‌ସେସ୍‌ରେ ୧୦ମ ସ୍ଥାନରେ ରହିଛି। ସେହିପରି ପ୍ରଥମ ଥର ପାଇଁ ଏହି ର‌୍ୟାଙ୍କିଙ୍ଗ୍‌ରେ ପ୍ରବେଶ କରିଥିବା ସୋଆର ଫ୍ୟାକଲ୍ଟି ଅଫ୍ ଲ’ ଦେଶରେ ୯ମ ସ୍ଥାନ ହାସଲ ରହିଥିବା ବେଳେ ରିସର୍ଚ୍ଚ କ୍ୟାଟେଗୋରୀରେ ୪୫ତମ ସ୍ଥାନରେ ସ୍ଥାନୀତ ହୋଇଛି।

ନିକଟରେ ଏକ ବିରାଟ ମାଇଲ୍ ଖୁଂଟ ମଧ୍ୟ ହାସଲ କରିଛି ସୋଆ। ନ୍ୟାସ୍‌ନାଲ୍ ଆସେସେ୍‌ମେଂଟ ଆଣ୍ଡ ଆକ୍ରେଡିଟେସନ୍ କାଉନ୍‌ସିଲ୍ (ନାକ୍‌) ବିଶ୍ୱବିଦ୍ୟାଳୟକୁ ମୋଟ ୪ସ୍କୋର୍‌ରୁ ୩.୮୮ ସିଜିପିଏ ସହ ସର୍ବାଧିକ ଏ++ ଗ୍ରେଡ୍‌ର ସ୍ୱୀକୃତି ପ୍ରଦାନ କରିଛି।
୨୦୧୬ରୁ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏନ୍‌ଆଇଆର୍‌ଏଫ୍ ର‌୍ୟାଙ୍କିଙ୍ଗ ଆରମ୍ଭ କରାଯାଇଥିବା ବେଳେ ସବୁଠାରୁ ନବତମ ବିଶ୍ୱବିଦ୍ୟାଳୟ ଭାବେ ବିଗତ ୭ ବର୍ଷ ଧରି ଦେଶର ଶ୍ରେଷ୍ଠ ୨୫ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ ନିଜର ସ୍ଥାନ ବଜାୟ ରଖିଛି ସୋଆ। ସେହିପରି ଗତ ୩ ବର୍ଷ ହେବ ଶ୍ରେଷ୍ଠ ୨୦ ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ ନିଜକୁ ସ୍ଥାନୀତ କରିଛି ସୋଆ।

ଏନ୍‌ଆଇଆର୍‌ଏଫ୍ -୨୦୨୧ରେ ସୋଆର ଫ୍ୟାକଲ୍ଟି ଅଫ୍ ମେଡିକାଲ୍ ସାଇନ୍‌ସେସ୍‌, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ୨୧ ତମ ସ୍ଥାନରେ ରହିଥିବା ବେଳେ ଫ୍ୟାକଲ୍ଟି ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌) ୩୨ତମ ସ୍ଥାନରେ ଏବଂ ଫ୍ୟାକଲ୍ଟି ଅଫ୍ ଡେଂଟାଲ୍ ସାଇନ୍‌ସେସ୍‌, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍‌ସେସ୍ (ଆଇଡିଏସ୍‌) ୧୪ତମ ସ୍ଥାନରେ ରହିଥିଲା।

ପୂର୍ବ ଭାରତରେ ତୃତୀୟ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ସୋଆ ନିଜର ସ୍ଥିତି ଜାହିର କରିଥିବାବେଳେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଓ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍‌ସେସ୍ ର୍ପୂବାଂଚଳରେ ଏକ ନମ୍ବର ସ୍ଥାନରେ ରହିଛନ୍ତି। ସେହିପରି ଫ୍ୟାକଲ୍ଟି ଅଫ୍ ଲ’ ପୂର୍ବାଂଚଳରେ ତୃତୀୟ ସ୍ଥାନ ହାସଲ କରିଛି।

ଏହି ଅବସରରେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ବିଶ୍ୱବିଦ୍ୟାଳୟର ସଫଳତାକୁ ନେଇ ନିଜର ଖୁସି ବ୍ୟକ୍ତ କରିବା ସହ ଏଥି ନିମନ୍ତେ ସମସ୍ତ ଫ୍ୟାକଲ୍ଟି ଏବଂ କର୍ମଚାରୀମାନଙ୍କୁ ସେମାନଙ୍କର ନିରବଚ୍ଛିନ୍ନ ପରିଶ୍ରମ ଓ ଅଧ୍ୟବସାୟ ନିମନ୍ତେ ପ୍ରଶଂସା କରିବା ସହ ଶୁଭେଚ୍ଛା ଜଣାଇଛନ୍ତି।