Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ନୂଆଦିଲ୍ଲୀରେ ଅନୁଷ୍ଠିତ ଜିଏସଟି ବୈଠକରେ ଅର୍ଥମନ୍ତ୍ରୀ ବିକ୍ରମ ଆରୁଖ କଣ କଲେ ଦାବୀ

ନୂଆଦିଲ୍ଲୀ/ଭୁବନେଶ୍ୱର: ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଦ୍ରବ୍ୟ ଓ ସେବା କର (ଜିଏସଟି) ପରିଷଦର ୫୨ତମ ବୈଠକ ନୂଆଦିଲ୍ଲୀସ୍ଥିତ ସୁଷମା ସ୍ୱରାଜ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଦ୍ରବ୍ୟ ଓ ସେବା କର (ଜିଏସଟି) ପରିଷଦର ଏହି ୫୨ତମ ବୈଠକରେ ରାଜ୍ୟ ଅର୍ଥମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ଯୋଗଦେଇ ରାଜ୍ୟ ପକ୍ଷରୁ ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ ଓ ବିଭିନ୍ନ ଦାବି ପରିଷଦ ବୈଠକରେ ଉପସ୍ଥାପନ କରିଥିଲେ।

ଅର୍ଥମନ୍ତ୍ରୀ ଶ୍ରୀ ଆରୁଖ କହିଲେ ଯେ, ମିଲେଟ ମିଶନ ମାଧ୍ୟମରେ ମିଲେଟ ଚାଷକୁ ପ୍ରୋତ୍ସାହନ ଦେବାରେ ଓଡ଼ିଶା ହେଉଛି ଅଗ୍ରଣୀ ରାଜ୍ୟ। ମିଲେଟ ଚାଷକୁ ପ୍ରୋତ୍ସାହନ ଦେବା ପାଇଁ ଓଡ଼ିଶା ମିଲେଟ ମିଶନ ମଡେଲକୁ ଗ୍ରହଣ କରିବାକୁ ଭାରତ ସରକାର ସମସ୍ତ ରାଜ୍ୟକୁ କହିଛନ୍ତି।

ମିଲେଟଭିତ୍ତିକ ଉତ୍ପାଦ ଉପରେ ଜିଏସଟି ହାର ହ୍ରାସ ଓଡ଼ିଶା ମିଲେଟ୍‌ ମିଶନ ଉପରେ ଯଥେଷ୍ଟ ସକାରାତ୍ମକ ପ୍ରଭାବ ପକାଇପାରେ। ମିଲେଟ ଆଧାରିତ ଉତ୍ପାଦ ଉପରେ ଜିଏସଟି ହାର ହ ୍ରାସ କରି ସରକାର ସେଗୁଡ଼ିକୁ ଅଧିକ ସୁଲଭ ଓ ସହଜଲଭ୍ୟ କରିପାରିବେ। ଏହି ପଦକ୍ଷେପ ଦ୍ୱାରା ଅଧିକରୁ ଅଧିକ ଲୋକ ମିଲେଟକୁ ନିଜ ଖାଦ୍ୟରେ ସାମିଲ କରିବା ପାଇଁ ଉତ୍ସାହିତ ହୋଇପାରିବେ, ଫଳରେ ଉତ୍ତମ ସ୍ୱାସ୍ଥ୍ୟ ଲାଭ ହୋଇପାରିବ ଏବଂ ସ୍ଥାନୀୟ ମିଲେଟ ଚାଷୀମାନଙ୍କୁ ସହାୟତା ମିଳିପାରିବ।

ମିଲେଟ ଆଧାରିତ ସ୍ୱାସ୍ଥ୍ୟ ମିଶ୍ରଣ ଉପରେ ଜିଏସଟି ଛାଡ଼, (ଯେଉଁଥିରେ ସର୍ବନିମ୍ନ ୭୦ ପ୍ରତିଶତ ମିଲେଟ ଖୋଲାରେ ବିକ୍ରି ହୋଇଥାଏ) ମୂଲ୍ୟଯୁକ୍ତ ମିଲେଟ ଉତ୍ପାଦକୁ ବୃଦ୍ଧି କରିବାରେ ସହାୟକ ହେବ। ଓଡ଼ିଶାରେ ବିଶେଷ କରି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଉଦ୍ୟୋଗୀମାନଙ୍କ ପାଇଁ ବ୍ୟବସାୟିକ ସୁଯୋଗର ସାମଗ୍ରିକ ବିକାଶରେ ଏହା ସହାୟକ ହେବ।

କେବଳ ସେତିକି ନୁହେଁ, ଜିଏସଟି ହାର ହ୍ରାସ ଦ୍ୱାରା ମିଲେଟ ଆଧାରିତ ସ୍ୱାସ୍ଥ୍ୟ ମିଶ୍ରଣ ଉତ୍ପାଦନରେ ନିୟୋଜିତ ଉଦ୍ୟୋଗୀମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ସୁନିଶ୍ଚିତ ହୋଇପାରିବ।
ଅର୍ଥମନ୍ତ୍ରୀ ଶ୍ରୀ ଆରୁଖ ଏହି ଜିଏସଟି ହାର ହ୍ରାସ ପାଇଁ ଜିଏସଟି ପରିଷଦର ଅଧ୍ୟକ୍ଷ ଏବଂ ସଦସ୍ୟମାନଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ।

ଡିଏମ୍‌ଏଫ୍‌ ଟ୍ରଷ୍ଟ ପକ୍ଷରୁ ଦିଆଯାଉଥିବା ସେବା ଉପରେ ଜିଏସଟି ଛାଡ଼ ପାଇଁ ଓଡ଼ିଶା ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା । ଫିଟମେଣ୍ଟ କମିଟି ଓଡ଼ିଶାର ପ୍ରସ୍ତାବକୁ ଅନୁଧ୍ୟାନ କରିଥିଲା ଏବଂ ଏହା ସ୍ପଷ୍ଟ କରିବାକୁ ସୁପାରିଶ କରିଥିଲା ଯେ ଡି.ଏମ୍‌.ଏଫ୍‌.ଟି ଏକ ସରକାରୀ କର୍ତ୍ତୃପକ୍ଷ ଏବଂ ତେଣୁ ବର୍ତ୍ତମାନର ଯୋଜନାରେ ଯେକୌଣସି ସରକାରୀ କର୍ତ୍ତୃପକ୍ଷ ସମାନ ରିହାତି ପାଇବାକୁ ଯୋଗ୍ୟ ।

ଏହି ପରିପ୍ରେକ୍ଷୀରେ ପରିଷଦର ବିଚାର ପାଇଁ ଅର୍ଥମନ୍ତ୍ରୀ ଶ୍ରୀ ଆରୁଖ ନିମ୍ନ ବିଷୟଗୁଡ଼ିକୁ ଉପସ୍ଥାପନ କରିଥିଲେ।

1- ଓଡ଼ିଶା ଜିଲ୍ଲା ଖଣିଜ ଫାଉଣ୍ଡେସନ ନିୟମାବଳୀର ନିୟମ ୧୦ରେ ଉଲ୍ଲେଖ ରହିଛି, ଡିଏମଏଫ ଟ୍ରଷ୍ଟର ଉପଯୋଗ ଖଣି ପ୍ରଭାବିତ ଅଞ୍ଚଳରେ ସାମାଜିକ-ଆର୍ଥିକ ବିକାଶ ଏବଂ ଲୋକଙ୍କ କଲ୍ୟାଣ ପାଇଁ ପ୍ରମୁଖ କାର୍ଯ୍ୟକଳାପର କାର୍ଯ୍ୟାନ୍ୱୟନ ପାଇଁ କରାଯାଇଥାଏ । ଡିଏମ୍‌ଏଫ୍‌ ପାଣ୍ଠି ଦ୍ୱାରା କରାଯାଇଥିବା ଏହି କାର୍ଯ୍ୟକଳାପଗୁଡିକ ମୁଖ୍ୟତଃ ଭାରତୀୟ ସମ୍ବିଧାନର ଏକାଦଶ ଅନୁସୂଚୀ (ଅନୁଚ୍ଛେଦ ୨୪୩ ଜି) ଏବଂ ଦ୍ୱାଦଶ ଅନୁସୂଚୀ (ଅନୁଚ୍ଛେଦ ୨୪୩)ରେ ତାଲିକାଭୁକ୍ତ କାର୍ଯ୍ୟକଳାପ ସହିତ ଜଡିତ ଅଟେ।

2- ଡିଏମଏଫ ଟ୍ରଷ୍ଟରେ ସ୍ଥାନୀୟ ସଂସ୍ଥାର ସଦସ୍ୟମାନଙ୍କୁ ସାମିଲ କରି ସ୍ଥାନୀୟ ସ୍ୱୟଂଶାସିତ ସଂସ୍ଥା ସହିତ ସମନ୍ୱୟ ସୁନିଶ୍ଚିତ କରିବା ଲାଗି ଏହି ନିୟମରେ ବ୍ୟବସ୍ଥା କରାଯାଇଛି।
ଓଡିଏମ୍‌ଏଫ୍‌ ନିୟମାବଳୀର ନିୟମ ୧୩ ଅନୁଯାୟୀ ଟ୍ରଷ୍ଟ ଦ୍ୱାରା କରାଯାଇଥିବା କାର୍ଯ୍ୟ ସରକାରୀ ବିଭାଗ, ଏଜେନ୍ସି ଓ ରାଷ୍ଟ୍ରାୟତ ସଂସ୍ଥା ମାଧ୍ୟମରେ କିମ୍ବା ଖଣି ପ୍ରଭାବିତ ଅଞ୍ଚଳରେ ସେ୍ୱଚ୍ଛାସେବୀ ସଂସ୍ଥା ମାଧ୍ୟମରେ ସମ୍ପାଦିତ ହୋଇଥାଏ। ଏହାର ବ୍ୟବହାରକାରୀ ହେଉଛନ୍ତି ଖଣି ପ୍ରଭାବିତ ଅଞ୍ଚଳର ବ୍ୟକ୍ତି, ମହିଳା, ଶିଶୁ ଏବଂ ପରିବାର ଯେଉଁମାନେ ବିନା ଶୁଳ୍କରେ ଏହି ସେବା ପାଇପାରିବେ।

3-ଗତ ଦୁଇ ବର୍ଷ ମଧ୍ୟରେ ଡିଏମଏଫଟି କେବଳ ଖଣି ପ୍ରଭାବିତ ଅଞ୍ଚଳର ଲୋକମାନଙ୍କ ସାମାଜିକ-ଆର୍ଥିକ ବିକାଶ ଏବଂ କଲ୍ୟାଣ ଉଦ୍ଦେଶ୍ୟରେ ସଂଗ୍ରହ କରାଯାଇଥିବା ଡିଏମଏଫ ପାଣ୍ଠିରୁ ୭୭୬ କୋଟି ଟଙ୍କା ଜିଏସଟି ପ୍ରଦାନ କରିଛି।

ଉପରୋକ୍ତ ତଥ୍ୟକୁ ଦୃଷ୍ଟିରେ ରଖି ଖଣି ପ୍ରଭାବିତ ଅଞ୍ଚଳରେ ସାମାଜିକ-ଅର୍ଥନୈତିକ ବିକାଶ ଓ ଜନସାଧାରଣଙ୍କ କଲ୍ୟାଣ ପାଇଁ ଓଡ଼ିଶାର ପ୍ରସ୍ତାବକୁ ନିମ୍ନୋକ୍ତ ଦୁଇଟି ଉପାୟରୁ କୌଣସି ଗୋଟିଏ ଉପାୟରେ ବିଚାର କରିବାକୁ ଅର୍ଥମନ୍ତ୍ରୀ ଶ୍ରୀ ଆରୁଖ ଅନୁରୋଧ କରିଥିଲେ ।

ବର୍ତ୍ତମାନ ରାଜ୍ୟ ସରକାର, କେନ୍ଦ୍ର ସରକାର ଏବଂ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ଶୁଦ୍ଧ ସେବା/ ସାମଗ୍ରୀ ଏବଂ ସେବାର ସାମଗ୍ରିକ ଯୋଗାଣ ଉପରେ ଖର୍ଚ୍ଚ ପାଇଁ ଅନୁମତି ଦିଆଯାଇଛି, ଯେଉଁଥିରେ ସାମଗ୍ରୀର ମୂଲ୍ୟ ୨୫% ରୁ ଅଧିକ ନୁହେଁ । ୩ ଓ ୩ଏ ରିହାତି ବିଜ୍ଞପ୍ତି ନଂ- ୧୨/୨୦୧୭-ସିଟି(ଆର) ତାରିଖ ୨୮.୦୬.୨୦୧୭, ଡିଏମଏଫ ଟ୍ରଷ୍ଟକୁ ସମ୍ପ୍ରସାରିତ କରାଯାଇପାରେ କିମ୍ବା ଅନୁଲଗ୍ନକ-୪ରେ ଏଜେଣ୍ଡା ନୋଟର କ୍ରମ ୫ରେ ଉଲ୍ଲେଖ କରାଯାଇଥିବା ଫିଟମେଣ୍ଟ କମିଟିର ସୁପାରିସ ଅନୁଯାୟୀ ସରକାରୀ କର୍ତ୍ତୃପକ୍ଷଙ୍କୁ ଯୋଗାଇ ଦିଆଯାଉଥିବା ୫ଟି ସେବାକୁ ଛାଡ଼ କରିବା ପାଇଁ ଏକ ନୂତନ ପ୍ରବେଶ ସୃଷ୍ଟି କରିବା ପରିବର୍ତ୍ତେ, ସ୍ୱଚ୍ଛ ସେବା ଯୋଗାଣ ଏବଂ ମିଶ୍ରିତ ଯୋଗାଣ କ୍ଷେତ୍ରରେ ପୂର୍ବରୁ ଅନୁମତି ଦିଆଯାଇଥିବା ରିହାତିକୁ ପୁନଃସ୍ଥାପିତ କରିବା ଲାଗି ପରାମର୍ଶ ଦିଆଯାଇଛି, ଯେଉଁଠାରେ ସାମଗ୍ରୀର ମୂଲ୍ୟ ସରକାରୀ ପ୍ରାଧିକରଣକୁ ଯୋଗାଣର ମୋଟ ମୂଲ୍ୟର ୨୫ ପ୍ରତିଶତରୁ ଅଧିକ ନୁହେଁ ।

ଏହାକୁ ଦୃଷ୍ଟିରେ ରଖି ଆମ ରାଜ୍ୟର ଖଣି ପ୍ରଭାବିତ ଅଞ୍ଚଳର ଲୋକଙ୍କ କଲ୍ୟାଣ ପାଇଁ ଓଡ଼ିଶା ଡିଏମ୍‌ଏଫ୍‌ ଟ୍ରଷ୍ଟ ଦ୍ୱାରା ପ୍ରଦାନ କରାଯାଉଥିବା ସେବାଗୁଡ଼ିକୁ ସଂପୂର୍ଣ୍ଣ ରୂପେ କରମୁକ୍ତ କରିବାକୁ ଜିଏସ୍‌ଟି ପରିଷଦକୁ ଅର୍ଥମନ୍ତ୍ରୀ ଶ୍ରୀ ଆରୁଖ ଅନୁରୋଧ ଜଣାଇଛନ୍ତି।

ଏହି ବୈଠକରେ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଲ କୁମାର ଦେବ ଓ ଜିଏସ୍‌ଟି କମିଶନର ଶ୍ରୀ ସଂଜୟ କୁମାର ସିଂ ଯୋଗଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପୁରୀ ଗସ୍ତ କଲେ ଆରଡି ବିଭାଗର ପ୍ରମୁଖ ଶାସନ ସଚିବ, ଅଧିକାରୀଙ୍କୁ ଦେଲେ ଏହି ନିର୍ଦ୍ଦେଶ

ଭୁବନେଶ୍ୱର : ପୁରୀ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଭିତ୍ତିଭୂମି ବିକାଶ କାର୍ଯ୍ୟକୁ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ ପରିଦର୍ଶନ କରିଛନ୍ତି। ଏହି ଅବସରରେ ଶ୍ରୀ ସିଂ କାଞ୍ଚିକୁ ସଂଯୋଗ କରୁଥିବା ୨୦୩ ଜାତୀୟ ରାଜପଥରେ ଭାର୍ଗବୀ ନଦୀ ଉପରେ ଥିବା ହାଇଲେବୁଲ୍‌ ସେତୁ ଏବଂ ନରସିଂହପୁର-ସିରୁଲି ରାସ୍ତାର ଚଷାପଡ଼ା ନିକଟବର୍ତ୍ତୀ ରନିଚିରା ନଦୀ ଉପରିସ୍ଥ ସେତୁ ନିର୍ମାଣ କାର୍ଯ୍ୟ ବୁଲି ଦେଖିବା ସହ ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି।

କାଞ୍ଚିକୁ ସଂଯୋଗ କରୁଥିବା ୨୦୩ ଜାତୀୟ ରାଜପଥର ଭାର୍ଗବୀ ନଦୀ ଉପରେ ହାଇଲେଭେଲ୍‌ ସେତୁ ନିର୍ମାଣ ନିମନ୍ତେ ୫.୧୦ କୋଟି ଟଙ୍କା ବ୍ୟୟ କରାଯାଇଛି। ଏହି ସେତୁ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଥିବାବେଳେ ସେତୁ ସହ ରାସ୍ତା ସଂଯୋଗୀକରଣ କାର୍ଯ୍ୟ ବାକି ରହିଛି। ତୁରନ୍ତ ଟେଣ୍ଡର ପ୍ରକ୍ରିୟା ଚୂଡ଼ାନ୍ତ କରି ଆସନ୍ତା ବର୍ଷ ୩୧ ମାର୍ଚ୍ଚ ସୁଦ୍ଧା ସେତୁ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ପାଇଁ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଶ୍ରୀ ସିଂ ନିର୍ଦ୍ଦେଶ ଦେଇଛନ୍ତି। ଏହି ସେତୁ ନିର୍ମାଣ ହେଲେ ୧୬ଟି ଗ୍ରାମର ୧୨ ହଜାର ଲୋକ ଉପକୃତ ହେବେ।

ସେହିପରି ନରସିଂହପୁର-ସିରୁଲି ରାସ୍ତାର ଚଷାପଡ଼ାଠାରେ ରନିଚିରା ନଦୀ ଉପରେ ନିର୍ମିତ ଅନ୍ୟ ଏକ ସେତୁ କାର୍ଯ୍ୟର ମଧ୍ୟ ସେ ସମୀକ୍ଷା କରିଛନ୍ତି। ଏହି ସେତୁ ନିର୍ମାଣ କାର୍ଯ୍ୟରେ ୬ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଏହାର ନିର୍ମାଣ କାର୍ଯ୍ୟକୁ ଆସନ୍ତା ବର୍ଷ ମାର୍ଚ୍ଚ ୩୧ ତାରିଖ ପୂର୍ବରୁ ଶେଷ କରିବା ପାଇଁ ଶ୍ରୀ ସିଂ ନିର୍ଦ୍ଦେଶ ଦେଇଛନ୍ତି। ପ୍ରକାଶ ଥାଉକି ଏହି ସେତୁ ନିର୍ମିତ ହେଲେ ୧୮ ଜିଲ୍ଲାର ୧୪ ହଜାର ଲୋକ ଉପକୃତ ହେବେ।

ଏହି ପରିଦର୍ଶନ ସମୟରେ ରାଜ୍ୟ ଗ୍ରାମ୍ୟ ନିର୍ମାଣ ଓ ସେତୁ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଇଂ ପ୍ରଦୀପ ସାମଲ ଏବଂ ମୁଖ୍ୟଯନ୍ତ୍ରୀ ଇଂ. ରମେଶ ଚନ୍ଦ୍ର ବେହେରା ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଦାୟିତ୍ୱ ନେଲେ ସଂଜୟ କୁମାର ସିଂ

ଭୁବନେଶ୍ୱର : ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ ଆଜି ପୂର୍ବାହ୍ନରେ ସୂଚନା ଓ ଲୋକସଂପର୍କ ବିଭାଗର ଦାୟିତ୍ୱ ଗ୍ରହଣ କରିଛନ୍ତି । ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତି୍ରପାଠୀ, ନିର୍ଦ୍ଦେଶକ(ବୈଷୟିକ) ଶ୍ରୀ ସୁରେନ୍ଦ୍ର ନାଥ ପରିଡ଼ା, ଯୁଗ୍ମ ସଚିବ ବିଷ୍ଣୁପ୍ରିୟା ସାହୁ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ତାଙ୍କୁ ସ୍ୱାଗତ ଜଣାଇଥିଲେ ।

ଦାୟିତ୍ୱ ଗ୍ରହଣ ପରେ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂ ବିଭାଗର ବିଭିନ୍ନ କାର୍ଯ୍ୟାବଳୀ ସଂପର୍କରେ ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ବିଶେଷ କରି ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ଯେପରି ସୁଚାରୁ ରୂପେ ଅନୁଷ୍ଠିତ ହେବ ଏବଂ ଜାତୀୟ ସ୍ତରରେ କାର୍ଯ୍ୟ କରୁଥିବା ବିଭିନ୍ନ ଆଧ୍ୟାତ୍ମିକ ଟିଭି ଚାନେଲ୍‌ଗୁଡ଼ିକ ଦ୍ୱାରା ରଥଯାତ୍ରାର ସିଧା ପ୍ରସାରଣ ପୂର୍ବକ ସାରା ଦେଶର ଭକ୍ତମାନଙ୍କୁ ରଥଯାତ୍ରା ସଂପର୍କରେ ଅବଗତ କରାଇବେ, ସେ ବାବଦରେ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂ ଗୁରୁତ୍ୱ ଆରୋପ କରିଥିଲେ। ନିର୍ଦ୍ଦେଶକ ଶ୍ରୀ ତ୍ରିପାଠୀ ରଥଯାତ୍ରା ଉପଲକ୍ଷେ ବିଭାଗ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ସଂପର୍କରେ ସୂଚନା ଦେଇଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଭୁବନେଶ୍ୱରରରେ ବିଡିଏ କରିବ ୪୫ ଟି ଟାଉନ୍ ପ୍ଲାନିଂ ସ୍କିମ, ଜାଣନ୍ତୁ କେଉଁଠି ହେବ

ଭୁବନେଶ୍ୱର: ଭୁବନେଶ୍ୱର ଉନ୍ନୟନ କର୍ତ୍ତୁପକ୍ଷ (ବି.ଡି.ଏ)ର ବିଭିନ୍ନ ଅଂଚଳରେ ଟାଉନ୍ ପ୍ଲାନିଂ ସ୍କିମ୍ର ଲୋକପ୍ରିୟତା ଯୋଗୁ ଏଥିରେ ବିଶେଷ ଅଗ୍ରଗତି ପରିଲକ୍ଷିତ ହୋଇଛି। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଏହା ଜଣାପଡିଛି।

ରାଜ୍ୟ ଲୋକସେବା ଭବନରୁ ଡିଜିଟାଲ୍ ମୋଡ୍ ରେ ଅନୁଷ୍ଠିତ ଏହି ବୈଠକରେ ବି.ଡି.ଏର ଉପାଧ୍ୟକ୍ଷ ସଂଜୟ କୁମାର ସିଂ ଟାଉନ୍ ପ୍ଲାନିଂ ସ୍କିମ୍ କାର୍ଯ୍ୟାନ୍ୱୟନ ସମ୍ବନ୍ଧିତ ପ୍ରଶାସନିକ ଏବଂ ଆର୍ଥିକ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ।

ସ୍କିମର ଅଗ୍ରଗତି ସମୀକ୍ଷାକରି ପ୍ରତି ଟାଉନ୍ ପ୍ଲାନିଂ ଅଂଚଳରେ ଗମନାଗମନ, ପାନୀୟଜଳ ଯୋଗାଣ, ବିଦ୍ୟୁତ୍ ଯୋଗାଣ ଆଦି ନିମନ୍ତେ ଉତ୍ତମ ଭିତ୍ତିଭୂମି ନିଶ୍ଚିତ କରାଇବା ପାଇଁ ମୁଖ୍ୟ ଶାସନ ସଚିବ ମହାପାତ୍ର ସଂପୃକ୍ତ ବିଭାଗ ଓ ସଂସ୍ଥାମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ପ୍ରତି ସ୍କିମ୍ ଅଂଚଳରେ ମୁଖ୍ୟ ରାସ୍ତା ଗୁଡ଼ିକୁ ପୁର୍ତ୍ତ ବିଭାଗ ଏବଂ ଭିତର ରାସ୍ତାଗୁଡ଼ିକୁ ବି.ଡି.ଏ ନିର୍ମାଣ କରିବେ ବୋଲି ବୈଠକରେ ସ୍ଥିର ହୋଇଥିଲା। ଜଳ ଯୋଗାଣ ଏବଂ ନର୍ଦ୍ଦମା ପରିଚାଳନା ନିମନ୍ତେ ଦୂରଦର୍ଶୀ ଉପଯୁକ୍ତ ଯୋଜନା ପ୍ରସ୍ତୁତ କରିବା ପାଇଁ ମୁଖ୍ୟ ଶାସନ ସଚିବ ଓ୍ୱାଟ୍କୋଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସେହିପରି ସ୍କିମ୍ ଅଂଚଳ ମାନଙ୍କରେ ଗୁଣାତ୍ମକ ବିଦ୍ୟୁତ ଯୋଗାଣ ନିମନ୍ତେ ସବିଶେଷ କାର୍ଯ୍ୟଯୋଜନା ପ୍ରସ୍ତୁତ କରିବା ପାଇଁ ଶ୍ରୀ ମହାପାତ୍ର ଟାଟା ପାଓ୍ୱାର କେନ୍ଦ୍ରୀୟ ବିତରଣ କଂପାନୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ସମସ୍ତ କାର୍ଯ୍ୟ ସମୟାନୁବନ୍ଧିତ ଭାବେ ପୂର୍ଣ୍ଣାଙ୍ଗ କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ।

ବି.ଡି.ଏ ଉପାଧ୍ୟକ୍ଷ ସଂଜୟ ସିଂ କହିଥିଲେ ଯେ ଭୁବନେଶ୍ୱର ଦୃତ ବର୍ଦ୍ଧିଷ୍ଣୁ ସ୍ଥିତି ଦୃଷ୍ଟିରୁ ବି.ଡି.ଏଦ୍ୱାରା ୪୫ ଟି ଟାଉନ୍ ପ୍ଲାନିଂ ସ୍କିମ୍ କରିବା ପାଇଁ ପ୍ରସ୍ତାବ ରଖାଯାଇଛି । ପ୍ରଥମ ପର୍ଯ୍ୟାୟରେ ୪ ଟି ସ୍କିମ୍ ଆରମ୍ଭ କରାଯାଇଛି ଏବଂ କ୍ଷେତ୍ରସ୍ତରୀୟ କାର୍ଯ୍ୟାନ୍ୱୟନ ତ୍ୱରାନ୍ୱିତ ହୋଇଛି ।

ଏହା ବ୍ୟତିତ ଅନ୍ୟ ୯ ଟି ସ୍କିମ୍ର ପ୍ରାରମ୍ଭିକ ପ୍ରସ୍ତୁତି କାମ ମଧ୍ୟ ତ୍ୱରାନ୍ୱିତ ହୋଇଛି । ସ୍କିମ୍ ନମ୍ବର-୧,୨,୩, ଏବଂ ୪ ରେ କ୍ଷେତ୍ରସ୍ତରୀୟ ସର୍ଭେ, ଜମି ଏକତ୍ରୀକରଣ, ସଂଶୋଧିତ ଜମି ପଟ୍ଟା ପ୍ରସ୍ତୁତି ଏବଂ ବଣ୍ଟନ କାର୍ଯ୍ୟ ଚାଲିଛି । ଆସନ୍ତା ୧ ରୁ ୨ ମାସ ମଧ୍ୟରେ ସମସ୍ତ ସଂଶୋଧିତ ପଟ୍ଟା ଯୋଗାଣ କାର୍ଯ୍ୟ ଶେଷ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ ।

ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ଟଉନ୍ ପ୍ଲାନିଂ ସ୍କିମ୍-୧ ସହଜପୁର, ନାରୋଗଦା, ସିଜୁପୁଟ ଏବଂ ପାଇକରାପୁର ମୌଜାରେ କରାଯାଉଛି । ସେହିପରି ସ୍କିମ୍-୨ ତମାଣ୍ଡୋ ଏବଂ ବିଜିପୁର ମୌଜା; ସ୍କିମ୍-୩ ନୂଆାଗାଁ ଓ ପାଇକରାପୁର; ଏବଂ, ସ୍କିମ୍-୪ ଶ୍ୟାମସୁନ୍ଦରପୁର ମୌଜାରେ କରାଯାଉଛି । ଏହି ୪ଟି ସ୍କିମ୍ ସମୁଦାୟ ୧୬୦୦ ଏକର ଜମି ଉପରେ କରାଯାଉଛି । ଏସବୁରେ ପ୍ରାୟ ୧.୫୦ ଲକ୍ଷରୁ ଅଧିକ ଲୋକ ବସବାସ କରିପାରିବେ ।

ପ୍ରାରମ୍ଭିକ ଆକଳନ ଅନୁସାରେ ଏହି ୪ଟି ସ୍କିମ୍ର ବିକାଶ ପାଇଁ ପ୍ରାୟ ୭୪୯ କୋଟି ଟଙ୍କାର ବିନିଯୋଗ କରାଯିବ । ମୌଳିକ ଭିତ୍ତିଭୂମି ସୃଷ୍ଟିକରାଯିବା ପରେ ଏହି ସ୍କିମ୍ ଗୁଡ଼ିକ ନିଜେ ନିଜ ପାଇଁ ରାଜସ୍ୱ ସୃଷ୍ଟି କରିବା ନିମନ୍ତେ ସମର୍ଥ ହେବେ ବୋଲି ଉପାଧ୍ୟକ୍ଷ ଶ୍ରୀ ସିଂ ଜଣାଇଥିଲେ ।

ନଗର ଏବଂ ଗୃହ ଉନ୍ନୟନ ପ୍ରମୁଖ ଶାସନ ସଚିବ ଜି. ମାଥିଭାଥାନନ୍, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ, ପଂଚାୟତି ରାଜ ଏବଂ ପାନୀୟ ଜଳଯୋଗାଣ ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା, ବି.ଡି.ଏ ର ଯୋଜନା ସଦସ୍ୟ ଗୌରୀଶଙ୍କର ଭୂୟାଁଙ୍କ ସମେତ ସଂପୃକ୍ତ ବିଭାଗ ଓ ସଂସ୍ଥାର ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।