Categories
ଆଜିର ଖବର ଜାତୀୟ ଖବର

ମୁଦ୍ରାସ୍ଫୀତିକୁ ଆଧାର କରି ବଢ଼ିଛି ସାଂସଦଙ୍କ ବେତନ: ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ନିକଟରେ ସାଂସଦ ଏବଂ ପୂର୍ବତନ ସାଂସଦଙ୍କ ବେତନ, ଭତ୍ତା ଓ ପେନସନରେ ୨୪% ପ୍ରତିଶତ ବୃଦ୍ଧି ସଂକ୍ରାନ୍ତରେ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାକୁ ନେଇ ସାଧାରଣରେ ବିଭିନ୍ନ ଭ୍ରାନ୍ତଧାରଣା ସୃଷ୍ଟି ହୋଇଛି। ବିଜ୍ଞପ୍ତି ୨୪ ମାର୍ଚ୍ଚ ୨୦୨୪ ରେ ପ୍ରକାଶ ପାଇଥିବା ବେଳେ ଏଥିରେ ସାଂସଦମାନଙ୍କର ମାସିକ ବେତନ ୧ ଲକ୍ଷରୁ ୧ ଲକ୍ଷ ୨୪ ହଜାର ଟଙ୍କାକୁ ବୃଦ୍ଧି ପାଇଥିବା ଉଲ୍ଲେଖ କରାଯାଇଛି ଯାହାକି ୧ ଏପ୍ରିଲ ୨୦୨୩ ଠାରୁ ଲାଗୁ ହେବ।

୨୦୧୬ରେ ସାଂସଦମାନଙ୍କ ବେତନ ବୃଦ୍ଧିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଦୃଢ଼ ମତ ରଖିଥିଲେ। ସାଂସଦମାନେ ନିଜର ଦରମା ସମ୍ପର୍କରେ ନିଜେ ନିଷ୍ପତ୍ତି ନେବା ଉଚିତ୍‌ ନୁହେଁ ଏବଂ ବେତନ ଆୟୋଗ ଭଳି ଏକ ସଂସ୍ଥା ଏହି ପ୍ରସଙ୍ଗରେ ନିଷ୍ପତ୍ତି ନେବା ଉଚିତ୍‌ ବୋଲି ପ୍ରଧାନମନ୍ତ୍ରୀ ମତ ଦେଇଥିଲେ। ଅଥବା ବିଭିନ୍ନ ସମୟରେ ନିର୍ଦ୍ଦିଷ୍ଟ ପଦବୀ ଏବଂ ପାହ୍ୟାରେ ହେଉଥିବା ବେତନ ବୃଦ୍ଧି ସହ ଏହାକୁ ଯୋଡ଼ିବା ଆବଶ୍ୟକ ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀଙ୍କର ଏହି ଦୃଢ଼ ମତକୁ ଆଧାର କରି ସାଂସଦମାନଙ୍କ ପାଇଁ ବେତନ ସଂଶୋଧନ ବ୍ୟବସ୍ଥାକୁ ବଦଳାଇ ଏହାକୁ ସଂସଦ ଦ୍ୱାରା ଏକପାଖିଆ ନିଷ୍ପତ୍ତି ପରିବର୍ତ୍ତେ ମୁଦ୍ରାସ୍ଫୀତି ବୃଦ୍ଧି ସହ ଯୋଡ଼ି ସଂଶୋଧିତ କରିବାକୁ ନିଷ୍ପତ୍ତି ହୋଇଥିଲା। ୨୦୧୮ରେ ପ୍ରବର୍ତ୍ତିତ ନୂଆ ବ୍ୟବସ୍ଥା ବେତନ ସଂଶୋଧନ, ମନମୁଖୀ ବୃଦ୍ଧିକୁ ରୋକିବା ଏବଂ ଆର୍ଥିକ ଦକ୍ଷତା ସୁନିଶ୍ଚିତ କରିବା ପାଇଁ ଏକ ନିରପେକ୍ଷ ଓ ସ୍ୱଚ୍ଛ ଆଭିମୁଖ୍ୟ ନିଶ୍ଚିତ କରିଥାଏ।

୨୦୧୮ର ଅର୍ଥ ଆଇନ ସଂସଦ ସଦସ୍ୟଙ୍କ ଦରମା, ଭତ୍ତା ଓ ପେନସନ ଆଇନ, ୧୯୫୪ ରେ ସଂଶୋଧନ କରି ସାଂସଦମାନଙ୍କ ବେତନକୁ ମୁଦ୍ରାସ୍ଫୀତି ସହ ଯୋଡ଼ିଥିଲା, ବିଶେଷ କରି ୧୯୬୧ ର ଆୟକର ଅଧିନିୟମ ଅନୁଯାୟୀ ପ୍ରକାଶିତ ମୂଲ୍ୟ ମୁଦ୍ରାସ୍ଫୀତି ସୂଚକାଙ୍କ (ସିଆଇଆଇ) କୁ ଏଥିରେ ବ୍ୟବହାର କରାଯାଇଥିଲା। ଏହି ସଂଶୋଧନ ପୂର୍ବରୁ ଆଡ୍‌ ହକ୍‌ ଆଧାରରେ ବେତନ ସଂଶୋଧନ କରାଯାଉଥିଲା ଏବଂ ପ୍ରତ୍ୟେକ ଥର ପାଇଁ ସଂସଦୀୟ ଅନୁମୋଦନ ଆବଶ୍ୟକ ହେଉଥିଲା। ଏହି ସଂଶୋଧନର ଉଦ୍ଦେଶ୍ୟ ଥିଲା ପ୍ରକ୍ରିୟାକୁ ରାଜନୀତିକରଣ କରିବା ଏବଂ ବେତନ ସମାଯୋଜନ ପାଇଁ ଏକ ବ୍ୟବସ୍ଥିତ ବ୍ୟବସ୍ଥା ପ୍ରବର୍ତ୍ତନ କରିବା।

୨୦୧୮ ସଂଶୋଧନ ପୂର୍ବରୁ ୨୦୧୦ରେ ଶେଷ ସଂଶୋଧନ ହୋଇଥିଲା, ଯେତେବେଳେ ସାଂସଦଙ୍କ ମାସିକ ଦରମା ୧୬,୦୦୦ ଟଙ୍କାରୁ ୫୦,୦୦୦ ଟଙ୍କାକୁ ବୃଦ୍ଧି କରିବାକୁ ସଂସଦ ଏକ ବିଲ୍ ପାସ୍ କରିଥିଲା। ଏହି ନିଷ୍ପତ୍ତି ଜନସାଧାରଣଙ୍କ ଦ୍ୱାରା ସମାଲୋଚିତ ହୋଇଥିଲା, କାରଣ ଅନେକ ଏହାକୁ ଅନୁଭବ କରିଥିଲେ ଯେ ସାଂସଦମାନେ ନିଜ ପାଇଁ ତିନିଗୁଣ ବେତନ ବୃଦ୍ଧି କରିଥିଲେ। ତେବେ ମୁଲାୟମ ସିଂହ ଯାଦବ ଏବଂ ଲାଲୁ ପ୍ରସାଦ ଯାଦବଙ୍କ ସମେତ କେତେକ ସାଂସଦ ଯୁକ୍ତି ବାଢ଼ିଥିଲେ ଯେ ଏହି ବୃଦ୍ଧି ପର୍ଯ୍ୟାପ୍ତ ନୁହେଁ ଏବଂ ଅତି କମରେ ପାଞ୍ଚ ଗୁଣ ଦରମା ବୃଦ୍ଧି ଦାବି କରିଥିଲେ।

ସଂଶୋଧିତ ବ୍ୟବସ୍ଥା ଅନୁଯାୟୀ, ମୂଲ୍ୟ ମୁଦ୍ରାସ୍ଫୀତି ସୂଚକାଙ୍କ ଆଧାରରେ ପ୍ରତି ପାଞ୍ଚ ବର୍ଷରେ ସାଂସଦମାନଙ୍କ ଦରମା ସ୍ୱୟଂକ୍ରିୟ ଭାବେ ସଂଶୋଧିତ ହୋଇଥାଏ। ୨୦୧୮ରେ ମୂଳ ଦରମା ମାସିକ ୧ ଲକ୍ଷ ଟଙ୍କା ସ୍ଥିର କରାଯାଇଥିଲା, ଯେଉଁଥିରେ ଅତିରିକ୍ତ ଭତ୍ତା ସହିତ ୭୦,୦୦ ଟଙ୍କା ନିର୍ବାଚନ ମଣ୍ଡଳୀ ଭତ୍ତା ଏବଂ ୨,୦୦୦ ଟଙ୍କା ଦୈନିକ ଭତ୍ତା ସହିତ ଅନ୍ୟାନ୍ୟ ସୁବିଧା ଯେପରିକି ମାଗଣା ଆବାସ, ଯାତ୍ରା ଏବଂ ଉପଯୋଗିତା ଖର୍ଚ୍ଚ ସାମିଲ ରହିଛି।

ଏବେ ମୂଲ୍ୟ ମୁଦ୍ରାସ୍ଫୀତି ସୂଚକାଙ୍କ ମୁତାବକ, ସାଂସଦମାନେ ମାସିକ ୧.୨୪ ଲକ୍ଷ ଟଙ୍କାର ବେତନ ପାଇବେ। ସାତ ବର୍ଷ ମଧ୍ୟରେ ସେମାନଙ୍କର ବେତନ ୨୪% ବଢ଼ିଛି। ଏହାର ଅର୍ଥ ହେଉଛି ବାର୍ଷିକ ପ୍ରାୟ ୩.୧% ବୃଦ୍ଧି ପାଇଛି। ବେତନ ସଂଶୋଧନ ଉଦ୍ଦେଶ୍ୟମୂଳକ ଏବଂ ସ୍ୱଚ୍ଛ, ସ୍ୱେଚ୍ଛାଚାରୀ ନିଷ୍ପତ୍ତି ପରିବର୍ତ୍ତେ ଏକ ପ୍ରତିଷ୍ଠିତ ଅର୍ଥନୈତିକ ସୂଚକ ଉପରେ ନିର୍ଭରଶୀଳ ହେବା ଏହି ପ୍ରକ୍ରିୟା ସୁନିଶ୍ଚିତ କରିଛି। ଫଳସ୍ୱରୂପ, ବାରମ୍ବାର ସଂସଦୀୟ ବିତର୍କ କିମ୍ବା ରାଜନୈତିକ ହସ୍ତକ୍ଷେପର ଆବଶ୍ୟକତା ବିନା ବେତନ ସଂଶୋଧନ ବ୍ୟବସ୍ଥିତ ଭାବରେ ଘଟିଥାଏ।

ସୂଚନାଯୋଗ୍ୟ, କୋଭିଡ-୧୯ ମହାମାରୀ ସମୟରେ ଏକ ଅସାଧାରଣ ପଦକ୍ଷେପ ସ୍ୱରୂପ ସରକାର ୨୦୨୦ ଏପ୍ରିଲରେ ଗୋଟିଏ ବର୍ଷ ପାଇଁ ସାଂସଦ ଏବଂ ମନ୍ତ୍ରୀଙ୍କ ଦରମା ୩୦ ପ୍ରତିଶତ ହ୍ରାସ କରିଥିଲେ। ମହାମାରୀର ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ଆର୍ଥିକ ସମ୍ବଳ ବୃଦ୍ଧିରେ ସହାୟତା ପାଇଁ ଏହି ନିଷ୍ପତ୍ତି ନିଆଯାଇଥିଲା। ଏହା ସଂକଟ ମୁକାବିଲା ଓ ଜନସାଧାରଣଙ୍କୁ ସହାୟତା ଯୋଗାଇ ଦେବା ପାଇଁ ଭାରତର ନିଷ୍ପତ୍ତିକୁ ସମର୍ଥନ କରିଥିଲା। ସବୁ ମନ୍ତ୍ରୀ, ସାଂସଦଙ୍କ ପାଇଁ ଏହା ଲାଗୁ ହୋଇଥିଲା ଏବଂ ଗୋଟିଏ ବର୍ଷ ଧରି ଜାରି ରହିଥିଲା। ସାଂସଦମାନଙ୍କ ପାରିଶ୍ରମିକକୁ ନିୟନ୍ତ୍ରଣ କରୁଥିବା ଢାଞ୍ଚାଗତ ପ୍ରକ୍ରିୟାକୁ ବୁଝିବା ପରିବର୍ତ୍ତେ ଏହି ବୃଦ୍ଧିକୁ ନେଇ ସମାଲୋଚନା ମୁଖ୍ୟତଃ ଭୁଲ ଧାରଣାରୁ ଉପୁଜିଛି।

ଅନେକ ରାଜ୍ୟ ସରକାର ନିଜସ୍ୱ ଦରମା ନିର୍ଦ୍ଧାରଣ କରିବା ପାଇଁ ଏକ ସ୍ୱେଚ୍ଛାଚାରୀ ଏବଂ ଅସ୍ଥାୟୀ ବ୍ୟବସ୍ଥା ଅନୁସରଣ କରି ନିଜକୁ ଅସାଧାରଣ ଭାବେ ଉଚ୍ଚ ବର୍ଦ୍ଧିତ ଦରମା ପ୍ରଦାନ କରୁଛନ୍ତି। ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅନୁରୋଧ କ୍ରମେ ସଂସଦରେ ଗ୍ରହଣ କରାଯାଇଥିବା ସାଂସଦମାନଙ୍କ ଦରମା ପାଇଁ ଢାଞ୍ଚାଗତ, ମୁଦ୍ରାସ୍ଫୀତି ସହ ଆଧାରିତ ବ୍ୟବସ୍ଥାର ବିପରୀତ ଅଟେ।

ନିକଟରେ ଉପସ୍ଥାପିତ ହୋଇଥିବା ୨୦୨୫ ବଜେଟ୍ ସମୟରେ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ନିଜ ପାଇଁ ୧୦୦% ଦରମା ବୃଦ୍ଧିକୁ ଅନୁମୋଦନ କରିଥିଲେ। ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଏବଂ ବିଧାୟକମାନଙ୍କ ଦୁଇ ଗୁଣ ଦରମା ଲାଗୁ କରିଥିଲେ। ତାଙ୍କ ଦରମା ମାସିକ ୭୫,୦୦୦ ଟଙ୍କାରୁ ୧.୫୦ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଥିବା ବେଳେ ମନ୍ତ୍ରୀଙ୍କ ଦରମା ୬୦,୦୦୦ ଟଙ୍କାରୁ ୧.୨୫ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି। ବିଧାୟକ ଏବଂ ବିଧାନ ପରିଷଦ ସଦସ୍ୟ (ଏମଏଲସି)ଙ୍କ ଦରମା ୪୦,୦୦୦ ଟଙ୍କାରୁ ୮୦,୦୦୦ ଟଙ୍କାକୁ ଦ୍ୱିଗୁଣିତ ହୋଇଛି।

ଏହି ପରିବର୍ତ୍ତନ ଦ୍ୱାରା କଂଗ୍ରେସ ସରକାରଙ୍କ ଅବାଧ ଖର୍ଚ୍ଚ କାରଣରୁ ପୂର୍ବରୁ ହିଁ ଅତ୍ୟଧିକ ଋଣୀ ହୋଇପଡ଼ିଥିବା ରାଜ୍ୟ ରାଜକୋଷ ଉପରେ ବାର୍ଷିକ ୬୨ କୋଟି ଟଙ୍କାର ଅତିରିକ୍ତ ଆର୍ଥିକ ବୋଝ ପଡ଼ିବ ବୋଲି ଆଶା କରାଯାଉଛି। ଭତ୍ତା ସହିତ, ସେମାନଙ୍କର ମୋଟ ମାସିକ ଆୟ ବର୍ତ୍ତମାନ ୩ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇବ, ଯାହାର ଫଳସ୍ୱରୂପ ହାତକୁ ଆସୁଥିବା ଦରମା ସିଧାସଳଖ ୨ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇବ। କର୍ଣ୍ଣାଟକ ସରକାର ପେଟ୍ରୋଲ ଦର, କ୍ଷୀର ଦର, ସମ୍ପତ୍ତି ଟିକସ ଓ ଜଳ ଟିକସ ଲାଗୁ କରି ଗରିବ ଓ ମଧ୍ୟବିତ୍ତଙ୍କ ଉପରେ ଦରବୃଦ୍ଧିର ବୋଝ ଲଦି ଦେଇଥିବା ସମୟରେ ସିଦ୍ଧରମୈୟା ନିଜ ପାଇଁ ଏହି ବ୍ୟାପକ ବେତନ ବୃଦ୍ଧ କରିଛନ୍ତି।

ଜୁନ୍‌ ୨୦୨୪ରେ ଜେଏମଏମ ସରକାର ସ୍ୱେଚ୍ଛାକୃତ ଭାବେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକମାନଙ୍କର ବେତନ ୫୦% ବୃଦ୍ଧି କରିଥିଲେ। ୨୦୨୩ରେ ଅରବିନ୍ଦ କେଜରିୱାଲ ନିଜର ବେତନରେ ବ୍ୟାପକ ୧୩୬% ବୃଦ୍ଧି କରିଥିଲେ। ତାଙ୍କ ଦରମା ମାସିକ ୧.୭ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଥିଲା। ଅନ୍ୟପଟେ ବିଧାୟକମାନଙ୍କର ଦରମା ୬୬% ବୃଦ୍ଧି ପାଇ ୯୦ ହଜାର ଟଙ୍କାରେ ପହଞ୍ଚିଥିଲା। କୌଣସି ଔଚିତ୍ୟ ନଥାଇ ଏହି ବୃଦ୍ଧିକୁ ସ୍ୱେଚ୍ଛାକୃତ ଭାବେ ଲାଗୁ କରାଯାଇଥିଲା। ଆହୁରି ଚିନ୍ତାଜନକ ବିଷୟ ହେଉଛି, ୨୦୧୫ରେ ସାଂସଦମାନଙ୍କ ଦରମା ବୃଦ୍ଧି ପାଇଁ କେଜ୍ରିୱାଲଙ୍କ ଦାବିକୁ ମୋଦୀ ସରକାର ଅତ୍ୟଧିକ ବୋଲି ଦର୍ଶାଇ ପ୍ରତ୍ୟାଖ୍ୟାନ କରିଥିଲେ।

୨୦୨୩ରେ ମମତା ବାନାର୍ଜୀ ଅନ୍ୟ ରାଜ୍ୟର ବିଧାୟକମାନଙ୍କ ଦରମା ସହ ସମାନ କରିବାକୁ ଯାଇ ତାଙ୍କ ରାଜ୍ୟର ବିଧାୟକମାନଙ୍କ ଦରମାରେ ୫୦%ବୃଦ୍ଧି କରିଥିଲେ ଯାହାକି ୮୦ହଜାର ଟଙ୍କାରୁ ୧ ଲକ୍ଷ ୨୦ ହଜାର ଟଙ୍କାକୁ ବୃଦ୍ଧି ପାଇଥିଲା। ସେହିପରି ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମାନଙ୍କର ଦରମାରେ ୩୬% ବୃଦ୍ଧି ସହିତ ୧.୫ ଲକ୍ଷ ଟଙ୍କାରେ ପହଞ୍ଚିଥିଲା। ପଶ୍ଚିମବଙ୍ଗ ଏବଂ ଅନ୍ୟ ରାଜ୍ୟଗୁଡ଼ିକ ମଧ୍ୟରେ ବୃଦ୍ଧି ପାଉଥିବା ବିକାଶଗତ ପାର୍ଥକ୍ୟକୁ ଦୂର କରିବା ପରିବର୍ତ୍ତେ, ସେ ପଶ୍ଚିମବଙ୍ଗ ଏବଂ ଅନ୍ୟ ରାଜ୍ୟର ବିଧାୟକମାନଙ୍କ ମଧ୍ୟରେ ବେତନ ଅସମାନତା ଉପରେ ଧ୍ୟାନ ଦେଇଥିଲେ।

୨୦୧୮ରେ, କେରଳ ମୁଖ୍ୟମନ୍ତ୍ରୀ ବିଦ୍ୟୁତ୍, ଡିଜେଲ ଏବଂ ପେଟ୍ରୋଲ ମୂଲ୍ୟରେ ବୃଦ୍ଧି ହେତୁ ବିଧାୟକମାନଙ୍କ ଦରମା ପ୍ରାୟ ୬୬ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିଲେ। ୨୦୧୬ ରେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ନେତୃତ୍ୱରେ ବିଧାୟକ ଏବଂ ମନ୍ତ୍ରୀମାନଙ୍କ ବେତନରେ ୧୬୩% ର ବିପୁଳ ବୃଦ୍ଧି କରିଥିଲେ। ଫଳରେ ସେମାନେ ଦେଶର ସର୍ବାଧିକ ପାରିଶ୍ରମିକ ପାଉଥିବା ବିଧାୟକମାନଙ୍କ ମଧ୍ୟରେ ସାମିଲ ହୋଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ମାସିକ ଦରମା ୪ ଲକ୍ଷ ୧୦ ହଜାର, ମନ୍ତ୍ରୀଙ୍କ ଦରମା ୩ ଲକ୍ଷ ୫୦ ହଜାର ଏବଂ ବିଧାୟକମାନେ ମାସିକ ଅଢ଼େଇ ଲକ୍ଷ ଟଙ୍କାର ବେତନ ପାଇଲେ। ସେହିଭଳି, ୨୦୧୬ରେ ହିମାଚଳ ପ୍ରଦେଶରେ କଂଗ୍ରେସ ସରକାର ରାଜ୍ୟ ପୂର୍ବରୁ ଏକ ଗୁରୁତର ଋଣ ସଙ୍କଟ ସହ ମୁକାବିଲା କରିବା ସତ୍ତ୍ୱେ ଏହାର ନେତାମାନଙ୍କ ପାଇଁ ୮୩ ପ୍ରତିଶତ ଦରମା ବୃଦ୍ଧିକୁ ଅନୁମୋଦନ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ସରକାର ଓ ରାଜନୈତିକ ଦଳର ନେତାଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ

ନୂଆଦିଲ୍ଲୀ: ନୂଆଦିଲ୍ଲୀସ୍ଥିତ ସଂସଦ ଭବନ ପରିସରରେ ଗୁରୁବାର କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ରାଜନୈତିକ ଦଳର ନେତାମାନଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଏହି ବୈଠକ ଡାକିଥିଲେ। ଏହି ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ରସାୟନ ଓ ସାର ମନ୍ତ୍ରୀ ତଥା ରାଜ୍ୟସଭାରେ ଗୃହନେତା ଜଗତ ପ୍ରକାଶ ନଡ୍ଡା, ଆଇନ ଓ ନ୍ୟାୟ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଏବଂ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏବଂ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ତଥା ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡ. ଏଲ୍ ମୁରୁଗାନ ଉପସ୍ଥିତ ଥିଲେ। ଏହି ବୈଠକରେ ମନ୍ତ୍ରୀମାନଙ୍କ ସମେତ ମୋଟ ୩୬ଟି ରାଜନୈତିକ ଦଳର ୫୨ ଜଣ ନେତା ଅଂଶଗ୍ରହଣ କରିଥିଲେ।

ପ୍ରାରମ୍ଭରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରାରମ୍ଭିକ ମନ୍ତବ୍ୟ ଦେବା ସହ ବୈଠକରେ ଅଂଶଗ୍ରହଣ କରିଥିବା ସମସ୍ତ ନେତାଙ୍କୁ ସ୍ୱାଗତ କରିବା ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବୈଠକ ପରିଚାଳନା କରିଥିଲେ। ସଂସଦର ବଜେଟ୍ ଅଧିବେଶନ ୨୦୨୫ ଜାନୁଆରି ୩୧ ତାରିଖ ଶୁକ୍ରବାରଠାରୁ ଆରମ୍ଭ ହେବ ଏବଂ ସରକାରୀ କାର୍ଯ୍ୟର ଆବଶ୍ୟକତା ଅନୁଯାୟୀ ଅଧିବେଶନ ୨୦୨୫ ଏପ୍ରିଲ ୪ ତାରିଖ ଶୁକ୍ରବାର ଶେଷ ହୋଇପାରେ ବୋଲି ସେ ନେତାମାନଙ୍କୁ ସୂଚନା ଦେଇଛନ୍ତି। ଏହି ସମୟ ମଧ୍ୟରେ ଉଭୟ ଗୃହକୁ ୨୦୨୫ ଫେବ୍ରୁଆରି ୧୩ ତାରିଖ ଗୁରୁବାର ଛୁଟି ପାଇଁ ମୁଲତବୀ ରଖାଯିବ ଏବଂ ୨୦୨୫ ମାର୍ଚ୍ଚ ୧୦ ତାରିଖ ସୋମବାର ପୁଣି ଥରେ ବୈଠକ ବସିବ, ଯାହାଫଳରେ ଷ୍ଟାଣ୍ଡିଂ କମିଟିବିଭିନ୍ନ ମନ୍ତ୍ରଣାଳୟ/ବିଭାଗର ଅନୁଦାନ ଦାବିଗୁଡ଼ିକୁ ଯାଞ୍ଚ କରି ସେମାନଙ୍କ ରିପୋର୍ଟ ଉପସ୍ଥାପନ କରିପାରିବେ। ଏହି ଅଧିବେଶନରେ ୬୪ ଦିନ ଧରି ସମୁଦାୟ ୨୭ଟି ବୈଠକ (ପ୍ରଥମ ଭାଗରେ ୯ଟି ଓ ଦ୍ବିତୀୟ ଭାଗରେ ୧୮ଟି ବୈଠକ) ଅନୁଷ୍ଠିତ ହେବ।

ଶ୍ରୀ ରିଜିଜୁ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଅଧିବେଶନ ମୁଖ୍ୟତଃ ୨୦୨୫-୨୬ ପାଇଁ କେନ୍ଦ୍ରୀୟ ବଜେଟ୍ ଏବଂ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ସହିତ ଜଡ଼ିତ ଆର୍ଥିକ ପ୍ରସଙ୍ଗଉପରେ ଆଲୋଚନା ପାଇଁ ସମର୍ପିତ ହେବ। ତେବେ ଅଧିବେଶନ ସମୟରେ ଆବଶ୍ୟକ ଆଇନଗତ ଓ ଅନ୍ୟାନ୍ୟ କାର୍ଯ୍ୟ ମଧ୍ୟ କରାଯିବ। ସେ ଉଲ୍ଲେଖ କରିଛନ୍ତି ଯେ ଭାରତର ଅର୍ଥନୈତିକ ସର୍ବେକ୍ଷଣ ଏବଂ ୨୦୨୫-୨୬ ପାଇଁ କେନ୍ଦ୍ରୀୟ ବଜେଟ୍ ଯଥାକ୍ରମେ ୩୧ ଜାନୁଆରୀ, ୨୦୨୫ ଶୁକ୍ରବାର ଏବଂ ଶନିବାର, ଫେବୃଆରୀ ୧, ୨୦୨୫ରେ ସଂସଦରେ ଉପସ୍ଥାପନ କରାଯିବ। ଏହି ଅଧିବେଶନରେ ଆଲୋଚନା ପାଇଁ ୧୬ଟି ବିଧାନସଭା ଓ ୩ଟି ଆର୍ଥିକ ପ୍ରସଙ୍ଗ ଚିହ୍ନଟ କରାଯାଇଛି।

ସଂସଦୀୟ ବ୍ୟାପାର ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଉଭୟ ଗୃହର ନିୟମ ଅନୁଯାୟୀ ଗୃହରେ ଅନ୍ୟ କୌଣସି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି। ସଂସଦର ଆଗାମୀ ବଜେଟ୍ ଅଧିବେଶନରେ ବିଭିନ୍ନ ରାଜନୈତିକ ଦଳର ନେତାମାନେ ସମ୍ଭାବ୍ୟ ବିଭିନ୍ନ ପ୍ରସଙ୍ଗ ଉପରେ ନିଜର ମତ ବ୍ୟକ୍ତ କରିବା ସହ ସରକାରଙ୍କୁ ସେମାନଙ୍କର ପୂର୍ଣ୍ଣ ସହଯୋଗ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ବୈଠକରେ ଅଂଶଗ୍ରହଣ କରି ନିଜର ମତ ବ୍ୟକ୍ତ କରିବା ଏବଂ ସକ୍ରିୟ ଓ ପ୍ରଭାବଶାଳୀ ଅଂଶଗ୍ରହଣ ପାଇଁ ସେ ସମସ୍ତ ସମ୍ମାନିତ ନେତୃମଣ୍ଡଳୀଙ୍କୁ ଧନ୍ୟବାଦ ଜଣାଇଥିଲେ।

୨୦୨୫ ବଜେଟ୍ ଅଧିବେଶନରେ ଆଗତ ହେବାକୁ ଥିବା ସମ୍ଭାବ୍ୟ ବିଲ୍ ତାଲିକା

କ. ବିଧାନକାର୍ଯ୍ୟ

ବ୍ୟାଙ୍କିଂ ଆଇନ (ସଂଶୋଧନ) ବିଲ୍, ୨୦୨୪

ରେଳବାଇ (ସଂଶୋଧନ) ବିଲ୍, ୨୦୨୪

ବିପର୍ଯ୍ୟୟ ପରିଚାଳନା (ସଂଶୋଧନ) ବିଲ୍, ୨୦୨୪

ଅଏଲଫିଲଡ୍ସ (ନିୟନ୍ତ୍ରଣ ଓ ବିକାଶ) ସଂଶୋଧନ ବିଲ୍, ୨୦୨୪

ବଏଲର୍ସ ବିଲ୍, ୨୦୨୪

ଗୋଆ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅନୁସୂଚିତ ଜନଜାତି ପ୍ରତିନିଧିତ୍ୱ ପାଇଁ ପୁନଃ ସମନ୍ୱୟ ବିଲ୍, ୨୦୨୪

ୱାକଫ୍ (ସଂଶୋଧନ) ବିଲ୍, ୨୦୨୪

ମୁସଲିମ୍ ଓ୍ଵାକଫ୍ (ରଦ୍ଦ) ବିଲ୍, ୨୦୨୪

ବିଲ୍ ଅଫ୍ ଲାଡିଂ ବିଲ୍, ୨୦୨୪

ସମୁଦ୍ର ପଥରେ ସାମଗ୍ରୀ ପରିବହନ ବିଲ୍, ୨୦୨୪

ଉପକୂଳ ପରିବହନ ବିଲ୍, ୨୦୨୪

ବାଣିଜ୍ୟିକ ପରିବହନ ବିଲ୍, 2024

ଫାଇନାନ୍ସ ବିଲ୍, ୨୦୨୫

ଏୟାରକ୍ରାଫ୍ଟ ଅବଜେକ୍ଟରେ ସ୍ୱାର୍ଥ ସୁରକ୍ଷା ବିଲ୍, ୨୦୨୫

“ତ୍ରିଭୁବନ” ସମବାୟ ବିଶ୍ୱବିଦ୍ୟାଳୟ ବିଲ୍, ୨୦୨୫

ଅପ୍ରବାସନ ଓ ବିଦେଶୀ ନାଗରିକ ବିଲ୍, ୨୦୨୫

ଖ. ଆର୍ଥିକ ପ୍ରସଙ୍ଗ

୧. ୨୦୨୫-୨୬ ବର୍ଷ ପାଇଁ ଅନୁଦାନ ଦାବି ଉପରେ ଆଲୋଚନା ଓ ମତଦାନ ଏବଂ ସମ୍ପୃକ୍ତ ବିନିଯୋଗ ବିଲ୍ ଉପସ୍ଥାପନ, ବିଚାର ଓ ଗୃହୀତ/ପ୍ରତ୍ୟାଖ୍ୟାନ।

୨. ୨୦୨୪-୨୫ ବର୍ଷ ପାଇଁ ଅନୁଦାନ ଦାବିର ଦ୍ବିତୀୟ ତଥା ଅନ୍ତିମ ପର୍ଯ୍ୟାୟ ଉପରେ ଆଲୋଚନା ଓ ମତଦାନ ଏବଂ ସମ୍ପୃକ୍ତ ବିନିଯୋଗ ବିଲ୍ ଉପସ୍ଥାପନ, ବିଚାର ଓ ଗୃହୀତ /ପ୍ରତ୍ୟାଖ୍ୟାନ।

୩. ୨୦୨୧-୨୨ ବର୍ଷ ପାଇଁ ଅତିରିକ୍ତ ଅନୁଦାନ ଦାବି ଉପରେ ଆଲୋଚନା ଓ ମତଦାନ ଏବଂ ସମ୍ପୃକ୍ତ ବିନିଯୋଗ ବିଲ୍ ଉପସ୍ଥାପନ, ବିଚାର ଓ ଗୃହୀତ /ପ୍ରତ୍ୟାଖ୍ୟାନ।