Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଜିଲ୍ଲା ସଂସ୍କୃତି ଅଧିକାରୀମାନଙ୍କ ଦୁଇଦିନିଆ କର୍ମଶାଳା ତଥା ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

ଭୁବନେଶ୍ୱର: ଭୁବନେଶ୍ୱର ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଜିଲ୍ଲା ସଂସ୍କୃତି ଅଧିକାରୀମାନଙ୍କ ଦୁଇଦିନିଆ କର୍ମଶାଳା ତଥା ପ୍ରଶିକ୍ଷଣ ଶିବିର ଆଜି ଉଦ୍‌ଯାପିତ ହୋଇଯାଇଛି। ଏହି କର୍ମଶାଳାରେ ଜିଲ୍ଲାସ୍ତରରେ କାର୍ଯ୍ୟକାରୀ ହେଉଥିବା ବିଭାଗୀୟ ବିବିଧ କାର୍ଯ୍ୟକ୍ରମ ଯଥା: ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା, ବାଲେଶ୍ୱର ଶଙ୍ଖାରୀସ୍ଥିତ ପଦ୍ମଭୂଷଣ ମନୋଜ ଦାସ ସ୍ମାରକୀ ପ୍ରକଳ୍ପ, ଭଦ୍ରକ ଗରଦପୁରସ୍ଥିତ ଗାନ୍ଧୀ ଓଡ଼ିଶା ବାଳାଶ୍ରମ, କଟକର ଉତ୍କଳ ଗାନ୍ଧୀ ସ୍ମାରକନିଧି, ଖୋଦ୍ଧା କେନ୍ଦୁଲୀସ୍ଥିତ ଶ୍ରୀଜୟଦେବ ପୀଠ, ପୁରୀ ଜିଲ୍ଲା ସୁଆଣ୍ଡୋରେ ଉତ୍କଳମଣି ଗୋପବନ୍ଧୁ ଦାସ ସ୍ମାରକୀ ପ୍ରକଳ୍ପ, ଜିଲ୍ଲା ପାଠାଗାର ତଥା ଅନ୍ୟାନ୍ୟ ବିଭାଗୀୟ ପାଠାଗାର ପରିଚାଳନା, ଜିଲ୍ଲା ସଂସ୍କୃତି ପରିଷଦ/ ତଥା ଜିଲ୍ଲା ସାଂସ୍କୃତିକ ପାଣ୍ଠି ବିନିଯୋଗ, ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିଗୁଡ଼ିକର ରକ୍ଷଣାବେକ୍ଷଣ, ଆଦର୍ଶ ବରପୁତ୍ର ଗ୍ରାମ, ଓଡ଼ିଶାର ଐତିହ୍ୟ କୀର୍ତ୍ତିରାଜିର ସଂରକ୍ଷଣ, ବିଭାଗ ଅଧିନରେ ପରିଚାଳିତ ରାଜ୍ୟ ଏକାଡେମୀଙ୍କ ପକ୍ଷରୁ ଆୟୋଜିତ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ତଥା ସାଂସ୍କୃତିକ ଦଳ ପରିଚାଳନା ବ୍ୟବସ୍ଥା ସଂପର୍କରେ ଆଲୋଚନା କରାଯାଇଥିଲା।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଏହି କର୍ମଶାଳାରେ ଯୋଗଦେଇ ନିଜ ସଂସ୍କୃତିକୁ ଭଲପାଇବା ସହ ତାହାକୁ ବିଶ୍ୱସ୍ତରରେ ପ୍ରତିଷ୍ଠିତ କରିବା ଦିଗରେ ପ୍ରୟାସ ଜାରି ରଖିବାକୁ ପରାମର୍ଶ ଦେଇଥିଲେ। ବିଭାଗୀୟ ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାଏ ବିଭାଗର କାର୍ଯ୍ୟକୁ ନିଷ୍ଠାର ସହ ସଫଳ ଭାବରେ କାର୍ଯ୍ୟକାରୀ କରିବାକୁ ସମସ୍ତ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ।

ବିଭାଗର ଅତିରିକ୍ତ ଶାସନ ସଚିବ ମଧୁସୂଦନ ଦାଶ, ରାଜ୍ୟ ସଂଗ୍ରହାଳୟ ନିର୍ଦ୍ଦେଶିକା ଆରତୀ ସାହୁ, ଯୁଗ୍ମ ନିର୍ଦ୍ଦେଶକ ସୁବୋଧ ଆଚାର୍ଯ୍ୟ, ଅର୍ଥ ପରାମର୍ଶଦାତା ତଥା ଉପଶାସନ ସଚିବ ପଦ୍ମଜ୍ୟୋତି ସାହୁ, ଉପନିର୍ଦ୍ଦେଶକ ଦେବାନନ୍ଦ ବରିହା, ଏକାଡେମୀର ସଚିବ, ରାଜ୍ୟ ପ୍ରନିତତ୍ତ୍ୱ ସଂସ୍ଥାର ଅଧୀକ୍ଷକ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଏହି ଦୁଇଦିନିଆ କର୍ମଶାଳାରେ ଯୋଗଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ଜିଲ୍ଲାସ୍ତରୀୟ ପୋଷଣ ମାସ ସମାରୋହ

ଖୋର୍ଦ୍ଧା: ଆଜି ଜିଲ୍ଲା ସଂସ୍କୃତି ଭବନ ସମ୍ମିଳନୀ କକ୍ଷ ପରିସରରେ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ ପଂଚମ ରାଷ୍ଟ୍ରିୟ ପୋଷଣ ମାସ ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହରେ ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଅଧ୍ୟକ୍ଷତା କରିଥିଲେ।

ସମାରୋହର ପ୍ରାରମ୍ଭରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ପୁଷ୍ପାଞ୍ଜଳୀ ମିଶ୍ର ସ୍ୱାଗତ ଭାଷଣ ସହ ପୋଷଣ ମାସ ପାଳନର ଲକ୍ଷ୍ୟ ଓ ଉଦେ୍ଦଶ୍ୟ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ। ଜିଲ୍ଲାପାଳ ସମାରୋହରେ ଉପସ୍ଥିତଥିବା ସମସ୍ତ କ୍ଷେତ୍ର ଅଧିକାରୀମାନଙ୍କୁ ନିସ୍ୱାର୍ଥପର ସେବା ମାଧ୍ୟମରେ ନିଜ ଅଂଚଳର କୁପୋଷଣ କୁ ରୋକିବାରେ କର୍ତବ୍ୟ ପରାୟଣ ହେଲେ ଏହି ସମାରୋହ ପାଳନର ଯର୍ଥାର୍ଥତା ରହିପାରିବ ବୋଲି ମତବ୍ୟକ୍ତ କରିଥିଲେ।

ସମାରୋହରେ ଉପସ୍ଥିତ ଥିବା ଉଦ୍ୟାନ କୃଷି ସହକାରୀ ନିଦେ୍ର୍ଦଶକ ସ୍ମିତା ମହାନ୍ତି, ଜିଲ୍ଲା ଯୋଗାଣ ଅଧିକାରୀ ସୁଗୁଦା ମୁର୍ମୁ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବାଣିଶ୍ରୀ ପଟ୍ଟନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜ୍ୱୋସ୍ନାମୟୀ ଆଚାର୍ଯ୍ୟ ପ୍ରମୁଖ ଶିଶୁମାନଙ୍କ ମଧ୍ୟରେ କୁପୋଷଣ ଦୂରୀକରଣ ସମ୍ପର୍କରେ ନିଜ ନିଜର ବକ୍ତବ୍ୟମାନ ରଖିଥିଲେ। ଜିଲ୍ଲାର ସମସ୍ତ ଶିଶୁ ବିକାଶ ପ୍ରକଳ୍ପ ଦ୍ୱାରା କୁପୋଷଣ ନିରାକରଣ ଲାଗି ଏକ ଖାଦ୍ୟ ପ୍ରଦର୍ଶନୀ କରାଯାଇଥିଲା। ଯାହାକୁ ଅତିଥିମାନେ ବୁଲି ଦେଖିବା ସହ ପ୍ରଦର୍ଶିତ ଖାଦ୍ୟର ପୃଷ୍ଟି ସମ୍ବନ୍ଧୀୟ ତଥ୍ୟ ପଚାରି ବୁଝିଥିଲେ।

କୁପୋଷଣ ନିରାକରଣରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଅଙ୍ଗୱାଡି କର୍ମୀ, ଆଶା କର୍ମୀ, ମହିଳା ସ୍ୱାସ୍ଥ୍ୟ କର୍ମୀ, ମହିଳା ପରିଦର୍ଶିକାଙ୍କୁ ପ୍ରଶଂସା ପତ୍ର ସହ ସମ୍ମାନିତ କରାଯାଇଥିଲା। କୁପୋଷଣ ଦୂରୀକରଣ ର ବିଭିନ୍ନ ମାଧ୍ୟମ ତଥା କୌଶଳ ସମ୍ପର୍କରେ ଉପସ୍ଥିତ ଶିଶୁ ରୋଗ ବିଶେଷଜ୍ଞ ଡିଆଇସି ଖୋର୍ଦ୍ଧା ର ଡା. ହେମନ୍ତ କୁମାର ମିଶ୍ର ନିଜର ମତ ରଖିଥିଲେ। ସୁସ୍ଥ ଶିଶୁମାନଙ୍କ ମାଆଙ୍କୁ ପୁରସ୍କାର ସହ ପୋଷଣ ଯୋଗାଉଥିବା ବୃକ୍ଷ ଯଥା ଅମୃତଭଣ୍ଡା, ସଜନା ଓ ଲେମ୍ବୁ ଗଛ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ପ୍ରଦାନ କରାଯାଇଥିଲା।

ସର୍ବଶେଷରେ ଖୋର୍ଦ୍ଧା ଜିଲ୍ଲା ଯୋଜନା ଅଧିକାରୀ(ଆଇସିଡିଏସ) ଶିଖାରାଣୀ ପୋଦ୍ଦାର ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମ କୁ ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ (ମମତା ଯୋଜନା) ସୁରଥ ଚନ୍ଦ୍ର ବିଶ୍ୱାଳ, ଜିଲ୍ଲା ଯୋଜନା ସହାୟକ (ମମତା ଯୋଜନା) ଲକି ପ୍ରସାଦ ବଳିୟାରସିଂହ, ପୂର୍ଣ୍ଣଚନ୍ଦ୍ର ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ। ଏଥିରେ ଜିଲ୍ଲାର ସମସ୍ତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ସହଯୋଗ କରିଥିଲେ।