ସୀତରାମ ଅଗ୍ରଓ୍ବାଲ
ବାଣପୁର: ଆଜି ସକାଳେ ବାଣପୁର ବ୍ଳକ ଛକରେ ହଠାତ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗତ ରାତିରେ ବିଦେଶରୁ ଆସି ସଙ୍ଗରୋଧରେ ଥିବା ଏକ ମଦ୍ୟପ ଯୁବକ ଭୋରରୁ ସଙ୍ଗରୋଧ କେନ୍ଦ୍ରରୁ ଫେରାର ହୋଇ ବାଣପୁର ତହସିଲ କାର୍ଯ୍ୟାଳୟ ସାମନାରେ ବୁଲୁଥିବାବେଳେ ଗ୍ରାମବାସୀ ଓ ପୋଲିସ ତାଙ୍କୁ ପୁଣିଥରେ ଜବରଦସ୍ତି ନେଇ ସଙ୍ଗରୋଧ କେନ୍ଦ୍ରରେ ରଖିଛନ୍ତି।
ମିଳିଥିବା ସୂଚନା ଅନୁସାରେ ଭୀମପୁର ଗ୍ରାମର ଜଣେ ବ୍ୟକ୍ତି ଗତକାଲି ବିଦେଶରୁ ଆସି ଗାଲୁଆ ପଞ୍ଚାୟତର ସଙ୍ଗରୋଧ କେନ୍ଦ୍ରରେ ରାତି ୨ଟାରେ ପହଞ୍ଚିଥିଲେ। କିନ୍ତୁ ଆସିବା ସମୟରେ ସେ ଅତ୍ୟଧିକ ମଦ୍ୟପାନ କରିଥିବାବେଳେ ଅନ୍ୟ ଅନ୍ତେବାସୀମାନେ ବିରକ୍ତ ହୋଇଥିଲେ। କିନ୍ତୁ ସକାଳୁ ସେ ପଛପାଖ ବାଡ ଡେଇଁ ଫେରାର ହୋଇ ବାଣପୁର ତହସିଲ ପାଖେ ବୁଲୁଥିବାବେଳେ ଗ୍ରାମବାସୀମାନେ ପୋଲିସକୁ ଖବର ଦେବାରେ ପୋଲିସ ଆସି ଯୁବକକୁ ନେଇ ସେହି ସଙ୍ଗରୋଧ କେନ୍ଦ୍ରରେ ଛାଡିଥିଲେ।
ଆଶ୍ଚର୍ଯ୍ୟର କଥା ଏହାର କିଛି ସମୟପରେ ପୁଣି ଉକ୍ତ ଯୁବକ ସଙ୍ଗରୋଧ କେନ୍ଦ୍ର ବାଡ଼ ଡେଇଁ ବଡହନ୍ତୁଆଡ଼ ଛକ ଦେଇ ବାଣପୁର କୋର୍ଟ ପରିସରରେ ଲୁଚିଥିଲେ। ସମ୍ପୃକ୍ତ ଯୁବକ ଜଣକ ତାଙ୍କ ସହ ମାରପିଟ ହେଇଥିବାର ଅଭିଯୋଗ କରିଥିଲେ ଏବଂ ସକାଳୁ ମଦ୍ୟପାନ କରିଥିବାର ସ୍ୱୀକାର କରିଥିଲେ। ଏହି ଘଟଣା ପରେ ସଙ୍ଗରୋଧ କେନ୍ଦ୍ରର ସୁରକ୍ଷାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଅପରପକ୍ଷରେ ବାଣପୁରର ଜଣେ କଏଦୀ ପଜିଟିଭ୍ ଚିହ୍ନଟ ହେବା ପରେ ଆଜି ଅଗ୍ନିଶମ ବିଭାଗ ଦ୍ୱାରା ବାଣପୁର କୋର୍ଟ ପରିସର ଏବଂ ସବ ରେଜିଷ୍ଟ୍ରି ଅଫିସକୁ ବିଶୋଧନ କରାଯାଇଛି।