Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କରୋନାକୁ ନେଇ ରାଜ୍ୟବାସୀଙ୍କୁ ପରାମର୍ଶ ଦେଲେ ଆରଏମଆରସି ନିର୍ଦ୍ଦେଶିକା ସଙ୍ଘମିତ୍ରା

ଭୁବନେଶ୍ବର: ଆରଏମଆରସି ନିର୍ଦ୍ଦେଶିକା ସଙ୍ଘମିତ୍ରା ପତି କରୋନାକୁ ନେଇ ରାଜ୍ୟବାସୀଙ୍କୁ କିଛି ପରାମର୍ଶ ଦେଇଛନ୍ତି। ଯେଉଁ ଆକ୍ରାନ୍ତ ମାସେ ପୂର୍ବରୁ କରୋନାରୁ ସୁସ୍ଥ ହୋଇଥିବେ, ସେ ତିନିମାସ ପରେ କରୋନା ଟୀକା ନେଇପାରିବେ। ଆବଶ୍ୟକସ୍ଥଳେ ୬ ସପ୍ତାହ ପରେ ମଧ୍ୟ ଟୀକା ନେଇପାରିବେ।

ଟୀକା ନେବା ପରେ କିମ୍ବା ସୁସ୍ଥ ହୋଇ ଫେରିଥିଲେ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୁରତ୍ଵ ରଖିବା ଜରୁରୀ। କରୋନାର ଦ୍ଵିତୀୟ ଲହର ପୂର୍ବାପେକ୍ଷା ଅଧିକ ତୀବ୍ର ରହୁଛି। କୋଭିଡ଼ ନିୟମକୁ ମାନିବାରେ ଢିଲା ହେଲେ ସଂକ୍ରମିତ ହେବା ଆଶଙ୍କା ରହିଛି। ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ ତୁରନ୍ତ ଟେଷ୍ଟ କରାଇନିଅନ୍ତୁ ଏବଂ ହୋମ ଆଇସୋଲେସନରେ ରୁହନ୍ତୁ। ଘରେ ସମସ୍ତେ ପଜିଟିଭ ଥିଲେ ଏକାଠି ରହିପାରିବେ। କିନ୍ତୁ ସମସ୍ତେ ସାମାଜିକ ଦୁରତ୍ଵ ଏବଂ ମାସ୍କ ପିନ୍ଧିବା ଆବଶ୍ୟକ।

ଲକ୍ଷଣ ଦେଖା ଦେଲେ ୩ ରୁ ୫ ଦିନ ମଧ୍ୟରେ ଟେଷ୍ଟ କରାଇନିଅନ୍ତୁ। ଟେଷ୍ଟ ରିପୋର୍ଟ ନଆସିବା ଯାଏଁ ନିଜକୁ ଆଇସୋଲେସନରେ ରଖନ୍ତୁ। କରୋନା ଟୀକା ନେଇଥିବା ବ୍ୟକ୍ତି ଯଦି କୌଣସି ଆକ୍ରାନ୍ତଙ୍କ ମଧ୍ୟରେ ଆସନ୍ତି, ତେବେ ତୁରନ୍ତ ଟେଷ୍ଟ କରାଇନିଅନ୍ତୁ। ଆରଏମଆରସି ନିର୍ଦ୍ଦେଶିକା ସଂଘମିତ୍ରା ପତି ଏନେଇ ଲୋକଙ୍କୁ ପରାମର୍ଶ ଦେଇଛନ୍ତି।