Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଅଗ୍ନିପଥ ଯୋଜନାକୁ ମୋଦି ସରକାର ତୁରନ୍ତ ପ୍ରତ୍ୟାହାର କରନ୍ତୁ; କଂଗ୍ରେସ ରାଷ୍ଟ୍ରୀୟ ମୁଖପାତ୍ର ସାୱନ୍ତ

ଭୁବନେଶ୍ୱର: ଦେଶର ସେନାବାହିନିକୁ ଯୋଜନାବଦ୍ଧ ଭାବରେ ଦୁର୍ବଳ କରିବାର ମୋଦି ସରକାରଙ୍କ ପ୍ରଚେଷ୍ଟାକୁ କଦାପି ବରଦାସ୍ତ କରାଯିବ ନାହିଁ। ଦେଶର ସେନା ଓ ଯୁବବର୍ଗଙ୍କ ଭବିଷ୍ୟତକୁ ଅଗ୍ନିପଥ ଯୋଜନା ମାଧ୍ୟମରେ ଅନ୍ଧକାରଗର୍ଭକୁ ଠେଲି ଦେବାର ଅପଚେଷ୍ଟା ବିରୋଧରେ ଆଜି ପ୍ରଦେଶ କଂଗ୍ରେସ ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ଜାତୀୟ କଂଗ୍ରେସର ରାଷ୍ଟ୍ରୀୟ ମୁଖପାତ୍ର ସଚିନ ସାୱନ୍ତ, ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଓ ଗଣମାଧ୍ୟମ ବିଭାଗ ଆବାହକ ସତ୍ୟପ୍ରକାଶ ନାୟକଙ୍କ ଉପସ୍ଥିତିରେ କଠୋର ସମାଲୋଚନା କରିଥିଲେ।

ସେ କହିଥିଲେ ଯେ ଅଗ୍ନିପଥ ଯୋଜନା ଦେଶର ଯୁବବର୍ଗଙ୍କ ଭବିଷ୍ୟତ ପ୍ରତି ଧୋକା ଏବଂ ବିଶ୍ୱାସଘାତ ସଦୃଶ । ଭାରତଭଳି ଦେଶ ଆଜି ୫୦ ବର୍ଷର ରେକର୍ଡ ତୋଡ ଉତ୍କଟ ବେକାରୀ ସମସ୍ୟା ଦେଇ ଗତି କରୁଥିବା ବେଳେ, ସେନାବାହିନୀରେ ନିଯୁକ୍ତି ଅପେକ୍ଷାରେ ଥିବା ଏ ଦେଶର ଏକ କୋଟିରୁ ଉର୍ଦ୍ଧ୍ୱ ଯୁବକ ଆଜି ମୋଦି ସରକାରଙ୍କ ଅଗ୍ନିପଥ ଯୋଜନା ଯୋଗୁ ପ୍ରତାରିତ ଏବଂ ହତାଶ ହୋଇଛନ୍ତି।

ଅଗ୍ନିପଥ ଯୋଜନା ମାଧ୍ୟମରେ ୪ବର୍ଷିୟା ଠିକା ନିଯୁକ୍ତିରେ ଜଣେ ଯୁବକକୁ ତାର ଯୌବନ ଅବସ୍ଥାରେ ଚାକରିରୁ ଅବସର ନେଇ ପୂର୍ବତନ କର୍ମଚାରି ହେବାର ଅଦ୍‌ଭୁତ ପୂର୍ବ ଯୋଜନାକୁ ତୁରନ୍ତ ପ୍ରତ୍ୟାହାର କରାଯାଉ । ଆଜି ଦେଶର ସେନା କର୍ମଚାରୀଙ୍କର ହାରାହାରି ବୟସ ୩୦ବର୍ଷ ହୋଇଥିବା ବେଳେ ୪ ବର୍ଷ କାର୍ଯ୍ୟପରେ ଅବସର ନେବା କାହା ସ୍ୱାର୍ଥରେ ।

ସେନାରେ ଜଣେ ସ୍ଥାୟୀ କର୍ମଚାରୀ ଜୀବନଯାକ ମେଡିକାଲ, କ୍ୟାଂଟିନ, ପେନସନ ଭଳି ସୁବିଧା ପାଉଥିବା ବେଳେ ୪ ବର୍ଷିଆ ଅଗ୍ନିବୀର ଏ ସୁଯୋଗରୁ ବଂଚିତ ହୋଇଛନ୍ତି । କଂଗ୍ରେସ ପାଇଁ ଦେଶର ସେନାବାହିନୀରେ କାର୍ଯ୍ୟକରୁଥିବା ସୈନିକ ମାନଙ୍କର ଦରମା ଓ ପେନସନ ଆଦୌ ଦେଶର ରାଜକୋଷ ଉପରେ ବୋଝ ନୁହେଁ । ମୋଦି ସରକାରଙ୍କର, ସେନାବାହିନୀରେ ଖର୍ଚ୍ଚକାଟ କରିବାକୁ ଯାଇ ସ୍ଥାୟୀ ନିଯୁକ୍ତିକୁ ବନ୍ଦ କରିବାର ପ୍ରକ୍ରିୟାକୁ ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ଘୋର ବିରୋଧ କରାଯାଇଛି ।

ଦେଶର ସେନାବାହିନୀର ବଜେଟ ୧୭-୧୮ ମସିହାରେ ୧୭.୮% ଥିଲା ବେଳେ ୨୦-୨୧ ବେଳକୁ ୧୩.୦୨ ପ୍ରତିଶତକୁ ଖସିଆସିବା ମୋଦି ସରକାରଙ୍କର ଅପରିଣାମିଦର୍ଶି ନିଷ୍ପତି ଓ ସେନାବାହିନୀକୁ ଦୁର୍ବଳ କରିବାର ମାନସିକତାକୁ ପ୍ରତିଫଳିତ କରୁଛି । ଆସନ୍ତା କାଲି ସତ୍ୟାଗ୍ରହ ମାଧ୍ୟମରେ ଦେଶର ପ୍ରତ୍ୟେକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅଗ୍ନିପଥ ଯୋଜନା ବିରୋଧରେ କଂଗ୍ରେସ ପ୍ରଦର୍ଶନ କରିବ । ଅନ୍ୟମାନଙ୍କ ମଧ୍ୟରେ ସାମାଜିକ ଗଣମାଧ୍ୟମ ମୁଖ୍ୟ ଅଭିଷେକ ମହାନନ୍ଦ, ମୁଖପାତ୍ର ମନୋରଞ୍ଜନ ଦାଶ, ପ୍ରଶାନ୍ତ ଶତପଥି, ରଜନୀ ମହାନ୍ତି ଓ ସଂଯୋଜକ ଦୀପକ ମହାପାତ୍ର ଉପସ୍ଥିତ ଥିଲେ ।