Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଜୁଆ ନଖେଳିବା ପାଇଁ ଚାନ୍ଦପୁର ପୋଲିସର ଅଭିନଵ ଉପାୟ: ସଚେତନତା ବାର୍ତ୍ତା ମାଧ୍ୟମରେ ଦେଲା ଚେତାବନୀ

ନୟାଗଡ଼/ଚାନ୍ଦପୁର: ଜୁଆ ଖେଳନ୍ତୁ ନାହିଁ କି କାହାକୁ ଖେଳିବା ପାଇଁ ପ୍ରୋତ୍ସାହନ ଦିଅନ୍ତୁ ନାହିଁ। ଜୁଆ ଖେଳ ଦ୍ୱାରା ପରିବାର ସର୍ବସ୍ୱାନ୍ତ ହୋଇଯାଏ। ଯଦି କିଏ ଜୁଆ ଖେଳୁଛି ତେବେ ଆମକୁ ଖବର ଦିଅନ୍ତୁ।  ଏପରି କିଛି ସଚେତନତାର ବାର୍ତ୍ତା ଦେଉଥିବା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଚାନ୍ଦପୁର ଅଞ୍ଚଳରେ।

ଖୋଦ ଚାନ୍ଦପୁର ଆଇଆଇସି ରଶ୍ମିରଞ୍ଜନ ଦାସଙ୍କ ନେତୃତ୍ୱରେ ଚାନ୍ଦପୁର ଥାନା ଅଞ୍ଚଳରେ ଚାଲିଛି ଏପରି ପ୍ରଚାର। ପୋଲିସ କର୍ମଚାରୀ ମାନେ ହାତରେ ଡାକବାଜି ଯନ୍ତ୍ର ଧରି ବୁଲି ବୁଲି କରୁଛନ୍ତି ପ୍ରଚାର। ତେବେ ଆଗକୁ କୁମାର ପୂର୍ଣ୍ଣିମା ଥିବାବେଳେ ଚାନ୍ଦପୁର ଅଞ୍ଚଳରେ କେତେକ ଜୁଆଡ଼ି ସକ୍ରିୟ ହୋଇଉଠିଥିବାର ଖବର ପାଇଛି ପୋଲିସ। ତେଣୁ ଆଗୁଆ ପଦକ୍ଷେପ ସ୍ୱରୂପ ଚାନ୍ଦପୁର ପୋଲିସ ଆଜି ଏପରି ଏକ ଅଭିନଵ ଉପାୟ ହାତକୁ ନେଇଛି।

ଡାକବାଜି ଯନ୍ତ୍ର ଦ୍ୱାରା ଚାନ୍ଦପୁର ଅଞ୍ଚଳରେ ସଚେତନତା ପ୍ରଚାର ଅଭିଯାନକୁ ବ୍ୟାପକ କରିଛନ୍ତି ଆଇଆଇସି। ଜୁଆ ଖେଳ ଠୁ ଦୁରେଇ ରୁହନ୍ତୁ ଏବଂ ଯଦି କେଉଁ ବ୍ୟକ୍ତି ଜୁଆ ଖେଳେ କିମ୍ବା ଖେଳିବା ପାଇଁ ଅନ୍ୟମାନଙ୍କୁ ପ୍ରୋତ୍ସାହନ ଦିଅନ୍ତି, ତେବେ ତୁରନ୍ତ ଉକ୍ତ ସୂଚନା ଚାନ୍ଦପୁର ଥାନାରେ ଦେବାକୁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତ ଆଇଆଇସି ଶ୍ରୀ ଦାସ।

ସେହିପରି ଭାବେ ଯଦି କୌଣସି ବ୍ୟକ୍ତି ଜୁଆ ଖେଳୁଥିବା ବେଳେ ଧରାପଡନ୍ତି, ତେବେ ତାଙ୍କ ଉପରେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଇଆଇସି କହିଛନ୍ତି।

ସୂଚନା ଥାଉକି ଚାନ୍ଦପୁର ଅଞ୍ଚଳକୁ ଜୁଆ ମୁକ୍ତ କରିବା ପାଇଁ ଗତ ବର୍ଷରୁ ପ୍ରୟାସ ଜାରି ରଖିଛନ୍ତି ଆଇଆଇସି ଶ୍ରୀ ଦାସ। ଏହି ପରିପ୍ରେକ୍ଷୀରେ ଗତ ବର୍ଷ କୁମାର ପୂର୍ଣ୍ଣିମାରେ ୧୫ ଜଣ ଜୁଆଡ଼ିଙ୍କୁ ଚାନ୍ଦପୁର ପୋଲିସ ଗିରଫ ମଧ୍ୟ କରିଥିଲା। ତେବେ ଚାନ୍ଦପୁର ପୋଲିସର ଉକ୍ତ ଆଗୁଆ ପଦକ୍ଷେପକୁ ଅଞ୍ଚଳ ବାସି ସ୍ବାଗତ କରିବା ସହ ଭୁୟସୀ ପ୍ରଶଂସା କରିଛନ୍ତି।