Categories
ଆଜିର ଖବର ରାଜ୍ୟ ଖବର

ସାଇକେଲ୍‌ରେ ୬୦ କି.ମି. ଯାତ୍ରା କରି ଲୋକଙ୍କୁ ଆତ୍ମହତ୍ୟା ବିରୋଧୀ ସଚେତନତା କଲେ ସମ୍ ଡାକ୍ତର

ଭୁବନେଶ୍ୱର: ଆତ୍ମହତ୍ୟା ଏକ ଅନାବଶ୍ୟକ ଚିନ୍ତା। ଜୀବନର ମୂଲ୍ୟ ବୁଝିବାକୁ ଅସମର୍ଥ ହୋଇ କେହି କେହି ଏପ୍ରକାର ଭୁଲ୍ ନିଷ୍ପତ୍ତି ନିଅନ୍ତି। ମାତ୍ର ସମାଜ ଆତ୍ମହତ୍ୟାକୁ ପ୍ରତିରୋଧ କରେ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ପ୍ରତିବର୍ଷ ସେପ୍ଟେମ୍ବର ୧୦ ତାରିଖକୁ ବିଶ୍ୱ ଆତ୍ମହତ୍ୟା ନିବାରଣ ଦିବସ ଭାବେ ପାଳନ କରାଯାଏ।

ଆତ୍ମହତ୍ୟାରେ ମାନସିକ ଚାପର ଏକ ପ୍ରମୁଖ ଭୂମିକା ରହିଛି। ସଂପ୍ରତି କୋଭିଡ୍‌-୧୯ର ବିଭୀଷିକା ଆତ୍ମହତ୍ୟାର ଏକ କାରଣ ପାଲଟିଛି। ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଘରେ ରହିବା, ଚାକିରୀ ହରାଇବା, ବ୍ୟବସାୟରେ କ୍ଷତି ସହ୍ୟ କରିବା, ସାଙ୍ଗ ସାଥୀଙ୍କ ଠାରୁ ଦୂରରେ ରହିବା, ପାରିବାରିକ ମତାନ୍ତର ଓ କଳହ ଇତ୍ୟାଦି କାରଣରୁ ସମସ୍ତେ ମାନସିକ ଚାପ ମଧ୍ୟରେ ରହୁଛନ୍ତି।

ଏହି ଦିବସ ଅବସରରେ ଭୁବନେଶ୍ୱରର ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ ମେଡିକାଲ୍ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ର ଅଭିଜ୍ଞ ଡାକ୍ତର ମାନେ ଭୁବନେଶ୍ୱରରୁ କୋର୍ଣାକ ପର୍ଯ୍ୟନ୍ତ ଏକ ସାଇକେଲ୍ ରାଲି ରେ ଯାତ୍ରାକରି ଆତ୍ମହତ୍ୟା ବିରୁଦ୍ଧରେ ସଚେତନତା ସୃଷ୍ଟି କରିଛନ୍ତି।

ମାନସିକ ରୋଗ ବିଭାଗର ପ୍ରଫେସର ଡାକ୍ତର ଶୁଭେନ୍ଦୁ ନାରାୟଣ ମିଶ୍ରଙ୍କ ନେତୃତ୍ୱରେ ଡଃ. ଜିମି ନାରାୟଣ (ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି ବିଭାଗ ) ଓ ଡଃ. ବୁଲୁ ନାହାକ (ଇଏନଟି୍ ବିଭାଗ) ସାଇକେଲ୍‌ରେ ୬୦ କି.ମି. ଯାତ୍ରାକରି ଲୋକମାନଙ୍କୁ ଆତ୍ମହତ୍ୟା ବିରୁଦ୍ଧରେ ସଚେତନ କରାଇଥିଲେ।