Categories
ବିଶେଷ ଖବର ରାଜ୍ୟ ଖବର

ସାମ୍ବାଦିକମାନେ ରାଜନୀତି କରିବା ପାଇଁ ଓଡିଶାର କେଉଁ ଦଳ ସୁରକ୍ଷିତ ??

ଭୁବନେଶ୍ବର: ବରିଷ୍ଠ ସାମ୍ବାଦିକରୁ ରାଜନେତା ପାଲଟିଥିବା ସତ୍ୟ ପ୍ରକାଶ ନାୟକ ନିକଟରେ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ସେ ଦୀର୍ଘ ବର୍ଷ ଧରି କଂଗ୍ରେସରେ ରହି ନିଜର ରାଜନୈତିକ ଭବିଷ୍ୟତ ସୁଦୃଢ କରିବା ପାଇଁ ଆଶା କରିଥିଲେ। ହେଲେ ସତ୍ୟ ପ୍ରକାଶ ସେହି ଦଳରେ ବେଶୀ ଦିନ ତିଷ୍ଠି ରହି ପାରିଲେ ନାହିଁ। କଂଗ୍ରେସ ଦଳ ପ୍ରତି ଅସନ୍ତୁଷ୍ଠ ହୋଇ ଇସ୍ତଫା ଦେଲେ।

କେବଳ ସତ୍ୟ ପ୍ରକାଶ ନୁହଁନ୍ତି ତାଙ୍କ ପୂର୍ବରୁ ସେହିପରି ଆଉ ଦୁଇ ଜଣ ପ୍ରମୁଖ ସାମ୍ବାଦିକ କଂଗ୍ରେସ ଦଳରେ ନିଜର ଭାଗ୍ୟ ଭବିଷ୍ୟତ ଗଢି ପାରିଲେ ନାହିଁ। ସେହି ଦୁଇ ଜଣ ହେଲେ ବର୍ତ୍ତମାନର ଭୁବନେଶ୍ବର ମେୟର ସୁଲୋଚନା ଦାସ ଏବଂ ବର୍ତ୍ତମାନ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ। ସତ୍ୟ ପ୍ରକାଶଙ୍କ ପୂର୍ବରୁ ଏହି ଦୁଇ ଜଣ ସାମ୍ବାଦିକତା ଛାଡି କଂଗ୍ରେସରେ ଯୋଗ ଦେଇଥିଲେ। ହେଲେ ପରବର୍ତ୍ତି ସମୟରେ ସେମାନେ ମଧ୍ୟ ଦଳ ଛାଡିବାକୁ ବାଧ୍ୟ ହୋଇଥିଲେ।

ମାନସ ଏବଂ ସୁଲୋଚନାଙ୍କୁ କଂଗ୍ରେସ ବିଭିନ୍ନ ପଦପଦବୀରେ ରଖି ବ୍ୟବହାର କରିଥିଲା। ହେଲେ ସେମାନେ ସେହି ଦଳ ଭିତର ନିଜର ରାଜନୀତିକ ଭବିଷ୍ୟତ ଦେଖିପାରିଲେ ନାହିଁ। ଏପରିକି ମାନସ ମଙ୍ଗରାଜ ଦୀର୍ଘ ବର୍ଷ ଧରି କଂଗ୍ରେସରୁ କଣଠୋସା ହୋଇ ରହିଥିଲେ। ହେଲେ ପରବର୍ତ୍ତି ସମୟରେ ଉଭୟ ବିଜେଡିରେ ଯୋଗ ଦେଇ ନିଜର ସ୍ଥିତି ସୁଦୃଢ କରିବାରେ ସକ୍ଷମ ହୋଇପାରିଲେ।

ଏଥିରୁ ସ୍ପଷ୍ଟ ଯେ, ସାମ୍ବାଦିକଙ୍କ ପାଇଁ କଂଗ୍ରେସ ଏକ ସୁରକ୍ଷିତ ଦଳ ନୁହେଁ। ପୂର୍ବରୁ ମଧ୍ୟ କେତେକ ସାମ୍ବାଦିକ ଏହି ଦଳରେ ଯୋଗ ଦେଇଥିଲେ ମଧ୍ୟ ପରବର୍ତ୍ତି ସମୟରେ ସେମାନେ ମଧ୍ୟ ଦୃଶ୍ୟପଟରୁ କୁଆଡେ ଉଭେଇ ଗଲେ। ଅବଶ୍ୟ ସେତେବେଳେ ରାଜ୍ୟରେ ବିଜେଡି ଗଠନ ହୋଇ ନ ଥିଲା। ହେଲେ ବିଜେଡି ଗଠନ ହେବା ପରେ ସାମ୍ବାଦିକଙ୍କ ପାଇଁ ରାଜନୀତି କରିବାରେ ଏକ ସୁବର୍ଣ୍ଣ ସୁଯୋଗ ତିଆରି ହେଲା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।

କାରଣ ଏକଦା ସାମ୍ବାଦିକ ବୃତ୍ତି ଛାଡି ବିଜେଡିରେ ଯୋଗ ଦେଇ ବିଧାୟକ ଏବଂ ପରେ ମନ୍ତ୍ରୀ ଭାବେ ନିଜର ରାଜନୈତିକ କ୍ୟାରିୟର ସୁଦୃଢ କରିପାରିଛନ୍ତି ଅଶୋକ ପଣ୍ଡା। ସେହିପରି ସାମ୍ବାଦିକ ଥିବା ଅତନୁ ସବ୍ୟସାଚୀ ନାୟକ ମଧ୍ୟ ସାମ୍ବାଦିକତା ବୃତ୍ତି ଛାଡି ବିଜେଡିରେ ଯୋଗ ଦେଇ ବର୍ତ୍ତମାନ ସେ ମନ୍ତ୍ରୀ ସହିତ ସାରା ଓଡିଶା ରାଜନୀତିରେ ନିଜର ପରିଚୟ ସୃଷ୍ଟି କରି ପାରିଛନ୍ତି।

ସେହପରି ସୌମ୍ୟ ରଂଜନ ପଟ୍ଟନାୟକ, ଭର୍ତ୍ତୁହରି ମହତାବ, ଅଚ୍ୟୁତ ସାମନ୍ତଙ୍କ ପରି ସମ୍ବାଦପତ୍ର ଶିଳ୍ପର ମାଲିକମାନେ ମଧ୍ୟ ବିଜେଡିରେ ନିଜର ସ୍ଥିତିକୁ ସୁଦୃଢ କରିପାରିଛନ୍ତି। ସେମାନେ ଦଳରେ ଯୋଗଦେବା ଦିନଠାରୁ ତାଙ୍କର ରାଜନୈତିକ ଜୀବନ ବେଶ ଉଜ୍ଜଳମୟ ହୋଇ ଉଠିଛି। ଏଥିସହିତ ସତ୍ୟଜିତ୍ ମିଶ୍ର, ସ୍ବଂୟପ୍ରକାଶ ମହାପାତ୍ର, ଗୌତମବୁଦ୍ଧ ଦାସ ପ୍ରମୁଖ ମଧ୍ୟ ବିଜେଡିରେ ନିଜର ସ୍ଥିତିକୁ ସଜାଡି ପାରିଛନ୍ତି।

ଏହା ନିଶ୍ଚିତ ଯେ, କଂଗ୍ରେସ ଦଳ ଓଡିଶାର ସାମ୍ବାଦିକଙ୍କ ପାଇଁ ଆଦୌ ସୁରକ୍ଷିତ ନୁହେଁ। ଅନ୍ୟପକ୍ଷରେ ବିଜେଡି ହେଉଛି ଏକମାତ୍ର ଦଳ ଯେଉଁଠାରେ ସାମ୍ବାଦିକମାନେ ନିଜର ରାଜନୈତିକ ଭବିଷ୍ୟତ ତିଆରି କରିବାରେ ସକ୍ଷମ ହୋଇ ପାରୁଛନ୍ତି। ଭିନ୍ନ ଭାବେ କହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମ୍ବାଦିକତାରୁ ରାଜନୀତିକୁ ଆସିଥିବା ବ୍ୟକ୍ତିବିଶେଷଙ୍କୁ ଗୁରୁତ୍ବ ଦେଉଛନ୍ତି। ଉଚ୍ଚ ପଦପଦବୀରେ ବସାଇ ପାରୁଛନ୍ତି।

ହେଲେ ଆଶ୍ଚର୍ଯ୍ୟର କଥା ହେଉଛି ଯେ, ଓଡିଶାର ଅନ୍ୟତମ ପ୍ରମୁଖ ଦଳ ବିଜେପି, ସାମ୍ବାଦିକଙ୍କ ରାଜନୀତି କରିବା ପାଇଁ ନା ସୁରକ୍ଷିତ କ୍ଷେତ୍ର ହୋଇପାରିଛି ନା ଅସୁରକ୍ଷିତ। କାହିଁକି କେଜାଣି ରାଜ୍ୟର ପ୍ରମୁଖ ସାମ୍ବାଦିକମାନେ ଏହି ଦଳରେ ନିଜର ରାଜନୈତିକ ଭବିଷ୍ୟତ ଗଢିବା ପାଇଁ ଆଗ୍ରହ ପ୍ରକାଶ କରୁ ନାହାଁନ୍ତି। ଫଳରେ ବିଜେପିରେ ସାମ୍ବାଦିକମାନଙ୍କ ଯୋଗଦାନ ସଂପୂର୍ଣ୍ଣ ନୈରାଶ ଜନକ ହୋଇପଡିଛି।

Categories
ବିଶେଷ ଖବର ରାଜ୍ୟ ଖବର

କଂଗ୍ରେସ ଛାଡିଲେ ସତ୍ୟ ପ୍ରକାଶ ନାୟକ, କହିଲେ ଏହି ସବୁ ବଡ କାରଣ

ଭୁବନେଶ୍ବର: ଆଜି କଂଗ୍ରେସ ନେତା ତଥା ମିଡିଆ ସେଲର ଅଧ୍ୟକ୍ଷ ଥିବା ସତ୍ୟ ପ୍ରକାଶ ନାୟକ ଆଜି ଦଳରୁ ଇସ୍ତଫା ଦେଇଛନ୍ତି। ସେ କିଛି ଦିନ ଧରି କଂଗ୍ରେସ କାର୍ଯ୍ୟ କଳାପ ଉପରେ ଅସନ୍ତୁଷ୍ଠ ଥିଲେ। ଆଜି ସେ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କୁ ଦୁଇ ପୃଷ୍ଟାର ଇସ୍ତଫା ପତ୍ର ପଠାଇଛନ୍ତି।

ସେ ଏହି ଇସ୍ତଫା ପତ୍ରରେ କଂଗ୍ରେସ ଛାଡିବାର କାରଣ କହିଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ ତାଙ୍କୁ ପିସିସି ସଦସ୍ୟ ତାଲିକାରୁ ବାଦ ଦିଆଯାଇଛି, ହେଲେ ସେ ନେଇ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ। ଏହା ଦଳର ସାମ୍ବିଧାନିକ କାର୍ଯ୍ୟ କଳାପ ନୁହେଁ ବୋଲି ସତ୍ୟପ୍ରକାଶ ଉଲ୍ଲେଖ କରିଛନ୍ତି। ଏହି ତାଲିକାରୁ ମୋତେ ବାଦ ଦେବା ଅର୍ଥ ମୋର କୌଣସି ଆବଶ୍ୟକତା ନାହିଁ ବୋଲି ମୁଁ ଅନୁଭବ କଲି ବୋଲି ସତ୍ୟ କହିଛନ୍ତି।

ସେହିପରି ସେ ଇସ୍ତଫା ପତ୍ରରେ କହିଛନ୍ତି ଯେ, କଂଗ୍ରେସ ନେତା ବିଜେଡି ବିରୋଧରେ କାର୍ଯ୍ୟ କରିବା ପାଇଁ କାହାର ଆଗ୍ରହ ନାହିଁ। ଅନ୍ୟପକ୍ଷରେ ଦଳ, ଆଦିବାସୀ, ଦଳିତ, ଚାଷୀ, ମହିଳାଙ୍କ ପ୍ରସଂଗ ଉପରେ କୌଣସି ଗୁରୁତ୍ବ ଦେଉ ନାହିଁ। ଫଳରେ ଓଡିଶାରେ କଂଗ୍ରେସ ସହିତ କେଉଁମାନେ ଅଛନ୍ତି ବୋଲି ପ୍ରଶ୍ନ କଲେ ତାହାର ଉତ୍ତର ଆସୁଛି କେହି ନାହିଁ।

ଦଳର ସେମିତି କୌଣସି ନିର୍ଦ୍ଧିଷ୍ଠ ପ୍ରସଂଗ ଉପରେ କାର‌୍ୟ୍ୟ କରୁ ନାହିଁ। ବିଭିନ୍ନ ସମୟରେ ଦଳର ନେତାମାନେ କେବଳ ଉପର ଠଉଣିଆ ଭାବେ କିଛି କଥା କହୁଛନ୍ତି। ହେଲେ ଏହାପରେ ଏହି ପ୍ରଂସଗର କୌଣସି ଗୁରୁତ୍ବ ରଖୁ ନାହିଁ।

୨୦୨୪ ନିର୍ବାଚନ ପାଇଁ ଯେଉଁ ନାରା ଦିଆଯାଇଛି ୯ ରୁ ୯୦ ତାହା କେବଳ ଲୋକ ଦେଖାଣିଆ ବା ଏକ ଭଲ ସ୍ଲୋଗାନ ଛଡା ଆଉ କିଛି ନୁହେଁ ବୋଲି ସତ୍ୟ ଉଲ୍ଲେଖ କରିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ଦିବ୍ୟଶଙ୍କରଙ୍କ ପାଇଁ ଗୋବିନ୍ଦଙ୍କ ଅନୁଷ୍ଠାନକୁ ମିଳୁଥିଲା କୋଟି କୋଟି ଟଙ୍କାର ସରକାରୀ ସହାୟତା; କଂଗ୍ରେସ

ଭୁବନେଶ୍ୱର: ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିକୁ ଜୋରଦାର କରିଛି ପ୍ରଦେଶ କଂଗ୍ରେସ। ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ସହ ଦିବ୍ୟ ଶଙ୍କର ମିଶ୍ରଙ୍କ ସହ ବିଜେଡ଼ି ସରକାରର ବହୁ ନେତା ଓ ଅଧିକାରୀଙ୍କ ବିବାଦୀୟ ସଂପର୍କରେ ତଥ୍ୟ ପ୍ରମାଣ କଂଗ୍ରେସ ଗଣମାଧ୍ୟମ ସାମନାରେ ରଖିଛି।

ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ସତ୍ୟ ପ୍ରକାଶ ନାୟକ ଲକ୍ଷାଧିକ ଟଙ୍କାର ସରକାରୀ ଅର୍ଥ କିଭଳି ଗୋବିନ୍ଦ ସାହୁଙ୍କ ଘରୋଇ ଶିକ୍ଷାନୁଷ୍ଠାନରେ ଅପବ୍ୟୟ ହେଉଥିଲା ତାହାର ହିସାବ ରଖିଛନ୍ତି। ସିଏଜିଙ୍କ ରିପୋର୍ଟ ଅନୁଯାୟୀ ଲକ୍ଷାଧିକ ଟଙ୍କାର ସରକାରୀ ଅର୍ଥ ଯାହାକି ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ବିନିଯୋଗ ହେବା କଥା, ସେ ଅର୍ଥକୁ ବାଟମାରଣା କରାଯାଇ ଗୋବିନ୍ଦ ସାହୁର ଘରୋଇ ଶିକ୍ଷାନୁଷ୍ଠାନରେ ଖର୍ଚ୍ଚ କରାଯାଇଛି।

ପଂଚାୟତ ରାଜ ବିଭାଗର ଏଭଳି ବେଆଇନ ନିଷ୍ପତି ଉପରେ ଘୋର ଆପତି ମଧ୍ୟ ଉଠାଇଛନ୍ତି ସି.ଏ.ଜି। ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାର ଅର୍ଥକୁ ମହାଲିଙ୍ଗ ଘରୋଇ କଲେଜର ଲେଡିଜ ହଷ୍ଟେଲର ଲନ୍ ତିଆରି କରିବାର ଖର୍ଚ୍ଚ କରାଯାଉଥିଲା କିଭଳି ବୋଲି ଶ୍ରୀ ନାୟକ ପ୍ରଶ୍ନ କରିଛନ୍ତି।

କେବଳ ପଂଚାୟତ ରାଜ ବିଭାଗ ଅର୍ଥ ନୁହେଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର କୋଟି କୋଟି ଟଙ୍କା ମଧ୍ୟ ଗୋବିନ୍ଦ ସାହୁର ଘରୋଇ ଶିକ୍ଷାନୁଷ୍ଠାନରେ କିଭଳି ଖର୍ଚ୍ଚ ହେଉଥିଲା? ଏହା ପଛରେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କର ସୁପାରିଶ ହିଁ ମୂଳ କାରଣ ବୋଲି ଅଭିଯୋଗ କରିଛନ୍ତି ସତ୍ୟ ପ୍ରକାଶ ନାୟକ।

୨୦୧୩ ମସିହାରେ +୨ ପରିକ୍ଷାରେ କେମେଷ୍ଟ୍ରି ପେପରର ପ୍ରଶ୍ନପତ୍ର ଲିକ୍‌ରେ କେନ୍ଦ୍ରସ୍ଥଳ ଥିଲା। ଗୋବିନ୍ଦ ସାହୁଙ୍କ ମହାଲିଙ୍ଗ ଆଂଚଳିକ ମହାବିଦ୍ୟାଳୟ ସେତେବେଳେ ଏହାର ତଦନ୍ତ ଭାର କ୍ରାଇମବ୍ରାଂଚକୁ ଦିଆଯାଇଥିଲା । କିନ୍ତୁ ତଦନ୍ତ କ’ଣ ହେଲା ଓ କ’ଣ କାର୍ଯ୍ୟାନୁଷ୍ଠାନ ନିଆଗଲା ତାହା ଆଜି ଯାଏ କେହି ଜାଣିପାରିଲେନି। ଗୋଟି ଦାଗୀ ଅନୁଷ୍ଠାନ ଓ ଦାଗୀ ବ୍ୟକ୍ତିଙ୍କୁ ନବୀନବାବୁଙ୍କ ସରକାରରେ ଏତେ ଅନୁକମ୍ପା ଓ ସହାୟତା କ’ଣ ପାଇଁ ଦିଆଯାଉଥିଲା ବୋଲି ପ୍ରଶ୍ନ କରିଛନ୍ତି ସତ୍ୟ ନାୟକ।

ଦିବ୍ୟ ଶଙ୍କର ମିଶ୍ରଙ୍କ ଫୋନ୍‌ର କଲ ରେକର୍ଡ ସାର୍ବଜନୀନ କଲେ ଗୋବିନ୍ଦ ସାହୁଙ୍କୁ ସୁରକ୍ଷା ଦେବାପାଇଁ ମନ୍ତ୍ରୀ ନିଜର ପଦ ଓ ଗାରିମାର ଅପବ୍ୟବହାର କରିଛନ୍ତି ତାହା ସ୍ପଷ୍ଟ ହୋଇଯିବ। ତେଣୁ ତୁରନ୍ତ ଦିବ୍ୟଶଙ୍କରଙ୍କୁ ନବୀନବାବୁ ମନ୍ତ୍ରୀ ମଣ୍ଡଳରୁ ବହିସ୍କାର କରନ୍ତୁ ବୋଲି ସତ୍ୟ ନାୟକ ଦାବି କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ତଥା ମୁଖପାତ୍ର ମନୋରଞ୍ଜନ ଦାଶ ଏବଂ ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ।