Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର ସ୍ବାସ୍ଥ୍ୟ

କରୋନାର ସଂକ୍ରମଣକୁ ଦେଖି ଆଇଏନ୍‌ଏସ୍ ଚିଲିକାରେ ଖୋଲିଲା କୋଭିଡ୍ ସେଣ୍ଟର

ସୀତାରାମ ଅଗ୍ରୱାଲ
ବାଲୁଗାଁ: ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଏବେ କ୍ଷିପ୍ର ଗତିରେ ବଢିଚାଲିଛି। ଦୈନିକ ସଂକ୍ରମଣ ଏବେ ୪ ଲକ୍ଷରେ ପହଞ୍ଚିଛି। ଏହାସହିତ ରାଜ୍ୟର ସ୍ଥିତି ସଙ୍ଗୀନ ଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ତେଣୁ ଭାରତୀୟ ନୌସେନାର ପ୍ରାରମ୍ଭିକ ପ୍ରଶିକ୍ଷଣ ପ୍ରତିଷ୍ଠାନ, ଆଇଏନ୍‌ଏସ୍ ଚିଲିକା, ନୌସେନା ଅଧିକାରୀ ଇନ୍‌ଚାର୍ଜ ଓଡ଼ିଶାଙ୍କ ଆନୁକୂଲ୍ୟରେ ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତିଙ୍କ ସହ ସମନ୍ୱୟ ରକ୍ଷା କରି ଆଇଏନ୍‌ଏସ୍ ଚିଲିକାରେ ଏକ କୋଭିଡ୍ କେୟାର ସେଣ୍ଟର କରାଯାଇଛି।

କୋଭିଡ୍ କ୍ଷେତ୍ରରେ ବୃଦ୍ଧି ପାଉଥିବା ସଂକ୍ରମଣର ମୁକାବିଲା କରିବା ପାଇଁ ନୌସେନା ଷ୍ଟେସନ ଓ ଚିଲିକା ମଧ୍ୟରେ ପ୍ରଶିକ୍ଷାର୍ଥୀମାନଙ୍କ ଆବାସ ଗୃହରେ ରୋଗୀମାନଙ୍କ ପାଇଁ ୧୫୦ ଶଯ୍ୟା ବିଶିଷ୍ଟ ଏକ କେନ୍ଦ୍ର କରାଯାଇଛି। ଏହା ସହିତ ଅମ୍ଳଜାନ ଆବଶ୍ୟକ ଥିବା ରୋଗୀଙ୍କ ପାଇଁ ଆଇଏନ୍‌ଏସ୍ ଚିଲିକାର ଡାକ୍ତରଖାନା ଆଇଏନ୍‌ଏଚ୍‌ଏସ୍ ନିଭାରିଣୀ ଠାରେ ଅତିରିକ୍ତ ୧୫ ଶଯ୍ୟା ଉପଲବ୍ଧ କରାଯାଇଛି। ଜିଲ୍ଲା ମେଡିକାଲ୍ କର୍ତ୍ତୃପକ୍ଷଙ୍କ ଡାକ୍ତର, ପାରାମେଡିକାଲ୍ କର୍ମଚାରୀଙ୍କ ସହିତ ଏକ ଉତ୍ସର୍ଗୀକୃତ କୋଭିଡ୍ କେୟାର ସେଣ୍ଟର ସୁବିଧାରେ ୨୪ ଘଣ୍ଟିଆ କାମ କରିବ।

ରୋଗୀମାନେ ସମସ୍ତ ସତର୍କତା ବୁଝିବା ପାଇଁ ଲିଫ୍‌ଲେଟ୍ ବିତରଣ କରିବାର ଯୋଜନା କରାଯାଇଛି। ରୋଗୀମାନଙ୍କୁ ଏକ ନିରାପଦ ଏବଂ ଆରାମଦାୟକ ରହଣୀ ପାଇଁ ଆଇଏନ୍‌ଏସ୍ ଚିଲିକା ପକ୍ଷରୁ ସମସ୍ତ ସୁବିଧା ଯୋଗାଇ ଦିଆଯିବ।

ପୁନଶ୍ଚ ଏହି କୋଭିଡ୍ କେୟାର ସେଣ୍ଟର ପ୍ରସ୍ତୁତ ପାଇଁ ୟୁନିଟ୍ ଦ୍ୱାରା ସମସ୍ତ ପ୍ରସ୍ତୁତି କାର୍ଯ୍ୟ ବୃଦ୍ଧି କରାଯାଇଛି। ଆଡମିସନ ଚାହୁଁଥିବା ରୋଗୀମାନଙ୍କ ପାଇଁ ଯୋଗଯୋଗର ଏକ ବିନ୍ଦୁ ହେଉଛି କମ୍ୟୁନିଟି ସ୍ୱାସ୍ଥ୍ୟ କେନ୍ଦ୍ର, ବାଲୁଗାଁ। ଷ୍ଟେସନ ମଧ୍ୟରେ ସଂକ୍ରମଣ ନିୟନ୍ତ୍ରଣ ପାଇଁ ନୀତି ଅନୁଯାୟୀ ସମସ୍ତ ସତର୍କତା ଏବଂ ପଦକ୍ଷେପ, ଷ୍ଟେସନ ସମ୍ପ୍ରଦାୟକ ପାଇଁ ବିଚ୍ଛିନ୍ନତା ଏବଂ ସଙ୍ଗରୋଧର ସମସ୍ତ ବ୍ୟବସ୍ଥା ଯଥାସ୍ଥାନରେ କରାଯାଇଛି।

Categories
ଆଞ୍ଚଳିକ

ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଚାନକ ବାଣପୁର ଗସ୍ତ: କଲେ କୋଭିଡ଼ ସମୀକ୍ଷା

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ମଧ୍ୟାହ୍ନରେ ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି ଅଚାନକ ଭାବେ ବାଣପୁର ଗସ୍ତ କରିଥିଲେ। ଜିଲ୍ଲାପାଳ ସ୍ୱଳ୍ପ ସମୟ ରହଣି ମଧ୍ୟରେ ବାଣପୁରର ବିଭିନ୍ନ ପ୍ରଶାସନିକ ବିଭାଗଗୁଡିକ ପରିଦର୍ଶନ କରିଥିଲେ। ପ୍ରଥମେ ଜିଲ୍ଲାପାଳ ସବ ଜେଲ ଗସ୍ତ କରି  କୋଭିଡ ଗାଇଡଲାଇନ ଅନୁଧ୍ୟାନ କରିବା ସହ କଏଦୀ ମାନଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ।

ଏହାପରେ ଜିଲ୍ଲାପାଳ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ସେଠାରେ ନୂଆକରି ମେଡିକାଲ ପ୍ରଶାସନ ପକ୍ଷରୁ ନିର୍ମିତ ହୋଇଥିବା ଅଂଶୁଘାତ ପ୍ରକୋଷ୍ଠ କେନ୍ଦ୍ରକୁ ବୁଲି ଦେଖିବା ସହ ଏହାର ବ୍ୟବସ୍ଥା ଉପରେ ସନ୍ତୋଷ ପ୍ରକଟ କରିଥିଲେ। ମେଡିକାଲରେ ନିରାମୟ ଯୋଜନା ଅନ୍ତର୍ଗତ ଔଷଧ ସବୁ ଠିକ ଭାବେ ରୋଗୀଙ୍କୁ ମିଳୁଛି କି ନାହିଁ ତଦାରଖ କରିବା ସହ କିଛି ରୋଗୀଙ୍କ ସହ ସିଧାସଳଖ ଭାବେ କଥା ହୋଇଥିଲେ ଜିଲ୍ଲାପାଳ।

ପରିଶେଷରେ ଜିଲ୍ଲପାଳ ବାଣପୁର ଏନଏସି କାର୍ଯ୍ୟାଳୟ ପରିଦର୍ଶନକୁ ଯାଇ ଏକ ଛୋଟ ବୈଠକର ଅଧ୍ୟକ୍ଷତା କରିଥିଲେ। ଉକ୍ତ ବୈଠକରେ ବାଣପୁର ଏନଏସି ଏବଂ ବାଣପୁର ବ୍ଲକରେ ଗୋଟାଏ ଲେଖାଏଁ ଟିଏମସି କେନ୍ଦ୍ର ଖୋଲିବାକୁ ଉଭୟ ପ୍ରଶାସନିକ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।

ବାଣପୁରକୁ ଯେଉଁ ପ୍ରବାସୀମାନେ ଆସୁଛନ୍ତି ପୂର୍ବରୁ ସେମାନେ ନିଜ ଗୃହରେ ସଂଗରୋଧ ଭାବେ ରହୁଥୁବା ବେଳେ ବର୍ତ୍ତମାନ ଉକ୍ତ ଟିଏମସିରେ ସଙ୍ଗରୋଧରେ ରହିବେ। ତତ ସହିତ ପ୍ରବାସୀ ମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖିବା ସହ ସେମାନଙ୍କ ଗସ୍ତ ସୂଚୀର ସମସ୍ତ ତଥ୍ୟ ବିବରଣୀ ରଖିବାକୁ ଜିଲ୍ଲାପାଳ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ।

ସେହିଭଳି ଭାବେ ବାଣପୁର ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ଏନ୍ଫୋର୍ସମେଣ୍ଟକୁ ଆହୁରି କଡ଼ାକଡ଼ି କରିବାକୁ ଜିଲ୍ଲାପାଳ ସ୍ଥାନୀୟ ଏବଂ ପୋଲିସ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ।  ଖାସକରି ରାତ୍ରିକାଳୀନ କର୍ଫ୍ୟୁକୁ କଡାକଡି କରିବାକୁ ଜିଲ୍ଲାପାଳ ଗୁରୁତ୍ୱାରୋପ ଦେଇଥିଲେ।

ତେବେ ବାଣପୁର ଥାନାରେ କର୍ମଚାରୀ ଅଭାବ ଥିବାରୁ ଏନ୍ଫୋର୍ସମେଣ୍ଟ କିପରି ଭାବେ କଡ଼ାକଡ଼ି ହେବ ବୋଲି ଆମ ପ୍ରତିନିଧି ଜିଲ୍ଲାପାଳଙ୍କୁ ପ୍ରଶ୍ନ ପଚାରିବାରୁ ସେ ଏବିଷୟରେ ଅବଗତ ଥିବା କହିବା ସହ ଏସପିଙ୍କ ସହ ମଧ୍ୟ ଏବାବଦରେ କଥା ହୋଇଥିବାର ସୂଚନା ଦେଇଛନ୍ତି। ସ୍ଥାନୀୟ ତହସିଲଦାର ଯେତେବେଳେ ଆବଶ୍ୟକ କରିବେ ସେତେବେଳେ ଏସପି ସଙ୍ଗେସଙ୍ଗେ ଅତରିକ୍ତ ଫୋର୍ସ ଯୋଗାଇଦେବେ ବୋଲି ଜିଲ୍ଲାପାଳ କହିଛନ୍ତି।

ଜିଲ୍ଲାପାଳଙ୍କ ଉକ୍ତ ଗସ୍ତ ସମୟରେ ବାଣପୁର ତହସିଲଦାର ମନ୍ମଥ ବେହେରା, ବ୍ଲକ ଅତିରିକ୍ତ ବିଡ଼ିଓ ସୀମାଦ୍ରୀ ପାତ୍ର, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ା ଧୂର୍ଜଟି ପ୍ରସାଦ ମହାପାତ୍ର, ସବଜେଲ ସୁପରିଟେଣ୍ଡେଣ୍ଟ କୋଶଳ ପଦ୍ମିନୀ ଦଳବେହେରା ଏବଂ ବାଣପୁର ପୋଲିସ ଏସଆଇ ବିଜୟ ମଲ୍ଲିକ ଓ ରାଜକିଶୋର ବେହେରା ପ୍ରମୁଖ ଉପସ୍ଥିତି ଥିଲେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

କରୋନାରେ ମୃତ୍ୟୁ ହୋଇଥିବା ସାମ୍ବାଦିକ ପରିବାରଙ୍କୁ ସହାୟତା ରାଶି ପ୍ରଦାନ କଲେ ଖୋର୍ଦ୍ଧା ଜିଲ୍ଲାପାଳ

ଖୋର୍ଦ୍ଧା: କରୋନାରେ ଆକ୍ରାନ୍ତ ହୋଇ ବୈଦ୍ୟୁତିକ ଗଣମାଧ୍ୟମ ନିଉଜ-୧୮ର ଭୁବନେଶ୍ବର ପ୍ରତିନିଧି ପ୍ରବୀର କୁମାର ପ୍ରଧାନଙ୍କ ମୃତ୍ୟୁ ହୋଇଥିଲା। ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସୁପାରିସ କ୍ରମେ ରାଜ୍ୟ ସରକାର ୧୫ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ସ୍ଵର୍ଗତ ପ୍ରବୀର କୁମାର ପ୍ରଧାନଙ୍କ ପତ୍ନୀଙ୍କୁ ପ୍ରଦାନ କରାଯାଇଛି।

ଜିଲ୍ଲାପାଳ ସନତ କୁମାର ମହାନ୍ତି ଆଜି ନିଜ କାର୍ଯ୍ଯାଳୟରେ ପ୍ରବୀରଙ୍କ ପତ୍ନୀ ସସ୍ମିତା ସ୍ଵାଇଁଙ୍କୁ ୧୫ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି। ଏନେଇ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧକାରୀ ମାନସ ବିଶ୍ଵାଳ ସୂଚନା ଦେଇଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର ସ୍ବାସ୍ଥ୍ୟ

ବାଣପୁର ଏବଂ ବାଲୁଗାଁର କୋଭିଡ଼ ଯୋଦ୍ଧାଙ୍କ ପରିବାରଙ୍କୁ ମିଳିଲା ୫୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା 

ଖୋର୍ଦ୍ଧା: କୋଭିଡ଼ ଯୋଗୁଁ ମୃତ୍ୟୁବରଣ କରିଥିବା କୋଭିଡ଼ ଯୋଦ୍ଧାଙ୍କ ପରିବାରଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୫୦ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ଖୋର୍ଦ୍ଧା ଜିଲ୍ଲାରେ ମୃତ୍ୟୁବରଣ କରିଥିବା କୋଭିଡ଼ ଯୋଦ୍ଧାଙ୍କ ପରିବାରଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଛି। ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି ସମ୍ପୃକ୍ତ ପରିବାରଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆବଶ୍ୟକ ରାଶି ପ୍ରଦାନ ପାଇଁ ବ୍ୟବସ୍ଥା କରିଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସୁପାରିଶ କ୍ରମେ ବାଣପୁର ପୋଲିସ ଷ୍ଟେସନରେ କାର୍ଯ୍ୟରତ ଏଏସଆଇ ସ୍ଵର୍ଗତ ମୁରଲୀଧର ବଳିଆରସିଂହଙ୍କ ପତ୍ନୀ ମଞ୍ଜୁଲତାଙ୍କୁ ୫୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।

ସେହିପରି ଭୁବନେଶ୍ଵର ରିଜର୍ଭ ବାଟାଲିଅନର ପୂର୍ବତନ କନେଷ୍ଟବଳ ସ୍ଵର୍ଗତ ଆଶିଷ କୁମାର ମହାକୁଳଙ୍କ ପତ୍ନୀ ମାନସୀଙ୍କୁ ୫୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ମିଳିଥିବା ବେଳେ ବାଲିଅନ୍ତା ବ୍ଲକ ବଇଁଚୁଆ ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ସ୍ଵର୍ଗତ ବିଜୟ କୁମାର ସାହୁଙ୍କ ପତ୍ନୀ ବିଜୁଳିବତୀଙ୍କୁ ଏବଂ ବାଲୁଗାଁ ଏନଏସିର ଡ୍ରାଇଭର ସ୍ଵର୍ଗତ କବିନ୍ଦ୍ର କୁମାର ଜାଲିଙ୍କ ପତ୍ନୀ ଜ୍ୟୋତିର୍ମୟୀଙ୍କୁ ୫୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି।

Categories
ଆଜିର ଖବର ଆଞ୍ଚଳିକ

ଖୋର୍ଦ୍ଧା ଜିଲ୍ଲାର ପ୍ରଥମ ଧାନମଣ୍ଡି ଉଦଘାଟନ କଲେ ଜିଲ୍ଲାପାଳ ସନତ କୁମାର ମହାନ୍ତି

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଆଜି ଜିଲ୍ଲାପାଳ ସନତ କୁମାର ମହାନ୍ତି ଖୋର୍ଦ୍ଧା ଜିଲ୍ଲାର ପ୍ରଥମ ଧାନମଣ୍ଡିକୁ ଉଦଘାଟନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଟାଙ୍ଗୀ ବ୍ଲକ ଅଧିନସ୍ଥ ବଡପୋଖରୀଆ ସେବା ସମବାୟ ସମିତି ଲିଃ ମାଧ୍ୟମରେ ଚାଷୀ ମାନଙ୍କ ଠାରୁ ଧାନ କିଣା ଆରମ୍ଭ ହୋଇଯାଇଛି।

ଜିଲ୍ଲାରେ ଆଜି ପ୍ରତି ବ୍ଲକ ଅଧିନରେ ସେବାସମବାୟ ସମିତିର ଧାନ କିଣା ଆରମ୍ଭ ହୋଇଛି। ଜିଲ୍ଲାରେ ଧାନ ଚାଷୀମାନଙ୍କ ଠାରୁ ଧାନ କ୍ରୟ କରିବା ପାଇଁ ୧୪ ଲକ୍ଷ କ୍ୟୁଣ୍ଟାଲ ଧାନ ଲକ୍ଷ ଧାର୍ଯ୍ୟ କରାଯାଇଛି। ପ୍ରତି ମଣ୍ଡିରେ କିଭଳି ସୁଚାରୁରୂପେ ଧାନ ସଂଗ୍ରହ କରାଯାଇ ପାରିବ ଏବଂ ଚାଷୀ ମାନେ ଟୋକେନ ପାଇ ଠିକରେ ଧାନ ଦେଇ ପାରିବେ ସେଥିପାଇଁ ପ୍ରତି ବ୍ଲକରେ ଚାଷୀ କମିଟି କରି ଧାନ କିଣିବା ପାଇଁ ସୁଚାରୁରୂପେ ବ୍ୟବସ୍ଥା ହୋଇଥିବା କହିଛନ୍ତି ଜିଲା ଯୋଗାଣ ଅଧିକାରୀ। ଟାଙ୍ଗୀ ବ୍ଲକରେ ମୋଟ ୧୪ ଟି ସେବା ସମବାୟ ସମିତି ମାଧ୍ୟ୍ୟମରେ ଚାଷୀ ମାନଙ୍କ ଠାରୁ ଧାନ କ୍ରୟ କରାଯିବା ପାଇଁ ବ୍ୟବସ୍ଥା କରାଯାଇଛି।

Categories
ଆଜିର ଖବର ଆଞ୍ଚଳିକ

ଅକ୍ଟୋବର ଶେଷ ସୁଦ୍ଧା ବାଣପୁର ଏବଂ ଚିଲିକାକୁ କୋଭିଡ ମୁକ୍ତ ବ୍ଲକରେ ପରିଣତ କରିବାକୁ ଲକ୍ଷ୍ୟ: ଖୋର୍ଦ୍ଧା ଜିଲ୍ଲାପାଳ

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି ଭିଡ଼ିଓ କନଫରେନ୍ସ ଦ୍ୱାରା ଦୁଇଗୋଟି ପର୍ଯ୍ୟାୟରେ କୋଭିଡ ସ୍ଥିତିକୁ ନେଇ ସମୀକ୍ଷା ବୈଠକ କରିଥିଲେ। ଉକ୍ତ ବୈଠକରେ ଜିଲ୍ଲାର ସମସ୍ତ ବ୍ଲକର ବି.ଡ଼ି.ଓ ଏବଂ ସରପଞ୍ଚମାନେ ଅଂଶଗ୍ରହଣ କରିଥିଲେ। କୋଭିଡକୁ ପ୍ରତିହିତ କରିବା ପାଇଁ ଆଜି ଯାଏଁ ନିଜ ନିଜ ପଞ୍ଚାୟତରେ କରିଥିବା କଠିନ ପରିଶ୍ରମ ପାଇଁ ସମସ୍ତ ଜନପ୍ରତିନିଧିମାନଙ୍କୁ ଜିଲ୍ଲାପାଳ ସାଧୁବାଦ ଜଣାଇଥିଲେ।

ଚିଲିକା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବାଣପୁର ଏବଂ ଚିଲିକା ବ୍ଲକରେ କୋଭିଡ ସ୍ଥିତି ସମୀକ୍ଷା ସମୟରେ ଜିଲ୍ଲପାଳ ଉଭୟ ବ୍ଲକର ଚାରି ଜଣ ସରପଞ୍ଚଙ୍କ ସହ ପ୍ରତ୍ୟେକ୍ଷ ଭାବେ କୋଭିଡ ପରିଚାଳନା ଅନୁଭୂତି ଉପରେ ଆଲୋଚନା କରିଥିଲେ। ଏହା ସହ ସେମାନଙ୍କ ଠାରୁ ବିଭିନ୍ନ ମତାମତ ଏବଂ ଅଭିଯୋଗ ମଧ୍ୟ ଗ୍ରହଣ କରିଥିଲେ। କଣ୍ଟେନମେଣ୍ଟ କଡ଼ାକଡ଼ି, ଷ୍ଟିକରିଂ, ସବୁ ଗ୍ରାମରେ ସି.ଏମ.ସି ବୈଠକ, କରୋନା ସଚେତନତା କାର୍ଯ୍ୟକ୍ରମ ଆଦି କରିବା ପାଇଁ ଜିଲ୍ଲାପାଳ ସମସ୍ତ ସରପଞ୍ଚମାନଙ୍କୁ ଅନୁରୋଧ କରିଥିଲେ।

ଚିଲିକା ନିର୍ବାଚନମଣ୍ଡଳୀରେ ବର୍ତ୍ତମାନ ଧୀରେ ଧୀରେ କରୋନା ଆୟତ୍ତକୁ ଆସିଲାଣି ଏବଂ ଯଦି ଏ ସବୁ ନିୟମ କଡାକଡି ଭାବେ ପାଳନ କରାଯାଏ ତାହାଲେ ଆଗାମୀ ଦିନରେ ଚିଲିକାରେ ଜ଼ିରୋ କୋଭିଡ କେସ ଲକ୍ଷ ପୂରଣ ହୋଇପାରିବ ବୋଲି ଜିଲ୍ଲାପାଳ କହିଥିଲେ। ଏଥିସହ ବାଣପୁର ବ୍ଲକ କୁ ଅକ୍ଟୋବର ୨୦ ଏବଂ ଚିଲିକା ବ୍ଲକକୁ ଅକ୍ଟୋବର ୩୧ ସୁଦ୍ଧା କୋଭିଡ ମୁକ୍ତ ବ୍ଲକରେ ପରିଣତ କରିବା ପାଇଁ ଜିଲ୍ଲାପାଳ ସମସ୍ତଙ୍କୁ ଆହ୍ଵାନ ଦେଇଥିଲେ। ଏଥିଲାଗି ଆଉ କିଛି ଦିନ ଉଭୟ ବ୍ଲକ ପ୍ରଶାସନ ଏବଂ ଜନପ୍ରତିନିଧି ମାନଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ ବୋଲି ଜିଲ୍ଲାପାଳ ମତପ୍ରକାଶ କରିଥିଲେ।

ପରିଶେଷରେ ଜିଲ୍ଲାପାଳ ପ୍ରତି ଗ୍ରାମରେ ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ରକ୍ଷା କରିବା, କଡା ଆଇସୋଲେସନ ବ୍ୟବସ୍ଥା କରିବା ଏବଂ କୋଭିଡରୁ ସୁସ୍ଥ ହୋଇଥିବା ୧୮-୫୫ ବର୍ଷୀୟ ବ୍ୟକ୍ତିଙ୍କୁ ପ୍ଲାଜମା ଦାନ କରିବାକୁ ନେଇ ଉତ୍ସହିତ କରିବା ପାଇଁ ସମସ୍ତ ସରପଞ୍ଚ ମାନଙ୍କୁ ଅନୁରୋଧ କରିଥିଲେ। ଚିଲିକା ବ୍ଲକ ସଭାଗୃହ ମଧ୍ୟରେ ବି.ଡ଼ି.ଓ ଶ୍ରୀମତୀ ସୁଷମା ବାରିକ ଏବଂ ବାଣପୁର ବ୍ଲକ ସଭାଗୃହ ମଧ୍ୟରେ ବି.ଡ଼ି.ଓ ଶ୍ରୀମତୀ ଶୁଭଶ୍ରୀ ତ୍ରିପାଠୀ ଉକ୍ତ ବୈଠକକୁ ପରିଚାଳନା କରିଥିଲେ।

 

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

କାର୍ଯ୍ୟରେ ଯୋଗ ଦେଲେ ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି

ସୀତାରାମ ଅଗ୍ରୱାଲ 

ଖୋର୍ଦ୍ଧା: ଆଜି ଦାୟିତ୍ଵ ଗ୍ରହଣ କରିବା ସହ କାର୍ଯ୍ୟରେ ଯୋଗଦେଲେ ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି। କାର୍ଯ୍ଯାଭାର ଗ୍ରହଣ କରିବାର ପ୍ରଥମ ଦିନରେ ପ୍ରାଣନାଥ ସ୍ଵୟଂ ଶାସିତ ମହାବିଦ୍ୟାଳୟ ଠାରେ ୧୪୫ ଶଯ୍ୟା ବିଶିଷ୍ଟ କୋଭିଡ ଯତ୍ନ କେନ୍ଦ୍ରକୁ ଶୁଭାରମ୍ଭ କରିଛନ୍ତି ଜିଲ୍ଲାପାଳ। ଏହି ଅବସରରେ ନୂତନ ଭାବେ ଯୋଗଦେଇଥିବା ଜିଲ୍ଲାପାଳଙ୍କୁ ଖୋର୍ଦ୍ଧା ଆରକ୍ଷୀ ଅଧିକ୍ଷକ ଅଜେୟ ପ୍ରତାପ ସ୍ଵାଇଁ ଏବଂ ଅନ୍ୟ ଅଧିକାରୀମାନେ ସୌଜନ୍ୟମୂଳକ ଭାବରେ ସାକ୍ଷାତ କରିଥିଲେ। ଏହା ସହିତ ଜିଲ୍ଲାପାଳ କାର୍ଯ୍ଯାଳୟରେ ନୂତନ ଜିଲ୍ଲାପାଳଙ୍କୁ ଅଧିକାରୀମାନେ ସ୍ଵାଗତ ଦେବା ସହିତ ପୂର୍ବତନ ଜିଲ୍ଲାପାଳ ସିତାଂଶୁ କୁମାର ରାଉତଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢୀ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଦିଗନ୍ତ ରାଉତରାୟ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଅନୁଜ କୁମାର ଦାସ ପଟ୍ଟନାୟକ, ଭୁବନେଶ୍ବର ଅତିରିକ୍ତ ଜିଲ୍ଲାପାଳ ପ୍ରଫୁଲ୍ଲ କୁମାର ସ୍ଵାଇଁ, ଖୋର୍ଦ୍ଧା ଉପଜିଲ୍ଲାପାଳ ଅଶୋକ କୁମାର ବେହୁରିଆ, ଭୁବନେଶ୍ବର ଉପଜିଲ୍ଲାପାଳ ଦେବବ୍ରତ ସାହୁ ଏବଂ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ।

ଏହି ପରିପ୍ରେକ୍ଷୀରେ ଜିଲ୍ଲାରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଅଧିକ ଗୁରୁତ୍ଵ ଦେବେ ବୋଲି କହିଛନ୍ତି ଜିଲ୍ଲାପାଳ। ଏହା ସହିତ ସରକାରଙ୍କ ପ୍ରତ୍ୟେକ ଯୋଜନାର ସଫଳ ରୂପାୟନ କରିବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଜିଲ୍ଲାପାଳ ଶ୍ରୀ ସନତ କୁମାର ମହାନ୍ତି। ଗଞ୍ଜାମ ଜିଲ୍ଲା ପରେ ଖୋର୍ଦ୍ଧାଜିଲ୍ଲା ରାଜ୍ୟରେ ଦ୍ଵିତୀୟ କରୋନା ହଟସ୍ପଟ ଜିଲ୍ଲା।

ଜିଲ୍ଲା ଭିତରେ ଚିଲିକା ନିର୍ବାଚନ ମଣ୍ଡଳୀରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହି ଅଞ୍ଚଳମାନଙ୍କରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲାପାଳ କ’ଣ ସବୁ ପଦକ୍ଷେପ ନେବେ ବୋଲି ଏକ ପ୍ରଶ୍ନରେ, କରୋନା ସଂକ୍ରମଣକୁ ରୋକିବା ପାଇଁ ସଂପୂର୍ଣ୍ଣ ପ୍ରୟାସ କରିବି ବୋଲି ଆମ ଚିଲିକା ପ୍ରତିନିଧିଙ୍କୁ ଟେଲିଫୋନ ମାଧ୍ୟମରେ ସୂଚନା ଦେଇଛନ୍ତି ଜିଲ୍ଲାପାଳ ଶ୍ରୀ ସନତ କୁମାର ମହାନ୍ତି।

ଗତ କିଛି ଦିନ ତଳେ ଟାଙ୍ଗୀ ତହସିଲଦାରଙ୍କୁ ମାଙ୍କଡା ପଥର ଖଣି ମାଫିଆଙ୍କ ଦ୍ଵାରା ଆକ୍ରମଣ ଘଟଣାର ପ୍ରଶ୍ନରେ ଜିଲ୍ଲାପାଳ ଉତ୍ତର ରଖି କହିଥିଲେ ଯେ, ଏନେଇ ସେ ଅପରାଧୀଙ୍କ ବିରୋଧରେ କଡା ପଦକ୍ଷେପ ନେବା ସହିତ ଜିଲ୍ଲାରେ ଆଇନ ଶୃଙ୍ଖଳାକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ଚେଷ୍ଟା କରିବି ବୋଲି କହିଛନ୍ତି ଜିଲ୍ଲାପାଳ।