Categories
ଆଞ୍ଚଳିକ

କନ୍ଧରାରେ ଭୀମଭୋଇ ଜୟନ୍ତୀ ପାଳିତ

କନ୍ଦର୍ପ ବେହେରା
ରେଢ଼ାଖୋଲ: କଥିତ ଭାଷାକୁ ଚମତ୍କାର ଭାବରେ କବିତା ରଚନା କରି ପ୍ରକାଶ କରିଛନ୍ତି ସନ୍ଥ କବି ଭୀମ ଭୋଇ। ସୁସ୍ଥ ସମାଜ ଗଠନରେ ତାଙ୍କର ଭୂମିକା ବେଶ୍ ଗୁରୁତ୍ବପୂର୍ଣ୍ଣ। ଆନନ୍ଦମୟ ସମାଜ ଥିଲା ତାଙ୍କର ବାର୍ତ୍ତା ବୋଲି ଆଜି ରେଢ଼ାଖୋଲ କନ୍ଧରାରେ ଅନୁଷ୍ଠିତ ଜୟନ୍ତୀ ସଭାରେ ବକ୍ତାମାନେ ମତବ୍ୟକ୍ତ କରିଥିଲେ।

ସନ୍ଥ କବି ଭୀମଭୋଇ ଜୟନ୍ତୀ ପାଳନ କମିଟି ରେଢ଼ାଖୋଲ ତରଫରୁ ଆୟୋଜିତ ଆବାହକ ମୁରଲୀଧର ସେଠୀଙ୍କ ଆବାହକତ୍ବରେ ଅନୁଷ୍ଠିତ ସଭାରେ ବିଶେଷ ଅତିଥି ଭାବରେ ସନ୍ଥ ଆନନ୍ଦ ଚନ୍ଦ୍ର ଦାସ ବାବା, ମୁଖ୍ୟ ଅତିଥି ଭାବରେ ରେଢ଼ାଖୋଲ ଉପଜିଲ୍ଲାପାଳ ପବିତ୍ର ବେହେରା, ମୁଖ୍ୟବକ୍ତା ଭାବରେ ଅଧ୍ୟାପକ ଶ୍ରୀକାନ୍ତ ବଲ୍ଲଭ ସାମନ୍ତ, ସମ୍ମାନୀତ ଅତିଥି ଭାବରେ ମହିଳା ମହାବିଦ୍ୟାଳୟ, ସମ୍ବଲପୁରର ଓଡ଼ିଆ ବିଭାଗର ବରିଷ୍ଠ ଅଧ୍ୟାପକ ପ୍ରଫେସର ଅଖିଳ ବିଶ୍ବାଳ ପ୍ରମୁଖ ଯୋଗଦେଇ ଭୀମଭୋଇଙ୍କ କବିତା ତଥା ତାଙ୍କର କୈଶୋର ଜୀବନ କେଡ଼େ ସଂଘର୍ଷମୟ ଥିଲା ସେ ସଂପର୍କରେ ଆଲୋଚନା କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଅନାଦି ସାହୁ, ଆଡ୍ ଭୋକେଟ୍ ଶିବପ୍ରସାଦ ପ୍ରଧାନ, କବି ସନ୍ତୋଷ କୁମାର ରଥ ପ୍ରମୁଖ ଭୀମଭୋଇଙ୍କ କାବ୍ୟକ୍ରୁତି ସଂପର୍କରେ ଆଲୋଚନା କରିଥିଲେ।  ଶେଷରେ ପରୀକ୍ଷିତ ଦାସ୍ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ବିଶେଷ ଖବର

ସନ୍ଥ କବି ଭୀମ ଭୋଇଙ୍କ ଚେୟାର ପ୍ରତିଷ୍ଠା ପାଇଁ ୟୁଜିସିର ଅନୁମତି

ନୂଆଦିଲ୍ଲୀ/ଭୁବନେଶ୍ୱର: ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଅନ୍ତର୍ଗତ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଏବଂ ଛତିଶଗଡ଼ ବିଳାସପୁର ସ୍ଥିତ ଗୁରୁ ଘାସିଦାସ ବିଶ୍ୱବିଦ୍ୟାଳୟ ଠାରେ ମହିମା ଧର୍ମର ମହାନ ପ୍ରଚାରକ ସନ୍ଥ କବି ଭୀମ ଭୋଇଙ୍କ ଚେୟାର ପ୍ରତିଷ୍ଠା ପାଇଁ ଅନୁମତି ଦେଇଛି ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ ଏହାକୁ ସ୍ୱାଗତଯୋଗ୍ୟ ପଦକ୍ଷେପ କହିବା ସହ ଏହି ଦୁଇଟି ବିଶ୍ୱବିଦ୍ୟାଳୟରେ ଭୀମ ଭୋଇ ଚେୟାର ପ୍ରତିଷ୍ଠା ଉଚ୍ଚ ଶିକ୍ଷା ଏବଂ ଏହି ମହାନ କବିଙ୍କ ମାନବ ଦର୍ଶନ ଉପରେ ଗବେଷଣାକୁ ପ୍ରୋତ୍ସାହନ ଦେବ ଏବଂ ଏହା ହିଁ ମହାନ କବି ଭୀମ ଭୋଇଙ୍କ ପ୍ରତି ସଠିକ୍ ଶ୍ରଦ୍ଧାଞ୍ଜଳି ହେବ। ସନ୍ଥ କବି ଭୀମ ଭୋଇ ଓଡ଼ିଆ ସାହିତ୍ୟ ଓ ଧାର୍ମିକ-ସାମାଜିକ ଜୀବନକୁ ଗଭୀର ଭାବେ ପ୍ରଭାବିତ କରିଛନ୍ତି।

ଦୂରଦୃଷ୍ଟିସମ୍ପନ୍ନ କବି ଭୀମ ଭୋଇ ନିଜ କାଳଜୟୀ କବିତା ମାଧ୍ୟମରେ ସମାଜର ଲୋକଙ୍କୁ ସଶକ୍ତ କରିପାରିଥିଲେ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଗତ ଅକ୍ଟୋବର ୨ ଗାନ୍ଧି ଜୟନ୍ତୀ ଅବସରରେ ସମ୍ବଲପୁର ଜିଲ୍ଲା ରେଢାଖୋଲ ଗସ୍ତ ସମୟରେ ସନ୍ଥ କବି ଭୀମ ଭୋଇଙ୍କ ଜୀବନୀ ଓ ତାଙ୍କ ଦର୍ଶନ ଉପରେ ଅଧିକ ଅଧ୍ୟୟନ କରିବା ପାଇଁ ୟୁଜିସିକୁ ନିର୍ଦ୍ଦେଶ ଦେଇଥିଲେ। ସେ କହିଥିଲେ ଯେ ଆଗାମୀ ଦିନରେ ସନ୍ଥ କବି ଭୀମ ଭୋଇଙ୍କୁ ଜଣେ ସର୍ବତୋମ ବିଚାରକ ଭାବେ ପ୍ରମାଣିତ କରିବା ପାଇଁ ଉଦ୍ୟମ କରାଯିବ।

ଭାରତ ସରକାରଙ୍କ ୟୁଜିସି ଏହି ମହାପୁରୁଷଙ୍କ ‘ମହିମା ଧର୍ମ’ର ବିଚାର ସମ୍ପର୍କରେ ଅଧ୍ୟୟନ କରିବ। ବିଭିନ୍ନ ରାଜ୍ୟର ବିଶ୍ୱବିଦ୍ୟାଳୟରେ ଭୀମ ଭୋଇଙ୍କ ନାଁରେ ଭୀମ ଭୋଇ ଚେୟାର ସ୍ଥାପନ ହେବ। ଜାତୀୟ ଓ ଅନ୍ତରାଷ୍ଟ୍ରୀୟ ସ୍ତରରେ ଭୀମ ଭୋଇଙ୍କୁ ସମ୍ମାନ ଦେବା ପାଇଁ ସବୁପ୍ରକାର ଉଦ୍ୟମ କରାଯିବ।

ଏହା ଦ୍ୱାରା ଶତାବ୍ଦୀ ଶତାବ୍ଦୀରୁ ପଛୁଆ ଅଂଚଳରୁ ଆରମ୍ଭ ହୋଇଥିବା ମହାନ୍ ବିଚାର ଅନ୍ତରାଷ୍ଟ୍ରୀୟ ସ୍ତରକୁ ଯିବ। ବିଶ୍ୱ ଏହି ଦର୍ଶନରେ ଅନୁପ୍ରାଣିତ ହେଲେ, ଏହା ହିଁ ସନ୍ଥ କବି ଭୀମ ଭୋଇଙ୍କୁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ଶ୍ରୀ ପ୍ରଧାନ କହିଥିଲେ।