Categories
ଆଜିର ଖବର ରାଜ୍ୟ ଖବର

ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ, ସ୍ବାମୀ ଗିରଫ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବଡ଼ବଜାର ଥାନା ନିକଟସ୍ଥ ଧାନମେରା ସାହିରେ ଭୁବନେଶ୍ଵରୀ ମୁଖୀ ନାମ୍ନୀ ଜଣେ ନବବିବାହିତା ମହିଳାଙ୍କର ମୃତ ଦେହ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଏହି ଭଳି ପରିସ୍ଥିତିରେ ମୃତ ଭୁବନେଶ୍ଵରୀଙ୍କର ବାପା ଲିଙ୍ଗରାଜ ମୁଖୀ ତାଙ୍କ ଝିଅକୁ ହତ୍ୟା କରି ସ୍ବାମୀ ଘର ପରିବାର ଲୋକେ ଝୁଲାଇ ଦେଇଥିବା ଥାନାରେ ଅଭିଯୋଗ କରିଥିଲେ।

ବଡ଼ବଜାର ଥାନା ପୋଲିସ ଅଭିଯୋଗକୁ ଭିତ୍ତି କରି ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହ ସ୍ବାମୀ ନରସିଂହ ନାୟକକୁ ଗିରଫ କରିଛି। ସୁଚନା ଥାଉକି ମୃତ ଭୁବନେଶ୍ଵରୀ ଗତ ୩ ମାସ ପୁର୍ବରୁ ବାହା ହୋଇଥିବା ଜଣାପଡିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନବବଧୁଙ୍କ ସନ୍ଦେହ ଜନକ ମୃତ୍ୟୁ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ମାତ୍ର ୩ ମାସ ପୁର୍ବେ ବିବାହ କରିଥିବା ରମ୍ଭା ଥାନା ଅନ୍ତର୍ଗତ ପୋଡାଗଡ ଗ୍ରାମର ନବବଧୁ ଜ୍ୟୋତି ବାରିକ କୌଣସି କାରଣରୁ ପୋକମରା ଔଷଧ ଖାଇ ଆତ୍ମହତ୍ୟା କରିଥିବା ଶାଶୁ ଘର ଲୋକ କହୁଥିଲା ବେଳେ ଝିଅକୁ ଅଧିକ ଯୌତୁକ ନିର୍ଯାତନା ଦିଆଯାଇ ହତ୍ୟା କରାଯାଇଛି ବୋଲି ଜ୍ୟୋତି ବାରିକଙ୍କ ବାପା ବନମାଳୀ ବାରିକ ହୁମ୍ମା ଫାଣ୍ଡିରେ ଅଭିଯୋଗ କରିଛନ୍ତି।

ସୁଚନା ଅନୁଯାୟୀ ଜଣାପଡିଛି ଯେ, ପୋଡାଗଡ ଗ୍ରାମର ପବନା ପ୍ରଧାନଙ୍କ ପୁଅ ପିଣ୍ଟୁ ପ୍ରଧାନ ମାତ୍ର ୩ ମାସ ପୁର୍ବେ ସାତୁଳି ଗ୍ରାମର ଜ୍ୟୋତିଙ୍କୁ ବାହା ହୋଇଥିଲା। କିନ୍ତୁ ବାହା ହେବାର ୧୦ ଦିନ ପରେ ମାଁ ଘରକୁ ଯାଇ ଜ୍ୟୋତି ଆଉ ଶାଶୁ ଘରକୁ ଆସିନଥିଲା। ପୁଣି ବୁଝାମଣା ପରେ ଗତ ଦୁଇ ଦିନ ତଳେ ଜ୍ୟୋତି ଶାଶୁ ଘରକୁ ଆସିଥିଲେ। ହେଲେ କେଉଁ କାରଣରୁ ତାଙ୍କର ମୃତ୍ୟୁ ଘଟିଛି, ତାହା ସନ୍ଦେହ ଉପୁଜିଛି।

ଅଭିଯୋଗ ପାଇ ହୁମ୍ମା ଫାଣ୍ଡି ଅଧିକାରୀ ଦେବଦତ୍ତ ପ୍ରିୟଦର୍ଶୀ ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି ପୋଲିସ ସୁତ୍ରରୁ ପ୍ରକାଶ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଲଭ ଜିହାଦ ଘଟଣାରେ ଝିଅର ମୃତ୍ୟୁ: କୋର୍ଟ ଶୁଣାଣି ଦିନ ବାପାଙ୍କ ସନ୍ଦେହ ଜନକ ମୃତ୍ୟୁ

ନିରାକାରପୁର: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ପଦ୍ମପୁର ଗ୍ରାମର ଜଣେ ନାବାଳିକା ଛାତ୍ରୀ ଲଭ ଜିହାଦର ଶିକାର ହୋଇ ମୃତ୍ୟୁ ବରଣ କରିଥିବା ଅଭିଯୋଗ ହୋଇଛି। ଉକ୍ତ ଘଟଣାରେ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ଆଜି କୋର୍ଟ ତାରିଖରେ ବାପାର ସନ୍ଦେହ ଜନକ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ପଦ୍ମପୁର ଗ୍ରାମର କୁଳମଣୀ ପ୍ରଧାନ। ଝିଅ ମୃତ୍ୟୁ ଘଟଣାରେ ଆଜି କୋର୍ଟରେ ଶୁଣାଣି ଥିଲା ହେଲେ ହାଜର ହେବା ପୂର୍ବରୁ ବାପା କୁଳମଣୀଙ୍କ ମୃତ୍ୟୁ ସମସ୍ତଙ୍କୁ ଚକିତ କରିଛି।

ଘଟଣାରୁ ଜଣାପଡିଛି ଗତବର୍ଷ ଅକ୍ଟୋବର ମାସରେ ନାବାଳିକା ଛାତ୍ରୀ ପଦ୍ମପୁର ଗ୍ରାମର ଇପସିତା ପ୍ରଧାନ (ଛଦ୍ମ ନାମ) ଲଭ ଜିହାଦର ଶିକାର ହୋଇ ନିର୍ଯ୍ୟାତନା ସହିନପାରି ଆତ୍ମହତ୍ୟା କରି ମୃତ୍ୟୁ ବରଣ କରିଥିଲା। ଏକତରଫା ପ୍ରେମରୁ ଜଣେ ସଂଖ୍ୟା ଲଘୁ ସଂପ୍ରଦାୟର ଯୁବକ ଓ ତାର ପରିବାର ଲୋକେ ମିଶି ଇପସିତାକୁ ଦେଉଥିଲେ ମାନସିକ ନିର୍ଯ୍ୟାତନା। ଏ ସଂମ୍ପର୍କରେ ପୂର୍ବରୁ ନିରାକାରପୁର ଥାନାରେ ଇପସିତା ଓ ତାର ପରିବାର ଲୋକେ ଅଭିଯୋଗ କରିଥିଲେ। ଇପସିତା କଲେଜ ଯାଉଥିବା ବେଳେ ସଂଖ୍ୟା ଲଘୁ ସଂପ୍ରଦାୟର ଯୁବକ ଜଣଙ୍କ ବାଟରେ ଘାଟରେ ଜଗି ଅଟକାଇ ହତ୍ୟା ଧମକ ଦେବା ସହ ଅଶ୍ଲିଳ ଫଟୋ ଭିଡିଓ ଭାଇରାଲ କରି ଏସିଡ ପକାଇଦେବାକୁ ଧମକ ଦେବାରୁ ଝିଅ ଇପସିତା ଆତ୍ମହତ୍ୟା କରିଥିଲା।

ଏ ସଂମ୍ପର୍କରେ ଝିଅର ମା ରଂଜିତା ପ୍ରଧାନ ନିରାକାରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ନିରାକାରପୁର ପୋଲିସ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଥିଲା। ଆଜି ଝିଅ ମୃତ୍ୟୁ ଘଟଣାର କୋର୍ଟରେ ତାରିଖ ଥିଲା। ସ୍ଥାନୀୟ ଅଂଚଳର କେତେକ ନେତା ଓ ଅନ୍ୟାନ୍ୟ ବ୍ୟକ୍ତି ମାନେ କୁଳମଣୀଙ୍କୁ କେସ ଉଠାଇବା ପାଇଁ ବାରମ୍ବାର ଚାପ ପକାଇ ଆସୁଥିଲେ। ହେଲେ ସକାଳ ପାଇଲା ବେଳକୁ କୁଳମଣୀଙ୍କ ମୃତ୍ୟୁ ଘଟିଛି। ଶବ ବ୍ୟବଚ୍ଛେଦ ପରେ କୁଳମଣୀଙ୍କ କିଭଳି ମୃତ୍ୟୁ ଘଟିଛି, ତାହା ସ୍ପଷ୍ଟ ହେବ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର: ନବ ବିବାହିତାଙ୍କ ସନ୍ଦେହ ଜନକ ମୃତ୍ୟୁ, କାରଣ ଅସ୍ପଷ୍ଟ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ବଉଳାବନ୍ଧ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ଜଣେ ନବ ବିବାହିତା ବଧୂଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଥିବା ବେଳେ କାରଣ ଅସ୍ପଷ୍ଟ ରହିଛି।

ସୂଚନା ମୁତାବକ ଦୁଇ ବର୍ଷ ତଳେ ବାଣପୁର ଥାନା ବଉଳାବନ୍ଧ ଗ୍ରାମର ବାଦଲ ବେହେରା ସେହି ଗ୍ରାମର ପିଙ୍କି ବେହେରାଙ୍କୁ ବୈଦୀକ ରୀତିନିତିରେ ବିବାହ କରିଥିଲେ। ଗତ ଗଣେଷ ପୂଜା ଦିନ ପିଙ୍କିଙ୍କର ଏକ ପୁତ୍ର ସନ୍ତାନ ମଧ୍ୟ ଜନ୍ମଲାଭ କରିଥିଲା। ପିଙ୍କିଙ୍କର ସ୍ୱାମୀ ବାହାରେ ମୂଲ ମଜୁରୀ କରି ପରିବାର ପ୍ରତି ପୋଷଣ କରନ୍ତି।

ଗତ କାଲି ରାତିରେ ପିଙ୍କି ଖାଇ ପିଇ ନିଜ ପୁତ୍ର ସନ୍ତାନକୁ କୋଳରେ ଧରି ଶୋଇଥିଲେ।  କୌଣସି କାରଣକୁ ନେଇ ହଠାତ୍ ପିଙ୍କି ଅସୁସ୍ଥ ହୋଇ ପଡିବାରୁ ପରିବାର ଲୋକେ ଗ୍ରାମବାସୀଙ୍କ ସହାୟତାରେ ତାଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।

ତେବେ ଡାକ୍ତର ପିଙ୍କିକୁ ସେଠାରେ ମୃତ ଘୋଷଣା କରିଥିଲେ। ତେବେ ଆତ୍ମୀୟଙ୍କ କଥାରେ କୌଣସି ତାଳ ମେଳ ରହୁନଥିବାରୁ କାର୍ଯ୍ୟରତ ଡାକ୍ତର ସନ୍ଦେହ ପ୍ରକାଶ କରିଥିଲେ। ଏବଂ ଏ ନେଇ ପୋଲିସ୍ କୁ ସୂଚନା ଦେଇଥିଲେ। ନାଚୁଣୀ ଫାଣ୍ଡି ଅଧିକାରୀ କେଶବ ବେହେରା ଖବର ପାଇ ଟାଙ୍ଗୀ ମେଡିକାଲରେ ପହଞ୍ଚିଥିବା ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର ବନ ବିଭାଗ ହେପାଜତରେ ଥିବା ଜଣେ ବ୍ୟକ୍ତିଙ୍କର ସନ୍ଦେହ ଜନକ ମୃତ୍ୟୁ

ସୀତାରାମ ଅଗ୍ରୱାଲ 

ବାଣପୁର: ବନ ବିଭାଗ ହେପାଜତରେ ଥିବା ଜଣେ ବ୍ୟକ୍ତିଙ୍କର ସନ୍ଦେହ ଜନକ ମୃତ୍ୟୁ ହୋଇଛି। କାଠ ଚୋର ସନ୍ଦେହରେ ବାଣପୁର ବନ ବିଭାଗ ଉକ୍ତ ବ୍ୟକ୍ତିଙ୍କୁ ଅଟକ ରଖିଥିଲା। ମୃତକ ଜଣକ ନୟାଗଡ ଜିଲ୍ଲା ଶରଣକୂଳ ଥାନା ଅନ୍ତର୍ଗତ ଗୋଲଗାଁର ବଳଭଦ୍ର ବେହେରା ବୋଲି ଜଣାପଡିଛି।

କିନ୍ତୁ ବଳଭଦ୍ରଙ୍କୁ ବନବିଭାଗ କର୍ମଚାରୀ ପିଟିପିଟି ମାରି ଦେଇଥିବାର ଅଭିଯୋଗ କରିଛନ୍ତି ପରିବାର ଲୋକେ। ତାଙ୍କର ମୃତ୍ୟୁକୁ ନେଇ ବାଣପୁର ମେଡ଼ିକାଲରେ ମୃତକଙ୍କ ପରିବାର ଏବଂ ଗ୍ରାମବାସୀ ଆଜି ଧାରଣା ଦେବାସହ ପାଟି ତୁଣ୍ଡ କରିଛନ୍ତି।

ଏହି ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଫଳରେ ଆଜି ବାଣପୁର ମେଡିକାଲ ପରିସରରେ ଖୋର୍ଦ୍ଧା ଏଚ.ଆର.ପି.ସି ଡ଼ି.ଏସ.ପି ଓମ ପ୍ରକାଶ ପାତ୍ର, ବାଲୁଗାଁ ଏସ.ଡ଼ି.ପି.ଓ ସୁରେଶ କୁମାର ଦାସ, ବାଣପୁର ଆଇ.ଆଇ.ସି ସଞ୍ଜୟ ପଟ୍ଟନାୟକ, ବାଣପୁର ତହସିଲଦାର ମନ୍ମଥ ବେହେରା ଓ ବାଣପୁର, ବାଲୁଗାଁ ଏବଂ ଟାଙ୍ଗୀ ଥାନାର ସମସ୍ତ କର୍ମଚାରୀମାନେ ଉପସ୍ଥିତ ରହିଥିଲେ। ଗଣ୍ଡଗୋଳ ଆଶଙ୍କାରେ ବାଣପୁର ମେଡିକାଲର ସୁରକ୍ଷାକୁ ବଢ଼ାଇଦିଆଯାଇଛି।

ବନ ବିଭାଗ କହିବା ମୁତାବକ, ଗତକାଲି ରାତିରେ ଧୂଆଁନଳୀ ସେକ୍ସନ ବନ କର୍ମଚାରୀଙ୍କ ପାଟ୍ରୋଲିଂ ସମୟରେ ତିନି ଗୋଟି କାଠ ଗଣ୍ଡି ସହ ବଳଭଦ୍ର ଧରାପଡିଥିଲେ ଏବଂ ଅନ୍ୟ ଦୁଇ ଜଣ ଘଟଣା ସ୍ଥଳରୁ ଖସି ପଳାଇଥିଲେ। ଟାମଣା ପାହାଡରୁ ଧରି ବନ ବିଭାଗ କର୍ମଚାରୀ ବିଟ୍‌ ହାଉସ୍‌ ନେଇଥିଲେ। କୌଣସି କାରଣରୁ ବଳଭଦ୍ରଙ୍କ ଶରୀର ଅସୁସ୍ଥ ହେବାରୁ ପ୍ରଥମେ ନୀଳାଦ୍ରିପ୍ରସାଦ ଡାକ୍ତରଖାନା ଏବଂ ପରେ ବାଣପୁର ଡାକ୍ତରଖାନାରେ ତାଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା। ବାଣପୁର ହସ୍ପିଟାଲରେ ପହଁଚିଲା ବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଛି ବୋଲି ବନ ବିଭାଗ କହିଛି।

ଅପରପକ୍ଷରେ ଖୋର୍ଦ୍ଧା ଡ଼ି.ଏଫ.ଓ  ସୌମ୍ୟକ ସାମନ୍ତରାୟଙ୍କୁ ଏ ବିଷୟ ନେଇ ଆମ ପ୍ରତନିଧି ପଚାରିବାରୁ ପ୍ରଥମେ ମୃତ ବ୍ୟକ୍ତିଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ। ରିପୋର୍ଟ ନଆସିବା ଯାଏଁ ସେ କିଛି କହିପାରିବେନି ବୋଲି ପ୍ରକାଶ କରିଥିଲେ। ଅନୁରୂପ ଭାବେ ବାଲୁଗାଁ ଏସ.ଡ଼ି.ପି.ଓ ମଧ୍ୟ ସମାନ ଉତ୍ତର ରଖିଛନ୍ତି।

ତେବେ ଶେଷ ଖବର ନେବା ପର୍ଯ୍ୟନ୍ତ ବଳଭଦ୍ରଙ୍କ ପରିବାରବର୍ଗ ବନ ବିଭାଗ ବିରୁଦ୍ଧରେ ବାଣପୁର ଥାନାରେ ଲିଖିତ ଅଭିଯୋଗ କରିବା ପାଇଁ ତତ୍ପର ହେଉଥିବାର ଜଣାପଡିଛି ଏବଂ ଆସନ୍ତାକାଲି ମୃତକଙ୍କ ଶବ  ବ୍ୟବଚ୍ଛେଦ ହେବ ବୋଲି ସୂଚନା ମିଳିଛି।