Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଜଙ୍କିଆ: ପାନ ଦୋକନ ପଛପଟୁ ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ଜବତ, ଦୋକାନୀ ଗିରଫ

ଜଙ୍କିଆ: ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ପୋଲିସକୁ ମିଳିଛି ସଫଳତା। ଏକ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ବ୍ରାଉନ ସୁଗାର ସହ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। ସୂଚନା ମୁତାବକ ଗତକାଲି ଜଙ୍କିଆ ଥାନା ଅନ୍ତର୍ଗତ ରମ୍ଭାବିଲି ଅଞ୍ଚଳରେ ବ୍ରାଉନ ସୁଗାର କାରବାର ଚାଲିଥିବାର କୌଣସି ଏକ ବିଶେଷ ସୂତ୍ରରୁ ଖୋର୍ଦ୍ଧା ଏସପି ରାଜକିଶୋର ଦୋରା ଖବର ପାଇଥିଲେ। ଏସପିଙ୍କ ନିର୍ଦ୍ଦେଶକ୍ରମେ ଖୋର୍ଦ୍ଧା ଏସଡ଼ିପିଓ ସୁଶୀଲ ମିଶ୍ର ଏବଂ ଜଙ୍କିଆ ଥାନା ଆଇଆଇସି ଭବାନୀ ଶଙ୍କର ଖୁଣ୍ଟିଆଙ୍କ ତତ୍ୱାବଧାନରେ ଏକ ଟିମ ଗଠନ କରାଯାଇ ତୁରନ୍ତ ସମ୍ପୃକ୍ତ ସ୍ଥାନରେ ଚଢ଼ାଉ କରାଯାଇଥିଲା।

ଚଢ଼ାଉ ସମୟରେ ପୋଲିସ ଜଣେ ପାନ ଦୋକାନୀଙ୍କୁ କାବୁ କରିବା ସହ ତଲାସି ନେଇଥିଲା। ଦୋକାନୀ ଜଣକ ହେଉଛନ୍ତି ଦିଲୀପ ମଙ୍ଗରାଜ (୩୭)। ତେବେ ତାଙ୍କର ପାନ ଦୋକାନ ପଛପାର୍ଶ୍ୱରୁ ପୋଲିସ ୧୧.୨୪ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ଦୋକାନୀଙ୍କ ଠାରୁ ନକଦ ୯୦୦ ଟଙ୍କା ଜବତ କରିଥିଲା। ଜବତ ବ୍ରାଉନସୁଗରର ମୂଲ୍ୟ ୧ ଲକ୍ଷ ୧୦ ହଜାର ଟଙ୍କା ହେବ ବୋଲି ଜଣାପଡିଛି।

ଜଙ୍କିଆ ଥାନାରେ ଗିରଫ ଅଭିଯୁକ୍ତଙ୍କ ବିରୋଧରେ ୨୯ ଏନଡ଼ିପିଏସ ଅଧିନିୟମ ଅନୁଯାୟୀ କେସ ନମ୍ବର ୨୪୧/୨୧ ରେ ମାମଲା ରୁଜୁ କରାଯାଇ ଆଜି କୋର୍ଟଚାଲାଣ କରାଯାଇଥିବାର ଜଙ୍କିଆ ଥାନା ଆଇଆଇସି ଭବାନୀ ଶଙ୍କର ଖୁଣ୍ଟିଆ ସୂଚନା ଦେଇଛନ୍ତି।

ଉକ୍ତ ଚଢ଼ାଉରେ ଆଇଆଇସିଙ୍କ ସମେତ ଏସଆଇ ଭାଗ୍ୟଶ୍ରୀ ବେହରା, ଏଏସଆଇ ଭଗବାନ ନାୟକ ଏବଂ ଅନ୍ୟ ପୋଲିସ କର୍ମଚାରୀମାନେ ଆଦି ସାମିଲ ଥିଲେ। ଏସଆଇ ଉମାକାନ୍ତ ସାହୁ ଉକ୍ତ କେସର ତଦନ୍ତ କାରି ଅଧିକାରୀ ଅଛନ୍ତି।