Categories
ଆଜିର ଖବର ଖେଳ ଜାତୀୟ ଖବର

ଭାରତରେ ଟିମ୍ ଇଣ୍ଡିଆକୁ ପରାସ୍ତ କରିବା ଅସମ୍ଭବ!, କ୍ରମାଗତ ସପ୍ତମ ସିରିଜ୍ ଜିତିଲା ବ୍ଲୁ ବ୍ରିଗେଡ୍

ନୂଆଦିଲ୍ଲୀ: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯାଉଥିବା ତିନିଟି ଦିନିକିଆ ସିରିଜରେ ଟିମ୍ ଇଣ୍ଡିଆ ୨-୦ ଅଗ୍ରଣୀ ହାସଲ କରି ସିରିଜ୍ ଜିତିଛି। ରାୟପୁରରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ଭାରତୀୟ ଦଳ ୮ ୱିକେଟ୍ ଜିତିଛି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଭାରତୀୟ ଦଳ କ୍ରମାଗତ ସପ୍ତମ ସିରିଜ ଜିତିଛି। ଏହି ସିରିଜ୍ ବିଜୟ ସହିତ ଏହା ସ୍ପଷ୍ଟ ହୋଇଯାଇଛି ଯେ, ଘରୋଇ ପିଚରେ ଭାରତୀୟ ଦଳକୁ ଦିନିକିଆ ସିରିଜରେ ପରାସ୍ତ କରିବା ପ୍ରାୟ ଅସମ୍ଭବ।

ଏହି ସାତୋଟି ସିରିଜରେ ଭାରତୀୟ ଦଳ କ୍ରିକେଟ୍ ଜଗତର ବଡ ଦଳକୁ ପରାସ୍ତ କରିଛି। ଏଥିରେ ନ୍ୟୁଜିଲ୍ୟାଣ୍ଡ, ଇଂଲଣ୍ଡ, ଅଷ୍ଟ୍ରେଲିଆ, ୱେଷ୍ଟଇଣ୍ଡିଜ୍, ଦକ୍ଷିଣ ଆଫ୍ରିକା ଏବଂ ଶ୍ରୀଲଙ୍କା ଭଳି ଦଳ ଅନ୍ତର୍ଭୁକ୍ତ। ନିକଟରେ ଭାରତୀୟ ଦଳ ଦିନିକିଆ ସିରିଜରେ ଶ୍ରୀଲଙ୍କାକୁ ୩-୦ ରେ କ୍ଳିନ ସ୍ଵିପ କରିଥିଲା। ଦଳ ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ ଜିତି ୨୦୨୩ ଆରମ୍ଭ କରିଥିଲା।

ଭାରତୀୟ ଦଳ ୨୦୨୦ ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଘରୋଇ ସିରିଜ୍ ଜିତିଥିଲା। ଏହା ପରେ ଦଳ ୨୦୨୦ ରେ ଘରୋଇ ମାଟିରେ ଅଷ୍ଟ୍ରେଲିଆକୁ ୨-୧ ରେ ପରାସ୍ତ କରିଥିଲା। ତା’ପରେ ୨୦୨୧ ମସିହାରେ ଭାରତୀୟ ଦଳ ଇଂଲଣ୍ଡକୁ ୨-୧ ରେ ପରାସ୍ତ କରିଥିଲା। ୨୦୨୨ ମସିହାରେ ୱେଷ୍ଟଇଣ୍ଡିଜ୍ କୁ ଭାରତୀୟ ଦଳ ଘରୋଇ ସିରିଜରେ ୩-୦ ରେ କ୍ଳିନ ସ୍ଵିପ କରିଥିଲା। ତା’ପରେ ୩ ମ୍ୟାଚ୍ ବିଶିଷ୍ଟ ସିରିଜରେ ଦକ୍ଷିଣ ଆଫ୍ରିକାକୁ ୨-୧ ରେ ପରାସ୍ତ କରିଛି। ଏହା ପରେ ୨୦୨୩ ମସିହାରେ ଶ୍ରୀଲଙ୍କା ଟି-୨୦ ସିରିଜରେ ୨-୧ ଏବଂ ଦିନିକିଆ ସିରିଜରେ ୩-୦ରେ ପରାସ୍ତ ହୋଇଥିଲା। ବର୍ତ୍ତମାନ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଉଥିବା ଦିନିକିଆ ସିରିଜରେ ଲଗାତାର ଦୁଇଟି ମ୍ୟାଚ୍ ଜିତି ଭାରତୀୟ ଦଳ ଏହି ସିରିଜକୁ ନିଜ ନାମରେ କରିଛି। ବର୍ତ୍ତମାନ ସିରିଜର ତୃତୀୟ ମ୍ୟାଚ୍ ଇନ୍ଦୋରରେ ଖେଳାଯିବ।

ଦିନିକିଆ ସିରିଜ୍ ପରେ ଭାରତୀୟ ଦଳ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ତିନୋଟି ଟି-୨୦ ମ୍ୟାଚ୍ ଖେଳିବ। ଏହି ସିରିଜ୍ ଜାନୁଆରୀ ୨୭ ତାରିଖ ଶୁକ୍ରବାର ଠାରୁ ଆରମ୍ଭ ହେବ। ଏଥି ସହିତ ସିରିଜର ଦ୍ୱିତୀୟ ମ୍ୟାଚ୍ ଜାନୁଆରୀ ୨୯ ତାରିଖରେ ଏବଂ ତୃତୀୟ ମ୍ୟାଚ୍ ଫେବୃଆରୀ ୧ ତାରିଖରେ ଖେଳାଯିବ।