Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଏମ୍ସ ଭୁବନେଶ୍ୱରରେ ବିରଳ ଗଳା କର୍କଟ ରୋଗର ଅଭିନବ ସଫଳ ଅସ୍ତ୍ରୋପଚାର

ଭୁବନେଶ୍ୱର: ବିକିରଣ (ରେଡିଏସନ୍) ଏବଂ କେମୋ ପ୍ରତିରୋଧୀ ବିରଳ ଗଳା କର୍କଟ (ଆଡେନଏଡ୍ ସିଷ୍ଟିକ୍ କାର୍ସିନୋମା) ଭଳି କୌଣସି ବିକଳ୍ପ ଚିକିତ୍ସା ପ୍ରକ୍ରିୟା ନଥିବା ପ୍ରାଣଘାତୀ ରୋଗରୁ ଜଣେ ଯୁବତୀଙ୍କୁ ରକ୍ଷା କରିବାକୁ ଯାଇ ଏମ୍ସ ଭୁବନେଶ୍ୱରର ଯୁବ ଡାକ୍ତର ଗୋଷ୍ଠୀଙ୍କ ଦ୍ବାରା ଅଭିନବ ଉପାୟରେ ଏକ ବିରଳ ଅସ୍ତ୍ରୋପଚାର ସଫଳତାର ସହିତ ସମ୍ପନ୍ନ ହୋଇଛି। ଜଗତସିଂହପୁର ଜିଲ୍ଲାର ୨୫ ବର୍ଷ ବୟସ୍କା ଜଣେ ଯୁବତୀ ପ୍ରାୟ ଏକ ବର୍ଷରୁ ଅଧିକ ହେବ ଏହି ବିରଳ ଗଳା କର୍କଟ ରୋଗରେ ପିଡ଼ୀତ ଥିଲେ। ଏମ୍ସକୁ ଆସିବା ପୂର୍ବରୁ ଉକ୍ତ ଯୁବତୀ ଜଣଙ୍କ ରାଜ୍ୟର ବିଭିନ୍ନ ହସ୍ପିଟାଲକୁ ଏହାର ଚିକିତ୍ସା ପାଇଁ ଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା।

ବାକ୍ଯନ୍ତ୍ର ଏବଂ ଖାଦ୍ୟନଳୀର ସଂଯୋଗସ୍ଥଳରେ ହୋଇଥିବା ଏହି ଟ୍ୟୁମର ଫଳରେ ଯୁବତୀଜଣଙ୍କ ଶ୍ବାସକ୍ରିୟା ଏବଂ କଥା କହିବାରେ ଭୀଷଣ ସମସ୍ୟାର ସମ୍ମୁଖୀନ ହେଉଥିଲେ। ତେବେ ବିକିରଣ ଏବଂ କେମୋ ପ୍ରତିରୋଧୀ ଏହି ବିରଳ କର୍କଟରୁ ଉପଶମ ଦେବା ତଥା ତାଙ୍କର ଜୀବନ ରକ୍ଷା କରିବାକୁ ଏମ୍ସ ଭୁବନେଶ୍ୱରର ଇଏନ୍ଟି ଏବଂ ଗ୍ୟାଷ୍ଟ୍ରୋସର୍ଜରୀ ବିଭାଗର ଯୁବଡାକ୍ତରମାନଙ୍କୁ ନେଇ ଗଠିତ ଏକ ଦଶଜଣିଆ ଡାକ୍ତରୀ ଦଳ ପ୍ରାୟ ୧୪ ଘଣ୍ଟା ଧରି ଏହି ଅସ୍ତ୍ରୋପଚାର କରିଥିଲେ।

ଇଏନ୍ଟି ବିଭାଗର ବିଶେଷଜ୍ଞ ଡାକ୍ତର ବାକ୍ଯନ୍ତ୍ର(ଭଏସ୍ ବକ୍ସ୍), ଶ୍ବାସନଳୀ ଓ ଖାଦ୍ୟନଳୀର ଉପର ଭାଗ ଏବଂ ଥାଇରଏଡ୍ ଗ୍ରନ୍ଥିର କିଛି ଅଂଶ ଅସ୍ତ୍ରୋପଚାର ଦ୍ବାରା ବାହାର କରିଥିଲେ।

ସେହିପରି ଗ୍ୟାଷ୍ଟ୍ରୋସର୍ଜରୀ ବିଶେଷଜ୍ଞ ବୃହଦ୍ନ୍ତ୍ର(କୋଲୋନ୍)ର ଏକ ଅଂଶକୁ କାଟି ବାହାର କରିବା ସହିତ ଏହାକୁ ଛାତି ମଧ୍ୟରେ ସ୍ତନ ହାଡ଼(ଷ୍ଟର୍ନମ୍) ତଳେ ଏବଂ ହୃତ୍ପିଣ୍ଡ ନିକଟରେ ଏକ କୃତ୍ରିମ ଟନେଲ୍ ସୃଷ୍ଟି କରି ଜିଭର ମୂଳ ସହିତ ପାକସ୍ଥଳୀକୁ ସଂଯୋଗ କରିଥିଲେ। ଏହି ପ୍ରକ୍ରିୟା ଦ୍ବାରା ଯୁବତୀଙ୍କର ଏକ ନୂତନ ଖାଦ୍ୟନଳୀ ସୃଷ୍ଟି କରାଯାଇପାରିଛି। ଏହି ଜଟିଳ ଏବଂ ବିରଳ କର୍କଟ ରୋଗର ଅଭିନବ ଉପାୟରେ ହୋଇଥିବା ଅସ୍ତ୍ରୋପଚାର ପରେ ରୋଗୀଙ୍କୁ ଆଇସିୟୁରେ ରଖାଯାଇଥିଲା। ଅସ୍ତ୍ରୋପଚାରର ଦୁଇ ମାସ ପରେ ଯୁବତୀଜଣଙ୍କ ବର୍ତ୍ତମାନ ସୁସ୍ଥ ଅନୁଭବ କରିବା ସହିତ ସ୍ବାଭାବିକ ଭାବେ ଶ୍ୱାସକ୍ରିୟା ସମ୍ପାଦନ କରିବା ଏବଂ ଖାଦ୍ୟ ଗ୍ରହଣ କରୁଛନ୍ତି। ଯାହାକି ଅସ୍ତ୍ରୋପଚାର କରିଥିବା ଡାକ୍ତରୀ ଦଳ ସହିତ ଯୁବତୀଙ୍କ ପରିବାରକୁ ଆନନ୍ଦିତ କରିଛି।

ଏପରି ଯନ୍ତ୍ରଣାଦାୟକ ପ୍ରାଣଘାତୀ କର୍କଟ ରୋଗର ସଫଳ ଅସ୍ତ୍ରୋପଚାରକୁ ନେଇ ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଏମ୍ସ ସର୍ବଦା ଏହିପରି ଆହ୍ବାନପୂର୍ଣ୍ଣ କାର୍ଯ୍ୟକୁ ସଫଳତାର ସହିତ କରିବା ନେଇ ପ୍ରତିଶ୍ରୁତିବଦ୍ଧ। ଏନେଇ ସମ୍ପୂର୍ଣ୍ଣ ଡାକ୍ତରୀ ଦଳଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଡ. ବିଶ୍ବାସ। ଆଗକୁ ମଧ୍ୟ ଏହିପରି ଜୀବନରକ୍ଷାକାରୀ କାର୍ଯ୍ୟ ଜାରି ରଖିବାକୁ ସେ ଉତ୍ସାହିତ କରିଛନ୍ତି।

ଇଏନ୍ଟି ବିଭାଗର ସହଯୋଗୀ ପ୍ରଫେସର୍ ଡ. ଦିଲ୍ଲୀପ କୁମାର ସାମଲ, ଗ୍ୟାଷ୍ଟ୍ୟୋସର୍ଜରୀ ବିଭାଗର ସହକାରୀ ପ୍ରଫେସର ଡ. ତନ୍ମୟ ଦତ୍ତ, ଜରୁରୀକାଳୀନ ବିଭାଗର (ନିଶ୍ଚେତକ) ସହକାରୀ ପ୍ରଫେସର୍ ଡ. ଅଜିତେଶ ସାହୁ ପ୍ରମୁଖ ଏହି ଅସ୍ତ୍ରୋପଚାରର ନେତୃତ୍ବ ନେଇଥିଲେ। ବରିଷ୍ଠ ଆବାସିକ ଡାକ୍ତର ଏବଂ ନର୍ସିଂ କର୍ମଚାରୀମାନେ ମଧ୍ୟ ଏହି ଅସ୍ତ୍ରୋପଚାରରେ ସହଯୋଗ କରିଥିଲେ। ଇଏନ୍ଟି ବିଭାଗର ମୁଖ୍ୟ ପ୍ରଫେସର୍ ପ୍ରଦୀପ୍ତ କୁମାର ପରିଡ଼ା ଏହି ଅସ୍ତ୍ରୋପଚାରର ନିରୀକ୍ଷଣ କରିଥିଲେ। ଭାରପ୍ରାପ୍ତ ଡିଡିଏ ରଶ୍ମୀ ରଂଜନ ସେଠୀ ଏପରି ସଫଳ ଅସ୍ତ୍ରୋପଚାର ନେଇ ଡାକ୍ତରୀ ଦଳକୁ ଅଭିନନ୍ଦନ ଜଣାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଏମ୍ସ ଭୁବନେଶ୍ୱରରେ ସଫଳ ଅସ୍ତ୍ରୋପଚାର: ଯୋଡ଼ା ହେଲା ସଂପୂର୍ଣ୍ଣ ଅଲଗା ହୋଇଯାଇଥିବା ବାମ ହାତ

ଭୁବନେଶ୍ୱର: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅଞ୍ଚଳର ଯୁବତୀ ବର୍ଷା ଦାସ(୨୫) ପୁଣି ଥରେ ସମ୍ପୂର୍ଣ୍ଣ ଛିଡ଼ି ଯାଇଥିବା ନିଜର ବାମ ହାତ ଫେରିପାଇଛନ୍ତି। ଏମ୍ସ ଭୁବନେଶ୍ୱର ଡାକ୍ତରଙ୍କ ଦ୍ୱାରା ଦୀର୍ଘ ୧୦ ଘଣ୍ଟାର କଠିନ ଅସ୍ତ୍ରୋପଚାର ପରେ ସଫଳତାର ସହିତ ଯୋଡ଼ା ହେଲା ସଂପୂର୍ଣ୍ଣ ଅଲଗା ହୋଇଯାଇଥିବା ବର୍ଷାଙ୍କ ବାମ ହାତ। ଚଳିତ ମାସ ୯ ତାରିଖ ରାତି ପ୍ରାୟ ୯ ଟା ସମୟରେ ଏମ୍ସ ଭୁବନେଶ୍ୱର ଜରୁରୀକାଳୀନ ବିଭାଗକୁ ଅତ୍ୟନ୍ତ ଗୁରୁତର ଅବସ୍ଥାରେ ଆସିଥିଲେ ଉକ୍ତ ଯୁବତୀ। ହସ୍ପିଟାଲ ଆସିବା ସମୟରେ ତାଙ୍କ ବାମ ହାତ ସମ୍ପୂର୍ଣ୍ଣ ଭାବରେ ଛିଡ଼ି ଯାଇଥିଲା। ଯୁବତୀଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ ଧାନ କୁଟା ମେସିନରେ କାମ କରୁଥିବା ବେଳେ ଅପରାହ୍ନ ପ୍ରାୟ ୪ଟା ସମୟରେ ଅସାବଧାନତାବଶତ ହାତ ପଶିଯିବା ସହିତ ଏହି ଅଘଟଣ ଘଟିଥିଲା। ପରେ ତାଙ୍କୁ ସ୍ଥାନୀୟ ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା ଯେଉଁଠାରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ଛିଡିଯାଇଥିବା ହାତର ଅଂଶକୁ ଏକ କପଡ଼ାରେ ଗୁଡ଼ାଇ ଏକ ବରଫ ଥଳୀରେ ରଖି ଏମ୍ସକୁ ଅଣାଯାଇଥିଲା।

ବର୍ଷାଙ୍କ ଅବସ୍ଥାକୁ ଦୃଷ୍ଟିରେ ରଖି ଡାକ୍ତରମାନେ ତୁରନ୍ତ ପ୍ରତିରୋପଣ କରିବାର ଯୋଜନା କରିଥଲେ। ବର୍ନସ୍ ଏବଂ ପ୍ଲାଷ୍ଟିକ ବିଭାଗ ମୁଖ୍ୟ ଡ. ସଞ୍ଜୟ ଗିରିଙ୍କ ନେତୃତ୍ବରେ ଅସ୍ଥିଶଲ୍ୟ ଏବଂ ନିଶ୍ଚେତକ ବିଭାଗର ଡ଼ାକ୍ତରମାନଙ୍କୁ ନେଇ ଏକ ଉଚ୍ଚ ସ୍ତରୀୟ ଟିମ୍ ଗଠନ କରାଯାଇ ହାତ ପ୍ରତିରୋପଣ ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏହି ଦଳରେ ବର୍ନସ୍ ଏବଂ ପ୍ଲାଷ୍ଟିକ ବିଭାଗର ଡ. ଶାନ୍ତନୁ ସୁବା, ଡ. ପ୍ରିୟଙ୍କା ପନ୍ତ, ଡ. ଆକାଂକ୍ଷା ରାଜପୁତ, ଡ. ବିଷ୍ଣୁ ପ୍ରମୁଖ ରହିଥିବା ବେଳେ ଅସ୍ଥିଶଲ୍ୟ ବିଭାଗରୁ ଡ. ନିଖିଲ ଏବଂ ଡ. ମନୋଜ, ନିଶ୍ଚେତକ ବିଭାଗରୁ ଡ. ଜୟନ୍ତ ମିତ୍ର, ଡ. ହୃଷୀକେଶ ଏବଂ ଡ. ଶୈଳଯା ସାମିଲ ଥିଲେ। ନର୍ସିଂ ଅଧିକାରୀ ବାବୁଲାଲ ଏବଂ ଜସୱନ୍ତ ସିଂ ପ୍ରମୁଖ ସହଯୋଗ କରିଥିଲେ।

ପ୍ରଥମେ, ଡାକ୍ତରୀ ଦଳ ଫ୍ରିଜରୁ କଟାଯାଇଥିବା ହାତକୁ ବାହାରକରିବା ସହିତ ବେଞ୍ଚ ଡିସେକସନ କରାଯାଇଥିଲା। ସମସ୍ତ ଗୁରୁତ୍ୱପୂର୍ଣ୍ଣ ଶୀରା ପ୍ରଶିରାକୁ ଚିହ୍ନଟ କରାଯାଇ ରୋଗୀକୁ ଅସ୍ତ୍ରୋପଚାର ଗୃହକୁ ନିଆଯାଇ ଥିଲା। ଧମନୀ, ଶୀରା ପ୍ରସିରା ଆଦିକୁ ଅତ୍ୟନ୍ତ ସତର୍କତାର ସହିତ ସଂଯୋଗ କରାଯିବା ପରେ ହାଡ଼, ମାଂସପେଶୀ ଆଦି ଯୋଡ଼ା ଯାଇଥିଲା। ପରେ ଶିରା ସହିତ ଧମନୀ ରକ୍ତ ସଞ୍ଚାଳନ ସ୍ଥାପିତ ହୋଇଥିଲା ଏବଂ ତା’ପରେ ଦୁଇଟି ପ୍ରମୁଖ ସ୍ନାୟୁ ଯାହା ମାଂସପେଶୀ ଏବଂ ଚର୍ମ ସହିତ ସଂଯୋଗ କରାଯାଇଥିଲା ବୋଲି ଡାକ୍ତର ସଞ୍ଜୟ ଗିରି  ପ୍ରକାଶ କରିଛନ୍ତି।

ସକାଳ ୮ଟା ପର୍ଯ୍ୟନ୍ତ ଅସ୍ତ୍ରୋପଚାର ଚାଲିଥିଲା ଏବଂ ପରେ ରୋଗୀଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା। ଅସ୍ତ୍ରୋପଚାରର ପ୍ରାୟ ଦୁଇ ସପ୍ତାହ ପରେ ବର୍ତ୍ତମାନ ବର୍ଷାଙ୍କର ହାତରେ ରକ୍ତ ସଂଚାଳନ କରୁଛି। ଯାହାକି ବେଶ୍ ଖୁସିର ବିଷୟ ବୋଲି ଡ. ଗିରି ପ୍ରକାଶ କରିଛନ୍ତି। ଆଜି ୱାର୍ଡରେ ଯୁବତୀଙ୍କୁ ସାକ୍ଷାତ କରିଥଲେ ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ। ଡାକ୍ତରୀ ଦଳର ସାହସିକ କାର୍ଯ୍ୟ ଏବଂ ଯୁବତୀଙ୍କ ଧର୍ଯ୍ୟକୁ ପ୍ରଶଂସା କରିଥିଲେ ଡ. ବିଶ୍ୱାସ। ଅନ୍ୟମାନଙ୍କ ମଧ୍ୟରେ ମେଡିକାଲ୍ ଅଧୀକ୍ଷକ ଡ. ଏସ୍ ଏନ ମହାନ୍ତି, ଭାରପ୍ରାପ୍ତ ଡିଡିଏ ରଶ୍ମି ରଂଜନ ସେଠୀ ପ୍ରମୁଖ ମଧ୍ୟ ଡାକ୍ତରମାନଙ୍କୁ ପ୍ରଶଂସା କରିଥିଲେ।

ଧୀରେ ଧୀରେ ଫିଜିଓଥେରାପି ଏବଂ ଅନ୍ୟାନ୍ୟ ଚିକିତ୍ସା ପଦ୍ଧତି ସହାୟତାରେ ପ୍ରାୟ ୩-୪ ମାସ ମଧ୍ୟରେ ଏହି ଆଙ୍ଗୁଠି ସ୍ବାଭାବିକ କାମ କରିବା ଆରମ୍ଭ କରିବ। ଡକ୍ଟର ଗିରିଙ୍କ କହିବା ଅନୁଯାୟୀ ଏପରି ଜଟିଳ ପରିସ୍ଥିତିରେ ପ୍ରଥମ ଛଅ ଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯେତେବେଳେ ଏପରି ଘଟଣା ଘଟେ, ସେତେବେଳେ କଟି ସମ୍ପୂର୍ଣ୍ଣ ଅଲଗା ହୋଇଯାଇଥିବା ଅଂଶକୁ ଏକ ଗଜ୍ କନା କିମ୍ବା କପଡାରେ ଗୁଡ଼ାଇବା ସହିତ ଏକ ପଲିଥିନ୍‌ରେ ରଖିବା ଉଚିତ୍‌। ସଙ୍ଗେସଙ୍ଗେ ଉକ୍ତ ପଲିଥିନ୍‌କୁ ଏକ ବରଫ ଚାମ୍ବରରେ ସଠିକ୍ ଭାବରେ ସଂରକ୍ଷିତ କରି ରଖିବା ଉଚିତ୍। ଅଲଗା ହୋଇଯାଇଥିବା ଅଙ୍ଗକୁ ସିଧାସଳଖ ବରଫରେ ରଖାଯିବା ଉଚିତ୍ ନୁହେଁ। ଏହାପରେ ତୁରନ୍ତ ରୋଗୀଙ୍କୁ ହସ୍‌ପିଟାଲ ଆଣିବା ଆବଶ୍ୟକ ବୋଲି ଡ. ଗିରି ମତ ପ୍ରକାଶ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଲାପ୍ରୋସ୍କୋପିକ ପଦ୍ଧତିରେ କିଡ଼ନୀ କାଢିବା ପରେ ସଫଳ ହେଲା ପ୍ରତ୍ୟାରୋପଣ

ଭୁବନେଶ୍ୱର: ଅସୁସ୍ଥ ଝିଅକୁ କିଡ଼ନୀ ପ୍ରଦାନ କରି ପୁନର୍ଜନ୍ମ ଦେଲା ଜନ୍ମକଲା ମା’। ସମ ଅଲଟିମେଟ ମେଡିକେୟାରରେ ସଫଳ ଅସ୍ତ୍ରୋପଚାର ଫଳରେ ସୁସ୍ଥ ହୋଇପାରିଛନ୍ତି ଜଣେ ଯୁବତୀ।

ସମ୍ପୃକ୍ତ ଯୁବତୀ ଜଣକଙ୍କର ଦୁଇଟି କିଡ଼ନୀ ସମ୍ପୂର୍ଣ ଭାବେ ଅକାମି ହୋଇ ପଡ଼ିଥିବା ବେଳେ ଚିକିତ୍ସା ନିମନ୍ତେ ଗତବର୍ଷ ନଭେମ୍ବର ମାସରେ ସେ ସମ ଅଲଟିମେଟ ମେଡ଼ିକେଆରରେ ଭର୍ତ୍ତି ହୋଇଥିଲେ। ସମ୍ମମରେ ନେଫରୋଲୋଜି ବିଭାଗର କନ୍ସଲଟାଣ୍ଟ ଡାକ୍ତର ତାପସ ରଞ୍ଜନ ବେହେରାଙ୍କ ଅଧୀନରେ ଚିକିତ୍ସା ଆରମ୍ଭ ହେବାପରେ ସ୍ୱାସ୍ଥ୍ୟ ଅବସ୍ଥାକୁ ଦେଖି ତାଙ୍କର ସପ୍ତାହକୁ ଦୁଇ ଥର ଡାଏଲିସୀସ ଆରଂଭ କରାଯାଇଥିଲା।  ତେବେ ପରବର୍ତ୍ତୀ ପର୍ଯାୟରେ କିଡ଼ନୀ ପ୍ରତ୍ୟାରୋପଣର ନିଷ୍ପତି ନିଆଯାଇଥିଲା ବୋଲି ଡାକ୍ତର ବେହେରା ସୂଚନା ଦେଇଛନ୍ତି।

ଝିଅର ଜୀବନ ବଞ୍ଚାଇବା ପାଇଁ ନିଜ କିଡ଼ନୀ ଦେବା ନିମନ୍ତେ ଇଛା ପ୍ରକାଶ କରିଥିଲେ ସମ୍ପୃକ୍ତ ଯୁବତୀଙ୍କ ମା’। କିଡ଼ନୀ ପ୍ରତ୍ୟାରୋପଣ ର ସମସ୍ତ ପ୍ରସ୍ତୁତି ପରେ ମା’ଙ୍କ ଶରୀରରୁ ଲାପ୍ରୋସ୍କୋପିକ ପଦ୍ଧତିରେ କିଡ଼ନୀ କଢ଼ାଯାଇ ଯୁବତୀଙ୍କ ଶରୀରରେ ପ୍ରତ୍ୟାରୋପଣ କରାଯାଇଥିଲା।

ଏହି ସମ୍ପୂର୍ଣ୍ଣ ପ୍ରତ୍ୟାରୋପଣ ପଦ୍ଧତି ପରିଚାଳନା କରିଥିଲେ ୟୁରୋଲୋଜି ବିଭାଗର କନ୍ସଲଟାଣ୍ଟ ଡାକ୍ତର ପ୍ରିୟବ୍ରତ ଦାସ।

ଏହି ବିରଳ ଲାପ୍ରୋସ୍କୋପିକ ପଦ୍ଧତି ଦ୍ୱାରା ଡୋନରଙ୍କୁ ବିଶେଷ ଭାବେ କଷ୍ଟ ହୁଏ ନାହିଁ, ଶରୀରରେ କୌଣସି ଦାଗ ରହେ ନାହିଁ ଓ ସେ ଦୁଇ ତିନି ଦିନ ମଧ୍ୟରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ପାରିଥିଲେ ବୋଲି ଡାକ୍ତର ଦାସ କହିଛନ୍ତି।

ତେବେ ଯୁବତୀଙ୍କ ଶରୀରରେ ସାଧାରଣ ଭାବେ ଅସ୍ତ୍ରୋପଚାର ମାଧ୍ୟମରେ କିଡ଼ନୀ ପ୍ରତ୍ୟାରୋପଣ କରାଯାଇଛି। ଡୋନରଙ୍କ ଠାରୁ କିଡ଼ନୀ ଅଣାଯିବା ଓ ରୋଗୀଙ୍କ ଶରୀରରେ ପ୍ରତ୍ୟାରୋପଣ ପ୍ରକ୍ରିୟା ୪ ରୁ ୫ ଘଣ୍ଟାରେ ସମ୍ପୂର୍ଣ୍ଣ ହୋଇଥିବା ସେ ସୂଚନା ଦେଇଛନ୍ତି।

ଯୁବତୀ ଜଣକ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ହସ୍ପିଟାଲରୁ ଶୁକ୍ରବାର ଡିସ୍ଚାର୍ଜ ହୋଇଛନ୍ତି। ଏହି ପ୍ରକ୍ରିୟା ଏକ ଟିମ ପ୍ରଚେଷ୍ଟା ଫଳରେ ସମ୍ଭବ ହୋଇପାରିଛି। ଏହା ନେଫ୍ରୋଲୋଜି, ୟୁରୋଲୋଜି, ଅନେସଥେସିଆ ଟିମ, ଓଟି ଷ୍ଟାଫ ଓ ଟ୍ରାନ୍ସ ପ୍ଲାଣ୍ଟ କୋଅର୍ଡିନେଟର ଙ୍କ ସହଯୋଗ ଦ୍ୱାରା ସମ୍ଭବ ହୋଇପାରିଛି ବୋଲି ଉଭୟ ଡାକ୍ତର।

ଝିଅ ସୁସ୍ଥ ହେବା ପରେ ସମ୍ମମ ଓ ଦୁଇ ଡାକ୍ତରଙ୍କୁ କୃତଜ୍ଞତା ଜଣାଇଛନ୍ତି ଯୁବତୀଙ୍କ ମା’।