Categories
ବିଶେଷ ଖବର

ଭୋପାଳରେ ହେବ ‘ଇଣ୍ଡିଆ’ ମେଣ୍ଟର ପ୍ରଥମ ରାଲି, ସମନ୍ୱୟ କମିଟି ବୈଠକରେ ବଡ ନିଷ୍ପତ୍ତି

ନୂଆଦିଲ୍ଲୀ: ‘ଇଣ୍ଡିଆ’ ମେଣ୍ଟର ପ୍ରଥମ ରାଲି ଭୋପାଳରେ ଅନୁଷ୍ଠିତ ହେବ। ଶରଦ ପାୱାରଙ୍କ ନୂଆଦିଲ୍ଲୀ ଆବାସରେ ଅନୁଷ୍ଠିତ ସମନ୍ୱୟ କମିଟିର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଚଳିତ ବର୍ଷ ଶେଷରେ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଶରଦ ପାୱାରଙ୍କ ବ୍ୟତୀତ କଂଗ୍ରେସର କେସି ଭେନୁଗୋପାଲ, ଡିଏମକେର ଟିଆର ବାଲୁ, ରାଷ୍ଟ୍ରିୟ ଜନତା ଦଳର ତେଜସ୍ୱୀ ଯାଦବ, ଜନତା ଦଳ (ୟୁନାଇଟେଡ) ର ସଞ୍ଜୟ ଝା, ଆମ୍ ଆଦମୀ ପାର୍ଟିର ରାଘବ ଚଢା, ଶିବସେନା (ୟୁବିଟି) ସଞ୍ଜୟ ରାଉତ, ଏନସିର ଓମାର ଅବଦୁଲ୍ଲା, ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (ପିଡିପି) ର ମେହବୁବା ମୁଫତି ଏବଂ ଅନ୍ୟ କେତେକ ନେତା ଏଥିରେ ସାମିଲ ହୋଇଛନ୍ତି। ନିକଟରେ ମୁମ୍ବାଇରେ ‘ଇଣ୍ଡିଆ’ ମେଣ୍ଟର ସହଯୋଗୀ ଦଳର ନେତାଙ୍କ ବୈଠକରେ ୧୪ ଜଣିଆ ସମନ୍ୱୟ କମିଟି ଗଠନ କରାଯାଇ ମେଣ୍ଟର ଭବିଷ୍ୟତ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରାଯାଇଥିଲା।

ଏହି ବୈଠକ ପରେ କଂଗ୍ରେସର ସାଧାରଣ ସମ୍ପାଦକ କେ ଭେନୁଗୋପାଲ କହିଛନ୍ତି ଯେ, ଦେଶର ବିଭିନ୍ନ ସ୍ଥାନରେ ମିଳିତ ଜନ ସମାବେଶ କରିବାକୁ କମିଟି ନିଷ୍ପତ୍ତି ନେଇଛି। ଅକ୍ଟୋବର ପ୍ରଥମ ସପ୍ତାହରେ ଭୋପାଳରେ ମୂଲ୍ୟ ବୃଦ୍ଧି, ବେକାରୀ ଏବଂ ଦୁର୍ନୀତି ପ୍ରସଙ୍ଗରେ ପ୍ରଥମ ମିଳିତ ଜନ ସମାବେଶ ଅନୁଷ୍ଠିତ ହେବ। ଏହା ସହଆସନ ବଣ୍ଟନ ନିଷ୍ପତ୍ତି ପ୍ରକ୍ରିୟା ଆରମ୍ଭ କରିବାକୁ ସମନ୍ୱୟ କମିଟି ନିଷ୍ପତ୍ତି ନେଇଛି। ସଦସ୍ୟ ଦଳ ଆଲୋଚନା କରିବେ ଏବଂ ଯଥାଶୀଘ୍ର ନିଷ୍ପତ୍ତି ନିଆଯିବ।

Categories
ବିଶେଷ ଖବର

ଜି୨୦ ଅଧ୍ୟକ୍ଷତା ଉପରେ ୬ଷ୍ଠ ସମନ୍ୱୟ କମିଟି ବୈଠକରେ ଅଧ୍ୟକ୍ଷତା କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

ନୂଆଦିଲ୍ଲୀ: ଭାରତର ଜି -୨୦ ଅଧ୍ୟକ୍ଷତା ଉପରେ ଷଷ୍ଠ ସମନ୍ୱୟ କମିଟିର ବୈଠକ ସୋମବାର ଦିନ ନୂଆଦିଲ୍ଲୀର ପ୍ରଗତି ମଇଦାନ ସ୍ଥିତ ଆନ୍ତର୍ଜାତୀୟ ପ୍ରଦର୍ଶନୀ ଏବଂ ସମ୍ମିଳନୀ କକ୍ଷ (ଆଇଇସିସି) ରେ ଅନୁଷ୍ଠିତ ହୋଇଥିଲା। ଭାରତର ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ.ମିଶ୍ର ୯ ଓ ୧୦ ସେପ୍ଟେମ୍ବର, ୨୦୨୩ ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଜି -୨୦ ସମ୍ମିଳନୀ ସହ ଜଡିତ ପ୍ରସ୍ତୁତିର ସମୀକ୍ଷା କରିଥିଲେ।

ଏହି ପରିପ୍ରେକ୍ଷୀରେ, ସମ୍ମିଳନୀ ସ୍ଥଳରେ ପ୍ରୋଟୋକଲ୍‌, ସୁରକ୍ଷା, ବିମାନବନ୍ଦର ସହିତ ସମନ୍ୱୟ, ଗଣମାଧ୍ୟମ, ଭିତ୍ତିଭୂମି ନବୀକରଣ ଏବଂ ଦିଲ୍ଲୀ ଏବଂ ପଡୋଶୀ ରାଜ୍ୟଗୁଡିକର ସ୍ଥିତି ଇତ୍ୟାଦି ସମ୍ବନ୍ଧରେ ସମସ୍ତ ପ୍ରସ୍ତୁତିର ସମୀକ୍ଷା କରାଯାଇଛି। ଡକ୍ଟର ମିଶ୍ର ସମସ୍ତ ବିଭାଗକୁ ଭେଟିବା ସହିତ ଜି୨୦ ଶିଖର ସମ୍ମିଳନୀକୁ ସଫଳ କରିବା ପାଇଁ ଏକ ‘ସମ୍ପୂର୍ଣ୍ଣ ସରକାର’ ଆଭିମୁଖ୍ୟରେ କାର୍ଯ୍ୟ କରିବାକୁ କହିଛନ୍ତି।

କମିଟି ସଦସ୍ୟମାନେ ବିଭିନ୍ନ ବୈଠକ ପାଇଁ ପ୍ରସ୍ତାବିତ ସ୍ଥାନଗୁଡିକ ପରିଦର୍ଶନ କରିଥିଲେ ଏବଂ ସମସ୍ତ ସୂଚନା ବିସ୍ତୃତ ଭାବେ ଉପସ୍ଥାପନ କରିଥିଲେ। ଡ୍ରାଏ ରନ୍ / ମକ୍ ଏକ୍ସରସାଇଜ କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି ଯାହା ଦ୍ୱାରା ବିଭିନ୍ନ ସଂସ୍ଥାଗୁଡିକ ନିରନ୍ତର ଭାବରେ କାର୍ଯ୍ୟ କରିବେ। କମିଟି ଆଗାମୀ ଜି -୨୦ ଶିଖର ସମ୍ମିଳନୀ ପାଇଁ ବିଭିନ୍ନ ପ୍ରସ୍ତୁତି ଦିଗରେ କାର୍ଯ୍ୟ ପାଇଁ ମାର୍ଗଦର୍ଶନ ଏବଂ ନିର୍ଦ୍ଦେଶନାମା ପ୍ରଦାନ କରିଛି ଏବଂ ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ପୁନଃ ସମୀକ୍ଷା ପାଇଁ ପୁଣି ଥରେ ଡକାଇବାକୁ ନିଷ୍ପତ୍ତି ନେଇଛି।

ସମନ୍ୱୟ କମିଟିର ବୈଠକ ଏପର୍ଯ୍ୟନ୍ତ ଅନୁଷ୍ଠିତ ଜି୨୦ ବୈଠକ ଏବଂ ଭାରତର ଜି୨୦ ଅଧ୍ୟକ୍ଷତାରେ ଧାର୍ଯ୍ୟ ଅବଶିଷ୍ଟ ବୈଠକର ସମୀକ୍ଷା ପାଇଁ ଏକ ସୁଯୋଗ ପ୍ରଦାନ କରିଛି। କମିଟି ଉଲ୍ଲେଖ କରିଛି ଯେ ଭାରତର ଜି -୨୦ ଅଧ୍ୟକ୍ଷତା ପାଇଁ ଏହା ଆଜି ପର୍ଯ୍ୟନ୍ତ ଦେଶର ୫୫ ଟି ବିଭିନ୍ନ ସ୍ଥାନରେ ୧୭୦ ଟି ବୈଠକ ଆୟୋଜନ କରିଛି। ୨୦୨୩ ଜୁଲାଇ ଏବଂ ଅଗଷ୍ଟ ମାସରେ ଅନେକ ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।

ଜି -୨୦ ର ଭାରତର ଅଧ୍ୟକ୍ଷତା ସହ ଜଡିତ ସମସ୍ତ ପ୍ରସ୍ତୁତି ତଥା ବ୍ୟବସ୍ଥାର ତଦାରଖ କରିବାକୁ କ୍ୟାବିନେଟ୍ ଦ୍ୱାରା ସମନ୍ୱୟ କମିଟିକୁ ଅନୁମତି ଦିଆଯାଇଛି। ଆଜି ପର୍ଯ୍ୟନ୍ତ ସମନ୍ୱୟ କମିଟିର ପାଞ୍ଚଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହା ବ୍ୟତୀତ ଭାରତର ଜି -୨୦ ଅଧ୍ୟକ୍ଷତା ସହ ଜଡିତ ର୍ନିଦ୍ଦିଷ୍ଟ ମହତ୍ତ୍ୱପୂର୍ଣ୍ଣ ତଥା କାର୍ଯ୍ୟକ୍ରମର ପରିଚାଳନା ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ଅନେକ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏହି ବୈଠକରେ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ବରିଷ୍ଠ ଅଧିକାରୀମାନଙ୍କ ମଧ୍ୟରେ ଏନଏସଏ, ଅଜିତ ଡୋଭାଲ, ଦିଲ୍ଲୀର ଲେଫନାଣ୍ଟ  ଗଭର୍ଣ୍ଣର ଭି.କେ. ସାକସେନା,  କ୍ୟାବିନେଟ୍‍ ସଚିବ ଶ୍ରୀ ରାଜୀବ ଗୌବା ପ୍ରମୁଖ ଉପସ୍ଥିତ ଥିଲେ।