ନୂଆଦିଲ୍ଲୀ: ଲୋକସଭାରେ ତ୍ରିଭୁବନ ସମବାୟ ବିଶ୍ୱବିଦ୍ୟାଳୟ ବିଧେୟକ, ୨୦୨୫ ଉପରେ ଆଲୋଚନାର ଉତ୍ତର ଦେଇ କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ, ନିକଟ ଭବିଷ୍ୟତରେ ସମବାୟ ଟ୍ୟାକ୍ସି ସେବା ଆରମ୍ଭ ହେବ, ଯେଉଁଥିରେ ଦୁଇଚକିଆ ଯାନ, ଟ୍ୟାକ୍ସି, ରିକ୍ସା ଏବଂ ଚାରିଚକିଆ ଯାନର ପଞ୍ଜୀକରଣ ସମ୍ଭବ ହେବ ଏବଂ ଏହାର ଲାଭ ସିଧାସଳଖ ଡ୍ରାଇଭରଙ୍କୁ ମିଳିବ।
“ସହଯୋଗ ରୁ ସମୃଦ୍ଧି”ର ନୀତି ଆଧାରରେ ଏକ ସମବାୟ ଟ୍ୟାକ୍ସି ସେବା ଇଚ୍ଛୁକ ଡ୍ରାଇଭରଙ୍କ ଦ୍ୱାରା ଗଠନ କରାଯିବ ଏବଂ ଏହାର ପରିଚାଳନା ଦାୟିତ୍ୱ ଏହାର ସଦସ୍ୟଙ୍କ ହାତରେ ରହିବ।
ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ସମସ୍ତ ସଦସ୍ୟଙ୍କ ସକ୍ରିୟ ଅଂଶଗ୍ରହଣ ଦ୍ୱାରା ଗଣତାନ୍ତ୍ରିକ ପରିଚାଳନା ସୁନିଶ୍ଚିତ କରିବା ଏବଂ ଏଭଳି ସମବାୟ ଟ୍ୟାକ୍ସି ସୋସାଇଟି ଦ୍ୱାରା ଅର୍ଜିତ ଲାଭକୁ ଟ୍ୟାକ୍ସି ଡ୍ରାଇଭରମାନଙ୍କ ମଧ୍ୟରେ ସମାନ ଭାବରେ ବଣ୍ଟନ କରିବା। ଏଭଳି ପଦକ୍ଷେପ ସାମଗ୍ରୀକ ସମୃଦ୍ଧି ଆଣିବ ଏବଂ ଟ୍ୟାକ୍ସି ଡ୍ରାଇଭର/ସମବାୟ ସମିତିର ସଦସ୍ୟମାନଙ୍କ ଆୟ, କାର୍ଯ୍ୟସ୍ଥିତି ଏବଂ ଜୀବନ ଧାରଣର ମାନରେ ସୁଧାର ସହ ଉପଭୋକ୍ତାଙ୍କୁ ଉନ୍ନତ ସେବା ପ୍ରଦାନ କରିବ।
ସହକାର ବା ସହଯୋଗ ଏମିତି ଏକ ସିଦ୍ଧାନ୍ତ ଯେଉଁଥିରେ ଲୋକମାନେ ସ୍ୱଇଚ୍ଛାରେ ଏକତ୍ରିତ ହୋଇ ଏକ ଗୋଷ୍ଠୀ ଗଠନ କରନ୍ତି, ଯାହା ପାରସ୍ପରିକ ଲାଭ ଏବଂ ସମାନ ଭାବରେ ଅର୍ଥନୈତିକ ସ୍ୱାର୍ଥ ଉପରେ ପର୍ଯ୍ୟବସିତ। ସହକାରୀ ଅର୍ଥନୈତିକ ସମବାୟ ମଡେଲ୍ ଏହାର ସଦସ୍ୟମାନଙ୍କ ପାଇଁ ଅଧିକ ଫଳପ୍ରଦ ପ୍ରମାଣିତ ହୋଇଛି, ଯାହା ଅଧିକ ସମୃଦ୍ଧ ଏବଂ ଅମୁଲ ଭଳି ସମସ୍ତଙ୍କ ପାଇଁ ସମାବେଶୀ ବିକାଶ ଆଣିବାରେ ସମର୍ଥ।
ସରକାର ଦେଶର ସମନ୍ୱିତ ବିକାଶ ପାଇଁ ପୂର୍ବରୁ ଷ୍ଟାର୍ଟଅପ୍ ଏବଂ ଅନ୍ୟ ଉଦ୍ୟୋଗଗୁଡ଼ିକୁ ପ୍ରୋତ୍ସାହିତ ଏବଂ ସହାୟତା କରିଛନ୍ତି। ଭାରତରେ ୮ ଲକ୍ଷରୁ ଅଧିକ ସମବାୟ ସଂସ୍ଥା ରହିଛି, ଯେଉଁଥିରେ ପାଖାପାଖି ୩୦ଟି ଭିନ୍ନ ଭିନ୍ନ କ୍ଷେତ୍ରରେ ୩୦ କୋଟି ସଦସ୍ୟଙ୍କୁ ସେବା ଯୋଗାଉଛନ୍ତି।
ଏହି ସମବାୟ ସମିତିଗୁଡ଼ିକ ଆତ୍ମନିର୍ଭରଶୀଳତା, ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଏବଂ ଗ୍ରାମୀଣ ବିକାଶକୁ ପ୍ରୋତ୍ସାହିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତି, ବିଶେଷକରି କୃଷି, ଦୁଗ୍ଧ, ମତ୍ସ୍ୟ ଚାଷ, ବ୍ୟାଙ୍କିଙ୍ଗ୍, ଗୃହ ନିର୍ମାଣ, ଖାଉଟି ସେବା, ଶ୍ରମ କ୍ଷେତ୍ରରେ ବିକାଶ, ଚିନି ଆଦି କ୍ଷେତ୍ରରେ ସେବା ଯୋଗାଇଥାନ୍ତି। ଏହି ସମବାୟ ସମିତିଗୁଡ଼ିକ ଘରୋଇ ଉଦ୍ୟୋଗ ସମେତ ଅନ୍ୟାନ୍ୟ ସଂସ୍ଥା ସହିତ ବଜାରରେ ପ୍ରତିଦ୍ୱନ୍ଦ୍ୱିତା କରନ୍ତି।
ସମବାୟ ସଂସ୍ଥାଗୁଡ଼ିକ ସମ୍ପୃକ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ସମବାୟ ଆଇନ ଏବଂ ସମିତି ଅଧୀନରେ ପଞ୍ଜୀକୃତ ହୋଇଥାଏ, ଏବଂ ଯେଉଁ ସଂସ୍ଥା ଏକାଧିକ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ କାର୍ଯ୍ୟ କରନ୍ତି ସେଗୁଡ଼ିକ ବହୁ ରାଜ୍ୟ ସହକାରୀ ସଂସ୍ଥା ଆଇନ ଅଧୀନରେ ପଞ୍ଜୀକୃତ ହୋଇଥାଏ।