Categories
ବିଶେଷ ଖବର

୫୦ରେ ପହଞ୍ଚିଲା ଏକନାଥ ସିନ୍ଦେଙ୍କ ସମର୍ଥିତ ବିଧାୟକଙ୍କ ସଂଖ୍ୟା, ମୁଖ୍ୟମନ୍ତ୍ରୀ ଡାକିଲେ ଜରୁରୀକାଳୀନ ବୈଠକ

ମୁମ୍ବାଇ: ବରିଷ୍ଠ ନେତା ଏକନାଥ ସିନ୍ଦେଙ୍କ ବିଦ୍ରୋହ ପରେ ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। କୁହାଯାଉଛି କି ସିନ୍ଦେଙ୍କୁ ସମର୍ଥନ କରୁଥିବା ବିଧାୟକଙ୍କ ସଂଖ୍ୟା ପ୍ରାୟ ୫୦ ରେ ପହଞ୍ଚିଛି ଏବଂ ଏହା ଶୀଘ୍ର ୫୦ ଅତିକ୍ରମ କରିପାରେ। ଅନ୍ୟପକ୍ଷରେ, ଶିବସେନାର ୩୭ ଜଣ ବିଧାୟକ ତାଙ୍କୁ ସମର୍ଥନ କରୁଛନ୍ତି ବୋଲି ସିନ୍ଦେ ଦାବି କରିଛନ୍ତି।

ଏନସିପି ଏବଂ କଂଗ୍ରେସ ସହ ମେଣ୍ଟ ଭାଙ୍ଗି ବିଜେପି ସହ ଶିବସେନା ମିଳିତ ସରକାର ଗଠନ କରିବାକୁ ସିନ୍ଦେ ସମର୍ଥନଙ୍କ ଦାବି ହେଉଛି। ତେବେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଦାବି ଗ୍ରହଣ କରିବାକୁ ମନା କରି ଦେଇଛନ୍ତି। ସଦ୍ୟତମ ସୂଚନା ଅନୁଯାୟୀ, ସିନ୍ଦେଙ୍କ ନିକଟରେ ୩୭ ଜଣ ଶିବସେନା ବିଧାୟକ, ପ୍ରହର ଜନକ୍ଷେତ୍ର ପାର୍ଟି (ପିଜେପି) ର ୨ ଜଣ ବିଧାୟକ ଏବଂ ୯ ଜଣ ସ୍ଵାଧୀନ ବିଧାୟକଙ୍କ ସମର୍ଥନ ରହିଛି। ବର୍ତ୍ତମାନ ସିନ୍ଦେଙ୍କ ସହ ଗୁଆହାଟୀର ହୋଟେଲ ରେଡିସନରେ ୪୮ ଜଣ ବିଧାୟକ ଉପସ୍ଥିତ ଅଛନ୍ତି। ସୂଚନା ଅନୁଯାୟୀ, ଶିବସେନାର ଆଉ ୩ ଏବଂ ୫ ସ୍ଵାଧୀନ ବିଧାୟକ ଶୀଘ୍ର ଗୁଆହାଟିରେ ପହଞ୍ଚି ସିନ୍ଦେଙ୍କୁ ସମର୍ଥନ କରିପାରନ୍ତି।

ଏହା ବ୍ୟତୀତ ଥାନେ ମ୍ୟୁନିସିପାଲିଟି କର୍ପୋରେସନର ୬୦ କର୍ପୋରେଟର ଏକନାଥ ସିନ୍ଦେଙ୍କୁ ସମର୍ଥନ କରୁଛନ୍ତି। ପ୍ରକାଶ ଯୋଗ୍ୟ ଯେ ଗତ ତିନି ଦଶନ୍ଧି ଧରି ଥାନେ ମ୍ୟୁନିସିପାଲିଟି କର୍ପୋରେସନରେ ଶିବସେନା କ୍ଷମତାରେ ଅଛି। ସୂଚନାନୁସାରେ, ଆସନ୍ତା ସ୍ଥାନୀୟ ନିର୍ବାଚନକୁ ଦୃଷ୍ଟିରେ ରଖି ଶିବସେନା କର୍ପୋରେଟରଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରୁଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ ୬୦ ଜଣଙ୍କ ସହ ସମ୍ପର୍କ ହୋଇପାରିଲା ନାହିଁ। ଯଦି ଆମେ ସମସ୍ତ ଘଟଣାକ୍ରମକୁ ଦେଖିବା, ତେବେ ମହାରାଷ୍ଟ୍ରରେ ଉଦ୍ଧବ ଠାକରେଙ୍କ ସରକାର ଭାଙ୍ଗୁଥିବା ଦେଖାଯାଉଛି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସମସ୍ତ ଚେଷ୍ଟା ସତ୍ତ୍ୱେ ସିନ୍ଦେ ତାଙ୍କ କଥା ଶୁଣିବାକୁ ପ୍ରସ୍ତୁତ ନୁହଁନ୍ତି। ଏଭଳି ପରିସ୍ଥିତିରେ ଉଦ୍ଧବ ଠାକରେ ଆଜି ମଧ୍ୟାହ୍ନ ୧୨.୩୦ ରେ ମୁମ୍ବାଇର ଶିବସେନା ଭଗବନ୍ ଠାରେ ଏକ ବୈଠକ ଡାକିଛନ୍ତି। ଦଳର ସମସ୍ତ ପ୍ରତିଷ୍ଠିତ ନେତାଙ୍କୁ ଏହି ସଭାରେ ଯୋଗଦେବାକୁ କୁହାଯାଇଛି।