Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ସମଲେଇ ଯୋଜନାର ଥଇଥାନ ଓ ପୁନର୍ବାସ ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ,ଜାଣିଲେ ଖୁସି ହେବେ

ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମଲେଇ ବିକାଶ ଯୋଜନା ଅନ୍ତର୍ଗତ ଥଇଥାନ ଓ ପୁନର୍ବାସ ପ୍ୟାକେଜକୁ ଅନୁମୋଦନ କରିଛନ୍ତି। ଏଥିରେ ଉଭୟ ସରକାରୀ ଓ ବେସରକାରୀ ଜମିରେ ଘର ବା ଦୋକାନ କରିଥିବା ଲୋକଙ୍କ ପାଇଁ ସଂପୂର୍ଣ୍ଣ ଥଇଥାନ ବ୍ୟବସ୍ଥା କରାଯାଇଛି। ପ୍ୟାକେଜକୁ ଅନୁମୋଦନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମା ସମଲେଶ୍ବରୀଙ୍କ କ୍ଷେତ୍ରର ଉନ୍ନତି ପାଇଁ ସ୍ଥାନୀୟ ଜନସାଧାରଣ ଯେଉଁ ତ୍ୟାଗ କରିଛନ୍ତି, ତାକୁ ଯୁଗ ଯୁଗ ଧରି ଆମର ଉତ୍ତରପୀଢି ମନେରଖିବେ। ଏହା ସହିତ ପ୍ରକଳ୍ପ କୁ ଆଗେଇ ନେବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତ ଙ୍କ ସହଯୋଗ କାମନା କରିଥିଲେ।

ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ସମ୍ବଲପୁରର ପ୍ରସିଦ୍ଧ ମା ସମଲେଶ୍ବରୀ ମନ୍ଦିର ତଥା ଆଖପାଖ ଅଞ୍ଚଳର ବିକାଶ ପାଇଁ ସମଲେଇ ଯୋଜନା (Samaleswari Temple Area Management and Local Economic Initiative) କାର‌୍ୟ୍ୟକାରୀ କରାଯାଉଛି। ଏହି ଯୋଜନା ପାଇଁ ଜନସାଧାରଣଙ୍କ ଠାରୁ ମତାମତ ସଂଗ୍ରହ କରାଯାଇଥିଲା।

ଏଥିରେ ଡିଜାଇନ, ପରିବହନ, ନଦୀ ସମ୍ମୁଖଭାଗର ଉନ୍ନତିକରଣ ଓ ଅନ୍ୟାନ୍ୟ ବ୍ୟବସ୍ଥା ସହିତ ଆକର୍ଷଣୀୟ ଥଇଥାନ ବ୍ୟବସ୍ଥା ପାଇଁ ମଧ୍ୟ ପ୍ରସ୍ତାବ ଆସିଥିଲା । ଏହିସବୁ ପ୍ରସ୍ତାବକୁ ଦୃଷ୍ଟିରେ ରଖି ଥଇଥାନ ଓ ପୁନର୍ବାସ ପ୍ୟାକେଜ କରାଯାଇଛି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସମସ୍ତ କାର‌୍ୟ୍ୟ ପାଇଁ ଲୋକଙ୍କ ଠାରୁ ମତାମତ ସଂଗ୍ରହ ଜାରି ରହିଛି । ଆବଶ୍ୟକସ୍ଥଳେ ଲୋକଙ୍କ ମତାମତା ଅନୁଯାୟୀ ଏହାକୁ ଆହୁରି ଆକର୍ଷଣୀୟ କରାଯିବ। ସଂପୂର୍ଣ୍ଣ ସମଲେଇ ଯୋଜନାକୁ ମଇ ୧୫ ତାରିଖ ସୁଦ୍ଧା ପ୍ରସ୍ତୁତ କରିବାପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ବୈଠକରେ ଥଇଥାନ ଓ ପୁନର୍ବାସ ପ୍ୟାକେଜରେ ନିମ୍ନଲିଖିତ ବ୍ୟବସ୍ଥା କରାଯାଇଛି ।

ବେସରକାରୀ ଜାଗାରେ ଘର

1-ବେସରକାରୀ ଜାଗାରେ ଘର କରିଥିବା ଲୋକଙ୍କ ଜମିକୁ ସିଧାସଳଖ କିଣାଯାଇ ଅଧିଗ୍ରହଣ କରାଯିବ ଏବଂ Right to Fair Compensation and transparency of land acquisition, rehabilitation and resettlement Act 2013 ୨୦୧୩ ଅନୁଯାୟୀ କ୍ଷତିପୂରଣ ପ୍ରଦାନ କରାଯିବ।

2-ମନ୍ଦିରର ପୂଜାରୀ ମାନଙ୍କୁ ଜମି ବଦଳରେ ଜମି ପ୍ରଦାନର ସୁବିଧା ରହିବ । ଯଦି ପ୍ରଦାନ କରାଯାଉଥିବା ଜମିର ମୂଲ୍ୟ ପୂଜାରୀଙ୍କ ମୂଳ ଜମିର ବଜାର ଦର ଠାରୁ କମ୍ ରୁହେ, ତେବେ ମୂଲ୍ୟର ପାର୍ଥକ୍ୟ ଅନୁଯାୟୀ କ୍ଷତିପୂରଣ ଟଙ୍କା ଆକାରରେ ମଧ୍ୟ ପ୍ରଦାନ କରାଯିବ। ଏହା ସହିତ ପୂଜାରୀ ମାନଙ୍କୁ ୨୦ ଲକ୍ଷ ଟଙ୍କାର ପୁନର୍ବାସ ଭତ୍ତା କିମ୍ବା ତାଙ୍କ ଘରର ମୂଲ୍ୟ, ଯାହା ଅଧିକ ଥିବ, ତାକୁ ପ୍ରଦାନ କରାଯିବ ।

3-ପରିବହନ ଓ ଅନ୍ୟାନ୍ୟ ସୁବିଧା ପାଇଁ ୧ ଲକ୍ଷ ଟଙ୍କା ତୁରନ୍ତ ପ୍ରଦାନ କରାଯିବ।

4-ପ୍ରତ୍ୟେକ ପରିବାରକୁ ୧୨ ମାସ ପାଇଁ ୧୦ ହଜାର ଟଙ୍କା ଘରଭଡା ଦିଆଯିବ।

5-ଯେଉଁ ପୂଜାରୀ ମାନଙ୍କର ଘର ନଥିବ, ସେମାନଙ୍କ ପାଇଁ ଜିଲ୍ଲାପାଳଙ୍କ ସହ ଆଲୋଚନା ଜରିଆରେ ଉପଯୁକ୍ତ ପୁନର୍ବାସ ପ୍ୟାକେଜ ଦିଆଯିବ।

ବେସରକାରୀ ଜାଗାରେ ଦୋକାନ ଘର

1-ଜାଗାର ପଟ୍ଟା ଥିବା ସବୁ ଦୋକାନ ମାଲିକ ମାନଙ୍କ ଠାରୁ ଜମିକୁ ସିଧାସଳଖ କିଣାଯିବ।
ଚା କ୍ଷତିପୂରଣ ଆଇନ ୨୦୧୩ ଅନୁଯାୟୀ କ୍ଷତିପୂରଣ ପ୍ରଦାନ କରାଯିବ।

2-ଦୋକାନକୁ ଅନ୍ୟଜାଗାରେ ଅବସ୍ଥାପିତ କରିବା ପାଇଁ ୧ ଲକ୍ଷ ଟଙ୍କାର ସହାୟତା ଦୁଇଟି ସମାନ କିସ୍ତିରେ ପ୍ରଦାନ କରାଯିବ। ଉଚ୍ଥେଦପ୍ରକ୍ରିୟା ଆରମ୍ଭରୁ ଗୋଟିଏ କିସ୍ତି ଏବଂ ସଂପତ୍ତି ଅଧିଗ୍ରହଣ ପରେ ଆଉ ଏକ କିସ୍ତି ପ୍ରଦାନ କରାଯିବ।

ସରକାରୀ ଜାଗାରେ ବସ୍ତିରେ ଥିବା ଅନଧିକୃତ ଘର

1-ଛୋଟ ଛୋଟ କଚ୍ଚା ଘର କିମ୍ବା ଆଂଶିକ ପକ୍କା ଘର ଥିବା ପରିବାରକୁ ଏକକାଳୀନ ୫୦ ହଜାର ଟଙ୍କା କିମ୍ବା ଘରର ମୂଲ୍ୟ, ଯାହା ଅଧିକ ଥିବା ତାହା ଦିଆଯିବ। ଏହାସହିତ ଲୋକଙ୍କ ପୁନର୍ବାସ ପାଇଁ ୬୫୦ ବର୍ଗଫୁଟ ଅଞ୍ଚଳର ଜାଗା ଦିଆଯିବ। ବଡ ବଡ ପକ୍କା ଘର ଥିବା ବସ୍ତିର ପରିବାର ଗୁଡିକୁ ଘରର ମୂଲ୍ୟ ଏବଂ ୬୫୦ ବର୍ଗଫୁଟର ଜାଗା ଦିଆଯିବ।
ଚା ସମ୍ବଲପୁର ମହାନଗର ନିଗମ ଦ୍ବାରା ପରିବହନ, ୮ ଦିନ ପାଇଁ ଖାଦ୍ୟ ଓ ଅନ୍ୟାନ୍ୟ ମୌଳିକ ସୁବିଧା ଯୋଗାଇ ଦିଆଯିବ।

ବସ୍ତି ବ୍ୟତୀତ ଅନ୍ୟ ଜାଗାରେ ଥିବା ବେସରକାରୀ ଜାଗାରେ ଅନଧିକୃତ ଘର

1-ପ୍ରତ୍ୟେକ ପରିବାର ପାଇଁ ଘରର ବଜାର ଦର ଅନୁଯାୟୀ କ୍ଷତିପୂରଣ

2-ପ୍ରତ୍ୟେକ ପରିବାର ପାଇଁ ୨,୫୭,୪୭୫ ଟଙ୍କା ପୁନର୍ବାସ ସହାୟତା

3-ଅନ୍ୟସ୍ଥାନକୁ ଯିବା ପାଇଁ ପରିବାର ପିଚ୍ଛା ଏକକାଳୀନ ୫୦ ହଜାର ଟଙ୍କା ସହାୟତା

ସରକାରୀ ଜାଗାରେ ଥିବା ଅନଧିକୃତ ଦୋକାନ ଘର

1-ଆଶିଂକ ପକ୍କା ଘର ଥିବା ଦୋକାନ ଘର ଏକକାଳୀନ ୩୦ ହଜାର ଟଙ୍କା ଓ ସଂପୂର୍ଣ୍ଣ ପକ୍କା ଘର ପାଇଁ ଏକକାଳୀନ ୫୦ ହଜାର ଟଙ୍କା ସହାୟତା ଦିଆଯିବ।

ସରକାରୀ ଜାଗାରେ ଥିବା ଉଠାଦୋକାନୀ

1-ଉଠାଦୋକାନୀ ମାନଙ୍କୁ ୩୦ ହଜାର ଟଙ୍କା ଦୁଇଟି ସମାନ କିସ୍ତିରେ ପ୍ରଦାନ କରାଯିବ।
ଚା ସେମାନଙ୍କ ପାଇଁ ଏକ Street Vending Plan କରାଯିବ ଏବଂ କ୍ଷତିଗ୍ରସ୍ତ ଦୋକାନୀ ମାନଙ୍କୁ ଦୋକାନ ପାଇଁ ଜାଗା ଦିଆଯିବ।

ସରକାରୀ କାର୍ଯ୍ୟାଳୟ ଓ ଅନ୍ୟାନ୍ୟ ସଂସ୍ଥାକୁ ସହାୟତା

ସମ୍ବଲପୁର ଜିଲ୍ଲାପାଳ ସରକାରୀ କାର‌୍ୟ୍ୟାଳୟ ଗୁଡିକ ପାଇଁ ଅନ୍ୟତ୍ର ସାମୟିକ ବ୍ୟବସ୍ଥା କରିବେ ଏବଂ ସେମାନଙ୍କୁ ସରକାରୀ ଜାଗାରେ ଅଫିସ ବିଲ୍ଡିଂ କରିବା ପାଇଁ ସ୍ଥାନ ଯୋଗାଇ ଦେବେ ।

ଭିକ୍ଷାବୃତ୍ତି କରୁଥିବା ଲୋକଙ୍କ ଥଇଥାନ

ପ୍ରକଳ୍ପ ଅଞ୍ଚଳରେ ଭିକ୍ଷାବୃତ୍ତି କରୁଥିବା ଲୋକଙ୍କ ପାଇଁ ଜିଲ୍ଲାପାଳଙ୍କ ଦ୍ବାରା ଏକ ସଂପୂର୍ଣ୍ଣ ଥଇଥାନ ଯୋଜନା କରାଯିବ। ଏହାକୁ ସମ୍ବଲପୁର ମହାନଗର ନିଗମ ଦ୍ବାରା କାର‌୍ୟ୍ୟକାରୀ କରାଯିବ। ଏଥିରେ vocational training, ଆର୍ଥିକ ସହାୟତା, ସ୍ବାସ୍ଥ୍ୟ ସହାୟତା, ରେସନ କାର୍ଡ ବ୍ୟବସ୍ଥା, ସ୍ଥାନୀୟ ସମ୍ବଳର ଉପଯୋଗ, ଆଶ୍ରୟ ଘର ଏବଂ MBPY ଅନ୍ତର୍ଭୁକ୍ତ କରିବା ପାଇଁ ବ୍ୟବସ୍ଥା ରହିବ ।

ସରକାରୀ ଜମିରେ ଥିବା ଧାର୍ମିକ ଅନୁଷ୍ଠାନ ଓ କ୍ଲବ

ଏହିସବୁ ସଂସ୍ଥାଗୁଡିକୁ ଏକକାଳୀନ ୧ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବ।

ଏହି ଆଲୋଚନାରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ଅସିତ ତ୍ରିପାଠୀ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଓ ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଂଚାଳନା କରିଥିଲେ।

Categories
ଧର୍ମ ବିଶେଷ ଖବର ରାଜ୍ୟ ଖବର

ମା ସମଲେଶ୍ବରୀ ମନ୍ଦିର ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ଲାଗୁହେବ ସମଲେଇ ଯୋଜନା, ଖର୍ଚ୍ଚ ଦୁଇଶହ କୋଟି

ଭୁବନେଶ୍ବର, ଷୋଡଶ ଶତାଦ୍ଦୀରେ ନିର୍ମିତ ମା ସମଲେଶ୍ବରୀଙ୍କ ପୀଠର ବିକାଶ ପାଇଁ ରାଜ୍ୟ ସରକାର Samaleswari Temple Area Management & Local Economy Initiatives (SAMALEI) ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ୨୦୨୧-୨୨ ଆର୍ଥିକ ବର୍ଷରେ ୨୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇ ସମଲେଶ୍ବରୀଙ୍କ ପୀଠ ତଥା ଆଖପାଖର ୧୦୮ ଏକର ଜମିରେ ବିକାଶ କରାଯିବ। ଏହି ଯୋଜନାରେ ମାଙ୍କ ମନ୍ଦିରର ସୌନ୍ଦର‌୍ୟ୍ୟକରଣ, ସ୍ଥାନୀୟ ଲୋକଙ୍କ ଆର୍ଥିକ ବିକାଶ ତଥା ପର‌୍ୟ୍ୟଟକ ଓ ଭକ୍ତ ମାନଙ୍କ ପାଇଁ ଏକ ଅନନ୍ୟ ଅନୁଭୂତି ହେବା ଉଦ୍ଦେଶ୍ୟରେ ଏହି ପ୍ରକଳ୍ପ କାର୍ଯ୍ୟ କରିବ। ସେଗୁଡିକ ମଧ୍ୟରେ ରହିଛି…

୧. ମା ଙ୍କ ମନ୍ଦିରର ସୁରକ୍ଷା ଓ ବିକାଶ

ମାଙ୍କ ମନ୍ଦିର ଅଞ୍ଚଳ ୧୨ ଏକର ଜମି ଉପରେ ପ୍ରତିଷ୍ଠିତ । ତେଣୁ ଏଠାରୁ ଆସୁଥିବା ଭକ୍ତମାନେ ଯେଭଳି ସୁବିଧାରେ ମାଙ୍କର ଦର୍ଶନ କରିପାରିବେ, ସେଥିପାଇଁ ଧାଡି ପରିଚାଳନା ବ୍ୟବସ୍ଥା, ବିଭିନ୍ନ ଧାର୍ମିକ ଉତ୍ସବ ଅନୁଷ୍ଠାନ ପାଇଁ ସ୍ଥାନ ସହିତ ଭୋଗମଣ୍ଡପ ଓ ପୂଜୀରୀଙ୍କ ବିଶ୍ରାମଗୃହ ନିର୍ମାଣ କରାଯିବ ।

ମନ୍ଦିରର ଚାରି ଦିଗରେ ୪ଟି ସୁଦୃଶ୍ୟ ଐତିହ୍ୟ ଦ୍ବାର ନିର୍ମାଣ କରାଯିବ । ଭକ୍ତମାନେ ପୂର୍ବ ଦ୍ବାର ଦେଇ ମନ୍ଦିରକୁ ପ୍ରବେଶ କରିବେ ଏବଂ ଅନ୍ୟ ୩ଟି ଦ୍ବାର ଦେଇ ବାହାରକୁ ବାହାରିବେ।

ମନ୍ଦିରର ମୁଖ୍ୟ ପ୍ରବେଶ ଦ୍ବାର ପାଖରେ ମନ୍ଦିର କାର‌୍ୟ୍ୟାଳୟ, Interpretation Centre ଏବଂ ଜନସାଧାରଣଙ୍କ ପାଇଁ ଜରୁରୀ ସୁବିଧାର ବିକାଶ କରାଯିବ।

ମନ୍ଦିର ନିକଟରେ ଅବସ୍ଥିତ ଗୋପାଳଜୀ ମଠର ସଂରକ୍ଷଣ କରାଯିବ ଏବଂ ଏହାର ବିକାଶ କୁ ମୂଳ ଯୋଜନା ସହ ସମନ୍ବିତ କରାଯିବ ।

୨. ଐତିହ୍ୟ କରିଡ଼ର

ମନ୍ଦିର ଚାରିପଟେ ଭକ୍ତମାନେ ଯେପରି ସୁବିଧାରେ ପରିକ୍ରମା କରିପାରିବେ, ସେଥିପାଇଁ ୧ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଏକ ପାଦଚଲା ରାସ୍ତା ନିର୍ମାଣ କରାଯିବ ।

ସମ୍ବଲପୁରର ଜଳବାୟୁକୁ ଦୃଷ୍ଟିରେ ରଖି ପରିକ୍ରମା ପଥରେ ଛାୟାପ୍ରଦ ବୃକ୍ଷ ଆଦି ରୋପଣ କରାଯିବ।

୩. ଯାତ୍ରୀ ସୁବିଧା –

ଯାତ୍ରୀମାନଙ୍କ ପାଇଁ ସେଠାରେ ପର‌୍ୟ୍ୟାପ୍ତ ସୁବିଧାର ବିକାଶ କରାଯିବ ଏବଂ ତାସହିତ ପାର୍କିଂ ଜାଗା, ସ୍ବତନ୍ତ୍ର ଭେଣ୍ଡିଂ ଜୋନ, ଶୌଚାଳୟ, ସୂଚନା କେନ୍ଦ୍ର, ଦାନ କେନ୍ଦ୍ର ଇତ୍ୟାଦି ବ୍ୟବସ୍ଥା ରଖାଯିବ ।

ତାସହିତ ମନ୍ଦିର ପାଖରେ ଯାତ୍ରୀନିବାସର ମଧ୍ୟ ସୁବିଧା ଉପଲବ୍‌ଧ ହେବ ।

୪. ସେବାୟତ ପରିବାର ପାଇଁ ବାସଗୃହ

ମନ୍ଦିର ନିକଟରେ ରହୁଥିବା ସେବାୟତ ମାନଙ୍କ ପାଇଁ ସୁରକ୍ଷିତ ବାସଗୃହ ପ୍ରକଳ୍ପ ହାତକୁ ନିଆଯିବ ଏବଂ ଏଥିରେ ସମସ୍ତ ପ୍ରକାର ମୌଳିକ ସୁବିଧା ର ବିକାଶ କରାଯିବ ।

୫. ମନ୍ଦିର ଓ ମହାନଦୀ ସଂଯୋଗ ରାସ୍ତା

ମାଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତମାନେ ଯେପରି ମନ୍ଦିରରୁ ମହାନଦୀ ଘାଟକୁ ସୁବିଧାରେ ଯାଇପାରିବେ, ସେଥିପାଇଁ ୩୦ ମିଟର ଚଉଡା ବିଶିଷ୍ଟ ପାଦଚଲା ରାସ୍ତାର ମଧ୍ୟ ବିକାଶ କରାଯିବ।

୬. ମହାନଦୀ ଆଳତୀ

ଉପରୋକ୍ତ ପାଦଚଲା ରାସ୍ତାର ମଧ୍ୟ ଭାଗରେ ଏକ ୩୦ ମିଟର ବିଶିଷ୍ଟ ଡେକ୍ ନିର୍ମାଣ କରାଯିବ, ଯେଉଁଠାରୁ କି ଉଭୟ ମହାନଦୀ ଓ ମାଙ୍କ ମନ୍ଦିର ସ୍ପଷ୍ଟ ଭାବରେ ଦେଖାଯିବ।

ସେଠାରେ ପ୍ରତିଦିନ ମହାନଦୀ ଆଳତୀ ଭକ୍ତମାନଙ୍କୁ ଏକ ଅନନ୍ୟ ଆଧ୍ୟାତ୍ମିକ ଅନୁଭୂତି ଦେବ।

୭. ରିଙ୍ଗ ରୋଡ ବିକାଶ

ବର୍ତ୍ତମାନର ରିଙ୍ଗ ରୋଡକୁ ଚଉଡା କରାଯିବ ଏବଂ ସେଥିରେ ସ୍ବତନ୍ତ୍ର ଭାବରେ ନଦୀ କୂଳେ କୂଳେ ଚଲାପଥ ଓ ଅବସର ସୁବିଧା ରହିବ ।

୮. ନଦୀ କୂଳର ବିକାଶ

ନଦୀ କୂଳର ଯୋଜନାବଦ୍ଧ ଭାବରେ ବିକାଶ କରାଯିବ ଏବଂ ଲୋକମାନେ ଯେପରି ସୁବିଧାରେ ସେମାନଙ୍କର ପରମ୍ପରା ଓ ରୀତିନୀତି ପାଳନ କରିପାରିବେ, ସେଥିପାଇଁ ପ୍ଲାଟଫର୍ମର ବ୍ୟବସ୍ଥା କରାଯିବ ।

ତାସହିତ ପର‌୍ୟ୍ୟଟକ ମାନଙ୍କୁ ମହାନଦୀର ଦୃଶ୍ୟ ଅବଲୋକନ ପାଇଁ ପ୍ୟାଭିଲିୟନ, ପ୍ଲାଜା ଓ ଡେକ୍ ଆଦି ନିର୍ମାଣ କରାଯିବ । ପୁରୁଣା ଦିନ ଭଳି ମହାନଦୀରୁ ମନ୍ଦିର ସ୍ପଷ୍ଟ ଦେଖାଯିବ।

୯. ହ୍ରଦ କୂଳର ବିକାଶ

ଏହି ପ୍ରକଳ୍ପ ଅଧୀନରେ ୨୨ ଏକର ଜମିରେ ହ୍ରଦ କୂଳର ବିକାଶ କରାଯିବ। ଏଥିରେ Wetland ବିକାଶ ସହିତ 5 MLD Sewerage Treatment Plant ନିର୍ମାଣ କରାଯିବ । Wetland ଅଞ୍ଚଳର ପୁନରୁଦ୍ଧାର ଓ ସୌନ୍ଦର‌୍ୟ୍ୟକରଣ କରାଯିବ। ଏହାସହିତ ସେଠାରେ ପର୍ଯ୍ୟଟକ ମାନଙ୍କ ସୁବିଧା ପାଇଁ ଫୁଡ ପାର୍କ, ସ୍ଥାପତ୍ୟ ପାର୍କ ତଥା ମୁକ୍ତାକାଶ ରଂଗମଞ୍ଚର ବ୍ୟବସ୍ଥା ରହିବ । ସମ୍ବଲପୁରର ପ୍ରସିଦ୍ଧ ହସ୍ତତନ୍ତ ଓ ହସ୍ତଶିଳ୍ପ ସହିତ ବିଭିନ୍ନ ସାମଗ୍ରୀ ର ବିକ୍ରି ପାଇଁ ଭେଣ୍ଡିଂ ବ୍ୟବସ୍ଥା କରାଯିବ।

୧୦. ରେଲୱେ ରାସ୍ତର ପ୍ରଶସ୍ତିକରଣ

ରେଳଷ୍ଟେସନରୁ ମନ୍ଦିରର ଉତ୍ତର ପାର୍ଶ୍ବକୁ ସଂଯୁକ୍ତ କରୁଥିବା ରାସ୍ତାକୁ ପ୍ରଶସ୍ତ କରାଯିବ । ଯାହାଫଳରେ ଟ୍ରାଫିକ ସମସ୍ୟା ଦୂର ହୋଇପାରିବ।

୧୧. ଶଶ୍ମାନର ପୁନର୍ବିନ୍ୟାସ –

ବର୍ତ୍ତମାନ ଥିବା ଶଶ୍ମାନକୁ ପୂର୍ବ ପଟକୁ ସ୍ଥାନାନ୍ତର କରାଯିବ ଏବଂ ଏଠାରେ ଆଧୁନିକ ସୁବିଧାର ବିକାଶ କରାଯିବ । ଏହି ଶଶ୍ମାନଟି ୯ ମିଟର ବିଶିଷ୍ଟ ପାଦଚଲା ରାସ୍ତା ଦ୍ୱାରା ମହାନଦୀ ସହ ସଂଯୁକ୍ତ ହେବା ଫଳରେ ଲୋକମାନେ ସୁବିଧାରେ ନଦୀଘାଟକୁ ଯାଇ ପରମ୍ପରା ଓ ରୀତିନୀତି ପାଳନ କରିପାରିବେ । ଶଶ୍ମାନ ପାଖରେ ଶେଷକୃତ୍ୟ, ସ୍ଥାନ ଶ୍ରାଦ୍ଧମଣ୍ଡପ ଓ ବିଶ୍ରାମଗୃହ ର ବ୍ୟବସ୍ଥା କରାଯିବ।

ଏହି ନୂଆ ଯୋଜନା ଫଳରେ ପ୍ରଭାବିତ ହେଉଥିବା ଜନସାଧାରଣଙ୍କ ପାଇଁ ମାନବୀୟ ଦୃଷ୍ଟିରୁ ବିଚାର କରିଏକ ଉଦାର ଥଇଥାନ ଓ ପୁରର୍ବାସ ପ୍ୟାକେଜ ପ୍ରସ୍ତୁତ କରାଯାଉଛି ।

ଏଥିରେ ଘରୋଇ ଜମିରେ ଘର ସରକାରୀ ଜମିରେ ଥିବା ବସ୍ତି, ସରକାରୀ ଜମିରେ ଅନ୍ୟ ବାସଗୃହ, ସରକାରୀ ଜମିରେ ଦୋକାନ ଘର, ସରକାରୀ ଜମିରେ ଭେଣ୍ଡରମାନଙ୍କ ସୁବିଧା ପାଇଁ ପ୍ୟାକେଜରେ ବିସ୍ତୃତ ବ୍ୟବସ୍ଥା ରଖାଯିବ ।

ସେହିପରି ସରକାରୀ ଜମିରେ ଥିବା କ୍ଲବ, ଧାର୍ମିକ ଅନୁଷ୍ଠାନ, ସରକାରୀ ଅଫିସ ଓ ପ୍ରତିଷ୍ଠାନ ମାନଙ୍କ ପାଇଁ ସହାୟତା ପ୍ରଦାନ କରାଯିବ। ଏହି ଚିଠା ମାଷ୍ଟର ପ୍ଲାନ ସଂପର୍କରେ ଜନସାଧାରଣ [email protected] ଜରିଆରେ ମାର୍ଚ୍ଚ ୧୫ ସୁଦ୍ଧା ସେମାନଙ୍କର ମୂଲ୍ୟବାନ ମତାମତ ଦେଇପାରିବେ ।

ସମଲାଇ ପ୍ରକଳ୍ପର ସଫଳ ରୂପାୟନ ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ସହଯୋଗ କାମନ କରିଥିଲେ । ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନରଙ୍କ ସମେତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ ଓ ଶାସନ ସଚିବ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କାର‌୍ୟ୍ୟକ୍ରମକୁ ସଂଯୋଜନା କରିଥିଲେ ।