Categories
ଆଜିର ଖବର ଜାତୀୟ ଖବର

ଉଡ଼ାନ: ଭାରତୀୟ ବିମାନ ଚଳାଚଳ କ୍ଷେତ୍ରରେ ସମାବେଶିତାର ଉଡ଼ାଣ

ନୂଆଦିଲ୍ଲୀ: ଯେଉଁ ଦେଶରେ ଆକାଶ ହେଉଛି ଆଶା ଓ ଆକାଂକ୍ଷାର ପ୍ରତୀକ, ସେଠାରେ ଉଡ଼ାଣ ଭରିବାର ସ୍ୱପ୍ନ ଅନେକଙ୍କ ପାଇଁ ଏକ ବିଳାସ ହୋଇ ରହିଛି। ଏହି ସ୍ୱପ୍ନ ୨୧ ଅକ୍ଟୋବର ୨୦୧୬ ରେ ଆଞ୍ଚଳିକ ସଂଯୋଗ ଯୋଜନା (ଆରସିଏସ)-ଉଡାନ, କିମ୍ବା ‘‘ଉଡେ ଦେଶ କା ଆମ ନାଗରିକ’’ ର ଶୁଭାରମ୍ଭ ସହିତ ସାକାର ରୂପ ନେବାକୁ ଆରମ୍ଭ ହୋଇଥିଲା। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ନେତୃତ୍ୱରେ, ଉଡ଼ାନ୍ ଯୋଜନା ଦେଶରେ ବିମାନ ସେବା ନଥିବା ଏବଂ କମ୍‌ ବିମାନ ସେବା ଥିବା ଅଞ୍ଚଳରେ କ୍ଷେତ୍ରୀୟ ବିମାନ ସଂଯୋଗ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି, ଯାହାଦ୍ୱାରା ସାଧାରଣ ଲୋକଙ୍କ ପାଇଁ ବିମାନ ଯାତ୍ରା ସୁଲଭ ହୋଇପାରିବ। ସପ୍ତମ ବାର୍ଷିକୀ ପାଳନ କରିବା ସହିତ ଉଡ଼ାନ୍ ଯୋଜନା ଦେଶରେ ଭିତ୍ତିଭୂମି ଏବଂ ସଂଯୋଗରେ ଉନ୍ନତି ଆଣିବା ପାଇଁ ଭାରତ ସରକାରଙ୍କ ପ୍ରତିବଦ୍ଧତାର ଏକ ପ୍ରମାଣ ଦେଇଛି। ବିଶେଷ କରି ଉପାନ୍ତ ଅଞ୍ଚଳରେ ଏହା ଅଧିକ ପ୍ରଭାବୀ ହୋଇଛି।

ସ୍ବପ୍ନର ଉଡ଼ାଣ

ଉଡ଼ାନର କାହାଣୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ଉପରେ ଆଧାରିତ। ଜାତୀୟ ବେସାମରିକ ବିମାନ ଚଳାଚଳ ନୀତି ଘୋଷଣା ପୂର୍ବରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ସେ ବିମାନ ଯାତ୍ରାକୁ ସମସ୍ତଙ୍କ ପାଇଁ ସୁଲଭ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଚପଲ ପିନ୍ଧିଥିବା ଲୋକଙ୍କୁ ସେ ବିମାନରେ ଚଢୁଥିବା ଦେଖିବାକୁ ଚାହାଁନ୍ତି। ତାଙ୍କର ଏହି ଭାବନା ଅଧିକ ସମାବେଶୀ ବିମାନ ଚଳାଚଳ କ୍ଷେତ୍ର ପାଇଁ ଏକ ଦୃଷ୍ଟିକୋଣକୁ ପଥ ଦେଖାଇଥିଲା। ସାଧାରଣ ଲୋକଙ୍କ ସ୍ୱପ୍ନ ସାକାର ପାଇଁ ଏହି ପ୍ରତିବଦ୍ଧତା ଉଡ଼ାନ ଯୋଜନାର ଆରମ୍ଭ କରିଥିଲା।

ଉଡ଼ାନ୍‌ ଯୋଜନାର ପ୍ରଥମ ବିମାନଟି ୨୦୧୭ ମସିହା ଏପ୍ରିଲ ୨୭ ତାରିଖରେ ସିମଲାର ଶାନ୍ତ ପାହାଡ଼ରୁ ଦିଲ୍ଲୀର ବ୍ୟସ୍ତବହୁଳ ମହାନଗରକୁ ଉଡ଼ାଣ କରିଥିଲା। ଏହି ଉଦଘାଟନୀ ଉଡ଼ାଣ ଭାରତୀୟ ବିମାନ ଚଳାଚଳ କ୍ଷେତ୍ରରେ ଏକ ପରିବର୍ତ୍ତନଶୀଳ ଯାତ୍ରାର ଅୟମାରମ୍ଭକୁ ଚିହ୍ନିତ କରିଥିଲା ଯାହା ଅସଂଖ୍ୟ ନାଗରିକଙ୍କ ବିମାନ ଯାତ୍ରା ସ୍ୱପ୍ନକୁ ସାକାର କରିଥିଲା।

ଏକ ବଜାର-ପରିଚାଳିତ ସଂକଳ୍ପ

ଉଡ଼ାନ୍ ଏକ ବଜାର-ପରିଚାଳିତ ମଡେଲ୍ ଉପରେ କାର୍ଯ୍ୟ କରେ, ଯେଉଁଠାରେ ବିମାନ ଚଳାଚଳ ସଂସ୍ଥାଗୁଡ଼ିକ ନିର୍ଦ୍ଦିଷ୍ଟ ମାର୍ଗରେ ଚାହିଦାର ଆକଳନ କରନ୍ତି ଏବଂ ନିଲାମୀ ସମୟରେ ପ୍ରସ୍ତାବ ଦାଖଲ କରନ୍ତି। ଚାହିଦା ଆଧାରିତ ପାଣ୍ଠି ଯୋଗାଣ ବା ଭାୟାବଲିଟି ଗ୍ୟାପ୍‌ ଫଣ୍ଡିଂ (ଭି.ଜି.ଏଫ୍.) ଏବଂ ବିମାନ ବନ୍ଦର ପରିଚାଳକ, କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ବିଭିନ୍ନ ରିହାତି ମାଧ୍ୟମରେ ସହାୟତା ପ୍ରଦାନ କରି ଏହି ଯୋଜନା ବିମାନ ଚଳାଚଳ ସଂସ୍ଥାଗୁଡ଼ିକୁ କମ୍ ସେବା ପ୍ରଦାନ କରୁଥିବା ଅଞ୍ଚଳକୁ ସଂଯୋଗ କରିବାକୁ ପ୍ରୋତ୍ସାହିତ କରିଥାଏ।

ସହାୟତା ବ୍ୟବସ୍ଥା

କମ୍ ଆକର୍ଷଣୀୟ ମାର୍ଗରେ ବିମାନ ଚଳାଚଳ କରିବା ଲାଗି ବିମାନ ଚଳାଚଳ ସଂସ୍ଥାଗୁଡ଼ିକୁ ଆକୃଷ୍ଟ କରିବା ପାଇଁ ସରକାର ଅନେକ ସହାୟକ ପଦକ୍ଷେପ ନେଇଛନ୍ତି:

ବିମାନ ବନ୍ଦର ପରିଚାଳକ: ସେମାନେ ଆର.ସି.ଏସ୍. ଉଡ଼ାଣ ପାଇଁ ଅବତରଣ ଓ ପାର୍କିଂ ଶୁଳ୍କ ଛାଡ଼ କରନ୍ତି, ଏବଂ ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ (ଏ.ଏ.ଆଇ.) ଏହି ଉଡ଼ାଣଗୁଡ଼ିକ ଉପରେ ଟର୍ମିନାଲ୍ ନାଭିଗେସନ୍ ଲ୍ୟାଣ୍ଡିଂ ଶୁଳ୍କ (ଟି.ଏନ୍.ଏଲ୍.ସି.) ଆଦାୟ କରେ ନାହିଁ। ଏହାବ୍ୟତୀତ, ଏକ ରିହାତି ମାର୍ଗ ପରିଚାଳନା ଏବଂ ସୁବିଧା ଶୁଳ୍କ (ଆର୍.ଏନ୍.ଏଫ୍.ସି.) ମଧ୍ୟ ରହିଛି।

କେନ୍ଦ୍ର ସରକାର: ପ୍ରଥମ ତିନି ବର୍ଷ ପାଇଁ, ଆରସିଏସ ବିମାନବନ୍ଦରରେ କ୍ରୟ କରାଯାଇଥିବା ବିମାନ ଚଳାଚଳ ଟର୍ବାଇନ ଇନ୍ଧନ (ଏଟିଏଫ) ଉପରେ ଉତ୍ପାଦ ଶୁଳ୍କ ୨ ପ୍ରତିଶତରେ ସୀମିତ ରହିଛି। ବିମାନ ଚଳାଚଳ ସଂସ୍ଥାଗୁଡ଼ିକୁ ମଧ୍ୟ ସେମାନଙ୍କର ପ୍ରସାର ବଢ଼ାଇବା ପାଇଁ କୋଡ୍-ସେୟାରିଂ ରାଜିନାମା ସ୍ୱାକ୍ଷର କରିବାକୁ ପ୍ରୋତ୍ସାହିତ କରାଯାଏ।

ରାଜ୍ୟ ସରକାର: ରାଜ୍ୟଗୁଡ଼ିକ ଦଶ ବର୍ଷ ପାଇଁ ଏ.ଟି.ଏଫ୍. ଉପରେ ଭାଟ୍ ଏକ ପ୍ରତିଶତ କିମ୍ବା ତା’ଠାରୁ କମ୍ କରିଦେଇଛନ୍ତି ଏବଂ କମ୍ ଦରରେ ସୁରକ୍ଷା, ଅଗ୍ନିଶମ ସେବା ଏବଂ ଉପଯୋଗୀ ସେବା ଭଳି ଅତ୍ୟାବଶ୍ୟକ ସେବା ପ୍ରଦାନ କରୁଛନ୍ତି।

ଏହି ସହଯୋଗ ବ୍ୟବସ୍ଥା ଏପରି ଏକ ପରିବେଶ ସୃଷ୍ଟି କରିଛି ଯେଉଁଠାରେ ଦୀର୍ଘ ଦିନରୁ ଅବହେଳିତ ଅଞ୍ଚଳଗୁଡ଼ିକୁ ସେବା ପ୍ରଦାନ କରୁଥିବାବେଳେ ବିମାନ ଚଳାଚଳ ସଂସ୍ଥାଗୁଡ଼ିକ ଉନ୍ନତି କରିପାରିବେ।

ବିମାନ ଚଳାଚଳ ଉଦ୍ୟୋଗକୁ ପ୍ରୋତ୍ସାହନ

ଆରସିଏସ-ଉଡାନ ଯୋଜନା ଭାରତରେ ବେସାମରିକ ବିମାନ ଚଳାଚଳ ଉଦ୍ୟୋଗକୁ ପୁନର୍ଜୀବିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ବିଗତ ସାତ ବର୍ଷ ମଧ୍ୟରେ ଏହାଦ୍ବାରା ଅନେକ ନୂଆ ଏବଂ ସଫଳ ବିମାନ ଚଳାଚଳ ସଂସ୍ଥାକୁ ଏ କ୍ଷେତ୍ରରେ ସକ୍ରିୟ ହୋଇଛନ୍ତି । ଫ୍ଲାଇବିଗ୍, ଷ୍ଟାର୍ ଏୟାର୍, ଇଣ୍ଡିଆ ୱାନ୍ ଏୟାର୍ ଏବଂ ଫ୍ଲାଇ ୯୧ ଭଳି ଆଞ୍ଚଳିକ ବିମାନ ଚଳାଚଳ ସଂସ୍ଥାଗୁଡ଼ିକ ଏହି ଯୋଜନା ଦ୍ୱାରା ଉପକୃତ ହୋଇଛନ୍ତି। ଏହି ଏୟାରଲାଇନ୍ସଗୁଡ଼ିକ ସ୍ଥାୟୀ ବ୍ୟବସାୟିକ ମଡେଲ ବିକଶିତ କରିଛନ୍ତି ଏବଂ ଆଞ୍ଚଳିକ ବିମାନ ଯାତ୍ରା ପାଇଁ ଏକ ବର୍ଦ୍ଧିତ ବ୍ୟବସାୟରେ ଯୋଗଦାନ କରିଛନ୍ତି।

ଏହି ଯୋଜନାର କ୍ରମିକ ସମ୍ପ୍ରସାରଣ ଫଳରେ ସମସ୍ତ ଆକାରର ନୂତନ ବିମାନର ଚାହିଦା ବୃଦ୍ଧି ପାଇଛି, ଯାହାଦ୍ୱାରା ଆରସିଏସ ମାର୍ଗରେ ବିମାନ ସଂଖ୍ୟା ବୃଦ୍ଧି ପାଇଛି। ଏଥିରେ ଏୟାରବସ୍ ଆଇଡି୧, ବୋଇଙ୍ଗ୍ ୭୩୭, ଏଟିଆର୍ ୪୨ ଏବଂ ୭୨, ଡିଏଚସି କ୍ୟୁ ୪୦୦, ଟ୍ୱିନ୍ ଓଟର୍, ଏମ୍ବ୍ରୋୟର୍ ୧୪୫ ଏବଂ ୧୭୫, ଟେକନମ୍ ପି୨୦୦୬ଟି, ସେସ୍ନା ୨୦୮ବି ଗ୍ରାଣ୍ଡ୍ କାରାଭାନ୍ ଇଏକ୍ସ, ଡୋର୍ନିୟର୍ ୨୨୮, ଏୟାରବସ୍ ଏଚ୍ ୧୩୦ ଏବଂ ବେଲ୍ ୪୦୭ ଭଳି ବିବିଧ ବିମାନ ସାମିଲ ରହିଛି। ଉଲ୍ଲେଖନୀୟ କଥା ହେଉଛି, ଭାରତୀୟ ଏୟାରଲାଇନ୍ସଗୁଡ଼ିକ ଆଗାମୀ ୧୦-୧୫ ବର୍ଷରେ ୧,୦୦୦ ରୁ ଅଧିକ ବିମାନ ଯୋଗାଣ ପାଇଁ ଅର୍ଡର ଦେଇଛନ୍ତି, ଏହା ପ୍ରାୟ ୮୦୦ ବିମାନର ବର୍ତ୍ତମାନର ଫ୍ଲିଟ୍ କୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିବ।

ର୍ଯ୍ୟଟନକୁ ପ୍ରୋତ୍ସାହନ

ଆରସିଏସ-ଉଡାନ କେବଳ ଦ୍ୱିତୀୟ ଏବଂ ତୃତୀୟ ସ୍ତରର ସହରଗୁଡ଼ିକୁ ଶେଷ ମାଇଲ ପର୍ଯ୍ୟନ୍ତ ସଂଯୋଗ ପ୍ରଦାନ କରିବା ପାଇଁ ଉତ୍ସର୍ଗୀକୃତ ନୁହେଁ, ବରଂ ଏହା ପର୍ଯ୍ୟଟନ କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି ଆଣିବାରେ ମଧ୍ୟ ସହାୟକ ହୋଇଥାଏ। ଉଡ଼ାନ୍ ୩ ଭଳି ପଦକ୍ଷେପ ଉତ୍ତର-ପୂର୍ବାଞ୍ଚଳର ଏକାଧିକ ଗନ୍ତବ୍ୟସ୍ଥଳକୁ ସଂଯୋଗ କରୁଥିବା ପର୍ଯ୍ୟଟନ ମାର୍ଗ ଆରମ୍ଭ କରିଛି, ଯେତେବେଳେ କି ଉଡ଼ାନ୍ ୫.୧ ପାର୍ବତ୍ୟା ଅଞ୍ଚଳରେ ପର୍ଯ୍ୟଟନ, ଆତିଥେୟ ଏବଂ ସ୍ଥାନୀୟ ଅର୍ଥନୈତିକ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ହେଲିକପ୍ଟର ସେବାଗୁଡିକର ସମ୍ପ୍ରସାରଣ ଉପରେ ଧ୍ୟାନ ଦେଉଛି।

ଖଜୁରାହୋ, ଦେଓଘର, ଅମୃତସର ଏବଂ କିଶନଗଡ଼ (ଆଜମେର) ଭଳି ଗୁରୁତ୍ୱପୂର୍ଣ୍ଣ ଗନ୍ତବ୍ୟସ୍ଥଳକୁ ଗମନାଗମନ ଏବେ ଅଧିକ ସୁଗମ ହୋଇଛି । ଏହା ଧାର୍ମିକ ପର୍ଯ୍ୟଟନର ଚାହିଦାକୁ ପୂରଣ କରିଥାଏ। ଏହାବ୍ୟତୀତ, ପାସିଘାଟ, ଜାଇରୋ, ହୋଲ୍ଲୋଙ୍ଗି ଏବଂ ତେଜୁରେ ବିମାନ ବନ୍ଦରର ପ୍ରବର୍ତ୍ତନ ଉତ୍ତର-ପୂର୍ବର ପର୍ଯ୍ୟଟନ ଶିଳ୍ପକୁ ବୃଦ୍ଧି କରିଛି। ଉଲ୍ଲେଖନୀୟ ଯେ ଆଗଟ୍ଟି ଦ୍ୱୀପରୁ ବିମାନ ସେବା ମଧ୍ୟ ଆରମ୍ଭ କରାଯାଇଛି, ଯାହା ଲାକ୍ଷାଦ୍ୱୀପରେ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେଇଛି।

ବିମାନ ଯୋଗାଯୋଗକୁ ପ୍ରୋତ୍ସାହନ

ଗୁଜରାଟର ମୁନ୍ଦ୍ରା ଠାରୁ ଆରମ୍ଭ କରି ଅରୁଣାଚଳ ପ୍ରଦେଶର ତେଜୁ ଏବଂ ହିମାଚଳ ପ୍ରଦେଶର କୁଲୁ ଠାରୁ ଆରମ୍ଭ କରି ତାମିଲନାଡ଼ୁର ସାଲେମ ପର୍ଯ୍ୟନ୍ତ, ଆରସିଏସ-ଉଡାନ ଦେଶର ୩୪ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ସଂଯୋଗ କରିଛି। ଉଡାନ ଅଧୀନରେ ମୋଟ ୮୬ଟି ବିମାନ ବନ୍ଦର ଆରମ୍ଭ କରାଯାଇଛି, ଯେଉଁଥିରେ ଉତ୍ତର-ପୂର୍ବ କ୍ଷେତ୍ରର ୧୦ଟି ବିମାନ ବନ୍ଦର ଏବଂ ଦୁଇଟି ହେଲିପୋର୍ଟ ସାମିଲ ରହିଛି। ଦରଭଙ୍ଗା, ପ୍ରୟାଗରାଜ, ହୁବଲି, ବେଲଗାମ ଏବଂ କନ୍ନୁର ଭଳି ବିମାନବନ୍ଦରରୁ ବିମାନ ସଂଖ୍ୟା ବୃଦ୍ଧି ପାଇଛି ଏବଂ ଏହି ସ୍ଥାନଗୁଡ଼ିକରୁ ଅନେକ ଅଣ-ଆରସିଏସ ବାଣିଜ୍ୟିକ ବିମାନ ମଧ୍ୟ ଚଳାଚଳ କରୁଛି।

ଉଚ୍ଚ ଉଡ଼ାଣ: ଉଡ଼ାଣ ଅଧୀନରେ ଏକ ବିମାନ ବନ୍ଦର

ଦରଭଙ୍ଗା ବିମାନବନ୍ଦର (ସିଭିଲ୍ ଏନକ୍ଲେଭ୍): ଏକଦା ଏଠାରୁ ବିମାନ ସେବା ସ୍ଥଗିତ ହୋଇଯାଇଥିଲା। ତେବେ ଦରଭଙ୍ଗା ୯ ନଭେମ୍ବର ୨୦୨୦ ରେ ଦିଲ୍ଲୀରୁ ଏହାର ପ୍ରଥମ ବିମାନର ଆଗମନର ଉତ୍ସବ ପାଳନ କରିଥିଲା। ଏହି ବିମାନ ବନ୍ଦର ଏବେ ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ ଏବଂ କୋଲକାତା ଭଳି ପ୍ରମୁଖ ସହରକୁ ସଂଯୋଗ କରୁଥିବା ଉତ୍ତର ବିହାରର ୧୪ଟି ଜିଲ୍ଲାର ପ୍ରବେଶ ଦ୍ୱାର ଭାବେ କାର୍ଯ୍ୟ କରୁଛି ଏବଂ ଆର୍ଥିକ ବର୍ଷରେ ୫ ଲକ୍ଷରୁ ଅଧିକ ଯାତ୍ରୀଙ୍କୁ ପରିବହନ କରିଛି।

ଝାରସୁଗୁଡ଼ା ବିମାନ ବନ୍ଦର (ଏଏଆଇ ବିମାନ ବନ୍ଦର): ମାର୍ଚ୍ଚ ୨୦୧୯ରେ ଝାରସୁଗୁଡ଼ା ବିମାନ ବନ୍ଦରରୁ ବିମାନ ସେବା ଆରମ୍ଭ ହୋଇଥିଲା, ଯାହା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରୁ ଜରାଜୀର୍ଣ୍ଣ ହୋଇ ପଡ଼ି ରହିଥିଲା। ଏହା ଓଡ଼ିଶାର ଦ୍ୱିତୀୟ ବିମାନ ବନ୍ଦର। ଏହା ବର୍ତ୍ତମାନ ଏହି ଅଞ୍ଚଳକୁ ଦିଲ୍ଲୀ, କୋଲକାତା, ବେଙ୍ଗାଲୁରୁ ଏବଂ ଭୁବନେଶ୍ୱର ସହିତ ସଂଯୋଗ କରୁଛି। ଆର୍ଥିକ ବର୍ଷ ୨୦୨୩-୨୪ ରେ ୨ ଲକ୍ଷରୁ ଅଧିକ ଲୋକ ଏଠାରୁ ଯାତ୍ରା କରିଥିଲେ।

ପିଥୋରାଗଡ଼ ବିମାନବନ୍ଦର: ହିମାଳୟରେ ଅବସ୍ଥିତ ଏହି ବିମାନବନ୍ଦରକୁ ୨୦୧୮ ରେ ଆରସିଏସ ପରିଚାଳନା ପାଇଁ ଚୟନ କରାଯାଇଥିଲା ଏବଂ ଜାନୁଆରୀ ୨୦୧୯ରେ ଏଠାରୁ ବିମାନ ସେବା ଆରମ୍ଭ ହୋଇଥିଲା। ବର୍ତ୍ତମାନ, ଏଠାରୁ ଡେରାଡୁନ ଏବଂ ପନ୍ତନଗରକୁ ବିମାନ ସେବା ଉପଲବ୍ଧ ଯାହାକି ଏହାର ରଣନୀତିକ ଗୁରୁତ୍ୱକୁ ଦର୍ଶାଉଛି

ତେଜୁ ବିମାନବନ୍ଦର: ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ଧାର୍ମିକ ମହତ୍ତ୍ୱ ପାଇଁ ପ୍ରସିଦ୍ଧ ତେଜୁ ବିମାନବନ୍ଦର ଅଗଷ୍ଟ ୨୦୨୧ ରେ ଆରସିଏସ କାର୍ଯ୍ୟ ଆରମ୍ଭ କରିଥିଲା। ଏହା ଗୌହାଟୀ, ଜୋରହାଟ ଏବଂ ଦିବ୍ରୁଗଡ଼କୁ ଯୋଡ଼ିଥାଏ। ଆର୍ଥିକ ବର୍ଷ ୨୦୨୩-୨୪ ରେ ପ୍ରାୟ ୧୨,୦୦୦ ଯାତ୍ରୀ ଏଠାରୁ ଯାତ୍ରା କରିଥିଲେ।

ସାଧାରଣ ନାଗରିକଙ୍କ ପାଇଁ ପରିବର୍ତ୍ତନ

ଉଡ଼ାନ ଯୋଜନା ଅଧୀନରେ ଭାରତୀୟ ବିମାନ ଚଳାଚଳ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆସିଛି। ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ସଂଯୋଗ କରୁଥିବା ହେଲିକପ୍ଟର ମାର୍ଗ ସମେତ ୬୦୧ଟି ମାର୍ଗ କାର୍ଯ୍ୟକ୍ଷମ କରାଯାଇଛି। ଏଠାରେ ଉଲ୍ଲେଖନୀୟ ଯେ ଏହି ମାର୍ଗଗୁଡ଼ିକ ମଧ୍ୟରୁ ପ୍ରାୟ ୨୮ ପ୍ରତିଶତ ସର୍ବାଧିକ ଦୁର୍ଗମ ସ୍ଥାନକୁ ସଂଯୋଗ କରେ। ଏହାଦ୍ୱାରା ଦୁର୍ଗମ ଅଞ୍ଚଳଗୁଡ଼ିକ ପର୍ଯ୍ୟନ୍ତ ପହଞ୍ଚିବା ସୁନିଶ୍ଚିତ ହୋଇଛି।

ଦେଶରେ କାର୍ଯ୍ୟକ୍ଷମ ବିମାନ ବନ୍ଦର ସଂଖ୍ୟା ୨୦୧୪ ରେ ୭୪ ରୁ ୨୦୨୪ ରେ ୧୫୭ କୁ ବୃଦ୍ଧି ପାଇଛି ଏବଂ ୨୦୪୭ ସୁଦ୍ଧା ଏହି ସଂଖ୍ୟାକୁ ୩୫୦-୪୦୦ କୁ ବୃଦ୍ଧି କରିବାର ଲକ୍ଷ୍ୟ ରହିଛି। ଗତ ଦଶନ୍ଧି ମଧ୍ୟରେ ଘରୋଇ ବିମାନ ଯାତ୍ରୀଙ୍କ ସଂଖ୍ୟା ଦ୍ୱିଗୁଣିତ ହୋଇଛି। ଭାରତୀୟ ବିମାନ ଚଳାଚଳ ସଂସ୍ଥାଗୁଡ଼ିକ ମଧ୍ୟ ସେମାନଙ୍କ ବିମାନବାହିନୀର ବ୍ୟାପକ ସମ୍ପ୍ରସାରଣ କରିଛନ୍ତି। ୭୧ଟି ବିମାନ ବନ୍ଦର, ୧୩ଟି ହେଲିପୋର୍ଟ ଏବଂ ୨ଟି ଜଳ ବିମାନ ବନ୍ଦର ସମେତ ମୋଟ ୮୬ଟି ବିମାନ ବନ୍ଦର କାର୍ଯ୍ୟକ୍ଷମ ସୁଗମ ହୋଇଛି । ଏହାଦ୍ୱାରା ୨.୮ ନିୟୁତରୁ ଅଧିକ ବିମାନରେ ୧୪.୪ ନିୟୁତରୁ ଅଧିକ ଯାତ୍ରୀଙ୍କ ପାଇଁ ବିମାନ ଯାତ୍ରା କରିପାରିବେ। ଏହାର ଆରମ୍ଭ ପରଠାରୁ, ଫିକ୍ସଡ୍-ୱିଙ୍ଗ୍ ଅପରେସନ୍ ସମୁଦାୟ ପ୍ରାୟ ୧୧୨ ନିୟୁତ କିଲୋମିଟର ଅତିକ୍ରମ କରିଛି ଯାହା ବିଶ୍ୱକୁ ପ୍ରାୟ ୨୮,୦୦୦ ଥର ପରିକ୍ରମା କରିବା ସହିତ ସମାନ।

ନିଷ୍କର୍ଷ: ସମାବେଶିତାର ପ୍ରମାଣ

ଉଡ଼ାନ୍ କେବଳ ଏକ ଯୋଜନା ନୁହେଁ; ଏହା ଏପରି ଏକ ଆନ୍ଦୋଳନ ଯାହାର ଉଦ୍ଦେଶ୍ୟ ହେଉଛି ପ୍ରତ୍ୟେକ ଭାରତୀୟଙ୍କ ପାଇଁ ବିମାନ ଯାତ୍ରାକୁ ସୁଗମ କରିବା। ଉନ୍ନତ ଆଞ୍ଚଳିକ ସଂଯୋଗ ଏବଂ ସୁଲଭ ବିମାନ ଯାତ୍ରା ଅସଂଖ୍ୟ ନାଗରିକଙ୍କ ବିମାନ ଯାତ୍ରାର ଆକାଂକ୍ଷାକୁ ପୂରଣ କରିଛି। ଏହା ଆର୍ଥିକ ଅଭିବୃଦ୍ଧି ଏବଂ ନିଯୁକ୍ତି ସୃଷ୍ଟିକୁ ମଧ୍ୟ ତ୍ୱରାନ୍ୱିତ କରିଛି। ଉଡ଼ାଣ ସମ୍ପ୍ରସାରଣ ହେବା ସହିତ, ଏହା ଭାରତର ବିମାନ ଚଳାଚଳ ପରିଦୃଶ୍ୟକୁ ପରିବର୍ତ୍ତନ କରିବାର ପ୍ରତିଶ୍ରୁତି ଦେଇଥାଏ। ଆକାଶ ଛୁଇଁବା ପ୍ରକୃତରେ ସମସ୍ତଙ୍କ ପାଇଁ ସମ୍ଭବ ତାହା ସୁନିଶ୍ଚିତ କରିଥାଏ। ବଞ୍ଚିତ ଅଞ୍ଚଳକୁ ସଂଯୋଗ କରିବା ଏବଂ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ଏହାର ନିରନ୍ତର ପ୍ରତିବଦ୍ଧତା ସହିତ, ଉଡ଼ାନ୍ ଯୋଜନା ଭାରତୀୟ ବିମାନ ଚଳାଚଳ କ୍ଷେତ୍ର ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ ଯାହା ଏକ ଆନ୍ତଃସଂଯୁକ୍ତ ଅଞ୍ଚଳ ଏବଂ ସମୃଦ୍ଧ ରାଷ୍ଟ୍ର ନିର୍ମାଣ ପାଇଁ ଭାରତର ଦୃଷ୍ଟିକୋଣରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥାଏ।