Categories
ଜାତୀୟ ଖବର ବିଶେଷ ଖବର

କୋଭିଡ୍‌-୧୯ ଓ ଟିକାଦାନ ସ୍ଥିତି ସମ୍ପର୍କରେ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳେ ଏକ ପୂର୍ଣ୍ଣାଙ୍ଗ ଉଚ୍ଚସ୍ତରୀୟ ବୈଠକରେ ଦେଶର କୋଭିଡ୍ ପରିସ୍ଥିତିର ସବିଶେଷ ସମୀକ୍ଷା କରିଛନ୍ତି। ପ୍ରାୟ ଦୁଇଘଣ୍ଟା ଧରି ଚାଲିଥିବା ଏହି ବୈଠକରେ ନୂଆ କୋଭିଡ ଭୂତାଣୁ “ଓମିକ୍ରନ”ର ସଂକ୍ରମଣ, ଟିକାଦାନ, ଚିକିତ୍ସା ବ୍ୟବସ୍ଥା ଓ ଅନ୍ୟାନ୍ୟ ସ୍ଥିତି ବିଷୟରେ ପ୍ରଧାନମନ୍ତ୍ରୀ ସମୀକ୍ଷା କରିଥିଲେ।

ଏହି ବୈଠକ ଅବସରରେ ପ୍ରଧାନମନ୍ତ୍ରୀଙ୍କୁ କୋଭିଡ ମହାମାରୀର ବୈଶ୍ୱିକ ଧାରା, ସଂକ୍ରମଣ ସ୍ଥିତି ଓ ଅନ୍ୟାନ୍ୟ ବିଷୟରେ ଅବଗତ କରାଯାଇଥିଲା। ମହାମାରୀ ଆରମ୍ଭ କାଳରୁ ବିଶ୍ୱର ବିଭିନ୍ନ ଦେଶରେ ତୁହାକୁ ତୁହା ନୂଆପ୍ରକାର ଭୂତାଣୁ ସଂକ୍ରମଣ ଘଟଣାମାନ ଘଟିଆସୁଛି ବୋଲି ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ଭାରତରେ ସଂକ୍ରମିତଙ୍କ ସଂଖ୍ୟା ଓ ହାର  ସହିତ କୋଭିଡସ୍ଥିତି କ’ଣ ତାହା ମଧ୍ୟ ପ୍ରଧାନମନ୍ତ୍ରୀ ପଚାରି ବୁଝିଥିଲେ।

ଏହି ବୈଠକରେ ଆହୁରି ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ  ଦେଶରେ କୋଭିଡ ଟିକାଦାନର ପ୍ରଗତି ସମ୍ପର୍କରେ ଅବଗତ କରାଯିବା ସହିତ “ହର ଘର ଦସ୍ତକ” ଅଭିଯାନ କିପରି କାର୍ଯ୍ୟକାରୀ ହେଉଛି ସେ ବିଷୟରେ ସୂଚିତ କରାଯାଇଥିଲା। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶରେ ଦ୍ୱିତୀୟ ଡୋଜ ଟିକା ପ୍ରଦାନ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ ଓ କ୍ଷୀପ୍ରତର କରିବାର  ଆବଶ୍ୟକତା ରହିଛି। ଯେଉଁମାନେ ପ୍ରଥମ ଡୋଜ ଟିକା ନେଇସାରିଛନ୍ତି, ସେମାନଙ୍କୁ ନିର୍ଦ୍ଧାରିତ ସମୟରେ ଦ୍ୱିତୀୟ ଡୋଜ ଟିକାଦାନକୁ ସୁନିଶ୍ଚିତ କରିବା ପାଇଁ ରାଜ୍ୟମାନଙ୍କୁ ସଚେତନ କରାଇବାକୁ ପ୍ରଧାନମନ୍ତ୍ରୀ କହିଥିଲେ। ଦେଶରେ ସେରୋ ପଜିଟିଭିଟି ସ୍ଥିତି ସମ୍ପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା। ବିଭିନ୍ନ ସମୟରେ ହେଉଥିବା ଏହି ପରୀକ୍ଷାର ସୁଫଳ ସାଧାରଣ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ କିପରି ପଡୁଛି ତାହା ମଧ୍ୟ ପ୍ରଧାନମନ୍ତ୍ରୀ ପଚାରି ବୁଝିଥିଲେ।

ଏବେ ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ନୂଆ କରୋନା ଭୂତାଣୁ ‘ଓମିକ୍ରନ”, ଏହାର ଲକ୍ଷଣ, ବିଭିନ୍ନ ଦେଶରେ ପଡିଥିବା ଏହାର ପ୍ରଭାବ ସମ୍ପର୍କରେ ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ଭାରତ ଉପରେ ଏହି ଭୂତାଣୁର କି ପ୍ରକାର ସମ୍ଭାବ୍ୟ ପ୍ରଭାବ ପଡିପାରେ ତାହା ମଧ୍ୟ ଆଲୋଚିତ ହୋଇଥିଲା। ନୂଆ ଭୂତାଣୁ ସଂକ୍ରମଣ ପରିପ୍ରେକ୍ଷୀରେ ଏଥିପ୍ରତି ସତର୍କ ଓ ପ୍ରସ୍ତୁତ ରହିବାକୁ ପ୍ରଧାନମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେ ଆହୁରି କହିଥିଲେ ଯେ ନୂଆ ସଂକ୍ରମଣ ପରିପ୍ରେକ୍ଷୀରେ ଜନସାଧାରଣ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ରକ୍ଷା କରି ଚଳିବା ଆବଶ୍ୟକ। ବିଦେଶରୁ ଯେଉଁମାନେ ଦେଶକୁ ଆସୁଛନ୍ତି ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ନିର୍ଦ୍ଧାରିତ ନିର୍ଦ୍ଦେଶାବଳୀ ଅନୁସାରେ କରାଯିବା ଆବଶ୍ୟକ। ଯେଉଁ ଦେଶଗୁଡିକ ସଂକ୍ରମଣ ଦୃଷ୍ଟିରୁ ବିପଦପୂର୍ଣ୍ଣଭାବେ ଚିହ୍ନଟ ହୋଇଛନ୍ତି, ସେଠାରୁ ଆସୁଥିବା ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ସ୍ୱତନ୍ତ୍ର ନଜର ରଖିବାକୁ ସେ କହିଛନ୍ତି। ଯେଉଁ ଦେଶଗୁଡିକ ସଂକ୍ରମଣମୁକ୍ତ ତାହାକୁ ପ୍ରମାଣଭିତ୍ତିରେ ଠାବ କରି ଆନ୍ତର୍ଜାତିକ ଭ୍ରମଣ କଟକଣାକୁ କୋହଳ କରିବାକୁ ପଦକ୍ଷେପ ନେବାକୁ ପ୍ରଧାନମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ବୈଠକରେ ଦେଶରେ ଚାଲିଥିବା କରୋନା ବିରୋଧୀ ଅନୁ୍‌କ୍ରମଣ(ସିକ୍ୟୁଏନ୍ସିଂ)ପ୍ରୟାସ ତଥା ସଂକ୍ରମଣକାରୀ ଭୂତାଣୁଗୁଡିକ ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା। ପ୍ରଧାନମନ୍ତ୍ରୀ କହିଥିଲେ ଯେ ନିୟମ ଅନୁସାରେ ଆନ୍ତର୍ଜାତିକ ଯାତ୍ରୀ ଓ ସମୁଦାୟଙ୍କ ଜେନମ୍ ସିକ୍ୟୁଏନି୍ସଂ ନମୁନା ସଂଗ୍ରହ କରାଯିବା ଉଚିତ। ସମଗ୍ର ସିକୁଏନି୍ସଂ ପ୍ରକ୍ରିୟାକୁ ବ୍ୟାପକ ଓ ସୁସଂହତ କରିବା ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ। ଜିଲ୍ଲା ଓ ପ୍ରାଦେଶିକସ୍ତରରେ ନୂଆ ସଂକ୍ରମଣ ରୋକିବାକୁ ଆବଶ୍ୟକ ପ୍ରସ୍ତୁତିକୁ ଗୁରୁତ୍ୱ ଦେଇ ଏଥିପାଇଁ ରାଜ୍ୟମାନଙ୍କୁ ସତର୍କ ଓ  ସଚେତନ କରାଇବାକୁ ସେ କହିଥିଲେ। ଯେଉଁସବୁ ରାଜ୍ୟରେ ଅଧିକ ଭୂତାଣୁ ସଂକ୍ରମଣ ଘଟଣା ନିଜରକୁ ଆସୁଛି ସେଠାରେ ତଦାରଖ ଓ କଣ୍ଟେନମେଣ୍ଟ ବ୍ୟବସ୍ଥାକୁ ସୁଦୃଢ କରିବା ସହିତ ଆବଶ୍ୟକ ପଡିଲେ ରାଜ୍ୟ ସରକାରମାନଙ୍କୁ ବୈଷୟିକ ସହାୟତା ଯୋଗାଇଦେବାକୁ କହିଥିଲେ। ବାୟୁ ସଂଚାର ଓ ପବନ ଦ୍ୱାରା କେତେକ କରୋନା ଭୂତାଣୁ ସଂକ୍ରମଣ ବ୍ୟାପୁଥିବାରୁ ସେଥିପ୍ରତି ସଚେତନତା ସୃଷ୍ଟି ଉପରେ ସେ ଗୁରୁତ୍ୱ ଦେଇଥିଲେ।
ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ ଯେ, କରୋନ ମୁକାବିଲା କ୍ଷେତ୍ରରେ ସେମାନେ ନୂଆ ଔଷଧପତ୍ରର ପ୍ରୟୋଗକୁ ବିଶେଷ ଗୁରୁତ୍ୱ ଦେଉଛନ୍ତି ଏବଂ ଏହାର ସୁବିଧା ଉପଲବ୍ଧ କରାଉଛନ୍ତି । ସବୁ ରାଜ୍ୟରେ ଯେପରି ପର୍ଯ୍ୟାପ୍ତ ପରିମାଣର ଔଷଧପତ୍ର ମହଜୁଦ ରହେ ତାହା ନିଶ୍ଚିତ କରିବାକୁ ଉପଯୁକ୍ତ ସମନ୍ୱୟ ବ୍ୟବସ୍ଥା କରିବା ପାଇଁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଆହୁରି ମଧ୍ୟ ସବୁ ରାଜ୍ୟର ସ୍ୱାସ୍ଥ୍ୟସେବା ସୁବିଧା, ଭିତ୍ତିଭୂମି ତଥା ବିଶେଷକରି ଶିଶୁଚିକିତ୍ସା  ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଅଧିକାରୀମାନଙ୍କୁ କହିଥିଲେ। ରାଜ୍ୟମାନଙ୍କରେ ପିଏସ୍‌ଏ ଅକ୍ସିଜେନ ପ୍ଲାଣ୍ଟ ଓ ଭେଣ୍ଟିଲେଟର ସୁବିଧା କିପରି କାର୍ଯ୍ୟ କରୁଛି ତାହା ଦେଖିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ।

ଏହି ବୈଠକରେ କେନ୍ଦ୍ର କ୍ୟାବିନେଟ ସଚିବ ରାଜୀବ ଗୌବା, ନୀତି ଆୟୋଗର ସଦସ୍ୟ(ସ୍ୱାସ୍ଥ୍ୟ) ଡକ୍ଟର ଭି.କେ.ପାଲ, ସ୍ୱରାଷ୍ଟ୍ର ସଚିବ ଏ.କେ. ଭଲ୍ଲା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ରାଜେଶ ଭୂଷଣ, ବାୟୋ ଟେକ୍‌ନୋଲୋଜି ସଚିବ ଡକ୍ଟର ରାଜେଶ ଗୋଖଲେ, ଆଇସିଏମ୍‌ଆର ଡିଜି ଡକ୍ଟର ବଳରାମ ଭାର୍ଗବ, ଆୟୁଷ ସଚିବ ବୈଦ୍ୟ ରାଜେଶ କୋଟେଚା, ସହରାଞ୍ଚଳ ବିକାଶ ସଚିବ ଦୁର୍ଗାଶଙ୍କର ମିଶ୍ର, ଏନ୍‌ଏଚ୍‌ଏର ସିଇଓ ଆର.ଏସ୍‌.ଶର୍ମା ଭାରତ ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ଉପଦେଷ୍ଟା ପ୍ରଫେସର କେ ବିଜୟ ରାଘବନ ଓ ଅନ୍ୟାନ୍ୟ ବରିଷ୍ଠ ସରକାରୀ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଚାନକ ବାଣପୁର ଗସ୍ତ: ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କଲେ ସମୀକ୍ଷା

ସୀତାରାମ ଅଗ୍ରୱାଲ

ବାଣପୁର: ସବୁଦିନ କର୍ମଦିନ। ରବିବାର ବି କାମ ହେବ। ଏପରି କହିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର। ଜିଲ୍ଲାପାଳ ଆଜି ରବିବାର ଛୁଟିଦିନରେ ଅଚାନକ ବାଣପୁର ଗସ୍ତକୁ ଆସି ଏକାଧିକ କାର୍ଯ୍ୟର ସମୀକ୍ଷା କରିବା ସହ ବହୁତ ଦିନରୁ ପଡିରହିଥିବା ବ୍ଲକ ଓ ତହସିଲର ଏକାଧିକ ସମସ୍ୟାର ସମାଧାନ ମଧ୍ୟ କରିଛନ୍ତି।

ଆଜି ମଧ୍ୟାହ୍ନରେ ଜିଲ୍ଲାପାଳ ବାଣପୁର ପହଞ୍ଚି ପ୍ରଥମେ ପ୍ରସିଦ୍ଧ ଶକ୍ତିପିଠ ମା’ ଭଗବତୀଙ୍କ ମନ୍ଦିର ପରିଦର୍ଶନ କରି ମା’ ଙ୍କ ଆଶୀର୍ବାଦ ନେଇଥିଲେ। ଏହି ସମୟରେ ମା’ ଙ୍କ ମନ୍ଦିର ସମ୍ମୁଖରେ ଥିବା ସରକାରୀ ଜାଗାକୁ ସ୍ଥାନୀୟ ଅଞ୍ଚଳବାସୀ ମାଡି ବସିଥିବାର ଦେଖିବାକୁ ପାଇଥିଲେ ଜିଲ୍ଲାପାଳ ଏବଂ ସଙ୍ଗେସଙ୍ଗେ ଅବରୋଧ ହଟାଇବା ପାଇଁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସେହିପରି ଭାବେ ଭଗବତୀ ମନ୍ଦିରର ଉନ୍ନତିକରଣ ପାଇଁ ବିଧାୟକ ପାଣ୍ଠିରୁ ପୂର୍ବରୁ ଅନୁମୋଦନ ହୋଇଥିବା ୫୦ ଲକ୍ଷ ଟଙ୍କାକୁ ଯଥାଶୀଘ୍ର ବିନିଯୋଗ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ। ଏହାପରେ ଜିଲ୍ଲାପାଳ ବାଣପୁର ତହସିଲ କାର୍ଯ୍ୟାଳୟକୁ ଯାଇ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେ। ତେବେ ତହସିଲରେ ଅଦ୍ୟାବଧି ଏକ ହଜାର ମ୍ୟୁଟେସନ ମାମଲା ପଡିରହିଥିବାର ଜାଣିବାକୁ ପାଇଥିଲେ ଜିଲ୍ଲପାଳ। ଉକ୍ତ ମାମଲାଗୁଡିକୁ ଆଗାମୀ ୧୦ ଦିନ ମଧ୍ୟରେ ରଫାଦଫା କରିବାକୁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ।

ସେହିପରି ଜିଲ୍ଲାପାଳ ବାଣପୁର ବ୍ଲକ ଗସ୍ତ କରି ସେଠାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ଗତ ସପ୍ତାହରେ ଜିଲ୍ଲା ପ୍ରଶାସନ ଦ୍ୱାରା ୪୩୦ ବାର୍ଦ୍ଧକ୍ୟ ଭତ୍ତା ଅନୁମୋଦନ ହୋଇଥିବା ବେଳେ ସେଗୁଡିକୁ ଆସନ୍ତା ସାତ ଦିନ ମଧ୍ୟରେ ହିତାଧିକାରୀଙ୍କୁ ଦେବାପାଇଁ ଜିଲ୍ଲପାଳ ବିଡ଼ିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅନୁରୂପ ଭାବେ ଆଉ ୧୩୦ ଟି ଭତ୍ତା ବାଣପୁର ବ୍ଲକ ପାଇଁ ଅନୁମୋଦନ ହୋଇଥିବାବେଳେ ତୁରନ୍ତ ସେଥିପାଇଁ ହିତାଧିକାରୀଙ୍କୁ ଚି଼ହ୍ନଟ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲପାଳ।

ସେହିପରି ଭାବେ ଚଳିତ ମାସ ଶେଷସୁଧା ବାଣପୁର ବ୍ଲକର ବିଭିନ୍ନ ସ୍ଥାନରେ ନିର୍ମାଣଧୀନ ଥିବା ନଅ ଗୋଟି ମିଶନ ଶକ୍ତି ଗୃହ କାର୍ଯ୍ୟକୁ ଶେଷ କରିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ।  ବିଶେଷ କରି ପେପର ଲେସ କାର୍ଯ୍ୟଉପରେ ଗୁରୁତ୍ୱ ଦେଇ ସବୁ ଅଧିକାରୀମାନଙ୍କୁ ଡିଜିଟାଲ ପ୍ଲାଟଫର୍ମରେ ସକ୍ରିୟ ରହିବା ସହ ଅଭିଯୋଗର ତ୍ୱରିତ ସମାଧାନ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।

ଜିଲ୍ଲାପାଳଙ୍କ ଆସିବା ଖବର ଶୁଣି ବହୁ ହିତାଧିକାରୀମାନେ ଜିଲ୍ଲାପାଳଙ୍କୁ ଭେଟି ତାଙ୍କ ଅଭିଯୋଗପତ୍ର ଦେଇଥିବାବେଳେ କେତେକ ଅଭିଯୋଗଗୁଡିକୁ ଜିଲ୍ଲାପାଳ ସଙ୍ଗେସଙ୍ଗେ ସମାଧାନ କରିବା ସହ ବାକି ଅଭିଯୋଗକୁ ତୁରନ୍ତ ସମାଧାନ ପାଇଁ ବ୍ଲକ ପ୍ରଶାସନକୁ ନର୍ଦ୍ଦେଶ ଦେଇଥିଲେ। କେତେକ ହିତାଧିକାରୀଙ୍କ ରାସନ କାର୍ଡରେ ଆଧାର ସଂଯୋଗ ହୋଇନଥିବାରୁ ରାସନ ପାଇପାରୁନଥିବା ଅଭିଯୋଗ ପାଇଥିଲେ ଜିଲ୍ଲାପାଳ। ଏଯାବତ ବାଣପୁର ବ୍ଲକରେ ଆଧାର ସଂଯୋଗୀକରଣ ୮୩ ପ୍ରତିଶତ ହୋଇଥିବାବେଳେ ତାକୁ ଯଥାଶୀଘ୍ର ଶତ ପ୍ରତିଶତ କରିବା ପାଇଁ ବ୍ଲକ ଯୋଗାଣ ନିରୀକ୍ଷକଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ତେବେ ବାଣପୁର ଏନଏସି ଅଞ୍ଚଳରେ ସାନିଟେସନ ଉପରେ ଅସନ୍ତୋଷ ପ୍ରକଟ କରିଥିଲେ ଜିଲ୍ଲାପାଳ। ଯଥାଶୀଘ୍ର ସହରରେ ସାନିଟେସନ ବ୍ୟବସ୍ଥାକୁ ସୁଧାରିବା ପାଇଁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ। ବାଣପୁର ଏନଏସି ରେ ଡ୍ରେନେଜ ସମସ୍ୟାକୁ ହୃଦୟଙ୍ଗମ କରି ଆଗାମୀ ଦିନରେ କିପରି ସହରରେ ଡ୍ରେନେଜ ନିର୍ମାଣ ହୋଇପାରିବ, ସେ ଲାଗି ବିହିତ ପଦକ୍ଷେପ ଆଜିଠାରୁ ଗ୍ରହଣ କରିଥିବାର ସୂଚନା ଦେଇଛନ୍ତି ଜିଲ୍ଲପାଳ।

ଆସନ୍ତାଦିନରେ ମା’ ଭଗବତୀ ମନ୍ଦିର ନିକଟରେ ଏକ ବସ ଷ୍ଟାଣ୍ଡ ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଏଥି ନିମନ୍ତେ ସେ ଆଜି ରାଜ୍ୟ ସରକାରଙ୍କ ସହ ଆଲୋଚନା କରିଥିବାର କହିଛନ୍ତି ଏବଂ ଆସନ୍ତା ସପ୍ତାହରେ ଯନ୍ତ୍ରୀ ଉକ୍ତ ଅଞ୍ଚଳ ପରିଦର୍ଶନକୁ ଆସିବେ ବୋଲି ସୂଚନା ଦେଇଛନ୍ତି।

ତେବେ ସୋସିଆଲ ମିଡ଼ିଆ ଟ୍ୱିଟର ଦ୍ୱାରା ଜିଲ୍ଲାପାଳ ବାଣପୁର ଅଞ୍ଚଳର ଏକାଧିକ ଜନସାଧାରଣଙ୍କ ସମସ୍ୟାଗୁଡିକୁ ସମାଧାନ କରିଥିବାରୁ ବହୁ ନାଗରିକ ମାନେ ଜିଲ୍ଲପାଳଙ୍କୁ ଭେଟି ସମ୍ବର୍ଦ୍ଧିତ କରିବା ସହ ଏଥି ନିମନ୍ତେ ତାଙ୍କୁ ଧନ୍ୟବାଦ ଜଣାଇଥିଲେ। ପ୍ରଥମ ଥର ପାଇଁ ରାଜ୍ୟର ଏକ ନମ୍ବର ଜିଲ୍ଲା ଯେଉଁଥିରେ ରାଜଧାନୀ ସାମିଲ ଅଛି, ଏହାର ବିକାଶ ପାଇଁ ଜିଲ୍ଲପାଳଙ୍କ ଦୃଢ଼ ଇଚ୍ଛାଶକ୍ତିକୁ ବାଣପୁରବାସି ଭୂୟସୀ ପ୍ରଶଂସା କରିଛନ୍ତି।

ଜିଲ୍ଲାପାଳଙ୍କ ଉକ୍ତ ଗସ୍ତ ସମୟରେ ବାଣପୁର ବିଡ଼ିଓ ତଥା ଭାରପ୍ରାପ୍ତ ତହସିଲଦାର ପ୍ରଦ୍ୟୁମ୍ନ ନାୟକ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି, ଦକ୍ଷେଶ୍ୱର ଭଗବତୀ ଏଣ୍ଡାଓମେଣ୍ଟ କାର୍ଯ୍ୟନିର୍ବାହୀ ଅଧିକାରୀ ବଳାମୁକୁନ୍ଦ ଦାସ ଏବଂ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପିପିଟି, ଏମସିଏଲର କାର୍ଯ୍ୟଧାରା ଓ ପ୍ରକଳ୍ପ ସମୀକ୍ଷା କଲେ କୋଇଲା ଓ ଖଣିମନ୍ତ୍ରୀ ପ୍ରହ୍ଲାଦ ଯୋଶୀ

ଭୁବନେଶ୍ବର: କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଗୁରୁବାର ଦିନ ପାରାଦୀପ ବନ୍ଦର ଟ୍ରଷ୍ଟ (ପିପିଟି) ଏବଂ ମହାନଦୀ କୋଲ ଫିଲ୍ଡସ୍ ଲିମିଟେଡ (ଏମସିଏଲ)ର ବିଭିନ୍ନ ପ୍ରକଳ୍ପ ଓ କାର୍ଯ୍ୟଧାରା ସମୀକ୍ଷା କରିଛନ୍ତି। ଶ୍ରୀ ଯୋଶୀ ପାରାଦୀପ ବନ୍ଦର ଏବଂ ଏମସିଏଲର ହିଙ୍ଗୁଳା କୋଇଲା ଖଣି କ୍ଷେତ୍ର ପରିଦର୍ଶନ କରି ଏହି ସମୀକ୍ଷା କରିଥିଲେ।

ଶ୍ରୀ ଯୋଶୀ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସି ପହଞ୍ଚିଛନ୍ତି। ଆରମ୍ଭରୁ ସେ ପାରାଦୀପ ବନ୍ଦର ଗସ୍ତ କରି କୋଇଲା ଲୋଡିଂ ବ୍ୟବସ୍ଥାର ଅନୁଧ୍ୟାନ କରିଥଲେ। ତାଙ୍କ ସହିତ କେନ୍ଦ୍ର କୋଇଲା ଏବଂ ଖଣି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରାଓସାହେବ ପାଟିଲ ଦାନଭେ ଉପସ୍ଥିତ ଥିଲେ। ସମୁଦ୍ର ମାର୍ଗ ଦେଇ କୋଇଲା ପରିବହନ ବୃଦ୍ଧି କରିବା ଲାଗି ବନ୍ଦରରେ ଥିବା ସୁବିଧାର ସମ୍ପୂର୍ଣ୍ଣ ଉପଯୋଗ ନିମନ୍ତେ ଶ୍ରୀ ଯୋଶୀ ନିର୍ଦ୍ଦେଶ ଦେଇଥିଲେ। ପାରାଦୀପ ବନ୍ଦରକୁ କୋଇଲା ହବ୍ ରୂପରେ ବ୍ୟବହାର କରିବା ଲାଗି ସମ୍ଭାବନାକୁ ଉଜାଗର କରିବା ନିମନ୍ତେ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।

ଶ୍ରୀ ଯୋଶୀ ମଧ୍ୟ ପାରାଦୀପ ବନ୍ଦର ନିକଟରେ ଥିବା ରେଳ ରିସିଭାଲ ସିଷ୍ଟମ ପରିଦର୍ଶନ କରିଥିଲେ, ଏଠାରେ ଓ୍ବାଗନ-ଟିପଲର୍ସ ସହାୟତାରେ କୋଇଲା ଅନଲୋଡ୍ କରାଯାଇଥାଏ। ମନ୍ତ୍ରୀ କହିଥିଲେ ଯେ, ଏହି ଅନଲୋଡ୍ ବ୍ୟବସ୍ଥା ବେଶ ଦକ୍ଷ। ଏହା ସମୟ ଏବଂ ବିଳମ୍ବଜନିତ ଖର୍ଚ୍ଚ ହ୍ରାସ କରିବା ସହିତ କୋଇଲା ଧୂଳି ଉଡ଼ିବା ପରିମାଣ କମାଇଥାଏ।

ଏହାପରେ କୋଇଲା ମନ୍ତ୍ରୀ ଏମସିଏଲର ହିଙ୍ଗୁଳା କ୍ଷେତ୍ରରେ ଥିବା ବଳରାମ ଓପନକାଷ୍ଟ ଖଣି ପ୍ରକଳ୍ପ ଅଞ୍ଚଳ ପରିଦର୍ଶନ କରିଥିଲେ। ମନ୍ତ୍ରୀ କହିଥିଲେ ଯେ, “ବାର୍ଷିକ ୮ ମିଲିୟନ ଟନ କ୍ଷମତା ବିଶିଷ୍ଟ ଏହି କୋଇଲା ଖଣିର ବିସ୍ଫୋରଣ କାମରେ କେବଳ ମହିଳାମାନେ ନିୟୋଜିତ ହୋଇଛନ୍ତି। ସେ ମଧ୍ୟ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ ଏବଂ କୋଇଲା ଉତ୍ପାଦନ ଏବଂ ପ୍ରେରଣ ନିମନ୍ତେ ଶ୍ରମିକମାନଙ୍କୁ ଉତ୍ସାହିତ କରିଥିଲେ। ଶ୍ରୀ ଯୋଶୀ ବଳରାମ ଓପନକାଷ୍ଟ ପ୍ରକଳ୍ପ ନିକଟରେ ଶ୍ରମିକ ଗୌରବ ଜଳ ଉଦ୍ୟାନର ଶିଳାନ୍ୟାସ କରିଥିଲେ। ଏହି ଅବସରରେ ମନ୍ତ୍ରୀ କହିଥିଲେ ଯେ ଏକ କୋଇଲା ଖଣି ଜମିର ପୁନରୁଦ୍ଧାର କରାଯାଇ ଏକ ସୁନ୍ଦର ହ୍ରଦ ପାର୍ଶ୍ବରେ ପ୍ରତିଷ୍ଠା ହେବାକୁ ଥିବା ଏହି ଜଳ ଉଦ୍ୟାନରେ ଏକ ବଡ଼ ପର୍ଯ୍ୟଟନ ସ୍ଥଳୀ ହେବାର ସମ୍ଭାବନା ରହିଛି।

ସେ ମଧ୍ୟ ଏମସିଏଲର ହିଙ୍ଗୁଳା କ୍ଷେତ୍ରର ରେଳ ସାଇଡିଂ ପରିଦର୍ଶନ କରିଥିଲେ। ଓ୍ବାଗନ ପରିବହନ ସମୟ ହ୍ରାସ କରିବା ଉପରେ ମନ୍ତ୍ରୀ ଜୋର ଦେଇଥିଲେ। କୋଇଲା ପ୍ରେରଣ ବୃଦ୍ଧି କରିବା ସଂକ୍ରାନ୍ତରେ ସେ ରେଳ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ରେଳସାଇଡିଂ ନିକଟରେ ପେଲୋଡର ଅପରେଟର ମାନଙ୍କୁ ମନ୍ତ୍ରୀ ସମ୍ବର୍ଦ୍ଧିତ କରିବା ସହିତ ସେମାନଙ୍କର କଠିନ କାମ ଲାଗି ସେମାନଙ୍କୁ ପ୍ରଶଂସା କରିଥିଲେ। ଏଥିସହିତ କୋଇଲା ଲୋଡିଂ ବୃଦ୍ଧି ପାଇଁ ସେମାନଙ୍କୁ ଉତ୍ସାହିତ କରିଥିଲେ।

Categories
ଆଜିର ଖବର ଆଞ୍ଚଳିକ

ଚିଲିକାରେ ସାମ୍ଭାବ୍ୟ ବାତ୍ୟା ଓ କୋଭିଡ ସ୍ଥିତିର ସମୀକ୍ଷା କଲେ ଖୋର୍ଦ୍ଧା ଜିଲ୍ଲାପାଳ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ମଧ୍ୟାହ୍ନରେ ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି ସାମ୍ଭାବ୍ୟ ବାତ୍ୟା ଏବଂ କୋଭିଡ ସ୍ଥିତି ଅନୁଧ୍ୟାନ ପାଇଁ ଚିଲିକା ନିର୍ବାଚନମଣ୍ଡଳୀ ଗସ୍ତରେ ଆସିଥିଲେ। ଉକ୍ତ ଗସ୍ତରେ ଅତିରିକ୍ତ ଜିଲ୍ଲାପାଳ ମନୋଜ ପାଢ଼ୀ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ଅନୁଜ ଦାସ ପଟ୍ଟନାୟକ ଏବଂ ଉପଜିଲ୍ଲାପାଳ ଅଶୋକ ବେହୁରିଆ ମଧ୍ୟ ସାମିଲ ଥିଲେ। ଜିଲ୍ଲାପାଳ ପ୍ରଥମେ ସାମ୍ଭାବ୍ୟ ବାତ୍ୟା ପାଇଁ ଚିଲିକା ବ୍ଲକ ପ୍ରଶାସନ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ବିରିବାଡ଼ି ପଂଚାୟତର ବାତ୍ୟା ଆଶ୍ରୟ ସ୍ଥଳୀ ପରିଦର୍ଶନ କରିଥିଲେ। ସେଠାରେ ବାତ୍ୟା ପାଇଁ ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବା ଆଗୁଆ ପଦକ୍ଷେପ ଗୁଡିକର ତଦାରଖ କରିଥିଲେ।

ଏହାପରେ ଜିଲ୍ଲାପାଳ ବାଲୁଗାଁ ଏନଏସିର ସଭାଗୃହ କକ୍ଷରେ ଏକ ବୈଠକର ଅଧ୍ୟକ୍ଷତା କରିଥିଲେ। ପାଖାପାଖି ଦୁଇ ଘଣ୍ଟା ଧରି ଚାଲିଥିବା ଉକ୍ତ ବୈଠକରେ ଚିଲିକା ନିର୍ବାଚନମଣ୍ଡଳୀରେ ସମ୍ପ୍ରତି କୋଭିଡ ସ୍ଥିତି ଏବଂ ସାମ୍ଭାବ୍ୟ ବାତ୍ୟା ପାଇଁ ପ୍ରଶାସନ ପକ୍ଷରୁ ନିଆଯାଇଥିବା ଆଗୁଆ ପଦକ୍ଷେପ ଗୁଡିକ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ବାଣପୁର ବ୍ଲକ, ଏନଏସି, ଚିଲିକା ବ୍ଲକ ଏବଂ ବାଲୁଗାଁ ଏନଏସି ରେ ସାମ୍ଭାବ୍ୟ ବାତ୍ୟା ପାଇଁ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକୁ ପ୍ରସ୍ତୁତ କରାଯିବା ସହ ରେଡ ଜୋନରେ ବସବାସ କରୁଥିବା ଜନସାଧାରଣଙ୍କୁ ଉକ୍ତ ଆଶ୍ରୟସ୍ଥଳୀକୁ ନେବାପାଇଁ ମଧ୍ୟ ସ୍ଥାନୀୟ ପ୍ରଶାସନ ସବୁ ପ୍ରକାର ବନ୍ଦୋବସ୍ତ କରିଥିବାର ଜିଲ୍ଲାପାଳ ଜାଣିବାକୁ ପାଇଥିଲେ।

ତେବେ ଚିଲିକାରେ କୋଭିଡ କେସ ପୂର୍ବପେକ୍ଷା ଗତ ଦୁଇ ଦିନ ହେଲା ସ୍ୱଳ୍ପ କମୁଥିବାରୁ ଜିଲ୍ଲପାଳ ସାମାନ୍ୟ ଆଶ୍ବସ୍ତି ପ୍ରକାଶ କରିଥିଲେ। ସଂପୂର୍ଣ୍ଣ ଚିଲିକା ନିର୍ବାଚନମଣ୍ଡଳୀରେ ‘ଜିରୋ’ କୋଭିଡ଼ କେସ ଲକ୍ଷ୍ୟକୁ ନେଇ କାମ ଆରମ୍ଭ କରିବାକୁ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଯେଉଁ ୱାର୍ଡ, କିମ୍ବା ଗ୍ରାମରେ ଆଜି ପର୍ଯ୍ୟନ୍ତ ଗୋଟିଏ ବି କୋଭିଡ଼ କେସ ବାହାରିନାହିଁ ସେ ଅଞ୍ଚଳକୁ କିପରି ଆଗକୁ ମଧ୍ୟ ସେହିପ୍ରକାର ଭାବେ କୋଭିଡ଼ ମୁକ୍ତ ରଖିବାକୁ ହେବ ସେ ନେଇ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ।

ତତସହିତ ଯେଉଁ ଅଞ୍ଚଳରେ ଗୋଟେ କିମ୍ବା ଦୁଇ ଗୋଟି କୋଭିଡ କେସ ଚି଼ହ୍ନଟ ହେଉଛି ସେଠାରୁ ଆକ୍ରାନ୍ତମାନଙ୍କୁ ନିକଟସ୍ଥ କୋଭିଡ କେୟାର ସେଣ୍ଟରକୁ ସ୍ଥାନାନ୍ତରିତ କରିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ଯାହାଫଳରେ ଉକ୍ତ ଅଞ୍ଚଳରେ କୋଭିଡ ଆଉ ବ୍ୟାପିପାରିବନି। ବୟସ୍କ, ଗର୍ଭବତୀ ଏବଂ ଶିଶୁ ମାନଙ୍କ ଯଦି ସାମାନ୍ୟ ଲକ୍ଷଣ ଦେଖାଯାଏ, ତେବେ ସେମାନେ ମଧ୍ୟ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କ୍ରମେ କୋଭିଡ଼ କେୟାର ସେଣ୍ଟରରେ ଚିକିତ୍ସିତ ହେବେ ବୋଲି ଜିଲ୍ଲାପାଳ କହିଥିଲେ। ଜିଲ୍ଲାରେ କୋଭିଡ କେୟାର ସେଣ୍ଟର ଏବଂ ଅମ୍ଳଜାନର ଅଭାବ ନାହିଁ ବୋଲି ଜିଲ୍ଲାପାଳ ସ୍ପଷ୍ଟ କରିଥିଲେ।

ଅପରପକ୍ଷରେ କୋଭିଡ ରେଡ ଜୋନ ଗୁଡିକୁ ତୁରନ୍ତ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବା ସହ ଟେଷ୍ଟିଙ୍ଗ ବଢ଼ାଇବାକୁ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ। ସହରାଞ୍ଚଳରେ ପୂର୍ବତନ କାଉଁସିଲର ଏବଂ ଗ୍ରାମାଞ୍ଚଳରେ ମିଶନ ଶକ୍ତି, ଜନ ପ୍ରତିନିଧି, ସ୍ଵେଚ୍ଛାସେବୀମାନଙ୍କୁ ପ୍ରବାସୀ ଫେରନ୍ତାଙ୍କ ତଥ୍ୟ ପ୍ରଶାସନକୁ ଦେବାସହ ସେମାନଙ୍କ ଉପରେ ନଜର ରଖିବା ପାଇଁ ଜିଲ୍ଲାପାଳ ଆବାହାନ କରିଥିଲେ।

ସର୍ବଶେଷରେ ବୃଦ୍ଧ ତଥା ଅକ୍ଷମ ବ୍ୟକ୍ତିମାନଙ୍କ ପାଇଁ ଚିଲିକା ନିର୍ବାଚନମଣ୍ଡଳୀରେ କୋଭିଡ ମୋବାଇଲ ଟେଷ୍ଟିଙ୍ଗ ବ୍ୟବସ୍ଥାର ଆରମ୍ଭ ହୋଇଯାଇଛି ବୋଲି ଜିଲ୍ଲାପାଳ ଶ୍ରୀ ମହାନ୍ତି ଆମ ପ୍ରତିନିଧିଙ୍କୁ ସୂଚନା ଦେଇଥିଲେ।

ଉକ୍ତ ବୈଠକରେ ଚିଲିକା ତହସିଲଦାର ପୁନମ ମହାପାତ୍ର, ଚିଲିକା ବିଡ଼ିଓ ଡ଼ା ସୁଷମା ବାରିକ, ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ, ବାଣପୁର ତହସିଲଦାର ମନ୍ମଥ ବେହେରା, ବାଣପୁର ବିଡ଼ିଓ ପ୍ରଦ୍ୟୁମ୍ନ ନାୟକ, ବାଣପୁର ଆଇଆଇସି ରଶ୍ମିରଞ୍ଜନ ସାହୁ, ବାଲୁଗାଁ ଆଇଆଇସି ରମାକାନ୍ତ ମାହାଲିକ, ବାଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି, ବାଲୁଗାଁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଣି ଆକୃତି ଗୋଏଙ୍କା, ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଡ଼ା ସୁରଜ ମେହେର, ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ା ସୌମ୍ୟକାନ୍ତ ଦାସ ପଟ୍ଟନାୟକ, ବାଣପୁର ସିଡ଼ିପିଓ ବିଦ୍ୟୁତପ୍ରଭା ରଥ ଏବଂ ଚିଲିକା ସିଡ଼ିପିଓ ପ୍ରିୟଦର୍ଶିନୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।