Categories
ଆଜିର ଖବର ରାଜ୍ୟ ଖବର

ସାମୁଦ୍ରିକ ପ୍ରଥାକୁ ନେଇ ଆୟୋଜିତ ୩ ଦିନିଆ ସମ୍ମିଳନୀ ‘ସମୁଦ୍ରମନ୍ଥନ’ ଉଦ୍‌ଯାପିତ

ଭୁବନେଶ୍ୱର: ଭାରତର ସାମୁଦ୍ରିକ ପରଂପରା, ଏହାର ବର୍ତ୍ତମାନର ସ୍ଥିତି ଏବଂ ଭବିଷ୍ୟତର ସମ୍ଭାବନାକୁ ନେଇ ଶିକ୍ଷା ମନ୍ତ୍ରଣାଳୟର ପରିଚାଳିତ ଭାରତୀୟ ଜ୍ଞାନ ବ୍ୟବସ୍ଥା (ଇଣ୍ଡିଆନ୍ ନଲେଜ ସିଷ୍ଟମ ଡିଭିଜନ୍‌), ସଂସ୍କୃତି ମନ୍ତ୍ରଣାଳୟ ଓ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ମିଳିତ ଆନୁକୂଲ୍ୟରେ କଟକ ଠାରେ ଆୟୋଜିତ ୩ ଦିନିଆ କାର୍ଯ୍ୟକ୍ରମ ‘ସମୁଦ୍ରମନ୍ଥନ’ ଗୁରୁବାର ଦିନ ଉଦ୍‌ଯାପିତ ହୋଇଯାଇଛି।

ଭୁବନେଶ୍ୱର ସ୍ଥିତ ସୋଆ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ରେ ମଙ୍ଗଳବାର ଏହାର ଉଦ୍‌ଘାଟନ ପରେ ପରର୍ବତୀ ଦୁଇ ଦିନ ପର୍ଯ୍ୟନ୍ତ ଓଡ଼ିଶା ରାଜ୍ୟ ସାମୁଦ୍ରିକ ସଂଗ୍ରହାଳୟରେ ବିଭିନ୍ନ ପାନେଲ୍ ଆଲୋଚନା ଏବଂ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ଆଲୋଚନାର ଉତ୍କର୍ଷକୁ ନେଇ୨୦୪୭ ସୁଦ୍ଧା ଦେଶର ସାମୁଦ୍ରିକ ଭବିଷ୍ୟତ ବିଷୟରେ ଏକ ଦସ୍ତାବିଜ ପ୍ରସ୍ତୁତ କରାଯିବ।

ଏହି କାର୍ଯ୍ୟକ୍ରମ ସରକାରଙ୍କ ଦ୍ୱାରା ପ୍ରାୟୋଜିତ ‘ଆଜାଦୀ କା ଅମୃତ ମହୋତ୍ସବ’ ପରିପ୍ରେକ୍ଷୀରେ ଭାରତୀୟ ଜ୍ଞାନ ବ୍ୟବସ୍ଥା ଉପରେ ପ୍ରସ୍ତୁତ ଧାରା ପର୍ଯ୍ୟାୟର ୬ଷ୍ଠ ସଂସ୍କରଣ ହୋଇଥିବା ବେଳେ ଓଡ଼ିଶାର ପ୍ରାଚୀନ ସାମୁଦ୍ରିକ ପ୍ରଥାକୁ ନେଇ କଟକ ଠାରେ ଆୟୋଜିତ ହେଉଥିବା ବାଲିଯାତ୍ରା ସହିତ ଆୟୋଜନ କରାଯାଇଥିଲା।

ସମ୍ମିଳନୀରେ ଉପସ୍ଥିତ ଥିବା ବିଶେଷଜ୍ଞମାନେ ଭବିଷ୍ୟତରେ ଭାରତୀୟ ସାମୁଦ୍ରିକ ସକ୍ଷମତା ଆଧୁନିକ ଆର୍ଟିଫିସିଆଲ୍ ଇଂଟେଲିଜେନ୍ସ ଓ ନୂତନ ଜ୍ଞାନ ଦକ୍ଷତା ଉପରେ ନିର୍ଭର କରିବ ବୋଲି ମତ ପ୍ରକାଶ କରିଥିଲେ।

ସେହିପରି ସାମୁଦ୍ରିକ ପରଂପରାକୁ ନେଇ କିଭଳି ଅଧିକ ଗବେଷଣା କରାଯାଇପାରିବ ଏବଂ ଏ ବିଷୟରେ ସଚେତନତା ସୃଷ୍ଟି କରାଯାଇପାରିବ ସେ ନେଇ ମଧ୍ୟ ଆଲୋଚନା ହୋଇଥିଲା।

ଏହି ସମ୍ମିଳନୀରେ ସାମୁଦ୍ରିକ ଇତିହାସ: ଅବସ୍ଥାନ, ଜାହାଜ ନିର୍ମାଣ ଓ ଚଳାଚଳ, ସଂଗ୍ରହାଳୟ ମାଧ୍ୟମରେ ସାମୁଦ୍ରିକ ପରମ୍ପରାର ସଂଯୋଗ, ବାଣିଜ୍ୟ ଏବଂ ସଂସ୍କୃତିର ଆଦାନ ପ୍ରଦାନ, ସାମୁଦ୍ରିକ ସୁରକ୍ଷା ଏବଂ ଆନ୍ତର୍ଜାତୀକ ଆଇନ୍ ସମ୍ପର୍କରେ ଆଲୋଚନା କରାଯାଇଥିଲା।

ଏହି ସମ୍ମିଳନୀରେ ବିଶେଷଜ୍ଞ ଭାବେ ପ୍ରଫେସର କିଶୋର କେ. ବାସା, ଭାଇସ୍ ଆଡମିରାଲ୍ ରମନ୍ ପୁରୀ (ଅବସରପ୍ରାପ୍ତ), ଭାଇସ୍ ଆଡମିରାଲ୍ ଶେଖର ସିହ୍ନା (ଅବସରପ୍ରାପ୍ତ), ଡକ୍ଟର ଅମିତ କୁମାର, ଡକ୍ଟର ଲଳିତେନ୍ଦୁ ମହାପାତ୍ର, କମୋଡର ଓଡାକଲ୍ ଜନ୍‌ସନ୍ (ଅବସରପ୍ରାପ୍ତ), କମୋଡର ଶ୍ରୀକାନ୍ତ କେ. କେସନୁର (ଅବସରପ୍ରାପ୍ତ), ଶ୍ରେୟଙ୍କା ବାସୁ, ସ୍ୱରୁପ ଭଟ୍ଟାଚାର୍ଯ୍ୟ, କମାଣ୍ଡର ନୀନାଦ ପାଥେରଫେକର (ଅବସରପ୍ରାପ୍ତ), ରାଜେଶ ମହାନ୍ତି, ପ୍ରଫେସର ପତିତପାବନ ମିଶ୍ର, ପ୍ରଫେସର ପଙ୍କଜ ଝା, କମୋଡର ସୋମେନ୍ ବାନାର୍ଜୀ, ଡକ୍ଟର ସୁନୀଲ୍ ପଟ୍ଟନାୟକ, ପ୍ରଫେସର ରାଜାରାମ ପଣ୍ଡା, ରାଧିକା ଡାଗା, ସନାତନ ଜେନା, ଡିଆଇଜି, ଡକ୍ଟର ମୋନିକା ବର୍ମା, ଆନନ୍ଦ ନର୍‌ସିଂହନ୍ ଏବଂ ପ୍ରଫେସର ସୁରେଶ ଚନ୍ଦ୍ର ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ ।

Categories
ଆଜିର ଖବର ଜାତୀୟ ଖବର

ଓଡ଼ିଶାରେ ଧାରା କାର୍ଯ୍ୟକ୍ରମ ‘ସମୁଦ୍ରମନ୍ଥନ’ ଉଦ୍‌ଘାଟିତ

ଭୁବନେଶ୍ୱର: ଓଡ଼ିଶାର ସମୃଦ୍ଧ ସାମୁଦ୍ରିକ ଇତିହାସ ଉପରେ ଗୁରୁତ୍ୱାରୋପ ସହିତ ୨୦୪୭ ନିମନ୍ତେ ସାମୁଦ୍ରିକ ପରମ୍ପରାର ଏକ ଦସ୍ତାବିଜ୍ ସୃଷ୍ଟି କରିବା ନିମନ୍ତେ ଆଜାଦୀ କା ଅମୃତ ମହୋତ୍ସବ ପରିପ୍ରେକ୍ଷୀରେ ଏକ ତିନି ଦିନିଆ ଜାତୀୟ ଧାରା କାର୍ଯ୍ୟକ୍ରମ ‘ସମୁଦ୍ରମନ୍ଥନ’ ମଙ୍ଗଳବାର ଏଠାରେ ଉଦ୍‌ଘାଟିତ ହୋଇଯାଇଛି।

ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନ ଉତ୍ସବରେ ଯୋଗ ଦେଇଥିବା ବକ୍ତାମାନେ ଭାରତର ସାମୁଦ୍ରିକ ଇତିହାସ ଉପରେ ଆଲୋକପାତ କରିଥିଲେ।

ମଙ୍ଗଳବାର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ କଟକରେ ଉଦ୍‌ଘାଟିତ ହୋଇଥିବା ଐତିହାସିକ ବାଲିଯାତ୍ରା ସହିତ ଓଡ଼ିଶାର ମହାନ ସାମୁଦ୍ରିକ ସଂସ୍କୃତି ଓ ପରମ୍ପରାକୁ ନେଇ କେନ୍ଦ୍ର ସରକାରଙ୍କର ଶିକ୍ଷା ମନ୍ତ୍ରଣାଳୟର ଏକ ଅଂଗ ଭାରତୀୟ ଜ୍ଞାନ ବ୍ୟବସ୍ଥା (ଇଣ୍ଡିଆନ୍ ନଲେଜ ସିଷ୍ଟମ୍ ଡିଭିଜନ୍‌), ସଂସ୍କୃତି ମନ୍ତ୍ରଣାଳୟ ଓ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ମିଳିତ ଆନୁକୂଲ୍ୟରେ ଏହି କାର୍ଯକ୍ରମ ଆୟୋଜିତ କରାଯାଇଛି। ଏଥିରେ ଭାରତରେ ପ୍ରଚଳିତ ଏହି ମହାନ୍ ପରମ୍ପରା ସହ ବର୍ତମାନର ପରିସ୍ଥିତି ଓ ଭବିଷ୍ୟତର ସମ୍ଭାବନା ଆଲୋଚନା କରାଯିବ।

ଏହି ୩ ଦିନିଆ ସମ୍ମିଳନୀର ଶେଷ ଦୁଇ ଦିନର କାର୍ଯ୍ୟକ୍ରମ କଟକ ଠାରେ ଅବସ୍ଥାପିତ ଓଡ଼ିଶା ସାମୁଦ୍ରିକ ସଂଗ୍ରାହାଳୟରେ ଆୟୋଜିତ ହେବାକୁ ଥିବା ବେଳେ ଏଥିରେ ଭାରତର ପ୍ରାଚୀନ ସାମୁଦ୍ରିକ ପରମ୍ପରା, ଜାହାଜ ନିର୍ମାଣ, ଜାହାଜ ଚଳାଚଳ, ବାଣିଜ୍ୟ ଏବଂ ସଂସ୍କୃତିର ଆଦାନପ୍ରଦାନ, ସାମୁଦ୍ରିକ ସୁରକ୍ଷା ଏବଂ ଆନ୍ତର୍ଜାତୀୟ ଆଇନ୍ ଇତ୍ୟାଦି ସମ୍ପର୍କରେ ଆଲୋଚନା କରାଯିବ।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ଉପଦେଷ୍ଟା ମଣ୍ଡଳୀର ସଦସ୍ୟ ତଥା ଲେଖକ ଶ୍ରୀ ସଞ୍ଜୀବ ସାନ୍ୟାଲ୍‌, ଆଇକେଏସ୍ ଡିଭିଜ୍‌ନ୍‌ର ଜାତୀୟ ସଂଯୋଜକ ପ୍ରଫେସର ଜି.ଏସ୍‌. ମୂର୍ତ୍ତି, ଆଜାଦୀ କା ଅମୃତ ମହୋତ୍ସବର ନିର୍ଦ୍ଦେଶିକା ପ୍ରିୟଙ୍କା ଚନ୍ଦ୍ରା ଏବଂ ସୋଆର ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ।
ସୋଆର ୟୁନିଭର୍ସିଟି ଆଉଟ୍‌ରିଚ୍ ପ୍ରୋଗ୍ରାମର ନିର୍ଦ୍ଦେଶକ ପ୍ରଫେସର ନଚିକେତା କେ. ଶର୍ମା ସ୍ୱାଗତ ଭାଷଣ ଦେଇଥିବା ବେଳେ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

ସାନ୍ୟାଲ୍ ନିଜ ଅଭିଭାଷଣରେ ଭାରତର ପୁରାତନ ସାମୁଦ୍ରିକ ଐତିହ୍ୟ ସମ୍ପର୍କରେ ଆଲୋକପାତ କରିବା ସହ ଭାରତ ଏକ ମାତ୍ର ଦେଶ ଯାହାର ନାମରେ ଏକ ମହାସାଗର ନାମିତ କରାଯାଇଛି ବୋଲି କହିଥିଲେ। ବାଣିଜ୍ୟ, ସଂସ୍କୃତି, ଭୌଗୋଳିକ ତଥା ରାଜନୈତିକ ଦୃଷ୍ଟିକୋଣରୁ ପୁରାତନ କାଳରେ ଭାରତ ଦକ୍ଷିଣ-ପୂର୍ବ ଏସିଆରେ ପ୍ରଭାବ ବିସ୍ତାର କରିଥିଲା ବୋଲି ସେ କହିଥିଲେ। ଭାରତରେ ପ୍ରଚଳିତ ଜାହାଜର ନିର୍ମାଣ ପାଇଁ ପୁରାତନ ସିଲାଇ ଜ୍ଞାନକୌଶଳ ପୁନଃରୁଦ୍ଧାର ନିମନ୍ତେ ଉଦ୍ୟମ କରାଯାଉଛି ବୋଲି ସେ କହିଥିଲେ।

ସେହିପରି ପ୍ରଫେସର ମୂର୍ତୀ କହିଥିଲେ ଯେ ସମୁଦ୍ରମନ୍ଥନ କାର୍ଯ୍ୟକ୍ରମ ଭାରତର ପୁରାତନ ସାମୁଦ୍ରିକ ଇତିହାସ ଏବଂ ସଫଳତାକୁ ଗୁରୁତ୍ୱ ଦେବା ନିମନ୍ତେ ଆୟୋଜିତ। ଏହାକୁ ମାଧ୍ୟମ କରି ଆଗାମୀ ୨୫ ବର୍ଷ ପର୍ଯ୍ୟନ୍ତ ଏକ ଭବିଷ୍ୟତ କାଯ୍ୟସୂଚୀ ପ୍ରସ୍ତୁତ କରିବା ନିମନ୍ତେ ପ୍ରଚେଷ୍ଟା କରାଯାଉଛି ବୋଲି ସେ କହିଥିଲେ।

ସେ କହିଥିଲେ ଧାରା ଅଧିନରେ ଏ ପର୍ଯ୍ୟନ୍ତ ଗଣିତ ଶାସ୍ତ୍ରକୁ ଭାରତର ଅବଦାନ, ଭାରତୀୟ ପଞ୍ଜିକା, ଜ୍ୟୋର୍ତିବିଜ୍ଞାନ, ଆୟୁର୍ବେଦ ଓ ମାର୍ସିଆଲ୍ ଆର୍ଟ କ୍ଷେତ୍ର ଉପରେ ବିଭିନ୍ନ କାର୍ଯ୍ୟକ୍ରମ ହୋଇସାରିଛି।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

କଟକରେ ନଭେମ୍ବର ୮ ତାରିଖରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୩ ଦିନିଆ ସାମୁଦ୍ରିକ ସମ୍ମିଳନୀ

ଭୁବନେଶ୍ୱର: ଆସନ୍ତା ନଭେମ୍ବର ୮ ତାରିଖରୁ କଟକରେ ଆରମ୍ଭ ହେବାକୁ ଥିବା ଐତିହାସିକ ବାଲିଯାତ୍ରା ସହିତ ଓଡ଼ିଶାର ମହାନ ସାମୁଦ୍ରିକ ସଂସ୍କୃତିକୁ ନେଇ କେନ୍ଦ୍ର ସରକାରଙ୍କ ଦ୍ୱାରା ଏକ ୩ ଦିନିଆ ଜାତୀୟ ଧାରା ସମ୍ମିଳନୀର ଆୟୋଜନ କରାଯାଇଛି। ସହସ୍ର ବର୍ଷ ପୁରାତନ କଟକ ସହରରେ ଆୟୋଜିତ ହେବାକୁ ଥିବା “ସମୁଦ୍ରମନ୍ଥନ’ ଭାବେ ନାମିତ ଏହି ସମ୍ମିଳନୀରେ ଭାରତର ସମୃଦ୍ଧ ପ୍ରାଚୀନ ସାମୁଦ୍ରିକ ପରମ୍ପରା, ଏହାର ବର୍ତ୍ତମାନର ସ୍ଥିତି ଏବଂ ଆଗାମୀ ଭବିଷ୍ୟତରେ ଏହାର ସମ୍ଭାବନା ଓ ସମସ୍ୟାକୁ ନେଇ ଆଲୋଚନା କରାଯିବ।

ଏହି ସମ୍ମିଳନୀଟି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଏକ ଅଂଗ ଭାରତୀୟ ଜ୍ଞାନ ବ୍ୟବସ୍ଥା (ଇଣ୍ଡିଆନ୍ ନଲେଜ ସିଷ୍ଟମ୍ ଡିଭିଜନ୍‌), ସଂସ୍କୃତି ମନ୍ତ୍ରଣାଳୟ ଓ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଆୟୋଜିତ ହେବାକୁ ଯାଉଛି।

ଏହି କାର୍ଯ୍ୟକ୍ରମରେ ଭାରତରେ ପ୍ରଚଳିତ ଏହି ମହାନ୍ ପରମ୍ପରା ବିଷୟରେ ସଚେତନତା ସୃଷ୍ଟି କରାଯିବା ସହ ବର୍ତ୍ତମାନ ପରିସ୍ଥିତି ଏବଂ ଭବିଷ୍ୟତର ସମ୍ଭାବନା ଆଲୋଚନାର ପ୍ରସଙ୍ଗ ହେବ।

ସୋଆ ବିଶ୍ୱବିଦ୍ୟାଳୟ ମଧ୍ୟ ସୋଆ ସେଂଟର ଫର୍ ପ୍ରିଜରଭେସନ୍‌, ପ୍ରୋପାଗେସନ୍ ଆଣ୍ଡ ରେଷ୍ଟୋରେସନ୍ ଅଫ୍ ଆନ୍‌ସିଏଂଟ କଲ୍‌ଚର୍ ଆଣ୍ଡ ହେରିଟେଜ୍ ଅଫ୍ ଇଣ୍ଡିଆ (ପ୍ରାଚୀନ) ନାମରେ ଏକ ଅନୁଷ୍ଠାନ ସ୍ଥାପନ କରିଛି।

ଏହି ସମ୍ମିଳନୀରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା ମଧ୍ୟ କରାଯାଇଛି। ସାଂସ୍କୃତିକ କାର୍ଯ୍ୟକ୍ରମର ନାମ ରଖାଯାଇଛି “ଧାରା:ଆନ୍ ଡେ ଅଡ୍ ଟୁ ଇଣ୍ଡିଆନ୍ ନଲେଜ ସିଷ୍ଟମ୍‌”। କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ “ଆଜାଦୀ କା ଅମୃତ ମହୋତ୍ସବ” ଏବଂ ଓଡ଼ିଶା ସରକାରଙ୍କ ପକ୍ଷରୁ ଆୟୋଜିତ ବାଲିଯାତ୍ରା ଉତ୍ସବର ଏକ ଅଂଶ ଭାବରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ଏହି ସମ୍ମିଳନୀରେ ବିଭିନ୍ନ କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିଥିବା ବିଶିଷ୍ଟି ଶିକ୍ଷାବିତ୍ ବିଦ୍ୱାନ ଓ ଗବେଷକମାନେ ଯୋଗ ଦେବେ। ଏହା ଦ୍ୱାରା ମେରିଟାଇମ୍ ଟ୍ରାଡିସନ୍ – ୨୦୪୭ ନିମନ୍ତେ ଏକ ଭିଜନ୍ ଡକୁମେଂଟ ପ୍ରସ୍ତୁତ କରାଯିବା ସହ ଓଡ଼ିଶାର ମହାନ୍ ସାମୁଦ୍ରିକ ପରମ୍ପରାର ଇତିହାସକୁ ଜନସାଧାରଣଙ୍କ ମନରେ ଉଦ୍‌ଜୀବିତ କରାଯିବ।

ପ୍ରାଚୀନ କାଳରେ ଓଡ଼ିଶାର ବଣିକମାନେ ସମୁଦ୍ର ପଥରେ ବାଣିଜ୍ୟ କରିବା ନିମନ୍ତେ ବିଭିନ୍ନ ଦେଶକୁ ଯାତ୍ରା କରୁଥିଲେ। ଏହା ଦ୍ୱାରା ସାମୁଦ୍ରିକ ବାଣିଜ୍ୟ ଓ ସମୃଦ୍ଧିକୁ ନେଇ ଓଡ଼ିଶାର ମହାନ ପରମ୍ପରା ରହିଛି। ଦେଶ ଦେଶ ମଧ୍ୟରେ ବାଣିଜ୍ୟ ଦ୍ୱାରା ସଂସ୍କୃତି କ୍ଷେତ୍ରରେ ମଧ୍ୟ ଅନେକ ଆଦାନ ପ୍ରଦାନ ହେଉଥିଲା।

କଟକର ମହାନଦୀ କୂଳରେ ପ୍ରତିବର୍ଷ ଆୟୋଜିତ ହେଉଥିବା ଏହି ପ୍ରସିଦ୍ଧ ବାଲିଯାତ୍ରା ଓଡ଼ିଶାର ଉପକୂଳରୁ ବାଲି ଦ୍ୱୀପ ଏବଂ ସୁଦୂର ଇଣ୍ଡୋନେସିଆ ସହ ସମ୍ପର୍କ ଓ ପରମ୍ପରାକୁ ଉଦ୍‌ଜୀବିତ କରିବା ପାଇଁ ପାଳନ କରାଯାଇଥାଏ।

ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନ ନଭେମ୍ବର ୮ ରେ ଭୁବନେଶ୍ୱର ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ କରାଯିବ ଏବଂ ସଂସ୍କୃତି ମନ୍ତ୍ରଣାଳୟ ଓ ପ୍ରତିରକ୍ଷା ମନ୍ତ୍ରଣାଳୟ ବିଶେଷ କରି ଭାରତୀୟ ନୌସେନା ପକ୍ଷରୁ ଏକ ଷ୍ଟିଚ୍‌ଡ ବୋଟ ପ୍ରୋଜେକ୍ଟ ଉଦ୍‌ଘାଟନ କରାଯିବ।