ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଆରମ୍ଭ ହୋଇଛି । ଆଜିର ଏହି ବୈଠକରେ ରାଜ୍ୟ କ୍ୟାବିନେଟ୍ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛି । ସମ୍ପତ୍ତି ତାଲିକା ପ୍ରଦାନକୁ ବାଧ୍ୟତାମୂଳକ କରାଯାଇଛି । ନିର୍ବାଚିତ ଲୋକ ପ୍ରତିନିଧି ଓ ସରକାରୀ କର୍ମଚାରୀ ସମ୍ପତ୍ତି ତାଲିକା ପ୍ରଦାନ କରିବେ । ଉଭୟ ବର୍ଗଙ୍କ ପାଇଁ ବାର୍ଷିକ ସମ୍ପତ୍ତି ତାଲିକା ପ୍ରଦାନ ବାଧ୍ୟତାମୂଳକ କରାଯାଇଛି । ସରପଞ୍ଚଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମେସ୍ତ ସମ୍ପତ୍ତି ତାଲିକା ଦେବାକୁ ବାଧ୍ୟ । ସେହିପରି ଛୋଟ କର୍ମଚାରୀଠାରୁ ମୁଖ୍ୟ ସଚିବ ଯାଏ ସମସ୍ତେ ସମ୍ପତ୍ତି ତାଲିକା ଦେବେ ସମ୍ପତ୍ତି ତାଲିକା ଲୋକେ ଦେଖିବାକୁ ପବ୍ଲିକ୍ ଡୋମେନରେ ରଖାଯିବ । ସମ୍ପତ୍ତି ତାଲିକାର ନକଲ ପ୍ରତିବର୍ଷ ଲୋକାୟୁକ୍ତଙ୍କ ପାଖକୁ ପଠାଯିବ ।
ସେହିପରି ଆଜି ରାଜ୍ୟ କ୍ୟାବିନେଟ୍ରେ ସଂରକ୍ଷଣ ନେଇ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି । ସରକାରୀ ସ୍କୁଲରେ ପାଠ ପଢିଲେ ଉଚ୍ଚଶିକ୍ଷା ପାଇଁ ସଂରକ୍ଷଣ ମିଳିବ। ଡାକ୍ତରୀ ଓ ଇଞ୍ଜିନିଅରିଂ ଶିକ୍ଷା ପାଇଁ ସଂରକ୍ଷଣ ବ୍ୟବସ୍ଥା ରହିବ । ଆଗାମୀ ଶିକ୍ଷାବର୍ଷରୁ ଏହି ବ୍ୟବସ୍ଥା ଲାଗୁ କରାଯିବା ନେଇ ସଂକଳ୍ପ ଆଗତ ହୋଇଛି । ସଂକଳ୍ପକୁ ଚୂଡାନ୍ତ ରୂପ ଦେବାକୁ ଉଚ୍ଚ କ୍ଷମକତା ସମ୍ପନ୍ନ କମିଟି ଗଠିତ ହେବ । ଏଥିରେ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି କମିଟି ଅଧ୍ୟକ୍ଷ ରହିବେ । କମିଟିରେ ବିଶିଷ୍ଟ ଶିକ୍ଷାବିତ୍ ଓ ବିଶିଷ୍ଟ ବ୍ୟକ୍ତି ସଦସ୍ୟ ଭାବେ ରହିବେ । ଏହି କମିଟଇ ତିନି ମାସ ମଧ୍ୟରେ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବ । ଫଳରେ କମିଟିର ସୁପାରିଶକୁ ଆଗାମୀ ଶିକ୍ଷାବର୍ଷରୁ କାର୍ଯ୍ୟକାରୀ କରାଯାଇପାରିବ ବୋଲି କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି ।
ସେହିପରି ପାଠ୍ୟକ୍ରମରେ ବରପୁତ୍ରଙ୍କ ଜୀବନୀ ସାମିଲ୍ ନେଇ କ୍ୟାବିନେଟ୍ ନିଷ୍ପତ୍ତି ଗ୍ରହଣ କରିଛି । ସ୍କୁଲ ପାଠ୍ୟକ୍ରମରେ ଓଡ଼ିଶାର ବରପୁତ୍ରମାନଙ୍କ କାର୍ଯ୍ୟ ଓ ଜୀବନୀ ସ୍ଥାନ ପାଇବ । ସପ୍ତମ, ଅଷ୍ଟମ, ନବମ ଶ୍ରେଣୀ ପାଇଁ ସ୍ବତନ୍ତ୍ର ପ୍ରକ୍ରିୟାରେ ବିଷୟ ଚୟନ କରାଯିବ । ମେଧାବୀ ପିଲାଙ୍କୁ ସ୍ବତନ୍ତ୍ର ସମ୍ମାନ ସହ ବାର୍ଷିକ ବୃତ୍ତି ପ୍ରଦାନ କରାଯିବ । ଏଥିପାଇଁ ଶିକ୍ଷାବିତ୍ ଓ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ନେଇ କମିଟି ଗଠନ ହେବ। ବରପୁତ୍ରମାନଙ୍କ ଜନ୍ମସ୍ଥାନକୁ ଆଦର୍ଶ ଗ୍ରାମରେ ପରିଣତ କରାଯିବ ।