Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଜନ୍ତୁ ଶିକାର ଅଭିଯୋଗରେ ୨ ଗିରଫ, ଦେଶୀ ବନ୍ଧୁକ ସହ ୨୦ କେଜି ସମ୍ବର ମାଂସ ଜବତ

କନ୍ଦର୍ପ ବେହେରା
ରେଢାଖୋଲ: ଦିନକୁ ଦିନ ରେଢାଖୋଲ ବନଖଣ୍ଡରେ ଅବାଧରେ ଜନ୍ତୁ ଶିକାର ଚାଲିଛି। ବନବିଭାଗ ଜନ୍ତୁ ଶିକାରୀମାନଙ୍କୁ ଗିରଫ କରିଦେଲା ପରେ କାମ ସରିଲା। ଜାମିନ୍ ରେ ସେମାନେ ଆସିଲା ପରେ ଶିକାରୀମାନେ ନିର୍ଭୟରେ ପୁଣି ଜନ୍ତୁ ଶିକାର କରିବା କାମରେ ଲାଗିପଡୁଛନ୍ତି। ବନବିଭାଗ, ଥାନା ଆଦିକୁ ସେମାନଙ୍କର ଟିକିଏ ବି ଭୟ ନାହିଁ। ଯା’ ଫଳରେ ଜନ୍ତୁ ଶିକାର କରିବା ନିତ୍ୟନୈମିତିକ ଘଟଣା ହୋଇଗଲାଣି।

ରେଢାଖୋଲ ବନଖଣ୍ଡ ଚାରମାଳ ରେଞ୍ଜ ଅଧିନସ୍ଥ ବନ୍ତଲେଇ ଗ୍ରାମ ଲଣ୍ଡାକୋର୍ଟ ସଂରକ୍ଷିତ ଜଙ୍ଗଲରୁ ସମ୍ବର ମାରି ତାର ମାଂସ ବିକ୍ରି କରିବା ପାଇଁ ୨ ଜଣ ଯୁବକ ଏକ ମୋଟର ସାଇକେଲରେ ନେଉଥିବା ବେଳେ ବନବିଭାଗ ହାତରେ ଧରାପଡି ଜେଲ୍ ଯିବା ଘଟଣା ଘଟିଛି।

ବନବିଭାଗ ସୂତ୍ରରୁ ପ୍ରକାଶ ଯେ, ରେଢାଖୋଲ ବନଖଣ୍ଡ ଚାରମାଳ ରେଞ୍ଜର ବନ୍ତଲେଇ ଗ୍ରାମର ରାଜେଶ ସ୍ୱାଇଁ ଏବଂ ଅଭିମନ୍ୟୁ ଗିରି ଲଣ୍ଡାକୋର୍ଟ ଜଙ୍ଗଲରୁ ସମ୍ବର ମାରି ତାରମାଂସ ବିର୍କି କରିବା ପାଇଁ ୧୯ ଜେ ୧୦୮୪ ନମ୍ବର ଥିବା ଏକ ବାଇକରେ ହେଲେଇ ଗ୍ରାମକୁ ଯାଉଥିବା ବେଳେ ବନବିଭାଗ କୌଣସି ସୂତ୍ରରୁ ଖବର ପାଇ ସେମାନଙ୍କୁ ଧରିଥିଲେ। ସେମାନଙ୍କ ପାଖରୁ ୨୦ କେଜି ସମ୍ବର ମାଂସ , ଏକ ବାଇକ୍ ଏବଂ ଏକ ଦେଶୀ ବନ୍ଧୁକ ମଧ୍ୟ ଜବତ କରିଥିଲା।

ଏହି ଚଢଉରେ ଚାରମାଳ ରେଞର ଦର୍ଶନିଆ ଭୋଇ , ଫରେଷ୍ଟର , ପ୍ରବଣ କୁମାର ସାହୁ , ବିଜୟ କୁମାର ବିଶ୍ୱାଳ ସାମିଲ୍ ହୋଇଥିଲେ। ଆଜି ଏହି ଶିକାରୀ ଦ୍ୱୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବନବିଭାଗ ପ୍ରକାଶ କରିଛି। ଜବତ ମାଂସକୁ ମାଟିରେ ପୋତି ଦିଆଯାଇଥିବା ଜଣା ପଡିଛ।