Categories
ଆଜିର ଖବର ରାଜ୍ୟ ଖବର

ସକାଳୁ ଭିଜିଲାନ୍ସ ଜାଲରେ ଜଣେ ଏମଡି,ମିଲିଲା ଟଙ୍କା ଆଉ 4ଟି 4 ଚକିଆ ଗାଡି, ଚଢାଉ ଜାରୀ

ଭୁବନେଶ୍ବର: ଆଜି ସକାଳୁ ସକାଳୁ ଭିଜିଲାନ୍ସ ଜଣେ ଉଚ୍ଚ ପଦସ୍ଥ କର୍ମଚାରୀଙ୍କ ଘରେ ଚଢାଉ କରିଛି। ସେ ହେଉଛନ୍ତି ସମ୍ବଲପୁର ଜିଲ୍ଲାର ଜାମନକିରା ଲ୍ୟାମ୍ପସ ର ଏମଡି ଫନିନ୍ଦ୍ର ସାହୁ। ଆୟ ବହିଃର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଏହି ଚଢାଉ ଜାରୀ କରାଯାଇଛି। ଏଥିରେ 3 ଜଣ ଡିଏସପି, 4 ଜଣ ଇନସ୍ପେକ୍ଟର, 4 ଜଣ ଏଏସଆଇ ଏବଂ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି। ଏମାନେ ଏକକାଳିନ ତାଙ୍କ ଅଫିସ ସହିତ ଆଉ 4ଟି ସ୍ଥାନରେ ଚଢାଉ କରିଛନ୍ତି।

ପ୍ରଥମ ପର୍ଯ୍ୟାୟରେ ତାଙ୍କ ଘରୁ 2 ଲକ୍ଷ 36 ହଜାର 870 ଟଙ୍କା ଜବତ କରାଯାଇଛି। ଏଥିସହିତ କାଗଜ ପତ୍ର ଯାଞ୍ଚ ପରେ ସମ୍ବଲପୁରରେ 2ଟି ପ୍ଲଟ, 4ଟି ଚାରିଚକିଆ ଗାଡି ଜବତ କରାଯାଇଛି। ଏହି ଚାରୋଟି ଗାଡି ମଧ୍ୟରୁ 3 ଟି ବୋଲେରୋ ଥିବା ବେଳେ ଗୋଟିଏ ଘରୋଇ କାର। ବର୍ତ୍ତମାନ ସୁଦ୍ଧା ସମସ୍ତ ସ୍ଥାନରେ ଚଢାଉ ଜାରୀ ରହିଛି। ସଂଧ୍ୟା ସୁଦ୍ଧା ସଂପୂର୍ଣ୍ଣ ତଥ୍ୟ ଅସିବ ବୋଲି ଭିଜିଲାନସ ତରଫରୁ କୁହାଯାଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପତ୍ନୀକୁ ମାଡ ମାରିବା ଓ ନିର୍ଯ୍ୟାତନା ଦେବା ଅଭିଯୋଗରେ ସ୍ୱାମୀ ଗିରଫ

କନ୍ଦର୍ପ ବେହେରା
ରେଢାଖୋଲ: ଅନ୍ୟ ଏକ ଝିଅ ସହ ସଂପର୍କକୁ ନେଇ ନିଜ ପତ୍ନୀକୁ ମାଡ ମାରିବା ଏବଂ ନିର୍ଯ୍ୟାତନା ଦେବା ଅଭିଯୋଗରେ ପତିକୁ କିସିଣ୍ଡା ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣା ପଡିଛି।

ପ୍ରେସ୍ ବିଜ୍ଞପ୍ତିରୁ ପ୍ରକାଶ ଯେ, କିସିଣ୍ଡା ଥାନା ତାଲବ ଗ୍ରାମର ମଙ୍ଗୁଳୁ ଦେହୁରୀଙ୍କ କନ୍ୟା ପଙ୍କଜିନୀ ଦେହୁରୀ (୨୩) କିସିଣ୍ଡା ଥାନା ଲୋଇସିଂଘ ଗ୍ରାମର ଖେଡୁ ମାଝୀଙ୍କ ପୁଅ ଇନ୍ଦ୍ରମଣୀ ମାଝୀ (୨୮)ଙ୍କ ସହ ୨୦୧୬ ରେ ପ୍ରେମ ବିବାହ କରିଥିଲେ। କାମ ଅନ୍ୱେଷଣରେ ସେମାନେ ବିବାହ ପରେ କଟକ ଜିଲ୍ଲାର ଜଗତପୁର ଠାରେ ଶ୍ରମିକ ଭାବରେ କାମ କରିବାକୁ ଚାଲି ଯାଇଥିଲେ। ବାହାଘର ୨ ବର୍ଷ ପରେ ଅନ୍ୟ ଏକ ଝିଅ ସହ ସଂପର୍କ ରଖି ନିଜ ପତ୍ନୀକୁ ନିର୍ଯାତନା ଦେବା ଆରମ୍ଭ କରିଦେଇଥିଲା ଇନ୍ଦ୍ରମଣି ମାଝୀ।

ଗତ ତା ୧୬/୧୧/୨୦୨୧ ସଂଧ୍ୟାରେ ଇନ୍ଦ୍ରମଣି ମଦ୍ୟପାନ କରି ଘରକୁ ଆସିଥିଲା ଏବଂ ପତ୍ନୀକୁ ନିର୍ଯ୍ୟାତନା ଦେବା ଦେବା ସହ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିବା ସହ ତାକୁ ମାଡମାରିଥିଲା। ଯା’ଫଳରେ ପତ୍ନିର ଆଖି ଓ ମୁହଁରେ ଆଘାତ ଲାଗିଥିଲା। ତାର ପତ୍ନୀ ଜଗତପୁରରୁ ଫେରିଆସି ନାକଟିଦେଉଳ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ୨୫/୧୧/୨୦୨୧ ରେ କିସିଣ୍ଡା ଥାନାକୁ ଯାଇ ସ୍ୱାମୀ ବିରୁଦ୍ଧରେ ଲିଖିତା କାରରେ ଅଭିଯୋଗ କରିଥିଲା।

କିସଣ୍ଡା ଥାନା କେସ୍ ନଂ ୮୦ ତା ୨୫/୧୧/୨୦୨୧ ୟୁ/ଏସ୍‌୪୯୮-ଏ/୨୯୪/୩୨୩/୫୦୬ ଆଇପିସି ରେ ମାମଲା ରୁଜୁ କରିବା ସହ ଆଜି ଇନ୍ଦ୍ରମଣିକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ନାକଟିଦେଉଳ ଥାନାଧିକାରୀ ଏକ ପ୍ରେସ୍ ଇସ୍ତାହାରରେ ଜଣାଇଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ହେଲା ସମ୍ବଲପୁର ଜିଲ୍ଲା, ୭ ଲକ୍ଷ ଲୋକଙ୍କୁ ମିଳିବ ସୁବିଧା

ସମ୍ବଲପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କୁଚିଣ୍ଡାରେ ସମ୍ବଲପୁର ଜିଲ୍ଲା ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଜିଲ୍ଲାର ୭ ଲକ୍ଷ ୭୩ ହଜାର ଲୋକ ଏହି ସୁବିଧା ପାଇବେ। କୁଚିଣ୍ଡା ର ସରସ୍ବତୀ ଭୋଇ ଜିଲ୍ଲାର ପ୍ରଥମ ହିତାଧିକାରୀ ଭାବରେ ମୁଖ୍ୟମନ୍ତ୍ରୀ ଙ୍କ ଠାରୁ କାର୍ଡ଼ ଗ୍ରହଣ କରିଥିଲେ । ସମ୍ବଲପୁର ସହିତ ରାଜ୍ୟର ୮ଟି ଜିଲ୍ଲା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସାମିଲ ହେଲା ।

ଏହି ଅବସରରେ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଓଡିଶାର ବିକାଶରେ ସମ୍ବଲପୁରର ଅବଦାନ ବିଷୟରେ ଆଲୋକପାତ କରି କହିଥିଲେ ଯେ ରାଜ୍ୟର ସଂସ୍କୃତି, ରାଜନୀତି, ଶିକ୍ଷା, ଇତିହାସ, ଅର୍ଥନୀତି ସବୁକ୍ଷେତ୍ରରେ ସମ୍ବଲପୁରର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ସମ୍ବଲପୁରୀ ଶାଢୀ, ସମ୍ବଲପୁରୀ ଗୀତ ଓଡିଶାର ମହାନ ସଂସ୍କୃତିର ପରିଚୟ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମା ସମଲେଇଙ୍କ ଆଶୀର୍ବାଦ ପାଇଁ ଲକ୍ଷ ଲକ୍ଷ ଭକ୍ତ ମା’ଙ୍କ ପୀଠକୁ ଆସୁଛନ୍ତି। ତେଣୁ ଏ ପୀଠର ବିକାଶ ପାଇଁ ସରକାରଙ୍କ ଉଦ୍ୟମରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ସହଯୋଗ କାମନା କରିଥିଲେ।

ମୁଖ୍ୟମନ୍ତ୍ରୀ କହିଲେ ଯେ ସ୍ମାର୍ଟ ହେଲ୍‌ଥ କାର୍ଡ ଦ୍ବାରା ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଉପକୃତ ହେବେ । ଏହାଦ୍ବାରା ଆମର ଗରିବ ଲୋକମାନେ ସ୍ବାସ୍ଥ୍ୟ ସେବା ପାଇଁ ଅନେକ ସମସ୍ୟାରୁ, ବିଶେଷକରି ଆର୍ଥିକ ସମସ୍ୟାରୁ ମୁକ୍ତ ହୋଇପାରିବେ । ଲୋକମାନେ ସ୍ବାସ୍ଥ୍ୟ ସମସ୍ୟାରେ ପଡିଲେ ଚିକିତ୍ସା ପାଇଁ କିପରି ଜମିବାଡି ବିକିବାକୁ ବାଧ୍ୟ ହୁଅନ୍ତି, ପିଲାଙ୍କ ପାଠପଢା ବନ୍ଦ କରନ୍ତି, ସେ ସବୁ ସମସ୍ୟା ବିଷୟରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହା ତାଙ୍କୁ ବହୁତ ଦୁଃଖ ଦେଇଥାଏ। ବର୍ତ୍ତମାନ ଲୋକମାନେ ବିନା କୌଣସି ଅସୁବିଧାରେ କାର୍ଡ ଖଣ୍ଡିଏ ଧରି ଦେଶର ୨୦୦ ବଡ ବଡ ହସ୍‌ପିଟାଲରେ ଭଲ ଚିକିତ୍ସା ପାଇପାରିବେ । ଏଥିପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡିବ ନାହିଁ ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ତାଙ୍କ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ। ଚାଷୀ ହେଉ ବା ମୂଲିଆ ବା ରିକ୍‌ସା ବାଲା – ସମସ୍ତେ ସମ୍ମାନର ସହ ବଞ୍ଚନ୍ତୁ । ଏହା ତାଙ୍କର ବିଭିନ୍ନ କଲ୍ୟାଣ କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି ସେ କହିଥିଲେ। ଆମ ପାଇ ପ୍ରତ୍ୟେକ ଜୀବନ ମୂଲ୍ୟବାନ ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ କରୋନା ସମୟରେ ସବୁ ରୋଗୀଙ୍କ ପାଇଁ ଟେଷ୍ଟିଂ ଠାରୁ ଆରମ୍ଭ କରି ଟ୍ରିଟ୍‌ମେଣ୍ଟ ପର୍ଯ୍ୟନ୍ତ ସବୁ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି ।

ଏହି କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନବ ଦାସ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହ, ସରକାରୀ ଦଳର ଉପମୁଖ୍ୟ ସଚେତକ ଶ୍ରୀ ରୋହିତ ପୂଜାରୀ ପ୍ରମୁଖ ଯୋଗ ଦେଇ ବିଭିନ୍ନ କ୍ଷେତ୍ରରେ ରାଜ୍ୟର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିବଦ୍ଧତାର ଉଚ୍ଚପ୍ରଶଂସା କରିଥିଲେ । BSKY Smart Card ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟ ଯୋଗାଇ ଦେବା ପାଇଁ ଏକ ଐତିହାସିକ ପଦକ୍ଷେପ ବୋଲି ସେମାନେ ବର୍ଣ୍ଣନା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ସଂପନ୍ନ ନେତୃତ୍ବ ଯୋଗୁ ଓଡିଶାରେ ଆଜି ଗରିବ ଲୋକ ନିଜକୁ ସୁରକ୍ଷିତ ମନେ କରୁଛି। ଗରିବ ଲୋକଙ୍କୁ ବିଭିନ୍ନ ଯୋଜନାରେ ଦିଆଯାଉଥିବା ସାମାଜିକ ଓ ଅର୍ଥିକ ସୁରକ୍ଷା ସେମାନଙ୍କୁ ସଶକ୍ତ କରିଛି ବୋଲି ସେମାନେ ମତବ୍ୟକ୍ତ କରିଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ଶିକ୍ଷକ ଡେପୁଟେସନ୍ ରଦ୍ଦ ଦାବୀ: ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ତାଲା ମାରିଲେ ଅଭିଭାବକ

କନ୍ଦର୍ପ ବେହେରା
ରେଢାଖୋଲ: ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ ଡଇଁଚା ଗ୍ରାମରେ ଥିବା ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଓ ଶିକ୍ଷା କର୍ମାଚାରୀ ମାନଙ୍କୁ ଡେପୁଟେସନ୍ ରେ ପଠାଉଥିବାରୁ ବିଦ୍ୟାଳୟ ପରିଚାଳନା କମିଟି ଓ ଅଭୀଭାବକମାନେ ବିଦ୍ୟାଳୟର ଫାଟକ ତଥା ଅଫିସ୍ ରେ ତାଲା ମାରି ଆନ୍ଦୋଳନ କରିଛନ୍ତି।

ଏ ସଂପର୍କରେ ଜିଲ୍ଲାପାଳ ଜିଲ୍ଲା ଶିକ୍ଷା ଅଧିକାରୀ, ମୁଖ୍ୟମନ୍ତ୍ରୀ ତଥା ୫ଟି ସଚିବଙ୍କୁ ଲିଖିତାକାରରେ ଜଣାଇଥିଲେ ମଧ୍ୟ କୈଣସି ସୁଫଳ ମିଳି ନ ଥିବାରୁ ବାଧ୍ୟ ହୋଇ ବିଦ୍ୟାଳୟରେ ତାଲା ମାରି ଆନ୍ଦୋଳନ କରିଛନ୍ତି। ଦୁଇ ଦିନ ହେଲା ଛାତ୍ରଛାତ୍ରୀ, ବିଦ୍ୟାଳୟ ପରିଚାଳନା କମିଟି ତଥା ଅଭିଭାବକ ମାନେ ବିଦ୍ୟାଳୟ ଫାଟକରେ ବସି ରହିଥିବା ବେଳେ କୌଣସି ଅଧିକାରୀ ମଧ୍ୟ ଆନ୍ଦୋଳନ ଚଳାଇଥିବା ଆନ୍ଦୋଳନ କାରୀଙ୍କ ପାଖକୁ ଆସି ନାହାନ୍ତି।

ସରକାର ଏହି ବିଦ୍ୟାଳୟକୁ ମଡେଲ୍ ବିଦ୍ୟାଳୟ ଭାବରେ ମନୋନୀତ କରିଛି। ତେବେ ଏହି ବିଦ୍ୟାଳୟର କୋଠା ନିର୍ମାଣ ଠାରୁ ଆରମ୍ଭ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଜୋରସୋରରେ ଚାଲିଥିବା ବେଳେ ଆଗାମୀ ନଭେମ୍ବର ମାସରେ ମଡେଲ୍ ସ୍କୁଲ୍ ଭାବରେ ଉଦ୍ଘାଟନ କରିବାର ଯୋଜନା କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ। ଏହା ସତ୍ତ୍ୱେ ବାପୁଜୀ ହାଇସ୍କୁଲରେ ଶିକ୍ଷକ ଅଭାବଦେଖା ଦେଇଥିବା ବେଳେ ଶିକ୍ଷକ ଅଭାବରୁ ପାଠ ପଢାରେ ଘୋର ବ୍ୟାଘାତ ସୃଷ୍ଟି ହୋଇଥିବା ଅଭୀଭାବକ ମାନେ ଅଭିଯୋଗ ମଧ୍ୟ କରିଛନ୍ତି। ବିଦ୍ୟାଳୟରେ ଚାଲିଥିବା ସମସ୍ତ କାର୍ଯ୍ୟକୁ ବନ୍ଦ କରିଦେଇଛନ୍ତି। ବର୍ତ୍ତମାନ ବିଦ୍ୟାଳୟରେ୨୮୮ ଜଣ ଛାତ୍ର ଛାତ୍ରୀ ପାଠ ପଢୁଛନ୍ତି। ବିଦ୍ୟାଳୟରେ ଷଷ୍ଠରୁ ଦଶମ ପର୍ଯ୍ୟନ୍ତ ରହିଛି। ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ବାରମ୍ବାର ବିଦ୍ୟାଳୟରେ ତାଲା ବନ୍ଦ ଆନ୍ଦୋଳନ ପୂର୍ବରୁ କରାଯାଇଥିବା ବେଳେ ସରକାରଙ୍କୁ ମଧ୍ୟ ଜଣାଇ ଦିଆଯାଇଥିଲା।

ସୂଚନା ଥାଉକି ଏଠାରେ ଥିବା କିରାଣୀ ମଦନ ମୋହନ ପ୍ରଧାନଙ୍କୁ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ନାକଟିଦେଉଳକୁ ଡେପୁଟେସନ୍ ରେ ବହୁ ବର୍ଷ ହେଲା ପଠାଯାଇଥିବା ବେଳେ, ଶିକ୍ଷୟତ୍ରୀ ସଂଧ୍ୟାରାଣୀ ବିଶିଙ୍କୁ ବର୍ଷେ ଭିତରେ ବାରବାଙ୍କ ଓ ପରେ ପରେ ଚାଟୁଣି ପ୍ରାଥମିକ ବିଦ୍ୟାଳୟକୁ ଡେପୁଟେସନ୍ ପଠାଇସାରିବା ପରେ ପୁଣି ସରକାରୀ ଶିକ୍ଷକ ମଧୁସୂଦନ ରାଉଳଙ୍କୁ ଘୋଷରାମାଳ ଉଚ୍ଚ ବିଦ୍ୟାଳୟକୁ ଡେପୁଟେସନ୍ ରେ ପଠାଯାଇଥିବାରୁ ଅଭିଭାବକ ଓ ପରିଚାଳନା କମିଟି ଲିଖିତା କାରରେ ଶିକ୍ଷା ଅଧିକାରୀ, ଜିଲ୍ଲାପାଳ, ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ। କୌଣସି ସୁଫଳ ନ ମିଳିବାରୁ ବାଧ୍ୟ ହୋଇ ବିଦ୍ୟାଳୟରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ତାଲା ବନ୍ଦ ଆନ୍ଦୋଳନ ଚଳାଇଛନ୍ତି ପରିଚାଳନା କମିଟି ଓ ଅଭିଭାବକମାନେ।

ଏହି ଆନ୍ଦୋଳନରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଜିତେନ୍ଦ୍ର ପ୍ରଧାନ ଡଇଁଚା ସରପଂଚ ପ୍ରବୀଣ କୁମାର ପ୍ରଧାନ, ବିଜେଡି ବ୍ଲକ୍ ସଭାପତି ମୂଳୀଆ ରାଉଳ , ପ୍ରହ୍ଲାଦ ବେହେରା ବହୁ ଅଭିଭାବକ ଓ କମିଟି ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବଙ୍ଗୋବ ସାଗରରେ ଘୂର୍ଣ୍ଣିବଳୟ ହେଲା ସକ୍ରିୟ, ଆଜି ରାଜ୍ୟର ୧୫ ଜିଲ୍ଲାକୁ ଜାରି ହେଲା ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ବଙ୍ଗୋବ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣ ବଳୟ ସକ୍ରିୟ ହେବାରେ ଲାଗିଛି। ଫଳରେ ଏହାର ପ୍ରଭାବରେ ରାଜ୍ୟର ୧୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ସେହି ଜିଲ୍ଲାଗୁଡିକ ହେଲା ଅନୁଗୁଳ, ଢେଙ୍କାନାଳ, କଟକ, ନୟାଗଡ଼, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, କନ୍ଧମାଳ, ଗଞ୍ଜାମ, ବୌଦ୍ଧ, ସମ୍ବଲପୁର, ମୟୂରଭଞ୍ଜ, ଦେବଗଡ଼ ଓ କେନ୍ଦୁଝର।

ଫଟୋ- ଆଜି ସକାଳେ ଉପଗ୍ରହରୁ ମିଳିଥିବା ଚିତ୍ର

Categories
ଆଜିର ଖବର ରାଜ୍ୟ ଖବର

ଦୁଇଟି ଫର୍ଣ୍ଣିଚର ଦୋକାନ ଉପରେ ଭିଜିଲାନସ, ଜଙ୍ଗଲ ବିଭାଗର ମିଳିତ ଚଢାଉ, ଜବତ ହେଲା ଏସବୁ ଜିନିଷ

ସମ୍ବଲପୁର, ଆଜି ସକାଳେ ଦୁଇଟି ଫର୍ଣ୍ଣିଚର ଦୋକାନ ଉପରେ ସମ୍ବଲପୁର ଭିଜିଲାନସ ଏବଂ ଜଙ୍ଗଲ ବିଭାଗର ମିଳିତ ଚଢାଉ କରିଛନ୍ତି। ବେଆଇନି ଭାବେ ଏହି ଦୁଇ ଦୋକାନରେ କାଠ କଟାଯିବା ସହିତ ବିନା ପରିମିଟ କାଠ ବ୍ୟବସାୟ କରୁଥିଲେ। ଏହି ଦୁଇଟି ୟୁନିଟ ହେଲା ହୀରାକୁଦ ଥାନା ଅଧିନରେ ଥିବା ମାଷ୍ଟରପଡା ଏବଂ ଲାର୍ରପଙ୍ଗ।

ଏହି ଦୁଇ ସ୍ଥାନରେ ଚଢାଉ ପରେ ସେଠାରୁ କାଠଚୁରା ମେସିନ ସହିତ ସାଗୁଆନ କାଠ ଜବତ କରାଯାଇଛି। ଯାହାର ମୂଲ୍ୟ ପ୍ରାୟ 36 ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଇଛି। ଏ ନେଇ ସମ୍ବଲପୁର ଟାଉନ ରେଞ୍ଜରେ ଦୁଇଟି ପୃଥକ ମାମଲା ଋଜୁ କରାଯାଇଛି। ଏ ନେଇ ଅଧିକ ଖୋଳତାଡ ଚାଲିଛି।

Categories
ଆଞ୍ଚଳିକ

ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ

କନ୍ଦର୍ପ ବେହେରା
ରେଢାଖୋଲ: ଡଇଁଚା ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟ କୁ ସମ୍ବଲପୁର ଜିଲ୍ଲା ଶିକ୍ଷା ଅଧିକାରୀ ମୀନାରାଣୀ ମଣ୍ଡଳ ପରିଦର୍ଶନ କରିଛନ୍ତି। ବିଦ୍ୟାଳୟର ବିଭିନ୍ନ ସମସ୍ୟା ସଂପର୍କରେ ଶିକ୍ଷା ଅଧିକାରୀ ପ୍ରଧାନ ଶିକ୍ଷକଙ୍କୁ ପଚାରି ବୁଝିଥିଲେ। ବିଦ୍ୟାଳୟରେ ଅଭାବ ଥିବା ଶିକ୍ଷକ ତଥା ଅନ୍ୟାନ୍ୟ ପଦବୀ ଓ ଶ୍ରେଣୀ ପ୍ରକୋଷ୍ଠ ସଂପର୍କରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅରୁଣ କୁମାର ପ୍ରଧାନ ସୂଚନା ଦେଇଥିଲେ। ଶିକ୍ଷକମାନେ ଅନଲାଇନ୍‌ରେ ପିଲାମାନଙ୍କୁ ପାଠପଢାଇବା ଉପରେ ଗୁରୁତ୍ୱ ଦେବା ସହ ଅଧିକ ବିଦ୍ୟାର୍ଥୀ କିପରି ଭାଗ ନେଇ ପାରିବେ ସେ ଉପରେ ଗୁରୁତ୍ୱ ଦେଇଥିଲେ।

ବିଦ୍ୟାଳୟରେ ଚାଲି ଥିବା କୋଠା ଓ ଅନ୍ୟାନ୍ୟ ନିର୍ମାଣ କାମର ପରିଦର୍ଶନ କରିଥିଲେ। ବିଦ୍ୟାଳୟ ପରିଦର୍ଶନ ଅବସରରେ ବିଦ୍ୟାଳୟ ପରିସରରେ ଶିକ୍ଷା ଅଧିକାରୀ ଚନ୍ଦନ ଗଛ ରୋପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ତଥା କର୍ମଚାରୀ ଯୋଗଦେଇଥିଲେ।

Categories
ଆଞ୍ଚଳିକ

ଭୂବନେଶ୍ୱରୀ ବନ ସୁରକ୍ଷା ସମିତି ତରଫରୁ ୭୨ ତମ ବନ ମହୋତ୍ସବ ପାଳିତ

କନ୍ଦର୍ପ ବେହେରା
ରେଢାଖୋଲ: ସମ୍ବଲପୁର ଜିଲ୍ଲା ରେଢାଖୋଲ ବନାଂଚଳ ଡଇଁଚା ଗ୍ରାମରେ ରେଢାଖୋଲ ବନବିଭାଗ ତରଫରୁ ଭୂବନେଶ୍ୱରୀ ବନ ସୁରକ୍ଷା ସମିତି , ଡଇଁଚାର ସହଯୋଗରେ ୭୨ ତମ ବନମହୋତ୍ସବ ପାଳିତ ହୋଇଯାଇଛି। ଏହି ବନ ମହୋତ୍ସବ କାର୍ଯ୍ୟକ୍ରମରେ ରେଢାଖୋଲ ରେଞ ଅଧିକାରୀ ମୈତ୍ରୀମଂଜିତ ବିଶ୍ୱାଳ, ଫରେଷ୍ଟର ସୁରେନ୍ଦ୍ର କୁମାର ସାହୁ, ଫରେଷ୍ଟଗାର୍ଡ ପୁଷ୍ପାଞଳୀ ବେହେରା, ଫରେଷ୍ଟଗାର୍ଡ ସବିତା ମିଶ୍ର ପ୍ରମୁଖ ଯୋଗ ଦେଇ ଥିବା ବେଳେ ନାକଟିଦେଉଳ ବ୍ଲକ୍ ଅଧ୍ୟକ୍ଷା ମନ୍ଦାକିନୀ ରାଉଳ, ବ୍ଲକ୍ ବିଜେଡି ସଭାପତି ମୂଳିଆ ରାଉଳ ପ୍ରମୁଖ ଯୋଗଦେଇ ବୃକ୍ଷ ରୋପଣର ଉପାଦେୟତା ସଂପର୍କରେ ଆଲୋଚନା କରିଥିଲେ।

ବନ ସୁରକ୍ଷା ସମିତି ତରଫରୁ ଡଇଁଚା ଗ୍ରାମରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବନ ସୁରକ୍ଷା ସମିତିର ସଭାପତି ସନ୍ତୋଷ କୁମାର ପ୍ରଦାନ, ସଭ୍ୟ କନ୍ଦର୍ପ ବେହେରା, ନିମେଇଁ ଚରଣ ପ୍ରଧା, ସନ୍ତୋଷ କୁମାର ରାଉଳ, ସୁମନ୍ତ ଦେହୁରୀ, ଦେବରାଜ ଧଳ, ବସନ୍ତ ପ୍ରଧାନ, ପ୍ରାଣବନ୍ଧୁ ରାଉଳ ପ୍ରମୁଖ ଯୋଗଦେଇ ବୃକ୍ଷ ରୋପଣରେ ସହଯୋଗ କରିଥିଲେ।

ଆଗାମୀ ଦିନରେ ଭୂବନେଶ୍ୱରୀ ବନ ସୁରକ୍ଷା ସମିତି ତରଫରୁ ୫ ହଜାର ଗଛ ରୋପଣ କରାଯିବାକୁ ବନ ବିଭାଗ ଦାୟିତ୍ୱ ଦେଇଥିବା ଜଣା ପଡିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରେଳ ମନ୍ତ୍ରଣାଳୟର ନୂଆ ଘୋଷଣା, ଏଣିକି ପୁରୀ ଓ ବିକାନେର ମଧ୍ୟରେ ଚାଲିବ ଏକ ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ବର, ପୁରୀ ଏବଂ ବିକାନେର ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ରେଳ ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତି ନିଆଯାଇଛି। ସେହି ଅନୁସାରେ ନିମ୍ନଲିଖିତ ଅନୁଯାୟୀ ଏହି ଟ୍ରେନଟି ଚଲାଚଳ କରିବ।

୦୪୭୦୯/୦୪୭୧୦ ବିକାନେର-ପୁରୀ-ବିକାନେର ସ୍ପେଶାଲ୍ ଟ୍ରେନ ବିକାନେର ଠାରୁ ଜୁନ ମାସ ୧୩ ତାରିଖରୁ ପ୍ରତ୍ୟେକ ରବିବାର ଦିନ ସନ୍ଧ୍ୟା ୭ଘ ୩୫ମି ରେ ଛାଡିବାକୁ ଥିବାବେଳେ ଏହି ଟ୍ରେନ ପୁରୀ ଠାରୁ ଜୁନ ମାସ ୧୬ ତାରିଖ ଠାରୁ ପ୍ରତ୍ୟେକ ବୁଧବାର ଦିନ ସକାଳ ୦୬ଘ.୩୫ମି.ରେ ଛାଡି ପରବର୍ତ୍ତୀ ଆଦେଶ ପର‌୍ୟ୍ୟନ୍ତ ଚଳାଚଳ କରିବ।

ଏହି ଟ୍ରେନ ପୂର୍ବତଟ ରେଳପଥ ପରିସୀମାରେ ଖୋର୍ଦ୍ଧା ରୋଡ, ଭୁବନେଶ୍ୱର, ଢେଙ୍କାନାଳ, ତାଳଚେର ରୋଡ଼, ଅନୁଗୁଳ, ରେଢ଼ାଖୋଲ, ସମ୍ବଲପୁର ଓ ଝାରସୁଗୁଡା ରୋଡ଼ ଷ୍ଟେସନ ମାନଙ୍କରେ ରହଣି କରିବାକୁ ଥିବାବେଳେ ପୁରୀ ଓ ବିକାନେର ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ଯଥା ରାଇଗଡ଼, ବିଳାସପୁର, କାଟନୀ ମୁରୱାରା, କୋଟା ଏବଂ ଜୟପୁର ଭଳି ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ମାନଙ୍କରେ ରହଣି କରିବ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର ସ୍ବାସ୍ଥ୍ୟ

ବାଣପୁରରେ ଜନ୍ମିତ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷକଙ୍କ ବିୟୋଗରେ ଶୋକସଭା: କରୋନାରେ ଥିଲେ ସଂକ୍ରମିତ

ସମ୍ବଲପୁର: ସମ୍ବଲପୁର ଚନ୍ଦ୍ରଶେଖର ବେହେରା ଜିଲ୍ଲା ସ୍କୁଲର ରାଜ୍ୟପାଳ ପୁରସ୍କୃତ ଶିକ୍ଷକ ବାଙ୍କନିଧି ଶତ୍ରୁଶଲ୍ୟଙ୍କ ବୁର୍ଲା କୋଭିଡ଼ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି। ଛାତ୍ରବତ୍ସଳ ଶିକ୍ଷକ ସ୍ଵର୍ଗତ ବାଙ୍କନିଧି ୯୩ ବର୍ଷ ବୟସରେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ସେ କରୋନାରେ ଆକ୍ରାନ୍ତ ହୋଇ ବୁର୍ଲା କୋଭିଡ଼ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଗତ ୧ ତାରିଖରେ ପୂର୍ବାହ୍ନ ପାଖାପାଖି ୯ ଟା ବେଳେ ତାଙ୍କର ଦେହାନ୍ତ ହୋଇଥିଲା। ସ୍ଵର୍ଗତ ବାଙ୍କନିଧିଙ୍କ ବିୟୋଗରେ ଜିଲ୍ଲାର ଶିକ୍ଷକ ଏବଂ ଛାତ୍ରମାନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ଯୋଗଜନ୍ମା ଦିଂବଗତ ଶିକ୍ଷକଙ୍କ ବିୟୋଗରେ ଏକ ଶୋକ ସଭାଆୟୋଜନ କରଯାଇଥିଲା। ପୁରାତନ ଶିକ୍ଷକ ଧରଣୀଧର ପ୍ରଧାନଙ୍କ ସଭାପତିତ୍ଵରେ ବାଙ୍କନିଧି ଶତ୍ରୁଶଲ୍ୟଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସାନ୍ତ୍ଵନା ଜଣାଇବା ସହ ଦୀର୍ଘ ନିରାମୟ ଜୀବନ କାମନା କରାଯାଇଥିଲା।

ଉଲ୍ଲେଖ ଯୋଗ୍ୟ ଯେ, ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ବେତୁଲି ଗ୍ରାମରେ ଯଶସ୍ଵୀ ଶିକ୍ଷକ ବାଙ୍କନିଧିଙ୍କ ଜନ୍ମ ହୋଇଥିଲା। ସେ ୧୯୫୨ ମସିହାରେ ଜିଲ୍ଲା ସ୍କୁଲରେ ଶିକ୍ଷକତା ଆରମ୍ଭ କରି ୧୯୯୧ ମସିହାରେ ଅବସର ଗ୍ରହଣ କରିଥିଲେ। ୧୯୮୯ ମସିହା ସେପ୍ଟେମ୍ବର ୫ ତାରିଖରେ ପ୍ରାକ୍ତନ ରାଜ୍ୟପାଳ ପ୍ରଫେସର ନୁରୁଲ ହସନ୍ ଙ୍କ ଦ୍ଵାରା ସେ ଆଦର୍ଶ ଶିକ୍ଷକ ପୁରସ୍କାର ଲାଭ କରିଥିଲେ।

ଦୀର୍ଘ ୪୦ ବର୍ଷର ଚାକିରିକାଳ ମଧ୍ୟରେ ଅନେକ ସୁନାମ ଅର୍ଜ୍ଜନ କରିଛନ୍ତି। ଗୋଟିଏ ସ୍କୁଲରେ ଏତେ ବର୍ଷ ଶିକ୍ଷକତା କରି ବାଙ୍କନିଧି ଇତିହାସ ସୃଷ୍ଟି କରିଛନ୍ତି। ତାଙ୍କ ମଧୁର ବ୍ୟବହାର ତଥା ସରଳ ଜୀବନଯାପନ ପାଇଁ ଛାତ୍ର, ଶିକ୍ଷକ ଏବଂ ଅଭିଭାବକ ମଧ୍ୟରେ ପ୍ରିୟ ଥିଲେ। ସେହି ଅଞ୍ଚଳରେ ସେ ଏତେ ପ୍ରିୟ ଥିଲେ ଯେ, ପ୍ରତ୍ୟେକ ବର୍ଷ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଉଥିଲା। ଡାଃ ପରଶୁରାମ ମିଶ୍ର ଅଗ୍ରଗାମୀ ଶିକ୍ଷା ପ୍ରତିଷ୍ଠାନ, ଶିକ୍ଷାବିତ ବାଳକୃଷ୍ଣ କର ସ୍ମୃତି ପୁରସ୍କାର, ୧୫୦ ବର୍ଷ ପୂର୍ତ୍ତି ଶିକ୍ଷକ ସମ୍ମାନ ତଥା ପ୍ରତିବର୍ଷ ବିଭିନ୍ନ ବ୍ୟାଚର ଛାତ୍ରଛାତ୍ରୀମାନେ ତାଙ୍କୁ ସମ୍ବର୍ଦ୍ଧିତ କରୁଥିଲେ।

ତେବେ ଦିଂବଗତ ଶିକ୍ଷକ ବାଙ୍କନିଧିଙ୍କ ସ୍ମୃତିଚାରଣ ସଭାରେ ପ୍ରାକ୍ତନ ଶିକ୍ଷକ ଦୋଳଗୋବିନ୍ଦ ସାହୁ, ବିହାରୀଲାଲ ମହାନ୍ତି, ରଘୁନାଥ ପୂଜାରୀ, ରାଧାଚରଣ ମେହେର, ମିତ୍ରଭାନୁ ମହାପାତ୍ର, ଭାଗିରଥି ପ୍ରଧାନ, ହୃଷୀକେଶ ବଢାଇ, ପ୍ରହଲ୍ଲାଦ ସାହୁ, ପଣ୍ଡିତ ହୃଷୀକେଶ ମିଶ୍ର, ଅଚ୍ୟୁତାନନ୍ଦ ପଟେଲ, ସିଭିଲ କୁମାର ନାଏକ, ପ୍ରମୁଖ ଉପସ୍ଥିତ ରହି ସ୍ଵର୍ଗତ ବାଙ୍କନିଧି ଶତ୍ରୁଶଲ୍ୟଙ୍କ ସ୍ମୃତିଚାରଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସମ୍ବଲପୁରରେ ତିନି ଦିନ ସଟ୍‌ ଡାଉନ୍‌ ବାତିଲ୍‌

ସମ୍ବଲପୁର : ସମ୍ବଲପୁରରେ ସଟ୍‌ଡାଉନ୍‌ ପରିବର୍ତ୍ତନ ନେଇ ସମ୍ବଲପୁର ଜିଲ୍ଲାପାଳ ଶୁଭମ୍‌ ସକ୍‌ସେନା ନିର୍ଦ୍ଦେଶ ଦେଇଛନ୍ତି ।  ସ୍ବାଧୀନତା ଦିବସ ଓ ନୂଆଁଖାଇ ଦିନ ସମ୍ବଲପୁରରେ ହେବନି ସଟ୍‌ଡାଉନ୍‌। ଉଭୟ ପର୍ବ ପାଇଁ 3 ଦିନ ପାଇଁ ସଟ୍‌ଡାଉନ୍‌ କଟକଣା ରହିବନି । ସ୍ବାଧୀନତା ଦିବସ ଶନିବାର ଦିନ ପଡୁଥିଲେ ବି ହେବନି ସଟ୍‌ଡାଉନ୍‌ । ନୂଆଖାଇ ପାଇଁ 22 ଓ 23ରେ ମଧ୍ୟ ହେବନି ସଟ୍‌ଡାଉନ୍‌ । ନୂଆଖାଇ 23 ତାରିଖ ପଡୁଥିବାବେଳେ ନୂଆଖାଇ ପାଇଁ 22 ତାରିଖ ଦିନ ସଟ୍‌ଡାଉନ୍‌ ବାତିଲ୍‌ କରାଯିବ । ଏହି ଦିନ ଲୋକେ ବଜାରରୁ ଜିନିଷ ପତ୍ର କିଣିବେ ।  ତେବେ ଅଗଷ୍ଟ 15 ବଦଳରେ ଅଗଷ୍ଟ 16 ଓ 17 ତାରିଖ ସଟ୍‌ଡାଉନ୍‌ ରହିବ ବୋଲି ସୂଚନା ରହିଛି ।

 

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ବୁର୍ଲାର 5ଟି ୱାର୍ଡରେ କାଲିଠାରୁ ଦୁଇ ଦିନିଆ ସଟ୍ ଡାଉନ୍, ବାଦ୍ ପଡ଼ିଲା ଭିମସାର କ୍ୟାମ୍ପସ

ସମ୍ବଲପୁର, କୋଭିଡ-19 ସଂକ୍ରମଣ ବଢୁଥିବା ଦୃଷ୍ଟିରୁ ସମ୍ବଲପୁର ପ୍ରଶାସନ ସମ୍ବଲପୁର ମ୍ୟୁନିସିପାଲ କର୍ପୋରେସନର କିଛି ଅଞ୍ଚଳରେ ଦୁଇ ଦିନିଆ ସଟ୍ ଡାଉନ୍ ଘୋଷଣା କରିଛନ୍ତି। ଆସନ୍ତାକାଲିଠାରୁ ଏହା ଲାଗୁ ହେବ ବୋଲି ଆଜି ଘୋଷଣା କରାଯାଇଛି। ଏହି ସମୟରେ ବୁର୍ଲା ଅଞ୍ଚଳର ୱାର୍ଡ ନଂ 3ରୁ ୱାର୍ଡ ନଂ 7 ମଧ୍ୟରେ ଆସୁଥିବା ଅଞ୍ଚଳ ସଟ୍ ଡାଉନରେ ରହିବ। ତେବେ ଭୀମସାର କ୍ୟାମ୍ପସକୁ ଏଥିରୁ ବାଦ ଦିଆଯାଇଛି।

ସମ୍ବଲପୁରରେ ଏଯାବତ୍ 105 ଜଣ ବ୍ୟକ୍ତି କରୋନା ଭୂତାଣୁରେ ସଂକ୍ରମିତ ହୋଇଛନ୍ତି।

ସଟଡାଉନ ସମୟରେ ଅନ୍ତଃ ଜିଲ୍ଲା ପରିବହନ ଉଭୟ ସରକାରୀ ଓ ବେସରକାରୀ, ଲୋକଙ୍କ ଚଳପ୍ରଚଳ ବନ୍ଦ ରହିବ। ଦୋକାନ ବଜାର, ଅନ୍ୟାନ୍ୟ ବ୍ୟବସାୟ ପ୍ରତିଷ୍ଠାନ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିବ ବୋଲି ଜିଲ୍ଲା ପ୍ରଶାସନ ସୂଚନା ଦେଇଛି।

ହସ୍ପିଟାଲ, ଔଷଧ ଦୋକାନ, ପେଟ୍ରୋଲ ପମ୍ପ, ମିଲକ ବୁଥ୍ ଖୋଲା ରହିବ। ଜରୁରୀ ସେବାରେ ଥିବା କେନ୍ଦ୍ର ଓ ରାଜ୍ୟ ସରକାରୀ କର୍ମଚାରୀ ଯିବା ଆସିବା କରି ପାରିବେ। ମାଲ ପରିବହନକୁ ଅନୁମତି ମିଳିବ। ବିବାହ ଏବଂ ଶବ ସଂସ୍କାର ଆଦି ପାଇଁ ପ୍ରଶାସନର ଅନୁମତି ନେବାକୁ ପଡ଼ିବ। ସରକାରୀ ନିୟମ ଖିଲାପକାରୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।