Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଟୀକାକେନ୍ଦ୍ରରେ ଅନିୟମିତତା, ସମ୍ବାଦ ସଂଗ୍ରହ ବେଳେ ସାମ୍ବାଦିକଙ୍କୁ ଆକ୍ରମଣ ଅଭିଯୋଗ

ସୀତାରାମ ଅଗ୍ରୱାଲ

ବାଣପୁର: ମହାମାରୀ କରୋନାକୁ ପ୍ରତିହତ ପାଇଁ ଏକ ମାତ୍ର ବିଶଲ୍ୟ କରଣୀ ଟୀକାକରଣ ହୋଇଥିବାବେଳେ ସରକାର ଟିକାକରଣ ବ୍ୟବସ୍ଥାକୁ ବ୍ୟାପକ କରୁଛନ୍ତି। ଟୀକାକରଣ ଅଭିଯାନକୁ ସରଳିକରଣ କରିବାପାଇଁ ସହରାଞ୍ଚଳର ପ୍ରତ୍ୟେକ ୱାର୍ଡରେ ଏବଂ ପଂଚାୟତ ସ୍ତରରେ ବିଭିନ୍ନ କେନ୍ଦ୍ରରେ ଟୀକା ଦେବା ଲାଗି ବ୍ୟବସ୍ଥା କରୁଛନ୍ତି। ସୁପରିଚାଳନା ନିମିତ୍ତ କିଛି ଟୀକା କେନ୍ଦ୍ରରେ ଅନଲାଇନ ବ୍ୟବସ୍ଥା କରାଯାଇଥିବା ବେଳେ କିଛି ଟୀକା କେନ୍ଦ୍ରରେ ଅଫଲାଇନ ଜରିଆରେ ଟୀକାକରଣ କରାଯାଉଛି। ଯାହାର ଫାଇଦା ନେଇ ଟିକାକେନ୍ଦ୍ରଗୁଡିକ କିଛି ଅସାମାଜିକ ବ୍ୟକ୍ତିମାନଙ୍କ ଦ୍ୱାରା ପରିଚାଳିତ ହେଉଥିବାର ବାରମ୍ବାର ଅଭିଯୋଗ ହେଉଛି। ଏପରିକି ଟୀକା ପାଇଁ ଦିଆଯାଉଥିବା ଟୋକନ ଗୁଡିକ ସେମାନେ ନିଜ ସମ୍ପର୍କୀୟଙ୍କୁ ତଥା କିଛି ସ୍ଥାନୀୟ କୁଜିନେତାଙ୍କୁ ଦେଉଥିବାବେଳ ସାଧାରଣ ଜନତା ଏଥିରୁ ବଞ୍ଚିତ ହେଉଥିବାର ଅଭିଯୋଗ ହେଉଛି। ସେହିଭଳି ଖୋର୍ଦ୍ଧା ଜିଲ୍ଲା ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ଟୀକା କେନ୍ଦ୍ରରେ ସମାନ ଧରଣର ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି।

ପ୍ରକାଶ ଥାଉକି ବାଣପୁର ଏନଏସି ୯ ନଂ ୱାର୍ଡରେ ଟୀକାକରଣକୁ ନେଇ ଟିକାକେନ୍ଦ୍ରରେ ଅନିୟମିତତା ହେଉଥିବା ଖବର ପାଇ ଶେଖ ରୋଶନ ନାମକ ଜଣେ ସାମ୍ବାଦିକ ଖବର ସଂଗ୍ରହ କରିବାକୁ ନିଜ ସହଯୋଗୀଙ୍କ ସହ ସେଠାକୁ ଯାଇଥିଲେ। କିନ୍ତୁ ସେଠାରେ କିଛି ସ୍ଥାନୀୟ ବ୍ୟକ୍ତି ଟୀକାକେନ୍ଦ୍ରକୁ ପରିଚାଳିତ କରୁଥିବା ସେ ଦେଖିବାକୁ ପାଇଥିଲେ। ଏ ନେଇ ରୋଶନ ସଙ୍ଗେ ସଙ୍ଗେ ବାଣପୁର ମେଡିକାଲ ପ୍ରଶାସନ ଏବଂ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଫୋନ ଦ୍ୱାରା ଜଣାଇବା ପରେ କିଛି ସମୟ ପରେ ପୋଲିସ କର୍ମଚାରୀଙ୍କ ଉପସ୍ଥିତିରେ ଟୀକାକରଣ ପୁନଶ୍ଚ ଆରମ୍ଭ ହୋଇଥିଲା।

ତେବେ ପୋଲିସ ଆସିବା ଭିତରେ କିଛି ସ୍ଥାନୀୟ ବ୍ୟକ୍ତି ଜନୈକ ସାମ୍ବାଦିକ ଓ ତାଙ୍କ ସହଯୋଗୀଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ସଂଘବଧ ଭାବେ ଆକ୍ରମଣ କରାଯାଇଥିଲା। ଏନେଇ ବାଣପୁର ଥାନାରେ ସାମ୍ବାଦିକଜଣଙ୍କ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଅଭିଯୋଗକୁ ଭିତ୍ତିକରି କେସ ନଂ ୩୨୭/୨୧ ରେ ଏକ ମାମଲା ରୁଜୁକରି ତଦନ୍ତ ଜାରି ରଖିଥିବା ବେଳେ ଅନୁରୂପଭାବେ ଅପରପକ୍ଷ ମଧ୍ୟ ଉକ୍ତ ସାମ୍ବାଦିକ ଓ ତାଙ୍କ ସହଯୋଗୀଙ୍କ ବିରୁଦ୍ଧରେ ବାଣପୁର ଥାନାରେ ଏକ ଲିଖିତ ଅଭିଯୋଗ ଦେଇଥିଲେ। ଏତଲା ଆଧାରରେ ପୋଲିସ ୩୨୮/୨୧ ରେ ଅନ୍ୟ ଏକ ମାମଲା ମଧ୍ୟ ରୁଜୁ କରିଥିଲା।

ଘଟଣା ସମ୍ବନ୍ଧରେ ବାଣପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ସେ ଘଟଣାର ତଦନ୍ତ କଲା ପରେ ପଦକ୍ଷେପ ନେବେ ବୋଲି ସୂଚନା ଦେଇଛନ୍ତି। ସେହିପରି ଭାବେ ବାଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି ଯେ, ଆଗକୁ ପୋଲିସ ପ୍ରଶାସନର ସହଯୋଗରେ ଟୀକାକରଣ କରାଯିବ ଏବଂ ଘଟଣାର ତଦନ୍ତ କରାଯିବ।

ହେଲେ ଏଠରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ଯେ, ଜଣେ ସାମ୍ବାଦିକ ଯେତେବେଳେ ଲୋକଙ୍କ ସମସ୍ୟାକୁ ନେଇ ସମ୍ବାଦ ପରିବେଷଣ କରିବାକୁ ତତ୍ପରତା ଦେଖାଉଛି କିମ୍ବା ସରକାରଙ୍କ କାର୍ଯ୍ୟକ୍ରମରେ ହେଉଥିବା ଅନିୟମିତତାକୁ ବିରୋଧ କରୁଛି, ସେଥିପାଇଁ ତାଙ୍କୁ ମିଥ୍ୟା ଆରୋପ ଲଗାଇ ହଇରାଣ କରିବା କଣ ସମାଜ ପାଇଁ ଶୁଭଂକର? ଯଦି ଏହି ଘଟଣାରେ ଏଭଳି କିଛି ଅପ୍ରତିକର ପରିସ୍ଥିତି ଉପୁଜୁଛି, ତେବେ ନିଶ୍ଚିତ ଏହା ଉପରେ ସ୍ଥାନୀୟ ପ୍ରଶାସନ କଡା କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଦୋଷୀଙ୍କୁ ଆଇନ ଅନୁଯାୟୀ ଦଣ୍ଡିତ କରିବା ଉଚିତ। ଯାହା ଫଳରେ ସାଧାରଣ ନାଗରିକଙ୍କୁ ନ୍ୟାୟ ମିଳିପାରିବ।

ତେବେ ରାଜ୍ୟବ୍ୟାପୀ ବାରମ୍ବାର ସାମ୍ବାଦିକ ପ୍ରତି ଅନ୍ୟାୟ ଅତ୍ୟାଚାର ହେଉଥିଲେ ମଧ୍ୟ ଏ ଦିଗରେ ପୋଲିସ ପ୍ରଶାସନ ପକ୍ଷରୁ ତଦନ୍ତ କରି ଯଥାଶୀଘ୍ର ପଦକ୍ଷେପ ନେବା ଅପରିହାର୍ଯ୍ୟ ହୋଇପଡିଛି।