Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କରୋନାକୁ ହରାଇଲେ ୮୦ ବର୍ଷୀୟା ବୃଦ୍ଧା: କେନ୍ଦ୍ରାପଡ଼ା ସମ୍ କୋଭିଡ୍ ହସ୍ପିଟାଲରୁ ହେଲେ ସୁସ୍ଥ

ଭୁବନେଶ୍ୱର: କରୋନାକୁ ପରାସ୍ତ କରିଛନ୍ତି ପୁଣି ଜଣେ ବୟୋଜ୍ୟେଷ୍ଠା। ଜଣେ ୮୦ ବର୍ଷୀୟା ବୃଦ୍ଧାଙ୍କ ଦୃଢ ଇଛାଶକ୍ତି ଆଗରେ ହାର ମାନିଛି କୋଭିଡ।

ବୃଦ୍ଧାଙ୍କର ଦୃଢ଼ ମନୋବଳ, ଇଚ୍ଛାଶକ୍ତି ତଥା କେନ୍ଦ୍ରାପଡା ଛତାସ୍ଥିତ ସମ୍ କୋଭିଡ ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତର, ନର୍ସ ଓ ମେଡିକାଲ୍ କର୍ମଚାରୀଙ୍କ ଅକ୍ଳାନ୍ତ ପରିଶ୍ରମ, ଚିକିତ୍ସା, ସେବା ଓ ଯତ୍ନ ଫଳରେ ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାପାଳ ଅମ୍ରିତ ରୁତୁରାଜ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ଏ ନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।

କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ୍ ଅନ୍ତର୍ଗତ ହରିଦାସପୁର ଗ୍ରାମର କ୍ଷୀରୋଦା ମହାନ୍ତି (୮୦) କିଛି ଦିନ ତଳେ ହଠାତ ଅସୁସ୍ଥ ହୋଇ ପଡିଥିଲେ। ତାଙ୍କର ଥଣ୍ଡା ଓ କାଶ ଲାଗି ରହିଥିଲା। ତାଙ୍କୁ ଜ୍ୱର ମଧ୍ୟ ହୋଇଥିଲା।

ପୁଅ ଖଗେଶ୍ୱର ମହାନ୍ତି ତାଙ୍କୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଆଣିଥିଲେ। ସେଠାରେ କ୍ଷୀରୋଦା ଓ ତାଙ୍କ ପୁଅ ଖଗେଶ୍ୱରଙ୍କର କୋଭିଡ୍ ଆଂଟିଜେନ୍ ପରୀକ୍ଷା କରାଯାଇଥିଲା। ଉଭୟଙ୍କର ନେଗେଟିଭ୍ ବାହାରିଥିଲେ ବି କ୍ଷୀରୋଦାଙ୍କର ଅମ୍ଳଜାନ ସ୍ତର ବହୁ କମ୍ ଥିଲା। ଅମ୍ଳଜାନ ସ୍ତର ୫୬ ପର୍ଯ୍ୟନ୍ତ ଖସିଆସିଥିଲା। ତାଙ୍କୁ ତୁରନ୍ତ ଜୁନ୍ ୬ ତାରିଖରେ କେନ୍ଦ୍ରାପଡା ସହର ଉପକଣ୍ଠ ଛତାଠାରେ ଥିବା ସମ୍ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ କ୍ଷୀରୋଦାଙ୍କର କୋଭିଡ୍ ଆର୍ଟିପିସିଆର୍ ଟେଷ୍ଟ ରିପୋର୍ଟ ପଜିଟିଭ୍ ବାହାରିଥିଲା। ଦିନକୁ ଦିନ ତାଙ୍କର ଅମ୍ଳଜାନ ସ୍ତର କମିବା ସହ ନିଃଶ୍ୱାସ ପ୍ରଶ୍ୱାସ ନେବା କଷ୍ଟକର ହୋଇପଡ଼ିଥିଲା। ଗୁରୁତର ହୋଇପଡିଥିଲେ କ୍ଷୀରୋଦା। ମାତ୍ର ସମ୍ କୋଭିଡ୍ ହସ୍ପିଟାଲରେ ଉପଲବ୍ଧ ଅତ୍ୟାଧୁନିକ ଚିକିତ୍ସା ଭିତିଭୂମି ସାଙ୍ଗକୁ ଅଭିଜ୍ଞ ଓ ବରିଷ୍ଠ ଡାକ୍ତରଙ୍କ ଆପ୍ରାଣ ପ୍ରଚେଷ୍ଟା କ୍ଷୀରୋଦାଙ୍କୁ ନୂଆ ଜୀବନ ଦେଇଥିଲା।

ମେଡିକାଲ୍ ଟିମ୍ ସେମାନଙ୍କର ସମୟୋପଯୋଗୀ ଚିକିତ୍ସା କରିବା ସହ ତାଙ୍କୁ ସୁଷମ ଖାଦ୍ୟ ଦେଇଥିଲେ। ବୃଦ୍ଧାଙ୍କର ମନୋବଳ ବଢ଼ାଇବା ପାଇଁ ନିରବଚ୍ଛିନ୍ନ ଉଦ୍ୟମ ଜାରି ରହିଥିଲା ବୋଲି ଚିକିତ୍ସା କରୁଥିବା ଡାକ୍ତର ସୂଚନା ଦେଇଛନ୍ତି। ସେ ସୁସ୍ଥ ହୋଇ ଘରକୁ ଫେରିବା ପରେ ସମ୍ କୋଭିଡ୍ ହସ୍ପିଟାଲର ଡାକ୍ତର, ନର୍ସ ଓ ଅନ୍ୟାନ୍ୟ କର୍ମଚାରୀମାନଙ୍କୁ କ୍ଷୀରୋଦ ଓ ତାଙ୍କ ପୁଅ ଖଗେଶ୍ୱର କୃତଜ୍ଞତ। ଜଣାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ କୋଭିଡ ହସ୍ପିଟାଲରୁ ସୁସ୍ଥ ହେଲେ ୨୦ ବର୍ଷିୀୟ ଯୁବକ, ଦୀର୍ଘ ଦିନ ଧରି ଥିଲେ ଭେଂଟିଲେଟରରେ

ଭୁବନେଶ୍ୱର: କରୋନା ମହାମାରୀ ଘାତକ ସତ ତେବେ ଏହାକୁ ପରାସ୍ତ କରିବା ଅସମ୍ଭବ ନୁହେଁ। ଏହି କଥାକୁ ପ୍ରମାଣିତ କରିଛନ୍ତି ଜଣେ ୨୦ ବର୍ଷର ଯୁବକ। ସମ୍ କୋଭିଡ ହସ୍ପିଟାଲରେ କରୋନାକୁ ପରାସ୍ତ କରି ଘରକୁ ଫେରିଛନ୍ତି ପ୍ରତୀକ୍ଷ କାଦାମ୍ବାଲୁ। ଦୀର୍ଘ ଏକ ମାସ ଧରି ଏହି ଅଦୃଶ୍ୟ ଶତୃ ସହିତ ଯୁଦ୍ଧ କରିବା ପରେ ଶେଷରେ କୋଭିଡକୁ ପରାଜୟ କରି ସୁସ୍ଥ ହୋଇ ଘରକୁ ଫେରିଛନ୍ତି ପ୍ରତୀକ୍ଷ।

ରାୟଗଡ଼ାସ୍ଥ ମୁନିଗୁଡା ଅଂଚଳର ଯୁକ୍ତ ୩ ଶେଷ ବର୍ଷର ଛାତ୍ର ପ୍ରତୀକ୍ଷ କରୋନା ସଂକ୍ରମିତ ହୋଇ ଗତ ଏପ୍ରିଲ୍ ୩୦ ତାରିଖ ଦିନ ସମ୍ କୋଭିଡ୍ ହସ୍ପିଟାଲରେ ଭର୍ତି ହୋଇଥିଲେ। ହସ୍ପିଟାଲରେ ଭର୍ତ୍ତି ହେବା ସମୟରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିଲା। ତାଙ୍କୁ ତୁରନ୍ତ ଆଇସିୟୁରେ ଭର୍ତ୍ତି କରାଯାଇ ଚିକିତ୍ସା ଆରମ୍ଭ କରାଯାଇଥିଲା। ସ୍ୱାସ୍ଥ୍ୟ ଅବସ୍ଥା କ୍ରମଶଃ ବିଗିଡିବାରୁ ତାଙ୍କୁ ଭେଂଟିଲେଟରରେ ରଖାଯାଇଥିଲା। ଏହା ସହ ତାଙ୍କର ଶରୀରରେ ଟ୍ରାକିଓଷ୍ଟୁମି ମଧ୍ୟ କରାଯାଇଥିଲା।

ତେବେ ସମ୍‌ର ଡାକ୍ତର, ନର୍ସ ଏବଂ ସ୍ୱାସ୍ଥ୍ୟକର୍ମୀମାନେ ଅକ୍ଳାନ୍ତ ପରିଶ୍ରମ କରିଥିଲେ ତାଙ୍କୁ ସୁସ୍ଥ କରିବା ପାଇଁ। ସେମାନଙ୍କର ପରିଶ୍ରମ ସାର୍ଥକ ବି ହୋଇଥିଲା। ଧିରେ ଧିରେ ସୁସ୍ଥ ହୋଇଥିଲେ ପ୍ରତୀକ୍ଷ। ଭେଂଟିଲେଟରରୁ ବାହାରିବା ସହ କିଛି ଦିନ ମଧ୍ୟରେ ଆଇସିୟୁରୁ ମଧ୍ୟ ତାଙ୍କୁ ବାହାରକୁ ନିଆଯାଇ ୱାର୍ଡରେ ଚିକିତ୍ସା କରାଯାଇଥିଲା। ଧିରେ ଧିରେ ସୁସ୍ଥ ହେବା ସହ କୋଭିଡମୁକ୍ତ ହୋଇଥିଲେ ପ୍ରତୀକ୍ଷ।

ଏହି ସମୟରେ ତାଙ୍କ ପରିବାର ସହ ନିୟମିତ ଯୋଗାଯୋଗରେ ଥିଲେ ସମ୍ କୋଭିଡ୍ ହସ୍ପିଟାଲର ହେଲ୍ପଡେସ୍କ। ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟରେ ଖବର ଦେବା ସହ ଭିଡିଓ କଲ କରି ପ୍ରତୀକ୍ଷ କିଭଳି ଅଛନ୍ତି ସେ ଦୃଶ୍ୟ ମଧ୍ୟ ପରିବାରକୁ ଦେଖାଉଥିଲେ। ଦୀର୍ଘ ଏକ ମାସର ଉତମ ଚିକିତ୍ସା ଫଳରେ ସେ ଏବେ ସୁସ୍ଥ ହୋଇ ନିଜ ଘର ମୁନିଗୁଡା ଫେରିଯାଇଛନ୍ତି।

ସମ୍ କୋଭିଡ୍ ହସ୍ପିଟାଲରେ ତାଙ୍କର ଚିକିତ୍ସା ପଦ୍ଧତିକୁ ନେଇ ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀଙ୍କୁ କୃତଜ୍ଞତା ଜଣାଇଛନ୍ତି ତାଙ୍କ ପରିବାରବର୍ଗ। ସେମାନଙ୍କର ସେବା, ଚିକିତ୍ସା ଓ ସହଯୋଗ ଫଳରେ ପ୍ରତୀକ୍ଷ ନୂଆ ଜୀବନ ଫେରିପାଇଥିବା କହିଛନ୍ତି ତାଙ୍କ ସମ୍ପର୍କୀୟ ଭାଇ ସୁଧୀର ସାହୁ। ପ୍ରତୀକ୍ଷ ମଧ୍ୟ ଘରକୁ ଫେରିବା ପରେ ବେଶ ଖୁସି ଅଛନ୍ତି।