Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଶିଶୁର ଶରୀରରୁ ବିଶାଳ ମେନିନ୍‌ଗୋମାଇଲୋସିଲ୍‌କୁ ସଫଳତାର ସହ ବାହାର କଲେ ସମ୍ ନ୍ୟୁରୋସର୍ଜନ

ଭୁବନେଶ୍ୱର: ଜନ୍ମଗତ ତ୍ରୁଟି ଯୋଗୁଁ ୮ ମାସର ଶିଶୁର ପିଠିରେ ମେନିନ୍‌ଗୋମାଇଲୋସିଲ୍ ଯୋଗୁଁ ସୃଷ୍ଟି ହୋଇଥିବା ବିଶାଳ ମାଂସପିଣ୍ଡୁଳାକୁ ଅସ୍ତ୍ରୋପଚାର ଦ୍ୱାରା ସଫଳତାର ସହ ଶରୀରରୁ ବାହାର କରିଛନ୍ତି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ନ୍ୟୁରୋସର୍ଜନ। ଏହି ଆକାରର ବିଶାଳ ମାଂସପିଣ୍ଡୁଳା ସୃଷ୍ଟି ହେବା ବିଶ୍ୱର ପ୍ରଥମ ବୋଲି କୁହାଯାଉଛି।

ଶିଶୁଟିର ପିଠିରେ ୪୩୦୦ ସ୍କୋୟାର ସେମି ଭଲ୍ୟୁମର ବିଶାଳ ମାଂସପିଣ୍ଡୁଳା ସୃଷ୍ଟି ହୋଇଥିଲା ଯାହାକୁ କି ଜାଏଂଟ ମେନିନ୍‌ଗୋମାଇଲୋସିଲ୍ କୁହାଯାଏ। ଶିଶୁଟିକୁ ଧରି ତା’ର ପିତାମାତା ବିଭିନ୍ନ ଚିକିତ୍ସାଳୟରେ ଚିକିତ୍ସିତ ହୋଇ ନପାରି ସମ୍‌କୁ ଆସିଥିଲେ। ଶିଶୁଟିର ଅସ୍ତ୍ରୋପଚାର ବିଶିଷ୍ଟ ନ୍ୟୁରୋସର୍ଜନ ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ରଙ୍କ ତତ୍ୱାବଧାନରେ କରାଯାଇଥିଲା। ୪୦୦୦ରୁ ଊର୍ଦ୍ଧ୍ୱ ଏପରି ଅସ୍ତ୍ରୋପଚାର କରିସାରିଥିବା ପ୍ରଫେସର (ଡାକ୍ତର) ମହାପାତ୍ର ଏପରି ବିଶାଳ ଆକାରର ମେନିନ୍‌ଗୋମାଇଲୋସିଲ ପୂର୍ବରୁ ଦେଖି ନଥିଲେ ବୋଲି କହିଥିଲେ।

ଶିଶୁଟିର ଶରୀରରେ ଥିବା ମାଂସପିଣ୍ଡୁଳା ଜନ୍ମ ସମୟରେ ଖୁବ୍ ଛୋଟ ଥିଲା। ମାତ୍ର ଚିକିତ୍ସାରେ ବିଳମ୍ବ ଯୋଗୁଁ ଏହାର ଆକାର ବୃଦ୍ଧି ପାଇଥିଲା। ୨୦୧୫ ମସିହାରେ ନୂଆଦିଲ୍ଲୀ ଏମ୍‌ସରେ ୨୩୦୦ ସ୍କୋୟାର ସେମି ଭଲ୍ୟୁମର ଏଭଳି ଏକ ସମସ୍ୟା ଥିବା ଶିଶୁର ଅସ୍ତ୍ରୋପଚାର କରାଯାଇଥିଲା। ତେବେ ପୃଥିବୀରେ ଏତେ ବଡ଼ ଆକାରର ମାଂସପିଣ୍ଡୁଳା ପୂର୍ବରୁ ନଜିର ଥିବାର ଜଣା ନାହିଁ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରମୁଖ ଉପଦେଷ୍ଟା (ସ୍ୱାସ୍ଥ୍ୟ ବିଜ୍ଞାନ) ଥିବା ପ୍ରଫେସର (ଡାକ୍ତର) ମହାପାତ୍ର କହିଛନ୍ତି।

ଏହି ରୋଗର ଡାକ୍ତରୀ ସମସ୍ୟା ସମ୍ପର୍କରେ ବିସ୍ତୃତ ତଥ୍ୟ ଦେଇ ପ୍ରଫେସର (ଡାକ୍ତର) ମହାପାତ୍ର କହିଥିଲେ ଯେ ଗର୍ଭଧାରଣର ଏକ ମାସ ଭିତରେ ଗର୍ଭାଶୟରେ ଏକ ଇଂଚର ଏକ ନ୍ୟୁରାଲ୍ ଟ୍ୟୁବ୍ ସୃଷ୍ଟି ହୋଇଥାଏ ଯାହାକି ଆଗକୁ ସୁଷୁମ୍ନାକାଣ୍ଡରେ ପରିଣତ ହୋଇଥାଏ। ତେବେ କୌଣସି କାରଣରୁ ଯଦି ଏହା ଫାଟିଯାଏ ତେବେ ସେହି ସ୍ଥାନରେ ତରଳ ପଦାର୍ଥ ନିର୍ଗତ ହୋଇଥାଏ।

ଏହି ପଦାର୍ଥଗୁଡ଼ିକ ସହିତ ଅନେକ ନ୍ୟୁରାଲ୍ ଟିସ୍ୟୁ ମଧ୍ୟ ଶରୀରର ପିଠି ପାଖରେ ଜମା ହୋଇ ଧୀରେ ଧୀରେ ଏହାର ଆକାର ବୃଦ୍ଧି ପାଇଥାଏ। ଏହା ଏକ ବିରଳ ସମସ୍ୟା ବୋଲି ସେ କହିଛନ୍ତି।

ପ୍ରାୟ ୩ ସପ୍ତାହ ତଳେ ଏହି ଅସ୍ତ୍ରୋପଚାର କରାଯାଇଥିବା ବେଳେ ଏଥି ନିମନ୍ତେ ୩ ରୁ ୪ ଘଂଟା ସମୟ ଲାଗିଥିଲା। ଶିଶୁଟି ବର୍ତମାନ ବିପଦମୁକ୍ତ ଥିବା ବେଳେ ଏହି ସମସ୍ୟା ଯୋଗୁଁ ଶିଶୁର ଅଂଟା ତଳକୁ ପକ୍ଷାଘାତ ହୋଇଯାଇଥିବା ପ୍ରଫେସର ମହାପାତ୍ର କହିଥିଲେ।
ସମ୍ ହସ୍ପିଟାଲ୍‌ର ନ୍ୟୁରୋସର୍ଜରୀ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ସୌଭାଗ୍ୟ ପାଣିଗ୍ରାହୀ କହିଥିଲେ ଯେ ଏଭଳି ଅସ୍ତ୍ରୋପଚାର ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ନିୟମିତ ଭାବେ କରାଯାଉଛି। ସଂପୃକ୍ତ ଶିଶୁଟିର ଅସ୍ତ୍ରୋପଚାର ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ) ଅଧିନରେ କରାଯାଇଥିବା ସେ କହିଛନ୍ତି।

ସଂପୃକ୍ତ ବିଭାଗର ନ୍ୟୁରୋସର୍ଜନ୍ ପ୍ରଫେସର (ଡାକ୍ତର) ରାମଚନ୍ଦ୍ର ଦେଓ କହିଥିଲେ ଯେ ଏଭଳି ସମସ୍ୟାର ଚିକିତ୍ସା ନିମନ୍ତେ ଲୋକମାନଙ୍କ ମଧ୍ୟରେ ସଚେତନତାର ଆବଶ୍ୟକତା ରହିଛି। ଏହି ଅସ୍ତ୍ରୋପଚାରରେ ଅନେକ ରକ୍ତହାନୀ ହେବାର ଆଶଙ୍କା ରହିଥିବାରୁ ଅନେକେ ଏଭଳି ସର୍ଜରୀ ପାଇଁ ଅନିଚ୍ଛା ପ୍ରକାଶ କରୁଛନ୍ତି ଯାହାଦ୍ୱାରା ଏହି ସମସ୍ୟାର ଉପଯୁକ୍ତ ଚିକିତ୍ସା ହୋଇପାରୁ ନାହିଁ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ବିରଳ ଓ ଜଟିଳ ଅସ୍ତ୍ରୋପଚାର କରି ଆଉ ଏକ ସଫଳତା ସାଉଁଟିଲେ ସମ୍ ନ୍ୟୁରୋସର୍ଜନ

ଭୁବନେଶ୍ୱର: ବିରଳ ଓ ଜଟିଳ ଜ୍ୟାଂଟ ଆନ୍ୟୁରିଜିମ୍ ସମସ୍ୟାରେ ପୀଡ଼ିତ ଥିବା ୧୮ ବର୍ଷ ଯୁବକଙ୍କର ଅସ୍ତ୍ରୋପଚାର କରି ଆଉ ଏକ ସଫଳତା ହାସଲ କରିଛନ୍ତି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ନ୍ୟୁରୋସର୍ଜନ୍।

ବିଶ୍ୱରେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ସମସ୍ୟାରେ ପୀଡ଼ିତ ଥିବା ପ୍ରାୟ ୩୦ ରୁ କମ୍ ବ୍ୟକ୍ତିଙ୍କର ସଫଳ ଅସ୍ତ୍ରୋପଚାର ସମ୍ଭବ ହୋଇପାରିଛୁ ବୋଲି ସୂଚନା ଦେଇଛନ୍ତି ଏହି ଅସ୍ତ୍ରୋପଚାର ଟିମ୍‌ର ନେତୃତ୍ୱ ନେଇଥିବା ସମ୍‌ର ନ୍ୟୁରୋସର୍ଜନ ଡାକ୍ତର ଆତ୍ମରଞ୍ଜନ ଦାସ।

ସୁବାଶିଷ ରାଉତ ନାମକ ଏହି ଯୁବକ ଜଣଙ୍କର ଦୀର୍ଘ ୧ ମାସ ଧରି ପ୍ରବଳ ମୁଣ୍ଡ ବ୍ୟଥା ଲାଗି ରହିବା ଯୋଗୁଁ ସେ ସମ୍ ହସ୍ପିଟାଲ୍‌କୁ ଆସିଥିଲେ। ତାଙ୍କ ମସ୍ତିଷ୍କର ସ୍କାନିଂ ହେବା ପରେ ମସ୍ତିଷ୍କ ମଧ୍ୟରେ ରକ୍ତସ୍ରାବ ହୋଇଥିବାର ଜଣାପଡିଥିଲା। ବ୍ରେନ୍ ଆଞ୍ଜିଓ କରାଯିବା ପରେ ପଛଭାଗରେ ଥିବା ମସ୍ତିଷ୍କର ଧମନୀରେ ଏକ ବଡ଼ ଫୋଟକା ସୃଷ୍ଟି ହୋଇଥିବାର ଦେଖିବାକୁ ମିଳିଥିଲା। ଯାହାକୁ କି ଡାକ୍ତରୀ ଭାଷାରେ ଜ୍ୟାଂଟ ପିସିଏ ଆନ୍ୟୁରିଜିମ୍ କୁହାଯାଏ।

ଏହା ଖୁବ୍ ବିରଳ ସମସ୍ୟା ଏବଂ ତଥ୍ୟ ଅନୁଯାୟୀ ବିଶ୍ୱରେ ୩୦ ରୁ କମ୍ ଏଭଳି ଘଟଣା ସାମ୍ନାକୁ ଆସିଛି ବୋଲି କହିବା ସହ ଯଦି ଠିକ୍ ଭାବରେ ଚିକିତ୍ସା କରା ନଯାଏ ତେବେ ରୋଗୀର ମୃତ୍ୟୁ ହେବାର ଯଥେଷ୍ଟ ସମ୍ଭାବନା ରହିଥାଏ ବୋଲି ଡା. କହିଛନ୍ତି।

ଡା. ଦାସ ଏବଂ ତାଙ୍କ ଟିମ୍ ଦୀର୍ଘ ୮ ଘଂଟା ଧରି ଏହି ଅସ୍ତ୍ରୋପଚାର କରିଥିଲେ ଏବଂ ଠିକ୍ ଏହାର ପରଦିନ ରୋଗୀଟି ଚାଲିବାକୁ ସକ୍ଷମ ହୋଇପାରିଥିଲା। ଏକ ସପ୍ତାହ ପରେ ସେ ଠିକ୍ ଭାବରେ କଥା କହିବାରେ ସକ୍ଷମ ହେବା ସହ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହୋଇଯାଇଛି।

ଡା. ଦାସଙ୍କ ନେତୃତ୍ୱ ଏହି ଟିମ୍‌ରେ ନ୍ୟୁରୋସର୍ଜନ୍ ଡା. ସତ୍ୟଭୂଷଣ ସେନାପତି ଏବଂ ଡା. ଅଭିଜିତ୍ ଆଚାର୍ଯ୍ୟ ରହିଥିବା ବେଳେ ଆନେସ୍‌ଥେସିଆ ଟିମ୍‌ରେ ଡା. ସୁଦୀପ ମହାପାତ୍ର ଏବଂ ଡା. ଶିଖା ସାମିଲ୍ ଥିଲେ। ଅସ୍ତ୍ରୋପଚାର ଗୃହ ଷ୍ଟାଫ୍ ଲଳିତ ନାରାୟଣ ସାହୁ ଏବଂ ବିଜୟ ଅସ୍ତ୍ରୋପଚାର ସମୟରେ ସାହାଯ୍ୟ କରିଥିଲେ।

ନିକଟରେ ଡା. ଦାସଙ୍କ ନେତୃତ୍ୱରେ ଏହି ନ୍ୟୁରୋସର୍ଜରୀ ଟିମ୍ ଜଟିଳ ବ୍ରେନ୍‌ଷ୍ଟେମ୍  କାଭେରନୁମା ମାୟୋକ୍ଲୋନିକ୍ ଏପିଲେପ୍ସି ବ୍ୟାଧିରେ ପୀଡ଼ିତ ଥିବା ଜଣେ ୨୮ ବର୍ଷୀୟ ଯୁବକଙ୍କ ଠାରେ ସଫଳତା ସହ ଜଟିଳ ଅସ୍ତ୍ରୋପଚାର କରିଥିଲେ।