Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କ ପରଲୋକ, ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

ଭୁବନେଶ୍ବର: ଆଜି ପବିତ୍ର ରଥଯାତ୍ରାରେ ଓଡିଆ ସାମ୍ବାଦିକ ଜଗତରେ ଏକ ଶୋକର ଛାୟା ଖେଳିଯାଇଛି। କାରଣ ଆଜି ଏକ ସଡକ ଦୁର୍ଘଟଣାରେ ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ 53 ବର୍ଷ ବୟସ ହୋଇଥିଲା। କଳ୍ପନାସ୍ଥିତ ସରକାରୀ କ୍ବାଟରରେ ସେ ରହୁଥିଲେ। ତାଙ୍କର ପତ୍ନୀ ଏବଂ ଏକମାତ୍ର ଝିଅ ଅଛି।

ସେ ନିଜ ମୋଟରସାଇକେଲରେ ରଥଯାତ୍ରା ଫଟୋ ଉତ୍ତୋଳନ ପାଇଁ ପୁରୀ ଯାଉଥିଲେ। ସାତଶଙ୍ଖ ନିକଟରେ ତାଙ୍କର ଏକ ଅଜଣା ଗାଡି ସହିତ ଧକ୍କା ହେଲା। ଏହି ଦୁର୍ଘଟଣା ଏତେ ଜୋରରେ ହୋଇଥିଲା ଯେ ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବାର ଜଣାପଡିଛି।

ତେବେ ତାଙ୍କୁ ସେଠାରୁ ତୁରନ୍ତ କ୍ୟାପିଟାଲ ହସପିଟାଲ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ଅଶୋକ ପଣ୍ଡା ଦୀର୍ଘ ବର୍ଷ ଧରି ସମୟ ଖବରକାଗଜର ଫଟୋ ସାମ୍ବାଦିକ ଭାବେ କାର୍ଯ୍ୟ କରୁଥିଲେ।

ଅଶୋକ ପଣ୍ଡା ଓଡିଆ ସାମ୍ବାଦିକ ଜଗତରେ ବେଶ୍ ଜଣାଶୁଣା ଏବଂ ଲୋକପ୍ରିୟ ଥିଲେ। ସେ ବିଭିନ୍ନ ସମୟରେ ବିବାଦୀୟ ଫଟୋ ଉଠାଇ ବେଶ ଚର୍ଚ୍ଚାକୁ ଆସିଛନ୍ତି। ତାଙ୍କର ଫଟୋ ସଂଗ୍ରହର ନିଶା ତାଙ୍କୁ ବେଶ ଲୋକପ୍ରିୟ କରାଇପାରିଛି। ସେ ବିଭିନ୍ନ ସମୟରେ ଫଟୋ ପ୍ରଦର୍ଶନୀର ମଧ୍ୟ ଆୟୋଜନ କରିଥାନ୍ତି।

ତାଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ସେ ଟୁଇଟ କରି କହିଛନ୍ତି ଯେ, ‘ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡା ଦୁର୍ଘଟଣାରେ ପ୍ରାଣ ହରାଇଥିବା ଖବର ବିଷୟରେ ଜାଣି ମୁଁ ଦୁଃଖିତ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି।’