Categories
ଆଜିର ଖବର ଜାତୀୟ ଖବର

ଟୁଲକିଟ୍ ମାମଲାରେ ଛତିଶଗଡ ସରକାରକୁ ଝଟକା: ସମ୍ବିତ ପାତ୍ର ଏବଂ ରମଣ ସିଂଙ୍କୁ ମିଳିଲା ଆଶ୍ଵସ୍ତି

ନୂଆଦିଲ୍ଲୀ: ଟୁଲକିଟ୍ ମାମଲାରେ ଛତିଶଗଡ ସରକାରକୁ ଆଜି ଝଟକା ଲାଗିଛି। ପୂର୍ବତନ ଛତିଶଗଡ ମୁଖ୍ୟମନ୍ତ୍ରୀ ରମଣ ସିଂ ଏବଂ ବିଜେପି ମୁଖପାତ୍ର ସମ୍ବିତ ପାତ୍ରଙ୍କ ବିରୋଧରେ ରାଜ୍ୟ ସରକାରଙ୍କ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଉଭୟ ନେତାଙ୍କ ବିରୋଧରେ ଛତିଶଗଡ ପୋଲିସ ଦେଇଥିବା ଏଫ୍ଆଇଆରର ଯାଞ୍ଚ ଉପରେ ଛତିଶଗଡ ହାଇକୋର୍ଟ ରୋକ ଲଗାଇଥିଲେ। ଏହି ଆଦେଶରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି।

ଏହା ବିରୋଧରେ ରାଜ୍ୟ ସରକାରଙ୍କ ଆବେଦନ ଆଜି ପ୍ରଧାନ ବିଚାରପତି ଏନ.ଭି ରାମନା, ଜଷ୍ଟିସ ସୂର୍ଯ୍ୟ କାନ୍ତ ଏବଂ ହିମା କୋହଲିଙ୍କ ବେଞ୍ଚରେ ଶୁଣାଣି ହୋଇଥିଲା। ରାଜ୍ୟ ସରାକାରଙ୍କ ପକ୍ଷରୁ ହାଜର ହୋଇଥିବା ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଭିଙ୍କୁ ପ୍ରଧାନ ବିଚାରପତି ପରାମର୍ଶ ଦେଇ କହିଥିଲେ ଯେ, ଏଠାରେ ତାଙ୍କର ଶକ୍ତି ନଷ୍ଟ କରନ୍ତୁ ନାହିଁ। ସେହି ଆଦେଶରେ ହସ୍ତକ୍ଷେପ କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ବେଞ୍ଚ କହିଛନ୍ତି। ଏହି ମାମଲା ହାଇକୋର୍ଟରେ ବିଚାରାଧୀନ ଅଛି। ରାଜ୍ୟ ସରକାର ସେଠାରେ ନିଜର ମତ ରଖିବା ଉଚିତ୍। ପ୍ରଧାନ ବିଚାରପତି ଏହି ମାମଲାର ଶୀଘ୍ର ସମାଧାନ ପାଇଁ ହାଇକୋର୍ଟଙ୍କୁ ଅନୁରୋଧ କରିଥିଲେ।

ଉଲ୍ଲେଖ ଯୋଗ୍ୟ ଯେ, ଟୁଲକିଟ୍ ମାଧ୍ୟମରେ କେନ୍ଦ୍ର ସରକାରଙ୍କୁ ବଦନାମ କରିଥିବା ଉଭୟ ନେତା ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ମିଥ୍ୟା ବୋଲି ବର୍ଣ୍ଣନା କରି ରମଣ ସିଂ ଏବଂ ସମ୍ବିତ ପାତ୍ରଙ୍କ ବିରୋଧରେ କଂଗ୍ରେସର ଛାତ୍ର ସଂଗଠନ ଏନଏସୟୁଇର ଆକାଶ ସିଂ ଏଫଆଇଆର ଦାଖଲ କରିଥିଲେ। ଜୁନ୍ ୧୧ ତାରିଖରେ ହାଇକୋର୍ଟ ସମଗ୍ର ମାମଲାକୁ ରାଜନୈତିକ ବୋଲି କହିଥିଲେ। କୋର୍ଟ କହିଥିଲେ ଯେ, ବିଜେପି ନେତାଙ୍କ ଅଭିଯୋଗ ଦ୍ୱାରା ଶାନ୍ତି ଉଲ୍ଲଂଘନ ହେବାର ଆଶଙ୍କା ମିଥ୍ୟା ଅଟେ। ସାଧାରଣ ନାଗରିକଙ୍କ ସହିତ ଏହାର କୌଣସିସମ୍ପର୍କ ନାହିଁ। କେବଳ କଂଗ୍ରେସ କର୍ମୀମାନେ ଚିନ୍ତିତ ଅଛନ୍ତି। ଏଫ୍ଆଇଆର୍ କୁ ରାଜନୈତିକ ପ୍ରତିଦ୍ୱନ୍ଦ୍ୱିତା ବୋଲି ବର୍ଣ୍ଣନା କରି ହାଇକୋର୍ଟ ତଦନ୍ତ ଉପରେ ସ୍ଥଗିତ ରଖିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ନେତାଜୀ ବସ୍ ଟର୍ମିନାଲ ନିର୍ମାଣ ପ୍ରସଙ୍ଗ: ଓଡିଶା ଉଚ୍ଚ ନ୍ୟାୟଳୟଙ୍କ ପକ୍ଷରୁ ସରକାରକୁ ଝଟକା

ଭୁବନେଶ୍ବର: ଖାନନଗର ନେତାଜୀ ବସ ଟର୍ମିନାଲ ନିର୍ମାଣ ପ୍ରସଙ୍ଗରେ ସରକାରଙ୍କୁ ଝଟକା ଲାଗିଛି। ନେତାଜୀ ବସ ଟର୍ମିନାଲ ନିର୍ମାଣ କାର୍ଯ୍ୟରେ ଉଚ୍ଚ ନ୍ୟାୟଳୟ ଅଙ୍କୁଶ ଲଗାଇଛନ୍ତି। ଏହି ବସ ଟର୍ମିନାଲ ନିର୍ମାଣ ପାଇଁ ରାଜ୍ୟ ସରକାର ୧୧ ଏକର ଜମି ଚିହ୍ନଟ କରିଥିଲେ। ହେଲେ ଏହି ୧୧ ଏକର ଜମିରୁ କିଛି ଅଂଶ ମନ୍ଦିର ଜମି ଅଛି ବୋଲି ଅଭିଯୋଗ ହୋଇଥିଲା। ତେବେ ଏନେଇ ଆଜି ଉଚ୍ଚନ୍ୟାଳୟ ଏହାର ଶୁଣାଣି କରିଛନ୍ତି। ଚିହ୍ନଟ ହୋଇଥିବା ୧୧ ଏକର ଜମି ମଧ୍ୟରୁ ମନ୍ଦିରର ୩ ଏକର ଜମି ଅଛି ବୋଲି ଉଚ୍ଚ ନ୍ୟାୟଳୟ ସ୍ପଷ୍ଟ କରିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ସୁବାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଅତ୍ୟାଧୁନିକ ବସ ଟର୍ମିନାଲ ପାଇଁ ଶୁଭ ଉଦଘାଟନ କରିଥିଲେ। କଟକର ଖାନନଗର ଠାରେ ଏହି ଅତ୍ୟାଧୁନିକ ବସ ଟର୍ମିନାଲ ନେତାଜୀଙ୍କ ନାମରେ ନାମିତ ହୋଇଥିଲା। ଏଥିରେ ୬୫ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଘୋଷଣା ମଧ୍ୟ କରାଯାଇଥିଲା।