Categories
ଆଜିର ଖବର ରାଜ୍ୟ ଖବର

ଶନିବାରରେ ସାଧାରଣ କାର୍ଯ୍ୟ ଦିବସ ଘୋଷଣା ପାଇଁ ଚିଲିକା ଅଞ୍ଚଳବାସୀଙ୍କ ଦାବି

ସୀତାରାମ ଅଗ୍ରୱାଲ

ଚିଲିକା: କରୋନା ସଂକ୍ରମଣ ରୋକିବା ପାଇଁ ସରକାର ବିଭନ୍ନ କଟକଣା ଲାଗୁ କରିଥିଲେ। ରାଜ୍ୟରେ ଏସବୁ କଟକଣା ଆଉ ଦେଖିବାକୁ ମିଳୁନି। ଧୀରେ ଧୀରେ ସବୁ କଟକଣା ଉଠି ସାରିଲାଣି। ହେଲେ ସରକାରୀ ବାବୁଙ୍କ ଉପରେ ଲାଗିଥିବା ଛୁଟି କଟକଣା ଏପର୍ଯ୍ୟନ୍ତ ମଧ୍ୟ ଜାରି ରହିଛି।

ତେବେ ଏପରି ଅଜବ ନିୟମକୁ ଚିଲିକା ନିର୍ବାଚନମଣ୍ଡଳୀର ବୁଦ୍ଧିଜୀବୀମାନେ ସମାଲୋଚନା କରିଛନ୍ତି। ଖୋର୍ଦ୍ଧା ଜିଲ୍ଲାର ଚିଲିକା ନିର୍ବାଚନ ମଣ୍ଡଳୀର ସମସ୍ତ ସରକାରୀ କାର୍ଯ୍ୟାଳୟ ଯଥା ତହସିଲ, ବ୍ଲକ, ଏନ.ଏ.ସି, ସବ ରେଜିଷ୍ଟର ଅଫିସ ଆଦି ପ୍ରତ୍ୟେକ ଶନିବାର ବନ୍ଦ ରହୁଛି। କହିବାକୁ ଗଲେ ସପ୍ତାହରେ ମାତ୍ର ପାଞ୍ଚ ଦିନ ସରକାରୀ କାର୍ଯ୍ୟାଳୟ ଖୋଲା ରହୁଛି।  ସପ୍ତାହରେ ପାଞ୍ଚ ଦିନ ସରକାରୀ କାର୍ଯ୍ୟାଳୟ ଖୋଲା ରହିଲେ କରୋନା ହେବନି ଏବଂ ଶନିବାର ଖୋଲା ରହିଲେ କରୋନା ହେଇଯିବ କି ବୋଲି ପ୍ରଶ୍ନ କରିଛନ୍ତି ବୁଦ୍ଧିଜୀବୀ।

ବର୍ତ୍ତମାନ ଚିଲିକା ନିର୍ବାଚନମଣ୍ଡଳୀ ଏକ ପ୍ରକାର କରୋନା ମୁକ୍ତ ହୋଇଯାଇଛି। ଯଦି ଗତକାଲି ସୁଦ୍ଧା ରିପୋର୍ଟ ଦେଖିବା ତାହାଲେ ମାତ୍ର ଚାରି ଗୋଟି ଆକ୍ଟିଭ କେସ ସମଗ୍ର ନିର୍ବାଚନମଣ୍ଡଳୀରେ ଅଛି।

ତେବେ ରାଜ୍ୟ ସରକାର ଜୀବନ ଜୀବିକାକୁ ଗୁରୁତ୍ୱ ଦେଇ ଅନଲକ ପ୍ରକ୍ରିୟା ଜାରି କରିଛନ୍ତି ଯେଉଁଥିରେ କହିବାକୁ ଗଲେ ବର୍ତ୍ତମାନ ଶିକ୍ଷାନୁଷ୍ଠାନ, ଧର୍ମାନୁଷ୍ଠାନ ଏବଂ ସିନେମା ହଲକୁ ବାଦ ଦେଲେ ଅନ୍ୟ ପ୍ରାୟ ସବୁ ସେକ୍ଟର ଖୋଲିଯାଇଛି। କୋଭିଡ ଲାଗି ସମସ୍ତ ଜନସାଧାରଣ ଦୀର୍ଘ ୭ ମାସ ଧରି ଲକଡ଼ାଉନରେ ଘରେ ରହିଥିଲେ। ତେବେ ଜୀବିକା ଉଦ୍ଦେଶ୍ୟରେ ବର୍ତ୍ତମାନ ଧୀରେ ଧୀରେ ଜନଜୀବନ ସ୍ୱାଭାବିକ ହେଲାବେଳକୁ ଶନିବାର ସରକାରୀ କାର୍ଯ୍ୟାଳୟ ଛୁଟି ଜନତାଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇପଡିଛି। ଯଦି ହାରାହାରି ଭାବେ ହିସାବ କରିବା ତେବେ ବେଳେବେଳେ ସପ୍ତାହରେ ଅନ୍ୟୁନ ଭାବେ ଗୋଟେ କାର୍ଯ୍ୟ ଦିବସ ବିଭିନ୍ନ କାରଣରୁ ଛୁଟି ପଡିଯାଉଛି।  ଏ ପରିପ୍ରେକ୍ଷୀରେ ସେଇ ସପ୍ତାହରେ ମାତ୍ର ଚାରି ଦିନ ଚାଲୁଛି କାର୍ଯ୍ୟାଳୟ।

ହେଲେ ବର୍ତ୍ତମାନ ସାଧାରଣ ଜନତାଙ୍କ କହିବାକୁ ଗଲେ ପ୍ରାୟତଃ ବହୁ ଗୁରୁତ୍ୱପୂର୍ଣ୍ଣ କାମ ବ୍ଲକ, ତହସିଲ, ଏନ.ଏ.ସି ଏବଂ ସବ ରେଜିଷ୍ଟର ଅଫିସରେ ଅଟକି ରହିଛି ଯାହା କୋଭିଡ ସମୟରେ ସବୁ ବନ୍ଦ ଥିଲା। ତେବେ ବର୍ତ୍ତମାନ କରୋନା ଆଳରେ ପ୍ରତି ଶନିବାର ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବା କେତେ ଦୂର ଯୁକ୍ତିଯୁକ୍ତ? ସରକାରୀ ବାବୁ ମାନେ କୋଭିଡ ଆଳରେ ଛୁଟି କାଟୁଛନ୍ତି। କିନ୍ତୁ ସାଧାରଣ ନିରୀହ ଜନତା ହୀନସ୍ତା ହେଉଛନ୍ତି। ସରକାର ଯଥାଶୀଘ୍ର ଶନିବାର ସରକାରୀ କାର୍ଯ୍ୟାଳୟ ବନ୍ଦ ନିର୍ଦ୍ଦେଶନାମାକୁ ପ୍ରତ୍ୟାହାର କରି ପୁନଶ୍ଚ ଶନିବାରକୁ ସାଧାରଣ କାର୍ଯ୍ୟ ଦିବସ ଭାବେ ଘୋଷଣା କରନ୍ତୁ ବୋଲି ସାଧାରଣରେ ଦାବି ହେଉଛି।

Categories
ଆଜିର ଖବର ଆଞ୍ଚଳିକ

ଅଗଷ୍ଟ ୧୫ ପର୍ଯ୍ୟନ୍ତ ଜଗତସିଂହପୁର ଜିଲ୍ଲାର ସରକାରୀ କାର୍ଯ୍ୟାଳୟକୁ ସର୍ବସାଧାରଣଙ୍କ ପ୍ରବେଶ ଉପରେ କଟକଣା

ରମେଶ ମହାନ୍ତି

ଜଗତସିଂହପୁର: କରୋନା ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାରେ ଥିବା ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ସର୍ବସାଧାରଣଙ୍କ ଅବାଧ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି। ଏହି କଟକଣା ଆସନ୍ତା ୧୫.୦୮.୨୦୨୦ ରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହି ସମୟ ମଧ୍ୟରେ ଜନସାଧାରଣ ସେମାନଙ୍କର ଆପତ୍ତି ଅଭିଯୋଗ ପ୍ରଶାସନର ଇ-ଅଭିଯୋଗ ପୋର୍ଟାଲ https://janasahajogajspur.org କିମ୍ବା ସୋସିଆଲ୍ ମିଡିଆ ନଚେତ୍ ହ୍ୱାଟସଆପ୍ ମାଧ୍ୟମରେ ଦାଖଲ କରିପାରିବେ।

ଏତଦବ୍ୟତୀତ ଜନସାଧାରଣ ତଥା ଅଧିକାରୀ ଓ କର୍ମଚାରୀଙ୍କ ନିରାପଦ ଦୃଷ୍ଟିରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସୁଥିବା ଜନସାଧାରଣ ସେମାନଙ୍କର ଆପତ୍ତି ଅଭିଯୋଗ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ପ୍ରବେଶ ପଥ ନିକଟରେ ଥିବା ଅଭିଯୋଗ ବାକ୍ସରେ ପକାଇ ପାରିବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।