Categories
ଆଞ୍ଚଳିକ

ଚିଲିକା: ସରକାରୀ ଜାଗାରୁ ବେଆଇନି ଭାବେ ଗଢି ଉଠିଥିବା ଦୋକାନ ଘରଗୁଡିକୁ ଉଚ୍ଛେଦ କଲା ପ୍ରଶାସନ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ତହସିଲ ଅନ୍ତର୍ଗତ ମାନସିଂହପୁର ଗ୍ରାମ ଘୋଡାଦୌଡ଼ ଜେଟିଠାରେ ଦୀର୍ଘବର୍ଷ ଧରି ସରକାରୀ ଜାଗାରେ ବେପାରୀମାନେ ବେପାର ବଣିଜ ଚଳାଇ ଆସୁଥିଲେ। ଯାହାକୁ ନେଇ ଦ୍ଵନ୍ଦ ଲାଗିରହିଥିବା ବେଳେ ଗ୍ରାମବାସୀଙ୍କ ପକ୍ଷରୁ ଜବର ଦଖଲ ଉଚ୍ଛେଦ ନେଇ ଉଚ୍ଚ ନ୍ୟାୟାଳୟରେ ଅଭିଯୋଗ ହୋଇଥିଲା। ଏଥିସହିତ ବେଆଇନି ଦୋକାନ ଘର ଉଚ୍ଛେଦ କରିବା ନେଇ ଗତ ମାର୍ଚ୍ଚ ୨୫ ତାରିଖରେ ଚିଲିକା ତହସିଲଦାର ଦିଲିପି କୁମାର ଷଡ଼ଙ୍ଗୀ ଏକ ନୋଟିସ ମଧ୍ୟ ଜାରି କରିଥିଲେ।

ସରକାରୀ ଜାଗାକୁ ଦଖଲ କରି ବସିଥିବା କିଛି ବ୍ୟକ୍ତି ନିଜେ ନିଜ ପକ୍ଷରୁ କୌଣସି ପଦକ୍ଷେପ ନେଇ ନଥିବା ବେଳେ ସରକାରୀ ନୋଟିସକୁ ବେଖାତିର କରି ଆସୁଥିଲେ। ଯାହାଫଳରେ ସୋମବାର ପୂର୍ବାହ୍ନରେ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କ ତତ୍ୱବାଧାନରେ ଚିଲିକା ତହସିଲଦାର ଶ୍ରୀ ଷଡ଼ଙ୍ଗୀ ମାନସିଂହପୁର ଗ୍ରାମ ଘୋଡାଦୌଡ଼ ଚିଲିକା କୁଳ ଜେଟି ଠାରେ ବେଆଇନି ଭାବେ ଗଢି ଉଠିଥିବା ଦୋକାନ ଘର ଗୁଡିକୁ ଉଚ୍ଛେଦ କରିଛନ୍ତି।

ଉକ୍ତ ଉଚ୍ଛେଦ କାର୍ଯ୍ୟକ୍ରମରେ ମାନସିଂହପୁର ଗ୍ରାମର ସରପଞ୍ଚଙ୍କ ପ୍ରତିନିଧି ରତ୍ନାକର ବେହେରା, ଟାଙ୍ଗି ଥାନା ଓ କୁହୁଡ଼ି ଫାଣ୍ଡି ପୋଲିସ କର୍ମଚାରୀଙ୍କ ସମେତ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ସରକାରୀ ଜାଗା ବେଦଖଲ କରିବାରୁ ପ୍ରଶାସନର ନୋଟିସ୍‌: ଧାରଣାରେ ୪ ପରିବାର

କନ୍ଦର୍ପ ବେହେରା
ରେଢାଖୋଲ: ସରକାରୀ ଜାଗାକୁ ବେଦଖଲ କରିବାରୁ ରେଢାଖୋଲ ତହସିଲ୍‌ଦାର ନୋଟିସ୍ ଦେବା ପରେ ୪ ପରିବାର ଆଜି ରେଢାଖୋଲ ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି।

ପ୍ରକାଶ ଯେ, ରେଢାଖୋଲ ତହସିଲ ଅନ୍ତର୍ଗତ ବଡବାହାଳ ପଂଚାୟତର ଲଇଣ୍ଡାମାଳ ଗ୍ରାମର ୪ ପରିବାରର ୧୯୭୨ ମସିହାରୁ ଖାତା ନଂ ୯୫ ,ପ୍ଲଟ୍ ନଂ ୧୫୬୩ ରେ ଖଳା ଓ ଗାଈ ଗୁହାଳ କରିଆସୁଥିଲେ। ହେଲେ ସେ ଗ୍ରାମର କିଛି ଖଳ ପ୍ରକୃତିର ଲୋକ ସେମାନଙ୍କୁ ବିରୋଧ କରି ମାନସିକ ନିର୍ଯ୍ୟାତନା, ହଇରାଣ କରୁଥିବା ଅଭିଯୋଗ ହୋଇଛି। ସେହି ଜାଗାରେ ସଂଲଗ୍ନ ଥିବା ଗୋଚର ଜମି ଖାତା ନଂ ୯୫, ପ୍ଲଟ୍ ନଂ ୧୫୬୪, ୧୫୬୮, ୧୫୬୯, ୧୫୭୦, ୧୫୭୪ ଓ ୧୫୭୫ କିସମ ରହଛି।

ସେହି ଜାଗାରେ ଗ୍ରାମର ପ୍ରାୟ ୨୦ ଜଣ ପରିବାର ଦୋକାନ ଓ ଘରବାରୀ କରି ରହିଆସୁଛନ୍ତି। ସେହି ୨୦ ପରିବାରକୁ ପ୍ରଶାସନ ବେଦଖଲ କରିବାକୁ ଗତ ତା ୧୭/୮୨୦୧୯ ରେ ନକ୍ସା ସଂଲଗ୍ନ ସହ ସେମାନଙ୍କୁ ଜାଗା ଛାଡିବା ପାଇଁ ନୋଟିସ୍ ଦେଇଥିଲା। ଏହା ସତ୍ତ୍ୱେ ସେହି ୨୦ ପରିବାର ଜାଗା ଛାଡି ନ ଥିଲେ। କେବଳ ଲଇଣ୍ଡାମାଳ ଗ୍ରାମର ୪ ପରିବାର ରଶ୍ମିତା ପ୍ରଧାନ, ନିରୁତି ପ୍ରଧାନ, କ୍ଷୀର ପ୍ରଧାନ ଓ ତୁଳସା ପ୍ରଧାନଙ୍କ ପରିବାର ବେଦଖଲ କରିବାକୁ ପ୍ରଶାସନ ଆଦେଶ ଦେଇଥିବା ୪ ପରିବାର ଅଭିଯୋଗ କରିଛନ୍ତି।

ସେମାନଙ୍କୁ ନ୍ୟାୟ ଦେବାରେ ପ୍ରଶାସନ ଅସମର୍ଥ ଥିବାରୁ ଏହି ୪ ପରିବାର ନ୍ୟାର୍ଯ୍ୟ ନ୍ୟାୟ ପାଇଁ ଆଜି ରେଢାଖୋଲ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ଏପରିକି କୌଣସି ପ୍ରକାର ଅପ୍ରିତିକର ପରିସ୍ଥିତ ସୃଷ୍ଟି ହେଲେ ପ୍ରଶାସନ ଦାୟୀ ରହିବେ ବୋଲି ଏହି ୪ ପରିବାର ପ୍ରଶାସନକୁ ଚେତାବନୀ ଦେଇଛନ୍ତି। ରେଢାଖୋଲ ଉପଜିଲ୍ଲାପାଳ ପଦ୍ମନାଭ ବେହେରା ସେମାନଙ୍କୁ ପ୍ରତିଶୃତି ଦେବା ପରେ ସେମାନେ ଧାରଣାରୁ ଉଠିଥିଲେ।