Categories
ଆଜିର ଖବର ଆଞ୍ଚଳିକ

ଚିଲିକାରେ ସରକାରୀ ପୋଖରୀ ଖୋଳି ପଥର ନେବା ପଡିଲା ମହଙ୍ଗା: ମୋଟା ଅଙ୍କର ଜରିମାନା ଆଦାୟ

ସୀତାରାମ ଅଗ୍ରୱାଲ

ଚିଲିକା: ସରକାରୀ ପୋଖରୀ ଖୋଳି ପଥର ନେବା ମହଙ୍ଗା ପଡିଛି। ଏହି ଘଟଣାରେ ମୋଟା ଅଙ୍କର ଜରିମାନା ଆଦାୟ ହେବା ସହ ଗାଡି ଜବତ ହୋଇଛି। ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଚିଲିକା ତହସିଲ ଅଞ୍ଚଳରେ ଏପରି ଘଟଣା ଘଟିଛି।

ଦୀର୍ଘ ଦିନ ହେବ ଚିଲିକା ତହସିଲ ଅଞ୍ଚଳରେ ପଥର ମାଫିଆ ମାନେ ସରକାରୀ ଜାଗାରୁ ପଥର ଚୋରି କରିନେଉଥିବାର ବାରମ୍ବାର ଅଭିଯୋଗ ହେଉଥିଲା। ସ୍ଥାନୀୟ ତହସିଲଦାର ପୁନମ ମହାପାତ୍ର ବାରମ୍ବାର ଚଢ଼ାଉ ଜାରି ରଖିଥିଲେ ମଧ୍ୟ ମାଫିଆ ଧରା ପଡୁନଥିଲେ। ହେଲେ ଆଜି ସକାଳ ୬ ଘଟିକାରେ ତହସିଲଦାରଙ୍କ ନିର୍ଦ୍ଦେଶକ୍ରମେ ବଉଳାବନ୍ଧ ଗ୍ରାମର ମାଣ୍ଡିଆମେରୁ ସାହିର ପୋଖରୀରୁ ମାଫିଆମାନେ ପଥର ଖୋଳି ଟ୍ରାକ୍ଟରରେ ନେଉଥିବା ବେଳେ ନାଚୁଣୀ ଫାଣ୍ଡି ଅଧିକାରୀ ଏବଂ ତହସିଲ କର୍ମଚାରୀଙ୍କ ହାତରେ ଧରା ପଡିଛନ୍ତି।

ତେବେ ମାଫିଆଙ୍କ ଉପରେ ତହସିଲଦାର କଠୋର କାର୍ଯ୍ୟାନୁଷ୍ଠାନ ମୁତାବକ ୪୫ ହଜାର ଟଙ୍କା ଜରିମାନା ଆଦାୟ ହେବା ସହ ଟ୍ରାକ୍ଟର ଜବତ ହୋଇଛି। ଅନ୍ୟପକ୍ଷେ ପଥରଗୁଡିକୁ ଗ୍ରାମ କାମରେ ନିୟୋଜିତ କରାଯିବ ବୋଲି ତହସିଲଦାର ସୂଚନା ଦେଇଛନ୍ତି।