Categories
ଆଜିର ଖବର ବିଶେଷ ଖବର ରାଜ୍ୟ ଖବର

ସମିତି ସଭ୍ୟଙ୍କୁ କେହି ପଚାରୁ ନାହାଁନ୍ତି, କ୍ଷମତା ହାସଲ ପାଇଁ ଭୁବନେଶ୍ବରରେ କରିବେ ଲଢେଇ

ଭୁବନେଶ୍ବର: ରାଜ୍ୟର ପଞ୍ଚାୟତ ବ୍ୟବସ୍ଥାରେ ଗୋଟିଏ ପଞ୍ଚାୟତରେ ସରପଞ୍ଚ ଯେପରି ନିର୍ବାଚନ ଜିତିଥାଏ, ଜଣେ ସମିତ ସଭ୍ୟ ମଧ୍ୟ ସେମିତି ଜିତେ। ହେଲେ ଦୁଃଖର କଥା ପଞ୍ଚାୟତରେ ଏବଂ ବ୍ଲକରେ ସରପଞ୍ଚଙ୍କୁ ସମସ୍ତେ ପଚାରୁଥିବା ବେଳେ କେହି ସମିତି ସଭ୍ୟଙ୍କୁ ପଚାରୁ ନାହାଁନ୍ତି। ଏହିପରି ଅଭିଯୋଗ କରିଛନ୍ତି ରାଜ୍ୟର ସମିତି ସଭ୍ୟ ସଂଘ। ସେମାନଙ୍କର ଭୂମିକା କଣ ତାହା ସରକାର ସ୍ପଷ୍ଟ କରନ୍ତୁ ବୋଲି ଦାବୀ କରିଛନ୍ତି।

ଏ ନେଇ ରାଜ୍ୟ ସରକାରଙ୍କୁ ସମିତି ସଭ୍ୟମାନଙ୍କ ତରଫରୁ ଦାବୀ ପତ୍ର ଦିଆଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନେଉ ନାହାଁନ୍ତି। ସେଥିପାଇଁ ଆସନ୍ତା 28 ତାରିଖରେ ରାଜ୍ୟର ସମସ୍ତ ପଞ୍ଚାୟତ ସମିତି ସଭ୍ୟ ଓ ସଭ୍ୟା ଭୁବନେଶ୍ବରରେ ମହାସମାବେଶ କରିବେ ବୋଲି ନିଷ୍ପତି କରିଛନ୍ତି। ଯଦି ସରକାର ଏହାର ଶିଘ୍ର ସମାଧାନ ନ କରନ୍ତି ତେବେ ରାଜ୍ୟର ସମସ୍ତ ପଞ୍ଚାୟତ ସମିତି ସଭ୍ୟ ଇସ୍ତଫା ଦେବେ ବୋଲି ସେମାନେ ମଧ୍ୟ ଧମକ ଦେଇଛନ୍ତି।

ପ୍ରକୃତରେ ଦେଖିବାକୁ ଗଲେ ପଞ୍ଚାୟତର ତ୍ରିସ୍ତରୀୟ ବ୍ୟବସ୍ଥାରେ ସରପଞ୍ଚଙ୍କ ପରି ସମିତି ସଭ୍ୟ ମଧ୍ୟ ନିର୍ବାଚନ ଲଢି ଆସିଥାଏ। ହେଲେ ସେମାନଙ୍କୁ ବ୍ଲକ ଅଧ୍ୟକ୍ଷ ନିର୍ବାଚନ ପର୍ଯ୍ୟନ୍ତ ଗୁରୁତ୍ବ ଦିଆଯାଏ। ସେହି ନିର୍ବାଚନ ସରିଗଲେ ସେମାନଙ୍କୁ କେହି ପଚାରନ୍ତି ନାହିଁ। ଏପରିକି ସେହି ବ୍ଲକ ଅଧ୍ୟକ୍ଷ ମଧ୍ୟ ପରବର୍ତ୍ତି ସମୟରେ ସମିତି ସଭ୍ୟଙ୍କୁ ପଚାରନ୍ତି ନାହିଁ।

ସେମାନଙ୍କର ଅଭିଯୋଗ ଯେ, ବ୍ଲକର ସବୁକାମ ଅଧ୍ୟକ୍ଷ, ସରପଞ୍ଚ ଏବଂ ବିଡିଓ ମିଳିମିଶି କରିଦିଅନ୍ତି। ସରକାରୀ ସ୍ତରରେ ସେମିତି କିଛି ବ୍ୟବସ୍ଥା ନ ରହିବାରୁ ସେମାନେ କେହି ସମିତି ସଭ୍ୟଙ୍କୁ ପଚାରନ୍ତି ନାହିଁ। ଏପରିକି କୌଣସି ବୈଠକକୁ ମଧ୍ୟ ଡାକନ୍ତି ନାହିଁ। ବର୍ତ୍ତମାନ ପଞ୍ଚାୟତରେ ସମିତି ସଭ୍ୟ ଅଲୋଡା ହୋଇଯାଇଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି।

ବର୍ତ୍ତମାନର ନିୟମ ଅନୁସାରେ ପଞ୍ଚାୟତ ସମିତି ସଦସ୍ୟଙ୍କୁ ବର୍ଷକୁ 4 ଲକ୍ଷ ଟଙ୍କା ଅନୁଦାନ ଆସିଥାଏ। ତେବେ ସେହି ଅନୁଦାନ ବିଡିଓ, ସରପଞ୍ଚ ଓ ବ୍ଲକ ଅଧ୍ୟକ୍ଷ ମିଳିମିଶି ବାଣ୍ଟି ଦିଅନ୍ତି। କେବଳ ଶେଷରେ ସମିତି ସଭ୍ୟଙ୍କୁ ଦସ୍ତଖତ କରିବାକୁ କୁହାଯାଇଥାଏ। ଏପରିକି ଅନୁଦାନ ସଂପର୍କରେ ସମିତି ସଦସ୍ୟ କେହି ଜଣାନ୍ତି ନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି।

ପଞ୍ଚାୟତ ବ୍ୟବସ୍ଥାରେ ସମିତି ସଭ୍ୟଙ୍କ କ୍ଷମତା କଣ ତାହା ସରକାର ସ୍ପଷ୍ଟ କରନ୍ତୁ ବୋଲି ସେମାନେ ଦାବୀ କରିଛନ୍ତି। ଏଥିସହିତ ବାର୍ଷିକ ଖର୍ଚ୍ଚ ପରିମାଣ 4 ଲକ୍ଷରୁ 20 ଲକ୍ଷକୁ ବୃଦ୍ଧି କରିବା, ସମିତି ସଭ୍ୟ ବସିବା ପାଇଁ ପଞ୍ଚାୟତ ଏବଂ ବ୍ଲକରେ ବ୍ୟବସ୍ଥା କରିବା, ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ସମିତି ସଭ୍ୟଙ୍କ ସ୍ବାକ୍ଷର ବାଧ୍ୟତା ମୂଳକ କରିବା, ଅନାସ୍ଥା ପ୍ରସ୍ତାବ ବେଳେ କେବଳ ସମିତି ସଭ୍ୟ ଭୋଟ ଦେବାପରି ବ୍ୟବସ୍ଥା କରିବାକୁ ସେମାନେ ଦାବୀ କରିଛନ୍ତି।

ରାଜ୍ୟ ସରକାର ସମିତି ସଭ୍ୟଙ୍କୁ କ୍ଷମତା ନ ଦେଲେ ଆଗାମୀ ଦିନରେ ସେମାନେ ସମୁହ ଇସ୍ତଫା ପ୍ରଦାନ କରିବେ ବୋଲି ଧମକ ଦେଇଛନ୍ତି।

Categories
PanchayatElection ଆଜିର ଖବର ରାଜ୍ୟ ଖବର

Panchayat Election: ମୋଟ ୨୩ ଜଣ ପ୍ରାର୍ଥିଙ୍କ ମୃତ୍ୟୁ, ପୁଣି ଥରେ ଏହି ପଦବୀ ପାଇଁ ହେବ ଭୋଟ

ଭୁବନେଶ୍ବର: ଆଜି ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଚାଲିଛି। କାଁ ଭାଁ ଗଣ୍ଡଗୋଳକୁ ଛାଡି ଦେଲେ ବିଭିନ୍ନ ସ୍ଥାନରେ ଚାଲିଛି ମତଦାନ। ତେବେ ଏହି ପର୍ଯ୍ୟାୟର ୨୩ଟି ପଦବୀ ପାଇଁ ପୁଣି ଥରେ ଭୋଟ ଗ୍ରହଣ ହେବ। କାରଣ ଏଥିରେ ପ୍ରତିଦ୍ବନ୍ଦିତା କରୁଥିବା ୨୩ ଜଣ ପ୍ରାର୍ଥୀଙ୍କର ବିଭିନ୍ନ କାରଣରୁ ମୃତ୍ୟୁ ଘଟିଛି।

ରାଜ୍ୟ ନିର୍ବାଚନ କମିସନରଙ୍କ ସୂଚନା ଅନୁସାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ 13 ଜଣ ୱାର୍ଡ ମେମ୍ବର, ୬ ଜଣ ସରପଞ୍ଚ, ୩ ଜଣ ସମିତି ସଭ୍ୟ ଏବଂ କେନ୍ଦ୍ରାପଡାର ଜଣେ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ମୃତ୍ୟୁ ଘଟିଛି। ଏମାନେ ସମସ୍ତେ କମିଶନରଙ୍କ ଘୋଷିତ ପ୍ରାର୍ଥୀ ହୋଇଥିବାରୁ ଏହି ପଦବୀ ପାଇଁ ପୁଣି ଥରେ ନିର୍ବାଚନ ହେବ।

Categories
PanchayatElection ବିଶେଷ ଖବର ରାଜ୍ୟ ଖବର

ଆସନ୍ତାକାଲି ନିର୍ବାଚନ, ୨୦୦ଟି ଜିଲ୍ଲା ପରିଷଦ, ୧୬୬୯ ଟି ପଞ୍ଚାୟତରେ ହେବ ଭୋଟ, ୨୨୫ ପ୍ଲାଟୁନ ଫୋର୍ସ ମୁତୟନ

ଭୁବନେଶ୍ବର: ବୁଧବାର ଦିନ ହେବ ଓଡିଶା ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ। ସେଥିପାଇଁ ସୋମବାର ଦିନ ଏହାର ପ୍ରଚାର ଶେଷ ହୋଇଛି। ଏହି ଭୋଟ ଗ୍ରହଣ ସକାଳ ୭ଟାରୁ ଆରମ୍ଭ ହୋଇ ଅପରାହ୍ନ ୧ ଟା ପର୍ଯ୍ୟନ୍ତ ଚାଲିବ। ସେଥିପାଇଁ ମଙ୍ଗଳବାରଠାରୁ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ପୁଲିଂ ଅଫିସରମାନେ ପହଁଚି ସାରିଛନ୍ତି।

ପ୍ରଥମ ପର୍ଯ୍ୟାୟରେ ୩୦ଟି ଜିଲ୍ଲାର ୭୧ଟି ବ୍ଲକରେ ଭୋଟ ଗ୍ରହଣ କରାଯିବ। ଏଥିରେ ୧୬୬୯ ଟି ଗ୍ରାମ ପଞ୍ଚାୟତର ସରପଞ୍ଚ, ୱାର୍ଡ ମେମ୍ବର ଏବଂ ସମିତି ସଭ୍ୟ ପଦବୀ ପାଇଁ ନିର୍ବାଚନ ହେବ। ସେହିପରି ପ୍ରଥମ ପର୍ଯ୍ୟାୟରେ ୨୦୦ଟି ଜୋନରେ ଜିଲ୍ଲା ପରିଷଦ ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ। ଏଥିରେ ବିଭିନ୍ନ ଦଳରୁ ମୋଟ ୭୨୬ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି।

ପ୍ରଥମ ପର୍ଯ୍ୟାୟରେ ୬୭ ଲକ୍ଷ ୫୧ ହଜାର ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ଏଥିପାଇଁ ମୋଟ ୨୨,୩୭୯ ଟି ପୁଲିଂ ବୁଥ କରାଯାଇଛି। ସେଥି ମଧ୍ୟରୁ ୩୩୫୭ଟି ବୁଥ ଉତ୍ତେଜନା ପ୍ରବଣ ରହିଛି। ଶାନ୍ତି ଶୃଙ୍ଖଳା ପାଇଁ ୨୨୫ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି। ଏଥିରେ ମୋଟ ୩୭୨୪୫ ପୋଲିସ ଅଧିକାରୀ ସାମିଲ ହୋଇଛନ୍ତି।

ଏଥର ପଞ୍ଚାୟତ ନିର୍ବାଚନ ପାଞ୍ଚୋଟି ପର୍ଯ୍ୟାୟରେ କରାଯାଉଛି। ପ୍ରଥମ ପର୍ଯ୍ୟାୟ  ୧୬ ତାରିଖରେ ହେଉଛି। ଏହାପରେ ୧୮ ତାରିଖ, ୨୦ ତାରିଖ, ୨୨ ତାରିଖ ଏବଂ ୨୪ ତାରିଖରେ ଭୋଟ ଗ୍ରହଣ ହେବ। ଏହି ଗଣତନ୍ତ୍ର ପର୍ବରେ ରାଜ୍ୟରୁ ମୋଟ ୨ କୋଟି ୭୯ ଲକ୍ଷ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ।

Categories
ବିଶେଷ ଖବର ରାଜ୍ୟ ଖବର

ପ୍ରକାଶ ପାଇଲା ଜିଲ୍ଲା ପରିଷଦ, ସରପଞ୍ଚ, ସମିତ ସଭ୍ୟ ସହ ୱାର୍ଡ ମେମ୍ବରଙ୍କ ସଂରକ୍ଷଣ ତାଲିକା

ଭୁବନେଶ୍ୱର: ନିକଟରେ ହେବାକୁ ଥିବା ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ୨୦୨୨ ଲାଗି ବିଭିନ୍ନ ଜିଲ୍ଲାରୁ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳମାନେ ଜିଲ୍ଲାରେ ଥିବା ସରପଞ୍ଚ, ସମିତି ସଭ୍ୟ ଏବଂ ୱାର୍ଡ ମେମ୍ବରଙ୍କ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ରାଜ୍ୟ ନିର୍ବାଚନ କମିଶନରକୁ ପ୍ରଦାନ କରିଛନ୍ତି । ସେହିପରି ଜିଲ୍ଲାୱାରୀ ଜିଲ୍ଲା ପରିଷଦ ସଭ୍ୟ ସଂରକ୍ଷଣ ତାଲିକା ପଞ୍ଚାୟତିରାଜ ବିଭାଗ ପକ୍ଷରୁ ରାଜ୍ୟ ନିର୍ବାଚନ କମିଶନରଙ୍କୁ ପ୍ରଦାନ କରାଯାଇଛି ।

ରାଜ୍ୟର ମୋଟ ୮୫୩ ଜିଲ୍ଲା ପରିଷଦ ସଭ୍ୟ ପଦ ମଧ୍ୟରୁ ଅନୁସୂଚିତ ଜାତି ବର୍ଗଙ୍କ ଲାଗି ୬୪ଟି ସ୍ଥାନ ସଂରକ୍ଷିତ ରହିଥିବା ବେଳେ ଅନୁସୂଚିତ ଜାତି ମହିଳାଙ୍କ ଲାଗି ୮୪ଟି ସ୍ଥାନ ସଂରକ୍ଷିତ ରହିଛି । ସେହିଭଳି ଅନୁସୂଚିତ ଜନଜାତି ବର୍ଗଙ୍କ ଲାଗି ୧୦୦ଟି ସ୍ଥାନ ସଂରକ୍ଷିତ ରହିଥିବା ବେଳେ ଅନୁସୂଚିତ ଜନଜାତି ମହିଳାଙ୍କ ଲାଗି ୧୧୮ଟି ସ୍ଥାନ ସଂରକ୍ଷିତ ରହିଛି । ପଛୁଆ ବର୍ଗଙ୍କ ଲାଗି ୪୯ଟି ସ୍ଥାନ ସଂରକ୍ଷିତ ରହିଥିବା ବେଳେ ପଛୁଆବର୍ଗ ମହିଳାଙ୍କ ଲାଗି ୫୫ଟି ସ୍ଥାନ ସଂରକ୍ଷିତ ରହିଛି । ଅଣ ସଂରକ୍ଷିତ ବର୍ଗରେ ୨୦୭ଟି ସ୍ଥାନ ଏବଂ ମହିଳାଙ୍କ ଲାଗି ୧୭୬ଟି ସ୍ଥାନ ସଂରକ୍ଷିତ ରହିଛି ।

ରାଜ୍ୟର ମୋଟ ୬୭୯୪ ଗୋଟି ସରପଞ୍ଚ ପଦ ମଧ୍ୟରୁ ୪୨୬ ଗୋଟି ଅନୁସୂଚିତ ଜାତି ଓ ୫୨୫ ଗୋଟି ଅନୁସୂଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ସେହିପରି ଅନୁସୂଚିତ ଜନଜାତିଙ୍କ ଲାଗି ୧୨୩୭ଟି ସ୍ଥାନ ସଂରକ୍ଷିତ ଥିବା ବେଳେ ଅନୁସୂଚିତ ଜନଜାତି ମହିଳାଙ୍କ ଲାଗି ୧୩୭୬ଟି ସଂଖ୍ୟକ ସରପଞ୍ଚ ସ୍ଥାନ ସଂରକ୍ଷିତ ରହିଛି । ପଛୁଆବର୍ଗଙ୍କ ଲାଗି ୩୪୯ ଏବଂ ପଛୁଆବର୍ଗ ମହିଳାଙ୍କ ଲାଗି ୪୨୯ଟି ସରପଞ୍ଚ ସ୍ଥାନ ସଂରକ୍ଷିତ ରହିଛି ।

ଅଣ ସଂରକ୍ଷିତ ବର୍ଗରେ ୧୨୮୨ ଏବଂ ମହିଳାଙ୍କ ପାଇଁ ୧୧୭୦ଟି ସ୍ଥାନ ସଂରକ୍ଷିତ ରହିଛି। ୬୭୯୩ ଗୋଟି ସମିତି ସଭ୍ୟ ମଧ୍ୟରୁ ଅନୁସୂଚିତ ଜାତି ବର୍ଗରେ ୫୧୫ଟି ସ୍ଥାନ ସଂରକ୍ଷିତ ଥିବା ବେଳେ ଅନୁସୂଚିତ ଜାତି ମହିଳା ବର୍ଗରେ ୬୮୨ଟି ସ୍ଥାନ ସଂରକ୍ଷିତ ରହିଛି । ଅନୁସୂଚିତ ଜନଜାତି ବର୍ଗରେ ୮୨୪ଟି ସ୍ଥାନ ସଂରକ୍ଷିତ ଥିବା ବେଳେ ଅନୁସୂଚିତ ଜନଜାତି ମହିଳା ବର୍ଗରେ ୧୦୩୩ଟି ସ୍ଥାନ ସଂରକ୍ଷିତ ରହିଛି । ପଛୁଆ ବର୍ଗଙ୍କ ଲାଗି ୩୯୫ଟି ସ୍ଥାନ ସଂରକ୍ଷିତ ରହିଥିବା ବେଳେ ପଛୁଆ ବର୍ଗ ମହିଳାଙ୍କ ଲାଗି ୫୧୮ଟି ସ୍ଥାନ ସଂରକ୍ଷିତ ରହିଛି । ଅଣ ସଂରକ୍ଷିତ ବର୍ଗରେ ୧୫୨୧ଟି ସ୍ଥାନ ରହିଥିବା ବେଳେ ମହିଳାଙ୍କ ଲାଗି ୧୩୦୫ଟି ସ୍ଥାନ ସଂରକ୍ଷିତ ରହିଛି ।

୯୧୯୧୬ଟି ୱାର୍ଡମେମ୍ବର ମଧ୍ୟରୁ ଅନୁସୂଚିତ ଜାତିଙ୍କ ଲାଗି ୬୩୩୬ଟି ସ୍ଥାନ ସଂରକ୍ଷିତ ରହିଥିବା ବେଳେ ଅନୁସୂଚିତ ଜାତି ମହିଳାଙ୍କ ଲାଗି ୧୦୧୩୪ଟି ସ୍ଥାନ ସଂରକ୍ଷିତ ରହିଛି । ଅନୁସୂଚିତ ଜନଜାତିଙ୍କ ଲାଗି ୧୦୫୫୯ଟି ସ୍ଥାନ ସଂରକ୍ଷିତ ରହିଥିବା ବେଳେ ଅନୁସୂଚିତ ଜନଜାତି ମହିଳାଙ୍କ ଲାଗି ୧୪୨୩୬ ସ୍ଥାନ ସଂରକ୍ଷିତ ରହିଛି । ପଛୁଆ ବର୍ଗଙ୍କ ଲାଗି ୪୮୦୪ଟି ସ୍ଥାନ ସଂରକ୍ଷିତ ରହିଥିବା ବେଳେ ପଛୁଆ ବର୍ଗ ମହିଳାଙ୍କ ଲାଗି ୭୨୨୭ଟି ସ୍ଥାନ ସଂରକ୍ଷିତ ରହିଛି । ଅଣ ସଂରକ୍ଷିତ ବର୍ଗରେ ୨୦୭୪୮ଟି ଏବଂ ମହିଳାଙ୍କ ଲାଗି ୧୭୮୭୨ ସ୍ଥାନ ସଂରକ୍ଷିତ ରହିଛି ।

Categories
PanchayatElection ବିଶେଷ ଖବର ରାଜ୍ୟ ଖବର

ଘୋଷଣା ହେଲା ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ଗାଡି ବ୍ୟବହାର ଆଉ ଖର୍ଚ୍ଚର ପରିମାଣ, ଜାଣନ୍ତୁ କେତେ

ଭୁବନେଶ୍ବର: ଆସନ୍ତା ପଞ୍ଚାୟତ ନିର୍ବାଚନ ପାଇଁ  ପ୍ରାର୍ଥୀ ବା ପ୍ରାର୍ଥିନୀମାନେ କେତେ ଖର୍ଚ୍ଚ କରିବେ, କେତେ ଗାଡି ବ୍ୟବହାର କରିପାରିବେ ସେ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ବିଜ୍ଞପ୍ତି ଓଡିଶା ରାଜ୍ୟ ନିର୍ବାଚନ କମିଶନର ପ୍ରକାଶ କରିଛନ୍ତି। ବିଜ୍ଞପ୍ତି ଅନୁସାରେ ଏଥର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଭୋଟିଂ ସମୟ ମଧ୍ୟ ଧାର୍ଯ୍ୟ କରାଯାଇଛି।

ଏହି ନିର୍ବାଚନରେ ପୁଲିଂ ବୁଥ ବା ଭୋଟ ଗ୍ରହଣ କେନ୍ଦ୍ରରେ ସକାଳ ସାତଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ। ହେଲେ ଯେଉଁ ବୁଥରେ ଅଧିକ ଲୋକ ରହିବେ ସେଠାରେ ଶେଷ ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ। ଏ ନେଇ ପୁଲିଂ ଅଧିକାରୀଙ୍କୁ କମିଶନର ଅବଗତ କରାଇବା ସହିତ ସର୍ବସାଧାରଣ ଅବଗତି ପାଇଁ ପ୍ରକାଶ କରିଛନ୍ତି।

ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କର ଖର୍ଚ୍ଚର ସୀମା ଯାହା ନିର୍ଦ୍ଧାରଣ ହୋଇଛି ତାହା ହେଲା

1- ଜିଲ୍ଲା ପରିଷଦ ସଭ୍ୟ ପାଇଁ ପ୍ରତିଦ୍ବନ୍ଦିତା କରୁଥିବା ପ୍ରାର୍ଥୀ ବା ପ୍ରାର୍ଥିନୀମାନେ ସେମାନଙ୍କର ନିର୍ବାଚନ ଖର୍ଚ୍ଚ 5 ଲକ୍ଷ ଟଙ୍କା ମଧ୍ୟରେ ସୀମିତ ରଖାଯାଇଛି।

2-ପଞ୍ଚାୟତ ସମିତି ସଭ୍ୟ ପାଇଁ ପ୍ରତିଦ୍ବନ୍ଦିତା କରିବାକୁ ଥିବା ପ୍ରାର୍ଥୀ ବା ପ୍ରାର୍ଥିନୀମାନେ ସେମାନଙ୍କର ନିର୍ବାଚନ ଖର୍ଚ୍ଚ 2 ଲକ୍ଷ ଟଙ୍କା ଭିତରେ ସୀମିତ ରଖିବେ।

3-ସରପଞ୍ଚ ପାଇଁ ପ୍ରତିଦ୍ବନ୍ଦିତା କରିବାକୁ ଥିବା ପ୍ରାର୍ଥୀ ବା ପ୍ରାର୍ଥିନୀମାନେ 2 ଲକ୍ଷ ଟଙ୍କା ଭିତରେ ସେମାନଙ୍କର ନିର୍ବାଚନ ଖର୍ଚ୍ଚ ସୀମିତ ରଖିବେ।

ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ବା ପ୍ରାର୍ଥିନୀମାନେ ଗାଡି ବ୍ୟବହାର ପାଇଁ ନିର୍ଦ୍ଧାରିତ ହୋଇଥିବା ସଂଖ୍ୟା

1- ଜିଲ୍ଲା ପରିଷଦ ସଭ୍ୟ ପାଇଁ ପ୍ରତିଦ୍ବନ୍ଦିତା କରୁଥିବା ପ୍ରାର୍ଥୀ ବା ପ୍ରାର୍ଥିନୀମାନେ 5ଟି କାର ଏବଂ 10ଟି ମୋଟର ସାଇକେଲ ବ୍ୟବହାର କରିପାରିବେ।

2-ପଞ୍ଚାୟତ ସମିତି ସଭ୍ୟ ପାଇଁ ପ୍ରତିଦ୍ବନ୍ଦିତା କରିବାକୁ ଥିବା ପ୍ରାର୍ଥୀ ବା ପ୍ରାର୍ଥିନୀମାନେ 2ଟି କାର ଏବଂ 5 ଟି ମୋଟର ସାଇକେଲ ବ୍ୟବହାର କରିପାରିବେ।

3-ସରପଞ୍ଚ ପାଇଁ ପ୍ରତିଦ୍ବନ୍ଦିତା କରିବାକୁ ଥିବା ପ୍ରାର୍ଥୀ ବା ପ୍ରାର୍ଥିନୀମାନେ 2 ଟି କାର ଏବଂ 5 ଟି ମୋଟର ସାଇକେଲ ବ୍ୟବହାର କରିପାରିବେ।

ଗାଡି ବ୍ୟବହାର ପାଇଁ ନିର୍ଦ୍ଧାରଣ କରାଯାଇଥିବା ନିୟମ ଓ କଟକଣା

1-ଯେଉଁ ପ୍ରତିଦ୍ବନ୍ଦିମାନେ ଚାହିଁବେ ଅଟୋ ବ୍ୟବହାର କରିବା ପାଇଁ ସେମାନେ ମଧ୍ୟ ତାହା କରିପାରିବେ। ତେବେ ସେମାନଙ୍କୁ ଦିଆଯାଇଥିବା ଯେ କୌଣସି ଗାଡି ପରିବର୍ତ୍ତେ ଏହାକୁ ବ୍ୟବହାର କରିପାରିବେ। ଅର୍ଥାତ ଯଦି ଆପଣ ଗୋଟିଏ ଅଟୋ ବ୍ୟବହାର କରିବାକୁ ଚାହାଁନ୍ତି ତେବେ ଆପଣଙ୍କୁ ଦିଆଯାଇଥିବା କାର କିମ୍ବା ମୋଟର ସାଇକେଲ ସଂଖ୍ୟାରୁ ଗୋଟିଏ କମ କରିବାକୁ ପଡିବ।

2- ନିର୍ବାଚନ ପୂର୍ବରୁ ପ୍ରତିଦ୍ବନ୍ଦିମାନେ ବ୍ୟବହାର କରିବାକୁ ଥିବା ଗାଡିର ସଂପୂର୍ଣ୍ଣ ବିବରଣୀ ଯଥା- ଗାଡିର ପ୍ରକାର, ଗାଡିର ପଂଜିକୃତ ପ୍ରମାଣପତ୍ର, ଗାଡିର ମାଲିକ ପ୍ରଭୃତି ତିନୋଟି ଲେଖାଏଁ କପି ଦାଖଲ କରିବାକୁ ପଡିବ।

3-ଏହି ଗାଡିର ବିବରଣୀ ଜିଲ୍ଲା ପରିଷଦ ପ୍ରାର୍ଥୀମାନେ ଉପଜିଲ୍ଲାପାଳ ଏବଂ ପଞ୍ଚାୟତ ସମିତି ଓ ସରପଞ୍ଚ ପ୍ରାର୍ଥୀମାନେ ବିଡିଓଙ୍କ ନିକଟରେ ଦାଖଲ କରିବେ।

4-ଏହି ସବୁ କାଗଜ ତିନିଟି କପି କରିବା ଆବଶ୍ୟକ। ଏସବୁ କପି ସଂପୃକ୍ତ ଅଧିକାରୀମାନେ ଦସ୍ତଖତ ତଥା ଷ୍ଟାମ୍ପ ମାରିବା ପରେ ଗୋଟିଏ ସେମାନେ ରଖିବେ, ଗୋଟିଏ କପି ପ୍ରାର୍ଥୀ ନିଜେ ଆଣି ସ୍ଥାନୀୟ ମୋଟରଯାନ ଅଧିକାରୀଙ୍କୁ ଦେବେ। ଆଉ ଏକ କପି ପ୍ରାର୍ଥୀ ନିଜ ପାଖରେ ରଖିବେ।

ଯଦି ଗାଡି ବ୍ୟବହାର ଉପରେ କୌଣସି ଅଭିଯୋଗ ଆସେ ତେବେ ନିର୍ବାଚନ କମିଶନର ସଂପୃକ୍ତ ସ୍ଥାନୀୟ ମୋଟରଯାନ ଅଧିକାରୀଙ୍କଠାରୁ ସବିଶେଷ ବିବରଣୀ ମଗାଇପାରିବେ। ଏହି ନିୟମ ଆସନ୍ତା ପଞ୍ଚାୟତ ନିର୍ବାଚନ ପାଇଁ ଲାଗୁ ହେବ ବୋଲି ବିଜ୍ଞପ୍ତିରେ କୁହାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ତିର୍ତ୍ତୋଲ ବ୍ଲକ୍ ମନରେଗା ମହାଦୁର୍ନୀତି ଘଟଣା: ଫସିଲେ ଜେଇ ଓ ଆସିଷ୍ଟାଣ୍ଟ ଇଂଜିନିୟର, ସରପଞ୍ଚଙ୍କୁ ଚେତାବନୀ

ରମେଶ ମହାନ୍ତି
ଜଗତସିଂହପୁର: ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତରେ ୧୦ଟିରୁ ଅଧିକ ସ୍ଥାନରେ ୨୦ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ମନରେଗା ଯୋଜନାରେ ମହାଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା। ଜିଲ୍ଲା ପ୍ରଶାସନ ପକ୍ଷରୁ ତଦନ୍ତ କରାଯିବା ପରେ ୨୯.୧୧.୨୦୧୯ ତଦନ୍ତ ରିପୋର୍ଟରୁ ଦୁଇଟି କାର୍ଯ୍ୟରେ ୫ଲକ୍ଷ ୬୮ହଜାର ୧୭୯ଟଙ୍କାର ଅନିୟମିତତା ହୋଇଥିବା ଜଣାପଡିଥିଲା। ଏହି ଅର୍ଥକୁ ଉକ୍ତ ପଞ୍ଚାୟତର ସରପଞ୍ଚ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଜି.ଆର୍.ଏସ୍. ଙ୍କୁ ସମପରିମାଣରେ ଏକମାସ ମଧ୍ୟରେ ଭରଣା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଫନ୍ଦିଫିକର କରି ଖସି ଯାଇଥିଲେ ଜେଇ ଓ ଆସିଷ୍ଟାଣ୍ଟ ଇଂଜିନିୟର।

ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ ସରପଞ୍ଚ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଜି.ଆର୍.ଏସ୍.ଏହି ଅର୍ଥକୁ ଭରଣା ନକରି ଅର୍ଥ ଆଦାୟ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଦିଆଯାଇଥିବା ନିର୍ଦ୍ଦେଶକୁ ଖାରଜ କରିବା ପାଇଁ ମାନ୍ୟବର ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ମାନ୍ୟବର ହାଇକୋର୍ଟ ରିଟ୍ ପିଟିସନ୍ କେସ୍ ନଂ ୯୨୮୯ ର ବିଚାର କରି ୮.୯.୨୦୨୦ ରିଖରେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପ୍ରମୁଖ ସଚିବଙ୍କୁ ଏହି ରିଟ୍ ପିଟିସନର ତଦନ୍ତ ରିପୋର୍ଟ ଓ ଅର୍ଥ ଆଦାୟ ପାଇଁ ଜାରି କରାଯାଇଥିବା ନିର୍ଦ୍ଦେଶ ବିରୁଦ୍ଧରେ ଏକ ଅପିଲ୍ ଭାବେ ଗ୍ରହଣ କରି ୬ସପ୍ତାହ ମଧ୍ୟରେ ବିଚାର କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ପରେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ଶୁଣାଣି କରାଯାଇ ଉକ୍ତ ପଞ୍ଚାୟତର ସରପଞ୍ଚ ନିୟତି ସ୍ୱାଇଁ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ହିମାଂଶୁ ଭୂଷଣ ନାୟକ, ଜି.ଆର୍.ଏସ୍ ସୌମ୍ୟରଞ୍ଜନ ସ୍ୱାଇଁଙ୍କ ସହ ଜେଇ ସୁଜିତ ମହାପାତ୍ର ଓ ଆସିଷ୍ଟାଣ୍ଟ ଇଂଜିନିୟର ରାଜଦୀପ ହାଁସଦା ମଧ୍ୟ ସମପରିମାଣରେ ଦାୟୀ ହୋଇ ଥିବାରୁ ସେମାନେ ଉକ୍ତ ଟଙ୍କାକୁ ସମପରିମାଣରେ ଭରଣା କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ପିଡି ଡିଆରଡିଏଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଏଥିସହିତ ପିଟିସନକାରୀଙ୍କ ଅଭିଯୋଗର କୌଣସି ଯଥାର୍ଥତା ନାହିଁ କୁହାଯିବା ସହ ଏହି ରିଟ୍ ପିଟିସନକୁ ଖାରଜ କରାଯାଇଥିଲା। ଏନେଇ ସରପଞ୍ଚଙ୍କୁ ଚେତାବନୀ ଦିଆଯିବା ସହ ସରକାରୀ ଅଧିକାରୀଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କୁହାଯାଇଛି। ଏସମ୍ପର୍କରେ ଜିଲ୍ଲାପାଳ, ପିଡି ଡିଆରଡିଏ, ପିଟିସନକାରୀ ଓ ଆଡଭୋକେଟ ଜେନେରାଲଙ୍କୁ ଚିଠି ଯୋଗେ ଅବଗତ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଜିଲ୍ଲାପାଳ କ୍ଷମତା ପ୍ରୟୋଗ କଲେ ସରପଞ୍ଚ : ଏସ.ଛଚିନା ପଞ୍ଚାୟତ 7 ଦିନ ଯାଏଁ ସଟ ଡାଉନ

ଗଞ୍ଜାମ : ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହି କ୍ରମରେ ବେଗୁନିଆପଡା ବ୍ଲକରେ ମଧ୍ୟ କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି । ତେବେ ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଏସ.ଛଚିନା ପଞ୍ଚାୟତରେ 4 ଜଣ କରୋନା ପଜେଟିଭ ଥିବା ରିପୋର୍ଟ ଆସିବା ପରେ ଏସ. ଛଚିନା ସରପଞ୍ଚ ବିନୋଦିନୀ ନାୟକ ବିଡ଼ିଓ,ତହସିଲଦାର ଓ ଥାନା ଅଧିକାରୀଙ୍କୁ ଜଣାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ ମୁକାବିଲା ପାଇଁ ସରପଞ୍ଚମାନଙ୍କୁ ପ୍ରଦାନ କରିଥିବା ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ଏସ.ଛଚିନା ପଞ୍ଚାୟତକୁ 7 ଦିନିଆ ସଟଡାଉନ ଘୋଷଣା କରିଛନ୍ତି। ଡାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର କରି ପଞ୍ଚାୟତରେ ଜନସାଧାରଣଙ୍କୁ ଏ ସମ୍ପର୍କରେ ଅବଗତ କରାଇଥିଲେ କି ସୋମବାର ଠାରୁ ଏହି ସଟ ଡାଉନ ଜାରି କରାଯାଇଛି।

ଅତ୍ୟାବଶ୍ୟକ ସାମଗ୍ରୀ ସରକାରଙ୍କ ନିୟମ ମାନି ଦ୍ୱାର ଦ୍ଵାର ବୁଲି ବିକ୍ରି କରିପାରିବେ।ଅନ୍ୟତ୍ର କୌଣସି ଦୋକାନ ବଜାର,ସାମାଜିକ କାର୍ଯ୍ୟ, ଗାଡି ଚଳାଚଳ, ବନ୍ଦ ରହିବ।ମାସ୍କ ପିନ୍ଧିବା ସହ ସାମାଜିକ ଦୂରତ୍ୱ ଅବଲମ୍ବନ କରିବା ପାଇଁ ସମସ୍ତଙ୍କୁ ସରପଞ୍ଚ ନିବେଦନ କରିଛନ୍ତି |

Categories
ଆଜିର ଖବର ରାଜ୍ୟ ଖବର

କରୋନା ଆକ୍ରାନ୍ତ ସରପଞ୍ଚ, ଅଙ୍ଗନୱାଡି ଓ ଆଶା କର୍ମୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର କରୋନା ପଜିଟିଭ୍ ସରପଞ୍ଚ, ଆଶା ଓ ଅଙ୍ଗନଓ୍ବାଡି କର୍ମୀଙ୍କ ସହ ଟେଲିଫୋନ୍ ଯୋଗେ କଥା ହୋଇଛନ୍ତି । କରୋନା ମୁକାବିଲା ଦିଗରେ ଉତ୍ସର୍ଗୀକୃତ କାର୍ଯ୍ୟ କରିଥିବା ଏହି ଯୋଦ୍ଧାଙ୍କୁ ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଛନ୍ତି । ମୁଖ୍ୟମନ୍ତ୍ରୀ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିବା ସହ,  ଏହି ଯୋଦ୍ଧାମାନେ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି କହିଛନ୍ତି ନବୀନ ।

ଅପରପକ୍ଷରେ ଆଜି ଅପରାହ୍ନ 2ଟାରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ବୋଲି ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ସୂଚନା ଦିଆଯାଇଛି ।

Categories
ଆଜିର ଖବର ରାଜ୍ୟ ଖବର

ସରପଞ୍ଚମାନଙ୍କ ପାଇଁ ବଡ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ସରପଞ୍ଚ ମାନଙ୍କ ପାଇଁ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । 50 ଲକ୍ଷ ସହାୟତା ବର୍ଗରେ ସରପଞ୍ଚମାନଙ୍କୁ ସାମିଲ୍‌ କରାଯାଇଥିବାର ଘୋଷଣା କରାଯାଇଛି । ଟୁଇଟ୍‌ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।

ତୃଣମୂଳସ୍ତରରେ ସରପଞ୍ଚମାନେ ମହତ୍ତ୍ବପୂର୍ଣ୍ଣ କାମ କରୁଛନ୍ତି। ସଙ୍ଗରୋଧ କେନ୍ଦ୍ର ପରିଚାଳନାରେ ଉତ୍ସର୍ଗୀକୃତ କାର୍ଯ୍ୟ କରୁଛନ୍ତି ସରପଞ୍ଚମାନେ ବାେଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସରପଞ୍ଚମାନେ ଆଗ ଧାଡିର କୋଭିଡ୍‌ ଯୋଦ୍ଧା ବୋଲି ଅଭିହିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପରିବାରର ହିତ ପାଇଁ 50 ଲକ୍ଷ ସହାୟତା ରାଶିରେ ସରପଞ୍ଚଙ୍କୁ ଅନ୍ତର୍ଭୁକ୍ତ କରାଯିବା ନେଇ ଘୋଷଣା କରାଯାଇଛି । ସଙ୍ଗରୋଧ କେନ୍ଦ୍ର, କୋଭିଡ୍‌ ହସ୍ପିଟାଲରେ ନିୟୋଜିତ ଲୋକ ବି କରୋନା ଯୋଦ୍ଧା । ସେମାନଙ୍କ ପରିବାରକୁ ମଧ୍ୟ ଏହି ସହାୟତା ରାଶି ପ୍ରଦାନ କରାଯିବ ବୋଲି ସୂଚନା ରହିଛି । ସୂଚନାଯୋଗ୍ୟ, କୋଭିଡ୍‌-19 ପରିଚାଳନା ପାଇଁ ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

Categories
ଆଞ୍ଚଳିକ

କଟକର ୧୪ଟି ବ୍ଲକରେ ମୁଖ୍ୟମନ୍ତ୍ରୀଙ୍କ ସହିତ ସରପଞ୍ଚଙ୍କ ଶପଥପାଠ

ଚନ୍ଦ୍ରକାନ୍ତି ବୌଦ୍ଧ

ନରସିଂହପୁର: କରୋନା ପାଇଁ ଶପଥ ନେଇଛନ୍ତି ସରପଞ୍ଚ। କଟକ ଜିଲ୍ଲା ଅଧିନରେ ଥିବା ୧୪ ଗୋଟି ବ୍ଲକର ଭିସି ହଲରେ ଶପଥପାଠ କରିଛନ୍ତି ସମସ୍ତ ସରପଞ୍ଚ। ଆଠଗଡ ବ୍ଲକ ଭିସି ହଲରେ ଆଜି ଆଠଗଡ ବିଡିଓ ଆଠଗଠ ବ୍ଲକ ଚେୟାରମ୍ୟାନ ଓ ଆଠଗଡ ବ୍ଲକର ସମସ୍ତ ସରପଞ୍ଚ ମାନେ ଉପସ୍ଥିତ ରହିଥିଲେ। ସେହିପରି ତିଗିରିଆ ବଡ଼ମ୍ବା ନରସିଂହପୁର ରେ ବ୍ଲକ ସମ୍ମିଳନୀ କକ୍ଷରେ ବିଡ଼ିଓ, ଚେୟାରମ୍ୟାନ ସରପଞ୍ଚମାନେ ଉପସ୍ଥିତ ଥିଲେ। ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସିଂରେ ସରପଞ୍ଚମାନଙ୍କୁ ଶପଥ ପାଠ କରାଇଛନ୍ତି। ନିଜ ପଞ୍ଚାୟତକୁ କରୋନାକୁ ମୁକ୍ତ ରଖିବାକୁ ପରାମର୍ଶ ଦିଆଯାଇଛି। ସେମାନେ ଶପଥ ପାଠ କରିଛନ୍ତି ଯେ ଅନ୍ୟ ରାଜ୍ୟରୁ ଗାଁକୁ ଆସିଥିବା ଲୋକଙ୍କୁ କ୍ୱାରେଣ୍ଟାଇନରେ ରଖିବେ। ସେମାନଙ୍କ ରହିବା, ଖାଇବା, ଚିକିତ୍ସାର ଉଚିତ ବ୍ୟବସ୍ଥା କରିବେ। ସରକାରଙ୍କ ସବୁ ପଦକ୍ଷେପକୁ କଡ଼ାକଡ଼ି ଭାବେ ପାଳନ କରାଯିବ। ଲୋକଙ୍କ ମଙ୍ଗଳ ପାଇଁ ନିଷ୍ଠାର ସହ ଏହାସୁବ ପାଳନ ହେବ। ମୋ ପଞ୍ଚାୟତରେ କରୋନାକୁ ପଶିବାକୁ ଦେବି ନାହିଁ ବୋଲି ସରପଞ୍ଚମାନେ ଶପଥ କରିଛନ୍ତି। ଏବଂ ସରପଞ୍ଚ ମାନେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ପାଳନ କରିବା ସହିତ କୋରୋନାକୁ ହରାଇ ଓଡିଶା କୁ ହସାଇବା ସହିତ ପଞ୍ଚାୟତକୁ ହସାଇବେ ବୋଲି ପ୍ରକାଶ କରିଛନ୍ତି।

Categories
ଆଞ୍ଚଳିକ

୪୫ ବର୍ଷ ବୟସରେ ବାଗୋଇ ସରପଞ୍ଚଙ୍କ ପରଲୋକ

ରଞ୍ଜିତ ପଣ୍ଡା

କୁଜଙ୍ଗ: କୁଜଙ୍ଗ ବ୍ଲକ୍ ବାଗୋଇ ଗ୍ରାମପଞ୍ଚାୟତର ସରପଞ୍ଚ ତଥା କଂଗ୍ରେସର ବରିଷ୍ଠ ନେତା ଶ୍ରୀ ଅଧିର୍ କୁମାର ପ୍ରଧାନ ଆଜି ତାଙ୍କ ଜନ୍ମମାଟି ବାଗୋଇ ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛନ୍ତି। ମୃତ୍ୟୁବେଳକୁ ତାଙ୍କୁ ୪୫ ବର୍ଷ ବୟସ ହୋଇଥିଲା ବୋଲି ସୂଚନା ରହିଛି। ସେ ଅନେକ ଦିନ ହେବ କ୍ୟାନ୍ସର ରୋଗରେ ପୀଡିତ ଥିଲେ।  ତାଙ୍କର ମୃତ୍ୟୁ ଖବର ପାଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।  ତାଙ୍କ ମୃତ୍ୟୁରେ  ସ୍ଥାନୀୟ ବିଧାୟକ ସମ୍ବିତ ରାଉତରାୟ, କଂଗ୍ରେସ ନେତା ଅରିନ୍ଦମ ସର୍ଖେଲ୍, ବିଜେପି ନେତା ସମ୍ପଦ ସ୍ୱାଇଁ, ଶ୍ରମିକ ନେତା ପ୍ରକାଶ ଚନ୍ଦ୍ର ତ୍ରିପାଠୀ, ପ୍ରେସ କ୍ଲବ ସଭାପତି ରଘୁନାଥ ସାହୁ, ସମ୍ପାଦକ ଦୁଷ୍ମନ୍ତ ମାଝି, ବ୍ଲକର ସମସ୍ତ ସରପଞ୍ଚ ଓ ସମିତି ମେମ୍ବର, କୁଜଙ୍ଗ ବ୍ଲକ୍‌ର ବିଜେଡିର ଆସିଷ୍ଟାଣ୍ଟ ରିଟର୍ଣ୍ଣିଂ ଅଫିସର୍‌ ତପନ କୁମାର ସାମନ୍ତରାୟ, କଂଗ୍ରେସର ବରିଷ୍ଠ ନେତା ଏନ୍‌ଡି ଯାଦବ, ପଞ୍ଚାୟତ ସମିତି ଅଧ୍ୟକ୍ଷ ସ୍ମୃତି ରଞ୍ଜନ ବେହେରା,  ବିଧାୟକଙ୍କ କୁଜଙ୍ଗ ବ୍ଲକ ପ୍ରତିନିଧି ନିରଞ୍ଜନ ପ୍ରଧାନ, ବ୍ଲକ କଂଗ୍ରେସ ସଭାପତି ରମେଶ ଦାସ ପ୍ରମୁଖ ତାଙ୍କର ମୃତ୍ୟୁରେ ଗଭୀର ଶୋକ ବ୍ୟକ୍ତ କରିବା ସହିତ ଅଧୀରଙ୍କ ଶେଷଦର୍ଶନ କରି ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

ବୟସର ମଧ୍ୟାହ୍ନରେ ଅସ୍ତମିତ ହୋଇଥିବା ସରପଞ୍ଚ ଜଣକ ରାଜନୀତି ସହ ସମାଜସେବାକୁ ନିଜ ଜୀବନର ବ୍ରତ ବୋଲି ବାଛିଥିଲେ। ଗ୍ରାମର ଉନ୍ନତୀକରଣରେ ବେଶ୍‌ ଅବଦାନ ରଖିଛନ୍ତି ଅଧୀର। ତାଙ୍କ ଅବର୍ତ୍ତମାନରେ ଗ୍ରାମ ତାଙ୍କୁ ଝୁରି ହେବ ଏହା ନିଃସନ୍ଦେହ।