Categories
ଆଞ୍ଚଳିକ

ବାଲୁଗାଁ ଏନ.ଏ.ସିର ସରଳାପଦର ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ଖୋର୍ଦ୍ଧା ଉପଜିଲ୍ଲାପାଳ

ସୀତାରାମ ଅଗ୍ରୱାଲ 

ବାଲୁଗାଁ: ବାଲୁଗାଁ ଏନ.ଏ.ସି ର ସରଳାପଦର ଗ୍ରାମ (ୱାର୍ଡ ନମ୍ବର ୧୧)ରେ ଦିନକୁ ଦିନ ସ୍ଥାନୀୟ କରୋନା ଆକ୍ରାନ୍ତ ବଢୁଛନ୍ତି। ଗତକାଲି ରାତି ସୁଦ୍ଧା ଉକ୍ତ ୱାର୍ଡ ରେ ତିନି ଜଣ ନୂତନ ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି। କରୋନା ସଂକ୍ରମଣକୁ ରୋକିବା ପାଇଁ ସରଳାପଦର ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବାପାଇଁ ପତ୍ର ସଂଖ୍ୟା ୮୩୯/୨୦.୦୮.୨୦୨୦ ରେ ଏକ ଚିଠି ବାଲୁଗାଁ ଏନ.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ଆଜି ଜିଲ୍ଲା ପ୍ରଶାସନ ନିକଟକୁ ଅନୁମୋଦନ ପାଇଁ ପଠାଇଥିଲେ।

ଏହାକୁ ଗମ୍ଭୀରତାର ସହ ନେଇ ଆଜି ଖୋର୍ଦ୍ଧା ଉପଜିଲ୍ଲାପାଳ ଶ୍ରୀ ଅଶୋକ କୁମାର ବେହୁରିଆ ଉକ୍ତ ଚିଠିକୁ ଅନୁମୋଦନ ଦେଇ ବାଲୁଗାଁ ଏନ.ଏ.ସି ର ୧୧ ନମ୍ବର ୱାର୍ଡ ସରଳାପଦର ଗ୍ରାମକୁ ତା ୨୦.୦୮.୨୦(ଗୁରୁବାର ) ସନ୍ଧ୍ୟା ୭ ଘଟିକାରୁ ତା ୨୩.୦୮.୨୦(ରବିବାର ) ସଂଧ୍ୟା ୭ ଘଟିକା ଯାଏଁ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା କରିଛନ୍ତି। ଉକ୍ତ ସମୟରେ କୌଣସି ବ୍ୟକ୍ତି ଘରୁ ବାହାରିବେ ନାହିଁ ଏବଂ ଏହି କଣ୍ଟେନମେଣ୍ଟ ଅଞ୍ଚଳରେ ସମସ୍ତ ସରକାରୀ ଏବଂ ବେସରକାରୀ ପ୍ରତିଷ୍ଠାନ ବନ୍ଦ ରହିବ। ଉକ୍ତ ସମୟରେ ସମସ୍ତ ଅଞ୍ଚଳକୁ ସାନିଟାଇଜେସନ କରାଯିବା ସହ ସ୍ଵାବ ନମୂନା ସଂଗ୍ରହ କରାଯିବ। ଏହି ସମୟରେ ସମସ୍ତ ଜନସାଧାରଣଙ୍କୁ ଘରେ ରହିବାକୁ ଅନୁରୋଧ କରିଛନ୍ତି ଉପ ଜିଲ୍ଲାପାଳ। ତେବେ ଜିଲ୍ଲା ପ୍ରଶାସନ ଦ୍ୱାରା ଗଠନ କରାଯାଇଥିବା ବିଭିନ୍ନ ଟିମ ଦ୍ୱାରା ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ମେଡ଼ିସିନ ଅଞ୍ଚଳବାସୀଙ୍କୁ ଯୋଗାଇଦିଆଯିବ।

କଣ୍ଟନମେଣ୍ଟ ଅଞ୍ଚଳରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବା ସହ ବିଭିନ୍ନ କାର୍ଯ୍ୟ ତଦାରଖ ପାଇଁ ଉପ ଜିଲ୍ଲାପାଳ ନିମ୍ନଲିଖିତ ଅଧିକାରୀଙ୍କୁ ନୋଡାଲ ଅଧିକାରୀ ଭାବେ ନିଯୁକ୍ତି ଦେଇଛନ୍ତି। ଆକୃତି ଗୋଏଙ୍କା (କାର୍ଯ୍ୟନିର୍ବାହୀ ଅଧିକାରୀ, ବାଲୁଗାଁ ଏନ.ଏ.ସି )ଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ଦାୟିତ୍ବ ଦିଆଯାଇଥିବାବେଳେ ବାଲୁଗାଁ ଫାୟାର ଷ୍ଟେସନ ଅଫିସରଙ୍କୁ କଣ୍ଟେନମେଣ୍ଟ ଅଞ୍ଚଳ ଏବଂ ବଫର୍‌ ଜୋନ୍‌କୁ ନିୟମିତ ବ୍ୟବଧାନରେ ସାନିଟାଇଜ୍‌ କରିବାକୁ ଦାୟିତ୍ବ ଦିଆଯାଇଛି। ଡ଼ାଃ ସୌମ୍ୟକାନ୍ତ ଦାସ ପଟ୍ଟନାୟକ (ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ) ଙ୍କୁ କଣ୍ଟ୍ରାକ୍ଟ ଟ୍ରେସିଂ ଏବଂ ସମ୍ପୃକ୍ତ ଅଞ୍ଚଳରେ ସର୍ଭେଲାନ୍ସ ଓ ସ୍ବାବ୍‌ ଟେଷ୍ଟିଂ ଦାୟିତ୍ବ ଦିଆଯାଇଛି ଏବଂ ଶ୍ରୀମତୀ ପ୍ରିୟଦର୍ଶିନୀ ମହାନ୍ତି ( ସି.ଡ଼ି.ପି.ଓ )ଙ୍କୁ ଘରକୁ ଘର ବୁଲି ସର୍ଭେ କରିବା ଦାୟିତ୍ୱ ଦିଆଯାଇଛି। ଉକ୍ତ ସବୁ କାର୍ଯ୍ୟକୁ ତଦାରଖ କରିବେ ଚିଲିକା ତହସିଲଦାର ଡ଼ାଃ ପୁନମ ମହାପାତ୍ର।