Categories
ଆଜିର ଖବର ରାଜ୍ୟ ଖବର

ଚିଲିକାରେ ସରିଲା ପକ୍ଷୀ ଗଣନା: ଚଳିତ ବର୍ଷ ଏତିକି ସଂଖ୍ୟକ ବିଦେଶାଗତ ପକ୍ଷୀଙ୍କ ଆଗମନ

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ଚିଲିକା ହ୍ରଦରେ ପକ୍ଷୀ ଗଣନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଗତବର୍ଷ ତୁଳନାରେ ଚଳିତ ବର୍ଷ ଶୀତର ପ୍ରକୋପ ଅଧିକ ଥିବା ସତ୍ତ୍ୱେ ବିଦେଶାଗତ ପକ୍ଷୀଙ୍କ ଆଗମନ ଚିଲିକାରେ କମିଥିବାର ଜଣାପଡିଛି। ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଡ଼ିଏଫଓ ଜ୍ୟୋତି କାଟାଲଙ୍କ ସୂଚନା ମୁତାବକ ଚଳିତ ବର୍ଷ ଚିଲିକାରେ ସମୁଦାୟ ୧୮୩ ପ୍ରଜାତିର ୧୦ ଲକ୍ଷ ୭୪ ହଜାର ୧୭୩ ପକ୍ଷୀ ଆସିଛନ୍ତି। ଯାହାକି ଗତ ବର୍ଷ ୧୨ ଲକ୍ଷ ୪୨ ହଜାର ୮୨୬ ରୁ ବହୁତ କମ।

ସୂଚନା ମୁତାବକ ଆଜି ସକାଳ ୬ ଘଟିକାରୁ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ପକ୍ଷୀ ଗଣନା କାର୍ଯ୍ୟ ଚାଲୁରହିଥିଲା। ପକ୍ଷୀ ଗଣନା ପାଇଁ ଚିଲିକାକୁ ୫ଟି ଜୋନରେ ବିଭକ୍ତ କରାଯାଇଥିବା ବେଳେ ୨୧ ଟି ଟିମ ନିୟୋଜିତ ହୋଇଥିଲେ। ଏବଂ ପ୍ରତି ଟିମରେ ୫ ଜଣ ସଦସ୍ୟ ରହିଥିଲେ। ଟାଙ୍ଗୀ ଜୋନରେ ୮ଟି ଟିମ, ବାଲୁଗାଁରେ ୫ଟି, ସାତପଡ଼ାରେ ୩ଟି, ରମ୍ଭାରେ ୨ ଟି ଏବଂ କୃଷ୍ଣପ୍ରସାଦରେ ୩ ଟି ଟିମ ନିୟୋଜିତ ରହିଥିଲେ।

ତେବେ ଗଣନା କାର୍ଯ୍ୟରେ ଜିପିଏସ, ବାଇନାକୁଲାର, ୱାକି ଟକି, କ୍ୟାମେରା ଏବଂ ଅନ୍ୟ ଉପକରଣ ଆଦି ବ୍ୟବହୃତ କରାଯାଇଥିବା ବେଳେ ପକ୍ଷୀପ୍ରେମୀ, ପକ୍ଷୀ ସୁରକ୍ଷା ଶିବିରର କର୍ମକର୍ତ୍ତା, ଓୟୁଏଟି ଛାତ୍ରଛାତ୍ରୀ, ପକ୍ଷୀ ବିଶେଷଙ୍ଗ, ସାମାଜିକ କର୍ମୀ, ବନ୍ୟପ୍ରାଣୀ ବିଭାଗର କର୍ମଚାରୀ ଏବଂ ବିଏନଏଚଏସ ସାମିଲ ହୋଇଥିଲେ।

ଗତବର୍ଷ ସମୁଦାୟ ୧୯୦ ପ୍ରଜାତିର ୧୨ ଲକ୍ଷ ୪୨ହଜାର ୮୨୬ ଗୋଟି ପକ୍ଷୀ ଆସିଥିବାବେଳେ ତନ୍ମଧ୍ୟରୁ ୧୧୧ ପ୍ରଜାତିର ୧୨ ଲକ୍ଷ ୦୪ ହଜାର ୩୫୧ ଗୋଟି ବିଦେଶୀ ପକ୍ଷୀ ଏବଂ ୭୯ ପ୍ରଜାତିର ୩୮ବହଜାର ୪ ଶହ ୭୫ ଗୋଟି ସ୍ଥାନୀୟ ପକ୍ଷୀ ସାମିଲ ଥିଲେ।

ସେହିପରି ଭାବେ ଚଳିତବର୍ଷ ସମୁଦାୟ ୧୮୩ ପ୍ରଜାତିର ୧୦ ଲକ୍ଷ ୭୪ ହଜାର ୧୭୩ ଗୋଟି ପକ୍ଷୀ ଆସିଥିବାବେଳେ ତନ୍ମଧ୍ୟରୁ ୧୦୭ ପ୍ରଜାତିର ୧୦ ଲକ୍ଷ ୩୬ ହଜାର ୨୨୦ ଗୋଟି ବିଦେଶୀ ପକ୍ଷୀ ଏବଂ ୭୬ ପ୍ରଜାତିର ୩୭ ହଜାର ୯ ଶହ ୫୩ ଗୋଟି ସ୍ଥାନୀୟ ପକ୍ଷୀ ସାମିଲ ଅଛନ୍ତି।