Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସଂସ୍କୃତି

ବାଲୁକା କଳାରେ ସରୋଜ ଖାନଙ୍କୁ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କଲେ ପ୍ରଖ୍ୟାତ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ, ଗତକାଲି ପ୍ରତିଷ୍ଠିତ କୋରିଓଗ୍ରାଫର ସରୋଜ ଖାନଙ୍କ ଦେହାନ୍ତ ହୋଇଯାଇଛି। ତାଙ୍କ ପରଲୋକରେ ସାରା ଦେଶର ଚଳଚିତ୍ର ପ୍ରେମୀଙ୍କୁ ଆଘାତ ଦେଇଛି। ସେହିପରି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ମଧ୍ୟ ଏହା ବ୍ୟତିଥ କରିଛି। ତେବେ ସୁଦର୍ଶନ ପୁରୀ ବେଳାଭୂମିରେ ସରୋଜଙ୍କ ସ୍ଥାପତ୍ୟ ନିର୍ମାଣ କରି ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି।

ସୁଦର୍ଶନ ତାଙ୍କ କଳାରେ ଏକ ସିନେମା ରିଲ ଭିତରେ ସରୋଜଙ୍କ ଏକ ରଂଗୀନ ସ୍ଥାପତ୍ୟ ନିର୍ମାଣ କରିଛନ୍ତି। ଗତକାଲି ତାଙ୍କ ଦେହାନ୍ତ ପରେ ଗୋଟିଏ ଫଟୋ ବେଶ ଭାଇରାଲ ହୋଇଥିଲା। ସେହି ଫଟୋଟିରେ ସରୋଜ ମେରୁନ କଲରର ଚୁଡିଦାର ସହିତ ସବୁଜ ରଂଗର ଓଢଣୀ ପକାଇଥିଲେ। ସୁଦର୍ଶନ ସେହି ଫଟୋଟିର ଅବିକଳ ନକଲ ତାଙ୍କ ବାଲୁକା କଳାରେ ଫୁଟାଇ ପାରିଛନ୍ତି।

Categories
ବିଶେଷ ଖବର ବ୍ୟକ୍ତିତ୍ୱ ସିନେମା

ସରୋଜ ଖାନ୍ : ବଲିଉଡର କିମ୍ବଦନ୍ତୀ ‘ମାଷ୍ଟରଜୀ’

ବିଜନ କୁମାର ମହାପାତ୍ର

ବିଗତ ଦିନଗୁଡିକରେ ଆମଠାରୁ ବିଦାୟ ନେଇଛନ୍ତି ସିନେମା ଦୁନିଆର ବହୁ ଖ୍ୟାତନାମା ହସ୍ତୀ। ଋଷି କପୁର, ଇରଫାନ ଖାନ ଓ ସଂଗୀତଜ୍ଞ ଓା୍ୱଜିଦ, ନିର୍ଦ୍ଦେଶକ ବାସୁ ଚାଟାର୍ଜୀ, ଉଦୀୟମାନ ଅଭିନେତା ସୁଶାନ୍ତ ସିଂହ ରାଜପୁତ ପ୍ରମୁଖଙ୍କ ବିିୟୋଗର ଦୁଃଖ ଯାଇ ନ ଥିଲା ବେଳେ ଏବେ ଆଉ ଜଣେ ଖ୍ୟାତନାମା କଳାକାର ଆରପାରିକୁ ଚାଲିଯାଇଛନ୍ତି। ବଲିଉଡର ଖ୍ୟାତନାମା ଓ ଲୋକପ୍ରିୟ କୋରିଅଗ୍ରାଫର ଓ ନୃତ୍ୟ ନିର୍ଦ୍ଦେଶିକା ସରୋଜ ଖାନ ଆଉ ନାହାନ୍ତି।

୭୧ ବର୍ଷ ବୟସରେ ଆଖି ବୁଜିଛନ୍ତି ଭାରତୀୟ ଫିଲ୍ମର ଏହି ମହାନ କୋରିଓଗ୍ରାଫର। ଏହି କିମ୍ବଦନ୍ତୀ କୋରିଓଗ୍ରାଫରଙ୍କ ମୃତ୍ୟୁ ସହ ହିନ୍ଦି ସିନେମା ନୃତ୍ୟ କ୍ଷେତ୍ରରେ ଏକ ଯୁଗର ଅବସାନ ହୋଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ବଲିଉଡର ମାଷ୍ଟରଜୀ ନାମରେ ଜଣାଶୁଣା ସରୋଜ ଖାନ ନିଜର ୪୦ ବର୍ଷ କ୍ୟାରିଅର ମଧ୍ୟରେ ପାଖାପାଖି ୨ ହଜାର ଫିଲ୍ମ ଗୀତର ଥିଲେ କୋରିଓଗ୍ରାଫର। ଶେଷଥର ପାଇଁ କରନ ଜୋହରଙ୍କ ପ୍ରଯୋଜିତ ଫିଲ୍ମ କଲଙ୍କରେ ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ ସରୋଜ।

ଶ୍ରୀଦେବୀ ଓ ମାଧୁରୀ ଦୀକ୍ଷିତଙ୍କ ବହୁ ଲୋକପ୍ରିୟ ଓ ହିଟ୍ ଗୀତର କୋରିଓଗ୍ରାଫର ଥିଲେ ସରୋଜ ଖାନ୍। ୧୯୪୮ ନଭେମ୍ବର ୨୨ ତାରିଖରେ ସରୋଜ ଖାନଙ୍କ ଜନ୍ମ । ଜନ୍ମ ନାମ ଥିଲା ନିର୍ମଲା କିଶନଚାନ୍ଦ ସାଧୁ ସିଂହ ନାଗପାଲ। ଦେଶ ବିଭାଜନ ପରେ ତାଙ୍କ ପରିବାର ପାକିସ୍ତାନରୁ ଭାରତକୁ ଚାଲିଆସିଥିଲେ। ମାତ୍ର ଦୁଇବର୍ଷ ବୟସରେ ଫିଲ୍ମ ତରାନାରେ ଶିଶୁ କଳାକାର ଭାବେ ଅଭିନୟ କରଥିଲେ ସରୋଜ ଖାନ୍। ମାତ୍ର ୧୩ ବର୍ଷ ବୟସରେ ତାଙ୍କର ବିବାହ ୪୧ ବର୍ଷିୟ ସୋହନଲାଲ ନାମକ ଜଣେ ନୃତ୍ୟ ଶିକ୍ଷକଙ୍କ ସହ ହୋଇଥିଲା। ପରେ ସରୋଜ ଖାନ୍ ସର୍ଦାର ରୋଶନ ଖାନଙ୍କୁ ବିବାହ କରିଥିଲେ।

ଡ୍ୟାନ୍‌ସ ଆସିଷ୍ଟାଂଟ ଭାବେ କିଛି ଦିନ କାମ କଲା ପରେ ୧୯୭୫ରେ ଗୁଲଜାରଙ୍କ ଫିଲ୍ମ ମୌସମରେ ସ୍ୱାଧୀନ ଭାବେ କୋରିଓଗ୍ରାଫର ଭାବେ କାମ କରିବାର ସୁଯୋଗ ପାଇଥିଲେ ସରୋଜ ଖାନ୍। କୋରିଓଗ୍ରାଫର ଭାବେ ତାଙ୍କର ପ୍ରଥମ ହିଟ୍ ଫିଲ୍ମ ଥିଲା ୧୯୮୩ର ସୁଭାଷ ଘାଇଙ୍କ ଫିଲ୍ମ ହୀରୋ। ୧୯୮୬ରେ ଶ୍ରୀଦେବୀ ଅଭିନୀତ ଫିଲ୍ମ ନଗିନାରେ ସରୋଜ ଖାନଙ୍କ ପ୍ରତିଭାକୁ ସ୍ୱୀକୃତି ମିଳିଲା। ଶ୍ରୀଦେବୀଙ୍କ ଲୋକପ୍ରିୟ ନଗିନା ଡ୍ୟାନ୍ସ ପଛରେ ଥିଲା ସରୋଜ ଖାନଙ୍କ ନିର୍ଦ୍ଦେଶନା। ଏହାପରେ ୧୯୮୭ର ଫିଲ୍ମ ମିଷ୍ଟର ଇଣ୍ଡିଆ, ୧୯୮୮ର ତେଜାବ ଫିଲ୍ମର କୋରିଓଗ୍ରାଫର ଥିଲେ ସରୋଜ ଖାନ।

ମିଷ୍ଟର ଇଣ୍ଡିଆରେ ଶ୍ରୀଦେବୀଙ୍କ ହାୱା ହାୱାଇ ଓ ତେଜାବରେ ମାଧୁରୀଙ୍କ ନାଚିଥିବା ବେଶ ଲୋକପ୍ରିୟ ଏକ, ଦୋ, ତିନ୍ ଗୀତର କୋରିଓଗ୍ରାଫର ଥିଲେ ସରୋଜ ଖାନ୍। ସୁଭାଷ ଘାଇଙ୍କ ଖଲନାୟକର ଲୋକପ୍ରିୟ ଚୋଲି କେ ପିଛେ କ୍ୟା ହୈ ଗୀତର ବି ସେ ଥିଲେ ନୃତ୍ୟ ନିର୍ଦ୍ଦେଶିକା। ମାଧୁରୀଙ୍କ ଅଭିନୀତ ବେଟା ଫିଲ୍ମର ଧକ୍ ଧକ୍ କରନେ ଲଗା ଓ ଥାନେଦାର ଫିଲ୍ମ ତମା ତମା ଲୋଗେ ବି ଥିଲା ସରୋଜ ଖାନ୍ ସ୍ପେଶାଲ୍। କେବଳ ହିନ୍ଦି ପିଲ୍ମ ନୁହେଁ, ଅନ୍ୟ ଭାରତୀୟ ଭାଷାରେ ନିର୍ମିତ ଫିଲ୍ମରେ ବି ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ ସରୋଜ ଖାନ୍
କୋରିଓଗ୍ରାଫି ପାଇଁ ତିନି ତିନି ଥର ଜାତୀୟ ପୁରସ୍କାର ହାସଲ କରିଥିଲେ ସରୋଜ।

୨୦୦୩ର ଦେବଦାସ ଫିଲ୍ମର ଡୋଲାରେ ଡୋଲାରେ ଗୀତ, ୨୦୦୬ର ତାମିଲ ଫିଲ୍ମ ଶ୍ରୀନଗରମର ସବୁ ଗୀତ ଓ ୨୦୦୮ର ଜବ ଉଇ ମେଟ୍ ଫିଲ୍ମ ପାଇଁ ୟେ ଇସ୍କ ହେ ଗୀତର ନୃତ୍ୟ ପାଇଁ ଜାତୀୟ ପୁରସ୍କାର ହାସଲ କରିଥିଲେ ସରୋଜ ଖାନ୍। ସେ ଏକାଧିକ ଫିଲ୍ମଫେୟାର ପୁରସ୍କାର ବି ଜିତିଛନ୍ତି। ଫିଲ୍ମଫେୟାର କୋରିଓଗ୍ରାଫି ପୁରସ୍କାରର ପ୍ରଥମ ବିଜେତା ହେଉଛନ୍ତି ସରୋଜ ଖାନ୍।

୧୯୮୯ରୁ ୧୯୯୧ ଯାଏଁ ଲଗାତର ଫିଲ୍ମଫେୟାର ପୁରସ୍କାର ଜିତି ସେ ହ୍ୟାଟ୍ରିକ କରିଥିଲେ। ସର୍ବାଧିକ ୮ ଥର ଫିଲ୍ମଫେୟାର କୋରିଓଗ୍ରାଫି ପୁରସ୍କାର ଜିତି ରେକର୍ଡ ହାସଲ କରିଛନ୍ତି ସରୋଜ ଖାନ। ତେଜାବ, ଚାଲବାଜ, ସୈଲାବ, ବେଟା, ଖଲନାୟକ, ହମ ଦିଲ ଦେ ଚୁକେ ହେ ସନମ , ଦେବଦାସ ଓ ଗୁରୁ ଫିଲ୍ମ ପାଇଁ ସରୋଜ ଖାନ୍ ଫିଲ୍ମଫେୟାର ପୁରସ୍କାର ହାସଲ କରିଥିଲେ।

ଟେଲଭିଜନରେ ବିଭିନ୍ନ ଡ୍ୟାନସ ରିୟଲିଟି ସୋ’ରେ ଜୁରୀ ମେମ୍ବର ଭାବେ ଭାଗ ନେଇଥିଲେ ସରୋଜ। ନାଚ ବଲିୟେ, ଉସ୍ତାଦୋଁ କା ଉସ୍ତାଦ ଓ ଝଲକ ଦିଖଲାଜା ଭଳି ଡ୍ୟାନସ ରିୟଲିଟି ଶୋରେ ଜୁରୀ ସଦସ୍ୟ ହୋଇଥିଲେ ସରୋଜ। ଏକ ଘରୋଇ ଟିଭି ଚ୍ୟାନେଲରେ ନିଜର ଏକ ଡ୍ୟାନସ ରିୟଲିଟି ସୋର ହୋଷ୍ଟ ଥିଲେ ସରୋଜ ଖାନ।

ସରୋଜ ଖାନଙ୍କ ବିୟୋଗ ଯେ, ଭାରତୀୟ ସିନେମା ଜଗତ ପାଇଁ ଅପୂରଣୀୟ କ୍ଷତି। କିନ୍ତୁ ଦର୍ଶକଙ୍କ ମଧ୍ୟରେ ନିଜର ହିଟ୍ ନମ୍ବର ପାଇଁ ସର୍ବଦା ମନେ ରହିବେ ସରୋଜ ଖାନ ବା ବଲିଉଡର ‘ମାଷ୍ଟରଜୀ’।

Categories
ଆଜିର ଖବର ଜାତୀୟ ଖବର ମନୋରଂଜନ ସଂସ୍କୃତି

ଲୋକପ୍ରିୟ କୋରିୟଗ୍ରାଫର ସରୋଜ ଖାନଙ୍କ ହୃଦଘାତରେ ପରଲୋକ, ବଲିଉଡରେ ଶୋକର ଛାୟା

ମୁମ୍ବାଇ, ବଲିଉଡର ପ୍ରଖ୍ୟାତ ତଥା ଲୋକପ୍ରିୟ କୋରିୟଗ୍ରାଫର ସରୋଜ ଖାନଙ୍କ ଗତକାଲି ରାତିରେ ହୃଦଘାତରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ 71 ବର୍ଷ ବୟସ ହୋଇଥିଲା। ସେ ଗତ ମାସରେ ଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରିଥିଲେ। ଫଳରେ ତାଙ୍କୁ ମୁମ୍ବାଇସ୍ଥିତ ଗୁରୁ ନାନକ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ କୋଭିଡ19 ପରୀକ୍ଷା ମଧ୍ୟ କରାଯାଇଥିଲା। ହେଲେ ରିପୋର୍ଟ ନେଗେଟିଭ ଆସିଥିଲା।

ସରୋଜ ବଲିଉଡ ଏବଂ କେତେକ ଆଞ୍ଚଳିକ ଭାଷାର ଚଳଚିତ୍ରରେ କୋରିୟଗ୍ରାଫର ଭାବେ କାମ କରିଛନ୍ତି। ସେ ପ୍ରାୟ ଦୁଇ ହଜାରରୁ ଅଧିକ ଗୀତରେ ନୃତ୍ୟ ସଂଯୋଜନା କରିଛନ୍ତି। ମୁଖ୍ୟତଃ ଶ୍ରୀଦେବୀ ଅଭିନିତ ନାଗୀନା, ମିଃ ଇଣ୍ଡିଆ, ମାଧୁରୀଙ୍କ ଅଭିନିତ ତେଜାବ ପ୍ରଭୃତି ଚଳଚିତ୍ର ପାଇଁ ସେ ବେଶ ଲୋକପ୍ରିୟ। ସରୋଜ ଖାନ 1974 ମସିହାରେ ଗୀତା ମେରା ନାମ ଚଳଚିତ୍ରରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ।

ତାଙ୍କ ବିୟୋଗରେ ପୁରା ଚଳଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି।