Categories
ଆଜିର ଖବର ରାଜ୍ୟ ଖବର

ସର୍ଟସର୍କିଟରୁ ଦୋକାନରେ ଅଗ୍ନିକାଣ୍ଡ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଆଜି ସକାଳ ୬.୩୦ ସମୟରେ ବଡ଼ବଜାରରେ ଥବା ବୈକୁଣ୍ଣ ଭବନ ନିକଟସ୍ଥ ଶ୍ରୀରାମ ସିଜନ ଷ୍ଟୋରରେ ସର୍ଟ ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟି ପ୍ରାୟ ୫୦ ହଜାରରୁ ଉର୍ଦ୍ଧ୍ୱ ଟଙ୍କାର ସାମଗ୍ରୀ ଜଳିପୋଡ଼ି ପାଉଁଶ ହୋଇଯାଇଛି। ସୂଚନାଯୋଗ୍ୟ ଉକ୍ତ ଦୋକାନଟି ୩ ମହଲା ବିଶିଷ୍ଟ ହୋଇଥିବାବେଳେ ମଝି ମହଲାରେ ସକାଳୁ ଫ୍ୟାନରୁ ସର୍ଟସର୍କିଟ ହୋଇ ନିଆଁ ବାହାରି ଅନ୍ୟ ଆଡ଼କୁ ବ୍ୟାପିଥିଲା। ଫଳରେ ଦୋକାନ ମଧ୍ୟରେ ଥିବା ଦୁଇଜଣ କର୍ମଚାରୀ ପ୍ରାଣ ବିକଳରେ ବାହାରକୁ ବାହାରି ଆସିଥିଲେ।

ନିଆଁ ଲାଗିବା ବିଷୟ ମାଲିକ କେ. ପ୍ରଦୀପ କୁମାର ପାତ୍ର ଏବଂ ବ୍ରହ୍ମପୁର ଅଗ୍ନିଶମ ବିଭାଗକୁ ଜଣାଯାଇଥିଲା। ତୁରନ୍ତ ଫାୟାର ଅଧିକାରୀ ସନାତନ ମହାପାତ୍ରଙ୍କ ନେତୃତ୍ୱରେ ଦୁଇଟି ନିଆଁଲିଭା ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ସଂପୂର୍ଣ୍ଣ ଆହତ୍ତ କରିଥିଲେ। ଦୋକାନ ମଧ୍ୟରେ ଥିବା ବିଭିନ୍ନ ପ୍ରକାର ସିଜନ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଥିଲା। ଅଗ୍ନିଶମ ବିଭାଗର ତ୍ୱରିତ କାର୍ଯ୍ୟପନ୍ଥା ଯୋଗୁଁ ନିଆଁ କେଉଁଆଡ଼େ ବ୍ୟାପି ପାରିନଥିଲା ଏବଂ ବଡ଼ଧରଣର କ୍ଷୟକ୍ଷତିରୁ ରକ୍ଷା ପାଇଥିଲା। ନିଆଲିଭା ଟିମ୍‌ରେ ଅଗ୍ନିଶମ ବିଭାଗର ଅଧିକାରୀ ସନାତନ ମହାପାତ୍ରଙ୍କ ସହ ହାବିଲ୍‌ଦାର ପ୍ରଦୀପ୍ତ ମଲିକ, ଡ଼୍ରାଇଭର ଗୋପିନାଥ ନାୟକ, ରାଜେଶ ମଲିକ, ଗୁଲୁ ପାତ୍ର, ପ୍ରଦୀପ୍ତ ସ୍ୱାଇଁ, ଅଶୋକ ଭୋଳ, ଅରବିନ୍ଦ୍ର ପ୍ରଧାନ, ରଘୁନାଥ ସେଠୀ ପ୍ରମୁଖ ସାମିଲ ଥିଲେ।