Categories
ଆଜିର ଖବର

ଆଜିଠୁ ପ୍ରଧାନମନ୍ତ୍ରୀଙ୍କ ଗୁଜରାଟ ଗସ୍ତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୩୦-୩୧ରେ ଗୁଜରାଟ ଗସ୍ତ କରିବେ । ୩୦ ତାରିଖ ପୂର୍ବାହ୍ନ ପ୍ରାୟ ସାଢ଼େ ଦଶଟା ବେଳେ ସେ ଅମ୍ବାଜୀ ମନ୍ଦିରରେ ଦର୍ଶନ ସହ ପୂଜାର୍ଚ୍ଚନା କରିବେ । ପରେ ପରେ ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ ସେ ମେହେଶାନାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ । ୩୧ ତାରିଖ ସକାଳ ଆଠଟାରେ ଶ୍ରୀ ମୋଦୀ କେଭାଡିଆ ଯାଇ ଏକତା ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ସେଠାରେ ରାଷ୍ଟ୍ରୀୟ ଏକତା ଦିବସ ସମାରୋହରେ ଯୋଗଦେବେ । ସେ ମଧ୍ୟ ସେଠାରେ କେତେକ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ଉଦଘାଟନ ମଧ୍ୟ କରିବେ । ପରେ ପରେ ସେ ୯୮ତମ ଅଧିକାରୀମାନଙ୍କ ୯୮ତମ ସାଧାରଣ ମୂଳଦୁଆ ପାଠ୍ୟକ୍ରମ ଆରମ୍ଭ ୫.୦ରେ ଉଦବୋଧନ ଦେବେ ।

ମେହେଶାନାରେ ପ୍ରଧାନମନ୍ତ୍ରୀ

ରେଳ, ସଡ଼କ, ପାନୀୟଜଳ ଓ ଜଳସେଚନ ଇତ୍ୟାଦି କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ପ୍ରାୟ ୫୮୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ ମେହେଶାନାରେ ସମ୍ପନ୍ନ କରିବେ ।

ଉଦଘାଟିତ ହେବାକୁ ଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରେ ରହିଛି ନ୍ୟୁ ଭାଣ୍ଡୁ- ନ୍ୟୁ ସନନ୍ଦ (ଏନ) ପଶ୍ଚିମ ଉତ୍ସର୍ଗୀକୃତ ମାଲ ପରିବହନ କରିଡର (ଡବ୍ଲୁଡିଏଫଆଇ); ବିରମଗମ-ସମାଖିଆଲୀ ରେଳପଥ, କୋଟଶାନ ରୋଡ- ବେଚାଜୀ ମାରୁତୀ ସୁଜିକୀ ଇଣ୍ଡିଆ ଲିମିଟେଡ (ଏମଏସଆଇଏଲ ସାଇଡିଂ) ରେଳ ପ୍ରକଳ୍ପ, ମେହେଶାନା ଓ ଗାନ୍ଧୀ ନଗର ଜିଲ୍ଲାର ବିଜାପୁର ଓ ମନସା ତାଲୁକାର ବିଭିନ୍ନ ଗ୍ରାମ୍ୟ ପୋଖରୀଗୁଡ଼ିକୁ ଜଳଯୋଗାଣ ପ୍ରକଳ୍ପ, ମେହେଶାନା ଜିଲ୍ଲାର ସାବରମତୀ ନଦୀରେ ବାଲିସନା ନଦୀବନ୍ଧ ଯୋଜନା, ପାଲାନପୁର ଓ ବାନଶକଣ୍ଟାରେ ପାନୀୟଜଳ ଯୋଗାଣ ଦୁଇଟି ଯୋଜନା । ଧରୋଇ ବନ୍ଧ ଉପରେ ନିର୍ଭରଶୀଳ ପାଲାନପୁର ଜୀବନରେଖା ପ୍ରକଳ୍ପ, ହେଡ ୱାର୍କ (ଏଚଡବ୍ଲୁ) ଓ ୮୦ ଏମଏଲଡି ସାମର୍ଥ୍ୟଯୁକ୍ତ ଜଳ ବିଶୋଧନ ପ୍ରକଳ୍ପ ଇତ୍ୟାଦି ।

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଶିଳାନ୍ୟାସ ହେବାକୁ ଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରେ ରହିଛି ମହୀସାଗର ଜିଲ୍ଲାର ସାମନ୍ତରାପୁର ତାଲୁକାରେ ଜଳସେଚନ ପ୍ରକଳ୍ପ, ନରୋଦା-ଦେହଗାମ, ହରସୋଲ-ଧନସୁରା ରୋଡ, ସବରକଣ୍ଟା ରାସ୍ତାର ପ୍ରଶସ୍ତୀକରଣ, ଗାନ୍ଧୀ ନଗର ଜିଲ୍ଲାରେ କୋଲୋଲ ନଗରପାଳିକା ବର୍ଜ୍ୟ ପରିଚାଳନା, ସିନ୍ଧପୁରା (ପାଟନ) ପାଲନପୁର (ବାନଶକଣ୍ଟା) ଜୟେଡ଼ା (ଆରାବଳୀ) ଓ ବଡ଼ନଗର (ମେହେଶାନା)ରେ ବର୍ଜ୍ୟବସ୍ତୁ ନିଷ୍କାସନ ପରିଚାଳନା ପ୍ରକଳ୍ପ ଇତ୍ୟାଦି ଅନ୍ତର୍ଭୁକ୍ତ ।

କେଭାଡିଆରେ ପ୍ରଧାନମନ୍ତ୍ରୀ

ଦେଶର ଏକତା, ସଂହତି ଓ ସୁରକ୍ଷାକୁ ଆହୁରି ମଜଭୁତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଦିବସକୁ ରାଷ୍ଟ୍ରୟୀ ଏକତା ଦିବସ ଭାବେ ପାଳନ କରିବାକୁ ଐତିହାସିକ ନିଷ୍ପତ୍ତି ହୋଇଛି ।

ଅକ୍ଟୋବର ୩୧ ତାରିଖ ଦିନ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ଏକତା ଦିବସ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ । ବିଏସଏଫ ଓ ରାଜ୍ୟ ପୁଲିସ ବଳଙ୍କ ଦ୍ୱାରା ଆୟୋଜିତ ରାଷ୍ଟ୍ରୀୟ ଏକତା ଦିବସ ପରେଡରେ ଶ୍ରୀ ମୋଦୀ ନିରୀକ୍ଷଣ କରିବେ । ମହିଳା ବାଇକରଙ୍କ ଦ୍ୱାରା ପ୍ରଦର୍ଶିତ ହେବାକୁ ଥିବା ଦୁଃସାହସିକ କ୍ରୀଡ଼ା କୌଶଳ ପ୍ରଦର୍ଶନ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଥିବା ବେଳେ, ବିଏସଏଫର ମହିଳା ପାଇପ୍ ବ୍ୟାଣ୍ଡ, ଗୁଜରାଟ ମହିଳା ପୁଲିସ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମ, ସ୍ୱତନ୍ତ୍ର ଏନସିସି ପ୍ରଦର୍ଶନୀ ଭାରତୀୟ ବାୟୁସେନାର ଉଡ଼ାଣ କୌଶଳ ଓ ଆର୍ଥିକ ସଶକ୍ତ ଗ୍ରାମ ପ୍ରଦର୍ଶନୀ ଇତ୍ୟାଦି ଅନ୍ତର୍ଭୁକ୍ତ ।

କେଭାଡିଆରେ ପ୍ରଧାନମନ୍ତ୍ରୀ ୧୬୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ । ଯେଉଁ ପ୍ରକଳ୍ପଗୁଡ଼ିକ ଉଦଘାଟିତ ହେବ ସେଗୁଡ଼ିକ ମଧ୍ୟରେ ରହିଛି ଏକତା ନଗରରୁ ଅହମ୍ମଦାବାଦ ଐତିହ୍ୟ ଟ୍ରେନ, ଜୀବନ୍ତ ନର୍ମଦା ଆରତି ପ୍ରକଳ୍ପ, କମଳମ ଉଦ୍ୟାନ, ଏକତା ପ୍ରତିମୂର୍ତ୍ତି ନିକଟରେ ଚଲାପଥ, ୩୦ଟି ନୂତନ ଇ-ବସ, ୨୧୦ ଇ-ବାଇ ସାଇକେଲ ଓ ଅନେକ ଗଲ୍ଫ କାର୍ଟସ ଏକତା ନଗରରେ ଗ୍ୟାସ ବିତରଣ ବ୍ୟବସ୍ଥା, ଗୁଜରାଟ ରାଜ୍ୟ ସମବାୟ ବ୍ୟାଙ୍କର ସରକାରୀ ଭବନ । ଏହାଛଡ଼ା ପ୍ରଧାନମନ୍ତ୍ରୀ ଉପଜିଲ୍ଲା ହସ୍ପିଟାଲ (ଟ୍ରମା କେନ୍ଦ୍ର ସହ) ଓ କେଭାଡିଆରେ ସୌର ପ୍ୟାନେଲର ମଧ୍ୟ ଶିଳାନ୍ୟାସ କରିବେ ।

ପ୍ରଧାନମନ୍ତ୍ରୀ ମଧ୍ୟ ଆରମ୍ଭ ୫.୦ର ସମାବର୍ତ୍ତନ ସମାରୋହରେ ୯୮ତମ ସାଧାରଣ ମୂଳଦୁଆ ତାଲିମ ଅଧିକାରୀମାନଙ୍କୁ ସମ୍ବୋଧିତ କରିବେ । ଆରମ୍ଭର ପଞ୍ଚମ ସଂସ୍କରଣ ଧ୍ୱଂସାତ୍ମକ ଶକ୍ତି ହ୍ରାସ ପାଇଁ ଉଦ୍ୟମ । ଧ୍ୱଂସଲୀଳା ଯୋଗୁ ଅନେକ କ୍ଷତି ହେବା ସହ ଏହାକୁ ରୋକାଯାଇ ପାରିଲେ ବର୍ତ୍ତମାନ ଓ ଭବିଷ୍ୟତରେ ପ୍ରଶାସିନିକ କାର୍ଯ୍ୟରେ ସୁଗମତା ଆସିପାରିବ । ଏହି ୯୮ତମ ମୂଳଦୁଆ ତାଲିମର ବାର୍ତ୍ତା ହେଉଛି ‘ମେ ନହିଁ ତୁମ’ । ଏଥିରେ ୫୬୦ ଜଣ ଅଧିକାରୀ ଦେଶର ବିଭିନ୍ନ ଲୋକସେବା କ୍ଷେତ୍ର ଓ ଭୂଟାନରୁ ତିନିଜଣ ଅଧିକାରୀ ତାଲିମ କରିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟବ୍ୟାପୀ ପାଳିତ ହେଲା ରାଷ୍ଟ୍ରୀୟ ଏକତା ଦିବସ

ଭୁବନେଶ୍ୱର: ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଉପଲକ୍ଷେ ରାଜ୍ୟର ବିଭିନ୍ନ ସ୍ଥାନରେ ରାଷ୍ଟ୍ରୀୟ ଏକତା ଦିବସ ସମାରୋହ ପାଳିତ ହୋଇଯାଇଛି। ଏହି କ୍ରମରେ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଏବଂ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି) ପକ୍ଷରୁ ରାଜ୍ୟବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ସିବିସିର ବାଲେଶ୍ୱର କ୍ଷେତ୍ର କାର୍ଯ୍ୟାଳୟ ପକ୍ଷରୁ ରେମୁଣା ବ୍ଲକ ସରସ୍ୱତୀପୁର ୟୁଜିୟୁପି ବିଦ୍ୟାଳୟ ଠାରେ ରାଷ୍ଟ୍ରୀୟ ଏକତା ଦିବସ ସମାରୋହ ଏବଂ ଆଜାଦୀ କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଲୌହମାନବ ସର୍ଦ୍ଦାର ପଟେଲଙ୍କ ଜୟନ୍ତୀ ଅବସରରେ ଜନସାଧାରଣଙ୍କ ମଧ୍ୟରେ ରାଷ୍ଟ୍ରୀୟ ଏକତା ଏବଂ ଅଖଣ୍ଡତାର ବାର୍ତ୍ତା ପ୍ରଚାର କରିବା ଉଦ୍ଦେଶ୍ୟରେ ସୋମବାର ସକାଳୁ ଏକତା ଗଣଦୌଡ଼ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ସର୍ଦ୍ଦାର ପଟେଲଙ୍କ ଜୀବନୀକୁ ନେଇ ଏକ ଫଟୋଚିତ୍ର ପ୍ରଦର୍ଶନୀ ମଧ୍ୟ ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ସ୍କୁଲ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଜନସାଧାରଣ ଉତ୍ସାହର ସହ ସାମିଲ ହୋଇଥିଲେ।

ଅନ୍ୟପକ୍ଷରେ ସିବିସି କେନ୍ଦୁଝର ଶାଖା କାର୍ଯ୍ୟାଳୟ ଆନୁକୂଲ୍ୟରେ ଜିଲ୍ଲାର ମଇଦାଁକେଲ ଗ୍ରାମପଞ୍ଚାୟତରେ ରାଷ୍ଟ୍ରୀୟ ଏକତା ଦିବସ ଏବଂ ସଚେତନତା ଶୋଭାଯାତ୍ରା ମଧ୍ୟ ଆୟୋଜନ କରାଯାଇଥିଲା। ଏଥିରେ ବହୁସଂଖ୍ୟାରେ ସ୍ଥାନୀୟ ଜନସାଧାରଣ ଯୋଗ ଦେଇ ରାଷ୍ଟ୍ରୀୟ ଏକତା ଓ ଅଖଣ୍ଡତାର ଶପଥପାଠ କରିଥିଲେ।

ଏକତା ଦିବସରେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରସ୍ଥିତ ଡେକାନ ଜୁନିଅର କଲେଜ ପରିସରରେ ଏକତା ଗଣଦୌଡ଼, ଏକତା ଶୋଭାଯାତ୍ରା ଏବଂ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଅମ୍ବାଗଡ଼ ଗାଁରେ ଏକ ବିଶାଳ ମାନବଶୃଙ୍ଖଳ ଗଢ଼ା ଯାଇଥିଲା। ଏଥିରେ ଅଂଶଗ୍ରହଣକାରୀମାନେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଏକତାର ଭାବନା ପ୍ରସାର କରିଥିଲେ। ବ୍ରହ୍ମପୁରସ୍ଥିତ ସିବିସି କ୍ଷେତ୍ର କାର୍ଯ୍ୟାଳୟ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ସେହିପରି କୋରାପୁଟ ଜିଲ୍ଲା ସେମିଳିଗୁଡ଼ା କଲେଜ ଏନଏସଏସ ୟୁନିଟ୍‌ ପକ୍ଷରୁ ଭାରତ ରତ୍ନ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ପାଳନ କରାଯାଇଥିଲା। ଏଥିରେ ବହୁସଂଖ୍ୟାରେ କଲେଜ ଛାତ୍ରଛାତ୍ରୀ, ଅଧ୍ୟକ୍ଷ, ଅଧ୍ୟାପକ ଓ ଅଧ୍ୟାପିକାମାନେ ଯୋଗ ଦେଇଥିଲେ।

ଅନ୍ୟପକ୍ଷରେ ବଲାଙ୍ଗିର ଜିଲ୍ଲା ଛତାପିପଲ ଠାରେ ରାଷ୍ଟ୍ରୀୟ ଏକତା ଦିବସ ସମାରୋହ ଏବଂ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ଭବାନୀପାଟଣା କ୍ଷେତ୍ର କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ପିଆଇବି ଓ ସିବିସି ଆଞ୍ଚଳିକ କାର୍ଯ୍ୟାଳୟ ଭୁବନେଶ୍ୱର ଠାରେ ଅଧିକାରୀ ମାନେ ଏକତା ଦିବସ ଶପଥ ପାଠ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ନୀଳଗିରି ଧୋବଶିଳାରେ ‘ଏକ ଭାରତ ଶ୍ରେଷ୍ଠ ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଲେଶ୍ୱର: ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଉପଲକ୍ଷେ ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ କ୍ଷେତ୍ର ଜନ ସମ୍ପର୍କ କାର୍ଯ୍ୟାଳୟ, ବାଲେଶ୍ୱର ଆନୁକୂଲ୍ୟରେ ନୀଳଗିରି ବ୍ଲକ୍ ଧୋବଶିଳା ଉଡ଼ା ପଡ଼ିଆ ଠାରେ “ଏକ ଭାରତ ଶ୍ରେଷ୍ଠ ଭାରତ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଦୁଇ ଦିନିଆ କାର୍ଯ୍ୟକ୍ରମର ପ୍ରଥମ ଦିନରେ ଆୟୋଜିତ କର୍ମଶାଳାକୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଉଦଘାଟନ କରିଥିଲେ।

ସମ୍ମାନିତ ଅତିଥି ଭାବେ ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ, ଭୁବନେଶ୍ୱରସ୍ଥିତ ପତ୍ର ସୂଚନା କାର୍ଯ୍ୟାଳୟ ଏବଂ ଆଞ୍ଚଳିକ ଜନ ସମ୍ପର୍କ କାର୍ଯ୍ୟାଳୟର ଅତିରିକ୍ତ ମହାନିର୍ଦ୍ଦେଶକ ରାଜିନ୍ଦର ଚୌଧୁରୀ, ସ୍ଥାନୀୟ ସରପଞ୍ଚ ମାଳତୀ ସିଂ, ପଞ୍ଚାୟତ ସମିତି ସଭ୍ୟା ଜୟନ୍ତୀ ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ। ଅତିଥି ବକ୍ତା ଭାବେ ନୀଳଗିରି ମହାବିଦ୍ୟାଳୟର ଇତିହାସ ଅଧ୍ୟାପିକା ମନ୍ଦାକିନୀ ଧଳ ଏବଂ ଜିଲ୍ଲା ପରିମଳ ପରାମର୍ଶଦାତା ପ୍ରଶାନ୍ତ କୁମାର ସାହୁ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅତିଥିମାନେ ମୁଖ୍ୟତଃ ‘ଏକ ଭାରତ ଶ୍ରେଷ୍ଠ ଭାରତ’ କାର୍ଯ୍ୟକ୍ରମର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ। ରାଜ୍ୟ-ରାଜ୍ୟ ମଧ୍ୟରେ ସୁସମ୍ପର୍କ, ଆପୋସ ଭାଇଚାରା ବଜାୟ ରଖିବା, ସାଂସ୍କୃତିକ ବିନିମୟ ଆଦି ଉପରେ ଅତିଥି ଓ ବକ୍ତାମାନେ ମତ ରଖିଥିଲେ। ଏହାବ୍ୟତୀତ ସ୍ୱଚ୍ଛ ଭାରତ ଅଭିଯାନ ସମ୍ପର୍କରେ ମଧ୍ୟ ଲୋକମାନଙ୍କୁ ସୂଚନା ଦିଆଯାଇଥିଲା।

ପ୍ରାରମ୍ଭରେ ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଏବଂ ଗ୍ରାମବାସୀମାନଙ୍କୁ ନେଇ ଏକତା ଗଣଦୌଡ଼ କାର୍ଯ୍ୟକ୍ରମ ଗୋପିନାଥପୁର ଛକରୁ ଆରମ୍ଭ କରାଯାଇଥିଲା। ଏହି ଏକତା ଦୌଡ଼କୁ ମୁଖ୍ୟ ଅତିଥି ବାଲେଶ୍ୱର ସାଂସଦ ଶ୍ରୀ ଷଡ଼ଙ୍ଗୀ ଏବଂ ବିଧାୟକ ଶ୍ରୀ ନାୟକ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଏଡିଜି ଶ୍ରୀ ଚୌଧୁରୀ ଏବଂ ଅନ୍ୟ ମାନ୍ୟଗଣ୍ୟ ଅତିଥିମାନେ ମଧ୍ୟ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମ ଅବସରରେ ଏକ ପ୍ରଶ୍ନୋତ୍ତର ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଯାଇଥିଲା। ଏଥିରେ କୃତକାର୍ଯ୍ୟ ହୋଇଥିବା ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ସେହିପରି ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଅଭିଯାନ ସମ୍ପର୍କରେ ଏକ ଫଟୋଚିତ୍ର ପ୍ରଦର୍ଶନୀ ମଧ୍ୟ ଆୟୋଜନ କରାଯାଇଥିଲା। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
କ୍ଷେତ୍ର ପ୍ରଚାର ଅଧିକାରୀ ନିର୍ମାଲ୍ୟ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଜୀବନ କୁମାର ସାମନ୍ତସିଂହାର ଧନ୍ୟବାଦ ଅର୍ପଣ କରିଥିଲେ। କ୍ଷେତ୍ର ଜନସମ୍ପର୍କ କାର୍ଯ୍ୟାଳୟର ଖଗେଶ ବାଇପାଇ, ମୁକନ୍ଦ ଦତ୍ତ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଆସନ୍ତାକାଲି ମଧ୍ୟ ଚିତ୍ରକଳା ପ୍ରଦର୍ଶନୀ, ବିଭିନ୍ନ ପ୍ରତିଯୋଗିତା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ।