Categories
ବିଶେଷ ଖବର ରାଜ୍ୟ ଖବର

ପୁଲିସ ବାହିନୀର କାର୍ଯ୍ୟଭାର ହ୍ରାସ କରିବାକୁ ପ୍ରଯୁକ୍ତିର ବ୍ୟବହାର ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

ଭୁବନେଶ୍ଵର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩୦ ନଭେମ୍ବରରୁ ୧ ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ ଭୁବନେଶ୍ୱରଠାରେ ପୁଲିସ ମହାନିର୍ଦ୍ଦେଶକ/ ମହାନିରୀକ୍ଷକମାନଙ୍କର ୫୯ତମ ସର୍ବଭାରତୀୟ ସମ୍ମିଳନୀରେ ଯୋଗ ଦେଇଛନ୍ତି।

ଉଦଯାପନୀ ଅଧିବେଶନରେ ପ୍ରଧାନମନ୍ତ୍ରୀ ଗୁଇନ୍ଦା ବିଭାଗର ଅଧିକାରୀମାନଙ୍କୁ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପୁଲିସ ପଦକ ବଣ୍ଟନ କରିଛନ୍ତି। ତାଙ୍କର ଉଦଯାପନୀ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ସମ୍ମିଳନୀରେ ସୁରକ୍ଷା ଆହ୍ୱାନର ଜାତୀୟ ଏବଂ ଅନ୍ତର୍ଜାତୀୟ ଦିଗ ଉପରେ ବ୍ୟାପକ ଆଲୋଚନା ହୋଇଛି। ଏହି ସମ୍ମିଳନୀର ଆଲୋଚନାରୁ ବାହାରିଥିବା ମୁକାବିଲା ରଣନୀତି ଉପରେ ସେ ସନ୍ତୋଷ ବ୍ୟକ୍ତ କରିଛନ୍ତି।

ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ଡିଜିଟାଲ ଠକେଇ, ସାଇବର ଅପରାଧ ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଏଆଇ ପ୍ରଯୁକ୍ତି କାରଣରୁ ସୃଷ୍ଟି ହେଉଥିବା ସମ୍ଭାବ୍ୟ ବିପଦ, ବିଶେଷକରି ସାମାଜିକ ଏବଂ ପାରିବାରିକ ସମ୍ପର୍କକୁ ବ୍ୟାହତ କରିବା ପାଇଁ ଅବିକଳ ନକଲ ବା ଡିପ୍‌ ଫେକର  ବ୍ୟବହାର ଆଶଙ୍କା ଉପରେ ଚିନ୍ତା ପ୍ରକଟ କରିଥିଲେ। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ‘ଆକାଂକ୍ଷୀ ଭାରତ’କୁ ନେଇ ଦେଶର ଦ୍ୱିଗୁଣିତ ଏଆଇ ଶକ୍ତିକୁ ଉପଯୋଗ କରି ଏହି ଆହ୍ୱାନକୁ ସୁଯୋଗରେ ପରିଣତ କରିବାକୁ ସେ ପୁଲିସ ନେତୃତ୍ୱଙ୍କୁ ଆହ୍ୱାନ ଦେଇଥିଲେ।

ସେ ସ୍ମାର୍ଟ ପୁଲିସ ପ୍ରଶାସନର ମନ୍ତ୍ରକୁ ଅଧିକ ବିସ୍ତାର କରିବା ସହ ପୁଲିସକୁ ରଣନୀତିକ, ନିଷ୍ଠାପର, ଅନୁକୂଳ, ବିଶ୍ୱସନୀୟ ଓ ସ୍ୱଚ୍ଛ ହେବାକୁ ଆହ୍ୱାନ ଦେଇଛନ୍ତି। ସହରାଞ୍ଚଳ ପୁଲିସ ବ୍ୟବସ୍ଥାରେ ଗ୍ରହଣ ଯାଇଥିବା ପଦକ୍ଷେପକୁ ପ୍ରଶଂସା କରି ଦେଶର ୧୦୦ଟି ସହରରେ ପ୍ରତ୍ୟେକ ପଦକ୍ଷେପକୁ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ କରିବାକୁ ସେ ପରାମର୍ଶ ଦେଇଥିଲେ। ପୁଲିସ ବାହିନୀର କାର୍ଯ୍ୟଭାର ହ୍ରାସ କରିବା ନିମନ୍ତେ ପ୍ରଯୁକ୍ତିର ବ୍ୟବହାର ପାଇଁ ସେ ଆହ୍ୱାନ ଦେବା ସହ ଥାନାକୁ ସମ୍ବଳ ଆବଣ୍ଟନର କେନ୍ଦ୍ର ବିନ୍ଦୁ କରିବାକୁ ପରାମର୍ଶ ଦେଇଥିଲେ।

କେତେକ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ କରିବାରେ ହ୍ୟାକାଥନର ସଫଳତା ବିଷୟରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଏକ ଜାତୀୟ ପୁଲିସ ହାକାଥନ ଆୟୋଜନ ଉପରେ ମଧ୍ୟ ବିଚାରବିମର୍ଶ କରିବାକୁ ପରାମର୍ଶ ଦେଇଥିଲେ। ବନ୍ଦର ସୁରକ୍ଷା ଉପରେ ଗୁରୁତ୍ୱ ଦେବା ଏବଂ ଏଥିପାଇଁ ଭବିଷ୍ୟତ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବାର ଆବଶ୍ୟକତା ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ।

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପ୍ରତି ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଅତୁଳନୀୟ ଅବଦାନକୁ ପ୍ରଧାନମନ୍ତ୍ରୀ ସ୍ମରଣ କରିଥିଲେ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟଠାରୁ ଆରମ୍ଭ କରି ଥାନା ସ୍ତର ପର୍ଯ୍ୟନ୍ତ ସମଗ୍ର ସୁରକ୍ଷା ପ୍ରତିଷ୍ଠାନରେ ଆସନ୍ତା ବର୍ଷ ତାଙ୍କର ୧୫୦ତମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାକୁ ଶ୍ରୀ ମୋଦୀ ଆହ୍ୱାନ ଦେଇଥିଲେ। ସେ କହିଥିଲେ, ପୁଲିସ ଭାବମୂର୍ତ୍ତି, ପେସାଦାର ମନୋଭାବରେ ସୁଧାର ଏବଂ ସାମର୍ଥ୍ୟ ବିକାଶ ପାଇଁ ଲକ୍ଷ୍ୟ ନିର୍ଦ୍ଧାରଣ ଓ ହାସଲ କରାଯାଇପାରିଲେ ସର୍ଦ୍ଦାର ପଟେଲଙ୍କୁ ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ମିଳିପାରିବ। ‘ବିକଶିତ ଭାରତ’ର ପରିକଳ୍ପନା ସହ ନିଜକୁ ଆଧୁନିକୀକରଣ ଓ ପୁନର୍ଗଠନ କରିବାକୁ ସେ ପୁଲିସ ବାହିନୀକୁ ଆହ୍ୱାନ ଦେଇଥିଲେ।

ଏହି ସମ୍ମିଳନୀରେ ଆତଙ୍କବାଦ ମୁକାବିଲା, ବାମପନ୍ଥୀ ଉଗ୍ରବାଦ, ସାଇବର ଅପରାଧ, ଆର୍ଥିକ ନିରାପତ୍ତା, ପ୍ରବାସନ, ଉପକୂଳ ସୁରକ୍ଷା ଏବଂ ନିଶା କାରବାର ସମେତ ଜାତୀୟ ନିରାପତ୍ତା ସହ ଜଡ଼ିତ ବର୍ତ୍ତମାନ ଏବଂ ଭବିଷ୍ୟତର ଆହ୍ୱାନ ଉପରେ ଗଭୀର ଆଲୋଚନା ହୋଇଥିଲା। ବାଂଲାଦେଶ ଏବଂ ମିଆଁମାର ସୀମାରେ ଉପୁଜିଥିବା ନିରାପତ୍ତା ସମସ୍ୟା, ସହରାଞ୍ଚଳ ପୁଲିସର ଧାରା ଏବଂ ମନ୍ଦ ଉଦ୍ଦେଶ୍ୟପୂର୍ଣ୍ଣ ଗୁଜବ ସୃଷ୍ଟି ଭଳି ସମସ୍ୟାର ମୁକାବିଲା ପାଇଁ ରଣନୀତି ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଏହାବ୍ୟତୀତ ନୂତନ ଭାବେ ପ୍ରଣୟନ ହୋଇଥିବା ତିନୋଟି ପ୍ରମୁଖ ଅପରାଧିକ ଆଇନର କାର୍ଯ୍ୟକାରିତା, ପଦକ୍ଷେପ ଏବଂ ପୁଲିସରେ ସର୍ବୋତ୍ତମ ଅଭ୍ୟାସ ତଥା ପଡ଼ୋଶୀ ଅଞ୍ଚଳର ସୁରକ୍ଷା ସ୍ଥିତିର ସମୀକ୍ଷା କରାଯାଇଥିଲା। ପ୍ରଧାନମନ୍ତ୍ରୀ ସମ୍ମିଳନୀର କାର୍ଯ୍ୟକାଳ ସମୟରେ ମୂଲ୍ୟବାନ ଦୃଷ୍ଟିକୋଣ ଉପସ୍ଥାପନ କରିଥିଲେ ଏବଂ ଭବିଷ୍ୟତ ପାଇଁ ଏକ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିଥିଲେ।

ଏହି ସମ୍ମିଳନୀରେ କେନ୍ଦ୍ର ଗୃହମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, ଜାତୀୟ ସୁରକ୍ଷା ପରାମର୍ଶଦାତା, ଗୃହ ରାଷ୍ଟ୍ର ମନ୍ତ୍ରୀ ଏବଂ କେନ୍ଦ୍ର ଗୃହ ସଚିବ ପ୍ରମୁଖ ଉପସ୍ଥିତ ଥିଲେ। ହାଇବ୍ରିଡ୍ ଫର୍ମାଟରେ ଅନୁଷ୍ଠିତ ଏହି ସମ୍ମିଳନୀରେ ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ପୁଲିସ ମହାନିର୍ଦ୍ଦେଶକ/ମହାନିରୀକ୍ଷକ ଏବଂ ସିଏପିଏଫ/ସିପିଓର ମୁଖ୍ୟମାନେ ବ୍ୟକ୍ତିଗତ ଭାବେ ଯୋଗ ଦେଇଥିଲେ। ଏହାବ୍ୟତୀତ ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ବିଭିନ୍ନ ବରିଷ୍ଠ ପାହ୍ୟାର ପ୍ରାୟ ୭୫୦ରୁ ଅଧିକ ଅଧିକାରୀ ଆଭାସୀ ମାଧ୍ୟମରେ ସମ୍ମିଳନୀରେ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଟ୍ରେଡ ୟୁନିଅନ ସେଣ୍ଟର ଅଫ୍ ଇଣ୍ଡିଆର ୧୦ ସର୍ବଭାରତୀୟ ସମ୍ମିଳନୀ ଉଦଯାପିତ

ଭୁବନେଶ୍ୱର: ଟ୍ରେଡ ୟୁନିଅନ ସେଣ୍ଟର ଅଫ୍ ଇଣ୍ଡିଆର ତିନି ଦିନିଆ ୧୦ମ ସର୍ବଭାରତୀୟ ସମ୍ମିଳନୀର ଭୁବନେଶ୍ୱର ଗତ ୨୭ ଜାନୁୟାରୀ ଠାରୁ ଆରମ୍ଭ ୨୯ ଜାନୁୟାରୀ ପର୍ଯ୍ୟନ୍ତ ସଫଳତାର ସହ ଲୋହିଆ ଏକାଡେମୀ ଠାରେ ଶ୍ରମଜୀବିଙ୍କ ଲାଲ୍ ଝଣ୍ଡାଙ୍କ ନବ ନିର୍ବାଚିତ ସର୍ବଭାରତୀୟ ସଭାପତି ସାବି ଜୋଶେଫ ଅବତରଣ କରି ସମ୍ମିଳନୀର ଉଦଯାପିତ ହୋଇଥିବା ଘୋଷଣା କରିଥିଲେ। ଏହି ସମ୍ମିଳନୀ ୪୧ ଜଣ ସାଧାରଣ ପରିଷଦ, ୨୧ ଜଣ କେନ୍ଦ୍ରୀୟ କମିଟିକୁ ନିର୍ବାଚିତ କରିଛି।

ସର୍ବଭାରତୀୟ ସଭାପତି ସାବି ଜୋଶେଫ, ଉପ ସଭାପତି ଲାଭ ସିଂ, ଉପ ସଭାପତି ଉର୍ମିଳା,, ସମ୍ପାଦକ ଅମିର ଅଲ୍ଲୀ, ସମ୍ପାଦକ ଶଙ୍କର ଇନକିଲାବ, ସମ୍ପାଦକ ଅଞ୍ଜୁ, କୋଷାଧ୍ୟକ୍ଷ ଡି କେ ଲିଙ୍ଗାସୁର ନିର୍ବାଚିତ ହୋଇଛନ୍ତି। ୧୨ ଟି ରାଜ୍ୟର ଶ୍ରମିକ ଆନ୍ଦୋଳନ ର ପ୍ରତିନିଧି ସାମିଲ ହୋଇଥିଲେ। ଭୁବନେଶ୍ୱର ଲୋହିଆ ଏକାଡେମୀ (କମ୍ରେଡ ଶିବରାମ- କମ୍ରେଡ ଶର୍ମିଷ୍ଠା ନଗର) ନାମରେ ନାମିତ କରାଯାଇଥିଲା। ଶ୍ରମଜୀବି ଜନଗଣଙ୍କ ଏକତା ଓ ଅଧିକାର ପାଇଁଁ ଜାତିପ୍ରଥା ବିରୋଧରେ, ଠିକା ଶ୍ରମ ପ୍ରଥା ଉଚ୍ଛେଦ କରି ସ୍ଥାୟୀ ନିଯୁକ୍ତି, କର୍ପୋରେଟ ପୁଞ୍ଜି ଓ ଆର୍ ଏସ୍ ଏସ୍ ନେତୃତ୍ବ ହିନ୍ଦୁତ୍ୱ ଫାସିବାଦ ବିରୁଦ୍ଧରେ ସଂଗଠିତ ଓ ଅସଂଗଠିତ ଶ୍ରମିକ ଶ୍ରେଣୀର ଐକ୍ୟ ପ୍ରତିଷ୍ଠା ପାଇଁ ଆହ୍ବାନ ଦେବା ସହ ଶ୍ରେଣୀ ଓ ଜାତିଗତ ସାମାଜିକ ଶୋଷଣ ବିରୁଦ୍ଧରେ ଜୋରଦାର ସଂଘର୍ଷ କରିବା ପାଇଁ ନବ ନିର୍ବାଚିତ ସର୍ବଭାରତୀୟ ସାଧାରଣ ସମ୍ପାଦକ ଆର୍ ମାନସାୟା ଆହ୍ବାନ ଦେଇଛନ୍ତି। ୧୦ମ ସର୍ବଭାରତୀୟ ସମ୍ମିଳନୀ କୁ ସି.ପି.ଆଇ(ଏମ୍ ଏଲ୍) ରେଡଷ୍ଟାର ସାଧାରଣ ସମ୍ପାଦକ ଉଦଘାଟନ କରିଥିବା ବେଳେ ସମ୍ବର୍ଦ୍ଧନା ସମିତି ର ଅଧ୍ୟକ୍ଷ ର ପ୍ରଫୁଲ୍ଲ ସାମନ୍ତରା ସମସ୍ତ ପ୍ରତିନିଧି ଓ ଆମନ୍ତ୍ରିତ ସାଥୀ ଙ୍କୁ ଭବ୍ୟ ସ୍ଵାଗତ ପ୍ରଦାନ କରିଥିଲେ ।

ଟ୍ରେଡ ୟୁନିଅନ ସେଣ୍ଟର ଅଫ୍ ଇଣ୍ଡିଆ ର ଚିଠା କାର୍ଯ୍ୟକ୍ରମ, କେନ୍ଦ୍ରୀୟ ରିପୋର୍ଟ ତଥା ସାମ୍ପ୍ରତିକ ପରିସ୍ଥିତି ବିଷୟରେ କେତେକ ନିର୍ଧାରଣ ଗୃହୀତ ହୋଇଯାଇଛି।
ସମ୍ମିଳନୀ ମଧ୍ୟରେ କର୍ପୋରେଟ ନବ୍ୟ ଫାସିବାଦ ର ଆକ୍ରମଣ ଓ ଶ୍ରମଜୀବି ଜନଗଣ ସମ୍ମୁଖରେ ଆହ୍ବାନ ଶୀର୍ଷକ ଅନ୍ତର୍ଜାତୀୟ ବିଷୟବସ୍ତୁକୁ ନେଇ ହୋଇଥିବା ଆଲୋଚନା ଚକ୍ରରେ ନେପାଳ ର ବିପ୍ଳବୀ ଶ୍ରମିକ ସଂଗଠନ ର ବିନୋଦ କୁମାର ଥାପା, ମାନବାଧିକାର କର୍ମୀ ବିଶ୍ବପ୍ରିୟ କାନୁନଗୋ, ସାମାଜିକ କର୍ମୀ ରଞ୍ଜନା ପାଢ଼ୀ, ଟିୟୁସିଆଇ ର କମ୍ରେଡ ପାର୍ବତୀ, ସି.ପି.ଆଇ,(ଏମ୍ ଏଲ୍) ରେଡଷ୍ଟାର ପଲିଟିବ୍ୟୁରୋ ସଦସ୍ୟ କମ୍ରେଡ ଶଙ୍କର, ନେପାଳ ଭ୍ରାତୁପ୍ରତିମ ସଂଗଠନ ର ପ୍ରତିନିଧି ଇଶ୍ଵର ପ୍ରସାଦ ତିମଳସିନା ଆଲୋଚନା ରେ ଅଂଶଗ୍ରହଣ କରିଥିବା ବେଳେ ଅମିର ଅଲ୍ଲୀ ଅଧ୍ୟକ୍ଷତା କରିଥିଲେ।

କ୍ରାନ୍ତିକାରୀ ସାଂସ୍କୃତିକ ମଞ୍ଚ ର ଅସୀମ ଗିରି, ତୁହିନ, ହେନା, ନିରଞ୍ଜନ, ଜାନକୀ, ଗଂଗାଧର, କୈଳାଶ, ହେମା ଭାରତୀ ଆଦି ବିପ୍ଳବୀ ସାଂସ୍କୃତିକ ନୃତ୍ୟ ଓ ଗୀତ ପରିବେଷଣ କରିଥିଲେ।
ସର୍ବଭାରତୀୟ ସମ୍ମିଳନୀରେ କର୍ପୋରେଟ ଫାସିବାଦ ଦ୍ବାରା ଆସିଥିବା ଶ୍ରମିକ ବିରୋଧୀ ୪ ଶ୍ରମ ସଂହିତା ର ପ୍ରତ୍ୟାହାର, ୩୧ହଜାର ଟଙ୍କାର ସର୍ବନିମ୍ନ ମଜୁରି, ଦୈନିକ କାର୍ଯ୍ୟଦିବସ ୫ ଘଣ୍ଟାକୁ ସୀମିତ କରିବା, ସମସ୍ତ କ୍ଷେତ୍ରର ମହିଳା ଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ, ମନରେଗା ଶ୍ରମିକଙ୍କ ପାଇଁ ଦେଶବ୍ୟାପୀ ଗୋଟିଏ ମଜୁରୀ ବ୍ୟବସ୍ଥା ସହ ଶ୍ରମିକ, କୃଷକ, ଆଦିବାସୀ, ମହିଳା ତଥା ଶୋଷିତ ବର୍ଗ ବିରୋଧୀ ନୀତି ପ୍ରତ୍ୟାହାର କରି ଯୁବାଙ୍କ ନିଯୁକ୍ତି, ସମ୍ବିଧାନ ର ସୁରକ୍ଷା ସହ ଶ୍ରମଜୀବି ଜନଗଣ ଙ୍କ ଅଧିକାର ହାସଲ ପାଇଁ ଶ୍ରମଜୀବି ଜନଗଣ ଆଗେଇ ଆସିବା ପାଇଁ ଟିୟୁସିଆଇ ୧୦ମ ସର୍ବଭାରତୀୟ ସମ୍ମିଳନୀ ଅନେକ ନିଷ୍ପତ୍ତି ଗ୍ରହଣ କରିଛି। ସମ୍ମିଳନୀକୁ ସଫଳ କରିବା ପାଇଁ ସହଯୋଗକାରୀଙ୍କୁ ନବନିର୍ବାଚିତ କମିଟି ପକ୍ଷରୁ ଧନ୍ୟବାଦ ଅର୍ପଣ କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର

ପୋଲିସ ମହାନିର୍ଦ୍ଦେଶକ/ପୋଲିସ ମହାନିରୀକ୍ଷକଙ୍କ ସର୍ବଭାରତୀୟ ସମ୍ମିଳନୀରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାନୁଆରୀ ୬ ଏବଂ ୭, ୨୦୨୪ ରେ ଜୟପୁରସ୍ଥିତ ରାଜସ୍ଥାନ ଅନ୍ତର୍ଜାତୀୟ କେନ୍ଦ୍ରରେ ପୋଲିସ ମହାନିର୍ଦ୍ଦେଶକ / ଇନ୍ସପେକ୍ଟର ଜେନେରାଲମାନଙ୍କର ୫୮ତମ ସର୍ବଭାରତୀୟ ସମ୍ମିଳନୀରେ ଯୋଗ ଦେଇଥିଲେ ।

ନୂତନ ଫୌଜଦାରୀ ଆଇନ ପ୍ରଣୟନ ଉପରେ ଆଲୋଚନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଆଇନଗୁଡ଼ିକର ପ୍ରଣୟନ ଅପରାଧିକ ନ୍ୟାୟ ବ୍ୟବସ୍ଥାରେ ଏକ ଆଦର୍ଶ ପରିବର୍ତ୍ତନ।  ସେ ଗୁରୁତ୍ୱାରୋପ କରିଥିଲେ ଯେ ନୂତନ ଅପରାଧିକ ଆଇନଗୁଡ଼ିକ ‘ସିଟିଜେନ୍ ଫାଷ୍ଟ, ଡିଗ୍ନିଟି ଫର୍ଷ୍ଟ ଆଣ୍ଡ ଜଷ୍ଟିସ୍ ଫର୍ଷ୍ଟ’ର ଭାବନା ରେ ପ୍ରସ୍ତୁତ କରାଯାଇଥିଲା ଏବଂ ‘ଡଣ୍ଡା’ ସହିତ କାର୍ଯ୍ୟ କରିବା ପରିବର୍ତ୍ତେ ପୋଲିସକୁ ବର୍ତ୍ତମାନ ‘ଡାଟା’ ସହିତ କାମ କରିବା ର ଆବଶ୍ୟକତା ରହିଛି। ନୂତନ ଭାବେ ପ୍ରଣୟନ ହୋଇଥିବା ଆଇନ ପଛରେ ଥିବା ଭାବନାତ୍ମକ ଭାବନାକୁ ସମାଜର ବିଭିନ୍ନ ବର୍ଗରେ ପହଞ୍ଚାଇବା ପାଇଁ କଳ୍ପନାତ୍ମକ ଭାବରେ ଚିନ୍ତା କରିବାକୁ ପ୍ରଧାନମନ୍ତ୍ରୀ ପୋଲିସ ମୁଖ୍ୟମାନଙ୍କୁ ଆହ୍ୱାନ ଦେଇଥିଲେ । ନୂଆ ଅପରାଧିକ ଆଇନ ଅଧୀନରେ ମହିଳା ଓ ବାଳିକାମାନଙ୍କୁ ପ୍ରଦାନ କରାଯାଉଥିବା ଅଧିକାର ଏବଂ ସୁରକ୍ଷା ବିଷୟରେ ସଚେତନ କରିବା ଉପରେ ପ୍ରଧାନମନ୍ତ୍ରୀ ବିଶେଷ ଗୁରୁତ୍ୱାରୋପ କରିଥିଲେ । ମହିଳାମାନେ ଯେପରି ନିର୍ଭୟରେ ‘କଭି ଭି ଓ କହିଁ ଭି’ (ଯେକୌଣସି ସମୟରେ ଯେକୌଣସି ସ୍ଥାନରେ) କାମ କରିପାରିବେ, ସେଥିପାଇଁ ମହିଳା ସୁରକ୍ଷା ଉପରେ ଧ୍ୟାନ ଦେବାକୁ ସେ ପୁଲିସକୁ ଅନୁରୋଧ କରିଛନ୍ତି।

ନାଗରିକମାନଙ୍କ ମଧ୍ୟରେ ପୋଲିସର ସକାରାତ୍ମକ ଭାବମୂର୍ତ୍ତିକୁ ସୁଦୃଢ଼ କରିବାର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ନାଗରିକଙ୍କ ହିତ ପାଇଁ ସକାରାତ୍ମକ ସୂଚନା ଏବଂ ବାର୍ତ୍ତା ପ୍ରସାରଣ ପାଇଁ ଥାନା ସ୍ତରରେ ସୋସିଆଲ ମିଡିଆର ବ୍ୟବହାର ପାଇଁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ । ପ୍ରାକୃତିକ ବିପର୍ଯ୍ୟୟ ଏବଂ ବିପର୍ଯ୍ୟୟ ମୁକାବିଲା ସମ୍ପର୍କରେ ଆଗୁଆ ସୂଚନା ପ୍ରସାରଣ ପାଇଁ ସୋସିଆଲ ମିଡିଆର ବ୍ୟବହାର କରିବାକୁ ସେ ପରାମର୍ଶ ଦେଇଛନ୍ତି। ନାଗରିକ-ପୁଲିସ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ବିଭିନ୍ନ କ୍ରୀଡ଼ା କାର୍ଯ୍ୟକ୍ରମ ଆୟୋଜନ କରିବାକୁ ସେ ପରାମର୍ଶ ଦେଇଥିଲେ। ଏହି ସୀମାବର୍ତ୍ତୀ ଗ୍ରାମଗୁଡ଼ିକ ଭାରତର ‘ପ୍ରଥମ ଗାଁ’ ହୋଇଥିବାରୁ ସ୍ଥାନୀୟ ଜନସାଧାରଣଙ୍କ ସହ ଉତ୍ତମ ‘ସଂଯୋଗ’ ସ୍ଥାପନ କରିବା ପାଇଁ ସୀମାନ୍ତ ଗ୍ରାମଗୁଡିକରେ ରହିବାକୁ ସେ ସରକାରୀ ଅଧିକାରୀମାନଙ୍କୁ ଅନୁରୋଧ କରିଛନ୍ତି।

ଭାରତର ପ୍ରଥମ ସୌର ମିଶନ ଆଦିତ୍ୟ-ଏଲ-୧ର ସଫଳତା ଏବଂ ଭାରତୀୟ ନୌସେନା ଦ୍ୱାରା ଆରବ ସାଗରରେ ଅପହରଣ ହୋଇଥିବା ଜାହାଜରୁ ୨୧ ଜଣ କ୍ରୁ ମେମ୍ବରଙ୍କୁ ତୁରନ୍ତ ଉଦ୍ଧାର କରିବା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏଭଳି ସଫଳତା ଦର୍ଶାଉଛି ଯେ ଭାରତ ବିଶ୍ୱରେ ଏକ ପ୍ରମୁଖ ଶକ୍ତି ଭାବରେ ଉଭା ହେଉଛି । ସେ କହିଛନ୍ତି ଯେ ଆଦିତ୍ୟ-ଏଲ୍-୧ ର ସଫଳତା ଚନ୍ଦ୍ରଯାନ-୩ ମିଶନର ସଫଳତା ସହ ସମାନ। ସେ ମଧ୍ୟ ଭାରତୀୟ ନୌସେନାର ସଫଳ ଅପରେସନ ପାଇଁ ଗର୍ବ ପ୍ରକାଶ କରିଛନ୍ତି। ଦେଶର ଉନ୍ନତ ବୈଶ୍ୱିକ ପ୍ରୋଫାଇଲ୍ ଏବଂ ବଢୁଥିବା ଜାତୀୟ ଶକ୍ତି କୁ ଦୃଷ୍ଟିରେ ରଖି ଭାରତୀୟ ପୋଲିସ ୨୦୪୭ ସୁଦ୍ଧା ଏକ ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବା ପାଇଁ ନିଜକୁ ଏକ ଆଧୁନିକ ଏବଂ ବିଶ୍ୱସ୍ତରୀୟ ପୋଲିସ ବାହିନୀରେ ପରିଣତ କରିବା ଉଚିତ ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଉଲ୍ଲେଖନୀୟ ସେବା ପାଇଁ ପୋଲିସ ପଦକ ବିତରଣ କରିଥିଲେ ଏବଂ ଜୟପୁରରେ ତିନି ଦିନିଆ ଡିଜିଏସପି /ଆଇଜିଏସପି ସମ୍ମିଳନୀ ଉଦ୍‌ଯାପନ କରିଥିଲେ ।

ଏହି ସମ୍ମିଳନୀରେ କେନ୍ଦ୍ର ଗୃହମନ୍ତ୍ରୀ, ଜାତୀୟ ସୁରକ୍ଷା ପରାମର୍ଶଦାତା, ଗୃହ ରାଷ୍ଟ୍ରମନ୍ତ୍ରୀ, କେନ୍ଦ୍ର ଗୃହ ସଚିବ, ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ଡିଜିଏସପି/ଆଇଜିଏସପି ଏବଂ କେନ୍ଦ୍ରୀୟ ପୁଲିସ ସଂଗଠନ/କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀର ମୁଖ୍ୟମାନେ ଉପସ୍ଥିତ ଥିଲେ। ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦେଶର ବିଭିନ୍ନ ସ୍ଥାନରୁ ବିଭିନ୍ନ ପାହ୍ୟାର ୫୦୦ରୁ ଅଧିକ ପୁଲିସ ଅଧିକାରୀ ଯୋଗ ଦେଇ ହାଇବ୍ରିଡ୍ ମୋଡରେ ଏହି ସମ୍ମିଳନୀ ଆୟୋଜନ କରିଥିଲେ। ଏହି ସମ୍ମିଳନୀରେ ଜାତୀୟ ନିରାପତ୍ତାର ଗୁରୁତ୍ବପୂର୍ଣ୍ଣ ଉପାଦାନ ଯଥା ନୂତନ ଭାବେ ପ୍ରଣୟନ କରାଯାଇଥିବା ପ୍ରମୁଖ ଅପରାଧିକ ଆଇନ, ଆତଙ୍କବାଦ ମୁକାବିଲା ରଣନୀତି, ବାମପନ୍ଥୀ ଉଗ୍ରବାଦ, ଉଦୀୟମାନ ସାଇବର ବିପଦ, ବିଶ୍ୱବ୍ୟାପୀ ଆତଙ୍କବାଦ ବିରୋଧୀ ପଦକ୍ଷେପ ଇତ୍ୟାଦି ଉପରେ ଆଲୋଚନା ହୋଇଥିଲା।

Categories
ଆଜିର ଖବର ଜାତୀୟ ଖବର

ପୋଲିସ ମହାନିର୍ଦ୍ଦେଶକ/ପୋଲିସ ମହାନିରୀକ୍ଷକଙ୍କ ସର୍ବଭାରତୀୟ ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାନୁଆରୀ ୬-୭, ୨୦୨୪ରେ ଜୟପୁରସ୍ଥିତ ରାଜସ୍ଥାନ ଅନ୍ତର୍ଜାତୀୟ କେନ୍ଦ୍ରରେ ପୋଲିସ ମହାନିର୍ଦ୍ଦେଶକ / ଆଇଜିଙ୍କ ସର୍ବଭାରତୀୟ ସମ୍ମିଳନୀ ୨୦୨୩ରେ ଯୋଗଦେବେ।

ଜାନୁଆରି ୫ରୁ ୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି  ତିନି ଦିନିଆ ସମ୍ମିଳନୀରେ ସାଇବର କ୍ରାଇମ, ପୁଲିସିଂରେ ଟେକ୍ନୋଲୋଜି, ଆତଙ୍କବାଦ ମୁକାବିଲା ଚ୍ୟାଲେଞ୍ଜ, ବାମପନ୍ଥୀ ଉଗ୍ରବାଦ, ଜେଲ୍ ସଂସ୍କାର ସମେତ ବିଭିନ୍ନ ପୁଲିସ ଓ ଆଭ୍ୟନ୍ତରୀଣ ନିରାପତ୍ତା ପ୍ରସଙ୍ଗରେ ଆଲୋଚନା ହେବ। ଏହି ସମ୍ମିଳନୀର ଅନ୍ୟ ଏକ ପ୍ରମୁଖ ଏଜେଣ୍ଡା ହେଉଛି ନୂତନ ଅପରାଧିକ ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ରୋଡ୍ ମ୍ୟାପ୍ ଉପରେ ଆଲୋଚନା।

ଏହାବ୍ୟତୀତ ଏହି ସମ୍ମିଳନୀରେ ପୁଲିସ ଏବଂ ନିରାପତ୍ତା କ୍ଷେତ୍ରରେ ଭବିଷ୍ୟତଭିତ୍ତିକ ବିଷୟବସ୍ତୁ ଯଥା ଏଆଇ, ଡିପ୍ ଫେକ୍ ଇତ୍ୟାଦି ନୂତନ ଜ୍ଞାନକୌଶଳ ଦ୍ୱାରା ସୃଷ୍ଟି ହୋଇଥିବା ଆହ୍ୱାନ ଏବଂ ଏହାର ମୁକାବିଲାର ଉପାୟ ଉପରେ ମଧ୍ୟ ଆଲୋଚନା କରାଯିବ। ପ୍ରତିବର୍ଷ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଉପସ୍ଥାପିତ ହେଉଥିବା ପ୍ରଯୁଜ୍ୟ ଆକ୍ସନ ପଏଣ୍ଟଗୁଡ଼ିକୁ ଚିହ୍ନଟ କରିବା ଏବଂ ଏହାର ଅଗ୍ରଗତି ଉପରେ ନଜର ରଖିବାର ସୁଯୋଗ ମଧ୍ୟ ଏହି ସମ୍ମିଳନୀ ପ୍ରଦାନ କରିଥାଏ।

ଏହି  ସମ୍ମିଳନୀରେ ଜିଲ୍ଲା, ରାଜ୍ୟ ଓ ଜାତୀୟ ସ୍ତରର ପୁଲିସ ଓ ଗୁଇନ୍ଦା ଅଧିକାରୀମାନେ ଚିହ୍ନଟ ହୋଇଥିବା ବିଷୟବସ୍ତୁ ଉପରେ ବ୍ୟାପକ ଆଲୋଚନା କରିଛନ୍ତି। ଏହି ସମ୍ମିଳନୀରେ ପ୍ରତ୍ୟେକ ବିଷୟବସ୍ତୁ ଅଧୀନରେ ରାଜ୍ୟ/ କେନ୍ଦ୍ର ଶାସିତ ଅଞ୍ଚଳର ଶ୍ରେଷ୍ଠ ଅଭ୍ୟାସ ଉପସ୍ଥାପନ କରାଯିବ ଯାହା  ଦ୍ୱାରା ରାଜ୍ୟମାନେ ପରସ୍ପରଠାରୁ ଶିଖିପାରିବେ।

୨୦୧୪ରୁ ଡିଜିପି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଗଭୀର ଆଗ୍ରହ ଦେଖାଇଛନ୍ତି। ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ପ୍ରତୀକାତ୍ମକ ଉପସ୍ଥିତି ଭଳି ନହୋଇ, ସେ ସମ୍ମିଳନୀର ସମସ୍ତ ପ୍ରମୁଖ ଅଧିବେଶନରେ ଉପସ୍ଥିତ ରହୁଛନ୍ତି। ପ୍ରଧାନମନ୍ତ୍ରୀ କେବଳ ଧୈର୍ଯ୍ୟର ସହ ସମସ୍ତ ସୂଚନା ଶୁଣନ୍ତି ନାହିଁ, ବରଂ ମୁକ୍ତ ଏବଂ ଅନୌପଚାରିକ ଆଲୋଚନାକୁ ମଧ୍ୟ ପ୍ରୋତ୍ସାହିତ କରନ୍ତି ଯାହା ଦ୍ୱାରା ନୂତନ ଚିନ୍ତାଧାରା ଆସିପାରିବ। ଚଳିତ ବର୍ଷର ସମ୍ମିଳନୀରେ ଜଳଖିଆ, ମଧ୍ୟାହ୍ନ ଭୋଜନ ଏବଂ ରାତ୍ରୀ ଭୋଜନ ସମୟରେ ଆଲୋଚନା କରିବାକୁ ମଧ୍ୟ ଯୋଜନା କରାଯାଇଛି। ଏହା ଦ୍ୱାରା ବରିଷ୍ଠ ପୋଲିସ ଅଧିକାରୀମାନେ ଦେଶକୁ ପ୍ରଭାବିତ କରୁଥିବା ପ୍ରମୁଖ ପୋଲିସିଂ ଏବଂ ଆଭ୍ୟନ୍ତରୀଣ ନିରାପତ୍ତା ପ୍ରସଙ୍ଗ ଉପରେ ସେମାନଙ୍କ ମତାମତ ଏବଂ ସୁପାରିଶ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନ କରିବାର ସୁଯୋଗ ପାଇବେ।

ପ୍ରଧାନମନ୍ତ୍ରୀ ୨୦୧୪ ମସିହାରୁ ସମଗ୍ର ଦେଶରେ ବାର୍ଷିକ ଡିଜିପି ସମ୍ମିଳନୀ ଆୟୋଜନକୁ ପ୍ରୋତ୍ସାହିତ କରିଛନ୍ତି। ୨୦୧୪ ରେ ଗୌହାଟୀରେ ଏହି ସମ୍ମିଳନୀ ଆୟୋଜନ କରାଯାଇଥିଲା। ୨୦୧୫ରେ ଧୋର୍ଡୋ, କଚ୍ଛର ରଣ; ୨୦୧୬ ରେ ନ୍ୟାସନାଲ ପୋଲିସ ଏକାଡେମୀ, ହାଇଦ୍ରାବାଦ, ୨୦୧୭ ରେ ବିଏସଏଫ ଏକାଡେମୀ, ଟେକାନପୁର, ୨୦୧୮ରେ କେଭାଡିଆ; ଆଇଆଇଏସଇଆର, ୨୦୧୯ରେ ପୁନେ ; ୨୦୨୧ରେ ଲକ୍ଷ୍ନୌସ୍ଥିତ ପୁଲିସ ମୁଖ୍ୟାଳୟରେ; ଏବଂ ଜାତୀୟ କୃଷି ବିଜ୍ଞାନ କମ୍ପ୍ଲେକ୍ସ, ପୁସା, ଦିଲ୍ଲୀରେ ୨୦୨୩ ରେ ସମ୍ମିଳନୀ ହୋଇଥିଲା। ଏହି ପରମ୍ପରାକୁ ବଜାୟ ରଖି ଚଳିତ ବର୍ଷ ଜୟପୁରରେ ଏହି ସମ୍ମିଳନୀ ଆୟୋଜନ କରାଯାଉଛି।

ଏହି ସମ୍ମିଳନୀରେ କେନ୍ଦ୍ର ଗୃହମନ୍ତ୍ରୀ, ଜାତୀୟ ସୁରକ୍ଷା ପରାମର୍ଶଦାତା, ଗୃହ ରାଷ୍ଟ୍ରମନ୍ତ୍ରୀ, କ୍ୟାବିନେଟ୍ ସଚିବ, ଭାରତ ସରକାରଙ୍କ ବରିଷ୍ଠ ଅଧିକାରୀ, ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ଡିଜିପି ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ ଓ କେନ୍ଦ୍ରୀୟ ପୁଲିସ ସଂଗଠନର ମୁଖ୍ୟମାନେ ଯୋଗଦେବେ।