Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଟି-୨୦ କ୍ରିକେଟ: ପାୱାରପ୍ଲେରେ ସର୍ବାଧିକ ୱିକେଟ୍ ନେଇଥିବା ବୋଲର ହେଲେ ଭୁବନେଶ୍ୱର କୁମାର

ନୂଆଦିଲ୍ଲୀ: ଆୟର୍ଲାଣ୍ଡ ବିପକ୍ଷରେ ଖେଳାଯାଉଥିବା ଦୁଇ ମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭୂବନେଶ୍ୱର କୁମାର ଇତିହାସ ସୃଷ୍ଟି କରିଛନ୍ତି। ଟି-୨୦ କ୍ରିକେଟରେ ନିଜର ଚମତ୍କାର ପ୍ରଦର୍ଶନ ଜାରି ରଖି ଭୁବନେଶ୍ୱର କୁମାର ମ୍ୟାଚର ପ୍ରଥମ ଓଭରର ପଞ୍ଚମ ବଲରେ ଆୟର୍ଲାଣ୍ଡ ଅଧିନାୟକ ଆଣ୍ଡ୍ରିୟୁଙ୍କୁ ପ୍ୟାଭିଲିୟନକୁ ପଠାଇ ଦେଇଥିଲେ। ଏହା ସହ ଭୁବନେଶ୍ୱର କୁମାର ଟି-୨୦ ଇଣ୍ଟରନ୍ୟାସନାଲରେ ପାୱାରପ୍ଲେ ସମୟରେ ସର୍ବାଧିକ ୱିକେଟ୍ ନେଇଛନ୍ତି।

ନ୍ୟୁଜିଲ୍ୟାଣ୍ଡର ଦ୍ରୁତ ବୋଲର ଟିମ୍ ସାଉଦିଙ୍କୁ ପଛରେ ପକାଇ ଭୁବନେଶ୍ୱର କୁମାର ଏହି ପଦବୀ ହାସଲ କରିଛନ୍ତି। ପାୱାରପ୍ଲେରେ ଟିମ୍ ସାଉଦି ୩୩ ୱିକେଟ୍ ନେଇଛନ୍ତି। କିନ୍ତୁ ବର୍ତ୍ତମାନ ଭୁବନେଶ୍ୱର କୁମାର ଟି-୨୦ କ୍ରିକେଟରେ ପାୱାରପ୍ଲେ ସମୟରେ ୩୪ ୱିକେଟ୍ ନେଇଛନ୍ତି। ୱେଷ୍ଟଇଣ୍ଡିଜ୍‌ର ପୂର୍ବତନ ସ୍ପିନର ବଦ୍ରି ୩୩ ୱିକେଟ୍ ନେଇ ତୃତୀୟ ସ୍ଥାନରେ ଅଛନ୍ତି।

ଯଦିଓ ଭୁବନେଶ୍ୱର କୁମାର ମ୍ୟାଚରେ ଅଧିକ ୱିକେଟ୍ ନେବାରେ ସଫଳ ହୋଇନାହାଁନ୍ତି, କିନ୍ତୁ ସେ କଞ୍ଜୁସ ବୋଲିଂ କରିଥିଲେ। ଭୁବନେଶ୍ୱର କୁମାର ନିଜର ୩ ଓଭର ବୋଲିଂରେ ୧୬ ରନ୍ ଦେଇ ଗୋଟିଏ ୱିକେଟ୍ ନେଇଥିଲେ।

ତେବେ ଆୟର୍ଲାଣ୍ଡର ବ୍ୟାଟ୍ସମ୍ୟାନମାନେ ଭାରତର ବାକି ବୋଲରମାନଙ୍କୁ ଟାର୍ଗେଟ କରିବାକୁ କୌଣସି ସୁଯୋଗ ଛାଡି ନାହାଁନ୍ତି। ବର୍ଷା ପ୍ରଭାବିତ ମ୍ୟାଚରେ ଆୟର୍ଲାଣ୍ଡ ଟିମ୍ ୧୨ ଓଭରରେ ୧୦୯ ରନ୍ ସଂଗ୍ରହ କରିଥିଲା। ଆୟର୍ଲାଣ୍ଡ ପାଇଁ ହ୍ୟାରି ୬୪ ରନର ଅପରାଜିତ ଇନିଂସ ଖେଳିଥିଲେ।

ସର୍ବୋତ୍ତମ ପ୍ରଦର୍ଶନ ମାଧ୍ୟମରେ ଟିମ୍ ଇଣ୍ଡିଆ ଏହି କଷ୍ଟଦାୟକ ଲକ୍ଷ୍ୟକୁ ଅତି ସହଜରେ ହାସଲ କରିଥିଲା। ୨୯ ଟି ବଲରେ ୪୭ ରନର ଇନିଂସ ଖେଳି ଦୀପକ ହୁଡା ଟିମ୍ ଇଣ୍ଡିଆକୁ ଏକ ଭଲ ଆରମ୍ଭ ଦେଇଥିଲେ। କ୍ୟାପଟେନ ହାର୍ଦ୍ଦିକ ପାଣ୍ଡ୍ୟା ୧୨ ଟି ବଲରେ ୨୪ ରନର ଇନିଂସ ଖେଳି ସଠିକ୍ ଉଦ୍ୟମ କରିଥିଲେ। ୯.୨ ଓଭରରେ ଭାରତ ୧୦୯ ର ଲକ୍ଷ୍ୟ ହାସଲ କରିଥିଲା।