Categories
ଆଜିର ଖବର ରାଜ୍ୟ ଖବର

ବାଣପୁର: ନୂତନ ତହସିଲଦାର ଭାବେ ଯୋଗଦେଲେ ଓଏଏସ ଅଧିକାରୀ କୁଞ୍ଜବିହାରୀ ବଡ଼ଜେନା

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ତହସିଲରେ ଆଜି ନୂତନ ତହସିଲଦାର ଭାବେ କାର୍ଯ୍ୟରେ ଯୋଗଦେଇଛନ୍ତି ଓଏଏସ ଅଧିକାରୀ କୁଞ୍ଜବିହାରୀ ବଡ଼ଜେନା। ଶ୍ରୀ ବଡ଼ଜେନା ଏହା ପୂର୍ବରୁ ନୟାଗଡ଼ ଜିଲ୍ଲାରେ ସହକାରୀ ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଥିଲେ। ତେବେ ବାଣପୁର ତହସିଲ ଖୋର୍ଦ୍ଧା ଜିଲ୍ଲାର ଏକ ଗୁରୁତ୍ୱପୂର୍ଣ୍ଣ ତହସିଲ ହୋଇଥିବାବେଳେ ଏଠାରେ ଜନସାଧାରଣଙ୍କ ଅଭିଯୋଗକୁ ପ୍ରାଥମିକତା ଭିତ୍ତିରେ ସମାଧାନ କରିବେ ବୋଲି ତହସିଲଦାର ଆମ ପ୍ରତିନିଧିଙ୍କୁ କହିଛନ୍ତି।

ଅନୁରୂପ ଭାବେ ମ୍ୟୁଟେସନ, ଜମି ପଟ୍ଟା ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଗୁଡିକୁ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଆବେଦନକାରୀଙ୍କୁ ପ୍ରଦାନ କରାଯିବ ବୋଲି ଶ୍ରୀ ବଡ଼ଜେନା କହିଛନ୍ତି। ବେଆଇନ ଲଘୁ ଖଣିଜ ଦ୍ରବ୍ୟ ଚୋରାଚାଲାଣକୁ ଆଦୌ ପ୍ରଶ୍ରୟ ଦିଆଯିବନାହିଁ ଏବଂ ସରକାରୀ ରାଜସ୍ୱ ଲୁଟୁଥୁବା ଚୋରା ଲଘୁ ଖଣିଜଦ୍ରବ୍ୟ ମାଫିଆଙ୍କୁ ଦୃଢ଼ହସ୍ତରେ ଦମନ କରାଯିବ ବୋଲି ତହସିଲଦାର କହିଛନ୍ତି।

ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ସୋସିଆଲ ମିଡ଼ିଆ ‘ଟ୍ୱିଟର’ ଦ୍ୱାରା ଜନସାଧାରଣଙ୍କ ଅଭିଯୋଗକୁ ସମାଧାନ କରିବାକୁ ପ୍ରାଥମିକତା ଦିଆଯିବ ବୋଲି ତହସିଲଦାର କହିଛନ୍ତି।  ତେବେ ଆଜି କାର୍ଯ୍ୟଭାର ସମ୍ଭାଳିବା ପରେ ତହସିଲର ସମସ୍ତ କର୍ମଚାରୀମାନେ ନୂତନ ତହସିଲଦାରଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିବା ସହ ଶୁଭେଚ୍ଛା ଜଣାଇଥିଲେ।

ସୂଚନା ଥାଉକି ଗତ ଜୁନ ମାସ ୩୦ ତାରିଖରେ ପୂର୍ବତନ ତହସିଲଦାର ମନ୍ମଥ ବେହରାଙ୍କ କାର୍ଯ୍ୟକାଳ ସରିବା ପରଠାରୁ ଦୀର୍ଘ ଚାରି ମାସ ହେଲା ଉକ୍ତ ଗୁରୁତ୍ୱପୂର୍ଣ୍ଣ ପଦବୀ ଖାଲି ପଡିଥିଲା।