Categories
ଆଜିର ଖବର ଜାତୀୟ ଖବର

ଗୁଜୁରାଟ ନିର୍ବାଚନ: ବିଧାୟକ କିମ୍ବା ସାଂସଦ ସମ୍ପର୍କୀୟଙ୍କୁ ଟିକେଟ୍ ଦେବ ନାହିଁ ବିଜେପି

ନୂଆଦିଲ୍ଲୀ: ଗୁଜରାଟରେ ବିଜେପି ଦଳର କୌଣସି ବିଧାୟକ କିମ୍ବା ସାଂସଦଙ୍କ ସମ୍ପର୍କୀୟଙ୍କୁ ଟିକେଟ୍ ଦେବ ନାହିଁ। ରାଜ୍ୟ ବିଜେପି ସଂସଦୀୟ ବୋର୍ଡ ଏହି ନିଷ୍ପତ୍ତି ନେଇଛି। ଭରୁଚ ବିଜେପି ସାଂସଦ ମନସୁଖ ଭସାଭାଙ୍କ ଝିଅ ଟିକେଟ ମାଗିଥିଲେ ମଧ୍ୟ ବିଜେପି ସ୍ପଷ୍ଟ କରିଛି ଯେ, କୌଣସି ସାଂସଦ କିମ୍ବା ବିଧାୟକଙ୍କ ସମ୍ପର୍କୀୟଙ୍କୁ ବିଧାନସଭା ଟିକେଟ ଦିଆଯିବ ନାହିଁ।

ମାନସୁଖ ଭସାଭା ନିଜେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ଦଳର ନିଷ୍ପତ୍ତିକୁ ସେ ସ୍ୱାଗତ କରିଛନ୍ତି ବୋଲି ଭସାଭା କହିଛନ୍ତି। ଦଳ ଯାହାକୁ ଟିକେଟ୍ ଦେବ, ସେମାନଙ୍କର ବିଜୟ ନିଶ୍ଚିତ କରିବାକୁ ଦଳ କାର୍ଯ୍ୟ କରିବ। ଏହି ସମୟରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଆଜି ଗୁଜୁରାଟରେ ଟିକେଟ୍ ସ୍ଥିର କରିବାକୁ ତୃତୀୟ ଦିନ ପାଇଁ ରାଜ୍ୟ ନିର୍ବାଚନ କମିଟିର ବୈଠକ ଚାଲିଛି।

ପ୍ରକାଶ ଯେ, ୧୮୨ ଆସନ ବିଶିଷ୍ଟ ଗୁଜୁରାଟ ବିଧାନସଭା ନିର୍ବାଚନ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ଡିସେମ୍ବର ୧ ତାରିଖରେ ପ୍ରଥମ ପର୍ଯ୍ୟାୟ ଏବଂ ଡିସେମ୍ବର ୫ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟର ମତଦାନ ଅନୁଷ୍ଠିତ ହେବ। ଏଥି ସହିତ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନର ଫଳାଫଳ ସହିତ ଡିସେମ୍ବର ୮ ତାରିଖରେ ଫଳାଫଳ ଘୋଷଣା କରାଯିବ।