Categories
ଆଞ୍ଚଳିକ

ନାକଟିଦେଉଲରେ ସାଇବର ସୁରକ୍ଷା ସଚେତନତା

ରେଢାଖୋଲ (କନ୍ଦର୍ପ ବେହେରା): କିସିଣ୍ଡା ଓ ନାକଟିଦେଉଲ ଥାନା ଅଂଚଳର ବିଭିନ୍ନ ଗାଁ ରେ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।  ସାଇବର ସୁରକ୍ଷା ରଥ ଆଜି କିସିଣ୍ଡା ଥାନା ଅଞ୍ଚଳର କିସିଣ୍ଡା ହାଇସ୍କୁଲ, କଲେଜ, କିସିଣ୍ଡା ବଜାର ଓ ଗିରିଶ୍ଚନ୍ଦ୍ରପୁର ପଂଚାୟତରେ ପହଂଚି ଜନସାଧାରଣଙ୍କୁ ସାଇବର ସୁରକ୍ଷା ଉପରେ ସଚେତନ କରିଥିଲେ।

ଏହି କାର୍ଯ୍ୟକ୍ରମରେ କିସିଣ୍ଡା ଥାନାଧିକାରୀ ଅଞ୍ଜଳି କୁମ୍ଭାର, ଏ ଏସ ଆଇ କସ୍ତୁ ବେହେରା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସନ୍ଧ୍ୟାରେ ସଚେତନତା ରଥ ନାକଟିଦେଉଳ ଥାନା ଅଂଚଳର ବାଟଗାଁ, ସାହେବି, ଜଗନ୍ନାଥ ପ୍ରସାଦ ଗ୍ରାମ ପରିକ୍ରମା କରି ନାକଟିଦେଉଳ ପହଂଚି ସ୍ଥାନୀୟ କ୍ଲବ ପରିସରରେ ନାକଟିଦେଉଳ ଥାନାଧିକାରୀ ଧୀରେନ୍ଦ୍ର କୁମାର ସ୍ୱାଇଁ ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଡ଼ି ଏସ ପି ପ୍ରଶାନ୍ତ ମେହେର, ପୂର୍ବତନ ବ୍ଳବ ଅଧ୍ୟକ୍ଷ ତଥା ଘୋଷରାମାଳ ସମିତିସଭ୍ୟ ସୁଦର୍ଶନ ସାହୁ, ନାକଟିଦେଉଳ ସରପଞ୍ଚ ଜିତେନ୍ଦ୍ରିୟ ସାହୁ, ସାହେବି ସରପଞ୍ଚ ରାମପ୍ରସାଦ ସାହୁ ଓ ସାଲେଭଟା ସରପଞ୍ଚ ପାଣ୍ଡବ ପ୍ରଧାନ ପ୍ରମୁଖ ଯୋଗଦେଇ ଇଣ୍ଟରନେଟର ବ୍ୟବହାର ବୃଦ୍ଧି ପାଉଥିବା ବେଳେ ସାଇବର ଠକମାନେ ବ୍ୟାଙ୍କ କେୱା ଇସି ଅପଡେଟ ସମେତ ବିଭିନ୍ନ ଉପାୟରେ ସାଇବର ଠକେଇ ହେଉଥିବାରୁ ଏଭଳି ସାଇବର ଠକମାନଙ୍କ ଠାରୁ ରକ୍ଷା ପାଇବା ଉପରେ ସଚେତନ କରିଥିଲେ।

ଏହି ଅବସରରେ ନମସଂକୀର୍ତ୍ତନ୍ୟ, କୃଷ୍ଣ ଗୁରୁ ଆଦି ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଶିକ୍ଷକ ରାଜେନ୍ଦ୍ର ବିଶି ଅତିଥି ପରିଚୟ ଏବଂ ମଞ୍ଚ ପରିଚାଳନା କରିଥିବା ବେଳେ ଏ ଏସଆଇ ହୀରାଧର ବେହେରା ଧନ୍ୟବାଦ ଦେଇଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଭାରତ ଓ ଜାପାନ ମଧ୍ୟରେ ସାଇବର ସୁରକ୍ଷା କ୍ଷେତ୍ରରେ ବୁଝାମଣା

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକ ଭାରତ ଓ ଜାପାନ ମଧ୍ୟରେ ସାଇବର ସୁରକ୍ଷା ନେଇ ବୁଝାମଣା ପତ୍ର ସ୍ଵାକ୍ଷର କରିବାକୁ ଅନୁମତି ପ୍ରଦାନ କରିଛନ୍ତି।

ଏହି ବୁଝାମଣା ସ୍ଵାକ୍ଷରିତ ହେବା ଫଳରେ ଉଭୟ ଦେଶ ମଧ୍ୟରେ ସାଇବର ସ୍ପେସରେ ସାମର୍ଥ୍ୟ ବୃଦ୍ଧି, ଭିତ୍ତିଭୂମି ସୁରକ୍ଷା, ନୂଆ ନୂଆ ପ୍ରଯୁକ୍ତି ବିଦ୍ୟା, ସାଇବର ସୁରକ୍ଷା ପ୍ରତି ସୃଷ୍ଟି ହେଉଥିବା ବିପଦର ମୁକାବିଲା ଇତ୍ୟାଦିରେ ସହଯୋଗ ବୃଦ୍ଧି ପାଇବ। ସୂଚନା ଓ ପ୍ରଯୁକ୍ତି ତଥା ଭିତ୍ତିଭୂମି କ୍ଷେତ୍ରରେ ମଧ୍ୟ ଉଭୟ ଦେଶ ମିଳିମିଶି କାର୍ଯ୍ୟ କରିବେ। ଭାରତ ଓ ଜାପାନ ଏକ ଅବାଧ, ନିରପେକ୍ଷ ଓ ନିର୍ଭରଶୀଳ ସାଇବର ସ୍ପେସ ବାତାବରଣ ପାଇଁ ପ୍ରତିଶ୍ରୁତିବଦ୍ଧ ।

ଏହାଛଡା ଉଦ୍ଭାବନ, ଆର୍ଥିକ ଅଭିବୃଦ୍ଧି, ବେପାର ବଣିଜ ଇତ୍ୟାଦି ପାଇଁ ଆବଶ୍ୟକ ଇଣ୍ଟରନେଟର ସହାୟତା ନେଇ ମଧ୍ୟ ଦୁଇ ଦେଶ କାର୍ଯ୍ୟ କରିବେ।ଉଭୟ ଦେଶ ଏହି ବୁଝାମଣା ଜରିଆରେ ଜାତିସଂଘ ସମେତ ଅନ୍ୟାନ୍ୟ ଆନ୍ତର୍ଜାତିକ କ୍ଷେତ୍ରରେ ମଧ୍ୟ ସହଯୋଗ ସୁନିଶ୍ଚିତ କରିବେ। ବିଭିନ୍ନ ସୂଚନା ଓ ପ୍ରଯୁକ୍ତିବିଦ୍ୟା ସମ୍ପର୍କିତ ସାମଗ୍ରୀର ଆଦାନ ପ୍ରଦାନ ଦିଗରେ ଦୁଇ ଦେଶ ସହଯୋଗ କରିବା ସହ ଏହାର ସୁରକ୍ଷା ମଧ୍ୟ କରିପାରିବେ।