Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡିଶା ପ୍ରଜ୍ଞାପନ ମେଢକୁ ଆଜି ନୂଆଦିଲ୍ଲୀରେ ଗୃହ ବିଭାଗ ତରଫରୁ ଦିଆଗଲା ପୁରସ୍କାର

ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀରେ ଓଡିଶାର ପ୍ରଜ୍ଞାପନ ମେଢକୁ ମିଳିଛି ପ୍ରଥମ ପୁରସ୍କାର। ରାଷ୍ଟ୍ରୀୟ ରଂଗଶାଳା ଶିବିରରେ ଏହି ପୁରସ୍କାର ପ୍ରଦାନ କରିଛନ୍ତି ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଅଜୟ ଭଟ୍ଟ। ଏହି ପୁରସ୍କାରକୁ ଗ୍ରହଣ କରିଛନ୍ତି ଓଡିଶା ସୂଚନା ଓ ଲୋକ ସଂପର୍କ ବିଭାଗର ଅଧିକାରୀ ହରପ୍ରସାଦ ମହାପାତ୍ର ଏବଂ ଏହି ମେଢର ଶିଳ୍ପୀ କିର୍ତ୍ତୀ କିଶୋର ମହାରଣା।

ଜାନୁୟାରୀ 26 ଗଣତନ୍ତ୍ର ଦିବସରେ ଏହି ପ୍ରଜ୍ଞାପନ ମେଢକୁ ଓଡିଶା ତରଫରୁ ପ୍ରଦର୍ଶିତ କରାଯାଇଥିଲା। ଏହାପରେ ସବୁ ରାଜ୍ୟର ମେଢକୁ ପୁରସ୍କାର ପାଇଁ ରଖାଯାଇଥିଲା। ଚୟନ କମିଟ ଏବଂ ଅନଲାଇନ ଭୋଟିଂ ପରେ ଓଡିଶାର ପ୍ରଜ୍ଞାପନ ମେଢ ପ୍ରଥମ ହୋଇଥିଲା। ଏହାପରେ ଗୁଜୁରାଟ ଦ୍ବିତୀୟ ଏବଂ ତାମିଲନାଡୁ ତୃତୀୟ ହୋଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ସାଧାରଣତନ୍ତ୍ର ଦିବସ ଅବସରରେ କ୍ରାନ୍ତି ତରଫରୁ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ‘ମେରୀ ଜାନ୍ ହିନ୍ଦୁସ୍ତାନ-୨୦୨୪’

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ସ୍ଥାନୀୟ ବ୍ରହ୍ମା ନଗର ୧ମ ସାରଣୀ ସ୍ଥିତ କ୍ରାନ୍ତି ଅନୁଷ୍ଠାନ ତରଫରୁ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ‘ମେରୀ ଜାନ୍ ହିନ୍ଦୁସ୍ତାନ -୨୦୨୪’ ସ୍ଥାନୀୟ ହିଲିପାଟଣା ସ୍ଥିତ ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ଠାରେ ମହାସମାରୋହରେ ପାଳିତ ହୋଇ ଯାଇଛି। ସମସ୍ତ ଅତିଥି ମାନେ ପ୍ରଥମେ ଜଗତର ନାଥ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ।

କ୍ରାନ୍ତି ଅନୁଷ୍ଠାନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ଼ଃ ଦେବାନନ୍ଦ ଦାଶଙ୍କ ଅଧ୍ୟକ୍ଷତା ଓ ସଂଯୋଜନାରେ ଅନୁଷ୍ଠିତ କାର୍ଯକ୍ରମ ରେ ଲିଙ୍ଗରାଜ ଆଇନ୍ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ନୃସିଂହ ଚରଣ ପଟ୍ଟନାୟକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ଏସ.ଏମ.ଆ.ଟି ର ସଭାପତି ଡଃ ଭଗବାନ ଗନ୍ତାୟତ, ଗ୍ରେଟ୍ ଇଣ୍ଡିଆ ଇଣ୍ଟରନେସନାଲ ପବ୍ଲିକ ସ୍କୁଲ, କାଲାମ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁଟର ସମ୍ପାଦକ ସନ୍ତୋଷ କୁମାର ଜେନା, ଜ୍ଞାନ ବିକାଶ ଇଂଲିଶ ମିଡ଼ିଅମ୍ ସ୍କୁଲ୍ ର ନିର୍ଦ୍ଦେଶକ ଇଁ. ସିଦ୍ଧାର୍ଥ ଶଙ୍କର ବେହେରା,ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷାବିତ୍ ଅଜିତ କୁମାର ମହାପାତ୍ର, ମହାନ୍ ସଂଘ ସଭାପତି ସୁଶାନ୍ତ ସାବତ ପ୍ରମୁଖ ଯୋଗଦାନ ସ୍ଵରୁପ ଅତିଥି ମାନେ ସମବେତ ବିଦ୍ୟାର୍ଥୀ ସହ ଅବିଭାବକଙ୍କୁ ଜନରାଜ୍ୟ ଦିବସର ତାତ୍ପର୍ଯ୍ୟ ସମ୍ପର୍କ ରେ ଆଲୋକପାତ କରିଥିଲେ।

ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମରେ କ୍ରାନ୍ତି ଅନୁଷ୍ଠାନ ସହ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର କୁନି କୁନି ଛାତ୍ର ଛାତ୍ରୀ ମାନେ ଦଳଗତ ନୃତ୍ୟ ପରିବେଷଣ କରିଥିଲେ। କ୍ରାନ୍ତି ଅନୁଷ୍ଠାନର କଳାକାରଙ୍କ ଦ୍ୱାରା ପରିବେଷିତ ସନ୍ଦେଶ ଆତା ହେ ନୃତ୍ୟ ଉପସ୍ଥିତ ସମସ୍ତ ଦର୍ଶକଙ୍କ ହୃଦୟସ୍ୱର୍ଶି ହୋଇ ପାରିଥିଲା। ଦଳଗତ ନୃତ୍ୟ ପ୍ରତିଯୋଗିତାରେ ଓଁ ଶ୍ରୀ ଇଣ୍ଟରନେସନାଲ ସ୍କୁଲ୍, କିଡ ଜୀ, କିଡସ୍ ଗାର୍ଡେନ ପ୍ଲେ ସ୍କୁଲ୍ କୁ ପୁରସ୍କୃତ କରାଯାଇଥିଲା।

ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତା ରେ ଭାଗନେଇଥିବା ୧୧୦୦ ଛାତ୍ରଛାତ୍ରୀଙ୍କୁ ମାନପତ୍ର, ଟ୍ରଫି ସହ ପୁରସ୍କୃତ କରାଯାଇଥିଲା। କ୍ରାନ୍ତି ଅନୁଷ୍ଠାନର ଦେବରାଜ ରାଉତ ଉଦଘୋଷକ ରୂପେ ଦାୟୀତ୍ଵ ତୁଲାଇଥିବା ବେଳେ କାର୍ଯ୍ୟକ୍ରମ ଆୟୋଜନରେ ସଞ୍ଜୟ କୁମାର ରଥ, ନିର୍ମଳା ଦାଶ , ଅନିଲ କୁମାର ସେଠୀ, ଅରୁଣ ପଟ୍ଟନାୟକ, ପରମାନନ୍ଦ ପଣ୍ଡା, ଲିଙ୍ଗରାଜ ପଟ୍ଟନାୟକ, ସ୍ନିଗ୍ଧା ମହାରଣା, ଚର୍ଚ୍ଚିକା ଦାଶ ଓ ଚିନ୍ମୟାନନ୍ଦ ଦାଶ ପ୍ରମୁଖ ଉପସ୍ଥିତି ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।ଶେଷରେ ଡ଼ଃ ଦେବାନନ୍ଦ ଦାଶ ସମସ୍ତଙ୍କୁ ସହଯୋଗ ପାଇଁ ହୃଦୟରୁ ଧନ୍ୟବାଦ ଦେଇଥିଲେ।

Categories
ଆଞ୍ଚଳିକ

ସୁମଣ୍ଡଳ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ରେ ସାଧାରଣତନ୍ତ୍ର ଦିବସ ଓ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

ବେଗୁନିଆପଡା (ଟୁକୁନା ପ୍ରଧାନ): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ସୁମଣ୍ଡଳ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ୭୫ ତମ ସାଧାରଣତନ୍ତ୍ର ଦିବସ ପାଳିତ ଓ ବାର୍ଷିକ କ୍ରୀଡା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଜୀବନ ଦ୍ୟୁତି ଏଜୁକେସନାଲ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ଛାତ୍ର ଛାତ୍ରୀ, ଗୁରୁଜୀ ଗୁରୁମା ଏବଂ ଅନ୍ୟାନ୍ୟ ଅତିଥି ମାନେ ଉପସ୍ଥିତ ଥିଲେ।

ଅନୁଷ୍ଠିତ ବାର୍ଷିକ କ୍ରୀଡା ଉତ୍ସବ କାର୍ଯ୍ୟକ୍ରମ ରେ ଟ୍ରଷ୍ଟ ସଭାପତି ସୁଶାନ୍ତ କୁମାର ବିଶ୍ବାଳ ସଭାପତିତ୍ବ କରିଥିବା ବେଳେ ମୁଖ୍ୟଅତିଥି ଭାବେ ସରପଞ୍ଚ ଶିବଶଙ୍କର ବାରିକ, ମୁଖ୍ୟ ବକ୍ତାଭାବେ ପ୍ରଦୀପ କୁମାର ବିଶ୍ଵାଳ, ସମ୍ମାନିତ ଅତିଥି ଭାବେ ସମିତିସଭ୍ଯ ସନ୍ତୋଷ କୁମାର ସାହୁ, ସୁଶିଲ୍ କୁମାର ବିଶ୍ଵାଳ, ଆରତ କୁମାର ବେହେରା, ବିନୋଦ କୁମାର ଗୌଡ,
ବି ଏଫ୍ ଟି ରବୀନ୍ଦ୍ରନାଥ ସାହୁ, ବିଷ୍ଣୁ ପ୍ରସାଦ କହର ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।

ପ୍ରଥମେ ଅତିଥିମାନେ ପ୍ରଦୀପ ପ୍ରଜ୍ବଳନ କରି ସଭାକାର୍ଯ୍ୟ ଆରମ୍ଭ କରିଥିଲେ। ଉପସ୍ଥିତ ଅତିଥିମାନେ ନିଜ ନିଜର ବକ୍ତବ୍ୟରେ କ୍ରୀଡା ର ମହତ୍ତ୍ଵ ଏବଂ ସାଧାରଣତନ୍ତ୍ର ଦିବସର ମହତ୍ଵ ଆଦି ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ କହିଥିଲେ। ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।

ବିଭିନ୍ନ କ୍ରୀଡା କ୍ଷେତ୍ରରେ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ସୁଶିଲ କୁମାର ବିଶ୍ଵାଳ ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ରଞ୍ଜୟ ପ୍ରଧାନ, ଗୋବିନ୍ଦ ସ୍ଵାଇଁ ପ୍ରମୂଖ ଉପସ୍ଥିତ ରହି ସହଯୋଗ କରିଥିଲେ।

Categories
ଆଞ୍ଚଳିକ

କରୁଣା ଶାନ୍ତି ଆବାସିକ ମହାବିଦ୍ୟାଳୟରେ ସାଧାରଣତନ୍ତ୍ର ଦିବସ ପାଳିତ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): କରୁଣା ଶାନ୍ତି ଆନୁକୂଲ୍ୟରେ ଆଜି ୭୫ ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ପତାକା ଉତ୍ତୋଳନ ଓ ଅନୁଷ୍ଠାନ ର ଛାତ୍ର ଓ ଛାତ୍ରୀ ମାନଙ୍କର ପେରେଡ୍ ଓ କ୍ରୀଡା କୌଶଳ କାର୍ଯ୍ୟକ୍ରମ ବହୁତ ସୁନ୍ଦର ଭାବରେ ସମ୍ପାଦନା ହୋଇ ସରିଅଛି। ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମ୍ପାଦକ ଦେବାଶିଷ ପଟ୍ଟନାୟକ, ଟାଟା ଷ୍ଟିଲ ପ୍ରକଳ୍ପ ମୁଖ୍ୟ ରକି ମାରଟିନ, ଏବଂ ମହାବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଡ. ରଶ୍ମିତା ମିଶ୍ର ଓ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ପିଲାମାନଙ୍କର ଉପସ୍ଥିତିରେ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ସଦର ମହକୁମାରେ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଗତକାଲି ପ୍ରାତଃ ୪.୩୦ ମିନିଟରେ ପୌର ପରିଷଦ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ତରଫରୁ ଡ଼ାକବାଜି ଯନ୍ତ୍ର ଯୋଗେ ରାମଧୁନ ବଜାଯାଇ ସହର ପରିକ୍ରମା କରି ଥିଲା। ସକାଳ ୬.୦୦ ଘଟିକାରେ ପୌର ପରିଷଦ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଥିବା ପ୍ରତିମୂର୍ତ୍ତି ମାନଙ୍କରେ କାର୍ଯ୍ୟ ନିର୍ବାହୀ ଅଧିକାରୀ, ପୌର ପରିଷଦ ମାଲ୍ୟାର୍ପଣ କରଥିଲେ।

ସକାଳ ୭.୩୦ ମିନିଟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପତାକା ଉତ୍ତୋଳନ କରାଯାଇଥିଲା। ସେଥିରେ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରଵର୍ତ୍ତି, ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା, ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟମଣ୍ଡିତ ପ୍ରଧାନ, ବିଭିନ୍ନ ଵିଭାଗୀୟ ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ ଏବଂ ହେବ ଅପରେଟର, କର୍ମଚାରୀ ମାନେ ସାମିଲ ହୋଇଥିଲେ।

ପରେ ଜିଲ୍ଲାପାଳ ତଥା ମୁଖ୍ୟ ଅତିଥି କେ ସୁଦର୍ଶନ ଚକ୍ରଵର୍ତ୍ତି ସ୍ଥାନୀୟ ବିଜେବି ହାଇସ୍କୁଲ ସ୍ଥିତ ପ୍ୟାରେଡ ପଡ଼ିଆରେ ସକାଳ ୯.୧୫ ମିନିଟରେ ଆନୁଷ୍ଠାନିକ ଭାବେ ପତାକା ଉତ୍ତୋଳନ କରିଥିଲେ। ପରେ ସୁସଜ୍ଜିତ ଖୋଲା ଜିପ୍ ରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ପଡ଼ିଆରେ ପରିକ୍ରମା କରିଥିଲେ।

ପରେ ମଞ୍ଚରୁ ସମସ୍ତଙ୍କୁ ଉଦବୋଧନ ଦେଇଥିଲେ। ଭାଷଣରେ ସେ କହିଥିଲେ ଯେ ଏ ଦେଶ ର ବୀରପୁତ୍ରମାନଙ୍କ ତ୍ୟାଗ ଓ ବଳିଦାନ ଦ୍ଵାରା ଯେଉଁ ମହାମୁଲ୍ୟ ସ୍ଵାଧୀନତା ଆମ ହାତରେ ଥିଲା ତାହା ୧୯୫୦ ମସିହା ଜାନୁଆରୀ ୨୬ ତାରିଖ ଠାରୁ ସାଧାରଣ ଜନତାଙ୍କ ଶାସନ ପ୍ରଣାଳୀରେ ରୁପାନ୍ତରିତ ହେଲା। ଭାରତ ବର୍ଷରେ ମହାନ୍ ପୁରୁଷଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ପ୍ରତ୍ୟେକ ନାଗରିକ ନିଜ ନିଜ ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ସଚେତନ ହୁଅନ୍ତୁ, ଆମ ସମସ୍ତଙ୍କ ଲକ୍ଷ ହେଉ ଏକ ସମୃଦ୍ଧ ଶାନ୍ତି ପ୍ରିୟ ସୁନାର ଭାରତ ବର୍ଷ।

ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କାଟାରିଆ ମଧ୍ୟ ଉପସ୍ଥିତ ଥିଲେ। ଏହା ପରେ ପ୍ୟାରେଡରେ ଭାଗ ନେଇଥିବା ବିଦ୍ୟାଳୟ ଏବଂ ମହା ବିଦ୍ୟାଳୟର ୫୦ ଟି ବିଭିନ୍ନ ଦଳ ପ୍ୟାରେଡ ପଡ଼ିଆ ପରିକ୍ରମା କରିଥିଲେ। ସେମାନଙ୍କ ମଧ୍ୟରୁ ୧୪ ଟି ଦଳଙ୍କୁ ପୁରସ୍କୃତ କରାଯାଇ ଥିଲା। ପରେ ୭ ଟି ସୁସଜ୍ଜିତ ପ୍ରଜ୍ଞାପନ ମେଢ ପଡ଼ିଆରେ ପରିକ୍ରମା କରିଥିଲେ। ସେଥିମଧ୍ୟରୁ ଜିଲ୍ଲା ଶିକ୍ଷା ଅଧିକାର ଙ୍କ ପ୍ରଜ୍ଞାପନ ମେଢକୁ ଶ୍ରେଷ୍ଠ ଭାବେ ପୁରସ୍କୃତ କରାଯାଇ ଥିଲା। ବିଭିନ୍ନ ବିଦ୍ୟାଳୟ/ମହାବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତାରେ କୃତିତ୍ବ ଲାଭ କରିଥିବା ଛାତ୍ର ଛାତ୍ରଛାତ୍ରୀ ଙ୍କୁ ମାନପତ୍ର ଓ କପ୍ ପ୍ରଦାନ କରାଯାଇଥିଲା।

ସେହିପରି ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବିଭିନ୍ନ ବିଭାଗର କର୍ମଚାରୀମାନଙ୍କୁ ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରାଯାଇଥିଲା। ବିଦ୍ୟାଳୟ ମାନଙ୍କ ମଧ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗନେଇ ଥିବା 5ଗୋଟି ବିଦ୍ୟାଳୟ ମାନଙ୍କ ମଧ୍ୟରୁ ତିନିଗୋଟି ବିଦ୍ୟାଳୟଙ୍କୁ ପୁରସ୍କୃତ କରାଯାଇ ଥିଲା। ସମସ୍ତ କାର୍ଯ୍ୟକ୍ରମ ଶେଷରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ ଧନ୍ୟବାଦ ଦେଇଥିଲେ।

ଏହାପରେ କାରାଗାରରେ ଥିବା କଏଦୀମାନଙ୍କୁ ଏବଂ ହସ୍ପିଟାଲରେ ଥିବା ରୋଗୀ ମାନଙ୍କୁ ଫଳ ଓ ମିଷ୍ଟାନ୍ନ ବଣ୍ଟନ କରାଯାଇ ଥିଲା।

Categories
ଆଜିର ଖବର

ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସରେ କେଉଁମାନେ ପରେଡରେ ନେଇଥିଲେ ଭାଗ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ମହାତ୍ମାଗାନ୍ଧୀ ମାର୍ଗରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି ଉତ୍ସବରେ ମାନ୍ୟବର ରାଜ୍ୟପାଳ ଶ୍ରୀ ରଘୁବାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଏହି ସମାରୋହରେ ଉପସ୍ଥିତ ଥିଲେ।

ରାଜ୍ୟପାଳ ଶ୍ରୀ ରଘୁବର ଦାସ ସକାଳ ୮.୨୮ ରେ ମହାତ୍ମା ଗାନ୍ଧୀ ମାର୍ଗରେ ପହଞ୍ଚିବା ପରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା, ସ୍ୱରାଷ୍ଟ୍ର ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଞ୍ଜନ କୁମାର ସିଂ, ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଅରୁଣ କୁମାର ଷଡଙ୍ଗୀ ଓ ସମର ଶିକ୍ଷାର୍ଥୀ ବାହିନୀର ଉପମହାନିର୍ଦ୍ଦେଶକ କମୋଡର ଜେ. ସୁରେଶ ରାଜ୍ୟପାଳଙ୍କୁ ସ୍ୱାଗତ ଜଣାଇ ମଞ୍ଚ ନିକଟକୁ ପାଛୋଟି ନେଇଥିଲେ।

ରାଜ୍ୟପାଳ ଶ୍ରୀ ରଘୁବର ଦାସ ୮.୩୦ ମିନିଟ୍‌ ସମୟରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଗଞ୍ଜାମ ଏ.ଏସ୍‌.ପି. ମିସ୍‌ ଏ.ବି. ଶିଳ୍ପା ପ୍ୟାରେଡ୍‌ ପରିଚାଳନା କରିଥିଲେ। ନବମ ଏସ୍‌.ଆଇ.ଆର୍‌. ବାଟାଲିୟନ୍‌, କଳାହାଣ୍ଡିର ଶ୍ରୀ ସନ୍ତୋଷ କୁମାର ବିଶ୍ୱାଳ ଦ୍ୱିତୀୟ ପରିଚାଳକ ଭାବେ ଏବଂ ଭୁବନେଶ୍ୱର ସପ୍ତମ ବାଟାଲିୟନ୍‌ର ଏସିିପି (ସଶସ୍ତ୍ର) ଶ୍ରୀ ଭବାନୀ ପ୍ରସାଦ ଜେନା ଆଡ୍‌ଜୁଟାଣ୍ଟ ଓ ଭୁବନେଶ୍ୱର ସପ୍ତମ ବାଟାଲିୟନ୍‌ର ଆସିଷ୍ଟାଣ୍ଟ କମିଶନର (ସଶସ୍ତ୍ର) ଶ୍ରୀ ପରମେଶ୍ୱର ହାଁସ୍‌ଦା ସ୍ୱତନ୍ତ୍ର ଅଧିକାରୀ ଭାବେ ପ୍ୟାରେଡ୍‌ ପରିଚାଳନାରେ ସହାୟତା କରିଥିଲେ।

ରାଜ୍ୟ ପୋଲିସ ବ୍ୟାଣ୍ଡ ଦ୍ୱାରା ଜାତୀୟ ସଂଗୀତ ବାଦନ ପରେ ୧୬ଟି ସାମରିକ ବାହିନୀ ଏବଂ ବିଭିନ୍ନ ଶିକ୍ଷାନୁଷ୍ଠାନର ୩୪ଟି ବେସାମରିକ ଦଳ ସମୁଦାୟ ୫୦ଟି ଦଳ ମିଳିତ ପ୍ୟାରେଡ୍‌ରେ ଅଂଶଗ୍ରହଣ କରିଥିଲେ। ସମ୍ମିଳିତ ପ୍ୟାରେଡ୍‌ ଅନୁଷ୍ଠିତ ହେବା ପରେ ପରେ ବିଭିନ୍ନ ସାଂସ୍କୃତିକ ଦଳ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

କୋରାପୁଟ ଜିଲ୍ଲା ବୈପାରିଗୁଡ଼ାର ଜନଜାତି ନୃତ୍ୟ, ଗଞ୍ଜାମ ଜିଲ୍ଲା ଭଞ୍ଜବିହାରର ଯୋଡ଼ିଶଙ୍ଖ/ରଣପା ନୃତ୍ୟ, ପୁରୀର ସାହିଯାତ/ମେଢ଼ନାଚ ଓ ବରଗଡ଼ ଜିଲ୍ଲା ପଦ୍ମପୁରର ସମ୍ବଲପୁରୀ ଲୋକନୃତ୍ୟ ପରିବେଷଣ ଉତ୍ସବକୁ ମନୋମୁଗ୍ଧକର କରିଥିଲା।

ଏହା ପରେ ପ୍ରଜ୍ଞାପନ ମେଢ଼ଗୁଡ଼ିକ ଅଭିବାଦନ ମଞ୍ଚ ଅତିକ୍ରମ କରିଥିଲେ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ (ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, କାଳିଆ ଛାତ୍ରବୃତ୍ତି), ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ (ଆମ ହସ୍‌ପିଟାଲ), ବାଣିିଜ୍ୟ ଓ ପରିବହନ ବିଭାଗ (ଘରେ ଘରେ ଲକ୍ଷ୍ମୀ), ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ (କରୁଣା ରେଶମ), ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ (ନୂଆ ଓଡ଼ିଶା ମିଶନ, ସୁଦକ୍ଷା ଯୋଜନା), ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ, ୱାଟ୍‌କୋ, (ଡି୍ରଙ୍କ୍‌ ଫ୍ରମ୍‌ ଟ୍ୟାପ୍‌), ପର୍ଯ୍ୟଟନ ବିଭାଗ (ପର୍ଯ୍ୟଟନ ସେବା କ୍ଷେତ୍ରରେ ରୂପାନ୍ତରଣ), ଅନୁସୂଚିତ ଜନାଜତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ (ପବିତ୍ର ପୀଠସ୍ଥଳୀ(ଜାହିରା) ରୂପାନ୍ତରଣ କାର୍ଯ୍ୟକ୍ରମ) ପ୍ରଦର୍ଶିତ ହୋଇଥିଲା।

ସେହିପରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ (୫-ଟି ଉଚ୍ଚ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମ), ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ (ବାୟୋଫ୍ଲକ୍‌ ମାଧ୍ୟମରେ ସଘନ ମାଛ ଓ ଚିଙ୍ଗୁଡ଼ି ଚାଷ, ପଞ୍ଜୁରୀରେ ମାଛଚାଷ), ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ (ଆମ ଓଡ଼ିଶା ନବୀନ ଓଡ଼ିଶା), ପୂର୍ତ୍ତ ବିଭାଗ (ଭିତ୍ତିଭୂମି ବିକାଶ ପ୍ରକଳ୍ପ), ଓଡ଼ିଶା ଖଣି ନିଗମ ସାମାଜିକ ଦାୟିତ୍ୱବୋଧ, ଓଡ଼ିଶା ଅଗ୍ନିଶମ ସେବା ଯାନ ପକ୍ଷରୁ ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିତ କରାଯାଇଥିଲା।

ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ବିଭିନ୍ନ ବିଭାଗର ଶାସନ ସଚିବ, ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ ଏବଂ ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ, ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ସୁରେନ୍ଦ୍ର ନାଥ ପରିଡ଼ା ପ୍ରମୁଖଙ୍କ ସମେତ ରାଜ୍ୟ ପ୍ରଶାସନର ବରିଷ୍ଠ ଅଧିକାରୀବୃନ୍ଦ, ସାଧାରଣତନ୍ତ୍ର ଦିବସ ଉତ୍ସବରେ ଉପସ୍ଥିତ ଥିଲେ।

ଏହି କାର୍ଯ୍ୟକ୍ରମକୁ ସୂଚନା ଓ ଲୋକସଂପର୍କ ବିଭାଗର ଉପନିର୍ଦ୍ଦେଶକ ଶ୍ରୀମତୀ ସୁଚେତା ପି୍ରୟଦର୍ଶିନୀ, ସୂଚନା ଅଧିକାରୀ ସୁଶ୍ରୀ ରୋଜାଲିନ୍‌ ସାହୁ ଓ ସୁଶ୍ରୀ ତନୁଜା ମହାନ୍ତି ସଂଯୋଜନା କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ଗଡିଲା ଓଡ଼ିଶାର ପ୍ରଜ୍ଞାପନ ମେଢ, କାହିଁକି ସାଜିଲା ଆକର୍ଷଣର କେନ୍ଦ୍ରବିନ୍ଦୁ?

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ଅବସରରେ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ଗଡିଲା ଓଡିଶାର ପ୍ରଜ୍ଞାପନ ମେଢ। ୨୦୩୬ ମସିହା ସୁଦ୍ଧା ଓଡ଼ିଶାକୁ ଦେଶର ସର୍ବାଙ୍ଗୀନ ବିକଶିତ ରାଜ୍ୟରେ ପରିଣତ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରତିବଦ୍ଧତା ଓ ପଦକ୍ଷେପ ଏବଂ ଦେଶର ଅର୍ଥନୈତିକ ବିକାଶ ଓ ସାମାଜିକ ଉନ୍ନତି ପାଇଁ ମହିଳା ସଶକ୍ତିକରଣ ଜରୁରୀ ହୋଇଥିବାରୁ ‘ବିକଶିତ ଭାରତ’ ବିଷୟବସ୍ତୁକୁ ନେଇ ପ୍ରସ୍ତୁତ ଓଡିଶାର ପ୍ରଜ୍ଞାପନ ମେଢରେ ଓଡିଶାର ସମୃଦ୍ଧ ହସ୍ତଶିଳ୍ପ ଓ ହସ୍ତତନ୍ତ ମାଧ୍ୟମରେ ରାଜ୍ୟରେ ମହିଳା ସଶକ୍ତିକରଣକୁ ପ୍ରଦର୍ଶନ କରାଯାଇଛି।

ବିକଶିତ ଭାରତରେ ଓଡ଼ିଶାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଶକ୍ତି ଓ ସାମର୍ଥ୍ୟ, ହାତୀର ଶକ୍ତି ଓ ସାମର୍ଥ୍ୟ ସହ ସମକକ୍ଷ ବୋଲି ପ୍ରଜ୍ଞାପନ ମେଢର ଅଗ୍ର ଭାଗରେ ଥିବା ଉତ୍କଳୀୟ କଳାକୃତିର ଏକ ଲୋକପ୍ରିୟ ଓ ଅନନ୍ୟ ବିଷୟବସ୍ତୁ କନ୍ଦର୍ପ ହସ୍ତୀ ମାଧ୍ୟମରେ ପ୍ରମାଣିତ କରାଯିବା ସହିତ ରାସଲୀଳାରେ ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରତି ଗୋପୀମାନଙ୍କ ପ୍ରେମ ଓ ଭକ୍ତି ପରି ବିକଶିତ ଭାରତ ପ୍ରତି ଓଡ଼ିଶାର ମହିଳାମାନଙ୍କ ନିଷ୍ଠାପୂର୍ଣ୍ଣ ସମର୍ପଣକୁ ଦର୍ଶାଇଥିଲା।

ସେହିପରି, ମେଢ ଅଗ୍ରଭାଗର ଉଭୟ ପାର୍ଶ୍ୱରେ ଥିବା ଶ୍ରୀଜଗନ୍ନାଥଙ୍କ ରଥର ଚକକୁ ଓଡ଼ିଶାର ପ୍ରଗତିର ଚକ ଭାବେ ପ୍ରତିପାଦିତ କରାଯାଇଛି। ହସ୍ତକଳା ଓ ହସ୍ତତନ୍ତ କ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣକୁ ଦର୍ଶାଉଥିବା ଏହି ମେଢର ମଧ୍ୟଭାଗରେ ପିପିଲିର ଚାନ୍ଦୁଆ, ରଘୁରାଜପୁରର ପଟ୍ଟଚିତ୍ର କଳା ଭଳି ଉତ୍ପାଦକୁ ଲାଇଭ୍ ପ୍ରଦର୍ଶନ ମାଧ୍ୟମରେ ପ୍ରଦର୍ଶିତ କରାଯାଇଥିଲା। ଏହା ଓଡ଼ିଶାର ଗ୍ରାମାଞ୍ଚଳରେ ନିଯୁକ୍ତି ସୁଯୋଗ ବୃଦ୍ଧିକୁ ପ୍ରମାଣିତ କରିବା ସହିତ ରାଜ୍ୟର ଗ୍ରାମାଞ୍ଚଳ ଅର୍ଥନୀତି ସୁଦୃଢ଼ ହୋଇଥିବା ପ୍ରଦର୍ଶିତ କରିଥିଲା।

ସେହିପରି, ବୈଷୟିକ ଜ୍ଞାନକୌଶଳର ଉପଯୋଗ କରି ଓଡିଶାର ଗ୍ରାମୀଣ ମହିଳାମାନେ ମଧ୍ୟ କ୍ୟାସଲେସ୍ କାରବାର କରିବା ସହ ଇ-ପ୍ଲାଟଫର୍ମରେ ନିଜ ଉତ୍ପାଦର ମାର୍କେଟିଂ କରିପାରୁଛନ୍ତି ବୋଲି ପ୍ରଜ୍ଞାପନ ମେଢ ମାଧ୍ୟମରେ ଉପସ୍ଥାପିତ କରାଯାଇଥିଲା। କାରିଗରମାନଙ୍କ ପ୍ରତି ରାଜ୍ୟ ସରକାରଙ୍କ ଆନ୍ତରିକ ସମର୍ଥନକୁ ଦର୍ଶାଇବାକୁ ଯାଇ ଦେବଦେବୀଙ୍କ ଚଳନ୍ତି ପ୍ରତିମାଙ୍କ ଯାତ୍ରା ସମୟରେ ବ୍ୟବହାର ହେଉଥିବା ବିରାଟକାୟ ଛତା ମେଢର ମଧ୍ୟ ଭାଗରେ ସ୍ଥାପନ କରାଯାଇଥିଲା।

ପଟ୍ଟଚିତ୍ର କଳା ମାଧ୍ୟମରେ ପୌରାଣିକ ଚରିତ୍ରକୁ ନେଇ ରଘୁରାଜପୁର ଗ୍ରାମର ମହିଳାମାନେ ପ୍ରସ୍ତୁତ କରୁଥିବା ବିଭିନ୍ନ ଗୃହସଜ୍ଜା ସାମଗ୍ରୀ ଓ ମୁଖା ସମେତ ରଘୁରାଜପୁର ଗ୍ରାମର ଐତିହ୍ୟ ଗୃହକୁ ପ୍ରଜ୍ଞାପନ ମେଢର ପଛ ଭାଗରେ ଦର୍ଶାଯାଇଥିଲା । ବିକାଶପଥରେ ଓଡ଼ିଶା ଅଶ୍ଵ ବେଗରେ ଅଗ୍ରସର ହେଉଥିବାରୁ, ଓଡ଼ିଶା ସରକାରଙ୍କ ପ୍ରତୀକ ତଥା ପ୍ରସିଦ୍ଧ କୋଣାର୍କ ମନ୍ଦିରର ଯୁଦ୍ଧ ଘୋଡ଼ାକୁ ମଧ୍ୟ ସେଠାରେ ସ୍ଥାନିତ କରାଯାଇଥିଲା।

ସେହିପରି, ପ୍ରଜ୍ଞାପନ ମେଢର ଉଭୟ ପାର୍ଶ୍ୱରେ ଥିବା ଓଡ଼ିଶାର ଅନନ୍ୟ ଓ ସମୃଦ୍ଧ ହସ୍ତତନ୍ତ ଓ ହସ୍ତଶିଳ୍ପ ଡିଜାଇନ୍, କଳା ଓ କାରିଗରୀ ମାଧ୍ୟମରେ ରାଜ୍ୟରେ ଜୀବିକା ବିକାଶର ସଫଳ କାହାଣୀକୁ ପ୍ରଦର୍ଶିତ କରଇଥିଲା। ଏଥିସହିତ, ପ୍ରଜ୍ଞାପନ ମେଢର ଉଭୟ ପାର୍ଶ୍ୱରେ ସମ୍ବଲପୁରୀ ସଙ୍ଗୀତର ତାଳେତାଳେ କଳାକାରମାନେ ପରିବେଷଣ କରିଥିବା ନୃତ୍ୟ ଉପସ୍ଥିତ ଦର୍ଶକଙ୍କୁ ବିମୋହିତ କରିଥିଲା।

ଭାରତ ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରାଳୟ ତରଫରୁ ପ୍ରାପ୍ତ ସୂଚନା ପ୍ରକାରେ ଜନ ଭାଗୀଦାରି ସ୍ଵରୂପ ଆଜିଠାରୁ ଆଗାମୀ କାଲି ସକାଳ ୫ ଟା ୩୦ ସୁଦ୍ଧା ଅନଲାଇନ ଭୋଟିଂ ମାଧ୍ୟମରେ ପ୍ରାପ୍ତ ଭୋଟ ଆଧାରରେ ଯୋଗ୍ୟ ବିବେଚିତ ପ୍ରଜ୍ଞାପନ ମେଢକୁ ରାଷ୍ଟ୍ରୀୟ ରଙ୍ଗଶାଳା ଶିବିରରେ ପୁରସ୍କୃତ କରାଯିବ।

Categories
ଆଜିର ଖବର ରାଜ୍ୟ ଖବର

କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ

ଭୁବନେଶ୍ବର: କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ୭୫ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ରାଜ୍ୟର ଅଭିବୃଦ୍ଧି ଓ ବିକାଶ ଦିଗରେ କୃଷିର ମୁଖ୍ୟ ଭୂମିକା ଉପରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଗୁରୁତ୍ୱାରୋପ କରିଛନ୍ତି।

ଆଜି କୃଷି ଭବନଠାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜିତ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଜାତୀୟ ପତାକା ଉତ୍ତୋଳନ କରି ଡ. ପାଢ଼ୀ ଭାରତର ସ୍ୱାଧୀନତା ସଂଗ୍ରାମୀ ଓ ଦୂରଦର୍ଶୀ ନେତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଯେଉଁମାନେ ସ୍ୱାଧୀନ ଭାରତବର୍ଷକୁ ଏକ ପ୍ରଜାତନ୍ତ୍ରର ରୂପ ଦେଇଛନ୍ତି।

ଡ. ପାଢ଼ୀ ସାର୍ବଜନୀନ ଭ୍ରାତୃତ୍ୱ, ଅହିଂସା ଏବଂ ଶାନ୍ତିର ଆଲୋକବର୍ତ୍ତିକା ଭାବରେ ଭାରତବର୍ଷର ଅଦ୍ୱିତୀୟ ସ୍ଥିତି ଉପରେ ଆଲୋଚନା କରି ସମସ୍ତଙ୍କୁ ସମ୍ବିଧାନର ଆଦର୍ଶ ଓ ଚେତନାକୁ ସମ୍ମାନ ଓ ଅନୁପାଳନ କରିବାକୁ କହିଥିଲେ।

କୃଷି ଓ କୃଷକ ସଶକ୍ତିକରଣ ବିଭାଗ ନିରନ୍ତର କୃଷି ସହିତ କୃଷକମାନଙ୍କ ଆୟବୃଦ୍ଧି ଏବଂ ଜନସାଧାରଣଙ୍କ ଖାଦ୍ୟ ନିରାପତ୍ତାକୁ ସୁନିଶ୍ଚିତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧତାର ଲକ୍ଷ୍ୟ ସାଧାରଣତନ୍ତ୍ର ଦିବସ ପାଳନର ଆହ୍ୱାନ ସହିତ ଯୋଡ଼ି ହୋଇ ରହିଛି। ଏହା ରାଜ୍ୟର କୃଷି ପ୍ରେକ୍ଷାପଟରେ ଏକ ସକାରାତ୍ମକ ରୂପାନ୍ତରଣ ଆଣିବ ଏବଂ ସ୍ଥିତିସ୍ଥାପକ ଓ ସମୃଦ୍ଧ ଭବିଷ୍ୟତ ନିର୍ମାଣ ଦିଗରେ ପ୍ରେରିତ କରିବ ବୋଲି ଡ. ପାଢ଼ୀ କହିଥିଲେ।

ଏହି ଅବସରରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ, ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ରୋହିତ କୁମାର ଲେଙ୍କାଙ୍କ ସମେତ ବରିଷ୍ଠ ଅଧିକାରୀ ଓ କର୍ମଚାରୀବୃନ୍ଦ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସଂସ୍କୃତି

ଗଣତନ୍ତ୍ର ଦିବସ ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ପୁରୀ ବେଳାଭୂମିରେ ବାଲୁକା କଳା

ପୁରୀ: 75 ତମ ଗଣତନ୍ତ୍ର ଦିବସ ଉପଲକ୍ଷେ ପୁରୀ ବେଳାଭୂମିରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ନିର୍ମାଣ କରିଛନ୍ତି। ଏଥିରେ ସୁଦର୍ଶନ ଦୁଇଜଣ ବାଳିକାଙ୍କୁ ତାଙ୍କର ସ୍ଥାପତ୍ୟରେ ସାମିଲ କରି ମେରା ଭାରତ ମହାନ ବାର୍ତ୍ତା ପ୍ରେରଣ କରିଛନ୍ତି। ସବୁବେଳେ ବାଲୁକା କଳା କରି ଚର୍ଚ୍ଚାରେ ରହୁଥିବା ସୁଦର୍ଶନଙ୍କ ଏହି କଳା ବେଶ ସୁନ୍ଦର ହୋଇଛି।

ନିକଟରେ ସୁଦର୍ଶନ ନୂଆଦିଲ୍ଲୀରେ ପରାକ୍ରମ ଦିବସ ଉପଲକ୍ଷେ ଏକ ବାଲୁକା କଳା ନିର୍ମାଣ କରିଥିଲେ। ଯାହାକୁ ଦେଖିବା ପାଇଁ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେଠାରେ ପହଞ୍ଚିଥିଲେ। କିଛି ସମୟ ତାଙ୍କପ ବାଲୁକା କଳା ଦେଖିବା ସହିତ ସୁଦର୍ଶନଙ୍କୁ ପ୍ରଶଂସା ମଧ୍ୟ କରିଥିଲେ। ବର୍ତ୍ତମାନ ପୁରୀ ବେଳାଭୂମିରେ ଏହି ବାଲୁକା କଳା ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଠ କରିବାରେ ଲାଗିଛି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟ ସ୍ତରୀୟ ସାଧାରଣତନ୍ତ୍ର ଦିବସରେ ପତାକା ଉତ୍ତୋଳନ କଲେ ରାଜ୍ୟପାଳ ରଘୁବର ଦାସ

ଭୁବନେଶ୍ବର: ଆଜି 75 ତମ ସାଧାରଣତନ୍ତ୍ର ଦିବସ ସାରା ରାଜ୍ୟରେ ବେଶ ଆନନ୍ଦ ଓ ଉଲ୍ଲାସ ମଧ୍ୟରେ ଆୟୋଜିତ ହୋଇଛି। ଆଜି ସକାଳେ ରାଜ୍ୟ ସ୍ତରୀୟ ଗଣତନ୍ତ୍ର ଦିବସ ଭୁବନେଶ୍ବରରେ ଆୟୋଜିତ ହୋଇଛି।

ଏଥିରେ ରାଜ୍ୟପାଳ ରଘୁବର ଦାସ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏଥିରେ ସମ୍ମାନିତ ଅତିଥୀ ଭାବେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ପତାକା ଉତ୍ତୋଳନ ପରେ ଆରମ୍ଭ ହୋଇଥିଲା ପରେଡ କାର୍ଯ୍ୟକ୍ରମ। ଏହି ପରେଡର ନେତୃତ୍ବ ନେଇଥିଲେ ଯୁବ ଆଇପିଏସ ଅଫିସର ଏ ବି ଶିଳ୍ପା। ଏଥିରେ ରାଜ୍ୟ ପୋଲିସ ବାହିନୀ, ଓଡ୍ରାଫ, ଟ୍ରାଫିକ ପୋଲିସ, ଅଗ୍ନିଶମ ବାହିନୀ ପ୍ରମୁଖ ଯୋଗଦେଇ ରାଜ୍ୟପାଳଙ୍କୁ ଅଭିବାଦନ ପ୍ରଦାନ କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ସାଧାରଣତନ୍ତ୍ର ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ କହିଲେ ଏପରି କଥା

ଭୁବନେଶ୍ବର: ସାଧାରଣତନ୍ତ୍ର ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହିତ ବାର୍ତ୍ତା ମଧ୍ୟ ଦେଇଛନ୍ତି। ସେ ଯାହା କହିଛନ୍ତି ତାହା ହେଲା..

ସାଧାରଣତନ୍ତ୍ର ଦିବସ ଅବସରରେ ଆପଣମାନଙ୍କୁ ସମସ୍ତଙ୍କୁ ମୋର ଶୁଭେଚ୍ଛା ଜଣାଉଛି।

ଏହି ଅବସରରେ ଜାତିର ପିତା ମହାତ୍ମା ଗାନ୍ଧୀ, ପଣ୍ଡିତ ନେହେରୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ସର୍ଦ୍ଦାର ପଟେଲ, ମୌଲାନା ଆଜାଦ, ଡଃ ବି.ଆର. ଆମ୍ବେଦକର, ଡଃ ରାଜେନ୍ଦ୍ର ପ୍ରସାଦ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସ, ନବକୃଷ୍ଣ ଚୌଧୁରୀ, ଗୋପବନ୍ଧୁ ଚୌଧୁରୀ, ସହିଦ୍ ଲକ୍ଷ୍ଣଣ ନାଏକ, ବୀର ସୁରେନ୍ଦ୍ର ସାଏ, ମା ରମାଦେବୀ, ମାଳତୀ ଚୌଧୁରୀ, ଡଃ ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ ଓ ପାର୍ବତୀ ଗିରିଙ୍କ ପରି ମହାନ୍ ସଂଗ୍ରାମୀ ମାନଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।

ଦେଶର ଶାନ୍ତି ଓ ସୁରକ୍ଷା ପାଇଁ ଶହୀଦ ହୋଇଥିବା ଆମର ଜୱାନ ମାନଙ୍କ ପ୍ରତି ମଧ୍ୟ ଏହି ଅବସରରେ ମୋର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।

ଆମ ଦେଶ ମହାତ୍ମା ଗାନ୍ଧୀ, ସୁଭାଷଙ୍କ ଦେଶ। ସତ୍ୟ, ଶାନ୍ତି ଅହିଂସା ନ୍ୟାୟ ଓ ସମତା ଓ ବିକାଶ ର ରାସ୍ତାରେ ଆମେ ଚାଲୁଛୁ।

ଆଜି ବିଭିନ୍ନ କ୍ଷେତ୍ରରେ ବିଶ୍ଵ ଦରବାରରେ ଭାରତର ପ୍ରତିଷ୍ଠା ବୃଦ୍ଧି ପାଉଛି।

ଦେଶର ବିକାଶରେ ସବୁ ରାଜ୍ୟର ଅବଦାନ ରହିଛି। ଆମ ଓଡ଼ିଶାର ମଧ୍ୟ ଗୁରୁତ୍ବପୁର୍ଣ ଭୂମିକା ରହିଛି। ଗତ କୋଡ଼ିଏ ବର୍ଷ ମଧ୍ୟରେ ଓଡ଼ିଶା ବିକାଶର ସବୁ କ୍ଷେତ୍ରରେ ନୂଆ ଇତିହାସ ସୃଷ୍ଟି କରିଛି। ଓଡ଼ିଶା ରୂପାନ୍ତର ପଥରେ ଆଗେଇ ଚାଲିଛି। ଓଡ଼ିଶାର ବିକାଶ ଅନ୍ୟ ମାନଙ୍କ ଆଦର୍ଶ ହୋଇଛି।

ମହାପ୍ରଭୁ ଜଗନ୍ନାଥ ଓଡ଼ିଆ ଜାତିର ଶ୍ରେଷ୍ଠ ପରିଚୟ। ତାଙ୍କ ଇଚ୍ଛାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି।

ସମଲେଇ ପ୍ରକଳ୍ପ ମଧ୍ୟ ଖୁବ୍ ଶୀଘ୍ର ଲୋକାର୍ପିତ ହେବାକୁ ଯାଉଛି। ଆମର କୀର୍ତ୍ତି ହେଉଛି ଆମ ସ୍ୱାଭିମାନ ଓ ଅସ୍ମିତାର ପରିଚୟ। ସତ୍ୟବାଦୀଠାରେ ଓଡିଆ ବିଶ୍ୱବିଦ୍ୟାଳୟର ନୂତନ କ୍ୟାମ୍ପସ୍‌ ଲୋକାର୍ପିତ ହୋଇଛି। ଓଡିଆ ଭାଷା ସାହିତ୍ୟର ଅଭିବୃଦ୍ଧି କ୍ଷେତ୍ରରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

ଓଡ଼ିଶାର ଅର୍ଥନୈତିକ ବିକାଶ ଖୁବ୍ ଭଲ ଅଛି। ଜାତୀୟ ହାରଠାରୁ ଅଧିକ ଅଛି। ଗରିବୀ କମ କରିବାରେ ଓଡ଼ିଶା ଏକ ଟପ୍ ରେ ରହିଛି। ନୀତି ଆୟୋଗ ରିପୋର୍ଟ କହୁଛି ଗତ ନଅ ବର୍ଷ ମଧ୍ୟରେ ଏକ କୋଟିରୁ ଅଧିକ ଲୋକ ଗରିବିରୁ ମୁକ୍ତ ହୋଇଛନ୍ତି।

ଆମର 5T ନୀତି ଯୋଗୁ ପ୍ରଶାସନ ସଚଳ ହେଉଛି। ଆମର ସବୁ ଯୋଜନାର ସୁଫଳ ଲୋକ ଠିକ୍ ଭାବେ ପାଉଛନ୍ତି। ଶିକ୍ଷା ଠାରୁ ଆରମ୍ଭ କରି ସ୍ଵାସ୍ଥ୍ୟ ଯୋଗାଯୋଗ ଜଳସେଚନ ପରିବହନ sports ସବୁ କ୍ଷେତ୍ରରେ ରୂପାନ୍ତର ଓଡ଼ିଶାର ବିକାଶକୁ ଉଜ୍ଜ୍ବଳ କରିଛି ।
ମୋ ସରକାର ଗାଁ କୁ ବିକାଶର କେନ୍ଦ୍ର କରିଛି।

ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଗାଁ ଗାଁ ରେ ଜଗନ୍ନାଥ ସଂସ୍କୃତିର ସୁରକ୍ଷା, ପ୍ରସାର କରାଯାଉଛି। ଗାଁରେ ଡିଜିଟାଲ ଭିତ୍ତିଭୂମିର ବିକାଶ କରାଯାଉଛି। ଲକ୍ଷ୍ମୀ ବସ ଯୋଜନା ଗାଁ ରେ ଯୋଗାଯୋଗ କ୍ଷେତ୍ରରେ ରୂପାନ୍ତର ଆଣିଛି। ଗାଁ ର ସାମାଜିକ ଅର୍ଥନୈତିକ ବ୍ୟବସ୍ଥ କୁ ଏହା ନୂଆ ଜୀବନ ଦେଇଛି।

ଚାଷ ଓ ଚାଷୀ ର ଉନ୍ନତି ପାଇଁ ମୁଁ ସବୁବେଳେ ଗୁରୁତ୍ଵ ଦେଇ ଆସିଛି।

ମା ମାନେ କେବଳ ପରିବାର ନୂହେଁ ଆମ ସମାଜର ଶକ୍ତି। ମିଶନ ଶକ୍ତି ଆଜି ୭୦ ଲକ୍ଷ ମା ମାନଙ୍କୁ ବିକାଶର ସହଭାଗୀତା କରିଛି। ମା ମାନଙ୍କ ଉପରେ ମୋର ଖୁବ୍ ଭରସା ଅଛି।

ଷ୍ଟାର୍ଟଅପ କ୍ଷେତ୍ରରେ ଆଜି ଓଡ଼ିଶା ରାଜ୍ୟମାନଙ୍କ ମଧ୍ୟରେ ଶୀର୍ଷରେ। ଭାରତ ସରକାରଙ୍କ ଠାରୁ ଏଥିପାଇଁ ଆମେ ପୁରସ୍କାର ପାଇଛୁ। ଶିଳ୍ପ, ସୂଚନା ପ୍ରଯୁକ୍ତି, ଷ୍ଟାର୍ଟଅପ ସବୁଥିରେ ଓଡ଼ିଶା ଏବେ ଆଗରେ ରହିଛି।
ଆମର ନୀତି ଓ ଯୁବ ସମାଜର ପାରଦର୍ଶିତା ଯୋଗୁ IBM, Deloitte, Accenture, Cognizant ଭଳି ବହୁରାଷ୍ଟ୍ରୀୟ କମ୍ପାନୀ ସେମାନଙ୍କର ସଂସ୍ଥାଗୁଡିକ ପ୍ରତିଷ୍ଠା ପାଇଁ ଓଡିଶାକୁ ପସନ୍ଦ କରୁଛନ୍ତି।

ସବୁ ଜୀବନ ମୂଲ୍ୟବାନ। ଏହି ନୀତିରେ ଆମର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବହୁତ୍ ଭଲ କାମ କରୁଛି। ଏହାକୁ ଆଗକୁ ନେଇ ଆମେ ବିଏସକେୱାଇ ନବୀନ କାର୍ଡ ଆରମ୍ଭ କରିଛୁ। ଏହାଦ୍ବାରା ରାଜ୍ୟର ଚାରି କୋଟିରୁ ଅଧିକ ଲୋକଙ୍କ ଚିକିତ୍ସା ଚିନ୍ତା ଦୂର ହୋଇଛି ।

ଆମର ବିକାଶ model ସମସ୍ତଙ୍କ ପାଇଁ ସୁଯୋଗ ଆଣିଛି। ସମସ୍ତେ ବିକାଶର ସହଭାଗୀତା ହୋଇଛନ୍ତି। ସମସ୍ତଙ୍କ ସହଯୋଗରେ ଓଡ଼ିଶା ଆଗକୁ ବଢୁଛି। ସମସ୍ତଙ୍କ ସହଯୋଗରେ ଆମେ ନୂଆ ଓଡ଼ିଶା ଗଢ଼ିବା । ଆମ ଓଡିଶା ହେବ ଶ୍ରେଷ୍ଠ ଓଡ଼ିଶା । ସଶକ୍ତ ଓଡିଶା ।

ଜୟ ହିନ୍ଦ୍।
ବନ୍ଦେ ଉତ୍କଳ ଜନନୀ

Categories
ଆଜିର ଖବର ବିଶେଷ ଖବର

ସାଧାରଣତନ୍ତ୍ର ଦିବସ ପରେଡ ସାଧାରଣ ଦିଲ୍ଲୀବାସୀଙ୍କ ପାଇଁ କେତେ ନିକଟତର ହୋଇଛି? ୧୯୬୩ ପରଠାରୁ କ’ଣ ବଦଳିଯାଇଛି?

ନୂଆଦିଲ୍ଲୀ: ଯଶଦେବ ସିଂ ପ୍ରଥମେ ଜଣେ କ୍ରୀଡ଼ା ଭାଷ୍ୟକାର ଭାବରେ ପରିଚିତ ଥିଲେ, କିନ୍ତୁ ସେ ୧୯୬୩ରୁ ୨୦୧୩ ପର୍ଯ୍ୟନ୍ତ ଅଲ ଇଣ୍ଡିଆ ରେଡିଓ ଏବଂ ଦୂରଦର୍ଶନରୁ କ୍ରମାଗତ ଭାବରେ ସାଧାରଣତନ୍ତ୍ର ଦିବସ ପରେଡ ବର୍ଣ୍ଣନା କରିଥିଲେ। ଅର୍ଥାତ୍ ଅର୍ଦ୍ଧଶତାବ୍ଦୀ ଧରି ଜାନୁଆରୀ ୨୬ ତାରିଖରେ ପରେଡ ଉପରେ ସେ ମନ୍ତବ୍ୟ ଜାରି ରଖିଥିଲେ। ଏହି ସମୟରେ ସେ ପରେଡର ବିସ୍ତାର ଓ ବଦଳୁଥିବା ଚେହେରା ଦେଖିଥିଲେ। ଯଶଦେବ ସିଂହ ଯେତେବେଳେ ସାଧାରଣତନ୍ତ୍ର ଦିବସ ପରେଡ ବର୍ଣ୍ଣନା କରିବା ଆରମ୍ଭ କଲେ, ସେତେବେଳେ ସାଧାରଣ ଲୋକ ମଧ୍ୟ ରାଜପଥ (କର୍ତବ୍ୟ ପଥ)ରେ ପହଞ୍ଚୁଥିଲେ। ସେଠାରେ ପୁଲିସର ପ୍ରତୀକାତ୍ମକ ଉପସ୍ଥିତି ଦେଖିବାକୁ ମିଳିଥିଲା। ଅପରପକ୍ଷରେ ହକରମାନଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା ଏବଂ ଲୋକମାନେ ଖାଦ୍ୟ ପାନୀୟ ନେଇ ଆସୁଥିଲେ, କିନ୍ତୁ ପଞ୍ଜାବରେ ଆତଙ୍କବାଦ ବ୍ୟାପିବା ପରେ ସବୁକିଛି ବଦଳିଯାଇଥିଲା। ଏହାପରେ ସୁରକ୍ଷା ବ୍ୟବସ୍ଥା ଏତେ କଠୋର ହୋଇଗଲା ଯେ ସାଧାରଣ ଲୋକେ ରାଜପଥ ଯିବାକୁ ବାରଣ କରିବା ଆରମ୍ଭ କଲେ।

୧୯୬୩ ପରେଡ୍ କାହିଁକି ଫିକା ପଡ଼ିଲା?

୧୯୬୨ମସିହାରେ ଚୀନ ସହ ହୋଇଥିବା ଯୁଦ୍ଧରେ ୧୯ ଜଣଙ୍କୁ ନେଇ ଦେଶ ଅବସାଦଗ୍ରସ୍ତ ଥିଲା। ୧୯୬୩ ସାଧାରଣତନ୍ତ୍ର ଦିବସ ପରେଡରେ କେଉଁଠି ନା କେଉଁଠି ତାଙ୍କର ଅଭିବ୍ୟକ୍ତି ଦୃଶ୍ୟମାନ ହେଉଥିଲା। ରାଜପଥଠାରୁ ଆରମ୍ଭ କରି ପରେଡର ଅବଶିଷ୍ଟ ଅଂଶ ଯଥା କସ୍ତୁରବା ଗାନ୍ଧୀ ମାର୍ଗ, କର୍ଣ୍ଣଟ ପ୍ଲେସ୍, ମିଣ୍ଟୋ ରୋଡ୍, ଥମସନ୍ ରୋଡ୍ ଇତ୍ୟାଦିରେ ଜନସାଧାରଣଙ୍କ ଅଂଶଗ୍ରହଣ କମ ରହିଥିଲା। ଯଶଦେବ ସିଂ କହୁଥିଲେ ଯେ ସେହି ବର୍ଷ ବାଲ ବୀର ପୁରସ୍କାର ଦିଆଯାଇନଥିଲା। ଏହି ପୁରସ୍କାର ୧୯୫୯ ମସିହାରୁ ଆରମ୍ଭ ହୋଇଥିଲା ଏବଂ ଏକମାତ୍ର ବର୍ଷ କୌଣସି ଶିଶୁଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇନଥିଲା।

ବୈଦେଶିକ ରାଷ୍ଟ୍ରପତି ତୁଳନାରେ ମହମ୍ମଦ ଅଲ୍ଲୀ ଅଧିକ ଲୋକପ୍ରିୟ

ସାଧାରଣତନ୍ତ୍ର ଦିବସ ସମାରୋହରେ ଆମେରିକା ରାଷ୍ଟ୍ରପତି ବାରାକ ଓବାମା ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମୁଖ୍ୟ ଅତିଥିଭାବେ ଯୋଗ ଦେଇଛନ୍ତି। କିନ୍ତୁ ଦକ୍ଷିଣ ଆଫ୍ରିକାର ସ୍ୱାଧୀନତା ସଂଗ୍ରାମୀ ନେଲସନ ମଣ୍ଡେଲା ଏବଂ ବକ୍ସର ମହମ୍ମଦ ଅଲ୍ଲୀଙ୍କୁ ରାଜପଥ (କର୍ତବ୍ୟ ପଥ)ରେ ଜନ୍ମସମୁହ ସ୍ୱାଗତ କରିଥିଲେ। ମଣ୍ଡେଲା ୧୯୯୫ ରେ ସାଧାରଣତନ୍ତ୍ର ଦିବସ ପରେଡରେ ମୁଖ୍ୟ ଅତିଥି ଥିଲେ। ଦର୍ଶକମାନେ ମଣ୍ଡେଲା ସ୍ଲୋଗାନ ଦେଉଥିଲେ। ଯଶଦେବ ସିଂ କହୁଥିଲେ ଯେ ଜନତା ମଧ୍ୟ ମହମ୍ମଦ ଅଲ୍ଲୀଙ୍କୁ ଜୋରସୋରରେ ଶୁଭେଚ୍ଛା ଜଣାଇଥିଲେ।

୧୯୭୮ ସାଧାରଣତନ୍ତ୍ର ଦିବସ ଉତ୍ସବରେ ସେ ସ୍ୱତନ୍ତ୍ର ଅତିଥିଭାବେ ଯୋଗ ଦେଇଥିଲେ। ସେହି ସାଧାରଣତନ୍ତ୍ର ଦିବସ ଉତ୍ସବରେ ଆୟର୍ଲାଣ୍ଡର ରାଷ୍ଟ୍ରପତି ପ୍ୟାଟ୍ରିକ୍ ହିଲାରୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ, କିନ୍ତୁ ସମସ୍ତଙ୍କ ନଜର ମହମ୍ମଦ ଅଲ୍ଲୀଙ୍କ ଉପରେ ଥିଲା। ସେ ଥିଲେ ବିଶ୍ୱ ହିରୋ। ନିଜ ପ୍ରିୟଜନଙ୍କ ଶୁଭେଚ୍ଛାର ଜବାବ ଦେଇ ସେ ଆକାଶରେ ପଞ୍ଚ ବୁଲାଇ ଦେଉଥିଲେ। ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ମଧ୍ୟ ମହମ୍ମଦ ଅଲ୍ଲୀଙ୍କୁ ଦେଖି ହସିଥିଲେ।

ସାଧାରଣ ଦିଲ୍ଲୀବାସୀଙ୍କଠାରୁ ଦୂରେଇଲା ପରେଡ

ସାଧାରଣତନ୍ତ୍ର ଦିବସ ପରେଡ କିପରି ସାଧାରଣ ଲୋକଙ୍କଠାରୁ ଦୂରେଇ ଯାଉଛି ସେନେଇ ମଧ୍ୟ ଯଶଦେବ ସିଂହ ଦୁଃଖ ପ୍ରକାଶ କରିଛନ୍ତି। ସାଧାରଣତନ୍ତ୍ର ଦିବସରେ ଯଶଦେବ ସିଂହଙ୍କ ମନ୍ତବ୍ୟ ଶୁଣି ଅନେକ ପିଢ଼ି ବଡ଼ ହୋଇଥିଲେ। କିଛି ବର୍ଷ ପୂର୍ବେ ସେ ଘରୋଇ ନ୍ୟୁଜ୍ ଚ୍ୟାନେଲରେ ପରେଡ ବିଷୟରେ ମଧ୍ୟ ବର୍ଣ୍ଣନା କରିଥିଲେ। ଏହା ପୂର୍ବରୁ ସେ ବାଲ ବୀର ବିଜେତା ପିଲାମାନଙ୍କୁ ହାତୀ ଉପରେ ପରେଡରେ ପାସ୍ କରୁଥିବା ଦେଖିଥିଲେ। ଏହି ସିରିଜ୍ ୨୦୧୦ରେ ଶେଷ ହୋଇଥିଲା। ତା’ପରେ ପିଲାମାନଙ୍କୁ ଜିପରେ ପରେଡକୁ ନିଆଯାଇଥିଲା।

ପରେଡ ଶେଷ ହେବା ପରେ ସେ ପଣ୍ଡିତ ଜବାହରଲାଲ ନେହେରୁଙ୍କୁ ଲୋକଙ୍କ ସହ ମିଳାମିଶା କରୁଥିବା ଦେଖିଥିଲେ। ଯଶଦେବ ସିଂ ଜାନୁଆରୀ ୨୬ ତାରିଖ ଭୋର ୪-୪.୩୦ରେ ରାଜପଥରେ ପହଞ୍ଚିଥିଲେ। ସେମାନେ ଦେଖୁଥିଲେ ଯେ ଲୋକମାନେ ସକାଳୁ ପରେଡ ରାସ୍ତାରେ ବସିଥାଆନ୍ତି। ଏଥିରେ ଦିଲ୍ଲୀ ଏବଂ ଆଖପାଖ ରାଜ୍ୟର ଗାଁର ଲୋକ ସାମିଲ ଥିଲେ। ସେମାନେ ସମସ୍ତେ ପରେଡ ସହିତ ନିଜକୁ ଯୋଡ଼ିଥିଲେ। ତା’ପରେ ସାଧାରଣତନ୍ତ୍ର ଦିବସ ପରେଡ ଦେଖିବା ଏକ ପର୍ବରେ ଉପବାସ କରିବା ପରି ଥିଲା। ଏହାକୁ ନେଇ ଦିଲ୍ଲୀବାସୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ଦିଲ୍ଲୀରେ ପ୍ରବଳ ଶୀତ ସତ୍ତ୍ୱେ ଲୋକମାନେ ସକାଳ ପରେଡ ରାସ୍ତାରେ ନିଆଁ ଲଗାଇ ବସିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପ୍ରକାଶ ପାଇଲା ଗଣତନ୍ତ୍ର ଦିବସରେ ପତାକା ଉତ୍ତୋଳନ ପାଇଁ ଅତିଥି ତାଲିକା, ୧୭ ଟି ସ୍ଥାନରେ ମନ୍ତ୍ରୀ

ଭୁବନେଶ୍ବର: ଜାନୁୟାରୀ ୨୬ ତାରିଖ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପତାକା ଉତ୍ତୋଳନ କରିବା ଅତିଥି ତାଲିକା ପ୍ରକାଶ ପାଇଛି। ସେହି ଅନୁସାରେ ୧୭ ଟି ସ୍ଥାନରେ ମନ୍ତ୍ରୀମାନେ ପତାକା ଉତ୍ତୋଳନ କରୁଛନ୍ତି। ତାଲିକା ଅନୁସାରେ ଯେଉଁ ମନ୍ତ୍ରୀମାନଙ୍କୁ ଜିଲ୍ଲା ଉତ୍ସବରେ ଯୋଗଦେବାକୁ କୁହାଯାଇଛି ସେମାନେ ହେଲେ

ଏହିତାଲିକା ଅନୁସାରେ ସୁଦାମ ମାର୍ଣ୍ଡି କଟକରେ ପତାକା ଉତ୍ତୋଳନ କରୁଥିବା ବେଳେ ପୁରୀରେ ପ୍ରଫୁଲ ମଲ୍ଲିକ ଜିଲ୍ଲା ସ୍ତରୀୟ ଉତ୍ସବରେ ଯୋଗଦେବେ। ତେବେ ଅନ୍ୟ ସ୍ଥାନରେ ଜିଲ୍ଲାପାଳ ତଥା ଆରଡିସି ପତାକା ଉତ୍ତୋଳନ କରିବା ପାଇଁ ତାଲିକା ପ୍ରକାଶ ପାଇଛି।

ତେବେ ଭୁବନେଶ୍ବରରେ ଆୟୋଜିତ ରାଜ୍ୟ ସ୍ତରୀୟ ସାଧାରଣତନ୍ତ୍ର ଦିବସରେ ରାଜ୍ୟପାଳ ରଘୁବର ଦାସ ପତାକା ଉତ୍ତୋଳନ କରିବେ। ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥୀ ଭାବେ ଯୋଗ ଦେବେ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ରିଲାଏନ୍ସ ଜିଓର ସାଧାରଣତନ୍ତ୍ର ଦିବସ ଅଫର

ଭୁବନେଶ୍ୱର: ରିଲାଏନ୍ସ ଜିଓ ଏହାର ଗ୍ରାହକମାନଙ୍କ ପାଇଁ ସାଧାରଣତନ୍ତ୍ର ଦିବସ ଅଫର ଘୋଷଣା କରିଛି। ଏହି ଅଫର ଅନୁଯାୟୀ ୨୯୯୯ ଟଙ୍କାର ବାର୍ଷିକ ରିଚାର୍ଜ କରିବା ସହିତ ଗ୍ରାହକଙ୍କୁ ୩୬୫ ଦିନର ବୈଧତାଦୈନିକ ୨.୫ ଜିବି ହାଇ-ସ୍ପିଡ଼ ଡାଟା ସାଙ୍ଗକୁ ୩ ହଜାର ଟଙ୍କାରୁ ଅଧିକ ମୂଲ୍ୟର ରିହାତି କୁପନ ମିଳିବ । ସପିଂଭ୍ରମଣ ଏବଂ ଖାଦ୍ୟ ବିଲ୍ ପ୍ରଦାନ ପାଇଁ ଏହି କୁପନ୍ ବ୍ୟବହାର କରାଯାଇପାରିବ । ଗ୍ରାହକ ଜିଓର ଏହି ବାର୍ଷିକ ପ୍ଲାନ୍ ରିଚାର୍ଜ କରିବା ସହିତ ତାଙ୍କୁ ମିଳୁଥିବା କୁପନ୍ ସଙ୍ଗେ ସଙ୍ଗେ ମାଇଁ ଜିଓ ଆପ୍‌‌ରେ ଉପଲବ୍ଧ ହେବ । ଏହି ଅଫରର ଲାଭ କେବଳ ଜାନୁଆରି ୩୧ ପର୍ଯ୍ୟନ୍ତ ମିଳିପାରିବ ।

ମିଳିଥିବା କୁପନ ବଳରେ ରିଲାଏନ୍ସର ଆଜିଓ ଆପ୍‌‌ରୁ ସର୍ବନିମ୍ନ ୨୪୯୯ ଟଙ୍କା କିଣିଲେ ଗ୍ରାହକଙ୍କୁ ୫୦୦ ଟଙ୍କାର ରିହାତି ମିଳିବ । ଏଥିସହିତ ଟିରାର ସୌନ୍ଦର୍ଯ୍ୟ ସାମଗ୍ରୀ କିଣିଲେ ଗ୍ରାହକଙ୍କୁ ୩୦% ରିହାତି ମିଳିବଯାହା ସର୍ବାଧିକ ୧୦୦୦ ଟଙ୍କା ପର୍ଯ୍ୟନ୍ତ ହୋଇପାରିବ । ରିଲାଏନ୍ସ ଡିଜିଟାଲରେ ସର୍ବନିମ୍ନ ୫,୦୦୦ ଟଙ୍କାର କ୍ରୟ ଉପରେ ୧୦ ପ୍ରତିଶତ ରିହାତି ମିଳିବ ଏବଂ ରିଲାଏନ୍ସ ଡିଜିଟାଲରୁ କ୍ରୟ ଉପରେ ସର୍ବାଧିକ ରିହାତି ସୀମା ୧୦,୦୦୦ ଟଙ୍କା ରହିଛି ।

ସେହିଭଳି ଯାତ୍ରା କ୍ଷେତ୍ରରେ ଇକ୍ସିଗୋରୁ ବିମାନ ଟିକେଟ୍ ବୁକିଂ କରିବା ସହିତ ୧୫୦୦ ଟଙ୍କା ପର୍ଯ୍ୟନ୍ତ ରିହାତି ମିଳିବ । ଜଣେ ଯାତ୍ରୀଙ୍କ ଟିକେଟ ସହିତ ୫୦୦ ଟଙ୍କା୨ ଜଣ ଯାତ୍ରୀଙ୍କ ଟିକେଟ ସହିତ ୧୦୦୦ ଟଙ୍କା ଏବଂ ୩ ଜଣ ଯାତ୍ରୀଙ୍କ ଟିକେଟ ସହିତ ୧୫୦୦ ଟଙ୍କା ରିହାତି ଧାର୍ଯ୍ୟ କରାଯାଇଛି । ଖାଦ୍ୟ ପ୍ରେମୀମାନେ ସ୍ୱିଗି ଆପ୍‌‌ରୁ ଖାଦ୍ୟ ବୁକ୍ କରିପାରିବେ ଏବଂ ଅନ୍ୟୁନ ୨୯୯ ଟଙ୍କାର ବରାଦ ମୂଲ୍ୟ ଉପରେ ୧୨୫ ଟଙ୍କା ପର୍ଯ୍ୟନ୍ତ ରିହାତି ପାଇପାରିବେ ।

ଅଧିକରୁ ଅଧିକ କୁପନ୍ ଜିତିବା ପାଇଁ ଗ୍ରାହକ ନିଜ ନମ୍ବରରେ ଯେତିକି ଚାହିଁବେ ରିଚାର୍ଜ କରିପାରିବେ । ଏହି ଅଫର ଅଧୀନରେ ଜିତିଥିବା କୁପନ୍‌‌କୁ ଅନ୍ୟ ଜିଓ ନମ୍ବରକୁ ସ୍ଥାନାନ୍ତରିତ କରାଯାଇପାରିବ ନାହିଁ । ତେବେ କୁପନ୍‌‌କୁ ବନ୍ଧୁ/ପରିବାର ଲୋକଙ୍କ ସହ ସେୟାର କରାଯାଇପାରିବ ।

Categories
ଆଞ୍ଚଳିକ

ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଚିତ୍ରାଙ୍କନ ପ୍ରତିଯୋଗିତା

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ଉପଖଣ୍ଡ ସୁଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏକ ଚିତ୍ରାଙ୍କନ ପ୍ରତିଯୋଗିତା କାର୍ଯ୍ୟକ୍ରମ ଶହୀଦ ଲକ୍ଷ୍ମଣ ନାୟକ ଉଚ୍ଚବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଛି। ଅନୁଷ୍ଠିତ କାର୍ଯ୍ୟକ୍ରମରେ ସହରର ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ର ଛାତ୍ରୀ ମାନେ ଜଳ ସଂରକ୍ଷଣ, ସଡ଼କ ସୁରକ୍ଷା ଭଳି ବିଭିନ୍ନ ଚିତ୍ରାଙ୍କନ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଆଜିର ଏହି ପ୍ରତିଯୋଗିତାରେ ଭାଗ ନେଇଥିବା କ୍ରୁତି ପ୍ରତିଯୋଗୀ ମାନଙ୍କୁ ଆସନ୍ତା ସାଧାରଣତନ୍ତ୍ର ଦିବସରେ ସ୍ଥାନୀୟ ଖଲିକୋଟ ବିଶ୍ଵବିଦ୍ୟାଳୟ ଖେଳ ପଡିଆରେ ଆୟୋଜିତ କାର୍ଯ୍ୟକ୍ରମରେ ପୁରସ୍କ୍ରୁତ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ସାଧାରଣତନ୍ତ୍ର ଦିବସ ପାଳନ ସଂପର୍କରେ ସୂଚନା ଓ ଲୋକସଂପର୍କ ବିଭାଗର ପ୍ରସ୍ତୁତି ବୈଠକ

ଭୁବନେଶ୍ୱର: ୭୫ତମ ସାଧାରଣତନ୍ତ୍ର ଦିବସରେ ରାଜ୍ୟପାଳ ଶ୍ରୀଯୁକ୍ତ ରଘୁବର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିବେ । ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏହି ରାଷ୍ଟ୍ରୀୟ ସମାରୋହରେ ଉପସ୍ଥିତ ରହିବେ।

ଆଜି ପୂର୍ବାହ୍ନରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସାଧାରଣତନ୍ତ୍ର ଦିବସ-୨୦୨୪ ପାଳନର ରୂପରଖେ ସଂପର୍କରେ ଏକ ପ୍ରସ୍ତୁତି ବୈଠକ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରତିଟି ଭାରତୀୟଙ୍କ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ଏହି ମହାନ ଦିବସ ସହ ସମସ୍ତଙ୍କ ଭାବାବେଗ ଜଡ଼ିତ ହୋଇଥିବାରୁ ଉତ୍ସବ ଆୟୋଜନ ସମୟରେ ସମସ୍ତ ବିଷୟକୁ ଟିକିନିଖି ଭାବେ ଗୁରୁତ୍ୱ ଦେବାକୁ ପ୍ରମୁଖ ଶାସନ ସଚିବ ବୈଠକରେ ଗୁରୁତ୍ୱ ଦେଇଥିଲେ।

ଚଳିତ ବର୍ଷ ଗାନ୍ଧୀ ମାର୍ଗଠାରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ଉତ୍ସବ ପାଳନ କରାଯିବ। ସୂଚନା ଓ ଲୋକସଂପର୍କ ବିଭାଗ ଦ୍ୱାରା ପ୍ୟାରେଡ୍‌ ଓ ପତାକା ଉତ୍ତୋଳନ ସ୍ଥାନଠାରେ ଆନୁଷଙ୍ଗିକ ବ୍ୟବସ୍ଥା ଗ୍ରହଣ କରାଯିବ । ପ୍ରଭାତରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ରାମଧୁନ ପରିବେଷଣ, ସାଧାରଣତନ୍ତ୍ର ଦିବସ ସଂପର୍କିିତ ଟିଭି ଓ ସାମାଜିକ ଗଣମାଧ୍ୟମ ଯୋଗେ ସିଧାପ୍ରସାରଣ, ଗଣମାଧ୍ୟମକୁ ସୂଚନା ପ୍ରଦାନ, ଉତ୍ସବସ୍ଥଳର ସାଜସଜ୍ଜା, ନିମନ୍ତ୍ରିତ ଅତିଥି ଏବଂ ବିଶିଷ୍ଟ ଅତିଥିମାନଙ୍କ ଉପବେଶନ ବ୍ୟବସ୍ଥା ସଂପର୍କରେ ବୈଠକରେ ଆଲୋଚନା ହୋଇଥିଲା ।

ଚଳିତ ବର୍ଷ ସ୍କୁଲ ଛାତ୍ରଛାତ୍ରୀଙ୍କ ନିମନ୍ତେ ଦର୍ଶକ ଗ୍ୟାଲେରୀରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ରାଜଭବନରୁ ଉତ୍ସବସ୍ଥଳ ପର୍ଯ୍ୟନ୍ତ ରାସ୍ତାକୁ ତି୍ରରଙ୍ଗା ଦ୍ୱାରା ସାଜସଜ୍ଜା ଏବଂ ଉତ୍ସବସ୍ଥଳକୁ ଆକର୍ଷଣୀୟ ସାଜସଜ୍ଜା କରିବା ପାଇଁ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂ ପରାମର୍ଶ ଦେଇଥିଲେ।

ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଉତ୍ସବ ସ୍ଥଳର ସାନିଟାଇଜେସନ୍‌ ଓ ପିଇବା ପାଣି ବ୍ୟବସ୍ଥା କରାଯିବ । ସେହିପରି ସୁରକ୍ଷା ବ୍ୟବସ୍ଥା ତଥା ଟ୍ରାଫିକ୍‌ ନିୟନ୍ତ୍ରଣକୁ କମିଶନରେଟ୍‌ ପୋଲିସ ପକ୍ଷରୁ ପରିଚାଳନା କରାଯିବ । ପୂର୍ବବର୍ଷ ପରି କୋଲକାତାଠାରେ ବିଭାଗ ପକ୍ଷରୁ ଉତ୍ସବ ପାଳନ କରାଯିବ।

ଏହି ବୈଠକରେ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ସରୋଜ ସାମଲ, ନିର୍ଦ୍ଦେଶକ(ବୈଷୟିକ) ଶ୍ରୀ ସୁରେନ୍ଦ୍ର ନାଥ ପରିଡ଼ା, ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ବିଷ୍ଣୁପ୍ରିୟା ସାହୁ, ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ, ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ଗୁର୍‌ବୀର୍‌ ସିଂହ ଓ ଶ୍ରୀ ବିଶ୍ୱଜିତ ଦାଶ, ଉପନିର୍ଦ୍ଦେଶକ ଡ. ଜ୍ୟୋତିର୍ମତୀ ସାମନ୍ତରାୟ ଏବଂ ଦୀପ୍ତିମୟୀ ମହାପାତ୍ର, ସହକାରୀ ନିର୍ଦ୍ଦେଶକ(କ୍ଷେତ୍ର) ଶ୍ରୀମତୀ ସୁଚେତା ପି୍ରୟଦର୍ଶିନୀଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସଂସ୍କୃତି

ଏଥର ସାଧାରଣତନ୍ତ୍ର ଦିବସ ନୂଆଦିଲ୍ଲୀ ପରେଡରେ ଶୋଭା ପାଇବ ଓଡିଶାର ପ୍ରଜ୍ଞାପନ ମେଢ

ଭୁବନେଶ୍ବର: ନୂଆଦିଲ୍ଲୀର କର୍ତ୍ତବ୍ଯ ପଥରେ ଆୟୋଜିତ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ସମାରୋହରେ ସାମିଲ ହେବ ଓଡ଼ିଶାର ପ୍ରଜ୍ଞାପନ ମେଢ। ଭାରତ ସରକାରଙ୍କ ଦ୍ବାରା ସ୍ଥିରିକୃତ “ବିକଶିତ ଭାରତ” ବିଷୟବସ୍ତୁ ଉପରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏହି ମେଢ ପ୍ରସ୍ତୁତ କରାଯାଇଛି।

ଓଡ଼ିଶାର ସମୃଦ୍ଧ ହସ୍ତଶିଳ୍ପ ଓ ହସ୍ତତନ୍ତ ମାଧ୍ୟମରେ ମହିଳା ସଶକ୍ତିକରଣକୁ ଏହି ପ୍ରଜ୍ଞାପନ ମେଢରେ ପ୍ରଦର୍ଶନ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଦିଲ୍ଲୀର ସାଧାରଣତନ୍ତ୍ର ଦିବସରେ ଯୋଗ ଦେବା ପାଇଁ ଓଡିଶା ଏନ୍‌ସିସି କ୍ୟାଡେଟଙ୍କ ବିମାନରେ ଯାତ୍ରା

ଭୁବନେଶ୍ୱର: ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଅଧ୍ୟକ୍ଷତାରେ ବିଭାଗ ଏହି ବର୍ଷଠାରୁ ଓଡ଼ିଶାର କୃତୀ କ୍ୟାଡେଟମାନଙ୍କୁ ଦିଲ୍ଲୀର ସାଧାରଣତନ୍ତ୍ର ଦିବସରେ ଯୋଗଦେବା ପାଇଁ ଓଡିଶାରୁ ଦିଲ୍ଲୀ ଅଭିମୁଖେ ବିମାନରେ ଯିବା ଆସିବାର ସମସ୍ତ ସୁବିଧା ଯୋଗାଇ ଦେଇଛନ୍ତି ।

ଓଡ଼ିଶାର ୭୦ ହଜାର କ୍ୟାଡେଟମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାର କଠିନ ପରୀକ୍ଷା ଓ ପ୍ରତିଯୋଗିତା କରାଯାଇ ସର୍ବଶେଷରେ ୧୨୨ ଜଣ କୃତୀ କ୍ୟାଡ଼େଟଙ୍କୁ ଚୟନ କରାଯାଇଥିଲା। ସେଥି ମଧ୍ୟରୁ ୨୯ ଜଣ କୃତୀ କ୍ୟାଡ଼େଟ ଆଜି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଦିଲ୍ଲୀ ଅଭିମୁଖେ ଏୟାର ଭିସ୍ତାରା ବିମାନ ଯୋଗେ ଯାତ୍ରା କରିଛନ୍ତି। ତନ୍ମଧ୍ୟରୁ ୨୩ ଜଣ କ୍ୟାଡ଼େଟଙ୍କ ପାଇଁ ବିମାନ ଯାତ୍ରା ସମ୍ପୂର୍ଣ୍ଣ ନୂଆ ଅନୁଭୂତି ଥିଲା।

ଯାତ୍ରା ସମୟରେ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ନିମନ୍ତେ ଏୟାରପୋର୍ଟରେ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ନାୟକ, ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ ଶ୍ରୀ ଭବାନୀ ଶଙ୍କର ଚୟନୀଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ମନ୍ତ୍ରୀ ଶ୍ରୀ ନାୟକ ସମସ୍ତ କ୍ୟାଡେଟଙ୍କୁ କ୍ୟାପ ପିନ୍ଧାଇ, ପୁଷ୍ପଗୁଚ୍ଛ ଦେଇ ଉତ୍ସାହିତ କରିଥିଲେ। ଏଥିପାଇଁ ସମସ୍ତ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ବିଭାଗକୁ ଧନ୍ୟବାଦ ଜଣାଇଛନ୍ତି।

ପ୍ରତିବର୍ଷ ଜାନୁୟାରୀ ୨୬ରେ ଅନୁଷ୍ଠିତ ହେଉଥିବା ସାଧାରଣତନ୍ତ୍ର ଦିବସ ପ୍ୟାରେଡ଼ରେ ଯୋଗଦାନ କରିବା ପାଇଁ ଆମ ରାଜ୍ୟରୁ ପିଲାମାନଙ୍କୁ ଚୟନ କରି ଦିଲ୍ଲୀ ପଠାଯାଇଥାଏ। ଏ ବର୍ଷ ଓଡ଼ିଶାର କଟକ ଗ୍ରୁପ ଏନ୍‌ସିସି ଗ୍ରୁପ କମାଣ୍ଡର ତଥା ଚୟନକାରୀ ସାମରିକ ସେନାର ଅଧିକାରୀ କର୍ଣ୍ଣେଲ ସତ୍ୟବ୍ରତ ସ୍ୱାଇଁଙ୍କ ତତ୍ତ୍ୱାବଧାନରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ୭୫ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଓଡ଼ିଶା ସମର ଶିକ୍ଷାର୍ଥୀ ବାହିନୀର ପ୍ରସ୍ତୁତି ଶିବିର ଭୁବନେଶ୍ୱରଠାରେ ଅବସ୍ଥିତ କେନ୍ଦ୍ରୀୟ ରିଜର୍ଭ ପୋଲିସ ବାହିନୀ ପରିସରରେ ଅନୁଷ୍ଠିତ ହୋଇଥିଲା।

ଦୀର୍ଘ ୫୦ ଦିନ ବ୍ୟାପି ଅନୁଷ୍ଠିତ ହୋଇଥିବା ଏହି ଶିବିରରେ କ୍ୟାଡ଼େଟମାନଙ୍କୁ ଡ୍ରିଲ, ଘୋଡାଚଢା କୌଶଳ, ଜାତୀୟ ସଂହତି ଶିକ୍ଷା, ପତାକା ସ୍ଥାନ ପ୍ରସ୍ତୁତି, ବ୍ୟକ୍ତିତ୍ୱ ବିକାଶ ଅଭିବୃଦ୍ଧି ଶିକ୍ଷା, ସାମରିକ ଶିକ୍ଷା ଭାଷା ବିନିମୟ ଶିକ୍ଷା ଭଳି ବିଭିନ୍ନ ଶାରୀରିକ ତଥା ବୌଦ୍ଧିକ ଶିକ୍ଷାର ତାଲିମ ପ୍ରଦାନ କରାଯାଇଥିଲା।

Categories
ଜାତୀୟ ଖବର ବିଶେଷ ଖବର ବ୍ୟକ୍ତିତ୍ୱ

ଗଣତନ୍ତ୍ର ଦିବସ ପରେଡ୍: ବାଇଡେନ ଯୋଗଦେବାକୁ ମନା କରିବା ପରେ ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ସାଧାରଣତନ୍ତ୍ର ଦିବସ ପରେଡରେ ଯୋଗ ଦେବେ ନାହିଁ ବୋଲି ନିଶ୍ଚିତ କରିବା ପରେ ଭାରତ ଏବେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କୁ ନୂଆଦିଲ୍ଲୀ ଗସ୍ତ ପାଇଁ ନିମନ୍ତ୍ରଣ କରିଛି। ଯଦି ଫ୍ରାନ୍ସ ରାଷ୍ଟ୍ରପତି ଏହି ନିମନ୍ତ୍ରଣକୁ ଗ୍ରହଣ କରନ୍ତି, ତେବେ ଭାରତ ଏହାକୁ ଆନୁଷ୍ଠାନିକଭାବେ ଘୋଷଣା କରିବ।

ଖାଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁଙ୍କୁ ନେଇ ଆମେରିକା ଓ ଭାରତ ମଧ୍ୟରେ ସମ୍ପର୍କରେ ତିକ୍ତତା ଲାଗି ରହିଥିବାବେଳେ ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ଏହି ନିମନ୍ତ୍ରଣ ଦିଆଯାଇଛି। ନୂଆଦିଲ୍ଲୀରେ ଆୟୋଜିତ ଏହି ଭବ୍ୟ ପ୍ୟାରେଡରେ ଫ୍ରାନ୍ସ ନେତା ଷଷ୍ଠଥର ପାଇଁ ମୁଖ୍ୟ ଅତିଥିଭାବେ ଯୋଗ ଦେବେ। ରାଫେଲ ଓ ଆତଙ୍କବାଦ ବିରୋଧରେ ଲଢ଼େଇରେ ଦୁଇଦେଶ ମଧ୍ୟରେ ବନ୍ଧୁତା ବହୁତ ମଜଭୁତ ହୋଇଥିବାବେଳେ ଏହି କାରଣରୁ ଫ୍ରାନ୍ସକୁ ଭାରତ ପାଇଁ ‘ନ୍ୟୁ ରୁଷିଆ’ ବୋଲି କୁହାଯାଉଛି।

ଫ୍ରାନ୍ସ ହେଉଛି ଏକମାତ୍ର ଦେଶ ଯାହାର ନେତାଙ୍କୁ ଅନେକଥର ସାଧାରଣତନ୍ତ୍ର ଦିବସ ପରେଡରେ ମୁଖ୍ୟ ଅତିଥିଭାବେ ଡକା ଯାଇଛି। ଗତ କିଛିବର୍ଷ ମଧ୍ୟରେ ଭାରତ ଓ ଫ୍ରାନ୍ସ ମଧ୍ୟରେ ସମ୍ପର୍କ ସୁଦୃଢ଼ ହେବାରେ ଲାଗିଛି। ପୂର୍ବରୁ ଭାରତର ସାଧାରଣତନ୍ତ୍ର ଦିବସ ପରେଡରେ ଆମେରିକା ସମେତ କ୍ୱାଡ୍ ଦେଶମୁଖ୍ୟ ଅତିଥିଭାବେ ଯୋଗଦେବେ ବୋଲି ଯୋଜନା ହୋଇଥିଲା।

ଏହି ପ୍ୟାରେଡର ଶେଷ ଅବସରରେ କ୍ୱାଡ୍ ଦେଶ, ବିଶେଷ କରି ଆମେରିକାର ‘କାର୍ଯ୍ୟସୂଚୀ ନ ହେବା’ ନାଁ’ରେ ଝଟକା ଦେବା ପରେ ଏବେ ବନ୍ଧୁ ଫ୍ରାନ୍ସର ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ କରାଯାଇଛି। କୁହାଯାଉଛି ଯେ ବାଇଡେନ ଭାରତ ଆସିବା ପରିବର୍ତ୍ତେ ଚଳିତ ବର୍ଷ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରସ୍ତୁତି କରିବାକୁ ପସନ୍ଦ କରିଛନ୍ତି।

ଫ୍ରାନ୍ସ ହେଉଛି ଭାରତର ଦ୍ୱିତୀୟ ରୁଷିଆ

ନିର୍ବାଚନ କାରଣରୁ ବାଇଡେନଙ୍କ ଭାରତ ଗସ୍ତ ହୋଇପାରିନାହିଁ। ଏପରିକି କ୍ୱାଡ୍ ଦେଶଗୁଡ଼ିକର ବୈଠକକୁ ମଧ୍ୟ ସ୍ଥଗିତ ରଖିବାକୁ ପଡ଼ିଛି। ତାହା ମଧ୍ୟ ଯେତେବେଳେ କ୍ୱାଡର କଡ଼ା ପ୍ରତିଦ୍ୱନ୍ଦ୍ୱୀ ଚୀନ୍ ଦକ୍ଷିଣ ଚୀନ୍ ସାଗରରୁ ହିମାଳୟ ପର୍ଯ୍ୟନ୍ତ ନିଜର ସାମରିକ ପ୍ରସ୍ତୁତି ବଢ଼ାଇଛି। ଭାରତ ଓ ଫ୍ରାନ୍ସ ମଧ୍ୟରେ ବନ୍ଧୁତା ବିଷୟରେ କହିବାକୁ ଗଲେ ଏହା କ୍ରମାଗତଭାବେ ବୃଦ୍ଧି ପାଉଛି। ଚଳିତ ବର୍ଷ ଫ୍ରାନ୍ସର ଜାତୀୟ ଦିବସ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ।

୨୦୧୬ରେ ଫ୍ରାନ୍ସ ରାଷ୍ଟ୍ରପତି ଫ୍ରୋଙ୍କୋଇସ ଓଲାନ୍ଦ ସାଧାରଣତନ୍ତ୍ର ଦିବସ ପରେଡରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ। ଭାରତ ଫ୍ରାନ୍ସଠାରୁ କିଣିଥିବା ରାଫେଲ ଲଢୁଆ ବିମାନ ସାଧାରଣତନ୍ତ୍ର ଦିବସ ପରେଡରେ ଉଡ଼ିପାରେ ବୋଲି ବିଶ୍ୱାସ କରାଯାଉଛି।

ଏବେ ଫ୍ରାନ୍ସ ଭାରତକୁ ନୌସେନା ପାଇଁ ୨୬ଟି ରାଫେଲ ଏମ ଲଢୁଆ ବିମାନ ଦେବାକୁ ଚାହୁଁଛି। ୧୯୭୬ ମସିହାରେ ପ୍ରଥମ ଥର ପାଇଁ ଫ୍ରାନ୍ସର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜୋକ୍ ଚିରାକ୍ ସାଧାରଣତନ୍ତ୍ର ଦିବସ ଉତ୍ସବର ମୁଖ୍ୟ ଅତିଥି ହୋଇଥିଲେ। ସାଧାରଣତନ୍ତ୍ର ଦିବସ ପରେଡ ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଏହି ସମୟରେ କୂଟନୈତିକ ଏବଂ ସାମରିକ ଶକ୍ତି ଖୋଲାଖୋଲି ଭାବରେ ପ୍ରଦର୍ଶିତ ହୋଇଥାଏ।

ସେଥିପାଇଁ ଭାରତର ସାଧାରଣତନ୍ତ୍ର ଦିବସ ପରେଡ ଉପରେ ସାରାବିଶ୍ୱର ନଜର ରହିଛି। ଏହାବ୍ୟତୀତ ଫ୍ରାନ୍ସ ଭାରତକୁ ୬ଟି ସ୍କର୍ପିନ୍ ବୁଡ଼ାଜାହାଜ ଦେଇଥିବାବେଳେ ଆଉ ୩ଟି ବୁଡ଼ାଜାହାଜ ଦେବାକୁ ଆଲୋଚନା ଚାଲିଛି। ଚୀନ୍ ଓ ପାକିସ୍ତାନ ନୌସେନା ସହ ମୁକାବିଲା କରିବା ପାଇଁ ଏହି ବୁଡ଼ାଜାହାଜ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ସବୁଆଡ଼େ ଭାରତ ସହ ଛିଡ଼ା ହୋଇଛି ଫ୍ରାନ୍ସ

ଫ୍ରାନ୍ସ ହେଉଛି ଏକମାତ୍ର ଦେଶ ଯିଏ ଭାରତକୁ ଦ୍ୱିତୀୟ ପରମାଣୁ ପରୀକ୍ଷଣ କରିବାରୁ ଅଟକାଇ ନ ଥିଲା। ଭାରତ ଓ ଫ୍ରାନ୍ସ ମଧ୍ୟରେ ବିଶ୍ୱ ସ୍ତରରେ ବନ୍ଧୁତା ଦେଖିବାକୁ ମିଳିଛି। ଫ୍ରାନ୍ସ ଜାତିସଂଘ ନିରାପତ୍ତା ପରିଷଦର ସ୍ଥାୟୀ ସଦସ୍ୟ ଏବଂ ଏହି ବିଶ୍ୱ ସ୍ତରୀୟ ସଂସ୍ଥାକୁ ସମ୍ପୂର୍ଣ୍ଣ ସମର୍ଥନ କରେ। ଭାରତର ଶତ୍ରୁ ପାକିସ୍ତାନକୁ ଅସ୍ତ୍ରଶସ୍ତ୍ର ବିକ୍ରି କରିବ ନାହିଁ ବୋଲି ଫ୍ରାନ୍ସ ପ୍ରତିଶ୍ରୁତି ଦେଇଛି। ୨୦୧୯ରେ ପ୍ରଧାନମନ୍ତ୍ରୀ ମୋଦି କ୍ଷମତାକୁ ଫେରିବା ପରେ ଦୁଇଦେଶ ମଧ୍ୟରେ ଏହି ସମ୍ପର୍କ ଆହୁରି ମଜବୁତ ହେବାରେ ଲାଗିଛି।

କାଶ୍ମୀରରୁ ଧାରା-୩୭୦ ଉଚ୍ଛେଦକୁ ନେଇ ଇମାନୁଏଲ ମାକ୍ରୋନ୍ ଅନ୍ୟ ଦେଶମାନଙ୍କ ଭଳି କୌଣସି ପ୍ରତିକ୍ରିୟା ପ୍ରକାଶ କରିନଥିଲେ। କେବଳ ଏତିକି ନୁହେଁ ଜାତିସଂଘ ସୁରକ୍ଷା ପରିଷଦରେ କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ଓ ଚୀନ୍ ଡାକିଥିବା ବୈଠକରେ ପାକିସ୍ତାନ ଓ ଚୀନ୍ ଭାରତକୁ ସମର୍ଥନ କରିଥିଲେ। ମାସୁଦ ଆଝାର ସମ୍ପର୍କିତ ପ୍ରସ୍ତାବରେ ଫ୍ରାନ୍ସ ଭାରତକୁ ସମର୍ଥନ କରିଥିଲା। ଏହି କାରଣରୁ ଫ୍ରାନ୍ସ ଏବେ ଭାରତ ପାଇଁ ‘ନୂଆ ରୁଷିଆ’ ପାଲଟିଛି ବୋଲି କୁହାଯାଉଛି। ଏପର୍ଯ୍ୟନ୍ତ ରୁଷ୍ ଦଶନ୍ଧି ଧରି ଭାରତକୁ ସମର୍ଥନ କରିଆସୁଛି।

Categories
ଆଞ୍ଚଳିକ

ବିଦ୍ୟାଳୟରେ ୭୪ ତମ ସାଧାରଣତନ୍ତ୍ର ଦିବସ ପାଳିତ

ରଣପୁର: ଭାରତ ଆଜି ୭୪ ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଛି। କର୍ତ୍ତବ୍ୟ ପଥରେ ଏଥର ସାଧାରଣତନ୍ତ୍ର ଦିବସରେ ଇତିହାସ ସୃଷ୍ଟି କରିଛି ହୋଇଛି। ରଣପୁର ବ୍ଲକ ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟରେ ୭୪ତମ ଗଣତନ୍ତ୍ର ଦିବସ ଶାନ୍ତିଶୃଙ୍ଖଳାର ସହ ପାଳିତ ହୋଇଯାଇଛି। ପ୍ରଥମେ ଛାତ୍ରଛାତ୍ରୀମାନେ ସକାଳ ୬ ଘଟିକା ସମୟରେ ରାମଧୂନ ଗାନ କରିବା ସହିତ ସ୍ଲୋଗାନ ଦେଇ ପ୍ରଭାତ ଫେରି କରି ଗ୍ରାମର ବିଭିନ୍ନ ସାହି ବୁଲି ଥିଲେ।

ଏହା ପରେ ପରମ୍ପରା ଅନୁସାରେ, ଜାତୀୟ ପତାକା ଉତ୍ତୋଳନା ସହ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶୀଲ କୁମାର ରଣା ପତାକା ଉତ୍ତୋଳନ କରିଥିଲେ। ଏହାପରେ ଆରମ୍ଭ ହୋଇଥିଳା ପରେଡ। ପରେଡ୍‌ରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ବନିତା ବଳିଆରସିଂହ, ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ ଲକ୍ଷ୍ମୀଧର ସାହୁ ଓ ସମ୍ମାନୀତ ଅତିଥି ଭାବେ ବିଦ୍ୟୁତପ୍ରଭା ପରିଡା ଓ ସାମ୍ବାଦିକା ପ୍ରିୟମ୍ବଦା ମହାପାତ୍ର ପ୍ରମୁଖ ଯୋଗ ଦେଇ ଅଭିବାଦନ ଗ୍ରହଣ କରିଥିଲେ। ମୁଖ୍ୟ ବକ୍ତା ଶ୍ରୀ ସାହୁ ସାଧାରଣତନ୍ତ୍ର ଦିବସ ଅବସରରେ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ।

ମୋ ସ୍କୁଲ ସଭାପତି ଗଣେଶ୍ୱର ପ୍ରଧାନ, ପରିଚାଳନା କମିଟି ସଭାପତି ଅବକାଶ ସ୍ୱାଇଁ, ସଦସ୍ୟ ଚନ୍ଦ୍ରକାନ୍ତ ମଙ୍ଗରାଜ, ରବିନ୍ଦ୍ର କୁମାର ସଂଗ୍ରାମ ସିଂହ, ସରୋଜିନୀ ପ୍ରଧାନ, ଶିକ୍ଷୟତ୍ରୀ ପଦ୍ମାବତୀ ବେହେରା, ଅଙ୍ଗନବାଡି କର୍ମୀ ପୁଷ୍ପମଞ୍ଜରୀ ଦେଇ, କାନନବାଳା ସାହୁଙ୍କ ସହ କମିଟିର ସମସ୍ତ ସଦସ୍ୟ ସଦସ୍ୟା, ବିଦ୍ୟାଳୟର ପାଚକ ପାଚିକା ଓ ଗ୍ରାମବାସୀ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Categories
ଆଞ୍ଚଳିକ

ରଣପୁର: ବିଭିନ୍ନ ବିଦ୍ୟାଳୟରେ ସରସ୍ବତୀ ପୂଜା ପାଳିତ

ରଣପୁର: କୋଭିଡ କଟକଣା ଲାଗି ଗତବର୍ଷ ପୂଜା ଧୁମ୍‌ଧାମ୍‌ରେ ପାଳନ ହୋଇନଥିଲା। ହେଲେ ଏଥର ସେ କଟକଣା ନାହିଁ। ଗୋଟିଏ ଦିନରେ ସାଧାରଣତନ୍ତ୍ର ଦିବସ ଓ ସରସ୍ୱତୀ ପୂଜା ପଡ଼ୁଥିବାରୁ ପିଲାଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିବ। ସ୍କୁଲ, କଲେଜରେ ସରସ୍ୱତୀ ପୂଜା ଖୁବ ଧୁମଧାମରେ ପାଳିତ ହୋଇ ଯାଇଛି।

ଏହି ଅବସରରେ ନୟାଗଡ ଜିଲ୍ଲା ରଣପୁର ବ୍ଲକର ବଜେନ୍ଦ୍ର ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ, ପାମ୍ପଡ଼ା ପ୍ରାଥମିକ ବିଦ୍ୟାଳୟ, ନୀଳକଣ୍ଠ ଦେବ ପ୍ରାଥମିକ ବିଦ୍ୟାଳୟ, ସାନଗଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟ, ବିଲଗାଡ଼ିଆ ପ୍ରାଥମିକ ବିଦ୍ୟାଳୟ, ମନ୍ଦାକିନୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ନରେନ୍ଦ୍ରପୁର ପ୍ରାଥମିକ ବିଦ୍ୟାଳୟ, ରଣପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, କଳିଙ୍ଗ ଲୋଟସ ପ୍ରାଥମିକ ବିଦ୍ୟାଳୟ, ଚାରିଅଟ ପବ୍ଲିକ ସ୍କୁଲ ସହ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟରେ ପୂଜା ଧୂମାଧାମ ସହ ପାଳିତ ହୋଇ ଯାଇଛି।

ମାଘ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଓଡ଼ିଶାର ପୁରପଲ୍ଲୀରେ ପରମ୍ପରା ଓ ବିଧିବିଧାନର ସହ ପାଳନ କରାଯାଏ ସରସ୍ୱତୀ ପୂଜା। ଶ୍ରୀପଞ୍ଚମୀ ବା ବସନ୍ତ ପଞ୍ଚମୀ ନାମରେ ଏହା ପ୍ରସିଦ୍ଧ। ଏହି ଦିନ ବିଦ୍ୟାଦାୟିନୀ, ହଂସବାହିନୀ, ବୀଣା-ପୁସ୍ତକଧାରିଣୀ ଦେବୀ ସରସ୍ୱତୀ ଧରାବତରଣ କରନ୍ତି। ଘରେ ଘରେ ବିଜେକରି ମା’ ଅଭୟ ବର ପ୍ରଦାନ କରନ୍ତି। ଏ ଅବସରରେ ଶିକ୍ଷାନୁଷ୍ଠାନମାନଙ୍କରେ ବେଶ ଧୂମ୍‌ଧାମରେ ମା’ଙ୍କ ପୂଜା କରାଯାଏ। ମା’ ଶୁକ୍ଳବସ୍ତ୍ର ପରିଧାନପୂର୍ବକ କର୍ଣ୍ଣରେ ରତ୍ନବିଭୂଷିତ କୁଣ୍ଡଳ, ଗଳାରେ ଗଜମୋତି ଓ ମୁକ୍ତାହାରରେ ସୁସଜ୍ଜିତ ହୋଇ ଶ୍ୱେତପଦ୍ମରେ ବିରାଜମାନ କରିଥାନ୍ତି।