Categories
ଆଜିର ଖବର ଜାତୀୟ ଖବର

ଏନସିଡିସି ର ୯୧ତମ ସାଧାରଣ ପରିଷଦ ବୈଠକକୁ ସମ୍ବୋଧିତ କଲେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀଠାରେ ଜାତୀୟ ସମବାୟ ବିକାଶ ନିଗମ (ଏନସିଡିସି)ର ୯୧ତମ ସାଧାରଣ ପରିଷଦ ବୈଠକକୁ ସମ୍ବୋଧିତ କରିଛନ୍ତି।

ନିଜ ସମ୍ବୋଧନରେ କେନ୍ଦ୍ର ସ୍ବରାଷ୍ଟ୍ର ଓ ସମବାୟ ମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ସମବାୟ କ୍ଷେତ୍ର ଜରିଆରେ କୋଟି କୋଟି କୃଷକଙ୍କ ଜୀବନରେ ଉନ୍ନତି ଆଣିବା ଲାଗି ପ୍ରତିଶ୍ରୁତିବଦ୍ଧ। ସେ କହିଛନ୍ତି ଯେ ସମବାୟ ଆନ୍ଦୋଳନ ଜରିଆରେ ଦେଶର ନାଗରିକମାନଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିବା ଲାଗି ସରକାର ସଂକଳ୍ପବଦ୍ଧ ଅଛନ୍ତି। ଶ୍ରୀ ଶାହ କହିଛନ୍ତି ଯେ ମୋଦୀ ସରକାର ସମବାୟ ମାଧ୍ୟମରେ ଦେଶକୁ ଆତ୍ମନିର୍ଭରଶୀଳ କରିବା ପାଇଁ କାର୍ଯ୍ୟ କରୁଛନ୍ତି ଏବଂ ଏହି ଦିଗରେ ଏନସିଡିସିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।

ସମବାୟ ଆନ୍ଦୋଳନରେ ଏନସିଡିସିର ଯୋଗଦାନକୁ କେନ୍ଦ୍ର ସମବାୟ ମନ୍ତ୍ରୀ ପ୍ରଶଂସା କରିଛନ୍ତି ଏବଂ ଲକ୍ଷ ଲକ୍ଷ ସମବାୟ ସମିତିର ଜୀବନରେ ପରିବର୍ତ୍ତନ ଆଣିବାରେ ଏହାର ଉଲ୍ଲେଖନୀୟ ଭୂମିକା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି ଯେ ଏନସିଡିସିର ସଫଳତା କେବଳ ଏହାର ଆବଣ୍ଟନ ୬୦ ହଜାର କୋଟି ଟଙ୍କା ଅତିକ୍ରମ କରିବା ଦ୍ୱାରା ପ୍ରତିଫଳିତ ହୋଇନାହିଁ, ବରଂ ଗ୍ରାମୀଣ ଅର୍ଥବ୍ୟବସ୍ଥା ଏବଂ ସମବାୟ କ୍ଷେତ୍ର ଉପରେ ସକାରାତ୍ମକ ପ୍ରଭାବ ପକାଇବାର କ୍ଷମତା ଦ୍ୱାରା ମଧ୍ୟ ପ୍ରତିପାଦିତ ହେଉଛି।

ଶ୍ୱେତ ବିପ୍ଳବ-2.0ର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ଅମିତ ଶାହ କହିଛନ୍ତି ଯେ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ଦୁଗ୍ଧ ସମବାୟ ସମିତିକୁ ପ୍ରୋତ୍ସାହନ ଦେବା ଉପରେ ବିଶେଷ ଧ୍ୟାନ ଦିଆଯିବା ଉଚିତ। ଦୁଗ୍ଧ ଉତ୍ପାଦନ ସଂଘ ପ୍ରତିଷ୍ଠା ପାଇଁ ଏନଡିଡିବି ଏବଂ ଏନସିଡିସି ମଧ୍ୟରେ ସହଯୋଗର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଶ୍ରୀ ଶାହ କହିଛନ୍ତି ଯେ ଆର୍ଥିକ ସହାୟତା ପ୍ରଦାନ କରିବା ଲାଗି ଏହି ସଂଗଠନଗୁଡ଼ିକ ମିଳିତ ଭାବେ କାର୍ଯ୍ୟ କରିବା ଉଚିତ, ଯେଉଁଥିରେ ଦୁଗ୍ଧ ଉତ୍ପାଦନର ପ୍ରାରମ୍ଭିକ ପର୍ଯ୍ୟାୟକୁ ଏନଡିଡିବି ଦ୍ୱାରା ତଦାରଖ କରାଯିବା ଆବଶ୍ୟକ। ସେ କହିଛନ୍ତି ଯେ ଏହି ପଦକ୍ଷେପ କେବଳ ଶ୍ୱେତ ବିପ୍ଳବକୁ ଆଗେଇ ନେବ ନାହିଁ, ବରଂ ଆଦିବାସୀ ସମ୍ପ୍ରଦାୟ ଏବଂ ମହିଳାମାନଙ୍କୁ ସଶକ୍ତ କରିବାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ଗୋଟିଏ ଆପ୍ ଆଧାରିତ କ୍ୟାବ୍ ସମବାୟ ସମିତି ସେବା ପ୍ରତିଷ୍ଠା କରାଯିବା ଉଚିତ ଯାହାଦ୍ୱାରା ଏହାର ଲାଭ ସିଧାସଳଖ ଡ୍ରାଇଭରମାନଙ୍କ ନିକଟରେ ପହଞ୍ଚିପାରିବ। ସମବାୟଗୁଡ଼ିକୁ ସମନ୍ୱିତ କରିବାରେ ଜାତୀୟ ସମବାୟ ଡାଟାବେସର ମହତ୍ୱପୂର୍ଣ୍ଣ ଭୂମିକା ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ ଏବଂ ପ୍ରାଥମିକ କୃଷି ଋଣ ସମିତି (ପିଏସିଏସ୍) ଗୁଡ଼ିକୁ ସୁଦୃଢ଼ କରିବାର ଆବଶ୍ୟକତା ଉପରେ ଜୋର ଦେଇଥିଲେ । କେନ୍ଦ୍ର ସମବାୟ ମନ୍ତ୍ରୀ କହିଥିଲେ ଯେ ଏହି ପ୍ରୟାସଗୁଡ଼ିକୁ ଆଗକୁ ନେବାରେ ଏନସିଡିସି ଏବଂ ସମବାୟ ମନ୍ତ୍ରଣାଳୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ।

ଅମିତ ଶାହ ଚିନି କାରଖାନାଗୁଡ଼ିକର ଆର୍ଥିକ ସାମର୍ଥ୍ୟ ବୃଦ୍ଧି ଉଦ୍ଦେଶ୍ୟରେ ଏକ ବ୍ୟାପକ ପଞ୍ଚବାର୍ଷିକ ଯୋଜନା ପ୍ରସ୍ତୁତ କରିବା ଲାଗି ମଧ୍ୟ ପରାମର୍ଶ ଦେଇଥିଲେ, ଯାହାର ଲକ୍ଷ୍ୟ ହେଉଛି ଏଗୁଡ଼ିକର ପାଣ୍ଠିକୁ ୨୫ ହଜାର କୋଟି ଟଙ୍କାକୁ ବୃଦ୍ଧି କରିବା। ଏହି ପଦକ୍ଷେପ ଚିନି ଶିଳ୍ପର ଅଭିବୃଦ୍ଧି ଓ ସ୍ଥିରତା ବୃଦ୍ଧି କରିବ, ଉନ୍ନତ ଆର୍ଥିକ ସ୍ଥିରତା ସୁନିଶ୍ଚିତ କରିବ ଏବଂ ସ୍ଥାନୀୟ ଅଞ୍ଚଳର ଦୀର୍ଘକାଳୀନ ବିକାଶକୁ ସମର୍ଥନ କରିବ। ଓଡ଼ିଶା, ଆନ୍ଧ୍ର ପ୍ରଦେଶ ଏବଂ କେରଳ ଭଳି ଉପକୂଳବର୍ତ୍ତୀ ରାଜ୍ୟଗୁଡ଼ିକରେ ଗଭୀର ସମୁଦ୍ରରେ ଟ୍ରଲର ଚଳାଚଳ କରିବାର ସମ୍ଭାବନାକୁ ଅନ୍ୱେଷଣ କରିବାକୁ ମଧ୍ୟ ସେ କହିଥିଲେ।

କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ କହିଥିଲେ ଯେ ସମବାୟ ମନ୍ତ୍ରଣାଳୟ ଏନସିଡିସିକୁ କାର୍ଯ୍ୟକାରୀ ସଂସ୍ଥା ଭାବେ ନେଇ ସମବାୟ ଇଣ୍ଟର୍ଣ୍ଣ ଯୋଜନାର ଶୁଭାରମ୍ଭ କରିଛି। ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ରାଜ୍ୟ ଏବଂ ଜିଲ୍ଲା ସମବାୟ ବ୍ୟାଙ୍କଗୁଡ଼ିକୁ କେନ୍ଦ୍ର ସରକାରଙ୍କ ଯୋଜନା ସହିତ ଯୋଡ଼ିବା ଏବଂ ପ୍ୟାକ୍ସଗୁଡ଼ିକୁ ସୁଦୃଢ଼ କରିବା। ସମବାୟ ଇଣ୍ଟର୍ଣ୍ଣ ଯୋଜନା ଅଂଶଗ୍ରହଣକାରୀମାନଙ୍କୁ ଅମୂଲ୍ୟ ବ୍ୟବହାରିକ ଅଭିଜ୍ଞତା ହାସଲ କରିବାରେ ସାହାଯ୍ୟ କରିବ। ଏଥିସହିତ ସମବାୟ ସମିତିର ନୀତିକୁ ଆଗକୁ ବଢାଇବା ଏବଂ ଗ୍ରାମୀଣ ସମାଜର ବିକାଶକୁ ସମର୍ଥନ କରିବା ପାଇଁ ସେମାନଙ୍କୁ ପ୍ରସ୍ତୁତ କରିବ। ଅମିତ ଶାହ ସାରା ଦେଶରେ ସମବାୟ କ୍ଷେତ୍ରକୁ ଆହୁରି ସୁଦୃଢ଼ କରିବା ଲାଗି ଏକ ସମବାୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବା ଲାଗି ଆହ୍ୱାନ କରିଥିଲେ। ଏହାବ୍ୟତୀତ ସମବାୟ ପାଇଁ କ୍ଷମତା ନିର୍ମାଣ କାର୍ଯ୍ୟକ୍ରମର ଗୁରୁତ୍ୱ ଉପରେ ଜୋର ଦେଇଥିଲେ ଯାହା ‘ସମବାୟ ମାଧ୍ୟମରେ ସମୃଦ୍ଧି’ର ଲକ୍ଷ୍ୟକୁ ଆଗକୁ ବଢ଼ାଇବାରେ ସହାୟକ ହେବ।

Categories
ଆଜିର ଖବର ଜାତୀୟ ଖବର

ଖେଲୋ ଇଣ୍ଡିଆ ଯୋଜନାର ଚତୁର୍ଥ ସାଧାରଣ ପରିଷଦ ବୈଠକରେ ଅଧ୍ୟକ୍ଷତା କଲେ ଡ. ମନସୁଖ ମାଣ୍ଡଭୀୟ

ନୂଆଦିଲ୍ଲୀ: ଖେଲୋ ଇଣ୍ଡିଆ ଯୋଜନାର ସାଧାରଣ ପରିଷଦ (ଜିସି)ର ଚତୁର୍ଥ ବୈଠକ ଆଜି ନୂଆଦିଲ୍ଲୀ ଠାରେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ଏବଂ ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଡ. ମନସୁଖ ମାଣ୍ଡଭୀୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟର ବରିଷ୍ଠ ଅଧିକାରୀ, ପ୍ରମୁଖ କ୍ରୀଡ଼ା ନିୟନ୍ତ୍ରଣ ବୋର୍ଡ, ଜାତୀୟ କ୍ରୀଡ଼ା ମହାସଂଘ ଏବଂ କେନ୍ଦ୍ର ମନ୍ତ୍ରଣାଳୟର ପ୍ରମୁଖ ପ୍ରତିନିଧିମାନେ ଯୋଗ ଦେଇଥିଲେ।

ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣାରେ କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଜନସାଧାରଣଙ୍କ ପରାମର୍ଶ ପାଇଁ ମନ୍ତ୍ରଣାଳୟର ୱେବସାଇଟରେ ଏକ ଡ୍ରାଫ୍ଟ କ୍ରୀଡ଼ା ନୀତି ଜାରି କରାଯାଇଛି। ଦେଶର ବିକଶିତ କ୍ରୀଡ଼ା ପରିପ୍ରେକ୍ଷୀରେ ସାମ୍ପ୍ରତିକ ଢାଞ୍ଚାକୁ ଆଧୁନିକୀକରଣ ଏବଂ ଅଧୁନାତନ କରିବା ଏହି ନୀତିର ଲକ୍ଷ୍ୟ । ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ସମେତ ହିତାଧିକାରୀ ତଥା ସାଧାରଣ ଜନତାଙ୍କୁ ସେମାନଙ୍କ ମତାମତ ଦାଖଲ ପାଇଁ ନିମନ୍ତ୍ରଣ କରାଯାଇଛି। ଚୂଡ଼ାନ୍ତ ହେବା ପରେ ଏହି ନୀତି ସେହି ରାଜ୍ୟଗୁଡ଼ିକ ପାଇଁ ଏକ ମଡେଲ୍ ଭାବେ କାମ କରିବ ଯେଉଁମାନେ ଏପର୍ଯ୍ୟନ୍ତ ନିଜର କ୍ରୀଡ଼ା ନୀତି ସ୍ଥିର କରିନାହାନ୍ତି।

ଏହି ବୈଠକରେ ଡ. ମାଣ୍ଡଭୀୟ ଖେଲୋ ଇଣ୍ଡିଆ ଯୋଜନାର ଅଗ୍ରଗତିର ସମୀକ୍ଷା କରିବା ସହ କ୍ରୀଡ଼ା ଭିତ୍ତିଭୂମିରେ ଉନ୍ନତି ଆଣିବା ଏବଂ କ୍ରୀଡାବିତମାନଙ୍କ ପ୍ରଦର୍ଶନ ବୃଦ୍ଧି ପାଇଁ ସୁବିଧା ସୁଯୋଗ ଉପରେ ବିସ୍ତୃତ ଆଲୋଚନା କରିଥିଲେ। ବିଭିନ୍ନ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା, ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ପିଏସୟୁ) ଏବଂ ଜାତୀୟ କ୍ରୀଡ଼ା ମହାସଂଘ ଅଧୀନରେ ପ୍ରତିଭା ଚିହ୍ନଟ ଓ ପୋଷଣ କ୍ଷେତ୍ରରେ ସମ୍ପୃକ୍ତ ବିଭିନ୍ନ ଏଜେନ୍ସି ମଧ୍ୟରେ ସମନ୍ୱୟ ସୁନିଶ୍ଚିତ କରିବା ପାଇଁ ଏକ ସମ୍ପୂର୍ଣ୍ଣ ସରକାରୀ ଆଭିମୁଖ୍ୟର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ନିମ୍ନଲିଖିତ ପ୍ରସଙ୍ଗ ଉପରେ ଗୁରୁତ୍ୱ ଦେଇ ଉପକମିଟିର ପୁନର୍ଗଠନ ନିମନ୍ତେ କେନ୍ଦ୍ରମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି:

କ୍ରୀଡ଼ାବିତ୍ ମାନଙ୍କ ପାଇଁ ଉନ୍ନତ କ୍ୟାରିୟର ପ୍ରଗତି ସୁନିଶ୍ଚିତ କରିବା ନିମନ୍ତେ ମନ୍ତ୍ରଣାଳୟ ଏବଂ ବିଭାଗ ଗୁଡିକରେ ନିଯୁକ୍ତି ନୀତି ଏବଂ ପ୍ରକ୍ରିୟାରେ ଉନ୍ନତି ଆଣିବା।

କ୍ରୀଡାବିତ୍ ମାନଙ୍କ ପାଇଁ କଲ୍ୟାଣ ଏବଂ ସହାୟତା ବ୍ୟବସ୍ଥା ବୃଦ୍ଧି କରିବା।

ତୃଣମୂଳ ସ୍ତରରେ ପ୍ରତିଭା ଚିହ୍ନଟ ପାଇଁ ପ୍ରଭାବଶାଳୀ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା।

ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ କେନ୍ଦ୍ରମନ୍ତ୍ରୀ ଏକ ଉତ୍ସର୍ଗୀକୃତ ପୋର୍ଟାଲ , ଯେଉଁଥିରେ କେନ୍ଦ୍ର ମନ୍ତ୍ରଣାଳୟ ଗୁଡିକରେ କ୍ରୀଡ଼ା ନିଯୁକ୍ତି ସମ୍ପର୍କରେ ସୂଚନା ରହିବ , ତାହା ପ୍ରସ୍ତୁତ କରିବାକୁ ଘୋଷଣା କରିଛନ୍ତି। କ୍ରୀଡ଼ା କୋଟା ଖାଲି ଥିବା ପଦବୀର ବିଜ୍ଞାପନ, ନିଯୁକ୍ତିରେ ଉପଲବ୍ଧତା ଏବଂ ସ୍ୱଚ୍ଛତାରେ ଉନ୍ନତି ଆଣିବା ପାଇଁ ରାଜ୍ୟମାନଙ୍କୁ ମଧ୍ୟ ଏହି ପ୍ଲାଟଫର୍ମ ବ୍ୟବହାର କରିବାକୁ ପ୍ରୋତ୍ସାହିତ କରାଯିବ।

ଏହି ବୈଠକରେ ପ୍ରଧାନମନ୍ତ୍ରୀ ଗତି ଶକ୍ତି ଅଧୀନରେ ସମନ୍ୱିତ କ୍ରୀଡ଼ା ଭିତ୍ତିଭୂମି ଡାଟାବେସ୍ ର ଅଗ୍ରଗତି  ସମ୍ପର୍କରେ ସମୀକ୍ଷା ମଧ୍ୟ କରାଯାଇଥିଲା। ଦେଶର ସମସ୍ତ କ୍ରୀଡ଼ା ଭିତ୍ତିଭୂମିର ବ୍ୟାପକ ତାଲିକା ପ୍ରସ୍ତୁତ କରିବା ପାଇଁ ରାଜ୍ୟ, କ୍ରୀଡ଼ା ମହାସଂଘ ଏବଂ ଅନ୍ୟାନ୍ୟ ସଂସ୍ଥାର ତଥ୍ୟ ସଂଗ୍ରହ କରିବାକୁ ଡ. ମାଣ୍ଡଭୀୟ ନିର୍ଦ୍ଦେଶ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜ଼ିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ କଳା ସଂସ୍କୃତି ସଂଘର ସାଧାରଣ ପରିଷଦ ବୈଠକ

ଖୋର୍ଦ୍ଧା: ଶୁକ୍ରବାର ଦିନ ଅପରାହ୍ନ ୩ ଘଟିକା ସମୟରେ ଜିଲ୍ଲାର ସମସ୍ତ ବ୍ଲକ କଳା ସଂସ୍କୃତି ସଂଘର ନୂତନ ଭାବେ ମନୋନୀତ ହୋଇଥିବା ସଦସ୍ୟ ମାନଙ୍କୁ ନେଇ ଜ଼ିଲ୍ଲା କଳା ସଂସ୍କୃତି ସଂଘ, ଖୋରଧାର ପ୍ରଥମ ସାଧାରଣ ପରିଷଦ ବୈଠକ ଜିଲ୍ଲାପାଳ-ତଥା -ଅଧ୍ୟକ୍ଷଙ୍କ ଅଧକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲା କଳା ସଂସ୍କୃତି ସଂଘର ଉପସଭାପତି ଭାବେ କବିରାଜ ପ୍ରଧାନ (ଖୋରଧା ବ୍ଲକ) ସଂଖ୍ୟାଗରିଷ୍ଠ ସଦସ୍ୟଙ୍କ ସମର୍ଥନରେ ନିର୍ବାଚିତ ହୋଇଥିଲେ।

ଏହି ବୈଠକରେ ଜିଲ୍ଲାର ଲୋକକଳା କଳାକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ, ସମସ୍ୟା ଓ ସମାଧାନ ଉପରେ ଆଲୋଚନା କରାଯାଇଥିଲା। ଜିଲ୍ଲା ସଂସ୍କୃତି ଅଧିକାରୀ ତଥା ସମ୍ପାଦକ ଏହି ବୈଠକକୁ ପରିଚାଳନା କରିବା ସହ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ବିଶେଷ ଖବର

ଇଣ୍ଟରପୋଲ୍‌ର ୯୦ତମ ସାଧାରଣ ପରିଷଦ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ପ୍ରଗତି ମୈଦାନରେ ଅନୁଷ୍ଠିତ ଇଣ୍ଟରପୋଲରେ ୯୦ ତମ ସାଧାରଣ ପରିଷଦ (ଜେନେରାଲ ଆସେମ୍ଲି) ରେ ଉଦ୍‌ବୋଧନ ଦେଇଛନ୍ତି। ସେ ତାଙ୍କ ଉଦ୍‌ବୋଧନ ଅବସରରେ ଏହି ସମାବେଶରେ ଭାଗ ନେଇଥିବା ସମସ୍ତ ପ୍ରତିନିଧି ଓ କର୍ମକର୍ତ୍ତାଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତ ତାହାର ସ୍ୱାଧୀନତାର ୭୫ତମ ବର୍ଷ ପାଳନ କରୁଛି ଏବଂ ଏହା ଦେଶର ଜନସାଧାରଣ ଓ ସଂସ୍କୃତିର ଏକ ଉତ୍ସବ। ୨୦୨୩ରେ ଇଣ୍ଟରପୋଲ ତାହାର ପ୍ରତିଷ୍ଠାର ଏକଶତ ବର୍ଷ ପାଳନ କରିବା ଏକ ବିରଳ ସଂଯୋଗ। ଏକ ଶହ ବର୍ଷ ପୂର୍ତ୍ତି ପାଳନ ଇଣ୍ଟରପୋଲ ଓ ଏହା ସମସ୍ତ ସଦସ୍ୟ ରାଷ୍ଟ୍ରଙ୍କ ପାଇଁ ଆତ୍ମନିରୀକ୍ଷଣ ଓ ଆତ୍ମ ସମୀକ୍ଷାରେ ସମୟ। ଏହା ମାଧ୍ୟମରେ ଭବିଷ୍ୟତର କର୍ମପନ୍ଥା ନିର୍ଦ୍ଧାରଣ କରିବାକୁ ହେବ। ଏହି ଶତବାର୍ଷିକ ପାଳନ ପ୍ରସ୍ତୁତି ଅବସର ଏକ ଆନନ୍ଦ ଓ ଉତ୍ସାହର କ୍ଷଣ। ଏହା ଅନୁଶୀଳନ, ଆତ୍ମସମୀକ୍ଷା ଏବଂ ଅତୀତର ଭୁଲଭଟକା, ବିଫଳତାରୁ ଶିକ୍ଷା କରି ନୂଆ ଆଶା ଓ ଉଦ୍ଦିପନା ସହିତ ଆଗକୁ ବଢିବାର ବେଳ।

ପ୍ରଧାନମନ୍ତ୍ରୀ ଇଣ୍ଟରପୋଲ୍‌ର ଦର୍ଶନ ଭାରତୀୟ ସଂସ୍କୃତି ସହିତ କିପରି ମେଳ ଖାଉଛି ତାହା ଦର୍ଶାଇଥିଲେ। ବେଦରୁ “ଆନୋ ଭଦ୍ରା କ୍ରତବୋ ୟନ୍ତୁ ବିଶ୍ୱତ” ଆପ୍ତ ବାକ୍ୟ ଉଦ୍ଧାର କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ ଯେ ଏହାର ଅର୍ଥ ହେଉଛି “ସବୁ ଦିଗରୁ ମହାନ ବିଚାର ଆସୁ। ଏହା ସହିତ ଇଣ୍ଟରପୋଲର ମଟୋ ବା ଦର୍ଶନ ମେଳ ଖାଉଛି।” ଇଣ୍ଟରପୋଲର ମଟୋହେଲା ନିରାପଦ ବିଶ୍ୱ ସହିତ ପୁଲିସକୁ ଯୋଡିବା ବା କନେକ୍ଟିଂ ପୁଲିସ ଉଇଥ ଏ ସେଫର ୱାର୍ଲ୍ଡ। ଅତଏବ ବୈଶ୍ୱିକ ସହଯୋଗ ଦ୍ୱାରା ସମଗ୍ର ପୃଥିବୀକୁ ଅଧିକ ନିରାପଦ କରାଯିବା ବିଶେଷ ଗୁରୁତ୍ୱପୂର୍ଣ୍ଣ। ବିଶ୍ୱଶାନ୍ତି କ୍ଷେତ୍ରରେ ଭାରତର ବିଶେଷ ଅବଦାନ ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ମିଳିତ ଜାତିସଂଘର ଶାନ୍ତିରକ୍ଷା ପ୍ରୟାସରେ ଭାରତ ଅଗ୍ରଣୀ ଭୂମିକା ଗ୍ରହଣ କରି ଆସୁଛି। ଜାତିସଂଘ ଶାନ୍ତି ସେନାକୁ ଭାରତ ନିୟମିତ ସାହସୀ ପୁରୁଷ ଓ ମହିଳା ଯବାନ ଏବଂ ଅଧିକାରୀଙ୍କୁ ପଠାଉଛି। ଆମେ ବିଶ୍ୱ ଶାନ୍ତି ପାଇଁ ଅନେକ ତ୍ୟାଗ ସ୍ୱୀକାର କରିଛୁ ଏବଂ ଭାରତ ସ୍ୱାଧୀନ ହେବା ପୂର୍ବରୁ ଏ କ୍ଷେତ୍ରରେ ତାହାର ଅବଦାନ ରଖିଛି। ଦୁଇ ବିଶ୍ୱଯୁଦ୍ଧ ସମୟରେ ହଜାର ହଜାର ଭାରତୀୟ ସେମାନଙ୍କର ପ୍ରାଣୋତ୍ସର୍ଗ କରିଛନ୍ତି।

କୋଭିଡ ଟିକା ଓ ଜଳବାୟୁ ପରିବର୍ତ୍ତନର ମୁକାବିଲା ସମ୍ପର୍କରେ ଶ୍ରୀ ମୋଦୀ କହିଥିଲେ ଯେ ଏଭଳି ଯେକୌଣସି ବୈଶ୍ୱିକ ସଙ୍କଟର ସମାଧାନ କରିବାରେ ପ୍ରମୁଖ ଭୂମିକା ନେବାକୁ ଭାରତ ସଦା ପ୍ରସ୍ତୁତ। ଗୋଟିଏ ସମୟରେ ଅନେକ ଦେଶ ଓ ସମାଜ ବାହ୍ୟ ଜଗତ ପ୍ରତି ଆଖିବୁଜି ଦେଇ ନିଜ କଥାକୁ ଅଧିକ ଗୁରୁତ୍ୱ ଦେଉଥିବାବେଳେ ଭାରତ ସେତେବେଳେ ଅଧିକ ଆନ୍ତର୍ଜାତିକ ସହଯୋଗ ଉପରେ ଗୁରୁତ୍ୱ ଦେଇ କାମ କରୁଥିଲା। ସ୍ଥାନୀୟ କଲ୍ୟାଣ ପାଇଁ ବୈଶ୍ୱିକ ସହଯୋଗ ଆମର ଆହ୍ୱାନ ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ସମଗ୍ର ବିଶ୍ୱରେ ପୁଲିସବାହିନୀ କେବଳ ନିଜ ଦେଶର ଲୋକଙ୍କୁ ସୁରକ୍ଷିତ କରୁନାହିଁ; ଏହା ସାମାଜିକ କଲ୍ୟାଣ ଉପରେ ମଧ୍ୟ ଗୁରୁତ୍ୱ ଦେଉଛି। ଯେକୌଣସି ସଙ୍କଟ କାଳରେ ପୁଲିସବାହିନୀ ସମାଜର ମୁକାବିଲା ପ୍ରୟାସର ସମ୍ମୁଖରେ ରହେ। କୋଭିଡ ମହାମାରୀ କାଳରେ ଭାରତରେ ପୁଲିସ ବାହିନୀର ପ୍ରଶଂସନୀୟ କାର୍ଯ୍ୟର ଉଦାହରଣ ଦେଇ ସେ କହିଥିଲେ ଯେ ଅନେକ ପୁଲିସ କର୍ମଚାରୀ ମଧ୍ୟ ଏଥିରେ ଲୋକଙ୍କ ପାଇଁ ନିଜର ପ୍ରାଣକୁ ଉତ୍ସର୍ଗ କରିଥିଲେ।

ଶ୍ରୀ ମୋଦୀ ଭାରତର ଭୌଗୋଳିକ ଓ ସାଂସ୍କୃତିକ ବିଶାଳତାର ଗୁରୁତ୍ୱ ଉଲ୍ଲେଖ କରି କହିଥିଲେ ଯେ ଏହାର ବିବିଧତା ଓ ବ୍ୟାପକତା ବିଶେଷ ଗୁରୁତ୍ୱପୂର୍ଣ୍ଣ। ଭାରତୀୟ ପୁଲିସ ଉଭୟ ପ୍ରାଦେଶିକ ଓ ସଂଘୀୟସ୍ତରରେ ସମନ୍ୱୟ ରଖା କରି ୯୦୦ରୁ ଅଧିକ କେନ୍ଦ୍ରୀୟ ଏବଂ ୧୦ହଜାରରୁ ଊର୍ଦ୍ଧ୍ୱ ପ୍ରାଦେଶିକ ଆଇନକୁ କାର୍ଯ୍ୟକାରୀ କରୁଛନ୍ତି। ସମ୍ବିଧାନରରେ ପ୍ରଦତ୍ତ ନାଗରିକ ଅଧିକାର ଓ ବିବିଧତାକୁ ସମ୍ମାନ ପ୍ରଦାନ କରି ଆମ ପୁଲିସ କାମ କରୁଛି। ସେମାନେ କେବଳ ଲୋକଙ୍କୁ ସୁରକ୍ଷା ପ୍ରଦାନ କରୁନାହାନ୍ତି, ଗଣତନ୍ତ୍ରଙ୍କୁ ମଧ୍ୟ ସୁରକ୍ଷିତ କରୁଛନ୍ତି। ଇଣ୍ଟରପୋଲର ସଫଳତା ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ସଂଗଠନ ବିଶ୍ୱବ୍ୟାପୀ ୧୯୫ ଦେଶକୁ ଯୋଡି  ବିଗତ ୯୯ବର୍ଷ ଧରି କାମ କରିଆସୁଛି। ଏହା ତାହାର ପ୍ରତିଷ୍ଠାର ଏକଶତବର୍ଷ ପୂରଣ କରିବାକୁ ଯାଉଥିବାରୁ ଏହି ଗୌରବମୟ ମୁହୂର୍ତ୍ତ ଉପଲକ୍ଷେ ଭାରତ ସରକାର ସ୍ମାରକ ଡାକଟିକେଟ ଓ ମୁଦ୍ରା ଉନ୍ମୋଚନ କରିବାକୁ ଯାଉଛନ୍ତି।

ପ୍ରଧାନମନ୍ତ୍ରୀ ବିଶ୍ୱରେ ଏବେ ମୁଣ୍ଡ ଟେକିଥିବା ଆତଙ୍କବାଦ, ଦୁର୍ନୀତି, ସଂଗଠିତ ଅପରାଧ, ଅବୈଧ ଶିକାର ଓ ମାଦକଦ୍ରବ୍ୟ ଚୋର କାରବାର ସମ୍ପର୍କରେ ଉଲ୍ଲେଖ କରି କହିଥିଲେ ଯେ ଏସବୁ ଅବରାଧ ଯେଉଁ ଗତିରେ ବଢୁଛି ତାହା ସମଗ୍ର ମାନବଜାତି ପାଇଁ ଅତ୍ୟନ୍ତ ଭୟଙ୍କର। ଏସବୁର ମିଳିତ ମୁକାବିଲା ଯେତେ ଶୀଘ୍ର ହେବ ପୃଥିବୀ ସେତେ ସୁରକ୍ଷିତ ହୋଇପାରିବ। ଭୟ ଓ ଆତଙ୍କ ଯେତେବେଳେ ବୈଶ୍ୱିକ ରୂପ ଧାରଣ କରେ ସେତେବେଳେ ସ୍ଥାନୀୟ ଭାବେ ଏହାର ମୁକାବିଲା କରାଯାଇପାରିବ ନାହିଁ। ତେଣୁ ଏସବୁ ଆହ୍ୱାନର ମୁକାବିଲା ପାଇଁ ସମଗ୍ର ବିଶ୍ୱ ତୁରନ୍ତ ଏକାଠି ହୋଇ ଲଢିବା ଆବଶ୍ୟକ।

ସେ କହିଥିଲେ, “ଆଇନର ପ୍ରବର୍ତ୍ତନ ଓ କାର୍ଯ୍ୟକାରିତା ଦ୍ୱାରା ଆମ ପାଖରେ ଯାହା ନାହିଁ ତାହା ଆମେ ପାଇଥାଉ, ଯାହା ଆମ ପାଖରେ ଅଛି ତାହା ସୁରକ୍ଷିତ ହୋଇଥାଏ, ଆମ ପାଖରେ ହିଁ ଯାହା ଅଛି ତାହା ବଢିବା ସହିତ ଯୋଗ୍ୟତମକୁ ଏହା ବାଣ୍ଟିବାରେ ସହାୟକ ହୁଏ”।

ଆତଙ୍କବାଦ ବିରୋଧରେ ଭାରତର ଦୀର୍ଘ ଲଢେଇ କଥା ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ “ ଆମେ ଆମ ସୁରକ୍ଷା ଓ ନିରାପତ୍ତାର ମୂଲ୍ୟ ଜାଣୁ । ଏହି ଲଢେଇରେ ଆମର ହଜାର ହଜାର ନାଗରିକ ସେମାନଙ୍କ ଜୀବନକୁ ଉତ୍ସର୍ଗ କରୁଛନ୍ତି । ଏବେ ଆତଙ୍କବାଦ କେବଳ ଭୌତିକ କ୍ଷେତ୍ରରେ ହେଉନାହିଁ, ଅନ୍‌ଲାଇନ ଓ ସାଇବର ମାଧ୍ୟମରେ ଏହାର ପ୍ରସାର ଘଟୁଛି । ଗୋଟିଏ ବୋତାମ୍ ଚିପି ଆତଙ୍କବାଦୀ ଏକ ଦେଶକୁ ଚରମ ସଙ୍କଟ ମଧ୍ୟକୁ ଠେଲି ଦେଉଛନ୍ତି । ସେ କହିଛନ୍ତି ଯେ ଆତଙ୍କବାଦ ଯେତେବେଳେ ବିଶ୍ୱବ୍ୟାପୀ ପ୍ରସାରିତ ସେତେବେଳେ ଗୋଟିଏ ଦେଶ ନିଜ ସୀମା ସରହ୍ରଦକୁ  ଜଗି ରହିଲେ ଯଥେଷ୍ଟ ହେବ ନାହିଁ । ଆତଙ୍କବାଦ ଓ ଆନ୍ତର୍ଜାତିକ ଅପରାଧର ସଫଳ ମୁକାବିଲା ପାଇଁ  ଆଗୁଆ ସୂଚନା, ଅପରାଧୀ ଗୋଷ୍ଠୀଙ୍କୁ ଠାବ କରିବା, ଆନ୍ତର୍ଜାତିକ ସତର୍କ ବ୍ୟବସ୍ଥା ପ୍ରସ୍ତୁତି, ସୁରକ୍ଷିତ ପରିବହନ ବ୍ୟବସ୍ଥା, ଦୃଢ ଯୋଗାଯୋଗ ଭିତ୍ତିଭୂମି, ସବୁ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପାଇଁ ସୁଦୃଢ ନିରାପତ୍ତା ବ୍ୟବସ୍ଥା, ବୈଷୟିକ ସହାୟତା ଏବଂ ଗୁଇନ୍ଦା ତଥ୍ୟ ଆଦାନପ୍ରଦାନର ଆବଶ୍ୟକତା ଅଧିକ ରହିଛି ।

ପ୍ରଧାନମନ୍ତ୍ରୀ ଦୁର୍ନୀତିର ମୁକାବିଲା ଉପରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି । ସେ କହିଛନ୍ତି ଯେ ଦୁର୍ନୀତି ଓ ଆର୍ଥିକ ଅପରାଧ ଅନେକ ଦେଶର ପ୍ରଗତି ଓ ଲୋକ କଲ୍ୟାଣକୁ ଗୁରୁତରଭାବେ ପ୍ରଭାବିତ କରିଛି । ଦୁର୍ନୀତିଗସ୍ତମାନେ ସେମାନଙ୍କ ପାପାର୍ଜିିତ ଧନକୁ ବିଶ୍ୱର ବିଭିନ୍ନ ସ୍ଥାନରେ ଗୁପ୍ତରେ ଲୁଚାଇ ରଖିଛନ୍ତି । ଏସବୁ ଅର୍ଥ ଦେଶର ସାଧାରଣ ଜନତା ଧନ । ଏହାର ଚୋରି ଓ ତସ୍କରୀ ଫଳରେ ଗରିବ ଲୋକଙ୍କ ଧନ ବରବାଦ ହେଉଛି ।ସେସବୁ ଅର୍ଥକୁ ବିଭିନ୍ନ ହାନିକାରକ ଓ ଜନ ବିରୋଧୀ କାର୍ଯ୍ୟରେ ବିନିଯୋଗ କରାଯାଉଛି । ତେଣୁ ଏସବୁ ଧନ ଲୁଚା ଯାଇଥିବାର ସ୍ଥାନର ବିଲୋପ ସହିତ ଆତଙ୍କବାଦୀ ଓ ଅପରାଧୀଙ୍କ ଗୁପ୍ତ ଆଡ୍ଡା ଏବଂ ଆଶ୍ରୟସ୍ଥଳୀଗୁଡିକୁ  ଧ୍ୱଂସ କରିବା ଉପରେ ପ୍ରଧାନମନ୍ତ୍ରୀ ଆର୍ନ୍ତଜାତିକ ସହଯୋଗ ପାଇଁ ଗୁରୁତ୍ୱ ଦେଇଛନ୍ତି । ଦୁର୍ନୀତିଗ୍ରସ୍ତ, ଆତଙ୍କବାଦୀ, ମାଦକଦ୍ରବ୍ୟର ଚୋର କାରବାର କରୁଥିବା ଗୋଷ୍ଠୀ, ପଶୁପକ୍ଷୀଙ୍କୁ ବେଆଇନ ଶିକାର କରୁଥିବା ଗ୍ୟାଙ୍ଗ, ଅପରାଧୀ ଗୋଷ୍ଠୀଙ୍କୁ ଦମନ କରିବାକୁ ହେଲେ ସେମାନଙ୍କ ନିରାପଦ ଆଶ୍ରୟସ୍ଥଳୀ ତୁରନ୍ତ ଧ୍ୱଂସ କରିବାକୁ ସେ ଆନ୍ତର୍ଜାତିକ ସହଯୋଗର ଆହ୍ୱାନ ଦେଇଛନ୍ତି । ଏଭଳି ତତ୍ତ୍ୱ ଗୋଟିଏ ଯାଗାରେ ଲୋକଙ୍କ ବିରୋଧରେ କରୁଥିବା ଅପରାଧ ସମଗ୍ର ମାନବଜାତି ପ୍ରତି ଅପରାଧ ବୋଲି ସେ କହିଛନ୍ତି । ଏଥିପାଇଁ ପୁଲିସ ବାହିନୀ ଓ ଆଇନ ପ୍ରଣୟନକାରୀ ସଂସ୍ଥାମାନେ ପଦ୍ଧତି, ବିଧି ଓ ବ୍ୟବସ୍ଥା ତିଆରି କରି ନିଜ ନିଜ ମଧ୍ୟରେ ସହଯୋଗକୁ ଅଧିକ ନିବିଡ କରିବାକୁ ସେ ପରାମର୍ଶ ଦେଇଛନ୍ତି ।

ପଳାତକ ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ତ୍ୱରାନ୍ୱିତ କରିବାକୁ ଇଣ୍ଟରପୋଲ ଶୀଘ୍ର ରେଡ କର୍ଣ୍ଣର ନୋଟିସ ଜାରି କରିବା ଉଚିତ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏକ ନିରାପଦ ଓ ସୁରକ୍ଷିତ ବିଶ୍ୱ ଗଠନ ଆମ ସମସ୍ତଙ୍କର ମିଳିତ ଦାୟିତ୍ୱ । “ଭଲ” ଶକ୍ତି ଏକଜୁଟ ହେଲେ ଅପରାଧ ଭଳି ମନ୍ଦ ଶକ୍ତିର ଅବସାନ ସମ୍ଭବ ବୋଲି ସେ କହିଛନ୍ତି । ଏହି ସମ୍ମିଳନୀରେ ଯୋଗଦେଇଥିବା ପୁଲିସ ଅଧକାରୀମାନେ ଭାରତର ଜାତୀୟ ପୁଲିସ ସ୍କାରକ ଓ ଜାତୀୟ ଯୁଦ୍ଧ ସ୍କାରକ  ବୁଲି ଦେଖିବା ସହିତ ଭାରତକୁ ସୁରକ୍ଷିତ ରଖିବାକୁ ପ୍ରାଣପାତ କରିଥିବା ବୀରମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇବାକୁ ପରାମର୍ଶ ଦେଇଛନ୍ତି । ଏହି ସମ୍ମିଳନୀ ଅପରାଧ, ଦୁର୍ନୀତି ଓ ଆତଙ୍କବାଦର ମୁକାବିଲାକୁ ଅଧିକ ସଫଳ କରିବାରେ ସହାୟକ ହେବ ବୋଲି ସେ ଆଶାପ୍ରକାଶ କରି କହିଛନ୍ତି  । ପ୍ରଧାନମନ୍ତ୍ରୀ କହିଛନ୍ତି, “ଯୋଗାଯୋଗ, ସହଯୋଗ ଓ ସମନ୍ୱୟ ଆତଙ୍କବାଦର ଅବସାନରେ ସହାୟକ ହେଉ।”

ପ୍ରଧାନମନ୍ତ୍ରୀ ମଞ୍ଚକୁ ଆସିବା ପରେ ତାଙ୍କୁ ଇଣ୍ଟରପୋଲର ପଦାଧିକାରୀ ଓ କର୍ମକର୍ତ୍ତାଙ୍କ ସହିତ ପରିଚୟ କରାଇ ଦିଆଯାଇଥିଲା । ଶ୍ରୀ ମୋଦୀ ମଧ୍ୟ ଏହି ଅବସରରେ ଇଣ୍ଟରପୋଲର ୯୦ତମ ଜେନେରାଲ ଆସେମ୍ଲି ଆୟୋଜନର ସ୍ମାରକ ଡାକଟିକଟ ୧୦୦ଟଙ୍କିଆ ସ୍ମାରକ ମୁଦ୍ରା ଉନ୍ମୋଚନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ଇଣ୍ଟରପୋଲର ଅଧ୍ୟକ୍ଷ ଅହମ୍ମଦ ନାସେଲ ଅଲ ରାଏଜ୍‌, ଏହାର ମହାସଚିବ ଜର୍ଗେନ ଷ୍ଟକ, ସିବିଆଇ ନିର୍ଦ୍ଦେଶକ ସୁବୋଧ କୁମାର ଜୟସ୍ୱାଲ ପ୍ରମୁଖ ଉପସ୍ଥିତ ଥିଲେ ।  ଏହି ସମ୍ମିଳନୀ ଅକ୍ଟୋବର ୧୮ରୁ ଆରମ୍ଭ ହୋଇଛି ଓ ୨୧  ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିରେ ଇଣ୍ଟରପୋଲର୧୯୫ ସଦସ୍ୟ ରାଷ୍ଟ୍ରର ପୁଲିସ ଅଧିକାରୀ ଓ ପ୍ରତିନିଧି ଯୋଗ ଦେଇଛନ୍ତି । ପ୍ରତିବର୍ଷ ଇଣ୍ଟରପୋଲର ସର୍ବୋଚ୍ଚ କାର୍ଯ୍ୟନିର୍ବାହୀ ପରିଷଦ ଜେନେରାଲ ଆସେମ୍ଲି ବୈଠକ ଆୟୋଜିତ ହୋଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଥାଏ । ୧୯୯୭ ପରେ ଦୀର୍ଘ ୨୫ବର୍ଷ ବ୍ୟବଧାନରେ ଭାରତରେ ଇଣ୍ଟରପୋଲର ଦ୍ୱିତୀୟ ଜେନେରାଲ ଆସେମ୍ଲି ଅନୁଷ୍ଠିତ ହେଉଛି । ଭାରତର ପ୍ରସ୍ତାବକ୍ରମେ ଏହି ସମ୍ମିଳନୀର ଆୟୋଜନ କରାଯାଇଛି ।

Categories
ଆଞ୍ଚଳିକ

ଓୟୁଜେ ସମ୍ବଲପୁର ଜିଲ୍ଲାର ଦ୍ୱିବାର୍ଷିକ ସାଧାରଣ ପରିଷଦ ବୈଠକ

ରେଢାଖୋଲ: ସମ୍ବଲପୁର ଜିଲ୍ଲା ସାମ୍ବାଦିକ ୟୁନିୟନର ଦ୍ୱିବାର୍ଷିକ ସାଧାରଣ ପରିଷଦ ବୈଠକ ରେଢାଖୋଲ ଓ ନାକଟିଦେଉଳ ୟୁନିଟ୍ ତରଫରୁ ନାକଟିଦେଉଳ ସ୍ଥିତ ବନବିଭାଗ ଡାକବଙ୍ଗଳା ନର୍ସରୀଠାରେ ଅନୁଷ୍ଠିତ ହୋଇଯାଇଛି।

ଏହି ସଭାରେ ଜିଲ୍ଲା ସଭାପତି ଶିବପ୍ରସାଦ ମେହେର ସଭାପତିତ୍ୱ କରିଥିଲେ। ଏଥିରେ ଓୟୁଜେର ରାଜ୍ୟସାଧାରଣ ସଂପାଦକ ଅଶୋକ କୁମାର ନନ୍ଦ ମୁଖ୍ୟ ଅତିଥ ଭାବରେ ଯୋଗଦେଇ ସାମ୍ବାଦିକ ମାନଙ୍କର ବିଭିନ୍ନ ସମସ୍ୟା ଉପରେ ଅଲୋକପାତ କରିବା ସହ ଆଗାମି ଦିନରେ ସାମ୍ବାଦିକ ମାନଙ୍କର ସମସ୍ତ ଦାବୀକୁ ସରକାରଙ୍କ ଠାରେ ଉପସ୍ଥାପିତ ସଂଘ ମାଧ୍ୟମରେ କରାଯିବ ବୋଲି ମତବ୍ୟକ୍ତ କରିଥିଲେ।

ଏହି ସଭାରେ ଯେଉଁ ସାମ୍ବାଦିକ ମାନଙ୍କର ସ୍ୱାସ୍ଥ୍ୟବୀମା ମିଳିପାରିନାହିଁ କିପରି ମିଳିବ, ସ୍ୱାସ୍ଥ୍ୟ ବୀମାର ପରିମାଣ ୨ ଲକ୍ଷରୁ ୫ ଲକ୍ଷ ପର୍ଯ୍ୟନ୍ତ ବୃଦ୍ଧି, କୋରନାରେ ମୃତ୍ୟୁବରଣ କରିଥିବା ସାମ୍ବାଦିକ ମାନଙ୍କୁ କରୋନା ଯୋଦ୍ଧା ଭାବରେ ଘୋଷଣା, ରାଜ୍ୟରେ ସାମ୍ବାଦିକ ସୁରକ୍ଷା ଆଇନ୍ ଆଦି ଦାବୀକୁ ସରକାରଙ୍କୁ ଦିଆଯିବାକୁ ସଭାରେ ସ୍ଥିର ହୋଇଥିଲା।

ଅନ୍ୟମାନଙ୍କ ମଧ୍ୟରେ ଅମୁଲ୍ୟ କୁମାର ସ୍ୱାଇଁ କୋଷାଧ୍ୟକ୍ଷ, ଜୟନ୍ତ ଖଡିରତ୍ନ, ଉପସଭାପତି ସଂଜୟ ମିଶ୍ର, ସାଧାରାଣ ସଂପାଦକ ସୁବାସ ନାଥ ଶର୍ମା ସଂପାଦକ, ଶଙ୍କର ପୃଷ୍ଟି ସଂପାଦକ, ମନୋଜ ରାଜ ସଂଗଠନ ସଂପାଦକ, ଦିନେଶ ମହାରଣା କୋଷାଧ୍ୟକ୍ଷ ପ୍ରମୁଖ ଯୋଗଦେଇ ନିଜ ନଜର ମତାମତ ରଖିଥିଲେ।

ପୂର୍ବରୁ ମନୋନୟନ କମିଟି ମାଧ୍ୟମରେ ସଂଘର ସଭାପତି, ସାଧାରଣ ସଂପାଦକ ତଥା ଅନ୍ୟାନ୍ୟ ପଦପଦବୀ ପାଇଁ ସଂଘର ସଦସ୍ୟ ମାନଙ୍କୁ ମନୋନୀତ କରାଯାଇଥିଲା। ସଭାପତି ଭାବରେ ପ୍ରଭାତ ବେହେରା, ଉପସଭାପତି ଭାବରେ ଜୟନ୍ତ ଖଡିରତ୍ନ ଓ ହେମନ୍ତ ରାଉତ, ସାଧାରଣ ସଂପାଦକ ଭାବରେ ରାଜେଶ ବିଭାର, ସଂପାଦକ ଭାବରେ ପ୍ରଦୀପ ମିଶ୍ର ଓ କନ୍ଦର୍ପ ବେହେରା, କୋଷାଧ୍ୟକ୍ଷ ତପନ୍ ଦାଶ୍, ସଂଗଠନ ସଂପାଦକ ରାଜେନ୍ଦ୍ର ନାୟକ, କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ରାଧାମୋହନ ଷଡଙ୍ଗୀ, ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟ ସଂଜୟ କୁମାର ମିଶ୍ର, ଜାତୀୟ ପରିଷଦ ସଦସ୍ୟ ଶଚିକାନ୍ତ ସାହୁଙ୍କ ନାମକୁ ଘୋଷଣା କରାଯାଇଥିଲା।

ରମାକାନ୍ତ ମହାନନ୍ଦ ସ୍ୱାଗତ ଭାଷଣ ଦେବା ସହ କନ୍ଦର୍ପ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।ସଂଘର ସଭ୍ୟ ସାମ୍ବାଦିକ ଶରତ ପ୍ରଧାନ, ବିଜୟ ବେହେରା ସରୋଜ ସାହୁ, ରୋହିତ ଭୋଇ, ଅରୁଣ କୁମାର ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହେଯାଗ କରିଥିଲେ।