Categories
ଆଜିର ଖବର ଜାତୀୟ ଖବର

ସାଧାରଣ ବଜେଟ୍ ନିରାଶାଜନକ, ଏଥିରେ ଦୃରଦୃଷ୍ଟିର ଅଭାବ: ନୀତୀଶ କୁମାର

ପାଟନା: କେନ୍ଦ୍ର ସରକାର ଉପସ୍ଥାପନ କରିଥିବା ବଜେଟକୁ ନିରାଶାଜନକ ବୋଲି ବର୍ଣ୍ଣନା କରି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବୁଧବାର କହିଛନ୍ତି ଯେ, ଏଥିରେ ଦୂରଦୃଷ୍ଟିର ଅଭାବ ରହିଛି। ନୀତୀଶ କହିଛନ୍ତି ଯେ, ପ୍ରତିବର୍ଷ ବଜେଟର ପ୍ରାଥମିକତା ବଦଳାଯାଏ, ଯାହା ଫୋକସର ଅଭାବ ଏବଂ ଅର୍ଥର ଅଭାବ ହେତୁ ସଂପୂର୍ଣ୍ଣ ହୋଇନାହିଁ।

ସେ କହିଛନ୍ତି ଯେ ବିହାର ଏହି ବଜେଟକୁ ନେଇ ନିରାଶ ହୋଇଛି ଏବଂ ପୁଣି ଥରେ ସ୍ୱତନ୍ତ୍ର ମାନ୍ୟତା ପାଇଁ ଚାହିଦାକୁ ଅଣଦେଖା କରାଯାଇଛି। ସେ କହିଛନ୍ତି ଯେ ବିହାର ଭଳି ରାଜ୍ୟକୁ ଆଗକୁ ନ ନେଇ ସମାବେଶୀ ବିକାଶର ସ୍ୱପ୍ନ ସମ୍ଭବ ନୁହେଁ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସମାବେଶୀ ବିକାଶ ଅଧୀନରେ ବିହାର ସରକାର ଅର୍ଥମନ୍ତ୍ରୀଙ୍କ ବବୈଠକରେ କେନ୍ଦ୍ର ବଜେଟରେ ୨୦ ହଜାର କୋଟି ଟଙ୍କାର ଏକ ସ୍ୱତନ୍ତ୍ର ପ୍ୟାକେଜ୍ ଦାବି କରିଛନ୍ତି, ଯାହା ବଜେଟରେ ଦିଆଯାଇ ନାହିଁ। ସେ କହିଛନ୍ତି ଯେ, ଯୁବକମାନଙ୍କ ପାଇଁ ରୋଜଗାର ସୃଷ୍ଟି ସମ୍ବନ୍ଧରେ ବଜେଟରେ କୌଣସି ବ୍ଲୁ ପ୍ରିଣ୍ଟ ଦୃଶ୍ୟମାନ ହେଉନାହିଁ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟଗୁଡିକର ଆର୍ଥିକ ସ୍ଥିତିକୁ ଅଣଦେଖା କରାଯାଇଛି ଏବଂ ୨୦୨୩-୨୪ ବର୍ଷରେ ରାଜ୍ୟ ସରକାରଙ୍କ ଋଣ ସୀମାରେ କୌଣସି ଆଶ୍ଵସ୍ତି ପ୍ରଦାନ କରାଯାଇ ନାହିଁ। ସେ କହିଛନ୍ତି ଯେ ବିହାର ସରକାର ଏହାର ସ୍ମାରକପତ୍ରରେ ଏହାକୁ ୪.୫ ପ୍ରତିଶତ ରଖିବାକୁ ଅନୁରୋଧ କରିଥିଲେ, ଯାହା ପଛୁଆ ରାଜ୍ୟର ବିକାଶ ତଥା ନୂତନ ନିଯୁକ୍ତି ସୃଷ୍ଟିରେ ଲାଭଦାୟକ ହେବ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କେନ୍ଦ୍ର ବଜେଟରେ ଭାରତ ସରକାର ସାତଟି ପ୍ରାଥମିକତା ସ୍ଥିର କରିଛନ୍ତି ଏବଂ ଏହା କେବଳ କେନ୍ଦ୍ର ସରକାରଙ୍କ ପୂର୍ବରୁ ଚାଲିଥିବା ଯୋଜନାର ଏକ “ପୁନଃ ପ୍ୟାକେଜିଂ” ଅଟେ।

ଏହାପୂର୍ବରୁ ବିହାର ଉପମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ତେଜସ୍ୱୀ ଯାଦବ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବୁଧବାର ଦିନ ବଜେଟ୍ ଘୋଷଣାକୁ ନେଇ ନିରାଶ ହୋଇଥିବା ଦର୍ଶାଇଛନ୍ତି। ଏବଂ କେନ୍ଦ୍ରରେ ଶାସକ ଭାରତୀୟ ଜନତା ପାର୍ଟି ପୁଣି ଥରେ ବିହାରର ଲୋକଙ୍କୁ ପ୍ରତାରଣା କରିଛନ୍ତି ବୋଲି ସେ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଖୋର୍ଦ୍ଧା​‌ ରୋଡ୍‌ ଏବଂ ବଲାଙ୍ଗୀର ରେଳ ପଥ ପାଇଁ ୮୯୧ କୋଟି, ପଢନ୍ତୁ ଚଳିତ ବଜେଟରେ ଓଡିଶାକୁ ମିଳିଲା କେତେ?

ଭୁବନେଶ୍ବର: ଗତକାଲି ଅର୍ଥମନ୍ତ୍ରୀ ନିର୍ମଲା ସିତାରମଣ ସଂସଦରେ ସାଧାରଣ ବଜେଟ୍‌ ଉପସ୍ଥାପନ କରିଛନ୍ତି। ରେଳ ବଜେଟ୍‌ରେ ଓଡିଶାକୁ ଗତ ଥର ଅପେକ୍ଷା ଅଧିକ ପ୍ୟାକେଜ୍‌ ଘୋଷଣା ହୋଇଛି। ଏଥର ଅଶ୍ବିନୀ ବୈଷ୍ଣବ ରେଳ ମନ୍ତ୍ରୀ ହେବାପରେ ଓଡିଶାକୁ ପ୍ରାଧାନ୍ୟ ଦିଆଯାଇଛି ବୋଲି କୁହାଯାଉଛି।

ଖୋର୍ଦ୍ଧା​‌ ରୋଡ୍‌ ଏବଂ ବଲାଙ୍ଗୀର ରେଳ ପଥ ପାଇଁ ୮୯୧.୧୨ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିବା ବେଳେ ଅନୁଗୁଳ-ସୁକିନ୍ଦା ପାଇଁ ୪୭୫ କୋଟି ଟଙ୍କା, ତାଳଚେର-ବିମଳାଗଡ ପାଇଁ ୨୫୦ କୋଟି ଟଙ୍କା, ହରିଦାସପୁର-ପାରାଦୀପ ପାଇଁ ୮୫ କୋଟି ଟଙ୍କା, ଜୟପୁର-ମାଲକାନାଗିରି ପାଇଁ ୧୩ କୋଟି ୮୦ ଲକ୍ଷ ଟଙ୍କା, ଜୟପୁର-ନବରଙ୍ଗପୁର ପାଇଁ ୮୧ କୋଟି ଟଙ୍କାର, ନୂଆପଡା-ଗୁଣୁପୁର-ଥେରୁବାଲି ପାଇଁ ୧୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି।

ସେହିଭଳି ଓଡିଶାରେ ରେଳ ଟ୍ରାକ୍‌ ଡବଲିଂ ପାଇଁ ମଧ୍ୟ ଆର୍ଥିକ ପ୍ୟାକେଜ୍‌ ଘୋଷଣା କରାଯାଇଛି। ଖୋର୍ଦ୍ଧା ରୋଡ୍‌-ବାରଙ୍ଗ ଡବଲିଂ ପାଇଁ ୧୬୪ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବା ବେଳେ, ସମ୍ଭଲପୁର-ଟିଟିଲାଗଡ ଡବଲିଂ ପାଇଁ ୭୯ କୋଟି ୫୦ ଲକ୍ଷ, ବାଂଶପାଲି-ଦୈତାରୀ-ଟମଖା-ଯଖପୁରା ଡବଲିଂ ପାଇଁ ୩୦୦ କୋଟି ଟଙ୍କା, ସମ୍ବଲପୁର-ତାଳଚେର ଡବଲିଂ ପାଇଁ ୧୭୨ କୋଟି ୫୦ ଲକ୍ଷ ଟଙ୍କା, ଭଦ୍ରକ-ନିର୍ଗୁଣ୍ଡି ତୃତୀୟ ଲାଇନ ପାଇଁ ୩୫୧ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି।

Categories
Budget2022 ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

କେନ୍ଦ୍ରୀୟ ବଜେଟ୍ ରେ ରେଳବାଇକୁ ବଡ ଉପହାର, ୩ ବର୍ଷରେ ଚାଲିବ ୪୦୦ ନୂତନ ବନ୍ଦେ ଭାରତ ଟ୍ରେନ୍

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାଧାରଣ ବଜେଟ୍ ଉପସ୍ଥାପନ କରିଛନ୍ତି। ବଜେଟ୍ ଉପସ୍ଥାପନ କରି ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଆମେ ସ୍ୱାଧୀନତାର ୭୫ ତମ ବର୍ଷରେ ଅଛୁ। ଏହି ବଜେଟରେ ଆଗାମୀ ୨୫ ବର୍ଷ ପାଇଁ ଏକ ବ୍ଲୁ ପ୍ରିଣ୍ଟ ଅଛି। ଏହି ସମୟରେ ସେ ରେଳବାଇ ପାଇଁ ଏକ ବଡ ଘୋଷଣା ମଧ୍ୟ କରିଛନ୍ତି। ସେ କହିଛନ୍ତି ଯେ, ଆମେ ୩ ବର୍ଷରେ ୪୦୦ ନୂତନ ପିଢୀର ବନ୍ଦେ ଭାରତ ଟ୍ରେନ୍ ଚଳାଇବୁ।

ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଉନ୍ନତ କ୍ଷମତା ସହିତ ଆସନ୍ତା ୩ ବର୍ଷରେ ୪୦୦ ନୂତନ ପିଢୀର ବନ୍ଦେ ଭାରତ ଟ୍ରେନ୍ ଚଳାଚଳ କରିବ। ପରବର୍ତ୍ତୀ ୩ ବର୍ଷ ମଧ୍ୟରେ ୧୦୦ଟି ପିଏମ ଗତି ଶକ୍ତି କାର୍ଗୋ ଟର୍ମିନାଲ୍ ବିକଶିତ ହେବ ଏବଂ ମେଟ୍ରୋ ସିଷ୍ଟମ ନିର୍ମାଣ ପାଇଁ ନୂତନ ପଦ୍ଧତି ଗ୍ରହଣ କରାଯିବ।

ଏହା ବ୍ୟତୀତ ସରକାର ବଜେଟରେ ଯୁବକମାନଙ୍କୁ ମଧ୍ୟ ଆଶ୍ଵସ୍ତି ପ୍ରଦାନ କରିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୬୦ ଲକ୍ଷ ନୂତନ ନିଯୁକ୍ତି ଘୋଷଣା କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ୩୦ ଲକ୍ଷ ଅତିରିକ୍ତ ଚାକିରି ଯୋଗାଇବାର ସମ୍ଭାବନା ଅଛି।

ବଜେଟ୍ ଅଭିଭାଷଣରେ ଅର୍ଥମନ୍ତ୍ରୀ ସୀତାରମଣ କହିଛନ୍ତି ଯେ, ଏହି ବଜେଟରୁ ଆସନ୍ତା ୨୫ ବର୍ଷ ପାଇଁ ଭାରତ ଭିତ୍ତିପ୍ରସ୍ତର ପାଇବ। ଆଗାମୀ ଆର୍ଥିକ ବର୍ଷରେ ଆର୍ଥିକ ଅଭିବୃଦ୍ଧି ୯.୨% ହେବ ବୋଲି ଆଶା କରାଯାଉଛି। ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଚଳିତ ବର୍ଷ ଭାରତର ଅର୍ଥନୈତିକ ଅଭିବୃଦ୍ଧି ୯.୨% ହେବ ବୋଲି ଆକଳନ କରାଯାଇଛି, ଯାହା ପ୍ରମୁଖ ଅର୍ଥବ୍ୟବସ୍ଥା ମଧ୍ୟରେ ସର୍ବାଧିକ। ଅର୍ଥମନ୍ତ୍ରୀ ସୀତାରମଣ କହିଛନ୍ତି ଯେ, ଏୟାର ଇଣ୍ଡିଆର ବିନିଯୋଗ ଶେଷ ହୋଇଛି ଏବଂ LIC ର ଆଇପିଓ ଶୀଘ୍ର ଆସିବ।

ସୀତାରମଣ କହିଛନ୍ତି ଯେ, କୃଷକ, ଯୁବକମାନେ ବଜେଟରୁ ଉପକୃତ ହେବେ। ଆତ୍ମନିର୍ଭରଶୀଳ ଭାରତର ୧୬ ଲକ୍ଷ ଯୁବକଙ୍କୁ ଚାକିରି ଦିଆଯିବ। ୨୦୨୨-୨୩ ମଧ୍ୟରେ ଜାତୀୟ ରାଜପଥର ଲମ୍ବ ୨୫ବ ହଜାର କିଲୋମିଟରକୁ ବୃଦ୍ଧି କରାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ପାହାଡ ଅଞ୍ଚଳର ପର୍ବତମାଳା ରାସ୍ତା ପିପିପି ମୋଡରେ ଅଣାଯିବ।

Categories
Budget2022 ଜାତୀୟ ଖବର ବିଶେଷ ଖବର

ବଜେଟ୍ ପୂର୍ବରୁ ୨୫ ଟି ଦଳର ବୈଠକରେ ଉଠିଲା ପେଗାସସ୍ ପ୍ରସଙ୍ଗ, ଆଲୋଚନା କରିବାକୁ ମନା କଲେ ସରକାର

ନୂଆଦିଲ୍ଲୀ: ଦେଶର ସାଧାରଣ ବଜେଟ୍ ମଙ୍ଗଳବାର ସଂସଦରେ ଉପସ୍ଥାପିତ ହେବ। ଏହାପୂର୍ବରୁ ଆଜି ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ଯେଉଁଥିରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କେନ୍ଦ୍ର ସରକାରଙ୍କ ତରଫରୁ ସ୍ପଷ୍ଟ କରିଛନ୍ତି ଯେ, ବଜେଟ୍ ଅଧିବେଶନର ପ୍ରଥମାର୍ଦ୍ଧରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଏବଂ ବଜେଟ୍ ସମ୍ବନ୍ଧୀୟ ସମସ୍ତ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇପାରିବ।

ଆଜି ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ଅନେକ ଦଳ ପେଗାସସ୍ ଗୁପ୍ତଚର ପ୍ରସଙ୍ଗ ଉଠାଇଥିଲେ। ଯାହା ସ୍ପଷ୍ଟ ହୋଇଛି ଯେ, ବଜେଟ୍ ଅଧିବେଶନରେ ଏକ ଅଡୁଆ ସୃଷ୍ଟି ହେବ। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି ଯେ, ଏହି ବୈଠକରେ ଆମେ ସ୍ପଷ୍ଟ କରିଛୁ ଯେ, ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ କମିଟି ଏହି ମାମଲାର ତଦନ୍ତ କରୁଛନ୍ତି ଏବଂ କେବଳ ବଜେଟ୍ ସମ୍ବନ୍ଧୀୟ ପ୍ରସଙ୍ଗଗୁଡ଼ିକ ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟରେ ଉଠାଯିବା ଉଚିତ୍।

ପ୍ରହ୍ଲାଦ ଯୋଶୀ ସର୍ବଦଳୀୟ ବୈଠକ ବିଷୟରେ ସୂଚନା ଦେଇଥିଲେ। ସେ କହିଛନ୍ତି ଯେ, ଆଜିର ସର୍ବଦଳୀୟ ବୈଠକରେ ୨୫ ଟି ଦଳ ଅଂଶଗ୍ରହଣ କରିଛନ୍ତି।

ପ୍ରହ୍ଲାଦ ଯୋଶୀ କହିଛନ୍ତି ଯେ, “ଯଦି ଗୃହର ସୁରୁଖୁରୁରେ ଚାଲିବାକୁ ସହଯୋଗ କରାଯାଏ, ତେବେ ଅଧିବେଶନର ଦ୍ୱିତୀୟ ଭାଗରେ ଆମେ ଅନ୍ୟ ସମସ୍ତ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ପ୍ରସ୍ତୁତ। ସମସ୍ତ ନେତା କହିଛନ୍ତି ଯେ, ଆମେ ଆଲୋଚନାରେ ଯୋଗଦେବାକୁ ଚାହୁଁଛୁ। ମୁଁ ଆଶା କରୁଛି ଗୃହଟି ସୁରୁଖୁରୁରେ ଚାଲିବ।