Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର: ସାନସିରେଇପୁର ବିଟ ହାଉସ ନିକଟରୁ ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଜବତ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ବଡ଼ି ଭୋରରୁ ଖୋର୍ଦ୍ଧା ଜିଲ୍ଲା ବାଣପୁର ଅନ୍ତର୍ଗତ ସାନସିରେଇପୁର ବିଟ ହାଉସ ନିକଟରୁ ବନବିଭାଗ ଲକ୍ଷାଧିକ ଟଙ୍କାର ଚୋରା ଶାଗୁଆନ କାଠ ଜବତ କରିଛି।

ସୂଚନା ମୁତାବକ ଗତକାଲି ରାତିତମାମ ବନବିଭାଗ ବରବରା ଜଙ୍ଗଲ ଅଞ୍ଚଳରେ ପାଟ୍ରୋଲିଙ୍ଗ କରୁଥିବାବେଳେ ଭୋର ୪ ଘଟିକା ସମୟରେ ସାନସିରେଇପୁର ବିଟ ହାଉସ ନିକଟରେ ଏକ ଟାଟା ଭେଞ୍ଚର ପିକଅପ ଭ୍ୟାନରେ ଚୋରା ଶାଗୁଆନ କାଠ ଯାଉଥିବାର ଦେଖିବାକୁ ପାଇଥିଲା। ସଙ୍ଗେ ସଙ୍ଗେ ଗାଡିକୁ ପିଛା କରିବାରୁ ଗାଡ଼ି ଛାଡି ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଥିଲେ।

ତେବେ ଉକ୍ତ ଗାଡ଼ିରୁ ୪ ଗୋଟି ଶାଗୁଆନ କାଠ ଗଣ୍ଡି ବନବିଭାଗ ଜବତ କରିଛି। ଯାହାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାପଡିଛି। ଏ ସଂକ୍ରାନ୍ତରେ ବନବିଭାଗ ଏକ ମାମଲା ୠଜୁକରୀ ତଦନ୍ତ ଜାରିରଖିଛି। ଉକ୍ତ ଚଢ଼ାଉରେ ବାଲୁଗାଁ ବନାଞ୍ଚଳ ଅଧିକାରୀ ପ୍ରତାପ ମହାନ୍ତି, ବନପାଳ ପ୍ରଦୀପ ମହାନ୍ତି ଏବଂ ବନରକ୍ଷୀ ହେମନ୍ତ ଜାନି, ଅକ୍ଷୟ ନାୟକ, ଗୋପାଳ ସୟ, ଜୟଶ୍ରୀ ପଟ୍ଟନାୟକ, ମମତା ନାୟକ ଓ ତ୍ରିଲୋଚନ ବେହେରା ଆଦି ସାମିଲ ଥିଲେ।

ଉଲ୍ଲେଖ ଯୋଗ୍ୟ ଯେ, ଗତ ଦୁଇ ଦିନ ତଳେ କିଆଗୋରଡ଼ା ଗ୍ରାମରେ ଏକ ଗଛ କଟାକୁ ନେଇ କିଛି ଗ୍ରାମବାସୀ ବନବିଭାଗର କର୍ମଚାରୀଙ୍କୁ ଆକ୍ରମଣ କରିଥିବାର ଅଭିଯୋଗ ହୋଇଥିଲା। ଗତକାଲି ବାଣପୁର ପୋଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବାବେଳେ ଅନ୍ୟମାନେ ଗିରଫ ଭୟରେ ଫେରାର ଅଛନ୍ତି।

ଅନୁରୂପ ଭାବେ ଗ୍ରାମବାସୀଙ୍କ ପକ୍ଷରୁ ମଧ୍ୟ ବନବିଭାଗ ବିରୁଦ୍ଧରେ ଏକ ପାଲଟା ଅଭିଯୋଗ ହୋଇଥିବାର ଜଣାପଡିଛି। ତେବେ ଉକ୍ତ ଗଛଟିକୁ କାଠମାଫିଆ ମାନେ ପୂର୍ବରୁ ୯୦ ପ୍ରତିଶତ କାଟିଦେଇଥିବାରୁ ସୁରକ୍ଷା ନିମନ୍ତେ ବନବିଭାଗ ଗଛଟିର ଅବଶିଷ୍ଟାଂଶ କାଟୁଥିବା ସମୟରେ ବନ କର୍ମଚାରୀମାନେ ଗ୍ରାମବାସୀଙ୍କ ଆକ୍ରମଣର ଶିକାର ହୋଇଥିଲେ। ଏହି ପରିପ୍ରେକ୍ଷୀରେ ବନବିଭାଗ ପକ୍ଷରୁ ୨୪ ଘଣ୍ଟିଆ ପାଟ୍ରୋଲିଙ୍ଗ କରାଯାଉଥିବାର ବନାଞ୍ଚଳ ଅଧିକାରୀ ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।