Categories
ଆଞ୍ଚଳିକ

ବାଣପୁର: ସାନସିରେଇପୁର ଫରେଷ୍ଟ ବିଟ ହାଉସ ନିକଟରୁ ୧୦୦ ଲିଟର ଦେଶୀ ମଦ ଜବତ, ଦୁଇ ଗିରଫ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ବାଲୁଗାଁ ଅବକାରୀ ବିଭାଗ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ସାନସିରେଇପୁର ଫରେଷ୍ଟ ବିଟ ହାଉସ ନିକଟରେ ଚଢ଼ାଉ କରି ଦୁଇ ମଦ ବେପାରୀଙ୍କୁ ଗିରଫ କରିଛି। ଖବର ମୁତାବକ ଆଜି ସକାଳେ ଟାଙ୍ଗୀ ରେଞ୍ଜ ଅବକାରୀ ଇନ୍ସପେକ୍ଟର ଆଲୋକ ପ୍ରଧାନ ଏବଂ ବାଲୁଗାଁ ଅବକାରୀ ଅଧିକାରୀ ରୋହିତ ଦଣ୍ଡସେନା ପାଟ୍ରୋଲିଂ କରୁଥିବା ବେଳେ ସାନସିରେଇପୁର ଫରେଷ୍ଟ ବିଟ ହାଉସ ନିକଟରୁ ଦୁଇ ବାଇକ ଚାଳକଙ୍କୁ ମଦ ସମେତ ଗିରଫ କରିଛନ୍ତି।

ଅଭିଯୁକ୍ତ ଦ୍ବୟ ହେଲେ ସୁଶାନ୍ତ ଦାସ (୨୦) ଏବଂ ମନୁ ପ୍ରଧାନ (୪୯)। ସେମାନଙ୍କ ନିକଟରୁ ୧୦୦ ଲିଟର ଦେଶୀ ମଦ ସମେତ ଦୁଇ ଗୋଟି ବାଇକ ଜବତ କରିଛି ଅବକାରୀ ବିଭାଗ।  ଗିରଫ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୁଇ ଗୋଟି ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଥିବାର ସୂଚନା ମିଳିଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ବାଣପୁରରେ ସଡ଼କ ଦୁର୍ଘଟଣା: ଦୁଇ ଯୁବକ ଗୁରୁତର

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ସାନସିରେଇପୁର ବିଟ ହାଉସ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଦୁଇ ଜଣ ଯୁବକଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି।

ସୂଚନା ମୁତାବକ ଆଜି ଅପରାହ୍ନରେ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ହିରିଆମ୍ବା ଗ୍ରାମର ଦୁଇ ଜଣ ଯୁବକ ବାଇକ ଯୋଗେ ଭାୟା ନୀଳାଦ୍ରିପ୍ରସାଦ ହୋଇ ବାଲୁଗାଁ ରେଳ ଷ୍ଟେସନ ଯାଉଥିଲେ। ବାଇକ ଚଲାଉଥିବା ବ୍ୟକ୍ତି ବିଷ୍ଣୁ ନାୟକ (୨୧) ବାଇକରେ ବସିଥିବା ପଦ୍ମନାଭ ନାୟକ (୨୪) ଙ୍କୁ ଚେନ୍ନାଇ ଯିବା ଉଦ୍ଦେଶ୍ୟରେ ବାଲୁଗାଁ ଷ୍ଟେସନ ଛାଡିବାକୁ ଯାଉଥିଲେ। ତେବେ ଦୁର୍ଭାଗ୍ୟବଶତଃ ସାନସିରେଇପୁର ବିଟ ହାଉସ ନିକଟରେ ବିପରୀତ ଦିଗରୁ ଦ୍ରୁତଗତିରେ ଆସୁଥିବା ଏକ ଡାଲା ଅଟୋ ଉଭୟଙ୍କ ବାଇକକୁ ଶକ୍ତ ଧକ୍କା ଦେଇଥିଲା। ଫଳରେ ଉଭୟ ରୋଡ଼ରେ ଛିଟିକି ତଳେ ପଡିଯାଇଥିଲେ।

ଗୁରୁତର ଅବସ୍ଥାରେ ଉଭୟ ଯୁବକଙ୍କୁ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଭର୍ତ୍ତି କରାଯାଇଥିବାବେଳେ ଉଭୟ ଯୁବକଙ୍କ ଡାହାଣ ଗୋଡ ଭାଙ୍ଗିଯାଇଥିବାର ଡାକ୍ତର ସୂଚନା ଦେଇଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଖବର ପାଇ ବାଣପୁର ପୋଲିସ ଦୁର୍ଘଟଣା ସ୍ଥଳରେ ପହଁଚି ତଦନ୍ତ ଜାରି ରଖିଛନ୍ତି।

ସୂଚନା ଥାଉକି ଆହତ ପଦ୍ମନାଭ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ଜଣେ ଠିକାଦାରଙ୍କ ଯୋଗେ ଆଜି ସନ୍ଧ୍ୟା ଟ୍ରେନରେ କାମ ଆଶାରେ ଚେନ୍ନାଇ ଯାଇଥାନ୍ତେ। ତାଙ୍କର ଏକ ଛୋଟ ଶିଶୁ ପୁତ୍ର ଥିବାବେଳେ ସେ ମଧ୍ୟ ବର୍ତ୍ତମାନ ଆଇସିୟୁ ରେ ଭର୍ତ୍ତି ହୋଇଛନ୍ତି। ଭାଗ୍ୟକୁ ଆଦରି ବାଣପୁର ମେଡିକାଲ ପରିସରରେ ପଦ୍ମନାଭ କାନ୍ଦୁଥୁବାର ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଥିଲା।